- ଭାଲଚନ୍ଦ୍ର ଷଡ଼ଙ୍ଗୀ
୨୦୨୨ ଜୁଲାଇ ଛଅ ତାରିଖରେ ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଭାରତରେ କ୍ଷୁଧା ଓ ପୁଷ୍ଟିହୀନତାର ଏକ ଭୟାନକ ଚିତ୍ର ସାମନାକୁ ଆସିଛି। ବିଶ୍ୱରେ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିସାର ଆହାରର ସ୍ଥିତି -୨୦୨୨ ଶୀର୍ଷକ ଏହି ରିପୋର୍ଟରେ ଭାରତର ଜନସଂଖ୍ୟାର ୭୧% ବା ୯୭.୩୩ କୋଟି ଲୋକ ପୁଷ୍ଟିକର ଖାଦ୍ୟ ଖାଇବାରୁ ବଂଚିତ ରହିଛନ୍ତି ବୋଲି କୁହାଯାଇଛି। ପୁଷ୍ଟିକର ଖାଦ୍ୟ ଖାଇବାକୁ ପାଉନଥିବା ବିଶ୍ୱର ମୋଟ ୩୦୭ କୋଟି ମଣିଷଙ୍କ ମଧ୍ୟରୁ ଏକ ତୃତୀୟାଂଶ ଭାରତୀୟ ବୋଲି କୁହାଯାଇଛି। ମୂଳତଃ ବଜାରରେ ଖାଦ୍ୟପେୟର ଆକାଶଛୁଆଁ ଦରବୃଦ୍ଧି ଯୋଗୁଁ ଅଧିକରୁ ଅଧିକ ଲୋକ କ୍ଷୁଧା ଓ ପୁଷ୍ଟିହୀନତାର ଶିକାର ହେଉଛନ୍ତି ବୋଲି ରିପୋର୍ଟରୁ ଜଣାପଡ଼ିଛି।
ରିପୋର୍ଟରେ କୁହାଯାଇଛି ଯେ ଗତ ତିନି ବର୍ଷ ହେଲା ଏସିଆର ଦେଶଗୁଡ଼ିକରେ ପୁଷ୍ଟିହୀନ ଖାଦ୍ୟ ପାଉନଥିବା ମଣିଷଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି। ବିଶ୍ୱରେ କ୍ରମ ବର୍ଦ୍ଧମାନ ଦାରିଦ୍ର୍ୟ, ଆର୍ଥିକ ବୈଷମ୍ୟ ଓ ବେକାରୀ କାରଣରୁ ଅନାହାର ଓ ଅର୍ଦ୍ଧାହାର ଲୋକଙ୍କ ସଂଖ୍ୟା ଉଦ୍ବେଗଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ଗତ ଏକ ବର୍ଷ ମଧ୍ୟରେ ହିଁ ଖାଦ୍ୟ ସଙ୍କଟ କାରଣରୁ ପ୍ରାୟ ଦୁଇ କୋଟି ଲୋକ କ୍ଷୁଧାର ପରିଧି ଭିତରକୁ ଚାଲିଯାଇଛନ୍ତି। ୨୦୧୯ ମସିହାରେ ଦେଶର ମୋଟ ୯୪.୮୬ କୋଟି ମଣିଷ (ଜନସଂଖ୍ୟାର ୬୯.୪%) ପୁଷ୍ଟିକର ଖାଦ୍ୟ ପାଉନଥିଲା ବେଳେ ୨୦୨୦ ମସିହାରେ ତାହା ୯୭.୩୩ କୋଟି (୭୦.୫%)କୁ ବୃଦ୍ଧି ପାଇଛି।
ଆର୍ଥିକ ମାନ୍ଦାବସ୍ଥା, ମହାମାରୀ ଓ ଲକ୍ଡ଼ାଉନ୍ ଯୋଗୁଁ ଦେଶର କୋଟି କୋଟି ଲୋକ ନିଜର ରୋଜଗାର ହରାଇଛନ୍ତି। ଅନେକ କଳକାରଖାନା ବନ୍ଦ ହୋଇଯାଇଥିବା ବେଳେ କାର୍ଯ୍ୟ ହରାଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ନିଜର ରୋଜଗାର ଫେରି ପାଇନାହାନ୍ତି। ଏହା ସାଙ୍ଗକୁ ବଜାରରେ ଲଗାତାର ମୂଲ୍ୟବୃଦ୍ଧି ଖାଦ୍ୟଶସ୍ୟକୁ ମହଙ୍ଗା କରିବା ସହିତ ଅଧିକରୁ ଅଧିକ ଲୋକଙ୍କ ପହଂଚରୁ ବାହାର କରିଦେଇଛି। ଜାତିସଂଘର ରିପୋର୍ଟରେ କୁହାଯାଇଛି ଯେ ଭାରତରେ ଜଣେ ବ୍ୟକ୍ତିର ପୁଷ୍ଟିକର ଖାଦ୍ୟ ପାଇଁ ଚାଉଳ, ଅଟା, ଡ଼ାଲି, ପନିପରିବା, ମାଛ, ମାଂସ, ଅଣ୍ଡା ଆଦି ଖାଦ୍ୟ ଅତ୍ୟନ୍ତ ଜରୁରୀ। ଉପରୋକ୍ତ ପୁଷ୍ଟିକର ଖାଦ୍ୟ ପାଇବାକୁ ହେଲେ ଜଣେ ବ୍ୟକ୍ତିକୁ ମାସିକ ୭,୬୦୦ ଟଙ୍କା ଖର୍ଚ୍ଚ କରିବାକୁ ହେବ। ଯଦି ପରିବାର ପିଛା ହାରାହାରି ପାଞ୍ଚ ଜଣକୁ ହିସାବକୁ ନିଆଯାଏ ତାହେଲେ କେବଳ ଖାଦ୍ୟ ବାବଦରେ ମାସିକ ସର୍ବନିମ୍ନ ୨୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ହେବ। କିନ୍ତୁ ଦେଶର ପ୍ରାୟ ୮୦% ପରିବାର ମାସିକ ୨୦ ହଜାର ଟଙ୍କା ଖାଦ୍ୟଶସ୍ୟ ବାବଦରେ ଖର୍ଚ୍ଚ କରିବାକୁ ସକ୍ଷମ ନୁହଁନ୍ତି। ଏହାର ଅର୍ଥ ହେଲା, ଦେଶର ପ୍ରାୟ ଅଶୀ ଭାଗ ଲୋକ ପୁଷ୍ଟିହୀନତାର ଶିକାର ହେଉଛନ୍ତି।
ରିପୋର୍ଟରେ ଆହୁରି କୁହାଯାଇଛି ଯେ ଭାରତରେ ୮୦ କୋଟିରୁ ଅଧିକ ଲୋକ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସରକାରୀ ବଂଟନର ସୁଯୋଗ ପାଉଛନ୍ତି। କିନ୍ତୁ ଏହି ସରକାରୀ ଖାଦ୍ୟ ସୁରକ୍ଷା ଯୋଜନା ମାସିକ କେବଳ ବ୍ୟକ୍ତି ପିଛା ପାଂଚ କିଲୋ ଚାଉଳ କିମ୍ବା ଡ଼ାଲିରେ ସିମୀତ ରହିଛି। ଲୋକେ ସ୍ୱାସ୍ଥ୍ୟ ପାଇଁ ଜରୁରୀ ଅନ୍ୟ ପୁଷ୍ଟିକର ଖାଦ୍ୟ ଏଥିରେ ପାଉନଥିବାରୁ ପୁଷ୍ଟିହୀନତାର ଶିକାର ହେଉଛନ୍ତି। ମହାମାରୀ ଯୋଗୁଁ ଦେଶରେ ପ୍ରାୟ ୧୧.୧ କୋଟି ମଣିଷ ନିଜର ରୋଜଗାର ହରାଇଥିବାରୁ ସେମାନେ ପୁଷ୍ଟିକର ଖାଦ୍ୟ କିଣିବାର କ୍ଷମତା ହରାଇଛନ୍ତି।
ଭାରତ ସମେତ ସାରା ବିଶ୍ୱରେ ଆର୍ଥିକ ସଙ୍କଟ ଯୋଗୁଁ ଅଧିକରୁ ଅଧିକ ଲୋକଙ୍କ ରୋଜଗାର ଚାଲିଯାଇଛି। ଅନେକ ଲୋକଙ୍କ ଆୟ ପୂର୍ବାପେକ୍ଷା ହ୍ରାସ ପାଇଛି। ଏହା ସାଙ୍ଗକୁ ବଜାରରେ ଖାଦ୍ୟଶସ୍ୟ ସମେତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ପ୍ରତିଦିନ ବଢ଼ିବା ଫଳରେ ସାଧାରଣ ଲୋକଙ୍କ ଉପରେ ଆର୍ଥିକ ବୋଝ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ସାଧାରଣ ଲୋକେ ନିଜର ଖର୍ଚ୍ଚକୁ ଯଥାସମ୍ଭବ କମାଇବା ପାଇଁ ବାଧ୍ୟ ହୋଇଛନ୍ତି ଏବଂ ପରିବାରର ଖାଦ୍ୟ ବାବଦରେ ଖର୍ଚ୍ଚ ଏହି ଖର୍ଚ୍ଚହ୍ରାସର ସବୁଠାରୁ ବଡ଼ ଶିକାର ହୋଇଛି। ବିଶେଷ କରି ମହାମାରୀର ଗତ ଦୁଇ ବର୍ଷ ମଧ୍ୟରେ ଖାଦ୍ୟଶସ୍ୟ ବାବଦରେ ଲୋକଙ୍କ ଖର୍ଚ୍ଚ ଲଗାତାର କମିଛି। ସେମାନଙ୍କ ପକ୍ଷରେ ପୁଷ୍ଟିକର ଖାଦ୍ୟ କିଣି ଖାଇବା ସମ୍ଭବ ହେଉନି।
୨୦୧୫ରୁ ୨୦୨୦ ମଧ୍ୟରେ ବିଶ୍ୱରେ ଅନାହାର ଓ ପୁଷ୍ଟିହୀନ ଲୋକଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିଛି। ବର୍ତ୍ତମାନ ବିଶ୍ୱର ୯.୮% ଲୋକ ଅନାହାରର ଶିକାର ହୋଇଛନ୍ତି। ଜାତିସଂଘର ରିପୋର୍ଟଟି ଦେଶରେ କ୍ରମ ବର୍ଦ୍ଧମାନ ଖାଦ୍ୟ ଅସୁରକ୍ଷାକୁ ପୁଣିଥରେ ଉଜାଗର କରିଛି। ଗତ କିଛି ବର୍ଷ ଧରି ବିଶ୍ୱ କ୍ଷୁଧା ସୂଚକାଙ୍କରେ ବି ଭାରତର ସ୍ଥାନ କ୍ରମାଗତ ଭାବେ ନିମ୍ନଗାମୀ ହେବା ଦେଖିବାକୁ ମିଳିଛି। ବିଶେଷ କରି ଦେଶର ମହିଳା ଓ ଶିଶୁମାନେ ଭୟଙ୍କର ରକ୍ତହୀନତା ଓ ଅପପୁଷ୍ଟିର ଶିକାର ହେବା ଦେଖାଯାଇଛି। କିଛି ଦିନ ତଳେ ଦେଶର ଏକ ପ୍ରମୁଖ ଗବେଷଣା ସଂସ୍ଥା ସେଣ୍ଟର ଫର୍ ସାଇନ୍ସ୍ ଆଣ୍ଡ୍ ଆନଭୋରେମେଣ୍ଟ୍ ପକ୍ଷରୁ ପ୍ରକାଶିତ ଏକ ସମୀକ୍ଷା ରିପୋର୍ଟରେ ମଧ୍ୟ ଦେଶରେ କ୍ଷୁଧାର ସ୍ଥିତି ଉଦ୍ବେଗଜନକ ବୋଲି କୁହାଯାଇଛି। ଦେଶର ୭୧% ଲୋକ ଆବଶ୍ୟକୀୟ ପୁଷ୍ଟିକର ଖାଦ୍ୟ ଖଇବାରୁ ବଂଚିତ ହେଉଛନ୍ତି ଏବଂ ପୁଷ୍ଟିହୀନତା କାରଣରୁ ପ୍ରତିବର୍ଷ ୧୭ ଲକ୍ଷ ଭାରତୀୟ ଜୀବନ ହରାଉଛନ୍ତି ବୋଲି ରିପୋର୍ଟରେ ପ୍ରକାଶିତ ହୋଇଛି। ଶରୀର ପାଇଁ ଆବଶ୍ୟକ ସର୍ବନିମ୍ନ ପୁଷ୍ଟିକର ଖାଦ୍ୟ ଅଭାବରୁ ଦେଶର ଅଧିକରୁ ଅଧିକ ଲୋକ ପେଟ ରୋଗଠାରୁ ଆରମ୍ଭ କରି ମଧୁମେହ, ହୃଦରୋଗ, ଶ୍ୱାସରୋଗ ଏବଂ କ୍ୟାନସର୍ ପରି ରୋଗରେ ପଡ଼ୁଛନ୍ତି। ସିଏସଇର ରିପୋର୍ଟ ଅନୁଯାୟୀ ଜଣେ ପ୍ରାପ୍ତବୟସ୍କ ବ୍ୟକ୍ତି ପାଇଁ ଦୈନିକ ୨୦୦ ଗ୍ରାମ ଫଳମୂଳ ଖାଇବାର ଆବଶ୍ୟକ ଥିବା ବେଳେ ଦେଶର ୭୧% ଲୋକଙ୍କୁ ଦୈନିକ ଆବଶ୍ୟକତାର ମାତ୍ର ୩୫.୮% ହିଁ ମିଳିପାରୁଛି। ସେହିପରି ଦୈନିକ ପ୍ରାୟ ୩୦୦ ଗ୍ରାମ ପନିପରିବା ଖାଇବା ଦରକାର ଥିବା ବେଳେ ମାତ୍ର ୧୬୮ ଗ୍ରାମ ହିଁ ମିଳୁଛି।
ତେବେ ଦେଶରେ କ୍ଷୁଧା ଓ ପୁଷ୍ଟିହୀନତାର ଗମ୍ଭୀର ସ୍ଥିତି ଦେଖା ଦେଇଥିବା ବେଳେ ସରକାର କିନ୍ତୁ ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି। ସରକାର ମହାମାରୀ ସମୟରେ ଦେଶର ଜନସଂଖ୍ୟାର ସବୁଠାରୁ ଦରିଦ୍ରତମ ଅଂଶକୁ ମାତ୍ର ପାଞ୍ଚ କିଲୋ ଚାଉଳ ବା ଗହମ ଦେଇଥିଲେ। ମହାମାରୀ ପରିସ୍ଥିତିରେ ସୁଧାର ଆସିବା ପରେ ତାକୁ ବନ୍ଦ କରିଦେଇଛନ୍ତି। ଏଭଳି ପଦକ୍ଷେପ ସେହି ଦରିଦ୍ରତମ ଲୋକମାନଙ୍କ ଖାଦ୍ୟ ସୁରକ୍ଷାକୁ ଗୁରୁତ୍ତର ଭାବେ ପ୍ରଭାବିତ କରିଛି। ଦେଶରେ ଖାଦ୍ୟର ସଙ୍କଟକୁ ବୃଦ୍ଧି କରିଛି।
ବିଶ୍ୱରେ ଖାଦ୍ୟଶସ୍ୟର ଯଥେଷ୍ଟ ଉତ୍ପାଦନ ସତ୍ତ୍ୱେ ଏତେ ସଂଖ୍ୟାରେ ଲୋକ ଭୋକିଲା ଓ ପୁଷ୍ଟିହୀନ ରହିବା ଅତ୍ୟନ୍ତ ଲଜ୍ଜାଜନକ। ସରକାରମାନେ ବିଶ୍ୱରେ ଖାଦ୍ୟଶସ୍ୟର ବ୍ୟବସାୟ କରୁଥିବା ବଡ଼ ବଡ଼ କର୍ପୋରେଟ୍ମାନଙ୍କ ସ୍ୱାର୍ଥରେ ଆପଣାଉଥିବା ନବ ଉଦାରବାଦୀ ଅର୍ଥନୀତିର ଏହା ତାର୍କିକ ପରିଣାମ ମାତ୍ର। ଏହି ନୀତି ଯୋଗୁଁ ସାରା ବିଶ୍ୱରେ ଅର୍ଥନୈତିକ ବୈଷମ୍ୟ ଦୃତଗତିରେ ବୃଦ୍ଧି ପାଉଛି। ବିଶ୍ୱର ଆରବପତିଙ୍କ ତାଲିକାରେ ପ୍ରତିବର୍ଷ ଅଧିକ ଧନୀଲୋକ ସାମିଲ ହେଉଥିବା ବେଳେ ଅଧିକରୁ ଅଧିକତର ଲୋକ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯାଉଛନ୍ତି। ଭାରତରେ ବି ମହାମାରୀ ସମୟରେ କର୍ପୋରେଟ୍ମାନଙ୍କ ସମ୍ପତ୍ତି ଅନେକ ଗୁଣ ବଢ଼ିଥିବା ବେଳେ ମଧ୍ୟବିତ୍ତ ଶ୍ରେଣୀର ଏକ ବଡ଼ ଭାଗ ଗରିବୀ ଭିତରକୁ ଚାଲିଯାଇଛନ୍ତି।
ଦିନ ଥିଲା, ଦେଶରେ ଆବଶ୍ୟକ ଖାଦ୍ୟଶସ୍ୟର କମ୍ ଉତ୍ପାଦନ କାରଣରୁ ଖାଦ୍ୟ ସଙ୍କଟ ଦେଖା ଦେଉଥିଲା। କିନ୍ତୁ ବର୍ତ୍ତମାନ ଦେଶରେ ଖାଦ୍ୟ ସଙ୍କଟ ପଛରେ ଖାଦ୍ୟର ଅଭାବ ନୁହେଁ ବରଂ ଗରିବ ଲୋକଙ୍କୁ ଖାଦ୍ୟର ଉପଲବ୍ଧତାର ଅଭାବ ରହିଛି। ଦେଶରେ ଖାଦ୍ୟଶସ୍ୟର ରେକର୍ଡ଼ ଉତ୍ପାଦନ ସତ୍ତ୍ୱେ ଏତେ ସଂଖ୍ୟାରେ ଲୋକ ଅନାହାର, ଅର୍ଦ୍ଧାହାର କିମ୍ବା ପୁଷ୍ଟିହୀନ ରହିବା ଅତ୍ୟନ୍ତ ଲଜ୍ଜାଜନକ। ଅତଏବ ଏହି ସଙ୍କଟର ସମାଧାନ କରିବାକୁ ସରକାର ହିଁ ଆଗକୁ ଆସିବାକୁ ହେବ। ସରକାର ବର୍ତ୍ତମାନର ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡ଼ିଯାଇଥିବା ସବୁ ଗରିବ ଲୋକଙ୍କୁ ସେଥିରେ ସାମିଲ କରି ସେମାନଙ୍କୁ ମାସିକ କମ୍ ସେ କମ୍ ୧୦ କିଲୋ ଚାଉଳ ବା ଅଟା ସହିତ ଡ଼ାଲି, ଖାଇବା ତେଲ, ଅଣ୍ଡା ଆଦି ଯୋଗାଇବାକୁ ହେବ। ଲୋକଙ୍କ କ୍ରୟ କ୍ଷମତାକୁ ବୃଦ୍ଧି କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ରୋଜଗାର ଦେବାକୁ ହେବ।
ଫୋନ : ୯୪୩୭୧୬୬୩୯୧