- ରବି ଦାସ
ଢିଙ୍କିଆରେ ଜେଏସ୍ଡବ୍ଲ୍ୟୁ କାରଖାନା ବିରୋଧରେ ଯେଉଁ ଲୋକମାନେ ସେମାନଙ୍କର ଜୀବିକା ଓ ପରିବେଶ ପାଇଁ ଲଢ଼େଇ କରୁଥିଲେ ସେମାନଙ୍କର ନେତା ଭାବରେ ଦେବେନ୍ଦ୍ର ସ୍ୱାଇଁ କାର୍ଯ୍ୟ କରୁଥିବା ସମସ୍ତେ ଜାଣନ୍ତି। ଶ୍ରୀ ସ୍ୱାଇଁ ସେଠାରେ ପଂଚାୟତ ସମିତି ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ତେଣୁ ଲୋକମାନଙ୍କର ଅସନ୍ତୋଷର କେନ୍ଦ୍ରବିନ୍ଦୁ ଭାବରେ ସେ କାମ କରୁଥିଲେ। ବ୍ୟକ୍ତିଗତ ଭାବରେ ଶ୍ରୀ ସ୍ୱାଇଁ ଓ ତାଙ୍କ ପରିବାର ଶାସକ ବିଜୁ ଜନତା ଦଳ ସହିତ ଜଡ଼ିତ ଥିଲେ ମଧ୍ୟ ଲୋକମାନଙ୍କର ଅସନ୍ତୋଷକୁ ଦେଖି ସେ ଜେଏସ୍ଡବ୍ଲ୍ୟୁ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ସେଠାରେ ଆନ୍ଦୋଳନକାରୀମାନଙ୍କୁ ଦବେଇବା ଓ ଦମନ କରିବା ପାଇଁ ଜିଲ୍ଳା ପୁଲିସ୍ ଏସ୍ପିଙ୍କ ନିର୍ଦ୍ଦେଶରେ ଗତ ଜାନୁଆରୀ ୧୪ ତାରିଖରେ ପୁଲିସ୍ ଯେଉଁ ଆକ୍ରମଣ କରିଥିଲା ସେଥିରେ ବହୁ ଲୋକ ଆହତ ହୋଇଥିଲେ ଓ ଅନେକ ଆନ୍ଦୋଳନକାରୀଙ୍କୁ ପୁଲିସ୍ ଗିରଫ କରିଥିଲେ। ଏହି ଗିରଫ ବ୍ୟକ୍ତିମାନଙ୍କ ଭିତରେ ଦେବେନ୍ଦ୍ର ସ୍ୱାଇଁ ଅର୍ନ୍ତଭୁକ୍ତ ଥିଲେ। କିନ୍ତୁ ସ୍ୱାଇଁଙ୍କ ବିରୋଧରେ ପ୍ରାୟ ୨୬ଟି ମାମଲା ଦାୟର ହେବା ଫଳରେ ସେ ଏପର୍ଯ୍ୟନ୍ତ ତିନି ମାସରୁ ଊର୍ଦ୍ଧ୍ୱ ହେଲା ଜାମିନ ପାଇନାହାନ୍ତି। ଅନ୍ୟ ଅଭିଯୁକ୍ତମାନେ ଅଦାଲତରୁ ଜାମିନରେ ଆସିଥିଲେ ମଧ୍ୟ ଦେବେନ୍ଦ୍ର ସ୍ୱାଇଁଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ମାମଲା ଦିଆଯାଇ ତାଙ୍କୁ ଜେଲ୍ରେ ରଖାଯାଇଛି। ଜେଲ୍ରେ ଥିବା ଭିତରେ ସେ ଫୋନ୍ ଯୋଗେ ସରକାରୀ ଓକିଲଙ୍କୁ ଗାଳି ଦେଇଥିବାର ଅଭିଯୋଗ ଉପରେ ମଧ୍ୟ ଗୋଟିଏ ମାମଲା କରାଯାଇଛି।
ଏବେ ସେ ତିନି ମାସ ଜେଲ୍ରେ ରହିବା ପରେ ୨୦୨୧ ଡିସେମ୍ବର ମାସରେ ପ୍ରକାଶ ଦଳେଇ ଜଣେ ସାଥୀଙ୍କ ଗାଡ଼ିରେ ଢିଙ୍କିଆ ପଟେ ଯାଉଥିବା ବେଳେ ତାଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଆକ୍ରମଣ କରିଥିଲେ। କାରଣ ପ୍ରକାଶ ଦଳେଇ ପୁଲିସର ପ୍ରେସ୍ ବିଜ୍ଞପ୍ତି ଅନୁସାରେ ସନ୍ତୋଷ ଦଳେଇଙ୍କ ଭାଇ। ପୁଲିସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ସନ୍ତୋଷ ଜେଏସ୍ଡବ୍ଲ୍ୟୁ କମ୍ପାନୀ ଓ ଜିଲ୍ଲା ପ୍ରଶାସନର ଦୃଢ଼ ସମର୍ଥକ ହୋଇଥିବାରୁ ତାଙ୍କ ଉପରେ ରାଗ ସୁଝାଇବା ପାଇଁ ପ୍ରକାଶ ଦଳେଇଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଅର୍ଥାତ୍ ପୁଲିସ୍ ସ୍ୱୀକାର କରୁଛି ଯେ, ଜେଏସ୍ଡବ୍ଲ୍ୟୁ କମ୍ପାନୀ ଓ ଜିଲ୍ଲା ପ୍ରଶାସନ ଯେଉଁଥିରେ ଜିଲ୍ଳା ଏସ୍ପି ମଧ୍ୟ ସାମିଲ ସେମାନେ ଗୋଟିଏ ପକ୍ଷରେ ଅଛନ୍ତି। ଦେବେନ୍ଦ୍ର ସ୍ୱାଇଁ ଜାନୁଆରୀ ୧୪ ତାରିଖରୁ ପୁଲିସ୍ ଦ୍ୱାରା ଗିରଫ ହୋଇ ଜେଲ୍ରେ ଥିଲେ ମଧ୍ୟ ହଠାତ୍ ଗତ ୨୦ ତାରିଖରେ ସେ ଅଦାଲତରେ ଡିସେମ୍ବର ମାମଲାରେ ଆତ୍ମସମର୍ପଣ କରିଥିବା ଓ ସେହିଦିନ ପୁଲିସ୍ ପକ୍ଷରୁ ତାଙ୍କୁ ରିମାଣ୍ଡରେ ନେବା ପାଇଁ ଜେଏମ୍ଏଫ୍ସି ଅଦାଲତରେ ଦରଖାସ୍ତ ଦିଆଯାଇଥିଲା। ଜେଏମ୍ଏଫ୍ସି ଅଭିଯୁକ୍ତ ଅର୍ଥାତ୍ ସ୍ୱାଇଁଙ୍କୁ ଗୋଟିଏ ଦିନ ପାଇଁ ଅର୍ଥାତ୍ ୨୦ ତାରିଖ ଦିନ ୧ଟାରୁ ୨୧ ତାରିଖ ଦିନ ୧ଟା ପର୍ଯ୍ୟନ୍ତ ରିମାଣ୍ଡ ମଂଜୁର କରିଥିଲେ। ପୁଲିସ୍ ଦ୍ୱାରା ଗିରଫ ହୋଇଥିବା ବ୍ୟକ୍ତି ତିନି ମାସ ଜେଲ୍ରେ ରହିବା ପରେ ସେ ପୂର୍ବ ମାମଲାରେ ଅଦାଲତରେ ଆତ୍ମସମର୍ପଣ କରିବା ଓ ତାଙ୍କୁ ରିମାଣ୍ଡରେ ନିଆଯିବା ପଛରେ ଏକ ଷଡ଼ଯନ୍ତ୍ର ରହିଥିବା ସ୍ପଷ୍ଟ ଜଣାପଡ଼ୁଥିଲା।
ଶ୍ରୀ ସ୍ୱାଇଁଙ୍କୁ ପୁଲିସ୍ ପାଇଯିବା ପରେ ଜେରା କରିବାରୁ ପାଟନା ନିକଟରେ ଥିବା ବଡ଼ଭାଗ ପୋଖରୀ ନିକଟକୁ ପୁଲିସକୁ ନେଇ ସେଠାରେ ଗୋଟିଏ ପଲିଥିନ ବ୍ୟାଗରେ ଲୁଗା ଗୁଡ଼ାଇ ଯାହାକୁ ଲୁଚାଇ ରଖିଥିଲେ ତାହାକୁ ବାହାର କରିଥିଲେ। ଏ ଲୁଚା ପଦାର୍ଥ ଭିତରେ ଗୋଟିଏ ପୁରୁଣା ପିସ୍ତଲ ଓ କିଛି ଗୁଳି ଉଦ୍ଧାର କରାଯାଇଥିଲା। ଏହି ପଲିଥିନ ବ୍ୟାଗ୍ ଓ ଅଭିଯୁକ୍ତଙ୍କୁ ଧରି ପୁଲିସ୍ ଆସୁଥିବା ସମୟରେ ଦେବେନ୍ଦ୍ର ସ୍ୱାଇଁ ଝାଡ଼ା ଯିବା ପାଇଁ ପୁଲିସ୍କୁ ଅନୁରୋଧ କରିଥିଲେ ଓ ମାନବିକତା ଦୃଷ୍ଟିକୋଣରୁ ପୁଲିସ୍ ଅନୁମତି ଦେବା ପରେ ସବ୍ଇନିସପେକ୍ଟର ଆର ଏନ୍ ବେହେରା ଓ ହାବିଲଦାରଙ୍କୁ ତାଙ୍କ ସହିତ ପଠାଇଥିଲେ। ପ୍ରାୟ ୩୦ ମିଟର ଦୂରରେ ଶ୍ରୀ ସ୍ୱାଇଁ ସବ୍ଇନ୍ସିପେକ୍ଟର ଆରଏନ୍ ବେହେରାଙ୍କ ଉପରେ ଗୋଟିଏ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ କରିବା ଫଳରେ ସେ ପଡ଼ିଯିବାରୁ ସେ ହାବିଲଦାରଙ୍କୁ ଠେଲାପେଲା କରି ସେଠାରୁ ଚମ୍ପଟ ମାରିଥିଲା। ବହୁତ କଷ୍ଟରେ ଦୁଇ ଘଂଟାକାଳ ପରିଶ୍ରମ କରି ଏକ ସ୍କୁଲ ନିକଟରେ ଗୋଟିଏ କାଜୁବୁଦା ଭିତରେ ସେ ଲୁଚିଥିବା ସମୟରେ ତାଙ୍କୁ ଧରିଥିଲେ। ଏହିସବୁ କଥା ପୁଲିସ ପ୍ରେସ୍ ବିଜ୍ଞପ୍ତିରେ ଉଲ୍ଲେଖ ଅଛି।
କିନ୍ତୁ ଗଣମାଧ୍ୟମମାନେ ଏ ସଂପର୍କରେ କୌଣସି ଅନୁସନ୍ଧାନ ନକରି ପ୍ରେସ୍ ବିଜ୍ଞପ୍ତିକୁ ସେମାନଙ୍କ ରିପୋର୍ଟ ଭାବରେ ଯେପରି ଦର୍ଶାଇଛନ୍ତି ସେଥିରୁ ଶ୍ରୀ ସ୍ୱାଇଁ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ବୋଲି ମନେହେବ। ସୌଭାଗ୍ୟର କଥା ସେ ଯେତେବେଳେ ପୁଲିସ୍କୁ ମାଡ଼ମାରି ଚମ୍ପଟ ମାରିଲା ବୋଲି ଦର୍ଶାଯାଇଛି ସେହି ସମୟରେ ଏନ୍କାଉଂଟରରେ ହୁଏତ ତାଙ୍କୁ ଗୁଳି କରିଦିଆଯାଇଥିବା କୁହାଯାଇପାରିଥାନ୍ତା। କିନ୍ତୁ ପୁଲିସ୍ ଦ୍ୱାରା ପ୍ରଦତ୍ତ ପ୍ରେସ୍ ବିଜ୍ଞପ୍ତିଟି ଅନୁଧ୍ୟାନ କଲେ ଦେବେନ୍ଦ୍ର ସ୍ୱାଇଁ ଯେପରି ଆସନ୍ତା ୬ ମାସ ପର୍ଯ୍ୟନ୍ତ ଜାମିନ ପାଇବେ ନାହିଁ ସେହିପରି ଏକ ବିଧିବଦ୍ଧ ନାଟକ ରଚନା କରାଯାଇଛି। ସାମ୍ବାଦିକମାନେ ଅନୁସନ୍ଧାନ କରିଥିଲେ ଢିଙ୍କିଆ ଗ୍ରାମରେ ଡିସେମ୍ବର ୧୨ ତାରିଖରେ ଏପରି କିଛି କାଣ୍ଡ ହୋଇଥିଲା ଓ ଦେବେନ୍ଦ୍ର ସ୍ୱାଇଁ କେବେ ବି ସେଠାରେ ବନ୍ଧୁକ ବା ପିସ୍ତଲ ବ୍ୟବହାର କରିବା କେହି କେବେ ଦେଖିଛନ୍ତି କି ବୋଲି ସହଜରେ ଜାଣିପାରିଥାନ୍ତେ। ଯେଉଁ ବ୍ୟକ୍ତି ତିନି ମାସ ଧରି ପୁଲିସ୍ ଦ୍ୱାରା ଗିରଫ ହୋଇ ଜେଲ୍ରେ ଅଛି ସେ ହଠାତ୍ ୨୦ ତାରିଖରେ ଡିସେମ୍ବର ମାମଲାରେ ଆତ୍ମସମର୍ପଣ କରିବା ଓ ତାହାକୁ ସେହି ମାମଲାରେ ରିମାଣ୍ଡରେ ନିଆଯାଇ ତାହାଠାରୁ ପିସ୍ତଲ ଓ ଗୁଳି ଉଦ୍ଧାର ହେବା ଓ ବାଟରେ ଆସିଲା ବେଳେ ସେ ପୁଲିସ୍ ମାଡ଼ମାରି ଚମ୍ପଟ ମାରିବା ଉଦ୍ୟମ କରୁଥିବାର କାହାଣୀ ପଛରେ ରହିଥିବା ରହସ୍ୟକୁ ବୁଝିବାରେ କାହାରି ଅସୁବିଧା ହେବନାହିଁ। କିନ୍ତୁ ଯେଉଁମାନେ ଆଇନ ରକ୍ଷକ ଓ ଯେଉଁମାନେ ଆଇନର ଶାସନ ପାଇଁ ଶପଥ ନେଇଛନ୍ତି ସେମାନେ ଷଡ଼ଯନ୍ତ୍ର କରି ଜଣେ ଅଭିଯୁକ୍ତଙ୍କୁ ଦୀର୍ଘଦିନ ଧରି ଜେଲ୍ରେ ରଖିବା ପାଇଁ ବିଭିନ୍ନ ନାଟକ ରଚନା କରିବା ରାଜ୍ୟରେ ଆଇନଶୃଙ୍ଖଳା ଓ ଶାସନ ବ୍ୟବସ୍ଥା କୁଆଡ଼କୁ ଯାଉଛି ତାହା ସହଜରେ ଅନୁମାନ କରାଯାଇପାରିବ।
ଯେଉଁ ପୁଲିସ୍ ଓ ଏସ୍ପି ରାଜ୍ୟବାସୀଙ୍କ ଟିକସରେ ଦରମା ନେଉଛନ୍ତି, ସେମାନେ ଗୋଟିଏ କମ୍ପାନୀର ସ୍ୱାର୍ଥ ପାଇଁ ଲୋକମାନଙ୍କର ଜଣେ ସ୍ୱାଭାବିକ ନେତାଙ୍କୁ ବିଭିନ୍ନ ଭାବରେ ଦମନମୂଳକ କାର୍ଯ୍ୟ ଦ୍ୱାରା ନିର୍ଯାତିତ କରିବା କେତେଦୂର ଯୁକ୍ତିଯୁକ୍ତ? ପୁଲିସର ଏହି ଉଦ୍ୟମରୁ ଏହା ସ୍ପଷ୍ଟ ଯେ, ପୁଲିସ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ସମ୍ଭବତଃ ଏବେ ବି ବିଶ୍ୱାସ କରୁଛି ଯେ, ଦେବେନ୍ଦ୍ର ସ୍ୱାଇଁ ଜେଲ୍ରୁ ମୁକ୍ତ ହେଲେ ସେମାନେ ଢିଙ୍କିଆବାସୀଙ୍କୁ ଆତଙ୍କିତ କରିପାରିବେ ନାହିଁ। ଜେଏସ୍ଡବ୍ଲ୍ୟୁକୁ କେନ୍ଦ୍ର ସରକାର ପରିବେଶ ମଞ୍ଜୁର ଦେଇଥିବାରୁ ଓ ରାଜ୍ୟ ସରକାର ପୂର୍ଣ୍ଣମାତ୍ରାରେ ଏହାକୁ ସହଯୋଗ କରୁଥିବାରୁ ସେହି ପ୍ରକଳ୍ପ ସେଠାରେ ପ୍ରତିଷ୍ଠା କରିବାର ସୁଯୋଗ କମ୍ପାନୀ ନିକଟରେ ରହିଛି। ତଥାପି କମ୍ପାନୀର ସ୍ୱାର୍ଥ ପାଇଁ ଜଣେ ଶିକ୍ଷିତ ସାଧାରଣ ଯୁବକ ଉପରେ ଅକଥନୀୟ ଅତ୍ୟାଚାର କରିବା ଓ ସେ କିପରି ଜେଲ୍ରୁ ଖଲାସ ନହେବ ସେଥିପାଇଁ ଗୋଟିଏ ପରେ ଗୋଟିଏ ମାମଲା ଦେଇ ଯେଉଁ କାର୍ଯ୍ୟ କରାଯାଉଛି ସେଥିରେ ରାଜ୍ୟ ଶାସନର ବା ପୁଲିସ୍ ମର୍ଯ୍ୟାଦା ବୃଦ୍ଧିହେବ ନାହିଁ। ବରଂ ପୁଲିସ୍ ଲୋକମାନଙ୍କର ନୁହେଁ, ଏହା କମ୍ପାନୀମାନଙ୍କ ସ୍ୱାର୍ଥ ପାଇଁ ଦମନମୂଳକ ଆଇନର ଖୋଳଥିବା ଏକ ଶାଖା ବୋଲି ବିବେଚିତ ହେବ। ରାଜ୍ୟର ସଚେତନ ଲୋକମାନେ ମାନବାଧିକାର ସୁରକ୍ଷା ପାଇଁ ପୋଲିସର ଦମନମୂଳକ କାର୍ଯ୍ୟକଳାପକୁ ଓ ନାଟକ ରଚନାକାରୀ ଷଡ଼ଯନ୍ତ୍ରକୁ ପ୍ରତିବାଦ କରିବା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପାଇଁ ଅପରିହାର୍ଯ୍ୟ।
ବରିଷ୍ଠ ସାମ୍ବାଦିକ
ମୋ- ୮୦୧୮୦୯୪୪୫୫