ପଶ୍ଚିମବଙ୍ଗରେ ଭୂସଂସ୍କାର ଓ ପିଏମ କିଷାନ ସମ୍ମାନ ନିଧି

ସରଳ କୁମାର ଦାସ ପଶ୍ଚିମବଙ୍ଗରେ ୨୦୨୧ ଜାନୁଆରି ୯ରୁ ବିଜେପି ତରଫରୁ କୃଷକଙ୍କ ଘରୁ ମୁଠି ଚାଉଳ ସଂଗ୍ରହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହା ଆଗାମୀ ବିଧାନସଭା ନିର୍ବାଚନ ପ୍ରସ୍ତୁତିର ଅଂଶ ବିଶେଷ ହୋଇଥିଲେ ବି ରାଜ୍ୟର ୭୦ ଲକ୍ଷ କୃଷକ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରୁ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ପାଇବାରୁ ବଞ୍ଚିତ ହେଉଥିବାର ପ୍ରତିବାଦରେ ଆୟୋଜିତ ହେଉଛି ବୋଲି କୁହାଯାଉଛି। ଏପରିକି ଦେଶ ସାରା ଚାଷୀ ଏହି ଯୋଜନାରେ ଲାଭାନ୍ୱିତ […]

farmers

Debendra Prusty
  • Published: Monday, 11 January 2021
  • , Updated: 11 January 2021, 02:43 PM IST
  • ସରଳ କୁମାର ଦାସ

ପଶ୍ଚିମବଙ୍ଗରେ ୨୦୨୧ ଜାନୁଆରି ୯ରୁ ବିଜେପି ତରଫରୁ କୃଷକଙ୍କ ଘରୁ ମୁଠି ଚାଉଳ ସଂଗ୍ରହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହା ଆଗାମୀ ବିଧାନସଭା ନିର୍ବାଚନ ପ୍ରସ୍ତୁତିର ଅଂଶ ବିଶେଷ ହୋଇଥିଲେ ବି ରାଜ୍ୟର ୭୦ ଲକ୍ଷ କୃଷକ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରୁ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ପାଇବାରୁ ବଞ୍ଚିତ ହେଉଥିବାର ପ୍ରତିବାଦରେ ଆୟୋଜିତ ହେଉଛି ବୋଲି କୁହାଯାଉଛି। ଏପରିକି ଦେଶ ସାରା ଚାଷୀ ଏହି ଯୋଜନାରେ ଲାଭାନ୍ୱିତ ହେଉଥିବା ବେଳେ ଏହି ଶତ ପ୍ରତିଶତ କେନ୍ଦ୍ର ଯୋଜନାଟିର ଲାଭ ପଶ୍ଚିମବଙ୍ଗର କୃଷକମାନେ ପାଇବାରେ ରାଜ୍ୟ ସରକାର ବାଧକ ସାଜୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମଧ୍ୟ ଆକ୍ଷେପ କରିଛନ୍ତି। ଅନ୍ୟ ପକ୍ଷରେ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ରାଜ୍ୟକୁ ବାଦ ଦେଇ ସିଧାସଳଖ ଚାଷୀଙ୍କ ଖାତାରେ ଟଙ୍କା ଜମା କରିବାରୁ ବିରତ ହେବା ଉଚିତ ଓ ସେହି ରାଶି ରାଜ୍ୟ ମାଧ୍ୟମରେ ଦେବା ଲାଗି ରାଜ୍ୟ ତରଫରୁ କେନ୍ଦ୍ରକୁ ଅନୁରୋଧ କରା ଯାଇଥିଲେ ବି କେନ୍ଦ୍ର ସରକାର ସମ୍ମତି ନ ଜଣାଇବା ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସରକାରଙ୍କ ଅଭିଯୋଗ। ରାଜ୍ୟରେ କଟ୍‌ ମନି (କମିଶନି) ସଂସ୍କୃତି ଚାଲିଥିବାରୁ କୃଷକଙ୍କ ପାଇଁ ଉଦ୍ଦିଷ୍ଟ ଟଙ୍କା ରାଜ୍ୟ ସରକାରଙ୍କ ନିକଟରେ ଜମା କଲେ ତାହା କୃଷକମାନଙ୍କ ନିକଟରେ ପହଞ୍ଚିଲା ବେଳକୁ ସେଥିରୁ ‘କଟ ମନି’ ଆକାରରେ କମିଶନ ଆଦାୟ ହୋଇ ସାରିଥିବ ବୋଲି ବିଜେପି ତରଫରୁ ଆଶଙ୍କା ବ୍ୟକ୍ତ ହେଉଛି। ତା’ ଛଡା ସିଧାସଳଖ ଚାଷୀଙ୍କ ଖାତାରେ ଟଙ୍କା ଜମା ହେଲେ ପ୍ରଧାନମନ୍ତ୍ରୀ ନାଁ ନେଇ ଯାଇପାରନ୍ତି ଯାହା କୁଆଡେ ବିଜେପିକୁ ରାଜନୈତିକ ଲାଭ ପହଞ୍ଚାଇ ପାରେ ବୋଲି କେତେକଙ୍କ ଯୁକ୍ତି। ଏପରିକି ସେଥିପାଇଁ କୁଆଡେ ମୁଖ୍ୟମନ୍ତ୍ରୀ ଭୟଭୀତ ହୋଇ ଏହା କରାଇ ଦେଉ ନାହାନ୍ତି ବୋଲି କେହି କେହି ଖୋଲାଖୋଲି କହିବାକୁ ପଛାଉନାହାନ୍ତି। ଏଇ ନିର୍ବାଚନୀ ଋତୁରେ ଉଭୟ ଦଳ ପରସ୍ପର ପ୍ରତି ଏ ଭଳି ରାଜନୈତିକ ଆକ୍ଷେପ କରିବା ସ୍ୱାଭାବିକ ହୋଇଥିଲେ ବି ପଶ୍ଚିମବଙ୍ଗରେ ଏହି ଯୋଜନା କାର୍ଯ୍ୟକାରୀ କରାଇବାରେ ସୃଷ୍ଟି ହେଉଥିବା ପ୍ରକୃତ ଅସୁବିଧାଟିକୁ ବୁଝିବାର ଆବଶ୍ୟକତା ରହିଛି।

ଦେଶରେ ମାତ୍ର ତିନିଟି ରାଜ୍ୟ, ପଶ୍ଚିମବଙ୍ଗ, କେରଳ ଓ ଜାମ୍ମୁ କାଶ୍ମୀରରେ ଭୂସଂସ୍କାର ଆଇନ ପ୍ରଣୟନ କରାଯାଇ ସଫଳତାର ସହ କାର୍ଯ୍ୟକାରୀ ହେଉଛି। ଏଥି ମଧ୍ୟରୁ ପଶ୍ଚିମବଙ୍ଗରେ ହୋଇଥିବା ଭୂସଂସ୍କାର କେବଳ ଦେଶ ଭିତରେ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି। ରାଜ୍ୟରେ ଭୂସଂସ୍କାରକୁ କାର୍ଯ୍ୟକାରୀ କରିବା ପାଇଁ ପଶ୍ଚିମବଙ୍ଗ ଭୂସଂସ୍କାର ଆଇନ, ୧୯୫୫ର ପ୍ରଣୟନ ହୋଇଥିଲା। ଏହି ଆଇନରେ ସେଠାରେ ‘ବର୍ଗାଦାର’ କୁହା ଯାଉଥିବା ଭାଗଚାଷୀଙ୍କ ଚାଷ କରିବାର ଅଧିକାରକୁ ଆଇନଗତ ମାନ୍ୟତା ପ୍ରଦାନ କରାଗଲା। ତଦନୁଯାୟୀ ଜମିମାଲିକ ଭାଗଚାଷୀକୁ ଜମି ଚାଷ କରିବା ଅଧିକାରରୁ ବଞ୍ଚିତ କରି ପାରିବ ନାହିଁ। ଏ ଭଳି ପ୍ରତ୍ୟେକ ଭାଗଚାଷୀ ସରକାରଙ୍କ ନିକଟରେ କେଉଁ ଜମିରେ ଚାଷ କରୁଛନ୍ତି ତାହା ଦର୍ଶାଇ ନିଜ ନିଜର ପଞ୍ଜିକରଣ କରାଇଥାଆନ୍ତି। ଅନ୍ୟ ରାଜ୍ୟରେ ଭାଗଚାଷୀ ବ୍ୟବସ୍ଥାଟି ମୌଖିକ ହୋଇଥିଲା ବେଳେ ସେଠାରେ ତାହା ଲିଖିତ ଆକାରରେ ହୋଇଥାଏ ଓ ସବୁ ଭାଗଚାଷୀଙ୍କ ରେକର୍ଡ ରାଜସ୍ୱ କାର୍ଯ୍ୟାଳୟରେ ଉପଲବ୍ଧ ଥାଏ। ଭାଗଚାଷୀଙ୍କ ମୃତ୍ୟୁ ପରେ ପୁରୁଷାନୁକ୍ରମିକ ଭାବେ ତାଙ୍କ ଉତ୍ତରାଧିକାରୀ ମଧ୍ୟ ସେହି ଜମିର ଭାଗ ଚାଷୀ ହୋଇଥାଆନ୍ତି। ତାଙ୍କର ଏକାଧିକ ଉତ୍ତରାଧିକାରୀ ଥିଲେ ସେମାନଙ୍କ ଭିତରୁ କେବଳ ଜଣକୁ ହିଁ ଭାଗଚାଷୀ ଭାବେ ମାନ୍ୟତା ମିଳିଥାଏ, ଯାହା ଆପୋଷ ବୁଝାମଣାରେ ହୋଇ ନ ପାରିଲେ ରାଜ୍ୟ ସରକାରଙ୍କ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥାଏ। ଭାଗଚାଷୀର ଅଧିକାର କେବଳ ଚାଷ କରିବା ପର୍ଯ୍ୟନ୍ତ ସୀମିତ ଓ ତାକୁ ଚାଷର ସମସ୍ତ ଖର୍ଚ୍ଚ ବହନ କରି ଉତ୍ପାଦିତ ଫସଲର ଗୋଟିଏ ଅଂଶ ଜମି ମାଲିକକୁ ଭାଗ ଆକାରରେ ଦେବାକୁ ହୋଇଥାଏ। ସେ ଜମିକୁ ବିକ୍ରି କରି ପାରି ନ ଥାଏ ବା ଅନ୍ୟ କାହାକୁ ବନ୍ଧକ କି  ଲିଜ ଆକାରରେ ଦେଇ ପାରି ପାରି ନ ଥାଏ। ସେହି କାରଣରୁ ପଶ୍ଚିମବଙ୍ଗରେ କଣ୍ଟ୍ରାକ୍ଟ ଫାର୍ମିଂ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ ହୋଇପାରିବ ନାହିଁ, କାରଣ ଉଭୟ ଜମି ମାଲିକ ଓ ଭାଗଚାଷୀ ସେହି ଜମିରେ ଚାଷ କରିବା ପାଇଁ ଅନ୍ୟ କାହା ସହ ଚୁକ୍ତିରେ ଅନୁବନ୍ଧିତ ହୋଇ ପାରିବେ ନାହିଁ। ଭାଗଚାଷୀକୁ ଚାଷ ପାଇଁ ବ୍ୟାଙ୍କ ଋଣ ମିଳିବାରେ ଅସୁବିଧା ହୋଇ ନ ଥାଏ। କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ କରି ନ ପାରିଲେ ଭାଗଚାଷୀକୁ ସେହି ଜମିରେ ଚାଷ କରିବାର ଅଧିକାର ହରାଇବାକୁ ହୋଇଥାଏ। ଜମିମାଲିକ ଜମି ବିକ୍ରି କରିବାକୁ ସ୍ଥିର କଲେ ‘ବର୍ଗାଦାର’ଙ୍କୁ ହିଁ ଅଗ୍ରାଧିକାର ମିଳିଥାଏ।  ଜମିମାଲିକଙ୍କ ଜମି ଉପରେ ମାଲିକାନା ଅତୁଟ ରହିଥାଏ।

ମାତ୍ର ଓଡିଶା ପରି ସେଠାରେ ଭାଗ ଚାଷରେ ଦେଇଥିବା ଜମି ମାଲିକ ତା’ ଜମିକୁ ଦେଖାଇ ବ୍ୟାଙ୍କ ନିକଟରୁ ଚାଷ ଋଣ ନେଇ ପାରି ନ ଥାଏ। ବନ୍ୟା, ବାତ୍ୟା, ଇତ୍ୟାଦିରେ ଚାଷର ହେଉଥିବା କ୍ଷୟକ୍ଷତି ବାବଦରେ ସରକାରଙ୍କ ତରଫରୁ ମିଳୁଥିବା ସହାୟତା ରାଶି ଓ ଫସଲ ବୀମା ଯୋଜନାର ବୀମା ରାଶି ଭାଗଚାଷୀଙ୍କୁ ହିଁ ମିଳିଥାଏ, ସେହି ଜମିର ମାଲିକଙ୍କୁ ନୁହେଁ। ତେବେ ରାଜ୍ୟରେ ୧୯୭୭ରେ ବାମଫ୍ରଣ୍ଟ ସରକାର ଶାସନ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ଆଇନକୁ ଆନ୍ତରିକତାର ସହ କାର୍ଯ୍ୟକାରୀ କରାଇବାର ଲକ୍ଷ୍ୟ ରଖି ୧୯୭୮ ଜୁନରେ ‘ବର୍ଗା ଅଭିଯାନ’ ଆରମ୍ଭ କରିଥିଲେ। ଏହି ଅଭିଯାନକୁ ବେଙ୍ଗଲ ଲ୍ୟାଣ୍ଡ ରେଭିନ୍ୟୁ ଆକ୍ଟ, ୧୯୭୯ ଜରିଆରେ ଆଇନଗତ ବୈଧତା ମଧ୍ୟ ପ୍ରଦାନ କରାଗଲା। ଏହି ଅଭିଯାନ ଫଳରେ ପଞ୍ଜିକୃତ ବର୍ଗାଦାରଙ୍କ ସଂଖ୍ୟା ୨୫ ଲକ୍ଷରୁ ଊର୍ଦ୍ଧ୍ୱ ହେଲାଣି। ବର୍ଗାଦାରର ଚାଷ କରିବା ଅଧିକାର ଆଇନସଙ୍ଗତ ଓ ପୁରୁଷାନୁକ୍ରମିକ ହୋଇଥିବାରୁ ସେ ଜମିର ଉନ୍ନତିକରଣ ପ୍ରତି ଧ୍ୟାନ ଦେଇଥାଏ। ସେହିପରି ଚାଷ ନ କରି ଜମିକୁ ପଡିଆ ପକାଇଲେ ଜମି ତା ଅଧିକାରରୁ ଚାଲିଯିବାର ଆଶଙ୍କା ଥିବାରୁ ସେ ଜମିକୁ ପଡିଆ ପକାଇ  ନ ଥାଏ। ଫଳରେ ସେଠାରେ ଉତ୍ପାଦନ ଓ ଉତ୍ପାଦିକା ଯଥେଷ୍ଟ ବୃଦ୍ଧି ପାଇ ପାରିଛି।

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଘୋଷଣା ହେବା ପରେ ପରେ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ଦ୍ୱାରା ସେଠାରେ ୨୦୧୯ ଜାନୁଆରି ପହିଲାରୁ ‘କୃଷି କୃଷକ ବନ୍ଧୁ’ ଯୋଜନା ଘୋଷଣା ହୋଇ କାର୍ଯ୍ୟକାରୀ ହେଲା। ଏହି ଯୋଜନାରେ ଚାଷୀଙ୍କୁ ଦୁଇଟି ସୁବିଧା ମିଳୁଛି। ପ୍ରଥମତଃ, ୧୮ରୁ ୬୦ ବର୍ଷ ବୟସର ଯେକୌଣସି ଚାଷୀର ସ୍ୱାଭାବିକ ବା ଅସ୍ୱାଭାବିକ ମୃତ୍ୟୁ ହେଲେ ସରକାରଙ୍କ ତରଫରୁ ମୃତ ଚାଷୀର ପରିବାରକୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଦ୍ୱିତୀୟତଃ, ଚାଷୀ ତା’ର ଅନ୍ତତଃ ଏକ ଏକର  ଜମିରେ ଯଦି ଗୋଟିଏ ପ୍ରକାର ଫସଲ ଚାଷ କରେ ତେବେ ତାକୁ ଥରକା ୨୫୦୦ ଟଙ୍କା ଏହିପରି ବର୍ଷକୁ ଦୁଇ ଥରରେ ୫୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ରାଜ୍ୟ ସରକାରଙ୍କ ଏହି ଯୋଜନାର ସୁବିଧା ଭାଗ ଚାଷୀଙ୍କ ସମେତ ହାତରେ ଚାଷ କରୁଥିବା ସବୁ ଜମି ମାଲିକଙ୍କୁ ମିଳିଥାଏ, ଭାଗ ଚାଷରେ ଦେଇଥିବା ଜମି ମାଲିକଙ୍କୁ ନୁହେଁ। ଅର୍ଥାତ୍, ସେଠାକାର ଚାଷୀମାନେ କିଷାନ ସମ୍ମାନ ନିଧି ଯୋଜନାରେ ୬ ହଜାର ଟଙ୍କା ଲେଖାଏଁ ପାଇ ନ ଥିଲେ ବି ରାଜ୍ୟ ସରକାରଙ୍କ କୃଷି କୃଷକ ବନ୍ଧୁ ଯୋଜନାରେ ୫ ହଜାର ଟଙ୍କା ଲେଖାଏଁ ପାଇ ସାରିଛନ୍ତି। ଅନ୍ୟ ପକ୍ଷରେ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାରେ କେବଳ ଜମି ନାଁରେ ଥିଲେ ସହାୟତା ରାଶି ମିଳିଥାଏ, ସେ ଚାଷ କରୁ ଥାଆନ୍ତୁ ବା ନ ଥାଆନ୍ତୁ। ଅର୍ଥାତ୍ ଭାଗ ଚାଷୀମାନେ ସେହି ସହାୟତା ପାଇବାରୁ ବଞ୍ଚିତ ହୋଇ ଥାଆନ୍ତି। ସେହି କାରଣରୁ ଓଡିଶାର ଭାଗ ଚାଷୀମାନେ ମଧ୍ୟ କିଷାନ ସମ୍ମାନ ନିଧି ଯୋଜନାର ଲାଭାର୍ଥୀ ହୋଇ ପାରୁ ନାହାନ୍ତି।

ପ୍ରଶ୍ନ ଉଠୁଛି, ପଶ୍ଚିମବଙ୍ଗର ଜଣେ ଚାଷୀ ଉଭୟ ଯୋଜନାର ଲାଭାର୍ଥୀ ହୋଇ ପାରିଲେ ରାଜ୍ୟ ସରକାରଙ୍କ ଅସୁବିଧା କେଉଁଠି? ଏଥିପାଇଁ ପଶ୍ଚିମବଙ୍ଗର ୨୬ ଲକ୍ଷ ଚାଷୀ କିଷାନ ସମ୍ମାନ ନିଧି ପୋର୍ଟାଲରେ ନିଜ ନାମ ପଞ୍ଜିକରଣ କରିଥିଲେ ବି ରାଜ୍ୟ ସରକାର ସେଗୁଡିକୁ ଯାଞ୍ଚ କରି ରିପୋର୍ଟ ଦେଇ ନ ଥିବାରୁ ସେହି ଚାଷୀମାନଙ୍କ ଖାତାରେ ସିଧା ସଳଖ ଟଙ୍କା ଜମା କରା ଯାଇ ପାରୁ ନାହିଁ ବୋଲି କେନ୍ଦ୍ର ସରକାର ଓ ବିଜେପି ଦଳ ଅଭିଯୋଗ କରୁଛନ୍ତି। ତେବେ ରାଜ୍ୟ ସରକାର ଯାଞ୍ଚ କରି ରିପୋର୍ଟ ଦେବାରେ ଅସୁବିଧା ରହୁଛି କେଉଁଠି? ତଥ୍ୟ ଅନୁଯାୟୀ, ରାଜ୍ୟରେ ପ୍ରାୟ ୭୨ ଲକ୍ଷ ଚାଷୀ ଅଛନ୍ତି। ଏମାନଙ୍କ ମଧ୍ୟରେ ପ୍ରାୟ ୨୫ ଲକ୍ଷ ପଞ୍ଜିକୃତ ବର୍ଗାଦାର ରହିଛନ୍ତି ଯେଉଁମାନଙ୍କ ନାମରେ କୌଣସି ଜମି ନାହିଁ। ଅନ୍ୟ ରାଜ୍ୟମାନଙ୍କରେ ଜମିମାଲିକକୁ ଚାଷୀ ବୋଲି ଧରି ନିଆ ଯାଉଥିବା ବେଳେ ପଶ୍ଚିମବଙ୍ଗରେ ଚାଷ କରୁ ନଥିବା ଜମିମାଲିକକୁ ଚାଷୀ ଭାବେ ଗ୍ରହଣ କରା ଯାଇ ନ ଥାଏ। ତେଣୁ କିଷାନ ସମ୍ମାନ ନିଧି ପୋର୍ଟାଲରେ ଆବେଦନ କରିଥିବା ୨୬ ଲକ୍ଷ ବ୍ୟକ୍ତିଙ୍କ ମଧ୍ୟରୁ ହୁଏତ କିଛି ଭାଗଚାଷୀ ହୋଇ ଥାଇ ପାରନ୍ତି, ଯେଉଁମାନେ ଚାଷ ଜମିର ମାଲିକ ନୁହନ୍ତି। ସେହିପରି ହୁଏତ କିଛି ଜମିମାଲିକ ଥାଇ ପାରନ୍ତି, ଯେଉଁମାନେ ଆଇନ ଅନୁସାରେ ଚାଷୀ ନୁହନ୍ତି। ତେଣୁ ଉଭୟ କ୍ଷେତ୍ରରେ ସେମାନେ କିଷାନ ସମ୍ମାନ ନିଧିର ସହାୟତା ପାଇବାରୁ ବଞ୍ଚିତ ହେବେ। ଯାଞ୍ଚ ବେଳେ ରାଜ୍ୟ ସରକାର ଏହି ବାସ୍ତବତାଟିକୁ ଉପଲବ୍ଧି କରିଥିବେ, ଯଦ୍ଦ୍ୱାରା ଖୁବ କମ ସଂଖ୍ୟକ ଲାଭାର୍ଥୀ କେନ୍ଦ୍ର ଯୋଜନାର ଲାଭ ପାଇ ପାରୁଥିବା ହୃଦୟଙ୍ଗମ କରିଥିବେ। ସଂଖ୍ୟାଧିକ ବର୍ଗାଦାର ଏହି ଯୋଜନାର ଲାଭ ପାଇ ପାରୁ ନ ଥିବାରୁ କେନ୍ଦ୍ର ସରକାରଙ୍କ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରାଗଲେ ଦଳେ ଚାଷୀ ପାଇବେ, ଆଉ ଦଳେ ପାଇବେ ନାହିଁ। ଏହିପରି ଭାବେ କୃଷକ ସମାଜ ମଧ୍ୟରେ ଦୁଇ ଗୋଷ୍ଠୀ ତିଆରି ହୋଇ ସାମାଜିକ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇପାରେ। ତେଣୁ କିଷାନ ସମ୍ମାନ ନିଧି ମାଧ୍ୟମରେ ଦେବାକୁ ଚାହୁଁଥିବା ସହାୟତା ରାଶିକୁ କେନ୍ଦ୍ର ସରକାର ସିଧାସଳଖ ଚାଷୀଙ୍କୁ ନ ଦେଇ ରାଜ୍ୟ ମାଧ୍ୟମରେ ଦେବା ଉପରେ ରାଜ୍ୟ ସରକାର ଜୋର ଦେଉଛନ୍ତି। ତାହାହେଲେ ଜମି ମାଲିକ ନ ଥାଇ ଚାଷ କରୁଥିବା ବର୍ଗାଦାର ଓ ହାତରେ ଚାଷ କରୁଥିବା ଚାଷୀଙ୍କ ତଥ୍ୟ ରାଜ୍ୟ ସରକାରଙ୍କ ନିକଟରେ ଥିବାରୁ ପ୍ରକୃତ ଚାଷୀ ହିଁ ଏହି ଯୋଜନାର ଲାଭ ପାଇ ପାରିବେ, ଚାଷ କରୁ ନ ଥିବା ଜମି ମାଲିକ ନୁହେଁ। ପଶ୍ଚିମବଙ୍ଗରେ ହୋଇଥିବା ଭୂସଂସ୍କାର ଯୋଗୁ ସେହି ରାଜ୍ୟର ସ୍ଥିତି ଅନ୍ୟ ରାଜ୍ୟ ସହ ତୁଳନୀୟ ନୁହେଁ। ତେଣୁ ସେଠାରେ କିସାନ ସମ୍ମାନ ନିଧି ଯୋଜନା ଲାଗୁ ନ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସେହି ପରିପ୍ରେକ୍ଷୀରେ ଦେଖିବାକୁ ହେବ।

ବିଜେପି ତରଫରୁ କୁହାଯାଉଛି ଯେ ଆଗାମୀ ନିର୍ବାଚନରେ ଦଳ କ୍ଷମତାକୁ ଆସିଲେ ରାଜ୍ୟର ୭୦ ଲକ୍ଷ ଚାଷୀଙ୍କୁ କିସାନ ସମ୍ମାନ ନିଧି ଯୋଜନାରୁ ମିଳୁଥିବା ସହାୟତା ରାଶି ପିଛିଲା ଭାବେ ପ୍ରଦାନ କରାଯିବ। ଆଗାମୀ ନିର୍ବାଚନ କଥା ବାଦ ଦିଆଯାଉ। ମୁହୂର୍ତ୍ତକ ପାଇଁ ଧରି ନିଆଯାଉ ଯେ ବିଜେପି ବର୍ତ୍ତମାନ ରାଜ୍ୟ ଶାସନ ଦାୟିତ୍ୱରେ ଅଛି। ତେବେ ବି ସେଠାକାର ଚାଷୀ ଏହି ଯୋଜନାର ଲାଭାର୍ଥୀ ହୋଇ ଟଙ୍କା ପାଇପାରିବେ କି? କେବଳ ଦୁଇଟି ଉପାୟରେ ଏହା ସମ୍ଭବ, ଅନ୍ୟଥା ନୁହେଁ। ପ୍ରଥମତଃ, ଯଦି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ନିୟମ ପରିବର୍ତ୍ତନ କରି ଭାଗଚାଷୀଙ୍କୁ ବି ଏହି ରାଶି ପ୍ରଦାନ କରିବାକୁ ଘୋଷଣା କରନ୍ତି। ସେ କ୍ଷେତ୍ରରେ ସମଗ୍ର ଦେଶର ଭାଗ ଚାଷୀଙ୍କୁ ଏହି ସହାୟତା ପ୍ରଦାନ କରି ସରକାରଙ୍କ ଉପରେ ଯଥେଷ୍ଟ ଅଧିକ ଆର୍ଥିକ ବୋଝ ପଡିବାକୁ ଯାଉଥିବାରୁ କେନ୍ଦ୍ର ସରକାର ହୁଏତ ସେ ଭଳି କୌଣସି ନିଷ୍ପତ୍ତି ନେବାକୁ ଆଗଭର ହେବେ ନାହିଁ। ଦ୍ୱିତୀୟତଃ, ରାଜ୍ୟ ସରକାର ଯଦି ପଶ୍ଚିମବଙ୍ଗ ଭୂସଂସ୍କାର ଆଇନ, ୧୯୫୫କୁ ବାତିଲ କରି ବର୍ଗାଦାର ବ୍ୟବସ୍ଥାକୁ ସମାପ୍ତ କରନ୍ତି। ସେ କ୍ଷେତ୍ରରେ ବର୍ଗାଦାରମାନଙ୍କ ମଧ୍ୟରେ ଏକ ବଡ ଧରଣର ଅସନ୍ତୋଷ ଦେଖା ଦେଇ ତାହା ଆନ୍ଦୋଳନର ରୂପ ନେଇପାରେ ଯାହା ସରକାରଙ୍କ ପାଇଁ ନୂଆ ମୁଣ୍ଡ ବ୍ୟଥାର କାରଣ ପାଲଟିବ। ତେଣୁ ସେଠାରେ ବିଜେପି ମଧ୍ୟ ଶାସନକୁ ଆସିଲେ ଉପରୋକ୍ତ ଦୁଇଟି ବ୍ୟବସ୍ଥାରେ ପରିବର୍ତ୍ତନ ନ କରି ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ସମର୍ଥ ହେବ ନାହିଁ। ସେଠାକାର ବର୍ଗାଦାରଙ୍କ ଲାଗି ଜମିରେ ଚାଷ କରିବାର ଅଧିକାରର ଗୁରୁତ୍ୱ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ 6 ହଜାର ଟଙ୍କାରୁ ଯଥେଷ୍ଟ ଅଧିକ, ଯାହା ବର୍ଗାଦାରମାନେ ଭଲ ଭାବେ ଜାଣନ୍ତି। ତେଣୁ କିଷାନ ସମ୍ମାନ ନିଧିରେ ୬ ହଜାର ଟଙ୍କା ପ୍ରଦାନ ପୂର୍ବକ ମୋଦିଙ୍କ ଲୋକପ୍ରିୟତାରେ ବିଚଳିତ ହୋଇ ଦିଦି ଯୋଜନାଟିକୁ ସେଠାରେ କର୍ଯ୍ୟକାରୀ କରୁ ନାହାନ୍ତି କହିଲେ ଅନ୍ୟ ରାଜ୍ୟର ଲୋକେ ଯେଉଁ ଭଳି ବିଶ୍ୱାସ କରି ନେଉଛନ୍ତି, ସେଠାକାର ବାସ୍ତବ ସ୍ଥିତି ସମ୍ପର୍କରେ ଅବଗତ ଚାଷୀ ତାକୁ ସେ ଭଳି ଗ୍ରହଣ କରି ପାରୁ ନାହାନ୍ତି। ବିଭିନ୍ନ ରାଜ୍ୟର ସ୍ଥିତି ଅଲଗା ହୋଇ ଥିବାରୁ ଦେଶରେ ଗୋଟିଏ ପ୍ରକାର ନିୟମ ବା ଆଇନ ସବୁବେଳେ ସର୍ବତ୍ର କାର୍ଯ୍ୟକାରୀ କରାଇ ହେବ ନାହିଁ, ସେହି ବାସ୍ତବତାକୁ ଗ୍ରହଣ କରି ନ ପାରିଲେ ନୂଆ ପ୍ରକାରର ସମସ୍ୟା ଉପୁଜୁଥିବ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

Related story