ଏଣିକି ପ୍ରତି ମାସରେ ଜନତା କର୍ଫ୍ୟୁ!

ପୂର୍ବରୁ ଅନେକ ଥର ଦେଶ, ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ଭାରତ ବନ୍ଦ, ଓଡ଼ିଶା ବନ୍ଦ ହୋଇଛି । ବିଭିନ୍ନ ରାଜନୀତିକ ଦଳ, ସଂସ୍ଥା ଦ୍ୱାରା ବନ୍ଦ ପାଳନ ହୋଇଛି । ହେଲେ ବନ୍ଦ କେତେ ସଫଳ ହୁଏ ତାହା ଜନତାଙ୍କ ଅପେକ୍ଷା ରାଜନୀତିକ ଦଳଙ୍କ ମୁହଁରେ ଅଧିକ ଶୁଣାଯାଏ । ଅର୍ଥାତ୍ ପ୍ରାୟ ସବୁ ରାଜନୀତିକ ଦଳ ନିଜ ସଫଳତାର ଡିଣ୍ଡିମ ନିଜେ ହିଁ ପିଟିଥାନ୍ତି । ତେବେ ଏକ ବନ୍ଦ ବାସ୍ତବରେ କେତେ ସଫଳ ହୁଏ ତାହା ରବିବାର ଜନତା କର୍ଫ୍ୟୁର ପ୍ରଭାବରୁ ବେଶ୍ ସ୍ପଷ୍ଟ ହୋଇଛି । ବୋଧହୁଏ ଇତିହାସରେ ପ୍ରଥମ ଥର ଏକ ବନ୍ଦକୁ ଐତିହାସିକ ବା ଅଭୂତପୂର୍ବ ଜନସମର୍ଥନ ମିଳିଛି । ଲୋକେ ନିଜ ସ୍ୱାସ୍ଥ୍ୟ ପାଇଁ ଅନ୍ୟ ସମସ୍ତ ପ୍ରସଙ୍ଗକୁ ପଛରେ ରଖି ମାର୍ଚ୍ଚ ୨୨ର ଏହି ଐତିହାସିକ ଜନତା କର୍ଫ୍ୟୁକୁ ଶତକଡା ୧୦୦ ସଫଳ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୌଣସି ଅପ୍ରୀତିକର ପରିସ୍ଥିତି ନଘଟି ଏହି ଜନତା କର୍ଫ୍ୟୁ ଏକ ପ୍ରକାର ନୁହେଁ ବରଂ ସମ୍ପୂର୍ଣ୍ଣ ସଫଳ ହୋଇଛି, ତାହା ପୁଣି ଏକଦମ ପ୍ରଭାବୀ ଢଙ୍ଗରେ । ତେବେ ହେଲମେଟ୍ ନପିନ୍ଧିଲେ ଜୋରିମାନେ ଦେବାକୁ ଜାଣି ନିୟମ ମାନୁନଥିବା ବ୍ୟକ୍ତି ମଧ୍ୟ ଏହି ଜନତା କର୍ଫ୍ୟୁକୁ ମାନିଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ପ୍ରାଣ ଭୟ ।

ଚାଇନା, ଇଟାଲୀ ଭଳି ଦେଶରେ ମୃତ୍ୟୁ ସଂଖ୍ୟା ପ୍ରତିଦିନି ବଢ଼ିବା ପରେ ଏବେ ଦେଶବାସୀ ଜନତା କର୍ଫ୍ୟୁକୁ ସମର୍ଥନ କରିଛନ୍ତି । ଜନତାଙ୍କ ପାଇଁ ଜନତାଙ୍କ ଦ୍ୱାରା କରାଯାଇଥିବା ଏହି କର୍ଫ୍ୟୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ୧୬ ଘଣ୍ଟା ପାଇଁ ପାଳିତ ହୋଇଛି । ହେଲେ ଅନେକ ରାଜ୍ୟରେ ୩୧ ମାର୍ଚ୍ଚ ଯାଏ ଲକ୍ ଡାଉନ୍ ଘୋଷଣା ହୋଇଛି । ଏହାର ଅର୍ଥ ଜରୁରୀକାଳୀନ ସେବା ବା ସଂସ୍ଥା ବ୍ୟତୀତ ଅନ୍ୟ କୌଣସି ସଂସ୍ଥା ବା ସେବା ପ୍ରଦାନକାରୀ ସଂସ୍ଥା ଏହି ସମୟରେ ସେମାନଙ୍କ ପ୍ରତିଷ୍ଠାନ ଖୋଲିପାରିବେ ନାହିଁ ।

ଯଦିଓ ରବିବାର ସକାଳ ୭ଟାରୁ ରାତି ୯ଟା ଯାଏ ଲକ୍ ଡାଉନ ପାଳିତ ହୋଇଛି । ହେଲେ ଶନିବାର ସକାଳୁ ରବିବାର ମଧ୍ୟାହ୍ନ ଭିତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ୯୦ରୁ ଅଧିକ ହୋଇଛି । ଦେଶରେ କରୋନା ଏବେ ତୃତୀୟ ଷ୍ଟେଜ୍‌ରେ ରହିଛି । ଚାଇନା, ଇଟାଲୀ, ଇରାନୀ ଓ ସ୍ପେନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅନୁୟାୟୀ ଏହି ଷ୍ଟେଜରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ବଢ଼ିଥାଏ । ତେଣୁ କରୋନା ଭାଇରସକୁ ଅଧିକ ବ୍ୟାପିବାକୁ ନଦେବାକୁ ଏଭଳି ଜନତା କର୍ଫ୍ୟୁ ପାଇଁ ଆହ୍ୱାନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏବେ କିନ୍ତୁ ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଦେଖି ଆଉ ସପ୍ତାହେ ଅଧିକ ଜନତା କର୍ଫ୍ୟୁ ପାଳନ ହେବା ଦରକାର ବୋଲି ଅନୁଭବ ହେଉଛି । ଏହାଦ୍ୱାରା ସଂକ୍ରମଣ ମୂଳରୁ ମରିଯିବ । ଚାଇନା ପରେ ଭାରତ ଜନସଂଖ୍ୟାରେ ଅଧିକ ରହିଥିବାରୁ କରୋନା ଉପରେ ରୋକ୍ ଲଗାଇବା ପାଇଁ ସାମାଜିତ ଦୂରତ୍ୱ ରହିବା ଦରକାର ।

ଚାଇନା, ଦକ୍ଷିଣ କୋରିଆ, ଇରାନ, ଇଟାଲୀ, ସ୍ପେନ୍‌, ଜର୍ମାନୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ୧୦୦ରୁ ଅଧିକ ଆକ୍ରାନ୍ତ ସଂଖ୍ୟା ଛୁଇଁବା ପରେ ସ୍ଥିତି ଅଣାୟତ୍ତ ହୋଇଛି । ତେଣୁ ଭାରତରେ ସମାନ ଅବସ୍ଥା ଯେ ନହେବ କେହି କହିପାରିବେ ନାହିଁ । ହେଲେ କରୋନାକୁ ମୁକାବିଲା କରିବାକୁ ଯାଇ ବିଭିନ୍ନ କଟକଣା ଲଗାଇଲେ ଆକ୍ରାନ୍ତଙ୍କ ସଂଖ୍ୟା କମିପାରିବ । ଜନତା କର୍ଫ୍ୟୁ ପାଇଁ ଆହ୍ୱାନ କରି ପରୋକ୍ଷରେ ମୋଦୀ ଆଉ ଏକ ମହତ୍ ଉଦ୍ଦେଶ୍ୟକୁ ଲୋକଙ୍କ ଆଗରେ ରଖିଛନ୍ତି । ଏହାର ଅର୍ଥ ହେଲା ଜନତା କର୍ଫ୍ୟୁ ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ସୁରକ୍ଷିତ ରହିଲେ ଦେଶର ସମସ୍ତ ନାଗରିକ ସୁରକ୍ଷିତ ରହିପାରିବେ । ଯାହାକୁ ନେଇ ହିନ୍ଦୀରେ ଏକ ଲୋକକଥା ରହିଛି, ‘ଫିକର ଆପ୍ କି, ପରବାୟ ଦେଶ କି ।’

ଇଏତ ଥିଲା କରୋନାକୁ ନେଇ ଜନତା କର୍ଫ୍ୟୁ । ହେଲେ ଏହି କର୍ଫ୍ୟୁକୁ ପ୍ରତି ମାସରେ ଥରୁଟିଏ ସାରା ବିଶ୍ୱବାସୀ ଯଦି ଏକ ବ୍ରତ ଭାବେ ପାଳନ କରିବେ ତା’ହେଲେ ଆଗାମୀ ଦିନରେ ସାରା ବିଶ୍‌ବ ଉପରେ ଏହାର ପ୍ରଭାବ ସକାରାତ୍ମକ ରହିବ । ଏହାର ଅନେକ ବୈଜ୍ଞାନିକ କାରଣ ମଧ୍ୟ ରହିଛି । କରୋନା ଭୟରେ ଲୋକମାନେ ଏବେ ଘର ଭିତରେ ରହୁଛନ୍ତି । ତେଣୁ ରାସ୍ତାରେ ଯାନ ବାହନ ଚଳାଚଳ ନାହିଁ ।କେବେଳ ବସ୍‌, ଟ୍ରକ ଅଳ୍ପ ଚାଲିଛି । ସଂକ୍ରମଣ ଭୟରେ ଲୋକମାନେ ନିଜ ଘରେ ରହିବାକୁ ପସନ୍ଦ କରୁଛନ୍ତି । ଏହାରି ଭିତରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଆକାଶମାର୍ଗରୁ ଏକ ଫଟୋ ଉଠାଇଛି । କରୋନା ଭାଇରସର କେନ୍ଦ୍ର କୁହାଯାଉଥିବା ଚାଇନାର ଉହାନରୁ ଫେବୃଆରୀରୁ ନାଇଟ୍ରୋଜେନ ଡାଇଅକ୍ସାଇଡ୍ କ୍ରମାଗତ ଭାବରେ ହ୍ରାସ ପାଇ ଚାଲିଛି ।

କରୋନା ବ୍ୟାପିବା ପୂର୍ବର ଏଠାରେ ନାଇଟ୍ରୋଜେନ ଡାଇଅକ୍ସାଇଡ୍ ସୂଚକାଙ୍କ ଲାଲ୍‌(ବିପଦ) ଥିଲା । ଏବେ କିନ୍ତୁ ଏହା କମାଳ ବା ଓରେଞ୍ଜକୁ ପଳାଇ ଆସିଛି । ଏହାର ଅର୍ଥ ନାଇଟ୍ରୋଜେନ ଡାଇଅକ୍ସାଇଡ୍ ନିର୍ଗତ ହେବା କମିଛି । କାରଣ କରେନା ପାଇଁ ଚାଇନାରେ ଏବେ ଲକ୍ ଡାଉନ୍ ରହିଛି । ଏହି ଗ୍ୟାସ ମୁଖ୍ୟତଃ ଯାନବାହନ, ଶିଳ୍ପ ସଂସ୍ଥା ଏବଂ ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ବାହାରିଥାଏ । ଚାଇନାରୁ ଏହି ଗ୍ୟାସ ଏତେ ନିର୍ଗତ ହେଉଥିଲା ଯେ ଏହା ଏକ ପ୍ରକାର ଡେଞ୍ଜର ଜୋନରେ ଥିଲା । ଏକ ଦଶନ୍ଧିରୁ ଅଧିକ ସମୟ ହେବ ଚାଇନା ନାଇଟ୍ରୋଜେନ ଡାଇଅକ୍ସାଇଡ୍ ଗ୍ୟାସକୁ ନେଇ ଚିନ୍ତିତ ଥିଲା । ହେଲେ ଏବେ ନାଟକୀୟ ଭାବରେ ନାଇଟ୍ରୋଜେନ ଡାଇଅକ୍ସାଇଡ୍ ସ୍ତରର ହ୍ରାସ ପାଇଛି ବୋଲି ୟୁରୋପୀୟ ବାୟୁ ଗୁଣବତ୍ତା ସଂସ୍ଥାର ବିଶେଷଜ୍ଞ ଆଲବର୍ଟୋ ଗୋଞ୍ଜାଲେଜ ଅର୍ଟିଜ କହିଛନ୍ତି ।

ଏହାବାଦ୍ ସବୁବେଳେ ପ୍ରଦୂଷଣର କାରଣ ଯାନବାହାନରୁ ନିର୍ଗତ କର୍ବାନ ଡାଇଅକ୍ସାଇଡ । ଲକ୍ ଡାଉନ୍ ପାଇଁ ଯାନ ବାହନ ଚଳାଚଳ ବନ୍ଦ ରହିବା ପରେ ପ୍ରଦୂଷଣ ମାତ୍ରା ମଧ୍ୟ କମିବ । ଏହାର ପ୍ରଭାବ ଆମ ପରିବେଶ ଉପରେ ମଧ୍ୟ ପଡ଼ିବ । କାରଣ ପ୍ରଦୂଷଣ ପାଇଁ ଶ୍ୱାସ ରୋଗ ପାଖରୁ ଆରମ୍ଭ କରି ଚାଷ, ପରିବେଶ ମଧ୍ୟ ଖରାପ ହେଉଛି । ଗାଡ଼ି ଚଳାଚଳ ବନ୍ଦ ରହିଲେ ଦୁର୍ଘଟଣା ମଧ୍ୟ କମିବ । ସେହିପରି କାର୍ବନ ଡାଇଅକ୍ସାଇଡ୍ କମ୍ ନିର୍ଗତ ହେବା ଫଳରେ ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା କମିବ ଏବଂ ବାୟୁମଣ୍ଡଳରେ ଉତ୍ତାପର ପରିମାଣ କମିବ । ଏବେ ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ୍ ଏବଂ ନାଇଟ୍ରୋଜେନର ମାତ୍ରା ଅଧିକ ହେବାରୁ ଜଳବାୟୁରେ ଅସ୍ଥିରତା ଦେଖାଦେଇଛି । ଯାହାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ । ଯଦି ଜଳବାୟୁରେ ସୁଧାର ନଆସିବ ତା’ହେଲେ ପୃଥିବୀ ଧ୍ୱଂସ ହେବା ଏକ ପ୍ରକାର ଥୟ । ଏଥିପାଇଁ ବିଶେଷଜ୍ଞମାନେ ଅନେକ ପ୍ରକାର ଗବେଷଣା କରୁଛନ୍ତି । ମୁଖ୍ୟତଃ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ କହୁଛନ୍ତି । ଏହାବାଦ୍ ପେଟ୍ରୋଲ ଓ ଡିଜେଲ ଏବେ ଶେଷ ହୋଇଯାଉଛି ।

ତେଣୁ ବିଶେଷଜ୍ଞମାନେ ଏହାର ବିକଳ୍ପ ଭାବରେ ସୌର ଶକ୍ତି ଏବଂ ବ୍ୟାଟେରୀକୁ ପ୍ରୟୋଗ କରି ଅନେକ ଯାନ ବାହାନ ବାହାର କରୁଛନ୍ତି । ଆଗକୁ ଇଯାନ ହିଁ ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡ଼ିର ହେବ ବିକଳ୍ପ । ଏହାଦ୍ୱାରା ପରିବେଶକୁ ଆଉ କାର୍ବନ ଡାଇଅକ୍ସାଇଡ୍ କି ନାଇଟ୍ରୋଜେନ ଡାଇଅକ୍ସାଇଡ୍ ନିର୍ଗତ ହେବ ନାହିଁ । ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା କମିବ । ସେହିପରି ପ୍ରତିମାସରେ କଳକାରଖାନା ମଧ୍ୟ ଗୋଟିଏ ଦିନ ବନ୍ଦ ରହିବା ଦରକାର । କାରଣ ବାୟୁମଣ୍ଡଳ ପ୍ରଦୂଷଣ ବା ଉତ୍ତପ୍ତ ହେବା ପଛରେ କାରଖାନାରୁ ନିର୍ଗତ ଗ୍ୟାସ ମଧ୍ୟ ରହିଥାଏ ।

ଗତବର୍ଷ ନଭେମ୍ୱରରେ ଆମେରିକାର ୱାଶିଂଟନରେ ଜଳବାୟୁ ପରିବର୍ତ୍ତନ ନେଇ ବୈଠକ ହୋଇଥିଲା । ସେଥିରେ ମତ ପ୍ରକାଶ ପାଇଥିଲା ଯେ, ବିଶ୍ୱ ଜଳବାୟୁରେ ଏବେ ଜୁରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥିତି ଏମିତି ଯେ ଆଉ ବିଚାର ବିମର୍ଶ ପାଇଁ ସମୟ ନାହିଁ । ମଣିଷ ନିଜ ଜୀବନଶୈଳୀରେ ଯଦି ପରିବର୍ତ୍ତନ ନକରିବ ତାହାଲେ ବିଶ୍ୱ ଧ୍ୱଂସ ହେବା ନିଶ୍ଚିତ । ବିଶ୍ୱର ୧୫୦ଟି ଦେଶର ୧୧ ହଜାର ବୈଜ୍ଞାନିକ ଏକାଠି ହୋଇ ଏଭଳି ମତ ବିଶ୍ୱବାସୀଙ୍କ ପାଇଁ ରଖିଛନ୍ତି । ତେବେ ଏଭଳି ଚେତାବନୀ ବୈଜ୍ଞାନିକଙ୍କ ଦ୍ୱାରା ଦ୍ୱିତୀୟ ଥର ଦିଆଯାଇଛି । ପୂର୍ବରୁ ୨୦୧୭ରେ ୧୮୪ ଦେଶର ୧୬ ହଜାର ବୈଜ୍ଞାନିକ ଏକାଠି ହୋଇ ଏଭଳି ଚେତାବନୀ ଦେଇଥିଲେ । ହେଲେ ଏହା ପରେ ସେମାନଙ୍କର ପରାମର୍ଶ କେବଳ ଆଲୋଚନା ଓ ଭାଷଣରେ ମଣିଷ ସୀମିତ ରହିଛି ।

ଦେଖାଦେଇଥିବା ଜଳବାୟୁ ପରିବର୍ତ୍ତନ ସମାଧାନ ପାଇଁ ୬ଟି ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛନ୍ତି ବୈଜ୍ଞାନିକମାନେ । ପେଟ୍ରୋଲ, ଡିଜେଲ ଓ କୋଇଲା ପରି ଜୀବାଶ୍ମ ବଦଳରେ ମିଥେନ ବ୍ୟବହାର, କମ୍ ମାଂସ ଖାଇବା, ପରିବେଶକୁ ସୁହାଇଲା ଭଳି ମଣିଷ କାମ କରିବା, ଅଙ୍ଗାରକାମ୍ଳ ମୁକ୍ତ ପରିବେଶକୁ ଗୁରୁତ୍ୱ ଦେଇଥିଲେ । ଚାଇନାରୁ ବ୍ୟାପିଥିବା ଏହିି କରୋନା ଭାଇରସ ପଶୁ ପକ୍ଷୀଙ୍କ ପାଖରୁ ଆସିଛି ବୋଲି କୁହାଯାଉଛି । ତେଣୁ ଏହାକୁ ଲକ୍ଷ୍ୟ ରଖି ଅନେକ ଏବେ ଶାକାହାରୀ ମୁହାଁ ହୋଇଛନ୍ତି । ସେହିପରି ଶାକାହାରୀ ହେଲେ ଜଣେ ଦୀର୍ଘକାୟ ସୁସ୍ଥ ହୋଇ ରହିପାରିବ ବୋଲି ଅନେକ ଡାକ୍ତର ମାନେ ପରାମର୍ଶ ଦିଅନ୍ତି ।

ଏବେ ପ୍ରତିମାସରେ ଯଦି ଲୋକମାନେ ପୃଥିବୀ ଧ୍ୱଂସ ଓ ଆମର ଉତ୍ତରାଧିକାରୀଙ୍କୁ ଲକ୍ଷ୍ୟ ରଖି ବ୍ରତ ଭାବରେ ଜନତା କର୍ଫ୍ୟୁ ପାଳନ କରିବେ ତା’ହେଲେ ନିଜେ ସୁରକ୍ଷିତ ରହିବା ସହିତ ଆମ ଦେଶ ଓ ବିଶ୍ୱ ସୁରକ୍ଷିତ ରହିପାରିବ । ହଁ ପ୍ରତିମାସରେ ଗୋଟିଏ ଦିନ ଦେଶ ବା ବିଶ୍ୱ ଯଦି ସମ୍ପୂର୍ଣ୍ଣ ବନ୍ଦ ରହିବ ତା’ହେଲେ ଆର୍ଥିକ କ୍ଷତି ହେବ । ହେଲେ ଏହି ସମୟରେ ପରିବେଶକୁ ସୁରକ୍ଷିତ ରଖିବାକୁ ଯାଇ ଗଛ ଲଗାଇବା ସହିତ ଚାଷ ଆଦି କାମରେ ପ୍ରତ୍ୟେକ ମଣିଷ ସାମିଲ୍ ହେବା ଦରକାର । ଏହାଦ୍ୱାରା ପରିବେଶ ସୁରକ୍ଷିତ ରହିବା ସହିତ ଚାଷ କରି ମଧ୍ୟ ଆର୍ଥିକ କ୍ଷତିର ଭରଣ କରିହେବ ।

ଗାନ୍ଧିଛକ, ବାଲେଶ୍ୱର
ମୋ-୯୬୯୨୦୦୨୯୨୯

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।