ଦେବ ରଞ୍ଜନ
ଗଲା ତିନି ମାସରେ କେନ୍ଦ୍ରରେ ଓ ରାଜ୍ୟରେ ତିନୋଟି ବିଲ୍ ପାସ ହୋଇଛି। ସେହି ତିନୋଟି ହେଲା, କେନ୍ଦ୍ର ସରକାରଙ୍କ ଦ୍ଵାରା ଜଙ୍ଗଲ ସଂରକ୍ଷଣ ସଂଶୋଧନ ଆଇନ ଓ ରାଜ୍ୟ ସରକାରଙ୍କ ଦ୍ଵାରା ଭୂ ସଂସ୍କାର ସଂଶୋଧନ ଆଇନ ତଥା ଜମି ଅଧିଗ୍ରହଣ ସଂଶୋଧନ ଆଇନ।
ଅଦ୍ଭୁତ ସାମଞ୍ଜସ୍ୟ ଏହା ଭିତରେ ରହିଛି ଯେ ଲୋକସଭା ଓ ବିଧାନସଭାରେ ଏହି ତିନୋଟି ଆଇନ ପାସ ହେବାର ପ୍ରକ୍ରିୟା ସମାନ। ଏହି ବିଲ ଉପସ୍ଥାପନ ସମୟରେ ବିରୋଧୀ ଦଳ ନିଜର ଆଖିଦୃଶିଆ ଉପସ୍ଥିତି ଜାହିର ନକରିବା ଅଥବା ନକରିପାରିବା ଓ ସମ୍ପର୍କରେ କୌଣସି ଆଲୋଚନା ନହୋଇ ଗଣ୍ଡଗୋଳିଆ ସ୍ଥିତିର ଫାଇଦା ସରକାର ନେବା ଓ ଆଇନରେ ପରିଣତ କରିଦେବା।
ଏହି ତିନି ଆଇନର ସାମଞ୍ଜସ୍ୟ ହେଲା ଯେ ଉକ୍ତ ତିନି ଆଇନ ଜରିଆରେ ମୂଳ ଆଇନର ସଂଶୋଧନ କରାଯାଇଛି। ଏହି ସଂଶୋଧନର ମୂଳ ଉଦ୍ଦେଶ୍ୟ ହେଉଛି ଯେ ସମସ୍ତ ତିନି ଆଇନ ପରୋକ୍ଷରେ କମ୍ପାନୀଙ୍କ ଉପସ୍ଥିତିକୁ ଜଙ୍ଗଲ ଓ ନିଜସ୍ଵ ଜମି ଉପରେ ମଜଭୁତ କରୁଛି। ଉକ୍ତ ତିନି ଆଇନରେ ଲୋକଙ୍କ ମତ ନେବାର ପ୍ରାବଧାନ ଯାହା ପୁରୁଣା ଆଇନରେ ରହିଥିଲା ତାହାକୁ ବାଦ ଦିଆଯାଇଛି।
ସଂସଦ ଓ ବିଧାନସଭା ଅଚଳ ଓ ବିଲ୍ ପାସ ବୃତ୍ତାନ୍ତ
ବିରୋଧୀ ଦଳ ଗଲା ଜୁଲାଇ ୨୦୨୩ ମସିହାରେ ସଂସଦକୁ ଏକ ପ୍ରକାରର ଅଚଳ ଅବସ୍ଥାକୁ ନେଇ ଆସିଥିଲେ। ସେମାନଙ୍କ ଦାବି ଥିଲା ଯେ ପ୍ରଧାନମନ୍ତ୍ରୀ ମଣିପୁର ସନ୍ଦର୍ଭରେ ନିଜର ବକ୍ତବ୍ୟ ରଖନ୍ତୁ। ଠିକ ଏହି ସମୟରେ କେନ୍ଦ୍ର ସରକାର ନୂତନ ଜଙ୍ଗଲ ଆଇନ ଉପସ୍ଥାପନ କରିଥିଲେ।
ଏହା କ’ଣ ବିଶ୍ଵାସଯୋଗ୍ୟ ଯେ ବିରୋଧୀ ଦଳ ଆଦୌ ଉକ୍ତ ବିଲ୍ ସମ୍ବନ୍ଧରେ ଅବଗତ ନଥିଲେ? ମଣିପୁର ସନ୍ଦର୍ଭରେ ପ୍ରଧାନମନ୍ତ୍ରୀ ଦୀର୍ଘ କାଳ ଚୁପ ରହିଥିଲେ। ସେହି ଭିତରେ ସରକାର ବିଲ୍ ଉପସ୍ଥାପନ କରିଥିଲେ ଓ ସମଗ୍ର ବିରୋଧୀ ଦଳ ନୂତନ ଜଙ୍ଗଲ ଆଇନ ସମ୍ପର୍କରେ ଚୁପ ରହିବାର ନିଷ୍ପତ୍ତି ନେଇଗଲେ। ଏ ସମ୍ପର୍କରେ କୌଣସି ଆଲୋଚନା ନହୋଇ ଉକ୍ତ ବିଲ୍ ପାସ୍ ହୋଇଗଲା।
ଜଙ୍ଗଲ ବିଲ ସଂସଦରେ ଦ୍ଵିତୀୟ ଥର ଲାଗି ଉପସ୍ଥାପିତ ହେବା ପୂର୍ବରୁ ସମୀକ୍ଷା ଲାଗି ବିଜେପି ସାଂସଦ ରାଜେନ୍ଦ୍ର ଅଗ୍ରୱାଲଙ୍କ ସଭାପତିତ୍ଵରେ ଯୁଗ୍ମ ସଂସଦ କମିଟି ଗଠିତ ହୋଇ ତାହା ନିକଟକୁ ପଠାଯାଇଥିଲା। କମିଟିରେ ରହିଥିବା ବିରୋଧୀ ଦଳ ସଦସ୍ୟଙ୍କ କୌଣସି ମତାମତକୁ କମିଟିର ଅନ୍ତିମ ରିପୋର୍ଟରେ ଗ୍ରହଣ କରାଯାଇ ନଥିଲା। ଜଙ୍ଗଲ ସଂଶୋଧନ ବିଲ୍ ଯେବେ ଲୋକସଭାରେ ଆଲୋଚନାରେ ଲାଗି ସରକାରଙ୍କ ଦ୍ଵାରା ଉପସ୍ଥାପିତ ହେଲା ସେତେବେଳେ ବାଚସ୍ପତ୍ତି ଶ୍ରୀ ଓମ ପ୍ରକାଶ ବିରଳା ଲୋକସଭାରେ ଅନୁପସ୍ଥିତ ରହିଥିଲେ। ସେତେବେଳେ ବିଜେପି ସାଂସଦ ତଥା ଯୁଗ୍ମ କମିଟି ସଭାପତି ରାଜେନ୍ଦ୍ର ଅଗ୍ରୱାଲ ବାଚସ୍ପତ୍ତିଙ୍କ ଦାୟିତ୍ଵ ତୁଲାଉଥିଲେ। ଏହା ହୁଏତ ସଂଯୋଗ ହୋଇପାରେ।
ଆଜି ସଂଶୋଧିତ ଜଙ୍ଗଲ ଆଇନ ବୃହତ କମ୍ପାନୀଙ୍କୁ ଦେଶର ବିକାଶ ଲାଗି ଅଳ୍ପ କିଛି ଅଞ୍ଚଳକୁ ବାଦ ଦେଇ ବାକି ସମସ୍ତ ଅଞ୍ଚଳକୁ ଅକ୍ତିଆର କରିବାର ପରୋକ୍ଷ ଅଧିକାର ଦେଇଦେଲା। କେନ୍ଦ୍ର ସରକାରଙ୍କ ଅନୁମୋଦନ ବ୍ୟତୀତ ଅନ୍ୟ କୌଣସି ପ୍ରତିବନ୍ଧକ ଏଥିରେ ରହିନାହିଁ, ଏପରିକି ରାଜ୍ୟ ସରକାରଙ୍କର ମଧ୍ୟ ନାହିଁ। ଲୋକଙ୍କ ଗୋଷ୍ଠୀଗତ ଅନୁମୋଦନ ତ ବହୁଦୂରରେ ରହିଗଲା।
ରାଜ୍ୟ ସରକାର ମଧ୍ୟ କେନ୍ଦ୍ରର କୌଶଳକୁ ଆପଣାଇଥିଲେ।
ଓଡ଼ିଶା ସରକାର ଗଲା ସେପ୍ଟେମ୍ବର ୨୭ ତାରିଖରେ ବିଧାନସଭା ଦ୍ଵାରା ‘ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଓ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ’ ବା ନୂତନ ଜମି ଅଧିଗ୍ରହଣ ଆଇନ ଓ ଜମି ସଂସ୍କାର ଆଇନକୁ ଅନୁମୋଦନ କରିଥିଲେ। ମନେଥିବ, ବିଧାନସଭା ବାଚସ୍ପତିଙ୍କ ଉପରକୁ ଡାଲି ‘ଫୋପାଡ଼ିବା କାରଣରୁ’ ବାଚସ୍ପତି ଦୁଇ ବିଜେପି ବିଧାନସଭା ସଦସ୍ୟ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗଙ୍କୁ ବହିଷ୍କାର କରିଥିଲେ। ଏହାର ପ୍ରତିବାଦରେ ସଦସ୍ୟମାନେ ବିଧାନସଭା ଅଚଳ କରିଥିଲେ। ଠିକ ସେହି ସମୟରେ ଉଭୟ ଜମି ଅଧିଗ୍ରହଣ ଆଇନ ଓ ଜମି ସଂସ୍କାର ଆଇନ କୌଣସି ଆଲୋଚନା ନହୋଇ ପାସ ହୋଇଥିଲା। ଏହା ପରେ ବିଧାନସଭା ବନ୍ଦ ହୋଇଯାଇଥିଲା ଓ ସଦସ୍ୟମାନେ ‘ବହିଷ୍କାର’କୁ ଆଉ ପ୍ରସଙ୍ଗ କରିନଥିଲେ।
ଜଙ୍ଗଲ ସଂରକ୍ଷଣ ଆଇନରେ ଜଙ୍ଗଲ ନାହିଁ
୧୯୮୦ ମସିହାରେ ଜଙ୍ଗଲ ସଂରକ୍ଷଣ ଆଇନ ଇନ୍ଦିରା ଗାନ୍ଧୀଙ୍କ ସମୟରେ ପ୍ରଣୀତ ହୋଇଥିଲା। ରାଜ୍ୟ ସରକାରମାନେ ମନଇଛା ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମି ବା ବିଭିନ୍ନ ବ୍ୟାବସାୟିକ ଓ ବ୍ୟକ୍ତିଗତ ଉଦ୍ଦେଶ୍ୟରେ ବ୍ୟବହାର ଲାଗି ଅନୁମତି ଦେଉଥିଲେ। ଏହାକୁ ନିୟନ୍ତ୍ରିତ କରିବା ଲାଗି ଜଙ୍ଗଲ ଆଇନ ୧୯୮୦ ମସିହାରେ ସଂସଦରେ ପାସ୍ କରାଯାଇଥିଲା। ଉକ୍ତ ଆଇନରେ ‘ଜଙ୍ଗଲ’ର ସଂଜ୍ଞାକୁ ଅଧିକ ସୀମିତ କରିଦିଆଯାଇଥିଲା। କେବଳ ସରକାରୀ କାଗଜରେ ଲିଖିତ ‘ଜଙ୍ଗଲ’କୁ ଉକ୍ତ ଆଇନରେ ଅନୁମୋଦନ କରାଯାଇଥିଲା।
୧୯୯୬ ମସିହାରେ ପ୍ରସିଦ୍ଧ ଗୋଦାବରମ ରାୟରେ ସୁପ୍ରିମ କୋର୍ଟ ‘ଜଙ୍ଗଲ’ର ଶବ୍ଦାର୍ଥ ବା ଡିକ୍ସିନାରୀ ଅର୍ଥକୁ ଗୁରୁତ୍ଵ ଦେଇ ରାୟ ଦେଇଥିଲେ। କୋର୍ଟ କହିଥିଲେ ଯେ ଜଙ୍ଗଲ ବା ଫରେଷ୍ଟ ଶବ୍ଦର ଅର୍ଥ ହେଲା ଯେ ଅନେକ ପ୍ରକାରର ବୃକ୍ଷ ଯେଉଁଠି ଆପେ ଆପେ ଜନ୍ମିତ ହୋଇଥିବେ ସେହି ଅଞ୍ଚଳକୁ ‘ଜଙ୍ଗଲ’ କୁହାଯିବ। ଏହି ସମସ୍ତ ଜଙ୍ଗଲ ଯଦି କୌଣସି ଅଣଜଙ୍ଗଲ (ଶିଳ୍ପ, କାରଖାନା, ଡ୍ୟାମ, ଅଫିସ, ଏପାର୍ଟମେନ୍ଟ ଇତ୍ୟାଦି) ପାଇଁ ବ୍ୟବହାର କରାଯାଏ ତେବେ ସ୍ଥାନୀୟ ଗ୍ରାମବାସୀଙ୍କ ଅନୁମୋଦନ ଜରୁରୀ।
୧୯୯୬ ମସିହା ପରଠାରୁ କୌଣସି ବି ଅଧିକ ବୃକ୍ଷ ରହିଥିବା ଅଞ୍ଚଳକୁ ଜଙ୍ଗଲର ମାନ୍ୟତା ଦିଆଗଲା ଓ ସେ ଅଞ୍ଚଳରେ କିସମ ପରିବର୍ତ୍ତନ କରାଗଲେ ଲୋକଙ୍କ ଅନୁମୋଦନ ଆବଶ୍ୟକ ହେଉଥିଲା। ସୁପ୍ରିମ କୋର୍ଟଙ୍କ ରାୟକୁ ପରିବର୍ତ୍ତନ କରିବା ଲାଗି କେନ୍ଦ୍ର ସରକାର ନୂତନ ଜଙ୍ଗଲ ଆଇନ ସଂଶୋଧନ କରିଛନ୍ତି। ନୂତନ ଆଇନରେ ଉଲ୍ଲେଖ ରହିଛି ଯେ ୧୯୯୬ ମସିହା ପୂର୍ବରୁ ଜଙ୍ଗଲର ଯେଉଁ ସ୍ଥିତି ଓ ସଂଜ୍ଞା ରହିଥିଲା ତାହା କାଏମ ରହିବ।
ଦେଶର ନିୟମଗିରି, ହିମାଳୟ, ଆରାବଳୀ ଭଳି ଅନେକ ସଂବେଦନଶୀଳ ଜଙ୍ଗଲ ଅଞ୍ଚଳ ରହିଛି ଯାହାର କିସମ ହୁଏତ ‘ଜଙ୍ଗଲ’ ନରହି, ସେହି ପାହାଡ଼ ନାମରେ, ସରକାରୀ ଜମି ଭାବରେ ଅଥବା ଗୋଷ୍ଠୀ ନାମରେ ନାମିତ ହୋଇଛି। ନିୟମଗିରିରେ ୯୫ ପ୍ରତିଶତ ଅଞ୍ଚଳ ‘ସରକାରୀ ଜମି’ ଆକାରରେ ଉଲ୍ଲେଖ ରହିଛି। ଏହା ଏବେ ବେଦାନ୍ତ କମ୍ପାନୀଙ୍କୁ ସାହାଯ୍ୟ କରିବ।
କେନ୍ଦ୍ର ସରକାରଙ୍କ ନୂତନ ଜଙ୍ଗଲ ସଂଶୋଧନ ଆଇନ ପାସ୍ ହେବା ମାତ୍ରେ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ନୂତନ ଆଇନ ଅନୁସାରେ ସମସ୍ତ ‘ବିକାଶ ପ୍ରକଳ୍ପ’ର ନୂତନ ନଥିପତ୍ର ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦେଇସାରିଛନ୍ତି।
ପଶ୍ଚିମ ଭାରତର ପଞ୍ଜାବ, ହରିୟାନା ଓ ଗୁଜୁରାଟ ଦେଇଯାଇଛି ଆରାବାଳୀ ଜଙ୍ଗଲ। ଏଠାରେ ଅନେକ ଖଣି ରହିଛି ଓ ଅନେକ ଉଦ୍ୟୋଗ ନିଜର ବିରାଟ ବିରାଟ ଆପାର୍ଟମେଣ୍ଟ ଆରମ୍ଭ କରିଛନ୍ତି। ୨୦୧୬ ମସିହା ପରଠାରୁ ଏହାର ଜମି ଜଙ୍ଗଲ କି ନୁହେଁ ଏହାକୁ ନେଇ ବିବାଦ କୋର୍ଟ ପର୍ଯ୍ୟନ୍ତ ଆସିଛି। ଏବେ କେନ୍ଦ୍ର ସରକାରଙ୍କ ନୂତନ ଆଇନ ଦ୍ଵାରା କୋର୍ଟ କହିବେ ଯେ ଏହା ‘ଜଙ୍ଗଲ କିସମ’ ନୁହେଁ ଓ ତାହାକୁ ଅନେକ ବିଶାଳ କମ୍ପାନୀ ଜାତୀୟ ସ୍ଵାର୍ଥ ନାମରେ ଅକ୍ତିଆର କରିବା ସହଜ ହୋଇଯିବ।
ଏଭଳି ଏକ ବିଲ୍ ସମ୍ପର୍କରେ ସଂସଦରେ କୌଣସି ଆଲୋଚନା ନହୋଇପାରି ସୁବିଧାରେ ପାସ୍ ହୋଇଗଲା।
ରାଜ୍ୟରେ ଲୋକଙ୍କ ଜମି କମ୍ପାନୀଙ୍କ କର୍ତ୍ତତ୍ୱରେ
ଲୋକଙ୍କ ଦୀର୍ଘ ଆନ୍ଦୋଳନ ହେତୁ, କେନ୍ଦ୍ର ସରକାରଙ୍କ ଦ୍ଵାରା ଭୂ-ଅଧିଗ୍ରହଣ ଆଇନ ୧୮୯୪ ର ସମାପ୍ତି ଘଟାଇ ଜମି ଅଧିଗ୍ରହଣ ଲାଗି ୨୦୧୩ ମସିହାରେ ‘ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଓ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩’ (ବା ନୂତନ ଭୂ-ଅଧିଗ୍ରହଣ ଆଇନ) ଆଜିକୁ ଦଶ ବର୍ଷ ତଳେ ପ୍ରଣୀତ ହୋଇଥିଲା। କେନ୍ଦ୍ରୀୟ ଆଇନ ଅନୁସାରେ, ପ୍ରତ୍ୟେକ ପ୍ରକଳ୍ପର ‘ସାମାଜିକ ପ୍ରଭାବ ଆକଳନ’ ଓ ଚାଷୀଙ୍କ ‘ସ୍ଵୀକୃତି’ ଆବଶ୍ୟକ।
ରାଜ୍ୟରେ ଏବେ ଅନେକ ଇଣ୍ଡଷ୍ଟ୍ରିଆଲ କରିଡର ଓ ଇକୋନୋମିକ କରିଡର ପ୍ରତିଷ୍ଠା ଲାଗି ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଥିବା ୫୦୦ ମିଟର ପର୍ଯ୍ୟନ୍ତ ଜମି ଅଧିଗ୍ରହଣ କରାଯିବାର ଯୋଜନା ସରକାରଙ୍କର ରହିଛି। କଲିକତା- ବିଶାଖାପାଟଣା ଇଣ୍ଡଷ୍ଟ୍ରିଆଲ କରିଡର, ଯାଜପୁର- କେନ୍ଦ୍ରାପଡ଼ା- ଭଦ୍ରକ ଇକୋନୋମିକ କରିଡର, ଖୋର୍ଦ୍ଧା- କଟକ- ଜଗତସିଂହପୁର କରିଡର, ମୟୂରଭଞ୍ଜ- କେଉଁଝର- ବାଲେଶ୍ଵର କରିଡର ଇତ୍ୟାଦି ‘ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ’ ମାଧ୍ୟମରେ ତିଆରି ଯୋଜନା ଚାଲିଛି।
ରାଜ୍ୟ ସରକାରଙ୍କ ସଂଶୋଧିତ ଆଇନ ଅନୁସାରେ ଇଣ୍ଡଷ୍ଟ୍ରିଆଲ କରିଡର ଓ ଇକୋନୋମିକ କରିଡରରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା କରାଗଲେ ସାମାଜିକ ପ୍ରଭାବ ଆକଳନ ଆବଶ୍ୟକ ହେବ ନାହିଁ, ଯଦି ଏହା ୫୦୦ ଏକରରୁ କମ ଜମି ଆବଶ୍ୟକ କରୁଥିବ କିମ୍ବା ୧୦୦ରୁ କମ ପରିବାରକୁ ବିସ୍ଥାପିତ କରୁଥିବ। କାରଖାନା ଲାଗି ସାମାଜିକ ପ୍ରଭାବ ଆକଳନ ପ୍ରସ୍ତାବକୁ ବାଦ ଦେବା ଦ୍ଵାରା ଉକ୍ତ ପ୍ରକଳ୍ପ କେଉଁ ଦିଗରୁ ସାର୍ବଜନୀନ ଆବଶ୍ୟକତା ଉଦ୍ଦେଶ୍ୟକୁ ପୂରଣ କରୁଛି, ପ୍ରକଳ୍ପ ଦ୍ଵାରା କେତେ ପରିବାର ବିସ୍ଥାପିତ ଓ ପ୍ରଭାବିତ ହେବେ, ସରକାରୀ ଓ ବେସରକାରୀ କେତେ ଜମି ଅଛି ଓ କେତେ ଜମି ଅଧିଗ୍ରହଣ ହେବ ଇତ୍ୟାଦି ବିଷୟରେ ରାଜ୍ୟବାସୀ ସଂପୂର୍ଣ୍ଣ ଅନ୍ଧାରରେ ରହିବେ। ତାହା ଯଦି ଅତି ପ୍ରଦୂଷଣକାରୀ କୌଣସି ପ୍ଲାଷ୍ଟିକ ଅଥବା କୀଟନାଶକ ତିଆରି ପ୍ଳାଣ୍ଟ ହୋଇଥିବ ତାହା ସମ୍ପର୍କରେ ମଧ୍ୟ ଲୋକଙ୍କର ଜାଣିବାର ସୁଯୋଗ ନାହିଁ। କୋର୍ଟ କେବଳ ଆଇନକୁ ଦେଖିବେ ଓ ଆଇନ କମ୍ପାନୀଙ୍କ ସହଯୋଗ କରୁଥିବାରୁ ନୀରବ ରହିବେ।
ପ୍ରଶ୍ନ ଆସୁଛି ଯେ ଯଦି ଏହା ରାଜ୍ୟର ବିକାଶ ଲାଗି କରାଯାଉଛି ବୋଲି କୁହାଯାଉଛି ତେବେ ଲୁଚାଛପାରେ କମ୍ପାନୀର ଜମି ଅଧିଗ୍ରହଣ ଲାଗି କାହିଁକି ସୁଯୋଗ ଦିଆଯାଉଛି? କମ୍ପାନୀ ଯେ ଅତି ପ୍ରଦୂଷଣ ଯୁକ୍ତ କାରଖାନା କରୁଛି ସେ ସମ୍ପର୍କରେ ସ୍ଥାନୀୟ ଲୋକେ କେଉଁଭଳି ତେବେ ଅବଗତ ହେବେ?
ଓଡ଼ିଶା ବିଧାନସଭାରେ ବିରୋଧୀ ଦଳର ସଦସ୍ୟଙ୍କ କକ୍ଷତ୍ୟାଗ ହେତୁ ବିଲ ସମ୍ପର୍କରେ ବିତର୍କର ସୁଯୋଗ ମଧ୍ୟ ରହିଲା ନାହିଁ। ବିତର୍କ ହୋଇଥିଲେ ରାଜ୍ୟବାସୀ ବିଲ୍ ସମ୍ପର୍କରେ ଅଧିକ ତଥ୍ୟ ଜାଣିପାରିଥାନ୍ତେ। ଠିକ ସେହି କଥା କେନ୍ଦ୍ର ସରକାରଙ୍କ ଜଙ୍ଗଲ ସଂଶୋଧନ ଆଇନ କ୍ଷେତ୍ରରେ କରାଗଲା। ଉଭୟ କ୍ଷେତ୍ରରେ ବିରୋଧୀ ଦଳ କକ୍ଷତ୍ୟାଗ କରି ଏ ସମ୍ପର୍କରେ ଆଲୋଚନାର ସୁଯୋଗକୁ ବନ୍ଦ କରିଦେଲେ।
ଏବେ ବୃକ୍ଷମାନଙ୍କ ବିକାଶର ଦାୟିତ୍ଵ ଫର୍ଣ୍ଣିଚର କମ୍ପାନୀଙ୍କ ହାତରେ ନ୍ୟସ୍ତ ହେଲା।
ସ୍ଥାନୀୟ ଅଞ୍ଚଳରେ କୃଷକ ତଥା ଅଞ୍ଚଳବାସୀ ଏହି ସବୁ ପ୍ରକଳ୍ପକୁ ବିରୋଧ କରିବା ବ୍ୟତୀତ ଅନ୍ୟ କୌଣସି ରାସ୍ତା ରହୁନାହିଁ।
ଫୋ- ୯୪୩୭୭୬୨୨୭୨