- ରୁଦ୍ର ପ୍ରସନ୍ନ ରଥ
ସକାଳୁ ସକାଳୁ ସ୍କୁଲ ଯାଉଥିବା ପିଲା ବହି ବସ୍ତାନି ଧରି ଘରୁ ସ୍କୁଲ ଅଭିମୁଖେ ବାହାରିଯାଏ। ପିଲାଟି ସ୍କୁଲରେ ପହଁଚିଲା ମାତ୍ରେ ବ୍ୟାଗରୁ ବହି କାଢ଼ି ଆଉ ଶ୍ରେଣୀରେ ମନରୁ ପ୍ରଶ୍ନ କାଢ଼ି ଶିକ୍ଷକଙ୍କ ଆଗରେ ଥୋଇଦିଏ। ପିଲାର ପ୍ରଶ୍ନର ଉତ୍ତର ଶିକ୍ଷକମାନେ ବେଶ୍ ସହଜରେ ବୁଝାଇ ଦିଅନ୍ତି। ଏମିତି ପ୍ରଶ୍ନ ଆଉ ଉତ୍ତର ଦିଆନିଆ ଭିତରେ ସ୍କୁଲ ସରିବାର ଘଂଟି ବାଜେ। ଶିକ୍ଷକ ଆଉ ସାଂଗକୁ ଅଲବିଦା ଜଣାଇ ସ୍କୁଲର ସ୍ମୃତି ସବୁକୁ ମନର ସିନ୍ଦୁକରେ ପୂରାଇ ତାଲା ପକାଇ ପିଲା ବହି ବସ୍ତାନି ଧରି ଘରକୁ ଫେରିବାକୁ ପ୍ରସ୍ତୁତ ହୁଏ। ସମୟ ସରିବା ସରିବା ହେଉଥାଏ, ଆଉ ଏଇ ସମୟରେ ତା କଅଁଳ କାନ୍ଧ ଉପରେ ଲଦି ଦିଆଯାଏ ଗୋଟିଏ ପରେ ଗୋଟିଏ ବିଷୟ। ଘରେ ପଢ଼ିବା ପାଇଁ ଶିକ୍ଷକମାନେ ଦେଇଥାଆନ୍ତି ପାଠ ସବୁ। କେତେବେଳେ ଇଂରାଜୀ ରଚନା ଲେଖିବା ପାଇଁ ତାଗିଦା ତ ଆଉ କେତେବେଳେ ବିଜ୍ଞାନ ପାଠର ବିଷୟବସ୍ତୁକୁ ପଢ଼ି ଘୋଷି ଆସିବାର କଡ଼ା ନିର୍ଦ୍ଦେଶନାମା। ସାହିତ୍ୟ ଦିଦି ଆଉ ଗଣିତ ଶିକ୍ଷକ ବି ପଛରେ ରୁହନ୍ତି ନାହିଁ। ସବୁ କିଛି ନା କିଛି ବିଷୟବସ୍ତୁ ପିଲାଙ୍କୁ କରି ଆଣିବାକୁ ତାଗିଦା କରିଥାଆନ୍ତି। ପିଲାଟି ଫେରିଲାବେଳେ ଆଜି ଦିନଟି କିପରି କଟିଲା ତାହା ବୁଝିବା ଆଗରୁ ଆସନ୍ତା କାଲିର ପାଠକୁ ନେଇ ଶଙ୍କାଗ୍ରସ୍ତ ହୋଇ ପଡୁଥାଏ। ପାଠ ନ କରି ପାରିଲେ ତା ମାନସ ପଟଳରେ ତା ପ୍ରିୟ ଶିକ୍ଷକମାନଙ୍କ ଚେହେରା ତାକୁ ବେଶ୍ ଭୟ ଆଣି ଦେଉଥାଏ।
ସ୍କୁଲରୁ ପିଲା ଘରକୁ ଯେଉଁ ପାଠ ଆଣିକି ଆସେ ତାକୁ ଇଂରାଜୀରେ ହୋମୱାର୍କ କୁହନ୍ତି। ଓଡ଼ିଆ ମାଧ୍ୟମ ଅପେକ୍ଷା ଇଂରାଜୀ ମାଧ୍ୟମର ଶିକ୍ଷା ବ୍ୟବସ୍ଥାରେ ଏହି ହୋମୱାର୍କ ଶବ୍ଦ ଯେତିକି ପ୍ରଚଳିତ ବେଶ୍ ଭୀତିପ୍ରଦ। ଏହି ହୋମୱାର୍କ ପାଇଁ ପିଲାର ମା’କୁ ପିଲା ପାଖରେ ଦିନ ରାତି ବସିବାକୁ ପଡ଼େ। ପିଲା କେତେବେଳେ ଦିନକୁ ସ୍କୁଲ ବାଦ୍ ୪ରୁ ୬ ଘଂଟା ପଢ଼ିବାକୁ ପଡ଼େ ତ ଆଉ କେତେବେଳେ ପିଲାର ବାପା ତା ପାଇଁ ବଜାରରୁ ଖାତା, କଲମ, କାଗଜ କିଣି କିଣି ବ୍ୟସ୍ତ ବିବ୍ରତ ହୋଇପଡ଼େ। ଏପଟେ ପିଲାର ଖାଇବା ପିଇବା ଠିକ୍ ଠାକ୍ ନଥାଏ। ଘରେ ପହଁଚି କଣ ଗଣ୍ଡେ ଖାଇଦେଇ ପିଲାଟି ତା କାମରେ ଲାଗିଯାଏ। ଦିନକୁ ୨୦ରୁ ୩୦ ପୃଷ୍ଠା ଲେଖା ଆଉ ପଢ଼ିବା ଭିତରେ ପିତାମାତାଙ୍କୁ ଲାଗେ ଯେପରି ସ୍କୁଲଟା ଘରର ଶୟନ କକ୍ଷକୁ ଉଠି ଆସିଛି। ପିଲା ଖେଳିବାକୁ ସମୟ ପାଏନି। ବିଶ୍ରାମ ନେବା ପାଇଁ ଅବସର ପାଏନାହିଁ। ହୋମୱାର୍କ ବାହାନାରେ ଘରର ମୁରବୀମାନେ ତାର ଖେଳ କୁଦ, ଧାଁ ଧଉଡ଼, ବୁଲାବୁଲି ଉପରେ କଟକଣା ଲଗାଇ ଦିଆଯାଏ। ଏମିତି ଅନେକ ସମୟରେ ହୋଇଛି ଯେ ପିଲା ଘରେ ହୋମୱାର୍କ କରିବାକୁ ଉପଭୋଗ କରୁନଥିଲେ ମଧ୍ୟ ତା ଉପରେ ଜୋର କରି ଏହାକୁ ଲଦି ଦିଆଯାଏ। ପିତାମାତାଙ୍କ ପାଖରେ ସମୟର ଅଭାବ ହେଉ କିମ୍ବା ପିଲାର ନିଜର ଆନ୍ତରିକତାର ଅଭାବ ହେଉ ଅନେକ ସମୟରେ ପିଲା ନିଜର ହୋମୱାର୍କ ସାରି ନ ପାରି ତା ପରଦିନ ସ୍କୁଲ ଯିବାବେଳେ ଆଶଙ୍କିତ ଥାଏ।
ହୋମୱାର୍କକୁ ନେଇ ଆଲୋଚନା କଲାବେଳେ ଗୋଟିଏ କଥା ଆମେମାନେ ଭୁଲିଯାଉ ଯେ ଶୈଶବରେ ଖେଳିବା ପିଲାଙ୍କର ଏକ ମୌଳିକ ଆବଶ୍ୟକତା। ପିଲାଙ୍କୁ ଖେଳିବା, ସାଙ୍ଗହେବା ଏବଂ ଅବସର ସମୟ କାଟିବାର ପର୍ଯ୍ୟାପ୍ତ ସୁଯୋଗ ପିଲାଙ୍କୁ ମିଳିବା ଉଚିତ୍। ଏହା ପିଲାଙ୍କୁ ତାଜା ରଖିବା ସହ ପିଲାଙ୍କର ଅନେକ ମାନସିକ ଏବଂ ଶାରୀରିକ ଆବଶ୍ୟକତା ପୂରଣ କରିଥାଏ। ଅଥଚ ଭାରୀ ହୋମୱାର୍କ ପିଲାଙ୍କୁ ଏହିସବୁ ସୁଯୋଗରୁ ବଂଚିତ କରିଥାଏ। ଖେଳିପାରୁ ନଥିବା ପିଲା ବାହାରକୁ ରୋବଟ୍ ପରି ଅନେଇ ଉଦାସ ମନରେ ହୋମୱାର୍କ କରିବାକୁ ବାଧ୍ୟ ହୋଇଥାଏ। ଆଗକୁ ଏହା ପିଲାର ଭବିଷ୍ୟତକୁ ମଧ୍ୟ ପ୍ରଭାବିତ କରିବାର ଆଶଙ୍କା ଥାଏ। ଦେଖାଯାଉଛି ଯେ ଅଷ୍ଟମ ଶ୍ରେଣୀର ପିଲା ବି ଦିନକୁ ୩ରୁ ୪ ଘଂଟା ସମୟ କେବଳ ହୋମୱାର୍କ ପାଇଁ ଦେଇଥାଏ।
ଏକଥା ସ୍ୱୀକାର୍ଯ୍ୟ ଯେ ହୋମୱାର୍କ ଦ୍ୱାରା ପିଲାଙ୍କର ମାନସିକତା ଦୃଢ଼ ହୋଇଥାଏ। ପିଲାମାନେ ଶିକ୍ଷାକୁ ଅଧିକ ଆଗ୍ରହର ସହ ମନେ ରଖି ପାରନ୍ତି। ଏହା ପିଲା ଏବଂ ପିତାମାତାଙ୍କ ମଧ୍ୟରେ ସଂପର୍କ ଦୃଢ଼ କରିଥାଏ। ପିତାମାତାମାନେ ପିଲାର ଦାୟିତ୍ୱକୁ ଗୁରୁତର ସହ ଗ୍ରହଣ କରିଥାଆନ୍ତି। ଏହା ଯେ ଗୋଟିଏ ଶୈକ୍ଷିକ ଆବଶ୍ୟକତା ତାହା ସମସ୍ତେ ମାନିଥାନ୍ତି। ତେବେ ହୋମୱାର୍କ ଯଦିଓ ପିଲାର ଆବଶ୍ୟକତା ଏବଂ ଏହା ନକଲେ ପିଲା ଶିକ୍ଷାକ୍ଷେତ୍ରରେ ଆଗେଇ ପାରିବ ନାହିଁ ତେବେ ଏହା ଉପରେ ନିୟନ୍ତ୍ରଣ ରହିବା ନିହାତି ଦରକାର। ଏପରି ସ୍ଥିତିରେ ପିଲା, ଶିକ୍ଷକ ଏବଂ ପିତାମାତା ମିଶି ହୋମୱାର୍କର ସ୍ଥିତି ଏବଂ ପରିମାଣ ସ୍ଥିର କରିବା ଉଚିତ୍। ଏ ନେଇ ଅନେକ ଅଧ୍ୟୟନ ବି ହୋଇଛି। ପିଲା କେତେ ସମୟ ହୋମ ୱାର୍କ କରିବା କଥା ସେଥିପାଇଁ ଅଧ୍ୟୟନ ଅନୁଯାୟୀ ସମୟ ନିର୍ଦ୍ଧାରଣ କରାଯିବା କଥା। ପ୍ରଥମ ଶ୍ରେଣୀର ପିଲା ୧୦ ମିନିଟ୍ ଦ୍ୱିତୀୟ ଶ୍ରେଣୀର ପିଲା ୨୦ ମିନିଟ୍ ଏବଂ ଦ୍ୱାଦଶ ଶ୍ରେଣୀର ପିଲା ସର୍ବାଧିକ ୧୨୦ ମିନିଟ୍ ଯାଏ ହୋମୱାର୍କ କରିବା କଥା। ତେବେ ଏ ନେଇ ସମସ୍ତେ ସେପରି ଚିନ୍ତା କରୁନାହାନ୍ତି ଯେପରି ଚିନ୍ତା କରିବା କିମ୍ବା ପିଲାମାନଙ୍କ ପ୍ରତି ଯତ୍ନଶୀଳ ହେବା କଥା। ପିଲାମାନେ ଶିକ୍ଷକଙ୍କ ଭୟରେ, ପିତାମାତାମାନେ ସ୍କୁଲ ପରିଚାଳନା କର୍ତ୍ତୃପକ୍ଷଙ୍କ ଭୟରେ ଚୁପ୍ ରହୁଥିବାରୁ ହୋମୱାର୍କର ଜାଲରୁ ପିଲାମାନଙ୍କୁ ବାହାର କରି ହେଉ ନାହିଁ। ଏ ଦିଗରେ ସମସ୍ତେ ମିଶିକରି କାମ କଲେ ହିଁ କିଛି ଗୋଟିଏ ସମାଧାନର ରାସ୍ତା ବାହାରି ପାରିବ ବୋଲି ଆଶା କରାଯାଇ ପାରିବ।
ଧବଳଗିରି, ଯାଜପୁର ରୋଡ
ଫୋ- ୭୯୭୮୬୭୧୭୭୬