ଦେବେନ୍ଦ୍ର ପୃଷ୍ଟି
ଭାରତବର୍ଷରେ ଆଇନ ମାନୁଥିବା ଲୋକଙ୍କ ସଂଖ୍ୟା କମ୍। ଲୋକଙ୍କ ମଧ୍ୟରେ ଶୃଙ୍ଖଳା ଜ୍ଞାନ ମଧ୍ୟ ଆହୁରି କମ୍। ଗଣଚେତନା ଗଣବାଦୀ ନୁହେଁ। ଭୋଟର ଚେତନା ଅତ୍ୟନ୍ତ ଦୁର୍ବଳ। ପ୍ରାର୍ଥୀଙ୍କ ସଂପର୍କରେ କିଛି ନଜାଣି ବି ତାଙ୍କ ସପକ୍ଷରେ ଭୋଟ ଦିଅନ୍ତି ଅଧିକାଂଶ ଭୋଟର। ଜନ ପ୍ରତିନିଧିମାନେ ସମାଜ ଓ ରାଷ୍ଟ୍ରର ସ୍ୱାର୍ଥ ପରିବର୍ତ୍ତେ ଦଳୀୟ ସ୍ୱାର୍ଥ ପାଇଁ ଉତ୍ସର୍ଗୀକୃତ। ଶାସନ ମୁଖ୍ୟ ଦେଶ ଅପେକ୍ଷା ଦଳ ସ୍ୱାର୍ଥ ପାଇଁ ଅଧିକ ଯତ୍ନବାନ। ଶାସନ କଳ ଆଇନ ଅପେକ୍ଷା ଆଦେଶ ପାଳନ କରିବାରେ ଓସ୍ତାଦ। ସରକାରୀ କଳରେ କର୍ତ୍ତବ୍ୟନିଷ୍ଠା କମ୍, ଦୁର୍ନୀତି ଅଧିକ। ଏହିଭଳି ଭାବେ ଗଡ଼ି ଚାଲିଛି ଭାରତର ଭାଗ୍ୟ, ବଢ଼ି ଚାଲିଛି ସ୍ୱାଧୀନତାର ଆୟୁଷ। ୟା’ ଭିତରେ ବିତିଗଲାଣି ସାତ ଦଶନ୍ଧି। ଦେଶବାସୀଙ୍କର ସାମଗ୍ରିକ ଦାରିଦ୍ର୍ୟ ଦୂର ହୋଇନାହିଁ। ଅନେକ କ୍ଷେତ୍ରରେ ଦେଶ ପ୍ରଗତି କରିଛି ସତ, ହେଲେ ପ୍ରଗତିଶୀଳ ଚେତନା ଠେଲି ହୋଇଯାଇଛି ପଛକୁ, ବହୁତ ପଛକୁ। ଶିକ୍ଷା, ସଂସ୍କାର, ସ୍ୱାଭିମାନ, ସମୃଦ୍ଧି ଆଦି କ୍ଷେତ୍ରରେ ଏବେ ବି ଦେଶ ଅନେକ ପଛରେ। ଦେଶପ୍ରେମର ଘୋର ଅଭାବ। ସେଥିପାଇଁ ଏହାକୁ ନେଇ ରାଜନୀତି। ଗଣତାନ୍ତ୍ରିକ ମୂଲ୍ୟବୋଧ ସଂପର୍କରେ ଅନେକ ରାଜନେତା ଅଜ୍ଞ, ସାଧାରଣ ଜନତା ତତୋଧିକ। ଏକ ପ୍ରକାର କୋଳାହଳ ଓ ଅରାଜକତାର ଶାସନ ପରମ୍ପରାରେ ପରିଣତ ହୋଇଛି ଭାରତର ଶାସନ ବ୍ୟବସ୍ଥା। ଏକ ରକମ ବିଫଳ ହୋଇଛି ଭାରତର ଗଣତନ୍ତ୍ର। ଯେଉଁଥିପାଇଁ ବର୍ତ୍ତମାନ କ୍ଷମତାରେ ଥିବା ନେତାମାନେ ଦେଶର ସମସ୍ତ ତ୍ରୁଟିବିଚ୍ୟୁତ ପାଇଁ ପୂର୍ବ ସରକାରମାନଙ୍କୁ ଦୋଷ ଦେଉଛନ୍ତି। ଷାଠିଏ ବର୍ଷର ଭୁଲ ସୁଧାରିବାକୁ ଷାଠିଏ ମାସ ସମୟ ମାଗି କ୍ଷମତାକୁ ଆସିଥିବା ଲୋକମାନେ ସ୍ୱାଧୀନତା ସମୟରୁ ଏଯାବତ ହୋଇ ଆସିଥିବା ଅନେକଗୁଡ଼ିଏ ଭୁଲ ପାଇଁ ଭାରତୀୟ ଗଣତନ୍ତ୍ରର ପୂର୍ବସୂରୀ ବା ପ୍ରତିଷ୍ଠାତାମାନଙ୍କୁ ଦୋଷ ଦେଇଚାଲିଛନ୍ତି।
ଏହିପରି ଏକ ବିଫଳ ବ୍ୟବସ୍ଥାରେ ଅନେକ ସମୟରେ ଭଲ ଉଦ୍ଦେଶ୍ୟ ରଖିଥିବା ନେତାମାନେ ମଧ୍ୟ ହତାଶ ବୋଧ କରନ୍ତି, କରିଛନ୍ତି। ଦିନେ ଏହିପରି ହତାଶ ବୋଧ କରିଥିଲେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ। ୧୯୯୦-୯୫ ମଧ୍ୟରେ ସେ ଦ୍ୱିତୀୟ ବାର ମୁଖ୍ୟମନ୍ତ୍ରୀ ଥିଲାବେଳେ କହୁ କହୁ କହି ପକାଇଥିଲେ, ଏ ଦେଶକୁ ସାମରିକ ଶାସନ ଦରକାର। ସେନା ବାହିନୀରେ ଶୃଙ୍ଖଳା, ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତାର ତାଲିମ ଅଧିକ କଠୋର। ସେନାର ସଦସ୍ୟମାନଙ୍କ ଆଗରେ ଦେଶର ନିରାପତ୍ତା ସବୁଠୁଁ ଅଧିକ ଗୁରୁତ୍ୱପୂର୍ଣ୍ଣ, ନିଜର ଜୀବନ ତୁଚ୍ଛ। ଧର୍ମ ଓ ସଂପ୍ରଦାୟର ବିଭେଦ ଓ ବିଦ୍ୱେଷରୁ ବହୁ ଦୂରରେ ସେନା। ଦଳୀୟ ବାଦ ଓ ବିବାଦର ଅନେକ ଊର୍ଦ୍ଧ୍ୱରେ ଯବାନମାନେ। ସୈନିକ ଓ ସେନାପତିମାନଙ୍କର ଆନୁଗତ୍ୟ କେବଳ ଦେଶ ପ୍ରତି, କୌଣସି ଦଳ ପ୍ରତି ନୁହେଁ କି କୌଣସି ନିର୍ଦ୍ଦିଷ୍ଟ ନେତା ପ୍ରତି ନୁହେଁ। ଦେଶର ଅନ୍ୟ ସବୁ ବ୍ୟବସ୍ଥାରେ ସ୍ୱାର୍ଥର ଲଢ଼େଇ, ସେନା ବାହିନୀରେ ସଂକଳ୍ପର। ସେଥିପାଇଁ ଯେଉଁ କାମ ସାରିବାକୁ ସରକାରୀ ବିଭାଗଗୁଡ଼ିକ ବର୍ଷ ବର୍ଷ ନେଇଥାନ୍ତି, ସେନା ବାହିନୀ ତାହାକୁ ସପ୍ତାହ ବା ମାସରେ ଶେଷ କରିପାରେ। ସେଇଥିପାଇଁ ବ୍ୟବହୃତ ହୁଏ ‘ଯୁଦ୍ଧକାଳୀନ’ ପ୍ରସ୍ତୁତି, ନିର୍ମାଣ ଓ ମରାମତି ଆଦି ଉପଲକ୍ଷ୍ୟ। ଏହିସବୁ କଥାକୁ ଲକ୍ଷ୍ୟ କରି ବିଜୁବାବୁ ସାମରିକ ଶାସନ ଦରକାର ବୋଲି କହିଥିଲେ। କିନ୍ତୁ ତାହାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ। ତାଙ୍କର ସେହି ବୟାନକୁ ଓଡ଼ିଶା ସମେତ ଜାତୀୟ ସ୍ତରର ଅନେକ ରାଜନେତା ତୀବ୍ର ସମାଲୋଚନା କରିଥିଲେ। ବିଜୁବାକୁ ଗଣତନ୍ତ୍ରବାଦୀ ନୁହନ୍ତି, ବିଜୁବାବୁ ଏକଛତ୍ରବାଦୀ, ବିଜୁବାବୁଙ୍କ ମୁଣ୍ଡ ଖରାପ ହୋଇଗଲାଣି ଭଳି ସମାଲୋଚନାର ଅନେକ ଶବ୍ଦ ଉଠିଥିଲା ତାଙ୍କ ବିରୋଧରେ। ବିବାଦ ଘନେଇବାରୁ ସବୁ ରାଜନେତାଙ୍କ ପରି ସେ ମଧ୍ୟ କହିଥିଲେ, ‘ମୋ କଥାର କଦର୍ଥ କରାଯାଇଛି, ମୁଁ ମୋ କଥା ଫେରେଇ ନେଉଛି’।
ବିଜୁବାବୁ କହିଥିଲେ ବୋଲି ତାହା ଭୁଲ ନଥିଲା। ବରଂ ସାମରିକ ଶାସନ ଏଇଥିପାଇଁ ଭୁଲ ଯେ ଏଥିରେ ଗଣଙ୍କ ଭୂମିକା ଗୌଣ। ସାମରିକ ଶାସନରେ ବ୍ୟକ୍ତି ସ୍ୱାଧୀନତା ନଥାଏ କହିଲେ ଚଳେ। ସାମରିକ ଶାସନ ବାଛିବାରେ ଗଣଙ୍କର କୌଣସି ଭୂମିକା ନଥାଏ। ସାମରିକ ଶାସନରେ ଏକଛତ୍ରବାଦ ମଜଭୁତ ହୋଇଥାଏ। ଯେଉଁ ସାମରିକ ଶୃଙ୍ଖଳା ଦେଶ ପାଇଁ ହିତକର ସେହି ସାମରିକ ଶୃଙ୍ଖଳା ସାମରିକ ଶାସନରେ ଦେଶବାସୀଙ୍କ ପାଇଁ ଅହିତକର ହୋଇଯାଏ। ଭାରତ ଚାରିପଟେ ଏଭଳି ଶାସନର ଅନେକ ଉଦାହରଣ ଦେଖିବାକୁ ମିଳିଛି। ପାକିସ୍ତାନ ଓ ଭାରତ ଗୋଟିଏ ଦିନରେ ସ୍ୱାଧୀନ ହୋଇଥିଲେ ବି ପାକିସ୍ତାନରେ ଗଣତନ୍ତ୍ର ସଂପୂର୍ଣ୍ଣ ବିଫଳ ହୋଇଛି। ପାକିସ୍ତାନରେ ଗତ ସାତ ଦଶନ୍ଧି ମଧ୍ୟରେ ଗଣତାନ୍ତ୍ରିକ ସରକାରର କାର୍ଯ୍ୟକାଳ ଅପେକ୍ଷା ସାମରିକ ଶାସକଙ୍କର କାର୍ଯ୍ୟକାଳ ଢେର ଅଧିକ। ସେଠାରେ ଏବେ ଦାରିଦ୍ର୍ୟ, ଦୁର୍ନୀତି, ଆତଙ୍କବାଦର ରାଜୁତି। ବିଜ୍ଞାନ ଓ ବିକାଶ କ୍ଷେତ୍ରରେ ଭାରତଠାରୁ ଅନେକ ପଛରେ ପଡ଼ି ଯାଇଛି ପାକିସ୍ତାନ। ବ୍ରହ୍ମଦେଶ ବା ମ୍ୟାଁମାରର ଅବସ୍ଥା ମଧ୍ୟ ସେହିପରି। ମାଳଦ୍ୱୀପରେ ସେନା ସହାୟତାରେ ଏକାଧିକ ଥର ବିଦ୍ରୋହ ହୋଇଛି। ସେଠି ବି ଗଣତନ୍ତ୍ର ଦୁର୍ବଳ। ଚୀନରେ ତ ଗଣତନ୍ତ୍ର ନାଁରେ ଏକଛତ୍ରବାଦ ଚାଲିଛି। ଗୋଟିଏ ଦେଶ, ଗୋଟିଏ ଦଳ, ଗୋଟିଏ ସେନା ଓ ଗୋଟିଏ ନେତାର ଗଣତନ୍ତ୍ରରେ ପରିଣତ ହୋଇଛି ଚୀନର ଶାସନ ବ୍ୟବସ୍ଥା। ସେଠା ସୈନ୍ୟ ବାହିନୀ ବି ବାମପନ୍ଥୀ ଆଦର୍ଶର ଜୟଗାନ କରନ୍ତି। ଆଫଗାନିସ୍ତାନରେ ସେନାଠାରୁ ଅଧିକ ଶକ୍ତିଶାଳୀ ଆତଙ୍କର ଅନୁଷ୍ଠାନ ତାଲିବାନ। ସେଠାରେ ଗଣତନ୍ତ୍ର ଅନେକ ସମୟରେ ଗୃହବନ୍ଦୀ। ଇରାକ ହେଉ ବା ଇରାନ, ଲିବ୍ୟା ହେଉ ବା ସିରିଆ- ମଧ୍ୟ ପ୍ରାଚ୍ୟରେ ସେନାତନ୍ତ୍ରର ପ୍ରଭାବ ଓ ପତିଆରା ଯୋଗୁଁ ସାଧାରଣ ଜନତାଙ୍କର ସ୍ୱାଧୀନତା କିପରି ଦୁର୍ବଳ ଥିଲା ତାହା ସେ ଦେଶର ଲୋକମାନେ ଅଙ୍ଗେ ନିଭାଇଛନ୍ତି। ବିଶ୍ୱର ଅନ୍ୟ କେତେକ ଦେଶର ସେନାତନ୍ତ୍ର ମଧ୍ୟ ଦେଶବାସୀଙ୍କୁ ଗଣତାନ୍ତ୍ରିକ ସ୍ୱାଧୀନତା, ସ୍ୱଚ୍ଛନ୍ଦତା ଓ ଅଧିକାର ପ୍ରଦାନ କରିନାହିଁ।
ଏ ଦୃଷ୍ଟିରୁ ଭାରତବର୍ଷର ଗଣତନ୍ତ୍ର ଅନେକ ସୁଦୃଢ଼। ୧୯୭୫-୭୭ ଦୁଇ ବର୍ଷର ଜରୁରୀକାଳୀନ ପରିସ୍ଥିତିକୁ ଛାଡ଼ିଦେଲେ ଭାରତର ଲୋକମାନେ ଅଦ୍ୟାବଧି ଗଣତନ୍ତ୍ରର ସୁଖ ସୁବିଧା ଉପଭୋଗ କରିଆସିଛନ୍ତି, ଗଣତାନ୍ତ୍ରିକ ସରକାରର ମାଲିକ ଭାବେ ଗର୍ବ ବୋଧ କରି ଆସିଛନ୍ତି। ସେଥିପାଇଁ ଆଜି ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯାଏଁ ଊଣାଅଧିକେ ପ୍ରାୟ ସମସ୍ତ ରାଜନେତା ଲୋକମାନଙ୍କୁ ଗଣତନ୍ତ୍ରର ମାଲିକ ଓ ନିଜକୁ ସେବକ ଭାବେ ଉପସ୍ଥାପିତ କରି ଆସିଛନ୍ତି, ଗଣତନ୍ତ୍ରର ଜୟ ଜୟକାର ପକେଇ ଆସିଛନ୍ତି। କିନ୍ତୁ ଗତ କିଛି ବର୍ଷର ରାଜନୀତିକ ପରିବର୍ତ୍ତନ ଓ ଆନ୍ଦୋଳନ ଯୋଗୁଁ ଭାରତର ସେନା ବାହିନୀର ମଧ୍ୟ ରାଜନୀତିକୀକରଣ ହେଉଛି ବୋଲି ସନ୍ଦେହ ସୃଷ୍ଟି ହୋଇଛି। ଅଧିକରୁ ଅଧିକ ସେନାଧ୍ୟକ୍ଷ ରାଜନୀତି କରିବା ସହିତ ରାଜନୀତିକ ବିବୃତି ଦେବା ଆରମ୍ଭ କରିଛନ୍ତି। ଦୁଇ ଦଶନ୍ଧି ପୂର୍ବରୁ ଏଭଳି ପରିବର୍ତ୍ତନ ଦେଖାଯାଉ ନଥିଲା। କେଇ ଦିନ ତଳେ ସେନାଧ୍ୟକ୍ଷ ପଦରୁ ଅବସର ନେଇଥିବା ଓ ଅବସର ନେବାର କେଇ ଦିନ ଭିତରେ ପ୍ରତିରକ୍ଷା ବାହିନୀ ମୁଖ୍ୟ ବା ସିଡିଏସ ପଦରେ ଅବସ୍ଥାପିତ ହୋଇଥିବା ଜେନେରାଲ ବିପିନ ରାୱତ ଏହିପରି ଏକ ବୟାନ ଦେଇ ବିବାଦ ଘେରକୁ ଆସିଥିଲେ। କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନ ବିରୋଧରେ ଯେଉଁମାନେ ଆନ୍ଦୋଳନ କରୁଥିଲେ ସେମାନଙ୍କୁ ସେ ପରୋକ୍ଷରେ ସମାଲୋଚନା କରି କହିଥିଲେ ଯେ ଯେଉଁମାନେ ଆନ୍ଦୋଳନ କରିବାକୁ ଯାଇଁ ଦେଶର ସଂପତ୍ତି ନଷ୍ଟ କରୁଛନ୍ତି ସେମାନେ ନେତା ନୁହନ୍ତି। ତାଙ୍କର ଏହି ବୟାନ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଚାରି ଆଡ଼ୁ ସମାଲୋଚନା ହେଲା ପରେ ସେନା ବାହିନୀ ଏହାର ସ୍ପଷ୍ଟୀକରଣ ଦେଇଥିଲା। ସେନା ତରଫରୁ ଜାରି ବିବୃତିରେ କୁହାଯାଇଥିଲା ଯେ ଭାରତର ସେନା ବାହିନୀ ରାଜନୀତି କରେ ନାହିଁ, ବରଂ ରାଜନୀତିରୁ ଦୂରେଇ ରହେ। ଭାରତର ସେନା ବାହିନୀ ଧର୍ମନିରପେକ୍ଷ। କିନ୍ତୁ ଏହାର ମାତ୍ର କେଇ ଦିନ ଭିତରେ ନୂଆ ସେନାଧ୍ୟକ୍ଷ ଜେନେରାଲ ମୁକୁନ୍ଦ ନରବଣେ କହିଲେ ଯେ ୩୭୦ ଧାରା ଉଚ୍ଛେଦ ନିଷ୍ପତ୍ତି ଐତିହାସିକ। ଏହି ନିଷ୍ପତ୍ତି ରାଜନୀତିକ। ଏହାକୁ ସମର୍ଥନ କରିବା ମଧ୍ୟ ରାଜନୀତିକ। ଅବଶ୍ୟ ଜେନେରାଲ ନରବଣେଙ୍କର ଏହି ବୟାନ ବିରୋଧରେ ଏବେ ସୁଦ୍ଧା ରାଜନୀତିକ ସ୍ତରରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। କିନ୍ତୁ ସାମାଜିକ ଗଣମାଧ୍ୟମରେ ତାଙ୍କ ବୟାନକୁ ବିରୋଧ କରିଛନ୍ତି ଅନେକ ସଚେତନ ବୁଦ୍ଧିଜୀବୀ।
୧୯୯୭ ମସିହାରେ ସେନାଧ୍ୟକ୍ଷ ପଦରୁ ଅବସର ନେବା ପରେ ଜେନେରାଲ ଶଙ୍କର ରୟଚୌଧୁରୀ ରାଜ୍ୟସଭା ସଦସ୍ୟ ହେବାକୁ ପସନ୍ଦ କରିଥିଲେ। ୨୦୧୩ରେ ଅବସର ନେବା ପରେ ଜେନେରାଲ ଭିକେ ସିଂହ ବିଜେପିରେ ମିଶି ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ଜିତି କେନ୍ଦ୍ର ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୯ରେ ସେନାଧ୍ୟକ୍ଷ ପଦରୁ ଅବସର ନେଇ ଜେନେରାଲ ବିପିନ ରାୱତ ନୂଆ ପଦ ମଣ୍ଡନ କରିଛନ୍ତି। ଭବିଷ୍ୟତରେ ଅବସର ନେଲା ପରେ ଜେନେରାଲ ନରବଣେ ହୁଏତ ସେହିପରି କିଛି ରାଜନୀତିକ ପଦର ଅଧିକାରୀ ହୋଇପାରନ୍ତି। ଏସବୁ ମାମୁଲି ବୋଧ ହୋଇପାରେ। କିନ୍ତୁ ଏସବୁ ଘଟଣା ଯୋଗୁଁ ସେନା ଓ ରାଜନୀତି ମଧ୍ୟରେ ପୂର୍ବର ଦୂରତା କମି ଆସୁଛି ବୋଲି କହିଲେ ଅତିଶୟୋକ୍ତି ହେବ ନାହିଁ।