ଖଣି ଦୁର୍ନୀତିର ନୂଆ କୌଶଳ!

ଦେବେନ୍ଦ୍ର ପୃଷ୍ଟି ଟଙ୍କାଏରେ କିଣି ଟଙ୍କାଏ ଉପରେ ବିକିଲେ ଅଧିକ ପାଉଥିବା ପଇସା ଲାଭରେ ଗଣା ହୁଏ। କିନ୍ତୁ ଯଦି ଟଙ୍କାକରେ ବିକ୍ରି କରି ତା’ ଉପରେ ଟଙ୍କାକରୁ ଅଧିକ ମୂଲ୍ୟ ସରକାରଙ୍କୁ ପାଉଣା ଦିଆଯାଏ ତେବେ ଲାଭ କ’ଣ ହେବ? ସାଧାରଣ ବେପାରୀଙ୍କ ମୁଣ୍ଡରେ ଏ ହିସାବ ପଶିବ ନାହିଁ। କିନ୍ତୁ ଖଣି ସହିତ ଜଡ଼ିତ ‘ଅସାଧାରଣ ବେପାରୀ’ମାନେ ଭଲ ଭାବରେ ଜାଣନ୍ତି ଟଙ୍କାଏରେ ବିକି ତା’ଠୁଁ ଅଧିକ ପାଉଣା ଦେଲା ପରେ ବି ହଜାର […]

j-9876-1

Debendra Prusty
  • Published: Monday, 03 February 2020
  • , Updated: 03 February 2020, 07:13 PM IST

ଦେବେନ୍ଦ୍ର ପୃଷ୍ଟି

ଟଙ୍କାଏରେ କିଣି ଟଙ୍କାଏ ଉପରେ ବିକିଲେ ଅଧିକ ପାଉଥିବା ପଇସା ଲାଭରେ ଗଣା ହୁଏ। କିନ୍ତୁ ଯଦି ଟଙ୍କାକରେ ବିକ୍ରି କରି ତା’ ଉପରେ ଟଙ୍କାକରୁ ଅଧିକ ମୂଲ୍ୟ ସରକାରଙ୍କୁ ପାଉଣା ଦିଆଯାଏ ତେବେ ଲାଭ କ’ଣ ହେବ? ସାଧାରଣ ବେପାରୀଙ୍କ ମୁଣ୍ଡରେ ଏ ହିସାବ ପଶିବ ନାହିଁ। କିନ୍ତୁ ଖଣି ସହିତ ଜଡ଼ିତ ‘ଅସାଧାରଣ ବେପାରୀ’ମାନେ ଭଲ ଭାବରେ ଜାଣନ୍ତି ଟଙ୍କାଏରେ ବିକି ତା’ଠୁଁ ଅଧିକ ପାଉଣା ଦେଲା ପରେ ବି ହଜାର ହଜାର କୋଟି ଟଙ୍କାର ଲାଭ ହେବ। ତେଣୁ ସେମାନେ ଓଡ଼ିଶାର ବହୁ ବଡ଼ ବଡ଼ ଖଣି ନିଲାମ ପ୍ରକ୍ରିୟାରେ ନେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହି ପ୍ରକ୍ରିୟାରେ ଆର୍ସେଲର ମିତ୍ତଲ ଠାକୁରାଣୀ ଲୁହା ପଥର ଖଣି ନିଲାମରେ ପାଇଛି। ଜେଏସଡବ୍ଲ୍ୟୁ କମ୍ପାନୀ ନୂଆଗାଁ ଓ ନାରାୟଣପୋଷି ଲୁହା ଖଣି ନିଲାମରେ ନେଲା। ଅନ୍ୟ ବହୁ କମ୍ପାନୀ ଅନ୍ୟ ବହୁ ଖଣି ପାଇଁ ନିଲାମରେ ଭାଗ ନେଇଛନ୍ତି। ନିଲାମ ଶେଷରେ ବି ସାଧାରଣ ଲୋକଟିଏ ବୁଝିପାରିବ ନାହିଁ ଯେ କାହାର ଲାଭ କାହାର କ୍ଷତି?

ଓଡ଼ିଶା ସରକାରଙ୍କ ଖଣି ବିଭାଗ ତରଫରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ ଆର୍ସେଲର ମିତ୍ତଲ ଇଣ୍ଡିଆ କମ୍ପାନୀ ଠାକୁରାଣୀ ଖଣି ନିଲାମ ପାଇଲା। ନିଲାମ ପାଇବାକୁ ଏହି କମ୍ପାନୀ ଖଣିଜ ବିକ୍ରି ମୂଲ୍ୟର ୧୦୭.୫୫ ପ୍ରତିଶତ ଦେବ। ଏଇ ସର୍ତ୍ତରେ ହିଁ କମ୍ପାନୀ ସପକ୍ଷରେ ନିଲାମ ପ୍ରକ୍ରିୟା ତୁଟିଛି। କେବଳ ଏତିକି ନୁହେଁ, କମ୍ପାନୀ କେବଳ ବିକ୍ରିମୂଲ୍ୟର ୧୦୭.୫୫ ପ୍ରତିଶତ ଦେବ ନାହିଁ, ଏହା ସହିତ ଜିଲ୍ଲା ଖଣିଜ ପାଣ୍ଠି ଓ ଅନ୍ୟାନ୍ୟ ଟିକସ ମଧ୍ୟ ଦେବ। ଏସବୁ ମିଶିଲେ ଆର୍ସେଲର ମିତ୍ତଲ ଟଙ୍କାକରେ ବିକ୍ରି କରିବାକୁ ଥିବା ଲୁହା ପଥର ଉପରେ ଟଙ୍କେ ଚାରଣା ଉପରେ ପାଉଣା ପଇଠ କରିବ। ଠିକ ସେହିପରି ନୂଆଗାଁ ଓ ନାରାୟଣିପୋଷି ଖଣି ପାଇଁ ଜେଏସଡବ୍ଲ୍ୟୁ କମ୍ପାନୀ ମଧ୍ୟ ବିକ୍ରି ମୂଲ୍ୟର ଯଥାକ୍ରମେ ୯୭ ଓ ୯୫ ପ୍ରତିଶତ ପଇଠ କରିବ। ଏହା ବାଦ ଅନ୍ୟାନ୍ୟ ଟିକସ ଓ ଜିଲ୍ଲା ଖଣିଜ ପାଣ୍ଠିର ଦେୟ। ତେବେ, କମ୍ପାନୀର ଲାଭ ହେବ କ’ଣ? ବିନା ଲାଭରେ କ’ଣ କମ୍ପାନୀସବୁ ଓଡ଼ିଶା ଖଣି ନିଲାମ ନେବେ?

ପୂର୍ବରୁ ଖଣି ସବୁ ଲିଜ୍‌ରେ ଦିଆଯାଉଥିଲା। କମ୍ପାନୀ ଯେତିକି ଖଣିଜ ଖୋଳି ବିକ୍ରି କରୁଥିଲା ବିକ୍ରି ମୂଲ୍ୟ ଉପରେ ନିର୍ଦ୍ଧାରିତ ରାଜଭାଗ ବା ରୟାଲ୍ଟି ପଇଠ କରୁଥିଲା। ରାଜଭାଗ ହାର କେବେ ବି ଶତ ପ୍ରତିଶତ ଧାର୍ଯ୍ୟ ହୋଇନାହିଁ। ଏହାର ସର୍ବାଧିକ ହାର ୨୫-୪୦ ପ୍ରତିଶତ ମଧ୍ୟରେ ସୀମୀତି ଥିଲା। ଏବେ ନିଲାମ ପ୍ରକ୍ରିୟାରେ କମ୍ପାନୀଗୁଡ଼ିକ ବିକ୍ରିମୂଲ୍ୟଠାରୁ ଅଧିକ ଟଙ୍କା ସରକାରଙ୍କୁ ଦେବେ ବୋଲି ପ୍ରତିଶ୍ରୁତି ଦେଇ ଖଣି ନିଲାମ ଧରୁଛନ୍ତି। ତେଣୁ ସ୍ୱାଭାବିକ ଭାବେ ସନ୍ଦେହ ହେଉଛି ଯେ କମ୍ପାନୀଗୁଡ଼ିକ ବିକ୍ରିମୂଲ୍ୟରେ କିଛି ତଞ୍ଚକତା କରିବେ କି? ନହେଲେ ବିକ୍ରିମୂଲ୍ୟରୁ ଅଧିକ ସରକାରଙ୍କୁ ଦେବେ କେମିତି? କେଉଁଠୁଁ ଆଣି? ଜମିବାଡ଼ି ବନ୍ଧା ପକେଇ ନା କାରଖାନା ବିକ୍ରିକରି?

ସାଜନ ଜିନ୍ଦଲଙ୍କ ଜେଏସଡବ୍ଲ୍ୟୁ କମ୍ପାନୀ ଏଯାଏଁ ଓଡ଼ିଶାରେ କୌଣସି କାରଖାନା କରିନାହିଁ। ସେହିପରି ଆର୍ସେଲର ମିତ୍ତଲ ମଧ୍ୟ ଓଡ଼ିଶାରେ କାରଖାନା ଖୋଲିନାହିଁ। ପୂର୍ବରୁ ଲକ୍ଷ୍ମୀ ମିତ୍ତଲଙ୍କ ଆର୍ସେଲର ମିତ୍ତଲ କେନ୍ଦୁଝରର ପାଟଣାରେ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ଓଡ଼ିଶା ସରକାରଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା। ମାତ୍ର, ଓଡ଼ିଶା ସରକାର ଜମି ଅଧିଗ୍ରହଣ କରିପାରିଲେ ନାହିଁ। ତେଣୁ କମ୍ପାନୀ ସେହି ପ୍ରକଳ୍ପ ବାତିଲ କଲା। ଏବେ ଏସ୍‌ସାର ଷ୍ଟିଲକୁ ଆର୍ସେଲର ମିତ୍ତଲ କିଣିବ। ଏସ୍‌ସାର ଷ୍ଟିଲର ପାରାଦୀପରେ ଗୋଟିଏ ପେଲେଟ କାରଖାନା ଅଛି। ଆର୍ସେଲର ମିତ୍ତଲ ସେହି ପେଲେଟ କାରଖାନା ପାଇଁ ଖଣିଜ ବ୍ୟବହାର କରୁଛି ବୋଲି କହି ଧୂସର ବଜାରରେ ଚଢ଼ା ଦରରେ ଲୁହା ପଥର ବିକିବାରେ କିଛି ଅସୁବିଧା ନାହିଁ, ଯଦି ସରକାରୀ କଳ ଲାଞ୍ଚ ନେଇ ନିଷ୍କ୍ରିୟ ରହେ। ଠିକ ସେହିପରି ଜେଏସଡବ୍ଲ୍ୟୁ ପାରାଦୀପର ପୋସ୍କୋ ଜମିରେ ଏକ ଷ୍ଟିଲ କାରଖାନା କରିବାକୁ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଜମି ପୂର୍ବରୁ ଅଧିଗୃହୀତ ହୋଇସାରିଛି। ଯେଉଁ ସ୍ଥାନୀୟ ଲୋକମାନେ ପୋସ୍କୋ କାରଖାନାକୁ ବିରୋଧ କରୁଥିଲେ ସେମାନେ ଜେଏସଡବ୍ଲ୍ୟୁ ପ୍ରକଳ୍ପକୁ ମଧ୍ୟ ବିରୋଧ କରୁଛନ୍ତି। କିନ୍ତୁ ଓଡ଼ିଶା ସରକାର ପୋସ୍କୋ ପାଇଁ ଯେମିତି ଅଣ୍ଟା ଭିଡ଼ି ନଥିଲେ ଏବେ ଜେଏସଡବ୍ଲ୍ୟୁ ପାଇଁ ପୂରା ଦମ୍‌ ଲଗେଇ ଦେଇଥିବାରୁ ସେଠାରେ କାରଖାନା ହୋଇପାରେ ବୋଲି ଅନୁମାନ କରାଯାଉଛି। ସେସ୍ଥଳେ ଜେଏସଡବ୍ଲ୍ୟୁ ଯେଉଁ ଦୁଇଟି ଖଣି ନିଲାମ ପ୍ରକ୍ରିୟାରେ ପାଇଛି ତାହାର ଖଣିଜ ପଦାର୍ଥ ନିଜ କାରଖାନାରେ ଲଗେଇ ପାରେ। ଯେଉଁମାନେ ନିଜ କାରଖାନାରେ ଖଣିଜ ପଦାର୍ଥକୁ କଞ୍ଚାମାଲ ଭାବେ ବ୍ୟବହାର କରୁଛନ୍ତି ବୋଲି ଦର୍ଶାଇବେ ସେମାନେ ଖୋଲା ବଜାର ଦରରେ ଖଣିଜ କିଣୁଥିବା ଦର୍ଶାଇବେ କି ଆପୋଷ ବୁଝାମଣା ଦର ଦର୍ଶାଇବେ ତାହା ଦେଖିବାର କଥା।

ନିୟମ ଅନୁସାରେ ଭାରତ ସରକାରଙ୍କ ଇଣ୍ଡିଆନ୍‌ ବ୍ୟୁରୋ ଅଫ୍‌ ମାଇନ୍ସ ଖଣିଜ ପଦାର୍ଥର ଦର ଧାର୍ଯ୍ୟ କରିଥାଏ। ବଡ଼ବଡ଼ କମ୍ପାନୀ ଯେଉଁ ଦରରେ କିଣନ୍ତି ତାହାର ଏକ ହାରାହାରି ବାହାର କରି ଦର ଧାର୍ଯ୍ୟ ହୋଇଥାଏ। ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ଲୁହା ପଥର, ମାଙ୍ଗାନିଜ, କ୍ରୋମ ଓ ବକ୍ସାଇଟ ଆଦି ଖଣିଜ ପଦାର୍ଥ କେଉଁ ଦରରେ ବିକ୍ରି ହୁଏ ତାହା କାହାକୁ ଅମାଲୁମ ନାହିଁ। ଆଜିକାର ଇଣ୍ଟର୍ନେଟ ଯୁଗରେ ଖଣିଜ ପଦାର୍ଥର ଦର ଲୁଚି ରହିନି। ଏବେ ଉନ୍ନତ ମାନର ଲୁହା ପଥର ଦର ଟନ୍‌ ପିଛା ୪ ହଜାର ଟଙ୍କା। ମନେ କରନ୍ତୁ ଏଇ ଦରରେ ଆର୍ସେଲର ମିତ୍ତଲ ନିଲାମରେ ପାଇଥିବା ଖଣିର ଲୁହା ପଥର ବିକ୍ରି କରିବେ ତେବେ ସରକାରଙ୍କୁ ତାହାର ୧୦୭.୫୫ ପ୍ରତିଶତ ଅର୍ଥାତ ୪୨୦୦ରୁ ଅଧିକ ଟଙ୍କା ଦେବାକୁ ପଡ଼ିବ। ଏଥିରେ କମ୍ପାନୀର ଲାଭ କ’ଣ?

ଏଇ ପ୍ରଶ୍ନର ଉତ୍ତର ପାଇବାକୁ ଯେତେ ଲୋକଙ୍କୁ ଯୋଗାଯୋଗ କଲେ ଉତ୍ତର ମିଳୁଛି, ବଡ଼ କମ୍ପାନୀଗୁଡ଼ିକ ନିଜନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଟେଲ ବା ବ୍ୟାବସାୟିକ ଗୋଷ୍ଠୀ ଗଠନ କରିବେ ଓ ସମସ୍ତେ ମିଶି ଲୁହା ପଥର ଦର କମାଇଦେବେ। ଉଦାହରଣ ସ୍ୱରୂପ ଆର୍ସେଲର ମିତ୍ତଲ ଟନ୍‌ ପିଛା ୨ ହଜାର ଟଙ୍କାରେ ଜେଏସଡବ୍ଲ୍ୟୁରୁ ଲୁହା ପଥର କିଣିବ ଏବଂ ଜେଏସଡବ୍ଲ୍ୟୁ ମଧ୍ୟ ସେହି ଦରରେ ଅନ୍ୟ କୌଣସି କମ୍ପାନୀଙ୍କଠାରୁ କିଣିବ। ଏହିପରି ବଡ଼ ବଡ଼ କମ୍ପାନୀ ବଜାର ଦର ଅପେକ୍ଷା ଢେର କମ୍‌ ଦରରେ ଲୁହା ପଥର କିଣାବିକା କରିବେ। ଫଳରେ କମ୍‌ ବିକ୍ରି ଦର ଉପରେ ସରକାର ପାଉଣା ପାଇବେ। କିନ୍ତୁ ବାସ୍ତବରେ କମ୍ପାନୀଗୁଡ଼ିକ ବିକ୍ରି କରୁଥିବା ଲୁହା ପଥର ପାଇଁ ଅଧିକ ଦର ନଗଦ ଟଙ୍କା ଆକାରରେ ପାଇଯିବେ। ସେ ଟଙ୍କାର ହିସାବ ସରକାରଙ୍କୁ ଦେଖାଯାଉଥିବା ଖାତାରେ ଚଢ଼ିବ ନାହିଁ। ଲାଭର ଏହା ଗୋଟିଏ ବାଟ।

ଅନ୍ୟ ବାଟଟି ହେଲା, ଓଡ଼ିଶାରେ ଯାହା ଏଯାବତ ଚାଲି ଆସିଛି। କମ୍ପାନୀ ଲିଜ୍‌ ନେବ ଗୋଟେ ଖଣି, ଖୋଳିବ ଆଉ ଗୋଟିଏ ଜାଗାରେ, ଖୋଳିବ ଅଧିକ, ବିକିବ କମ୍‌। ଏଭଳି ଅବୈଧ ବା ଚୋରା କାରବାରରେ ସରକାରୀ କର୍ମଚାରୀମାନେ ସହଯୋଗ କରିଛନ୍ତି, ଆଗକୁ ମଧ୍ୟ କରିବାରେ ବିଶେଷ କିଛି ଅସୁବିଧା ନାହିଁ। କାରଣ ଓଡ଼ିଶାର ସଂଖ୍ୟାଧିକ ଜନତା ଖଣିଲୁଟ୍‌ ବିଷୟ ବୁଝନ୍ତି ନାହିଁ। ସେଭଳି କ୍ଷେତ୍ରରେ ନିଲାମଧାରୀ ଖଣି କମ୍ପାନୀ ଅଧିକ ଖଣିଜ ପଦାର୍ଥ ବିକ୍ରି କଲେ ବି କମ୍‌ ଦର୍ଶାଇବ। ସେଥିରେ ତାହାର ଲାଭ। ସେହିପରି ନିଜ ଖଣିର ଭଣ୍ଡାର ଅକ୍ଷତ ରଖି ପାଖ ଖଣି ଖୋଳି ଶେଷ କରିଦେବ, ତାହାକୁ ହିସାବରେ ଦର୍ଶାଇବ ନାହିଁ। ସେଥିରେ ମଧ୍ୟ କମ୍ପାନୀର ଲାଭ। ଏସବୁ ଲାଭ ଅବଶ୍ୟ ଅବୈଧ। ଚୋରାରେ ଚୋରାରେ ସବୁ ଚାଲିବ। ନେତା ଓ ବାବୁମାନଙ୍କର ପୂର୍ବପରି ହାତଚିକ୍କଣ ହୋଇଚାଲିବ, ଯେମିତି ଏବେ ବି ଚାଲିଛି। ହାଇ କୋର୍ଟ ଓ ସୁପ୍ରିମ କୋର୍ଟ ମାମଲା ସତ୍ତ୍ୱେ ଓଡ଼ିଶାରେ ଏଭଳି ଖଣିଜ ପଦାର୍ଥ ହରିଲୁଟ୍‌ ବନ୍ଦ ହୋଇନାହିଁ। ନିଲାମ ଜରିଆରେ ଅଧିକ ହେବ ବୋଲି ଏଇ ଗୋଟିଏ ହିସାବରୁ ସନ୍ଦେହ କରାଯାଉଛି। କ’ଣ ହେବ ଆଗକୁ ତାହା ଅଧିକ ସ୍ପଷ୍ଟ ହେବ।

Related story