କରୋନା ଏକ ଖାନ୍ନା!

ଦେବେନ୍ଦ୍ର ପୃଷ୍ଟି ଏଣେ କହୁଛନ୍ତି କରୋନା ପାଇଁ କେହି ଆତଙ୍କିତ ହୁଅନା। ତେଣେ ଚାଲିଛି ଘନଘନ ସମୀକ୍ଷ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ପ୍ରାୟ ସମସ୍ତ ରାଜନେତା କରୋନା ନେଇ ଏହିପରି ଦୁଇ ପ୍ରକାର ବାର୍ତ୍ତା ଦେଇ ଚାଲିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ଏହାକୁ ଏକ ମହାମାରୀ ଭାବେ ବର୍ଣ୍ଣନା କରିଛି। ସେଥିପାଇଁ ଏହା ଏକ ଆତଙ୍କ। ତେଣେ ଏହି ସଂସ୍ଥା ଓ ବିଶ୍ୱର ଅନ୍ୟ ବହୁ ବିଶେଷଜ୍ଞ […]

Corona

Debendra Prusty
  • Published: Friday, 13 March 2020
  • , Updated: 13 March 2020, 07:13 PM IST

ଦେବେନ୍ଦ୍ର ପୃଷ୍ଟି

ଏଣେ କହୁଛନ୍ତି କରୋନା ପାଇଁ କେହି ଆତଙ୍କିତ ହୁଅନା। ତେଣେ ଚାଲିଛି ଘନଘନ ସମୀକ୍ଷ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ପ୍ରାୟ ସମସ୍ତ ରାଜନେତା କରୋନା ନେଇ ଏହିପରି ଦୁଇ ପ୍ରକାର ବାର୍ତ୍ତା ଦେଇ ଚାଲିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ଏହାକୁ ଏକ ମହାମାରୀ ଭାବେ ବର୍ଣ୍ଣନା କରିଛି। ସେଥିପାଇଁ ଏହା ଏକ ଆତଙ୍କ। ତେଣେ ଏହି ସଂସ୍ଥା ଓ ବିଶ୍ୱର ଅନ୍ୟ ବହୁ ବିଶେଷଜ୍ଞ ଯାହା କହୁଛନ୍ତି ତାହା ହେଲା ଶୁଦ୍ଧ ଓ ସତର୍କ ରହିଲେ କୌଣସି ଲୋକଙ୍କୁ ଏହି ଭୂତାଣୁ ଆକ୍ରମଣ କରିବ ନାହିଁ। ତେଣୁ ଏହା ଆତଙ୍କ ନୁହେଁ, ଏକ ସାଧାରଣ ରୋଗ। ଇତିମଧ୍ୟରେ ବିଶ୍ୱର ଅନେକ ଲୋକ କରୋନା ଆକ୍ରାନ୍ତ ହେବା ପରେ ମଧ୍ୟ ସୁସ୍ଥ ହୋଇସାରିଲେଣି। ଚୀନର ହୁବେଇ ପ୍ରଦେଶ ରାଜଧାନୀ ଉହାନର ସବୁ ଲୋକ କରୋନାର ଶିକାର ହୋଇନାହାନ୍ତି। ଅଧିକାଂଶ ସୁସ୍ଥ ହୋଇସାରିଲେଣି। ପ୍ରଚଳିତ ଚିକିତ୍ସା ପଦ୍ଧତିରେ ମଧ୍ୟ କରୋନାକୁ ରୋକି ହେଉଛି, ଭଲ କରି ହେଉଛି। ତେଣୁ, ଏହାକୁ ନେଇ ଏତେ ପ୍ରକାର ଆତଙ୍କର ବାର୍ତ୍ତା ଓ ପଦକ୍ଷେପ ନିଶ୍ଚୟ ଲୋକମାନଙ୍କୁ ଅଧିକ ଆତଙ୍କିତ କରିବ। ଏଇ ମଉକାରେ କିଛି ଅସାଧୁ ରାଜନେତା ଓ ଅମଲା ହାତଚିକ୍କଣ କରିବାର ସୁଯୋଗ ପାଇବେ।

ସଂପ୍ରତି ଓଡ଼ିଶା ସରକାର କରୋନାକୁ ଏକ ରାଜ୍ୟ ସ୍ତରୀୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ସମଗ୍ର ଦେଶରେ ଏଯାଏଁ ମାତ୍ର ୮୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଏଯାଏଁ ମାତ୍ର ଜଣେ ଲୋକ ଏହି ଭୂତାଣୁରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ତଥାପି ଏହା କିପରି ଏକ ବିପର୍ଯ୍ୟୟ ହେଲା ବୁଝାପଡ଼ୁ ନାହିଁ। ବିଶ୍ୱ ଓ ରାଷ୍ଟ୍ର ସ୍ତରୀୟ ହଇଚଇ ଦେଖି ଓଡ଼ିଶା ସରକାର ମଧ୍ୟ ସେଥିରେ ସାମିଲ ହୋଇଛନ୍ତି। ତେବେ ଗୋଟେ କଥା ବୁଝାପଡ଼ୁନି। ତାହା ହେଲା କରୋନା ପାଇଁ ରାଜ୍ୟ ସରକାର ବିଧାନସଭାକୁ ମାର୍ଚ୍ଚ ୨୯ ତାରିଖ ଯାଏଁ ମୁଲତବୀ ରଖିବାକୁ ପ୍ରସ୍ତାବ ଦେଲେ ଓ ସରକାରୀ ଦଳ ତାହାକୁ ସମର୍ଥନ କଲା। ହେଲେ ସଚିବାଳୟ କାହିଁକି ଖୋଲା ରହିଲା? ସେଠି କ’ଣ କରୋନା ଭୂତାଣୁର ପ୍ରବେଶ ଉପରେ ନିଷେଧାଦେଶ ଜାରି କରାଯାଇଛି? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁସାରେ ରାଜ୍ୟ ସରକାର କରୋନା ଭୟରେ ରାଜ୍ୟର ସମସ୍ତ ସ୍କୁଲକୁ ମାର୍ଚ୍ଚ ୩୧ ତାରିଖ ଯାଏଁ ବନ୍ଦ କରିଦେଇଛନ୍ତି। ବିବାହ ଭୋଜି, ରୋଷଣୀ, ସେମିନାର, ୱାର୍କଶପ୍‌, ସିନେମା ହଲ୍‌, ସୁଇମିଂ ପୁଲ୍‌ ଆଦି ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କାରଣ ଏସବୁ ସ୍ଥାନରେ ଭିଡ଼ ହୋଇଥାଏ। କାହାଠାରୁ କାହାକୁ କରୋନା ବ୍ୟାପିବାର ଆଶଙ୍କା ରହିଛି। କିନ୍ତୁ ବଡ଼ ବଡ଼ ମଲ୍‌, ବ୍ୟାବସାୟିକ ପ୍ରତିଷ୍ଠାନ, ଜିମ୍‌, କ୍ଲବ୍‌, ହୋଟେଲ୍‌ ଆଦି ବନ୍ଦ କରିବାକୁ ରାଜ୍ୟ ସରକାର ଚିନ୍ତା କରିନାହାନ୍ତି। ସେଠି କ’ଣ ଅଧିକ ଲୋକଙ୍କ ଭିଡ଼ ଜମେ ନାହିଁ? ରାଜ୍ୟ ସରକାର ୧୪୭ ଆସନ ବିଶିଷ୍ଟ ବିଧାନସଭା ମୁଲତବୀ କରିଛନ୍ତି। କିନ୍ତୁ ସଚିବାଳୟ ବା ଲୋକସେବା ଭବନ, ନିର୍ଦ୍ଦେଶାଳୟ ଓ କଲେକ୍ଟରିଆଟ୍‌ ଆଦି ଖୋଲା କାହିଁକି? ସେଠି କ’ଣ ଲୋକ ଭିଡ଼ ହୁଏ ନାହିଁ ନା ସେଠି କରୋନାକୁ ନିଷିଦ୍ଧ ଘୋଷଣା କରାଯାଇଛି?

ଓଡ଼ିଶା ବିଧାନସଭାରେ ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ପାଣ୍ଠି ଜମା କରିବା ନେଇ ଆଲୋଚନା ଚାଲିଥିଲାବେଳେ ଶାସକ ଦଳ ମୁଲତବୀ ନୋଟିସ ଦେଲେ। ଏହି ପାଣ୍ଠି ଜମା ଏକ କେଳେଙ୍କାରି ବୋଲି ବିରୋଧୀ ପକ୍ଷ ଅଭିଯୋଗ କରୁଥିଲେ। ଆଇନ ଓ ନିୟମ ନଥିଲେ ବି ସରକାରୀ ଅଧିକାରୀମାନେ ଜାତୀୟକରଣ ବ୍ୟାଙ୍କ ପରିବର୍ତ୍ତେ ଘରୋଇ ୟେସ୍‌ ବ୍ୟାଙ୍କରେ ଟଙ୍କା ଜମା ରଖିଥିଲେ। ଏଥିରେ ସରକାରଙ୍କର ପ୍ରିୟ ଜଣେ ବାବୁ ଓ ଅନ୍ୟ ଜଣେ ଉପଦେଷ୍ଟାଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ଅଧିକ ଆଲୋଚନା ହେଲେ ଅଧିକ ଗୁମର ଫିଟିବ ଓ ଏ ଦୁଇ ଜଣଙ୍କ ସହିତ ଏମାନଙ୍କ ପଛରେ ଥିବା ଅନ୍ୟମାନଙ୍କର ମୁଖା ଖୋଲିବାର ସମ୍ଭାବନା ଥିବାରୁ ସରକାର ବିଧାନସଭା ମୁଲତବୀ କରି ମୁଖା ସମ୍ଭାଳିବାର ପ୍ରୟାସ କରିଥାଇ ପାରନ୍ତି। ନହେଲେ କରୋନା ପାଇଁ ଯଦି ବିଧାନସଭା ବନ୍ଦ ରହିବ ତେବେ ସଚିବାଳୟ ଆଦିକୁ ମଧ୍ୟ ଛୁଟି ଘୋଷଣା କରାଯିବା କଥା। ବିଧାନସଭାକୁ ବିଦେଶୀ ଯିବାର ସମ୍ଭାବନା ନାହିଁ। ମାତ୍ର, ସଚିବାଳୟକୁ ବିଦେଶ ଫେରନ୍ତା ବହୁ ଶିଳ୍ପପତି ଯାଇଥାନ୍ତି। ଏ ସରକାରଙ୍କ ଅମଳରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଦ୍ୱାର ଦେଶୀବିଦେଶୀ ଶିଳ୍ପପତିଙ୍କ ପାଇଁ ମୁକୁଳା ରହିଛି। ବିଧାନସଭା ଅପେକ୍ଷା ସଚିବାଳୟରେ ଅଧିକ ଲୋକ କାମ କରନ୍ତି। ଏପରିକି ରାଜ୍ୟର ଅଧିକାଂଶ ସ୍କୁଲଠାରୁ ସଚିବାଳୟର କର୍ମଚାରୀ ସଂଖ୍ୟା ଅଧିକ। ସେମାନେ ସମସ୍ତେ କ’ଣ କରୋନା-ପ୍ରତିରୋଧୀ ଶକ୍ତି ଆହରଣ କରିଛନ୍ତି? ସେହିପରି ବିବାହ ଭୋଜି ଓ ସେମିନାର ଆଦି ବନ୍ଦ ରହିବ ଅଥଚ ମଲ୍‌ ଇତ୍ୟାଦି ଖୋଲା ରହିବ। ଏହା କେତେ ଯୁକ୍ତିସଙ୍ଗତ?

ସରକାର କରୋନା ବିରୋଧରେ ଲଢ଼ିବା ପାଇଁ ୨୦୦ କୋଟି ଟଙ୍କାର ପାଣ୍ଠି ଗଠନ କରିଛନ୍ତି। ଏଥିରେ ହେବ କ’ଣ? କରୋନା ପ୍ରତିରୋଧୀ ମାସ୍କ, ସାନିଟାଇଜର୍‌ ଆଦି ଯଦି କିଣାଯିବ ତେବେ କେବେ? ସରକାର ଚାହିଁଥିଲେ ଏହି ଟଙ୍କାରେ ଏସବୁ କିଣି ସ୍କୁଲ ଆଦିକୁ ଯୋଗାଇ ପାରିଥାନ୍ତେ। ଏମିତି ବି ଏବେ ବାର୍ଷିକ ପରୀକ୍ଷା ପରେ ଅନେକ ସ୍କୁଲ ବନ୍ଦ। ଯେଉଁଠି ବାର୍ଷିକ ପରୀକ୍ଷା ଚାଲିଛି ଚାଲିବ। ତେବେ, ସ୍କୁଲ ବନ୍ଦ ଘୋଷଣାର ଅର୍ଥ କ’ଣ? ପରୀକ୍ଷା ଦିନ କ’ଣ ଗହଳି ହେବ ନାହିଁ? ସ୍କୁଲ ଛୁଟି ରହିଲେ ସରକାର କ’ଣ ଘର ଘର ବୁଲି ମାସ୍କ ଓ ସାନିଟାଇଜର ବାଣ୍ଟିବେ? ନା ଔଷଧ କିଣିବା ନାମରେ ଏହି ପାଣ୍ଠି ହଡ଼ପ ହେବ। ଓଡ଼ିଶା ଔଷଧ ନିଗମ ଜରିଆରେ ଔଷଧ କିଣି କରୋନା ମୁକାବିଲା କରାଯାଇ ପାରିବ କି ନାହିଁ ତାହା ସରକାର ସମୀକ୍ଷା କରିଛନ୍ତି କି? ଏଥିରେ କି ଔଷଧ କିଣାଯିବ ଯାହା ସରକାରଙ୍କର ଅନ୍ୟ ସ୍କିମ୍‌ରେ କିଣାଯାଇ ନାହିଁ? ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କରୋନା ରୋଗକୁ ଅନ୍ତର୍ଭୁକ୍ତ କରିବା ପାଇଁ ନବୀନବାବୁଙ୍କ କ୍ୟାବିନେଟ୍‌ ନିଷ୍ପତ୍ତି ନେଲା ନାହିଁ କାହିଁକି? ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୨୦୦ କୋଟି ଟଙ୍କାକୁ ଯଦି ଓଡ଼ିଶାର ୪ କୋଟି ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ ତେବେ ମୁଣ୍ଡ ପିଛା ୫୦ ଟଙ୍କା ବା ପରିବାର ପିଛା ୨୦୦ ଟଙ୍କା ଭାଗ ପଡ଼ିବ। ସେଇ ଟଙ୍କାରେ ସମସ୍ତ ପରିବାର ନିଜ ପରିବାର ପାଇଁ ମାସ୍କ ଓ ସାନିଟାଇଜର କିଣିପାରିବେ। ସରକାର ଏ ଟଙ୍କାକୁ ଆଶା କର୍ମୀଙ୍କ ଜରିଆରେ ଘରେ ଘରେ ପହଞ୍ଚାଇବେ ନା ବେପାର କରିବେ? ବେପାରରେ କମିଶନ କାରବାର ହେବ। ବିପର୍ଯ୍ୟୟ ପାଣ୍ଠିର ଅଡିଟ୍‌ ହୁଏ ନାହିଁ। କରୋନା ବିପର୍ଯ୍ୟୟ ନାଁରେ ଯେଉଁ ଟଙ୍କା ଖର୍ଚ୍ଚ ହେବ ତାହା ଫାଇଲିନ୍‌ ପାଇଁ ଦିନକ ଭିତରେ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବା ଭଳି କାଳ୍ପନିକ ଖର୍ଚ୍ଚ ହିସାବରେ ସରିଯିବନି ତ?

କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରୁଥିବା କରୋନା ସଂପର୍କୀତ ବିଜ୍ଞାପନରୁ ବୁଝାଯାଉଛି ଯେ କରୋନାକ୍ରାନ୍ତ ରୋଗୀ ଯଦି ଏକ ମିଟର ଦୂରତା ମଧ୍ୟରେ ଛିଙ୍କେ ବା କାଶେ ତେବେ ପାଖ ଲୋକ ଅସତର୍କ ଥିଲେ ତାଙ୍କର ନାକ ଓ ପାଟି ଦେଇ ଏହି ଭୂତାଣୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଯଦି ଜଣେ ମାସ୍କ ପିନ୍ଧିଥାଏ ତେବେ ସେଥିରୁ ବର୍ତ୍ତିଯିବେ। ସେହିପରି ହାତ ସଫା ରଖୁଥିଲେ ଏହା ହାତ ଦେଇ ପାଟି ଓ ନାକ ପାଖକୁ ଯାଇପାରିବ ନାହିଁ ବୋଲି କୁହାଯାଉଛି। ସରକାରୀ ବିଜ୍ଞାପନ, ବେସରକାରୀ ଗଣମାଧ୍ୟମ ଜରିଆରେ ଏନେଇ ଅନେକ ପ୍ରକାର ବାର୍ତ୍ତା ପ୍ରକାଶ ପାଉଛି। ଏହା ଏକ ବାୟୁ ବାହିତ ରୋଗ ନୁହେଁ ବୋଲି ମଧ୍ୟ ଡାକ୍ତରମାନେ କହୁଛନ୍ତି। ତଥାପି, ସରକାର ଅନ୍ୟମାନଙ୍କୁ ଆତଙ୍କିତ ନହେବାର ପରାମର୍ଶ ଦେଇ ନିଜ ପଦକ୍ଷେପ ଜରିଆରେ ଆତଙ୍କ ହିଁ ପ୍ରସାରଣ କରୁଛନ୍ତି। ଏହା କି ପ୍ରକାର ବୁଦ୍ଧି? ଏ ବୁଦ୍ଧି ଖାଇବାର ନା ଖୋଇବାର?

କରୋନା ଏକ ବିଶ୍ୱ ସ୍ତରୀୟ ହଇଚଇରେ ପରିଣତ ହୋଇଛି। ଏହା ନିଃସନ୍ଦେହ। ତେଣୁ ସମସ୍ତ ସତର୍କ ରହିବା ଜରୁରୀ। ସରକାର ମଧ୍ୟ ସତର୍କ କରାଇବା ଜରୁରୀ। କିନ୍ତୁ ଏହାକୁ ଏକ ଆତଙ୍କ, ବିପର୍ଯ୍ୟୟ, ମହାମାରୀ ଆଦି ଭାବେ ବର୍ଣ୍ଣନା କରାଯିବା ନିଶ୍ଚୟ ବୁଦ୍ଧି ଓ ଜ୍ଞାନର କଥା ନୁହେଁ।

Related story