ସୁଧାଂଶୁ ରଞ୍ଜନ ଦାସ
କଳାରେ ଉତ୍କର୍ଷତା ଲାଭ କରିଥିବାରୁ ଓଡ଼ିଶାକୁ ଉତ୍କଳ କୁହାଯାଉଥିଲା। ହସ୍ତଶିଳ୍ପ ଓଡ଼ିଶାକୁ ଏକଦା ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିଥିଲା। ଓଡ଼ିଶାର ହାତୀଦାନ୍ତ କାମ, ଶିଂଘକାମ, ରୁପା ତାରକସି କାମ, ପିତ୍ତଳ କାମ, ପଥରକାମ, ପଟ୍ଟଚିତ୍ର, ତାଳପତ୍ର ଚିତ୍ର ଓ ଚାନ୍ଦୁଆ ଇତ୍ୟାଦି ଦେଶବିଦେଶରେ ପ୍ରସିଦ୍ଧିଲାଭ କରିଥିଲା। ପ୍ରାଚୀନ ଓଡ଼ିଶା କଳିଙ୍ଗ ସାଗର (ଆଜିର ବଙ୍ଗୋପସାଗର) ଉପରେ ସମ୍ପୂର୍ଣ ଆଧିପତ୍ୟ ବିସ୍ତାର କରି ନୌବାଣିଜ୍ୟକୁ ନିଜ ଅକ୍ତିଆରରେ ଆଣି ନିଜକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିପାରିଥିଲା। ଓଡ଼ିଶାର ପ୍ରାଚୁର୍ଯ୍ୟ ଓ ନୌବାଣିଜ୍ୟ ଉପରେ ନିୟନ୍ତ୍ରଣ ମଗଧ ସମ୍ରାଟ ଅଶୋକଙ୍କୁ ଓଡ଼ିଶା ଆକ୍ରମଣ କରିବାକୁ ପ୍ରେରିତ କରିଥିଲା ବୋଲି କେତେକ ଇତିହାସକାର କହନ୍ତି। ଐତିହାସିକମାନେ ଯଦିଓ ଓଡ଼ିଶାର ହସ୍ତଶିଳ୍ପ ସାମଗ୍ରୀର ରପ୍ତାନୀ ଉପରେ ଉଲ୍ଲେଖ କରିଛନ୍ତି ଗବେଷଣା ଅଭାବରୁ ଅନେକ ତଥ୍ୟ ଏବେବି କୁହେଳିକା ଭିତରେ ରହିଛି। ଆଜି ଓଡ଼ିଶାରେ ଅତି ଉଚ୍ଚକୋଟୀର ହସ୍ତଶିଳ୍ପ ତିଆରି ହେଉଥିଲେ ମଧ୍ୟ ଏହା ଓଡ଼ିଶାରେ ରୋଜଗାର ସୃଷ୍ଟି କରିପାରୁ ନାହିଁ କିମ୍ବା ହସ୍ତଶିଳ୍ପ ରପ୍ତାନୀରୁ ଓଡ଼ିଶା ବିଦେଶୀମୁଦ୍ରା ଉପାର୍ଜନ କରିପାରୁନାହିଁ।
ପ୍ଲାଷ୍ଟିକ ଓ ସିନ୍ଥେଟିକ ସାମଗ୍ରୀଗୁଡ଼ିକର ବହୁଳ ବ୍ୟବହାର, ଓଡ଼ିଶାବାସୀଙ୍କର ହସ୍ତଶିଳ୍ପ ପରମ୍ପରା ପ୍ରତି ଅନାଦର ଭାବ, ଲୋକ ସଚେତନତାର ଅଭାବ, ରାଜ୍ୟରେ ସଚ୍ଚୋଟ ଓ ହସ୍ତଶିଳ୍ପ ବିଷୟରେ ଜ୍ଞାନଥିବା କର୍ମଠ ଅଧିକାରୀଙ୍କ ଅଭାବ, ଗଣମାଧ୍ୟମର ହସ୍ତଶିଳ୍ପ ପ୍ରତି ଅନାଦର ଭାବ, ବୁଦ୍ଧିଜୀବୀଙ୍କର ହସ୍ତଶିଳ୍ପ ପ୍ରତି ଉଦାସୀନତା, ହସ୍ତଶିଳ୍ପର ଗୁଣାତ୍ମକମାନ ନବଢ଼ାଇ ଅଧିକ ଲାଭ କରିବା ପାଇଁ ବ୍ୟବସାୟୀଙ୍କ ଚେଷ୍ଟା ଓ ଶିଳ୍ପୀମାନଙ୍କ ମଧ୍ୟରେ ନେତୃତ୍ୱ ଓ ଏକତାର ଅଭାବ ଆଜି ଅନେକ ହସ୍ତଶିଳ୍ପ ପରମ୍ପରାକୁ ରୁଗ୍ଣ ଅବସ୍ଥାକୁ ଟାଣିଆଣିଛି। କେତେକ ହସ୍ତଶିଳ୍ପ ପରମ୍ପରା ଲୁପ୍ତ ପ୍ରାୟ ହୋଇଗଲାଣି। ଓଡ଼ିଶା ହସ୍ତଶିଳ୍ପର ବିକାଶ ପାଇଁ ଆଜି ଦରକାର ପ୍ରବଳ ରାଜନୈତିକ ଇଛାଶକ୍ତି, ହସ୍ତଶିଳ୍ପ ସାମଗ୍ରୀର ପ୍ରଚାର ପ୍ରସାର ଏବଂ ଏକ ସୁସ୍ଥ ଓ ସ୍ଵଚ୍ଛ ବଜାର ବାତାବରଣ।
ଓଡ଼ିଶାର ରାଜନୈତିକ ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକ ଅନେକ ଶିଳ୍ପପରମ୍ପରାକୁ ଜନ୍ମ ଦେଇଛି। କଟକର କାରିଗରମାନେ ରୁପା ତାରକସି କାମ, ମୂର୍ତ୍ତିକା କାମ, ସିଂହ କାମ ଓ ଜରି କାମ ଏତେ ସୁନ୍ଦର ଓ ନିଖୁଣ ଭାବରେ କରିପାରୁଥିଲେ, ଯାହା ନଦେଖିଲେ ବିଶ୍ୱାସ କରି ହୁଏନାହିଁ। ଯଂଜୀରା, ସିକୋ ଓ ରୋଜ କୌଶଳର ମିଶ୍ରଣରେ ତାରକସି କାରିଗର ସୁନ୍ଦର ସୁନ୍ଦର ବସ୍ତୁ ତିଆରି କରିଥାଏ। ଫରୁଆ, ଗୋଲାପ ଫୁଲ, ପାନଦାନି, ଅତର ବକ୍ସ, ଫୁଲଦାନି, ମନ୍ଦିର, ମୟୂର, ତାଜମହଲ ଓ କୃଷ୍ଣ ଅର୍ଜୁନ ରଥ ଇତ୍ୟାଦି ଅନେକ ବସ୍ତୁ ଦେଶୀ ଓ ବିଦେଶୀ କଳାପ୍ରେମୀଙ୍କୁ ଆକର୍ଷିତ କରିଥାଏ। ଆଜି ତାରକସି କାମରେ ଓଡ଼ିଆ ଶିଳ୍ପୀର ଯାଦୁକରୀ ସ୍ପର୍ଶ ଦେଖିବା ବିରଳ ବୋଧ ହେଉଛି। ଚେନ୍ନାଇ ଓ କଲିକତାରେ ତିଆରି ତାରକସି କାମ ଆଜି କଟକ ବଜାରରେ ବିକ୍ରୀ ହେଉଛି। କଟକରେ ପାଞ୍ଚ ସାତ ଜଣ ବରିଷ୍ଠ କାରିଗରଙ୍କୁ ଛାଡ଼ିଦେଲେ ସୁନ୍ଦର ଓ ନିଖୁଣ କଟକ ତାରକସି କାମ କରିବା ପାଇଁ କାରିଗର ଆଉ ନାହାନ୍ତି। ବ୍ୟବସାୟୀମାନଙ୍କ ଲାଭଖୋର ମନୋଭାବ, ନିଜ ସଂସ୍କୃତି ଓ ଐତିହ୍ୟ ପ୍ରତି କଟକବାସୀଙ୍କର ଅନାଦର ଭାବ, କଟକର ସାଇବାସିନ୍ଦାମାନଙ୍କର କାରିଗରମାନଙ୍କ ପ୍ରତି ଅସମ୍ମାନ ଭାବ ଓ ତାରକସି କାମକୁ ବଞ୍ଚାଇବା ପାଇଁ ତତ୍ପରତାର ଅଭାବ ଇତ୍ୟାଦି କଟକରେ ତାରକସି କାମ ବିଲୁପ୍ତ ହେବାରେ ସହାୟକ ହୋଇଛି।
ତାରକସି କାମ ଭଳି ମଙ୍ଗଳାବାଗର ସିଂହ କାମ ପ୍ରାୟ ଲୋପ ପାଇଗଲାଣି। ଉତ୍କଳ ଗୌରବ ମଧୁସୂଦନ ଶିଙ୍ଘ ଶିଳ୍ପ କୋଅପେରେଟିଭ ସୋସାଇଟି ଏକଦା ଶିଂଘ କାରିଗରମାନଙ୍କ ପାଇଁ କାମ କରୁଥିଲା। କିଛି ବର୍ଷ ପରେ ସୋସାଇଟି ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କାମ କରିବାରୁ କାରିଗରମାନଙ୍କର ବିଶ୍ୱାସ ଭାଜନ ହୋଇ ପାରିଲାନି। ଫଳରେ ସୋସାଇଟି ରୁଗ୍ଣ ଅବସ୍ଥାକୁ ଆସିଥିଲା। ଉତ୍କଳ ଗୌରବ ମଧୁସୂଦନ କୋଅପେରେଟିଭ ସୋସାଇଟିର କାରିଗରମାନଙ୍କ ଦ୍ୱାରା ତିଆରି ଜାତକ କଥା, ହାତୀ ପରିବାର, ବଗ, ସିନ୍ଦୂର ଫରୁଆ, ଏଆର ଇଣ୍ଡିଆ ମହାରାଜା, ସିଗାରେଟ ଚିରୁଟ ଓ ଚଲା ବାଡ଼ି ଆଦି ଅନେକ ବସ୍ତୁ ବଡ଼ବଡ଼ ସହରରେ ଥିବା ବ୍ୟବସାୟୀମାନଙ୍କ ଦ୍ୱାରା ଦେଶବିଦେଶରେ ବିକ୍ରୀ ହେଉଥିଲା।
ମଙ୍ଗଳାବାଗର ଏହି ଶିଂଘ ସୋସାଇଟି ଆଜିକୁ ଦଶ ବର୍ଷ ହେଲା ବନ୍ଦ ପଡ଼ିଛି। କାରିଗରମାନେ ଶିଙ୍ଘ କାମ ଛାଡ଼ି ଛୋଟ ଛୋଟ ରୋଜଗାର ପନ୍ଥା ବାଛି ନେଲେଣି। କିଛିଟା କାରିଗର ସରକାରଙ୍କ ସ୍ୱଳ୍ପ ପେନସନରେ କଷ୍ଟେ ମଷ୍ଟେ ଜୀବନ ବିତାଉଛନ୍ତି। ଶିଙ୍ଘ କାମ ଓ ତାରକସି କାମ ଭଳି ଟସର ଓ ସିଲ୍କ ତନ୍ତ ଶାଢ଼ୀ କାମର ଗୁଣବତ୍ତା ନଷ୍ଟ ହୋଇଗଲାଣି। କୋଡ଼ିଏ ବର୍ଷ ତଳେ ସିଲ୍କ ତନ୍ତଶାଢ଼ୀର ଯେଭଳି ସୌନ୍ଦର୍ଯ୍ୟ ଓ ଗୁଣବତ୍ତା ଥିଲା ତାହା ଆଜି ନାହିଁ। ଭେଜାଲ ସିଲ୍କ ସୁତାରେ ଶଢ଼ୀ ବୁଣାଯାଉଛି। ଫଳରେ
ସିଲ୍କ ତନ୍ତଶାଢ଼ୀ ଗୁଡିକ ପିନ୍ଧିଲେ ଦେହରେ ଜରି ଗୁଡ଼ାଇଲା ଭଳି ଲାଗୁଛି। ଅତି ନିମ୍ନମାନର ସିଲ୍କ ସୂତାରେ କେବଳ ଓଡ଼ିଶା ନୁହେଁ ଆନ୍ଧ୍ର, ତାମିଲନାଡୁ, ମହାରାଷ୍ଟ୍ର ଓ ତେଲେଙ୍ଗାନାରେ ଶାଢ଼ୀ ତିଆରି ହେଉଛି। ଏହା ନିରୀହ ଗ୍ରାହକମାନଙ୍କୁ ଅଧିକ ଦାମରେ ବିକ୍ରୀ କରାହେଉଛି। ଓଡ଼ିଶାର ସୋନପୁର, ସମ୍ବଲପୁର, କଟକ, ବରଗଡ଼, ବ୍ରହ୍ମପୁର ଓ କେଉଁଝର ଆଦି ଜିଲାଗୁଡ଼ିକରେ ବନୁଥିବା ହସ୍ତତନ୍ତ ଲୁଗାଗୁଡ଼ିକର ଗୁଣାତ୍ମକ ମାନ କମିବା ପାଇଁ କେଉଁମାନେ ଦାୟୀ ସେମାନଙ୍କୁ ପ୍ରଥମେ ଲୋକଲୋଚନକୁ ଆଣିବା ଦରକାର।
ଏକଦା ମୂର୍ତ୍ତି ଶିଳ୍ପକୁ ଭାରତ ପ୍ରସିଦ୍ଧ କରିଥିବା କଟକର ଶିଳ୍ପୀମାନଙ୍କର ଅବସ୍ଥାରେ ଅନେକ ଅବନତି ହେବାର ଦେଖିବାକୁ ମିଳେ। ଅନେକ ମୂର୍ତ୍ତିଶିଳ୍ପୀ କଟକ ଛାଡ଼ି ହରିଦ୍ୱାର, ଦିଲ୍ଲୀ, ଚେନ୍ନାଇ, ମୁମ୍ବାଇ ଓ ଗୁଜରାଟରେ କାମ କରୁଛନ୍ତି। କଟକର ସାହି କମିଟିମାନେ ପୂଜାରେ ମୂର୍ତ୍ତି ଅପେକ୍ଷା ସାଜସଜାରେ ବେଶୀ ଖର୍ଚ୍ଚ କରିଥାନ୍ତି। ଫଳରେ ମୂର୍ତ୍ତୀ ଶିଳ୍ପୀମାନେ କମ ପାରିଶ୍ରମିକରେ ଉଚ୍ଚକୋଟିର ମୂର୍ତ୍ତି ବନାଇବା ପାଇଁ ଉତ୍ସାହ ପ୍ରକାଶ କରୁନାହାନ୍ତି।
ଖାଲି କଟକର ଶିଳ୍ପ ପରମ୍ପରା ନୁହେଁ, ଓଡ଼ିଶାର ଅନେକ ଜାଗାରେ ହସ୍ତଶିଳ୍ପର କଳାତ୍ମକ ମାନ ବହୁମାତ୍ରାରେ କମିଗଲାଣି। ପୁରୀର ପଟ୍ଟଚିତ୍ର ଶିଳ୍ପୀ ଓ ପଥର କାରିଗର, ପିପିଲିର ଚାନ୍ଦୁଆଶିଳ୍ପୀ, ଢେଙ୍କାନାଳ, କଳାହାଣ୍ଡି ଓ ମୟୂରଭଞ୍ଜର ଢୋକ୍ରା କାରିଗରମାନେ ଆଜି ହସ୍ତଶିଳ୍ପ ମାନକୁ ବଞ୍ଚାଇ ରଖିପାରିନାହାନ୍ତି। ହସ୍ତଶିଳ୍ପର ଗୁଣାତ୍ମକ ମାନ ହିଁ ହସ୍ତକଳା ବସ୍ତୁର ବିକ୍ରିରେ ସହାୟକ ହୋଇଥାଏ। ମେସିନ ତିଆରି ବସ୍ତୁ ଯେତେ ସୁନ୍ଦର ହେଲେ ମଧ୍ୟ ଏହାକୁ ଜଣେ ନିପୁଣ ହସ୍ତଶିଳ୍ପୀର କାମ ସହିତ ତୁଳନା କରିହେବ ନାହିଁ।
ଆଜି ମଧ୍ୟ ବିଶ୍ୱ ବଜାରରେ ଉଚ୍ଚକୋଟିର ହସ୍ତଶିଳ୍ପର ଆଦର ଅଛି। ବିଶ୍ଵବ୍ୟାପୀ କଳାପ୍ରେମୀ ଗ୍ରାହକଙ୍କୁ ଖୋଜି ବାହାର କରିବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ। ଉଚ୍ଚମାନର କାମ କରୁଥିବା ହସ୍ତଶିଳ୍ପୀମାନଙ୍କୁ ଉଚିତ ଲାଭ ଉପଲବ୍ଧ କରାଇବା ସରକାରଙ୍କ କର୍ତ୍ତବ୍ୟ। ଦଲାଲମାନେ ବିଭିନ୍ନ ରୁପରେ ଆସି ନିରୀହ ହସ୍ତଶିଳ୍ପୀମାନଙ୍କୁ ଉଚିତ ଲାଭାଂଶରୁ ବଂଚିତ କରିଥାନ୍ତି। ଅନେକ ଜାଗାରେ ହସ୍ତଶିଳ୍ପୀମାନଙ୍କୁ ଦୈନିକ ମଜୁରୀ ଦିଆଯାଇ ନିଖୁଣ କାମ କରାଯାଇ ଅଧିକ ଦାମରେ ବିଶ୍ୱବଜାରରେ ବିକ୍ରି କରାଯାଏ। ଲୋଭୀ ବେପାରୀ ଓ ଦଲାଲମାନେ ଜାଣନ୍ତି ନାହିଁ ତାଙ୍କର ଏହି ଲାଭଖୋର ପ୍ରବୃତ୍ତି ଦିନେ ସୁନାଅଣ୍ଡା ଦେଉଥିବା କୁକୁଡ଼ାଟିର ଅନ୍ତ କରିଦେବ। ରାତାରାତି ଧନୀ ହବା ଆଶାରେ ସେମାନେ ଶିଳ୍ପକଳାର ଗୁଣାତ୍ମକ ମାନ ଓ ଖ୍ୟାତିକୁ ନଷ୍ଟ କରିଦେଇଥାନ୍ତି।
ବିଶ୍ୱ ପ୍ରସିଦ୍ଧ ଉତ୍କଳୀୟ ଶିଳ୍ପୀ ପରମ୍ପରାକୁ ପୁନର୍ଜୀବିତ କରିବା ପାଇଁ ଓଡ଼ିଶାବାସୀଙ୍କ ଯୋଗଦାନ ନିହାତି ଆବଶ୍ୟକ। ଓଡ଼ିଶାର ବୁଦ୍ଧିଜୀବୀ, ଯୁବଗୋଷ୍ଠୀ, ରାଜନେତା ଓ ସ୍ଥାନୀୟ ବାସିନ୍ଦାମାନେ ନିଜନିଜ ଇଲାକାରେ ଥିବା ହସ୍ତଶିଳ୍ପିମାନଙ୍କ ସହିତ ପରାମର୍ଶ କରି ତାଙ୍କର ମୌଳିକ ସମସ୍ୟା ବିଷୟରେ ଅବଗତ ହେବା ଦରକାର। ସମସ୍ୟା ସହିତ ଅବଗତ ହେବା ସଂଗେ ସଂଗେ ଅଫିସ ଓ ଘରେ ହସ୍ତ ଶିଳ୍ପ ବସ୍ତୁର ବହୁଳ ବ୍ୟବହାର କରିବା ଅତ୍ୟନ୍ତ ଆବଶ୍ୟକ। ବରିଷ୍ଠ ହସ୍ତଶିଳ୍ପୀମାନଙ୍କୁ ଚିହ୍ନଟ କରି ସରକାର ଅତି କମରେ ୫୦୦୦ ଟଙ୍କା ମାସିକ ପେନସନର ବ୍ୟବସ୍ଥା କରିବା ଉଚିତ। ଏହାଦ୍ୱାରା ସେମାନେ ସମ୍ମାନର ସହିତ ବଂଚି ପାରିବେ ଓ ଯୁବପିଢ଼ି ହସ୍ତଶିଳ୍ପ ଶିଖାଇବା ପାଇଁ ଉତ୍ସାହିତ ହେବେ। ଯଦିଓ ଆଜି ଗ୍ଲୋବାଲ ୱାର୍ମିଙ୍ଗ ବିଶ୍ୱବାସୀଙ୍କ ପ୍ରତି ଏକ ବଡ଼ ବିପଦରେ ପରିଣତ ହୋଇଛି, ଏହା ବିଶ୍ୱ ବଜାରରେ ପରିବେଶ ଉପଯୋଗୀ ହସ୍ତଶିଳ୍ପ ବସ୍ତୁର ଚାହିଦା ବଢ଼ାଇ ଦେଇଛି। ଏହା ଓଡ଼ିଶା ପାଇଁ ଏକ ବରଦାନ ହୋଇପାରିବ।