ସୁଧାଂଶୁ ରଞ୍ଜନ ଦାସ
ହିନ୍ଦୁମାନଙ୍କର ସବୁଠାରୁ ବଡ଼ ସମସ୍ୟା ହେଲା ସେମାନେ ବୌଦ୍ଧିକ ବିକାଶର ଅଭାବରୁ ସନାତନ ଧର୍ମ ଉପରେ ଆଧାରିତ ହିନ୍ଦୁତ୍ୱକୁ ଏକ ଜୀବନଶୈଳୀରେ ପରିଣତ କରିପାରୁନାହାନ୍ତି। ହିନ୍ଦୁତ୍ୱ ଜୀବନଶୈଳୀର ବିକୃତିକରଣ, ପ୍ରକୃତ ହିନ୍ଦୁ ପଣ୍ଡିତମାନଙ୍କର ଅଭାବ, ସଂସ୍କୃତ ଭାଷାର ବିଲୁପ୍ତିକରଣ, ମାର୍ଗଦର୍ଶନର ଅଭାବ, ସନାତନ ଧର୍ମ ଉପରେ ଗବେଷଣାର ଅଭାବରୁ ହିନ୍ଦୁମାନଙ୍କ ମନରେ ଦ୍ଵନ୍ଦ୍ୱ ଉତ୍ପନ୍ନ ହେବା, ହିନ୍ଦୁ ସମାଜରେ ଜାତିଆଣ ଭାବ, ଭାଷାଗତ ପାର୍ଥକ୍ୟ, ଛୋଟ ଜାତି ଓ ବଡ଼ ଜାତିର ତୁଷ୍ଟିକରଣ ରାଜନୀତି, ଧର୍ମ ସଂସ୍କାରକମାନଙ୍କର ନିଷ୍କ୍ରିୟତା, ଅଧିକାଂଶ ଧର୍ମ ଗୁରୁମାନଙ୍କର ସାଧାରଣ ଲୋକଙ୍କର ଆଧ୍ୟାତ୍ମିକ ବିକାଶ କରିବା ପାଇଁ ଉଦାସୀନ ଭାବ ଓ ଲୋଭ ବିକାରର ବୃଦ୍ଧି ଇତ୍ୟାଦି ଜନହିତକାରୀ ହିନ୍ଦୁତ୍ୱ ଜୀବନଶୈଳୀର ବିକାଶରେ ବାଧା ସୃଷ୍ଟି କରୁଥିବାର ଦେଖିବାକୁ ମିଳେ। ଅଳ୍ପ କେତେ ଜଣ ଧର୍ମଗୁରୁଙ୍କୁ ଛାଡ଼ିଦେଲେ ଆଜି ସନାତନ ଧର୍ମକୁ ସୁନ୍ଦର ଓ ସରଳ ଭାବରେ ସାଧାରଣ ଲୋକଙ୍କ ପାଖରେ ଉପସ୍ଥାପନା କରିବା ପାଇଁ ହିନ୍ଦୁଧର୍ମ ଗୁରୁମାନଙ୍କ ପାଖରେ ଯଥେଷ୍ଟ ବୌଦ୍ଧିକ ସମ୍ବଳ ନଥିଲା ଭଳି ଲାଗେ।
ପୂର୍ବେ ଚିତ୍ରକାରମାନେ ରାମାୟଣ, ମହାଭାରତ ଓ ପୁରାଣର ବିଷୟବସ୍ତୁକୁ ମନ୍ଦିର କାନ୍ଥରେ ସୁନ୍ଦର ଭାବରେ ଅଙ୍କନ କରୁଥିଲେ। ଯାହାକୁ ଦେଖି ସାଧାରଣ ଲୋକେ ନିଜର ଧର୍ମ ସଂସ୍କୃତି ବିଷୟରେ ଜାଣିପାରୁଥିଲେ। ଏହି ଓଡ଼ିଶୀ ଚିତ୍ରଗୁଡିକ ଭିଜୁଆଲ ମିଡ଼ିଆ ଭଳି କାମ କରୁଥିଲା। ଆଜି ହିନ୍ଦୁ ମନ୍ଦିରଗୁଡ଼ିକରେ ଏହି ଅମୁଲ୍ୟ ଚିତ୍ରଗୁଡିକୁ ସରଂକ୍ଷଣ କରିବା ପରିବର୍ତ୍ତେ ସେଗୁଡ଼ିକ ଲିଭାଯାଇ ନିମ୍ନ ମାନର ଚିତ୍ର କରାଯାଉଛି।
ସତୁରି ବର୍ଷ ତଳେ ଓଡ଼ିଶାର ପ୍ରତ୍ୟେକ ଗାଁରେ ଭାଗବତ ଟୁଙ୍ଗି ଥିଲା ଯେଉଁଠି ଗ୍ରାମବାସୀମାନେ ସନ୍ଧ୍ୟା ପରେ ଏକାଠି ହୋଇ ଧର୍ମ ଆଲୋଚନା କରୁଥିଲେ ଓ ସାଧୁ ସନ୍ଥଙ୍କର ପ୍ରବଚନ ଶୁଣୁଥିଲେ। ଏହା ଦ୍ୱାରା ଗାଁଗୁଡ଼ିକରେ ଏକ ଉନ୍ନତ କର୍ମସଂସ୍କୃତି ତିଆରି ହୋଇଥିଲା। ଆଜି ଭାଗବତ ଟୁଙ୍ଗି ଜାଗାରେ କ୍ଲବ ଘର ତିଆରି କରାଯାଇ ମଦ, ମାଂସ ଓ ଅଶ୍ଳୀଳ ସିନେମାର ଆସର ଜମିଛି। ଫଳରେ ଗାଁରେ ଅପରାଧର ସଂଖ୍ୟା ବଢ଼ିବା ସଂଗେ ସଂଗେ କର୍ମସଂସ୍କୃତି ଲୋପ ପାଇଗଲାଣି। ହିନ୍ଦୁ ଧର୍ମର ରକ୍ଷକ କହୁଥିବା ସଂଘ ପରିବାର ଓଡ଼ିଶାର ଗ୍ରାମବାସୀଙ୍କର ବୌଦ୍ଧିକ ବିକାଶରେ ଧ୍ୟାନକେନ୍ଦ୍ରିତ କରିବା ଦରକାର। ଓଡ଼ିଶାର ଶିକ୍ଷିତ ଗ୍ରାମବାସୀ, ଲୋକ ପ୍ରତିନିଧି, ପୋଲିସ, ସ୍ୱେଚ୍ଛାସେବୀ ସଂସ୍ଥା ଓ ଶିକ୍ଷିତ ଯୁବପିଢ଼ି ଏହି ଗ୍ରାମୀଣ ଦୁର୍ଦ୍ଦଶାର ଖୁବ ଶୀଘ୍ର ଅବସାନ କରିବା ଉଚିତ।
ଅନେକ ହିନ୍ଦୁ ଧର୍ମଗୁରୁ ନିଜ ନିଜର କର୍ପୋରେଟ ଆଶ୍ରମ ନିର୍ମାଣ କରି ହିନ୍ଦୁତ୍ୱକୁ ବିଭିନ୍ନ ରୂପରେ ଭକ୍ତମାନଙ୍କ ସାମନାରେ ଉପସ୍ଥାପନା କରୁଛନ୍ତି। ଅନେକ ଧର୍ମଗୁରୁ ପାଶ୍ଚାତ୍ୟ ଦେଶରେ ବିରାଟ ବିରାଟ ଆଶ୍ରମ ବନାଇ ହଜାର ହଜାର ବିଦେଶୀ ଭକ୍ତଙ୍କ ମେଳରେ ମହା ଆନନ୍ଦରେ ଜୀବନ ବିତାଉଛନ୍ତି। ନିଜର ଜ୍ଞାନ, ଉପଲବ୍ଧି ଓ ଆଧ୍ୟାତ୍ମିକ ଶକ୍ତିକୁ ସମଗ୍ର ହିନ୍ଦୁ ସମାଜର ଆଧ୍ୟାତ୍ମିକ ବିକାଶରେ ନଲଗାଇ ହିନ୍ଦୁତ୍ୱକୁ ନିଜର ପ୍ରତିପତ୍ତି ବିସ୍ତାର କରିବାରେ ବ୍ୟବହାର କରୁଛନ୍ତି।
ସନାତନ ଧର୍ମ ଉପରେ ଆଧାରିତ ହିନ୍ଦୁତ୍ୱ ଜୀବନ ଶୈଳୀ ସର୍ବଦା ବିଶ୍ୱ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ହୋଇଥାଏ। ବସୁଧୈବ କୁଟୁମ୍ବକମ - ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ମାନୁଥିବା ହିନ୍ଦୁ ସମାଜ ଯଦି ତାର ପ୍ରକୃତ ଆଧ୍ୟାତ୍ମିକ ଓ ଶାରୀରିକ ବିକାଶ କରିପାରନ୍ତା ତେବେ ଭାରତ ସମଗ୍ର ବିଶ୍ୱକୁ ଅପବିକାଶ, ହିଂସା, ଭୂତାଣୁ ଆକ୍ରମଣ, ଅତ୍ୟଧିକ ଲୋଭ ବିକାରରୁ ଜନ୍ମିତ ଆର୍ଥିକ ଚିନ୍ତାଧାରା ଓ ବିଶ୍ୱ ବଜାରର ବିକୃତିକରଣରୁ ରକ୍ଷା କରିପାରନ୍ତା। ଏହି ଜନହିତକାରୀ ହିନ୍ଦୁତ୍ୱ ଜୀବନ ଶୈଳୀକୁ ରକ୍ଷା କରିବା ପାଇଁ ସମସ୍ତ ହିନ୍ଦୁ ନେତାମାନେ ପ୍ରଥମେ ଏହି ଜୀବନ ଶୈଳୀକୁ ନିଜର ଦୈନଦିନ ଜୀବନରେ ଆବୋରି ନେବା ଦରକାର। ମହାତ୍ମା ଗାନ୍ଧୀ ହିନ୍ଦୁତ୍ୱକୁ ନିଜର ଜୀବନଶୈଳୀରେ ପରିବର୍ତ୍ତନ କରିଥିଲେ। ଯୋଗ, ପ୍ରାଣାୟମ, ଧ୍ୟାନ, ଗୀତା ପାଠ, ସମାଜ ସେବା, ରୋଗୀ ସେବା ଓ ପରିବେଶକୁ ପରିସ୍କାର ରଖିବା ଇତ୍ୟାଦି ତାଙ୍କର ନିତିଦିନିଆ କାମରେ ପରିଣତ ହୋଇଥିଲା।
ହିନ୍ଦୁ ହେଲେ ବିଶ୍ୱର ଗୋଟିଏ ସମ୍ପ୍ରଦାୟ ଯେଉଁମାନଙ୍କ ଭିତରୁ ଅଧିକାଂଶ ନିଜ ଘର ପାଖରେ ଥିବା ମନ୍ଦିରକୁ ମାସରେ ଥରେ ମଧ୍ୟ ଦର୍ଶନ ପାଇଁ ଆସନ୍ତି ନାହିଁ। ସଭା ସମିତିରେ ବସି ଓ ଇଣ୍ଟରନେଟ ମାଧ୍ୟମରେ ବଡ଼ ବଡ଼ ଭାଷଣ ଦେଇଥାନ୍ତି। ଶିକ୍ଷିତ ଲୋକଙ୍କର "କାଦୁଅକୁ ଆସିବାର ନାହିଁ କି ଗୋଡ଼ ଧୋଇବାର ନାହିଁ" ଭାବ ଧର୍ମସଂସ୍କୃତିକୁ ନଷ୍ଟ କରିଦେଇଥାଏ। ହିନ୍ଦୁ ଯୁବପିଢ଼ି ଆମୋଦ ପ୍ରମୋଦରେ ବ୍ୟସ୍ତ ରହିବେ କିନ୍ତୁ ମନ୍ଦିରରେ ଶିଖମାନଙ୍କ ଭଳି କରସେବା କରିବାକୁ ଯିବେନି। ଶିକ୍ଷିତ ଯୁବପିଢ଼ି ଯଦି ନିଜ ସାହିରେ ଥିବା ମନ୍ଦିରର ପରିବେଶ ନିଜେ ଶ୍ରମଦାନ କରି ସ୍ଵଚ୍ଛ ଓ ସବୁଜ ରଖନ୍ତେ ତେବେ ଅନେକ ଶ୍ରଦ୍ଧାଳୁ ମନ୍ଦିରକୁ ଆସନ୍ତେ। ହିନ୍ଦୁ ସମାଜ ଶିଖମାନଙ୍କଠାରୁ କରସେବାର ଉଦ୍ଦେଶ୍ୟ ଓ ମହତ୍ୱ ଶିଖିବା ଉଚିତ।
ଶିଖ, ବୌଦ୍ଧ, ଜୈନ, ପାର୍ସି, ମୁସଲମାନ ଓ କ୍ରିଷ୍ଟିଆନ ସମ୍ପ୍ରଦାୟ ସେମାନଙ୍କ ଧର୍ମସ୍ଥାନକୁ ଅତି ସୁନ୍ଦର ଓ ସ୍ଵଚ୍ଛ ରଖିଥାନ୍ତି। ହିନ୍ଦୁ ସମାଜର ନିଜ ଧର୍ମ ପ୍ରତି ଅନାଦର ଭାବ ଯୋଗୁଁ ଭାରତର ଅନେକ ପୁରାତନ ମନ୍ଦିର ଆଜି ଅବହେଳିତ ଅବସ୍ଥାରେ ଅଛି। ଅନେକ ମନ୍ଦିରରୁ ହଜାର ହଜାର ପ୍ରତିମା ଚୋରି ହୋଇ ବିଦେଶରେ ବିକ୍ରି ହେଉଛି। ହଜାର ହଜାର ଏକର ମନ୍ଦିର ଜମି ରେଭିନିଉ ରେକର୍ଡରୁ ଗାଏବ ହୋଇଗଲାଣି। ଯେଉଁମାନେ ମନ୍ଦିର ଜମି ବୁଝୁଥିଲେ ସେମାନେ ମନ୍ଦିର ଜମିକୁ ନିଜ ନାଁରେ କରି ବିକି ଦେଲେଣି। ମନ୍ଦିର ସମ୍ପତ୍ତିଗୁଡ଼ିକ ସୁରକ୍ଷାକରି ମନ୍ଦିରର ଆୟ ବଢ଼ାଇଲେ ଏହା ମନ୍ଦିର ପରିବେଶର ଉନ୍ନତିରେ ସହାୟକ ହେବ।
ଓଡ଼ିଶା ତାହାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚିନ୍ତାଧାରା ପାଇଁ ଏକଦା ସାରା ଭାରତରେ ପ୍ରସିଦ୍ଧି ଲାଭ କରିଥିଲା। ଆଜି ଓଡ଼ିଶାରେ କର୍ପୁର ଉଡ଼ିଯାଇ କନା ରହିଲା ଭଳି ଲାଗୁଚି। ଓଡ଼ିଶାର ପ୍ରମୁଖ ମନ୍ଦିରଗୁଡ଼ିକୁ ଛାଡ଼ି ଦେଲେ ପ୍ରାୟ ଅନ୍ୟ ସମସ୍ତ ମନ୍ଦିରରେ ପୂଜାପାଠ ବିଧି ଅନୁସାରେ ହୁଏନାହିଁ। ମନ୍ଦିର ପରିବେଶର ଉନ୍ନତି ହେଲେ ଶ୍ରଦ୍ଧାଳୁମାନେ ଆସିଥାନ୍ତି ଓ ଏଥିରେ ମନ୍ଦିରର ଆୟ ବଢିଥାଏ। ମନ୍ଦିର ପୂଜକକୁ କର୍ତ୍ତୃପକ୍ଷ ମାସକୁ ନ୍ୟୁନତମ ୧୦୦୦୦ ଟଙ୍କା ଦେବା ଉଚିତ। ତେଲେଙ୍ଗାନା, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଭଳି ଓଡ଼ିଶାର ମନ୍ଦିରଗୁଡିକୁ ସଂସ୍କୃତ ଶିକ୍ଷାର ବିକାଶ ପାଇଁ ମଧ୍ୟ ବ୍ୟବହାର କରିବା ଦରକାର। ମନୁଷ୍ୟ ଜୀବନରେ ଭାରସାମ୍ୟ ରକ୍ଷା କରିବା ପାଇଁ ମନ୍ଦିରଗୁଡିକର ଉପଯୋଗିତା ଅଛି। ସାଇବାସିନ୍ଦାମାନେ ମନ୍ଦିରଗୁଡ଼ିକରେ ସକାଳ ଓ ସନ୍ଧ୍ୟା ଆରତୀ ସମୟରେ ବହୁତ କମ ସଂଖ୍ୟାରେ ଉପସ୍ଥିତ ହୁଅନ୍ତି। ମନ୍ଦିର ପରିପାର୍ଶ୍ୱର ଅସୁସ୍ଥ ବାତାବରଣ, ସ୍ୱଛତାର ଅଭାବ ଓ ଆଧ୍ୟାତ୍ମିକ ପରିବେଶ ନଥିବାରୁ ଅନେକ ଶ୍ରଦ୍ଧାଳୁ ମନ୍ଦିର ଯିବାକୁ କୁଣ୍ଠାବୋଧ କରନ୍ତି। ଆଳସ୍ୟ, ନିଜ ଦେବାଦେବୀଙ୍କୁ ନେଇ ମନ ଭିତରେ ଦ୍ଵନ୍ଦ, ପାଶ୍ଚାତ୍ୟ ସଭ୍ୟତାର କୁପ୍ରଭାବ, ଗବେଷଣାର ଅଭାବ, ଲୋକ ଦେଖାଣିଆ ଧର୍ମ, କପଟୀ ଭାବ ଓ ନିଷ୍ଠାର ଅଭାବରୁ ହିନ୍ଦୁ ସମାଜ ଆଜି ବିଶ୍ୱରେ ଏକ ଅବହେଳିତ ସମାଜ ଭାବରେ ଗଣା ହେଉଛି।
ଭାରତରେ ସନାତନ ଧର୍ମର ସୁରକ୍ଷା ପାଇଁ ଅନେକ ମହାପୁରୁଷ ଜନ୍ମ ହୋଇ ଏହି ଧର୍ମର ମହତ୍ୱକୁ ବିଶ୍ୱରେ ପ୍ରତିଷ୍ଟିତ କରିଛନ୍ତି। ଭାରତରେ ଧର୍ମ ସଂସ୍କାରକ ଓ ଧର୍ମ ପ୍ରଚାରକମାନଙ୍କ ସଂଖ୍ୟା କମିଯିବାରୁ ହିନ୍ଦୁ ବିଚାରଧାରା ସଭା ସମିତି, ପ୍ରବଚନ ଓ ସ୍ଲୋଗାନ ଭିତରେ ସୀମିତ ରହୁଛି। ଯଦିଓ ବିଶ୍ୱର ଅନେକ ସମସ୍ୟାର ସମାଧାନର ବାଟ ସନାତନ ଧର୍ମରେ ଲୁକ୍କାୟିତ ଭାବରେ ଅଛି ଏହି ଧାର୍ମିକ ଚିନ୍ତାଧାରାକୁ ବିକଶିତ କରିବାପାଇଁ ଦେଶରେ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିନାହିଁ।
ହିନ୍ଦୁତ୍ୱ ବିଚାରଧାରା ରଖିଥିବା ସଂସ୍ଥାମାନେ ପ୍ରଥମେ ନିଜ ନିଜ ଇଲାକାରେ ଥିବା ସମସ୍ତ ମନ୍ଦିର ଓ ଏହାର ସମ୍ପତ୍ତିର ପଞ୍ଜିକରଣ କରିବା ଦରକାର। ପଞ୍ଜିକରଣ କଲା ପରେ ମନ୍ଦିରରେ କିଭଳି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ ସେଥିପାଇଁ ଦୃଷ୍ଟି ଦେବା ଉଚିତ। ମନ୍ଦିର ପରିପାର୍ଶ୍ୱରୁ କିଭଳି ମଦ ଓ ଆମିଷ ଦ୍ରବ୍ୟ ବିକ୍ରି ନହେବ ସେଥିପାଇଁ ସେମାନେ ସଚେତନତା ସୃଷ୍ଟି କରିବା ଉଚିତ। ମଦିରର ସ୍ୱଛତା ଓ ଆଧ୍ୟାତ୍ମିକ ପରିବେଶ ଅନେକ ସୂକ୍ଷ୍ମ ଆର୍ଥିକ ଗତିବିଧି ଯଥା ଫୁଲ, ଫଳ, ମିଷ୍ଟାନ୍ନ, ଅନେକ ପ୍ରକାରର ପୂଜା ଉପକରଣ ଓ ହସ୍ତଶିଳ୍ପ ପଦାର୍ଥ ବିକ୍ରିପାଇଁ ସମ୍ଭାବନା ସୃଷ୍ଟି କରିଥାଏ। ସମାଜରେ ଅନ୍ୟ ଧର୍ମଭଳି ହିନ୍ଦୁ ଜୀବନଶୈଳୀ ପ୍ରତି ଲୋକପ୍ରିୟତା ବଢ଼ିଲେ ଏହା ଭାରତର ସାଂସ୍କୃତିକ, ଆର୍ଥିକ ଓ ସାମାଜିକ ବିକାଶରେ ସହାୟକ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।