ଭାଲଚନ୍ଦ୍ର ଷଡ଼ଙ୍ଗୀ
ବାଧ୍ୟତାମୂଳକ ହିଜାବ୍ ପରିଧାନର ପ୍ରତିବାଦରେ ଇରାନର ମହିଳାମାନଙ୍କ ଅଭୁତପୂର୍ବ ଆନ୍ଦୋଳନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ତେହେରାନରେ ମହସା ଆମିନି ନାମ୍ନୀ ଜଣେ ୨୨ ବର୍ଷର ଯୁବତୀ ପୋଲିସ ଦ୍ୱାରା ନିର୍ଯ୍ୟାତନାର ଶିକାର ହୋଇ ମୃତ୍ୟୁବରଣ କରିବାକୁ ନେଇ ସାରା ଦେଶରେ ଭୟଙ୍କର ପ୍ରତିକ୍ରୀୟା ସୃଷ୍ଟି କରିଛି। ମହିଳାଙ୍କ ସ୍ୱାଧୀନତା ଓ ପସନ୍ଦର ଅଧିକାର ଦାବିରେ ମୁଣ୍ଡ ଟେକିଥିବା ଏହି ଆନ୍ଦୋଳନ ଏବେ ସାରା ଦେଶକୁ ବ୍ୟାପି ସାରିଥିବା ବେଳେ ଏହାକୁ ଦବାଇବାକୁ ହୋଇଥିବା ପୋଲିସ ଗୁଳିଚାଳନାରେ ଏଯାଏଁ ୭୫ରୁ ଅଧିକ ଆନ୍ଦୋଳନକାରୀ ଜୀବନ ହରାଇଛନ୍ତି।
ମୃତା ମହସା ଆମିନଙ୍କ ଏକମାତ୍ର ଅପରାଧ ଥିଲା ଯେ ସେ ନିଜ ମୁଣ୍ଡରେ ଠିକ୍ ରୂପେ ହିଜାବ୍ ପନ୍ଧି ନଥିଲେ। ଗତ ୧୩ ସେପ୍ଟେମ୍ବର ଦିନ ନିଜର ପରିବାର ସହିତ ତେହେରାନ୍ ବୁଲିବାକୁ ଆସିଥିବା ବେଳେ ସେ ଯେଉଁଭଳି ଭାବେ ହିଜାବ ପିନ୍ଧିଥିଲେ ତାହା କୁଆଡ଼େ ଇସ୍ଲାମିକ୍ ନିୟମ କାନୁନର ଅନୁରୂପ ନଥିଲା ବୋଲି କହି ସେଠାକାର ନୈତିକ ପୋଲିସ ଟିମ୍ ତାଙ୍କୁ ହିଜାବ୍ ପିନ୍ଧିବା ସମ୍ପର୍କରେ ପ୍ରଶିକ୍ଷଣ ଦେବାକୁ କହି ଗିରଫ କରି ହାଜତକୁ ନେଇଯାଇଥିଲା। ସେଠାରେ ତାଙ୍କୁ ଭୟଙ୍କର ନିର୍ଯ୍ୟାତନା ଦିଆଯିବା ଫଳରେ ସନ୍ଦିଗ୍ଧ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଦେଶରେ ଇସ୍ଲାମିକ୍ ରୀତିନୀତିକୁ ଲାଗୁ କରିବାକୁ ଇରାନ୍ ସରକାରଙ୍କ ଦ୍ୱାରା ଗଠିତ ତଥାକଥିତ ନୈତିକ ପୋଲିସର ହିଜାବକୁ ନେଇ ମହିଳାଙ୍କ ଉପରେ ଅତ୍ୟାଚାରର ଏହା ପ୍ରଥମ ଘଟଣା ନଥିଲା। ପୂର୍ବରୁ ସେଠାକାର ଅନେକ ମହିଳା ବିଶେଷ କରି ଶିକ୍ଷିତ ଯୁବତୀମାନେ ଲଗାତାର ଭାବେ ହିଜାବ ତଥା ନିଜ ପୋଷାକ ପନ୍ଧିବାକୁ ନେଇ ଏଭଳି ଅତ୍ୟାଚାରର ସମ୍ମୁଖୀନ ହୋଇ ଆସିଛନ୍ତି, ଏପରିକି ଅନେକେ ପ୍ରାଣ ବି ହରାଇଛନ୍ତି। ଅତଏବ ଇରାନର ଧର୍ମାନ୍ଧ ଶାସକମାନଙ୍କ ଏଭଳି ଏକ ଅନାବଶ୍ୟକ, ରୁଢ଼ିବାଦୀ ତଥା ମହିଳା ବିରୋଧି ନିୟମ କାନୁନ୍ ବିରୋଧରେ ସେଠାକାର ମହିଳାଙ୍କ ମଧ୍ୟରେ ବର୍ଷ ବର୍ଷ ଧରି ଜମି ରହିଥିବା ଅସନ୍ତୋଷ ଓ ଆକ୍ରୋଶ ମହସାଙ୍କ ବର୍ବୋରୋଚିତ ହତ୍ୟା ପରେ ସ୍ପତଃସ୍ଫୁର୍ତ୍ତ ଭାବେ ସାମନାକୁ ଆସିବା ସ୍ୱାଭାବିକ ଥିଲା।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧୯୭୯ରେ ତତ୍କାଳୀନ ପାଶ୍ଚାତ୍ୟ ବୋଲକରା ଶାସକଙ୍କ ବିରୁଦ୍ଧରେ ଦେଖାଯାଇଥିବା ଜନ ଅସନ୍ତୋଷକୁ ବ୍ୟବହାର କରି ସେଠାକାର ଶକ୍ତିଶାଳୀ ସିହା ଧର୍ମଗୁରୁ ଆୟାତୋଲ୍ଲା ଖୋମିନୀ ଓ ତାଙ୍କ ସହଯୋଗୀମାନେ ଇସ୍ଲାମିକ୍ ବିପ୍ଳବ ସଂଗଠିତ କରି କ୍ଷମତାକୁ ଆସିଥିଲେ। ସେମାନେ ଇରାନକୁ ଏକ ଧର୍ମଭିତ୍ତିକ ଇସ୍ଲାମିକ ରାଷ୍ଟ୍ର ରୂପେ ଘୋଷଣା କରିବା ସହ ଦେଶରେ ଇସ୍ଲାମିକ୍ ନିୟମ କାନୁନ୍ ସବୁ ଲାଗୁ କରିଥିଲେ। ଏହି କ୍ରମରେ ଇସ୍ଲାମିକ୍ ସଂସ୍କୃତି ନାଁରେ ମହିଳାଙ୍କ ଉପରେ ଏକ ଡ୍ରେସ କୋଡ଼ ଏବଂ ଅନ୍ୟାନ୍ୟ କଟକଣା ଲାଗୁ କରାଯାଇଥିଲା। ସେମାନେ ହିଜାବ୍ ପିନ୍ଧିବା ସହ ନିଜର ସମ୍ପୂର୍ଣ୍ଣ ଶରୀରକୁ ଘୋଡ଼ାଇବା ପରି ପୋଷାକ ପିନ୍ଧିବା ବାଧ୍ୟତାମୂଳକ ହେଲା। ଏହା ବ୍ୟତିତ ସନ୍ତରଣର ପୋଷାକ ପିନ୍ଧିବା, ଷ୍ଟାଡ଼ିୟମରେ ବସି ଫୁଟବଲ୍ ମ୍ୟାଚ୍ ଦେଖିବା, ବାହାରେ ଏକାକୀ ବୁଲିବା ଏପରିକି କାର୍ଯ୍ୟସ୍ଥଳରେ ଉତ୍ପୀଡ଼ନ ହେଲେ ତା' ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସମ୍ପୂର୍ଣ୍ଣ ନିଷିଦ୍ଧ ହେଲା। ପୂର୍ବରୁ ସେଠାକାର ମହିଳାମାନେ ଅନ୍ୟ ଇସ୍ଲାମିକ୍ ଦେଶ ତୁଳନାରେ ଅଧିକ ଶିକ୍ଷିତ ହେବା ସହ ରୋଜଗାର କରି ସମାଜର ବିଭିନ୍ନ କ୍ଷେତ୍ରରେ ନିଜର ଉପସ୍ଥିତି ଜାହିର କରୁଥିଲେ। ଆଧୁନିକ ବେଶ ପୋଷାକ ପିନ୍ଧିବା ସହ ସମାଜର ବିଭିନ୍ନ କ୍ଷେତ୍ରରେ ପୁରୁଷମାନଙ୍କ ପରି ସକ୍ରିୟ ଥିଲେ। କିନ୍ତୁ ଇସ୍ଲାମିକ୍ ନିୟମ ଲାଗୁ ହେବା ପରେ ସେମାନଙ୍କ ସ୍ୱାଧୀନତା ଚାଲିଯିବା ସହ ସେମାନଙ୍କୁ ପୁରୁଷଙ୍କ ପରି ସମାନ ଅଧିକାରରୁ ବଂଚିତ କରାଗଲା।
ଇସ୍ଲାମିକ୍ ଆଚାର ସଂହିତା ନାଁରେ ସେଠାରେ ମହିଳାଙ୍କ ଉପରେ ଧାର୍ମିକ ରୀତିନୀତିର ପ୍ରଭାବ ଏତେ ଭୟଙ୍କର ଯେ ପିଲାଦିନରୁ ହିଁ ଝିଅମାନଙ୍କୁ ହିଜାବ ପିନ୍ଧିବା ପାଇଁ ଉଭୟ ପରିବାର ଭିତରେ ଓ ବାହାରେ ଏକରକମ ବାଧ୍ୟ କରାଯାଉଛି। ଜଣେ ଝିଅ ଯଦି ହିଜାବ୍ ନପିନ୍ଧେ ତାହେଲେ ତାକୁ ଚୁଟି ଦ୍ୱାରା ଲଟକାଇ ଦିଆଯିବ, ସର୍ବ ସାଧାରଣରେ ବେତ୍ରାଘାତ କରାଯିବ, ଜେଲରେ ଭର୍ତ୍ତି କରାଯିବ ଏବଂ ସ୍କୁଲରୁ ବାହାର କରି ଦେବାକୁ ବି ଧମକ ଦିଆଯାଇଥାଏ। ଏପରିକି ହିଜାବ୍ ପିନ୍ଧି ନଥିବା ଜଣେ ମହିଳା ଯଦି ବଳାତ୍କାରର ଶିକାର ହୁଅନ୍ତି ତାହେଲେ ସେଥିପାଇଁ ସେ ହିଁ ଦାୟୀ ହେବେ ବୋଲି କହି ସେମାନଙ୍କୁ ଆତଙ୍କିତ କରାଯାଇଥାଏ। ଯେଉଁ ମହିଳାମାନେ ଏଭଳି ରଢ଼ିବାଦକୁ ବିରୋଧ କରି ନିଜର ପସନ୍ଦର ସ୍ୱାଧୀନତା ଚାହିଁଲେ ସେମାନଙ୍କୁ ଜେଲରେ ଭର୍ତ୍ତି କରାଗଲା ଏବଂ ଯେଉଁମାନେ ଏହାକୁ ଗ୍ରହଣ କରିନେଲେ ସେମାନଙ୍କୁ ତଥାକଥିତ ଆଦର୍ଶ ନାରୀର ମାନ୍ୟତା ମିଳିଲା।
ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଉପରୋକ୍ତ ଆଚାର ସଂହିତା ଓ ଡ୍ରେସକୋଡ଼ କାର୍ଯ୍ୟକାରୀ କରିବା ପାଇଁ ସେଠାରେ ୨୦୦୬ ମସିହାରେ ଗସ୍ତ-ଏ-ଇରସାଦ୍ ନାମକ ସରକାରୀ ଏଜେନ୍ସୀ ଗଠିତ ହୋଇଛି ଯାହାକୁ "ନୈତିକ ପୋଲିସ' ବୋଲି ମଧ୍ୟ କୁହାଯାଇଥାଏ। ଯଦି କୌଣସି ମହିଳା ସର୍ବସାଧାରଣ ସ୍ଥାନରେ ବିଲକୁଲ୍ ହିଜାବ୍ ପିନ୍ଧି ନାହାନ୍ତି ଅଥବା ଠିକ୍ ରୂପେ ପିନ୍ଧି ନାହାନ୍ତି ଅଥବା ପ୍ରତିବନ୍ଧକ ଥିବା ଅନ୍ୟ କୌଣସି ଆଚରଣ ପ୍ରଦର୍ଶନ କରୁଛନ୍ତି ତାହେଲେ ଏହି ସଂସ୍ଥାର ସଦସ୍ୟମାନେ ତାଙ୍କୁ ଧରିନେଇ ସର୍ବ ସାଧାରଣରେ ଭର୍ତ୍ସନା କରିପାରନ୍ତି, ବେତ୍ରାଘାତ କରିପାରନ୍ତି ଅଥବା ଗିରଫ କରି ଜେଲରେ ବି ଭର୍ତ୍ତି କରିପାରନ୍ତି। ଅର୍ନ୍ତଜାତୀୟ ମାନବିକ ଅଧିକାର ସଂସ୍ଥା ଆମେନେଷ୍ଟି ଇଣ୍ଟରନେସନାଲର ରିପୋର୍ଟ ଅନୁସାରେ ସେଠାରେ ମହିଳାମାନଙ୍କୁ ବିବାହ, ଛାଡ଼ପତ୍ର ଅଥବା ସନ୍ତାନ ରଖିବାର ଅଧିକାର ଉପରେ ବି ଅନେକ ଗୁଡ଼ିଏ ଭେଦଭାବକୁ ସାମନା କରିବାକୁ ପଡ଼ିଥାଏ। କହିବାକୁ ଗଲେ ଇରାନୀ ସମାଜରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ନିୟମ କାନୁନରେ ରହିଥିବା ଏହି ଭେଦଭାବଟି ସେଠାକାର ମହିଳାମାନେ କୌଣସି ନା କୌଣସି କାରଣରୁ ଏଯାଏଁ ସହ୍ୟ କରି ଆସିଛନ୍ତି। କିନ୍ତୁ ମହାସା ଆମିନୀଙ୍କ ମୃତ୍ୟୁ ବର୍ଷ ବର୍ଷ ଧରି ରହିଥିବା ସେମାନଙ୍କ ଧୈର୍ଯ୍ୟର ବନ୍ଧକୁ ଭାଙ୍ଗିଦେଇଛି।
ହିଜାବ୍ ପ୍ରଥାର ପ୍ରତିବାଦ ସ୍ୱରୂପ ଇରାନର ମହିଳାମାନେ ସର୍ବ ସାଧାରଣ ସ୍ଥଳରେ ଏକାଠି ହୋଇ ହିଜାବ ପୋଡ଼ିବା ସହିତ ନିଜର ଲମ୍ବା ଚୁଟିକୁ କାଟି ଛୋଟ କରିବା ଦେଖାଯାଇଛି। ତଥାକଥିତ ଇସଲାମିକ୍ ନିୟମକୁ ଅବଜ୍ଞା କରି ସେମାନେ ନିଜର ମୁଣ୍ଡର ଚୁଟିକୁ ମୁକୁଳା କରିବା ସହ ଅନେକ ସ୍ଥାନରେ ନିଜର କଟାଚୁଟିରେ ପତାକା କରି ଉଡ଼ାଇବା ଦେଖାଯାଇଛି। ମହିଳା ବିରୋଧି ତଥା ରୁଢ଼ିବାଦୀ ଧାର୍ମିକ ରୀତିନୀତି ବିରୁଦ୍ଧରେ ନିଜର ପସନ୍ଦର ଅଧିକାର ଓ ବ୍ୟକ୍ତି ସ୍ୱାଧୀନତା ପାଇଁ ଚାଲିଥିବା ମହିଳାଙ୍କ ଏହି ଆନ୍ଦୋଳନ ସେଠାକାର ଧର୍ମଭିତ୍ତିକ ରାଷ୍ଟ୍ର ବ୍ୟବସ୍ଥା ଓ ମହିଳା ବିରୋଧି ଧାର୍ମିକ ରୀତିନୀତିକୁ ସିଧାସଳଖ ଚାଲେଞ୍ଜ ସୃଷ୍ଟି କରିଛି। ଇରାନର ଏକଛତ୍ରବାଦୀ ଶାସନ ବ୍ୟବସ୍ଥା ବିରୁଦ୍ଧରେ ମହିାଳମାନଙ୍କ ଏହି ଅଭ୍ୟୁତ୍ଥାନରେ ସେଠାକାର ଗଣତନ୍ତ୍ରପ୍ରେମୀ ଓ ନ୍ୟାୟପସନ୍ଦ ଲୋକଙ୍କ ସ୍ପତଃସ୍ଫୁର୍ତ୍ତ ଭାଗିଦାରୀ ତାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛି।
ତେବେ ଧାର୍ମିକ ମୌଳବାଦୀ ଶକ୍ତିଙ୍କ ଦ୍ୱାରା ରାଷ୍ଟ୍ରର ସହଯୋଗରେ ମହିଳାଙ୍କୁ ନିୟନ୍ତ୍ରଣ କରିବାର ନୀତିଟି କେବଳ ଇରାନରେ ହିଁ ସୀମିତ ନୁହେଁ। ଊଣା ଅଧିକେ ବିଶ୍ୱର ପ୍ରାୟ ସବୁ ଧର୍ମରେ ମୌଳବାଦୀ ଓ ରୁଢ଼ିବାଦୀ ଶକ୍ତିମାନଙ୍କ ଦ୍ୱାରା ରୀତିନୀତ ଓ ପରମ୍ପରା ନାଁରେ ମହିଳାମାନଙ୍କୁ ନିୟନ୍ତ୍ରିତ କରିବାର ଲମ୍ବା ଇତିହାସ ରହିଛି। କିଛି ବର୍ଷ ତଳ ପର୍ଯ୍ୟନ୍ତ ସାଉଦୀ ଆରବରେ ମହିଳାମାନେ କାର୍ ଚାଳନା କରିବା ବି ଅପରାଧ ଥିବା ବେଳେ ତାଲିବାନ୍ ଶାସିତ ଆଫଗାନିସ୍ଥାନରେ ଝିଅମାନେ ପାଠ ପଢ଼ିବା, ନାଚଗୀତ କରିବା, ଚଳଚ୍ଚିତ୍ର ଦେଖିବା ଓ ଚାକିରୀ କରିବା ଉପରେ ପ୍ରତିବନ୍ଧକ ରହିଛି। ଆମ ଦେଶରେ ସତୀଦାହ, ବାଲ୍ୟବିବାହ, ଦେବଦାସୀ ପରି ଅନେକ ମହିଳା ବିରୋଧି ଓ ଅମାନବିକ ପ୍ରଥା ସମାପ୍ତ ହୋଇଥିବା ବେଳେ ଆଜି ବି ବିଧବା ପ୍ରଥା ପରି ଧାର୍ମିକ ଋଢ଼ିବାଦ ଓ ଲିଙ୍ଗଭେଦ ଉପରେ ଆଧାରିତ ପ୍ରଥା ଅବ୍ୟାହତ ରହିଛି। ଇରାନର ହିଜାବ୍ ପରି ଆଇନଗତ କଟକଣା ନଥିଲେ ବି ଆମର ଗାଁମାନଙ୍କରେ ଏଯାଏଁ ଧାର୍ମିକ ରୀତିନୀତି ନାଁରେ ମହିଳାମାନଙ୍କୁ ଓଢ଼ଣା ବା ପରଦା ପ୍ରଥାକୁ ଆପଣେଇବାକୁ ବାଧ୍ୟ କରାଯାଉଛି। ଏସବୁ ପ୍ରଥା ଜରିଆରେ ଧାର୍ମିକ ଋଢ଼ିବାଦୀ ଶକ୍ତିମାନେ ମହିଳାଙ୍କ ଉପରେ ନିଜର ବିଚାରକୁ ଥୋପି ସେମାନଙ୍କୁ ନିଜର ବ୍ୟକ୍ତିଗତ ସ୍ୱାଧୀନତା ଓ ପସନ୍ଦରୁ ବଂଚିତ କରିଥାନ୍ତି।
ଇରାନ୍ ପରି ଭାରତରେ ମଧ୍ୟ ଶ୍ରୀରାମ ସେନା ଓ ଅନ୍ୟ କେତେକ ଧାର୍ମିକ ମୌଳବାଦୀ ସଂଗଠନ ପ୍ରତିବର୍ଷ ଭାଲେଣ୍ଟାଇନ୍ ଦିବସରେ ପାର୍କ ଓ ହୋଟେଲରେ ପଶି ହିନ୍ଦୁ ସଂସ୍କୃତି ନାଁରେ ଝିଅମାନଙ୍କୁ ଅସଦାଚରଣ ସହ ମାରଧର କରିବା ଦେଖିବାକୁ ମିଳୁଛି। ସେମାନେ ଝିଅମାନେ ନିଜ ପସନ୍ଦରେ ପୋଷାକ ପିନ୍ଧିବା, କାହା ସହ ପ୍ରେମ କରିବା, କାହାକୁ ଭଲ ପାଇ ବିବାହ କରିବା ଅଥବା କ୍ଳବ ବା ବାର୍ରେ ପୁଅମାନଙ୍କ ସହ ଏକାଠି ହୋଇ ନାଚିବାକୁ ଗ୍ରହଣ କରିପାରୁ ନାହାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ସେମାନେ ପରମ୍ପରା ନାଁରେ ଗୋଟିଏ ପଟେ ହିନ୍ଦୁ ଝିଅଙ୍କ ଜିନ୍ ପିନ୍ଧାକୁ ବିରୋଧ କରୁଥିବା ବେଳେ ଅନ୍ୟପଟେ ରୁଢ଼ିବାଦୀତା ବୋଲି କହି ମୁସଲମାନ ଝିଅଙ୍କ ହିଜାବ୍ ପିନ୍ଧାକୁ ବିରୋଧ କରୁଛନ୍ତି। ଇରାନର ନୈତିକ ପୋଲିସ ଢାଞ୍ଚାରେ ଅତିତରେ ଉତ୍ତର ପ୍ରଦେଶ ସରକାର ମଧ୍ୟ ଅତିତରେ ଏଣ୍ଟି ରୋମିଓ ସ୍କ୍ୱାଡ଼ ଗଠନ କରି ଝିଅମାନଙ୍କ ନିଜ ପସନ୍ଦରେ ପ୍ରେମ କରିବାର ସ୍ୱାଧୀନତା ଉପରେ ଆକ୍ରମଣ କରିବା ଦେଖାଯାଇଛି। ଏପରିକି ଭିନ୍ନ ଧର୍ମର ପୁଅ ଝିଅଙ୍କ ମଧ୍ୟରେ ପ୍ରେମ ବିବାହକୁ ରୋକିବାକୁ ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶ ସମେତ ବିଭିନ୍ନ ବିଜେପି ଶାସିତ ରାଜ୍ୟରେ ତଥାକଥିତ ଲଭ୍ ଜିହାଦ୍ ବିରୋଧି ଆଇନ ତିଆରି ପ୍ରଣୟନ ହୋଇଛି।
ଇରାନରେ ମହିଳାମାନେ ସେଠାକାର ଶାସନ ବ୍ୟବସ୍ଥା ହିଜାବ୍ ପିନ୍ଧିବାକୁ ବାଧ୍ୟ କରିବା ବିରୁଦ୍ଧରେ ଲଢ଼େଇ କରୁଥିବା ବେଳେ ଆମ ଦେଶରେ କିନ୍ତୁ ହିଜାବ୍ ପିନ୍ଧିବାର ଅଧିକାର ପାଇଁ ମୁସଲମାନ୍ ବାଳିକାମାନେ ଲଢ଼େଇ କରିବା ଦେଖିବାକୁ ମିଳିଛି। ଯଦିଓ ଉଭୟ ଘଟଣାକୁ ଦେଖିଲେ ତାହା ପରସ୍ପରର ବିରୋଧାଭାସ ବୋଲି ଜଣାଯାଉଛି କିନ୍ତୁ ଉଭୟ କ୍ଷେତ୍ରରେ ମୌଳିକ ପ୍ରଶ୍ନଟି ଏକା ଅଟେ। କାରଣ ଉଭୟ ଇରାନ ଓ ଭାରତରେ ମହିଳାମାନେ ନିଜ ପସନ୍ଦରେ ପରିଧାନ ପିନ୍ଧିବାର ଅଧିକାରଟି ଦାବି କରୁଛନ୍ତି। କିନ୍ତୁ ସେଠାକାର ଧର୍ମଗୁରୁ ଓ ଶାସନ ବ୍ୟବସ୍ଥା ମୁସଲମାନ ମହିଳାଙ୍କୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ହିଜାବ୍ ପିନ୍ଧିବାକୁ ବାଧ୍ୟ କରୁଥିବା ବେଳେ ଆମ ଦେଶରେ ଉଭୟ ଧାର୍ମିକ ମୌଳବାଦୀ ଗୋଷ୍ଠୀ ଏବଂ ସରକାର ମୁସଲମାନ ଝିଅମାନଙ୍କୁ ହିଜାବ୍ ନପିନ୍ଧିବାକୁ ବାଧ୍ୟ କରୁଛନ୍ତି। ଉଭୟ ସ୍ଥାନରେ ମହିଳାମାନେ ସେମାନଙ୍କ ବ୍ୟକ୍ତିଗତ ପସନ୍ଦ ଉପରେ ଶାସନ ବ୍ୟବସ୍ଥାର ଅଗଣତାନ୍ତ୍ରିକ ହସ୍ତକ୍ଷେପ ବିରୁଦ୍ଧରେ ଲଢ଼େଇ କରୁଛନ୍ତି। ଅତଏବ ଏହି ଲଢ଼େଇ କେବଳ ହିଜାବକୁ ନେଇ ନୁହେଁ ବରଂ ମହିଳାଙ୍କ ପସନ୍ଦ ତଥା ପୋଷାକ ପରିଧାନର ସ୍ୱାଧୀନତା ଲାଗି ଉଦ୍ଦିଷ୍ଟ।
ଜଣେ ମହିଳା କେଉଁଭଳି ପୋଷାକ ପରିଧାନ କରିବେ କିମ୍ବା ନକରିବେ, ତାହା ତାଙ୍କର ନିଜସ୍ୱ ପସନ୍ଦ ଉପରେ ନିର୍ଭର କରେ। ସେ କର୍ଣ୍ଣାଟକର ସ୍କୁଲ ଛାତ୍ରୀ ହେଉ ବା ତେହେରାନର ମହିଳା, ସେମାନେ କ'ଣ ପିନ୍ଧିବେ ନିଜେ ସ୍ଥିର କରନ୍ତୁ। ଏହା ଜଣେ ମହିଳାର ବ୍ୟକ୍ତିଗତ ପସନ୍ଦର କଥା। ସେମାନଙ୍କ ଏହି ପସନ୍ଦକୁ ରାଷ୍ଟ୍ର ନିଜ ପ୍ରତି ଏକ ଆହ୍ୱାନ ରୂପେ ବିଚାର କରିବା ଦୁର୍ଭାଗ୍ୟଜନକ। ଯେପରି ଜଣେ ହିନ୍ଦୁ ମହିଳା ନିଜ ମୁଣ୍ଡରେ ଓଢ଼ଣା ଦେବାକୁ ଅଥବା ସିନ୍ଦୁର ଲଗାଇବାକୁ ରାଷ୍ଟ୍ର ବାଧ୍ୟ କରିପାରିବନି ସେହିପରି ଜଣେ ମୁସଲମାନ ମହିଳାଙ୍କୁ ହିଜାବ୍ ପିନ୍ଧିବାକୁ ଅଥବା ନ ପିନ୍ଧିବାକୁ ସରକାର ବା ରାଷ୍ଟ୍ର ବାଧ୍ୟ କରିପାରିବେନି। ଯଦିଓ ଉଭୟ ହିଜାବ୍ ଓ ଓଢ଼ଣା, ମହିଳାଙ୍କ ଉପରେ ଲଦାଯାଇଥିବା ପ୍ରତିଗାମୀ ଡ୍ରେସକୋଡ଼ ଓ ସେମାନଙ୍କ ପରାଧୀନତାର ପ୍ରତୀକ। କିନ୍ତୁ ସେସବୁକୁ ପରିଧାନ କରିବାକୁ କିମ୍ବା ନକରିବାକୁ ସରକାର ବଳପ୍ରୟୋଗ କରିବା ଅନୁଚିତ। ଯଦି କୌଣସି ପରିଧାନ ବା ଆଚରଣ ଅନ୍ୟକୁ କ୍ଷତି ପହଞ୍ଚାଉନି ଏବଂ କେବଳ ଅବୈଜ୍ଞାନିକ କିମ୍ବା ମହିଳା ସ୍ୱାଧୀନତାର ବିରୋଧି, ତାହେଲେ ସେ ନେଇ ସରକାର ଆବଶ୍ୟକୀୟ ସଚେତନତା ମାଧ୍ୟମରେ ମହିଳାଙ୍କୁ ପ୍ରେରିତ କରିବା ଦରକାର। ଇରାନ୍ ପରି ଆମ ସମାଜରେ ବି ବିବାହ ପରେ ଏବଂ ପତିର ମୃତ୍ୟୁ ପରେ ଜଣେ ମହିଳା କ'ଣ ପିନ୍ଧିବ, କ'ଣ ଖାଇବେ ସେନେଇ ଉଭୟ ଡ଼୍ରେସକୋଡ଼୍ ଓ ଫୁଡ଼କୋଡ଼କୁ ଆମର ପୁରୁଷବାଦୀ ସମାଜ ଅଲିକ୍ଷିତ ଭାବେ ଲଦି ଦେଇଆସିଛି। ପରମ୍ପରା ଓ ସଂସ୍କୃତିର ଦ୍ୱାହି ଦେଇ କେବଳ ପତିହରା ମହିଳାମାନଙ୍କ ଖାଦ୍ୟ, ବସ୍ତ୍ର ଆଜି ବି ନିୟନ୍ତ୍ରଣ କରିବାକୁ ପୁରୁଷବାଦୀ ସମାଜ ଚେଷ୍ଟିତ ରହିଛି। ଗୋଟିଏ ଗଣତାନ୍ତ୍ରିକ ସମାଜରେ ପୁରୁଷମାନଙ୍କ ପରି ମହିଳାମାନଙ୍କ ମଧ୍ୟ ନିଜ ଇଛା ମୁତାବକ ପୋଷାକ ପିନ୍ଧିବାର ଅଧିକାର ରହିବା ଉଚିତ। ଧର୍ମ ଓ ପରମ୍ପରା ନାଁରେ ଏଥିରେ ରାଷ୍ଟ୍ରର ହସ୍ତକ୍ଷେପକୁ କଦାପି ଗ୍ରହଣ କରାଯାଇ ନପାରେ। କମ୍ ସେ କମ୍ ଇରାନର ମହିଳମାନେ ଯେଉଁ ଲଢ଼େଇ ଆରମ୍ଭ କରିଛନ୍ତି, ତାହା ବିଶ୍ୱର ସବୁ ଧର୍ମର ମହିଳାଙ୍କୁ ପ୍ରେରଣା ଯୋଗାଇବ।
ଫୋନ୍ : ୯୪୩୭୧୬୬୩୯୧
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।