ସର୍ବେଶ୍ୱର ବେହେରା
ଅଷ୍ଟାଦଶ ଶତାବ୍ଦୀର ଇତିହାସରେ ମହାରାଣୀ ଦେବୀ ଅହିଲ୍ୟାବାଈ ହୋଲକରଙ୍କ କୃତିତ୍ୱ, ବ୍ୟକ୍ତିତ୍ୱ ଓ ମହାନତା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି। ଦେବୀ ଅହିଲ୍ୟାବାଈ ଏକମାତ୍ର ଶାସିକା ଥିଲେ, ଯାହାଙ୍କ ଜୀବିତାବସ୍ଥାରେ ପ୍ରଜାମାନେ ତାଙ୍କୁ ଦେବୀ ସ୍ୱରୂପା ସ୍ୱୀକାର କରୁଥିଲେ। ନିଜର ସମଗ୍ର ରାଜ୍ୟ ଶାସନ ଓ ସମସ୍ତ ସମ୍ପତ୍ତିକୁ ସେ ତୁଳସୀ ପତ୍ର ସଦୃଶ ଅର୍ପଣ କରିଥିଲେ। ଅର୍ଥାତ୍ ସେଗୁଡ଼ିକୁ ଭଗବାନ୍ ଶିବଙ୍କୁ ସମର୍ପିତ କରି ସେ ଜଣେ ସାଧାରଣ ସେବିକା ରୂପେ ଶାସନ ପରିଚାଳନା କରୁଥିଲେ। ସମଗ୍ର ଜୀବନର ପ୍ରତିଟି କ୍ଷଣ ଜନ କଲ୍ୟାଣକାରୀ କାର୍ଯ୍ୟରେ ମନୋନିବେଶ କରିଥିବା ଯୋଗୁଁ ତାଙ୍କୁ ଲୋକମାତା କୁହାଯାଉଥିଲା। ସମଗ୍ର ଦେଶର ଏକଶହରୁ ଊର୍ଦ୍ଧ୍ୱ ବିଶାଳ ମନ୍ଦିରଗୁଡ଼ିକୁ ପୁନରୁଦ୍ଧାର କରିଥିବା ହେତୁ ସେ ପୁଣ୍ୟଶ୍ଳୋକା ରୂପେ ଖ୍ୟାତି ଅର୍ଜନ କରିଥିଲେ।
ଜୀବନ ଚରିତ - ଅହିଲ୍ୟାବାଈଙ୍କ ଜନ୍ମ ୧୭୨୫ ମେ' ୩୧ ତାରିଖରେ ଅହମ୍ମଦ ନଗରର ଚାଣ୍ଡୀ ଗ୍ରାମରେ ହୋଇଥିଲା। ପିତା ମାଣକୋଜୀ ସିନ୍ଧେ ଓ ମାତା ସୁଶୀଳା ଦେବୀଙ୍କର ସେ ତୃତୀୟ ସନ୍ତାନ ଥିଲେ। ମାଣକୋଜୀ ନିଜର କନ୍ୟା ଅହିଲ୍ୟାବାଈଙ୍କୁ ସମସ୍ତ ବିଦ୍ୟା ଶିକ୍ଷା ଅର୍ଜନ କରିବା ସହିତ ଯୁଦ୍ଧ ବିଦ୍ୟା ଓ ଘୋଡ଼ା ସବାରୀ ଆଦି କଳାରେ ପାରଙ୍ଗମ କରିଥିଲେ। ବାଲ୍ୟକାଳୁ ଅହିଲ୍ୟା ଶିବଭକ୍ତ ଥିଲେ। ଥରେ ମାଲୱାର ସୁବେଦାର ମହ୍ଲାର ରାଓ ନିଜର ସୈନ୍ୟସାମନ୍ତ ସହିତ ପୁଣେ ଯିବା ରାସ୍ତାରେ ଚାଣ୍ଡୀ ଗ୍ରାମରେ ବିଶ୍ରାମ କରୁଥିଲେ। ବାଲ୍ୟାବସ୍ଥାରେ ପ୍ରତ୍ୟେକ ଦିନ ଅହିଲ୍ୟା ଗାଁ ମୁଣ୍ଡରେ ଥିବା ଶିବ ମନ୍ଦିରକୁ ଯାଇ ପୂଜନ ଓ ଭଜନ କରୁଥିଲେ। ସେଦିନ ମହ୍ଲାର ରାଓ ଜଣେ ବାଳିକାର ଶିବ ଭକ୍ତି, ବିନମ୍ର ଓ ସରଳ ଗୁଣକୁ ଦେଖି ଘୋର ପ୍ରଭାବିତ ହୋଇଥିଲେ। ମହ୍ଲାର ରାଓ ଏହି ବାଳିକାକୁ ନିଜର ପୁତ୍ରବଧୂ ରୂପେ ସ୍ୱୀକାର କରିବାକୁ ନିଶ୍ଚୟ କଲେ। ଏହିପରି ମାତ୍ର ୧୨ ବର୍ଷ ବୟସରେ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ଅହିଲ୍ୟା ସୁବେଦାର ରାଜବଂଶର ବୋହୂ ହୋଇଗଲେ। କ୍ରମଶଃ ରାଜ ପରିବାରର ସମସ୍ତ ପରମ୍ପରାକୁ ସ୍ୱୀକାର କରି ରାଜ ପରିବାରକୁ ସଂସ୍କାରକ୍ଷମ ବାତାବରଣରେ ପରିଣତ କରିପାରିଲେ। ପତି ଖଣ୍ଡେରାଓଙ୍କ ଠାରୁ ଅନୁମତି ନେଇ ସେ ସମସ୍ତ ଯୁଦ୍ଧବିଦ୍ୟା ଗ୍ରହଣ ସହିତ ଓ ଶାସନ ପ୍ରଶାସନ ସମ୍ବନ୍ଧରେ ଅବଗତ ହୋଇଗଲେ। ଶ୍ୱଶୂର ମହ୍ଲାର ରାଓ ଏହା ଦେଖି ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ ଓ ବୋହୂ ଅହିଲ୍ୟାଙ୍କୁ ସମସ୍ତ କାର୍ଯ୍ୟରେ ପ୍ରୋତ୍ସାହିତ କରୁଥିଲେ। ୧୭୪୫ରେ ଅହିଲ୍ୟାଙ୍କର ଏକ ପୁତ୍ର ସନ୍ତାନ, ୧୭୪୮ରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲେ। ପୁତ୍ରର ନାମ ମାଲେରାଓ ଓ କନ୍ୟାର ନାମ ମୁକ୍ତା ରଖାଗଲା।
୧୭୫୪ ମସିହାରେ ରାଜସ୍ଥାନର କୁମ୍ଭେରୀ ଯୁଦ୍ଧରେ ଅହିଲ୍ୟାଙ୍କ ପତି ଖଣ୍ଡେରାଓଙ୍କ ଦେହାନ୍ତ ହୋଇଥିଲା। କିଛିଦିନ ପରେ ଶ୍ୱଶୂର ମହ୍ଲାର ରାଓଙ୍କ ମଧ୍ୟ ଦେହାନ୍ତ ହୋଇଗଲା। ଅହିଲ୍ୟାଙ୍କ ଜୀବିତାବସ୍ଥାରେ ନିଜର ଶ୍ୱଶୂର ଘରେ ପାଞ୍ଚ ଜଣ ପୁରୁଷ ଯୋଦ୍ଧାଙ୍କ ଦେହାନ୍ତ ହୋଇଗଲା। ପୁତ୍ର ମାଲେରାଓଙ୍କୁ ରାଜ ସିଂହାସନରେ ବସାଇ ସେ ଶାସନ କରୁଥିଲେ। ଦୁର୍ଭାଗ୍ୟବଶତଃ ପୁତ୍ର ମାଲେରାଓଙ୍କର ୨୨ ବର୍ଷ ବୟସରେ ଦେହାନ୍ତ ହୋଇଗଲା। ନିଜର ଛାତି ଉପରେ ପଥର ରଖି ଅହିଲ୍ୟାବାଈ ଶାସନ ଡୋର ହାତକୁ ନେଇଥିଲେ। ନିରନ୍ତର ୨୮ ବର୍ଷ ତାଙ୍କର ରାଜ୍ୟ ଶାସନ ଏକ ସ୍ୱର୍ଣ୍ଣିମ ଯୁଗ ଥିଲା।
ପ୍ରଶାସିକା ଦେବୀ- ବାଲ୍ୟକାଳୁ ମହାଦେବଙ୍କ ଉପରେ ଅହିଲ୍ୟାବାଈଙ୍କ ଅତୁଟ ଆସ୍ଥା ଥିଲା। ରାଜ୍ୟ ଶାସନକୁ ସେ ମହାଦେବଙ୍କ ପ୍ରସାଦ ରୂପେ ଅର୍ପଣ କରିଥିଲେ। ନିଜର ଦିନଚର୍ଯ୍ୟା ସାଧାରଣ ସନ୍ଥଙ୍କ ପରି ଥିଲା। ପ୍ରତ୍ୟେକ ଦିନ ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟା ତ୍ୟାଗକରି ସ୍ନାନ, ପୂଜା ଓ ଧ୍ୟାନ ସହିତ ମନ୍ଦିର ଓ ଗୋଶାଳା ଦର୍ଶନକରି ଜନକଲ୍ୟାଣ କାର୍ଯ୍ୟରେ ନିୟୋଜିତ ହେଉଥିଲେ। ନିୟମିତ ଅନ୍ନଦାନ ଓ ଧନଦାନ କରୁଥିଲେ। ରାଜ୍ୟ ଶାସନର ସମସ୍ତ ପତ୍ରାଳାପରେ ସେ ନିଜର ହସ୍ତାକ୍ଷର କରିବା ସମୟରେ କେବଳ ‘ଶ୍ରୀ ଶଙ୍କର’ ଲେଖୁଥିଲେ। ଏଥିରୁ ତାଙ୍କର ମହାଦେବଙ୍କ ପ୍ରତି ଅନନ୍ୟ ଭକ୍ତିର ପ୍ରମାଣ ମିଳୁଛି। ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଯେଉଁ ଟଙ୍କା ପ୍ରଚଳନ କରିଥିଲେ ସେଥିରେ ଶିବଲିଙ୍ଗ ଓ ବେଲପତ୍ର ଅଙ୍କିତ ଥିଲା ଓ ମୁଦ୍ରାରେ ନନ୍ଦି ଚିତ୍ର ଶୋଭା ପାଉଥିଲା।
ସମଗ୍ର ଦେଶକୁ ସହଜରେ ଶାସନ କରିବା ପାଇଁ ଓ ଦେଶର ପ୍ରତିଟି ସ୍ଥାନରୁ ସୂଚନା ପ୍ରାପ୍ତ କରିବା ପାଇଁ ୧୩ଟି ଦରବାରରେ ବିଭକ୍ତ କରିଥିଲେ। ଦେଶର ଏହି ୧୩ ସ୍ଥାନରେ ସେ ସୁବେଦାରମାନଙ୍କୁ ନିଯୁକ୍ତି ଦେଇଥିଲେ। ଏମାନଙ୍କ ଜରିଆରେ ସେ ସହଜରେ ସମଗ୍ର ଦେଶରୁ ସମସ୍ତ ସୂଚନା ପାଇପାରୁଥିଲେ। ଦେଶର ଚତୁଃପାର୍ଶ୍ୱରେ ସେ ପ୍ରତ୍ୟେକ ୧୦ କୋଶ ବ୍ୟବଧାନରେ ଗୋଟିଏ ଗୋଟିଏ ଶିବିର ନିର୍ମାଣ କରିଥିଲେ, ଯେଉଁଠାରେ ଜଣେ ସନ୍ଦେଶ ବାହକ ରହୁଥିଲେ। ଏହିପରି ସେ ସମଗ୍ର ଦେଶରୁ ସହଜରେ ସମସ୍ତ ସନ୍ଦେଶ ପାଇପାରୁଥିଲେ ଓ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରୁଥିଲେ। ଏହି ସନ୍ଦେଶ ବାହକମାନେ ବିଦ୍ୱାନ ଓ ବ୍ରାହ୍ମଣ ଥିଲେ। କେହି ସୈନ୍ୟସାମନ୍ତ ନଥିଲେ। କାରଣ ଶତ୍ରୁମାନେ ସନ୍ଦେଶବାହକଙ୍କୁ ଧରି ସହଜରେ ଭେଦ ଯେପରି ଜାଣି ନପାରିବେ, ସେଥିପାଇଁ ଅହିଲ୍ୟାବାଈ ଏହିପରି ଏକ ଅଭିନବ ପନ୍ଥା ବାହାର କରିଥିଲେ।
ଅହିଲ୍ୟାବାଈଙ୍କ ହୃଦୟ ଯେତେ କୋମଳ ଥିଲା ଶାସନ ପ୍ରଶାସନରେ ସେ ସେତେ କଠୋର ଥିଲେ। କର ଦେଇ ନଥିବା ଓ ବିଦ୍ରୋହ କରୁଥିବା ଚନ୍ଦ୍ରାବତର ଜାଟମାନଙ୍କ ସହିତ ସେ ସଂଘର୍ଷ କରିଥିଲେ ଓ ତାଙ୍କର ସେନାପତି ସୌରଭ ସିଂହ ଜାଟକୁ ଧରି ସେଠାରେ ତୋପ ଦ୍ୱାରା ଉଡ଼େଇ ଦେଇଥିଲେ। ଭବିଷ୍ୟତରେ ରାଜ୍ୟରେ କେହି ଯେପରି ବିଦ୍ରୋହ କରିବେ ନାହିଁ, ତା’ର ଏକ ଜ୍ୱଳନ୍ତ ଉଦାହରଣ ସେ ପ୍ରସ୍ତୁତ କରିଥିଲେ।
ସେତେବେଳେ ପ୍ରଚଳିତ ଉର୍ଦ୍ଦୁ, ପାର୍ସୀ ଭାଷା ସ୍ଥାନରେ ସଂସ୍କୃତ, ମାଲବୀ ଓ ଖଡ଼ି ଭାଷା ପ୍ରଚଳନ କରିଥିଲେ। ସମସ୍ତ ଆଇନ ବ୍ୟବସ୍ଥାରେ ଚାଣକ୍ୟ ନୀତିର ପ୍ରଭାବ ଦେଖାଦେଇଥିଲା। କେତେକାଂଶରେ ଛତ୍ରପତି ଶିବାଜୀଙ୍କ ସ୍ୱଦେଶ ପ୍ରୀତି ମଧ୍ୟ ରାଜମାତା ଅହିଲ୍ୟାବାଈଙ୍କ ଶାସନ ପ୍ରଶାସନରେ ପ୍ରଦର୍ଶିତ ହୋଇଥିଲା।
କୁଶଳ ରାଜନୀତିଜ୍ଞ- ମାଲୱାର ରାଣୀ ଅହିଲ୍ୟାବାଈ ଜଣେ ପ୍ରଭାବଶାଳୀ ଶାସିକା ସହିତ ଜଣେ କୁଶଳ ରାଜନୀତିଜ୍ଞ ଓ ଦୂରଦ୍ରଷ୍ଟା ଥିଲେ। ୧୭୭୨ରେ ପେଶବା ଓ ଇଂରେଜମାନଙ୍କ ମଧ୍ୟରେ ସନ୍ଧି ଖବର ପାଇବା ପରେ ଅହିଲ୍ୟାବାଈ ପେଶବାଙ୍କୁ ଯେଉଁ ପତ୍ର ଲେଖିଥିଲେ ତାହା ତାଙ୍କ ଦୂରଦ୍ରଷ୍ଟାର ଚରମ ନିଦର୍ଶନ ଥିଲା। ସେ ଉଲ୍ଲେଖ କରିଥିଲେ, ‘ଇଂରେଜମାନଙ୍କ ସହିତ ଘନିଷ୍ଠ ହେବା ଭାଲୁ ସହିତ ଘନିଷ୍ଠ ହେବା ସଦୃଶ। ବାଘ ଓ ଅନ୍ୟ ଜୀବଜନ୍ତୁମାନଙ୍କୁ ଅସ୍ତ୍ରଶସ୍ତ୍ରରେ ମାରି ଦିଆଯାଇପାରେ, କିନ୍ତୁ ଭାଲୁକୁ ମାରିବା ଘୋର କଠିନ କାର୍ଯ୍ୟ। ସିଧା ତା’ ମୁହଁରେ ଆଘାତ କଲେ ତା’ର ମୃତ୍ୟୁ ହେବ। କିନ୍ତୁ ଥରେ ତା’ ହାତରେ ଧରାଦେଲେ ନିଜର ଶିକାରକୁ ସେ କୁତୁକୁତୁ କରି ମାରିଦେବ।’ ଅହିଲ୍ୟାବାଈ ଇଂରେଜଙ୍କୁ ଭାଲୁ ସହିତ ତୁଳନା କରିଥିଲେ, ତାଙ୍କଠାରୁ ଦୂରତା ରକ୍ଷା କରିବାକୁ ପେଶବାଙ୍କୁ ଅନୁରୋଧ କରିଥିଲେ। ଏଥିରୁ ଇଂରେଜମାନଙ୍କ କୁଟିଳ ବୁଦ୍ଧିକୁ ସେ କିପରି ପୂର୍ବାନୁମାନ କରିପାରିଥିଲେ, ତାହା ଜଣାଯାଏ। ଥରେ ନାନା ଫଡ଼ନାବିଶଙ୍କ ଓକିଲ ବିଠଲ ଶାମରାଜ ଅହିଲ୍ୟାବାଈଙ୍କୁ ପ୍ରଶ୍ନ କରିଥିଲେ, ଯଦି ଇଂରେଜମାନେ ବସଇକୁ ଅକ୍ତିଆର କରିନେବେ ତେବେ ସମଗ୍ର ଦେଶରେ ଉପଦ୍ରବ କରିବେ। ୧୭୮୦ ଜୁଲାଇ ୧୨ ତାରିଖରେ ସେ ନାନା ଫଡ଼ନାବିଶଙ୍କୁ ପତ୍ର ଲେଖି ଉପଦେଶ ଦେଇଥିଲେ ଯେ ନବାବ ଓ ଭୋଁସଲେ ଆଦି ସମସ୍ତେ ଏକତ୍ର ହୋଇ ଇଂରେଜମାନଙ୍କୁ ପରାସ୍ତ କରିବା ଆବଶ୍ୟକ। ତୁକୋଜୀ ରାଓଙ୍କୁ ମଧ୍ୟ ଟିପୁ ସୁଲତାନ ବିରୋଧରେ ଯୁଦ୍ଧ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହିପରି ଯଥାର୍ଥ ଉପଦେଶ ପ୍ରଦାନ କରିଥିବା ହେତୁ ନାନା ଫଡ଼ନାବିଶ ଆଦି ରାଜାମାନେ ଅହିଲ୍ୟାବାଈଙ୍କ ପ୍ରଶଂସକ ହୋଇଥିଲେ।
ଶ୍ରେଷ୍ଠ ଅର୍ଥନୀତିଜ୍ଞ- ରାଣୀ ଅହିଲ୍ୟା ଦେବୀଙ୍କ ଶୈକ୍ଷିକ ଓ ଆର୍ଥିକ ଦୃଷ୍ଟି ତୀକ୍ଷ୍ଣ ଥିଲା। ରାଜ୍ୟର ରାଜକୋଷ ବୃଦ୍ଧି ସହିତ ଆର୍ଥିକ କ୍ଷେତ୍ରରେ ନିର୍ଣ୍ଣୟ ନେବାରେ ତାଙ୍କର ପ୍ରଭାବୀ କ୍ଷମତା ଥିଲା। ମାଲୱା ଭାରତର ମଧ୍ୟସ୍ଥଳରେ ଅବସ୍ଥିତ। ଏହାକୁ ଦେଖି ସେ ନୂତନ ଉଦ୍ୟୋଗ, କୃଷି ଓ ବାଣିଜ୍ୟ ପାଇଁ ବହୁ ପ୍ରଚେଷ୍ଟା କରିଥିଲେ। ସେ ସ୍ୱଦେଶୀ ଅର୍ଥନୀତିର ପକ୍ଷଧର ଥିଲେ। ଜନତାଙ୍କ ହାତକୁ କାମ ଦେବା ନ୍ୟାୟରେ ବିଶ୍ୱାସ କରୁଥିଲେ। ତଦନୁସାରେ ସେ ସମସ୍ତ ଯୋଜନା କରୁଥିଲେ। ୧୭୫୯ରେ ସେ ବୁଣାକାର ମାଲୁ ସମାଜକୁ ନେଇ ମହେଶ୍ୱରଠାରେ କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନଙ୍କୁ ବାରାଣସୀ ଠାରୁ ଆମନ୍ତ୍ରଣ କରାଯାଇଥିଲା। ମହେଶ୍ୱର ଠାରେ ହସ୍ତତନ୍ତ୍ରରେ ସୁନ୍ଦର ବସ୍ତ୍ର ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ ହୋଇଗଲା। ବସ୍ତ୍ରଗୁଡ଼ିକର ବିପଣନ (ମାର୍କେଟିଙ୍ଗ)ର ଜ୍ୱଳନ୍ତ ଉଦାହରଣ ଆଜି ମଧ୍ୟ ‘ମାହେଶ୍ୱରୀ ଶାଢ଼ୀ’ ରୂପେ ଦେଖିବାକୁ ମିଳୁଛି। ମାହେଶ୍ୱରୀ ଶାଢ଼ୀର ପ୍ରସ୍ତୁତି ଓ ସ୍ୱୟଂସହାୟିକା ସମୂହ ଦ୍ୱାରା ସ୍ୱାବଲମ୍ବନର ଏକ ସଫଳ ପ୍ରୟୋଗ ସେ ଆରମ୍ଭ କରିଥିଲେ।
ଯୁଦ୍ଧରେ ସହିଦ ହୋଇଥିବା ପରିବାରକୁ ସେ ରାଜକୋଷରୁ ଅର୍ଥ ଆବଣ୍ଟନ କରୁଥିଲେ। ଦରିଦ୍ରମାନଙ୍କୁ କୃଷି ଓ ବାଣିଜ୍ୟ କାର୍ଯ୍ୟ ପାଇଁ ଶସ୍ତା ଋଣ ପ୍ରଦାନ କରୁଥିଲେ। ଏହାଦ୍ୱାରା ପ୍ରଜାହିତ ସହିତ ରାଜକୋଷ ବୃଦ୍ଧି ହୋଇଥିଲା। ଦୁର୍ଭିକ୍ଷ ସମୟରେ ପ୍ରଜାମାନଙ୍କ ଠାରୁ କର ଗ୍ରହଣ କରୁନଥିଲେ। କୃଷକମାନେ ନିଜର ଉତ୍ପାଦନ ନିଜ ଇଚ୍ଛାନୁସାରେ ଯେ କୌଣସି ସ୍ଥାନରେ ବିକ୍ରୟ କରିପାରୁଥିଲେ। ଭୂମିହୀନମାନଙ୍କୁ ଭୂମି ପ୍ରଦାନ କରାଯାଉଥିଲା। ବନ ସଂରକ୍ଷଣ ପାଇଁ ସେ ବିଶେଷ ଧ୍ୟାନ ଦେଇଥିଲେ। ସେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଇଥିଲେ। ଯଦି କୃଷକମାନଙ୍କର କୌଣସି ଦୈବୀ ଦୁର୍ବିପାକରେ ଫସଲ ନଷ୍ଟ ହେଉଥିଲା, ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉଥିଲା।
ସେ ରାଜ୍ୟରେ ସୁଖ, ସମୃଦ୍ଧି ଓ ସ୍ୱାବଲମ୍ବନ ପାଇଁ ଶିକ୍ଷା ଓ କୌଶଳ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ। ପୁରୁଷ ଓ ମହିଳା ଉଭୟଙ୍କୁ ଶିକ୍ଷା ପ୍ରଦାନ କରାଯାଉଥିଲା। ଶିକ୍ଷା ସହିତ ସ୍ୱାବଲମ୍ବନର ପଦ୍ଧତି ସମ୍ବନ୍ଧରେ ମଧ୍ୟ ଜ୍ଞାନ ପ୍ରଦାନ କରାଯାଉଥିଲା। ଗୁରୁକୁଳ ପଦ୍ଧତିକୁ ପ୍ରୋତ୍ସାହନ ଦେବା ସହିତ ରାଜ୍ୟରେ ବିଦ୍ୱାନ, ଶିକ୍ଷକ, ଆଚାର୍ଯ୍ୟ, ବ୍ରାହ୍ମଣମାନଙ୍କୁ ଜ୍ଞାନ ପ୍ରଦାନରେ ନିୟୋଜନ କରିଥିଲେ। ସେ ୧୯ଟି ବିଷୟର ଏକ ସଞ୍ଚ (ଟିମ) ନିର୍ମାଣ କରିଥିଲେ। ସେହି ୧୯ଟି ବିଷୟ ଆଜି ମ୍ୟାନେଜମେଣ୍ଟ କ୍ଷେତ୍ରରେ ଅଧ୍ୟୟନ ହେଉଛି। ଏହି ବିଷୟଗୁଡ଼ିକରେ ଆଜି ଶୋଧ କରାଯାଉଛି।
ପୁଣ୍ୟଶ୍ଳୋକା ଦେବୀ- ସେ ଅହିଲ୍ୟାଦେବୀ ମାହେଶ୍ୱର କ୍ଷେତ୍ରରେ ନର୍ମଦା ନଦୀରେ ୨୮ଟି ଘାଟ ଓ ୫୦ ମନ୍ଦିର ନିର୍ମାଣ କରିଥିଲେ। ସେଗୁଡ଼ିକ ଆଜି ମଧ୍ୟ ବିଦ୍ୟମାନ। ତାଙ୍କର ରାଷ୍ଟ୍ରୀୟ ଦୃଷ୍ଟି ସନାତନ ହିନ୍ଦୁତ୍ୱ ମୂଲ୍ୟ ଆଧାରିତ ଥିଲା। ଭାରତର ଏକାତ୍ମତା ପାଇଁ ତୀର୍ଥଯାତ୍ରାର ବହୁତ ମହତ୍ୱ ଅଛି ବୋଲି ସେ ହୃଦୟଙ୍ଗମ କରିଥିଲେ। ତୀର୍ଥଯାତ୍ରା ଆଧ୍ୟାତ୍ମିକ ସୁଖଶାନ୍ତି ପ୍ରଦାନ କରିବା ସହିତ ବିବିଧ କ୍ଷେତ୍ର, ପନ୍ଥ, ଭାଷା ଆଦିକୁ ସ୍ୱୀକାର କରୁଥିବା ଏହି ବିରାଟ ଦେଶର ଜନତାଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଏହି ପରମ୍ପରା ଯୁଗ ଯୁଗ ଧରି ପ୍ରଚଳିତ ହୋଇଆସୁଛି। ଇସଲାମ ଆକ୍ରମଣକାରୀମାନେ ଦେଶର ଏହି ତୀର୍ଥସ୍ଥାନଗୁଡ଼ିକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଥିଲେ। ଅହିଲ୍ୟାବାଈ ସେଗୁଡିକୁ ପୁନଃନିର୍ମାଣ ପାଇଁ ସମସ୍ତ କାର୍ଯ୍ୟ କରିଥିଲେ। ସମଗ୍ର ଦେଶରେ ୧୦୦ରୁ ଊର୍ଦ୍ଧ୍ୱ ମନ୍ଦିର, ବହୁତ ଘାଟ, ଅନ୍ନକ୍ଷେତ୍ର ଆଦି ନିର୍ମାଣ କରିଥିଲେ।
ବାରାଣସୀରେ ମଣିକର୍ଣ୍ଣିକା ଘାଟ ସହିତ ଅନେକ ଘାଟ, ବଦ୍ରିନାଥ ଠାରୁ ରାମେଶ୍ୱରମ୍ ପର୍ଯ୍ୟନ୍ତ ଓ ଦ୍ୱାରିକାଠାରୁ କାଶୀ ପର୍ଯ୍ୟନ୍ତ ଅନେକ ମନ୍ଦିର, ଘାଟ, ଧର୍ମଶାଳା ଆଦି ନିର୍ମାଣ କରିଥିଲେ। କାଶୀଠାରୁ କୋଲକାତା ପର୍ଯ୍ୟନ୍ତ ପକ୍କା ସଡ଼କ ନିର୍ମାଣ କରିଥିଲେ। ନିଜର ଭୌଗୋଳିକ କ୍ଷେତ୍ର ପରିସର ବାହାରେ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ଧାର୍ମିକ ସ୍ଥଳଗୁଡ଼ିକର ପୁନରୁଦ୍ଧାର କରିଥିଲେ। ଦେଶର ୧୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ସେ ଧର୍ମଶାଳା ନିର୍ମାଣ କରିଥିଲେ। ଭାରତୀୟ ସମାଜକୁ ଏକାତ୍ମତା ସୂତ୍ରରେ ବାନ୍ଧିବା ପାଇଁ ତାଙ୍କର ଏହି ମହାନ ପ୍ରଚେଷ୍ଟା ଥିଲା। ପାଠଶାଳା, ଧର୍ମଶାଳା, ଅନ୍ନକ୍ଷେତ୍ରଗୁଡ଼ିକ ଭବିଷ୍ୟତରେ ଯେପରି ସୁଚାରୁରୂପେ ଚାଲିବ ସେଥିପାଇଁ ସେ ସମସ୍ତ ଯୋଜନା କରିଥିଲେ।
ଲୋକମାତା ଦେବୀ- ସେ କହୁଥିଲେ, ‘ଛତ୍ରପତି ଶିବାଜୀ ମୋତେ ଯେଉଁ ଦାୟିତ୍ୱ ପ୍ରଦାନ କରିଯାଇଛନ୍ତି ମୁଁ ତାହାକୁ ସମ୍ପୂର୍ଣ୍ଣ କରୁଛି। ମୋର କାର୍ଯ୍ୟ ପ୍ରଜାମାନଙ୍କୁ ସୁଖଶାନ୍ତି ପ୍ରଦାନ କରିବ। ରାଜ୍ୟର ପ୍ରତ୍ୟେକ କାର୍ଯ୍ୟ ପାଇଁ ମୁଁ ଉତ୍ତରଦାୟୀ। ମୋର ସମସ୍ତ କାର୍ଯ୍ୟ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସମର୍ପିତ। ମୁଁ ଈଶ୍ୱରଙ୍କ ନିକଟରେ ଉତ୍ତରଦାୟୀ ହେବି। କ୍ଷମତା, ଧନ, ବୈଭବ ଆଦି ସମସ୍ତ ଈଶ୍ୱର ପ୍ରଦତ୍ତ। ମୁଁ ଏହାର ମାଲିକ ନୁହେଁ, କେବଳ ସଂରକ୍ଷକ।’
ଦେବୀ ଅହିଲ୍ୟା ଅତ୍ୟନ୍ତ ବୁଦ୍ଧିମତୀ, ସୁଧାରବାଦୀ ଓ ପ୍ରଜାବତ୍ସଳ ଶାସିକା ଥିଲେ। ସମଗ୍ର ରାଜ୍ୟକୁ ଜିଲ୍ଲା ଓ ତହସିଲରେ ବଣ୍ଟନ କରିଥିଲେ। ପଞ୍ଚାୟତରେ ନ୍ୟାୟ ମିଳୁଥିଲା। ନ୍ୟାୟର ଅନ୍ତିମ ଅପିଲ ସ୍ୱୟଂ ଅହିଲ୍ୟାବାଈ ଶୁଣୁଥିଲେ। ତାଙ୍କର ପ୍ରାସାଦ ସମସ୍ତଙ୍କ ପାଇଁ ଖୋଲା ଥିଲା। ସେ ତ୍ୱରିତ ଓ ସହଜ ନ୍ୟାୟ ପ୍ରଦାନ କରୁଥିଲେ। ଏଣୁ ସମସ୍ତେ ତାଙ୍କୁ ଲୋକମାତା କହୁଥିଲେ। ପ୍ରଜାମାନଙ୍କ ସୁଖଦୁଃଖ ସେ ନିଜେ ବୁଝୁଥିଲେ। ସମସ୍ତେ ଶାନ୍ତିରେ କାଳାତିପାତ କରୁଥିଲେ। ମହେଶ୍ୱର କିଲ୍ଲାରେ ୩୦୦ କର୍ମଚାରୀ- ଅଧିକାରୀମାନଙ୍କ ଠାରୁ ସଫାଇ କର୍ମଚାରୀ ପର୍ଯ୍ୟନ୍ତ- ଥିଲେ। ସମସ୍ତ ବର୍ଗର ବ୍ୟକ୍ତିଙ୍କ ସହିତ ସେ ନିୟମିତ ଭାବେ ଏକତ୍ର ଭୋଜନ କରୁଥିଲେ। ଏହାକୁ ଦେଖି ସବୁ ବର୍ଗର ବ୍ୟକ୍ତି ତାଙ୍କୁ ନିଜର ଆତ୍ମୀୟ ସ୍ୱଜନ ରୂପେ ଦେଖୁଥିଲେ। ସେ କଦାପି ରାଜ ସିଂହାସନରେ ବସିନାହାନ୍ତି। ସାଧାରଣ ଚୌକିରେ ବସି ସେ ରାଜ୍ୟ ଶାସନ କରୁଥିଲେ। ଅତ୍ୟନ୍ତ ସରଳ ଓ ସାଧାରଣ ଜୀବନ ଅତିବାହିତ କରୁଥିଲେ। ରାଜ ଦରବାରରେ ମନ୍ତ୍ରୀଙ୍କ ଠାରୁ ସାଧାରଣ ସୈନ୍ୟ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ସହିତ ସମାନ ଚୌକିରେ ବସୁଥିଲେ। ମହିଳାମାନଙ୍କ ଅଧିକାର ପାଇଁ ସେ ସଜାଗ ଥିଲେ। ତାଙ୍କ ଦରବାରକୁ ବହୁ ମହିଳା ନିଦ୍ୱର୍ନ୍ଦ୍ୱରେ ଦରଖାସ୍ତ ଧରି ଆସୁଥିଲେ। ସେ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରୁଥିଲେ। ତତ୍କାଳୀନ ସମାଜରେ ରହିଥିବା ସତୀ ପ୍ରଥାକୁ ସେ ଉଚ୍ଛେଦ କରିଥିଲେ। ଯୌତୁକ ପ୍ରଥାକୁ ଅପରାଧ ବୋଲି ଘୋଷଣା କରିଥିଲେ। ସମଗ୍ର ଦେଶରେ ହିନ୍ଦୁମାନଙ୍କ ଏକତ୍ରୀକରଣ ପାଇଁ ସେ ଅନ୍ତଃରାଜ୍ୟ ବିବାହ ସପକ୍ଷବାଦୀ ଥିଲେ। ତାଙ୍କ ପୂର୍ବରୁ ବିଧବାମାନଙ୍କର ସମ୍ପତ୍ତି ଉପରେ କୌଣସି ଅଧିକାର ନଥିଲା। ସେ ଶାସନଭାର ଗ୍ରହଣ କରିବା ପରେ ବିଧବାମାନଙ୍କୁ ଉତ୍ତରାଧିକାରୀ ସୂତ୍ରରେ ସମ୍ପତ୍ତି ହାସଲ କରିବା ପାଇଁ ନିର୍ଦେଶ ଦେଇଥିଲେ। ସେହି ସମ୍ପତ୍ତି ଉପରେ କାହାର ଅଧିକାର ରହିବ ନାହିଁ। ସେମାନେ ଯାହାକୁ ଚାହିଁବେ ସ୍ୱଇଚ୍ଛାରେ ଦାନ କରିପାରିବେ। ପ୍ରସିଦ୍ଧ ସୋମନାଥ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଏହିପରି ଜନୈକ ବିଧବା ମହିଳାଙ୍କ ଧନରୁ କରାଯାଇଥିଲା।
ସ୍ମୃତିର ଝରକାରୁ- ହୋଲକର ବଂଶର ଘୋର ବିରୋଧୀ ଓ ଶତ୍ରୁ ସାର୍ ଜନ ମାଲକମ ନିଜର ‘ମଧ୍ୟ ଭାରତ କାଳ’ ପୁସ୍ତକରେ ଉଲ୍ଲେଖ କରିଛନ୍ତି, ‘ଅହିଲ୍ୟାବାଈ ଯେଉଁ ବିପରୀତ ପରିସ୍ଥିତି ସମୟରେ ଶାସନ ଭାର ଗ୍ରହଣ କରି ଦୀର୍ଘ ୨୮ ବର୍ଷ ଜନ କଲ୍ୟାଣକାରୀ ଓ ଉତ୍କୃଷ୍ଟ ଶାସନ କରିଥିଲେ ତାହା ଅତୁଳନୀୟ। କେବଳ ମାଲୱା ନୁହେଁ ଅପିତୁ ସମଗ୍ର ଦେଶ ତାଙ୍କୁ ଦେବୀ ରୂପେ ସ୍ୱୀକାର କରୁଥିଲେ।’ ଡ. ଆନିବେଶାନ୍ତ କହିଛନ୍ତି, ‘ଅହିଲ୍ୟାବାଈ ଭାରତର ସୁଯୋଗ୍ୟ ସନ୍ତାନ ଥିଲେ। ଜନକଲ୍ୟାଣ ସହିତ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାକୁ ରକ୍ଷା କରିବା ପାଇଁ ସେ ବହୁ ପ୍ରଚେଷ୍ଟା କରିଛନ୍ତି ଓ ସଫଳ ମଧ୍ୟ ହୋଇଛନ୍ତି। ସେ ପ୍ରକୃତରେ ରାଷ୍ଟ୍ରମାତା।’ ସାର୍ ଯଦୁନାଥ ସରକାର ଲେଖିଛନ୍ତି, ‘ଅଷ୍ଟାଦଶ ଶତାବ୍ଦୀରେ ସେ ଜଣେ ମହୀୟସୀ ମହିଳା ଥିଲେ। ତତ୍କାଳୀନ ମାଲୱା ପ୍ରଦେଶକୁ ସେ ଉତ୍ତମ ଶାସନ ପ୍ରଦାନ କରିଥିଲେ। ତାଙ୍କ ପରି ସୁ-ଉଚ୍ଚ ଗୁଣବାନ ରାଜନୀତିକ ରଣନୀତିକାର ମହିଳା ଭାରତ ଇତିହାସରେ ବିରଳ।’ ଇଂରେଜ ଇତିହାସକାର ଷ୍ଟିୱର୍ଡ଼ ଗାର୍ଡ଼ନ ତାଙ୍କ ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି, ‘ଅଷ୍ଟାଦଶ ଶତାବ୍ଦୀରେ ଅହିଲ୍ୟାବାଈଙ୍କ ଶାସନ ସୁଦୃଢ଼ ଓ ସ୍ଥାୟୀ ଥିଲା।’
ଏଣୁ ରାଜମାତାରୁ ଲୋକମାତା ଆସନକୁ ଶ୍ରେୟ ମଣିଥିବା ଏଭଳି ଜଣେ ମହିଳାଙ୍କ ନେତୃତ୍ୱ ଓ କର୍ତ୍ତୃତ୍ୱ ଆଜି ଆମ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।
ଆଡଭୋକେଟ, ଖଟବିନସାହି, କଟକ, ମୋ-୯୪୩୭୦୧୬୩୮୪
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।