ଆଗକୁ ଭାରତୀୟ ଅର୍ଥନୀତିର ସଙ୍କୁଚନର ଦିନ

ସରଳ କୁମାର ଦାସ ଦୀର୍ଘ ଦିନ ଧରି ଭାରତୀୟ ଅର୍ଥନୀତିର ଦୁଃସ୍ଥିତିକୁ ନେଇ ସରକାର ପ୍ରତ୍ୟକ୍ଷ ଭାବେ ସ୍ୱୀକାର କରୁ ନ ଥିଲେ ବି ଗତ ମେ ୨୨, ୨୦୨୦ରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଯେତେବେଳେ ଆର୍ଥିକ ନୀତି ଘୋଷଣା କରିବା ଅବସରରେ କହିଲେ ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ଅର୍ଥନୀତି ସଙ୍କୁଚନର ସମ୍ମୁଖୀନ ହେବାକୁ ଯାଉଛି ବୋଲି ସେତେବେଳେ ଦେଶର ଅର୍ଥନୀତିର ଦୟନୀୟ ବାସ୍ତବ ସ୍ଥିତି ସମ୍ପର୍କରେ ସର୍ବସାଧାରଣଙ୍କ ବୁଝିବାକୁ ଆଉ କିଛି ଅସୁବିଧା ରହିଲା […]

money

Jitendra Garnayak
  • Published: Saturday, 30 May 2020
  • , Updated: 30 May 2020, 11:18 AM IST
  • ସରଳ କୁମାର ଦାସ

ଦୀର୍ଘ ଦିନ ଧରି ଭାରତୀୟ ଅର୍ଥନୀତିର ଦୁଃସ୍ଥିତିକୁ ନେଇ ସରକାର ପ୍ରତ୍ୟକ୍ଷ ଭାବେ ସ୍ୱୀକାର କରୁ ନ ଥିଲେ ବି ଗତ ମେ ୨୨, ୨୦୨୦ରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଯେତେବେଳେ ଆର୍ଥିକ ନୀତି ଘୋଷଣା କରିବା ଅବସରରେ କହିଲେ ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ଅର୍ଥନୀତି ସଙ୍କୁଚନର ସମ୍ମୁଖୀନ ହେବାକୁ ଯାଉଛି ବୋଲି ସେତେବେଳେ ଦେଶର ଅର୍ଥନୀତିର ଦୟନୀୟ ବାସ୍ତବ ସ୍ଥିତି ସମ୍ପର୍କରେ ସର୍ବସାଧାରଣଙ୍କ ବୁଝିବାକୁ ଆଉ କିଛି ଅସୁବିଧା ରହିଲା ନାହିଁ। ଅବଶ୍ୟ ଇତିମଧ୍ୟରେ ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତୀୟ ଜିଡିପିର ଅଭିବୃଦ୍ଧି ନ ହୋଇ ସଙ୍କୁଚିତ ହେବ ବୋଲି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତିକ ରେଟିଙ୍ଗ ସଂସ୍ଥା ପୂର୍ବାନୁମାନ କରି ସାରିଥିଲେ, ଯେପରି- ବର୍ଣ୍ଣଷ୍ଟେନ (-୭%), ଇକରା (-୫%) ନୋମୁରା (-୫.୨%), ଏସ ଆଣ୍ଡ ପି ଗ୍ଲୋବାଲ ରେଟିଙ୍ଗସ (- ୫%), ଫିଚ ରେଟିଙ୍ଗସ (-୫%), କ୍ରିସିଲ (-୫%), ଫିଚ ସଲ୍ୟୁସନ୍ସ (-୪.୨%) ଓ କେୟାର ରେଟିଙ୍ଗସ (-୧.୫%)। କିନ୍ତୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ମଇ ୨୬, ୨୦୨୦ରେ ପ୍ରକାଶିତ ‘ଇକୋରାପ’ ରିପୋର୍ଟରେ ଏହି ସଙ୍କୁଚନ ମାଇନସ ବା ବିଯୁକ୍ତ ୬.୮ ପ୍ରତିଶତ ହୋଇପାରେ ବୋଲି ପୂର୍ବାନୁମାନ ପ୍ରକାଶ ପାଇବା ପରେ ଦେଶର ଅର୍ଥନୀତି ଯେ ଅତ୍ୟଧିକ ଚାପଗ୍ରସ୍ତ, ତାହା ସହଜରେ ଅନୁମେୟ।

ଷ୍ଟେଟ ବ୍ୟାଙ୍କର ‘ଇକୋରାପ’ ରିପୋର୍ଟରେ ୨୦୧୯-୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଭାରତର ସର୍ବମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ନୈରାଶ୍ୟଜନକ ହେବ ବୋଲି ପୂର୍ବାନୁମାନ କରାଯାଇ ସାରିଲାଣି। ୨୦୧୯-୨୦ ଆର୍ଥିକ ବର୍ଷର ଶେଷ ତ୍ରିମାସ (ଜାନୁଆରୀ-ମାର୍ଚ୍ଚ)ରେ ବୃଦ୍ଧି ହାର ମାତ୍ର ୧.୨ ପ୍ରତିଶତକୁ କମି ଆସିବ ଯାହା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ତ୍ରିମାସରେ ଯଥାକ୍ରମେ ୫.୧, ୫.୬ ଓ ୪.୭ ପ୍ରତିଶତ ଥିଲା। ଏହି ଆଶାତୀତ ହ୍ରାସର ମୁଖ୍ୟ କାରଣ ହେଉଛି ମାର୍ଚ୍ଚ ୨୫ ତାରିଖରେ ସାରା ଦେଶରେ ଲକଡାଉନ ଘୋଷଣା ହେବା ପରେ କେବଳ ସେହି ତ୍ରିମାସର ଶେଷ ସାତ ଦିନରେ (୨୫ରୁ ୩୧ ମାର୍ଚ୍ଚ) ହୋଇଥିବା ୧.୪୦ ଲକ୍ଷ କୋଟି ଟଙ୍କାର ଆନୁମାନିକ କ୍ଷତି। ତେଣୁ ସାମଗ୍ରିକ ଭାବେ ୨୦୧୯-୨୦ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ୪.୨ ପ୍ରତିଶତକୁ ଖସି ଆସିବ। ଅବଶ୍ୟ ମଇ ୨୯ରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ୱାରା ଚତୁର୍ଥ ତ୍ରିମାସ ପାଇଁ ଜିଡିପି ଅଭିବୃଦ୍ଧି ହାର ଘୋଷଣା ହେଲା ପରେ ବାର୍ଷିକ ଜିଡିପି ଅଭିବୃଦ୍ଧି ହାରର ସ୍ଥିତି ସ୍ପଷ୍ଟ ହେଇପାରିବ। କିନ୍ତୁ ରିପୋର୍ଟରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାରକୁ ନେଇ କରାଯାଇଥିବା ପୂର୍ବାନୁମାନ ହିଁ ସବୁଠାରୁ ବେଶି ଉଦ୍‌ବେଗଜନକ। ତଦନୁସାରେ, ଅଭିବୃଦ୍ଧି ହାର ପୂର୍ବ ବର୍ଷ ତୁଳନାରେ ମାଇନସ ୬.୮ ପ୍ରତିଶତକୁ ଖସି ଆସିବ, ଯାହା ଅତ୍ୟନ୍ତ ନୈରାଶ୍ୟଜନକ ଓ ଭୀତିସଂଚାରକାରୀ। ଅର୍ଥାତ୍ ଅର୍ଥନୀତିର ଆକାର ବୃଦ୍ଧି ପାଇବା ପରିବର୍ତେ ହ୍ରାସ ପାଇବ ଓ ବାର୍ଷିକ ଭିତିରେ ଏହି ସଂକୁଚନ ଗତ ୪୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି। ଗତ ୬୯ ବର୍ଷ ଭିତରେ କେବଳ ତିନି ବର୍ଷ, ୧୯୫୮, ୧୯୬୬ ଓ ୧୯୮୦ ମସିହାରେ, ଭାରତର ଅର୍ଥନୀତି ସଙ୍କୁଚିତ ହୋଇଥଲା।

କରୋନାର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶରେ ଗତ ପ୍ରାୟ ଦୁଇ ମାସ ଧରି ଲାଗୁ କରାଯାଇଥିବା ଚାରି ପର୍ଯ୍ୟାୟର ଲକଡାଉନ ଯୋଗୁ ହେବାକୁ ଯାଉଥିବା କ୍ଷତିର ପରିମାଣକୁ ଆକଳନ କରିବା ପାଇଁ ପ୍ରତି ରାଜ୍ୟର ଜିଲାଓାରୀ ତଥା ଜୋନଓାରୀ କ୍ଷତିର ପରିମାଣକୁ ପୃଥକ ଭାବେ ବିବେଚନା କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟଗୁଡିକର ସାମଗ୍ରିକ ଭାବେ କ୍ଷତିର ପରିମାଣ ୩୦.୩୩ ଲକ୍ଷ କୋଟି ଟଙ୍କା ହେବ ଯାହା ସମୁଦାୟ ସର୍ବମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)ର ୧୩.୫ ପ୍ରତିଶତ। ତେବେ ସମୁଦାୟ କ୍ଷତିର ପ୍ରାୟ ୭୫ ପ୍ରତିଶତ ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ, ଉତର ପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଦିଲ୍ଲୀ, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଭଳି ୧୦ଟି ରାଜ୍ୟରେ ହେବ। ଉଲ୍ଲେଖଯୋଗ୍ୟ, ଏହି ରାଜ୍ୟଗୁଡିକ କରୋନାରେ ସର୍ବାଧିକ ଆକ୍ରାନ୍ତ ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଳ୍ପ ଦୃଷ୍ଟିରୁ ସମୃଦ୍ଧ। ସମୁଦାୟ କ୍ଷତିର ୧୫.୬ ପ୍ରତିଶତ କେବଳ ମହାରାଷ୍ଟ୍ରରେ ହେଉଥିବା ବେଳେ, ତାମିଲନାଡୁ, ଗୁଜରାଟ ଓ ଉତର ପ୍ରଦେଶରେ ତାହା ଯଥାକ୍ରମେ ୯.୪, ୮.୬ ଓ ୮.୩ ପ୍ରତିଶତ ହେବ। ଉପରୋକ୍ତ ରାଜ୍ୟଗୁଡିକରେ ଜିଏସଡିପି ୧୪.୧ (ରାଜସ୍ଥାନ) ରୁ ୧୮.୮ (ଦିଲ୍ଲୀ) ପ୍ରତିଶତ ଯାଏଁ ହ୍ରାସ ପାଇବା ବାସ୍ତବିକ ଚିନ୍ତାଜନକ। ଏହି ଦୃଷ୍ଟିରୁ ତାଲିକାର ଷୋଡ଼ଶ ସ୍ଥାନରେ ଥିବା ଓଡିଶା ଅପେକ୍ଷାକୃତ ସୁବିଧାଜନକ ସ୍ଥିତିରେ ଥିଲେ ମଧ୍ୟ ଏଠାରେ କ୍ଷତିର ପରିମାଣ ୫୪,୦୩୩ କୋଟି ଟଙ୍କା ହେବ ଯାହା ଜିଏସଡିପିର ୯.୪ ପ୍ରତିଶତ। ଏହି କ୍ଷତି ସାମଗ୍ରିକ ଜିଏସଡିପି କ୍ଷତିର ମାତ୍ର ୧.୮ ପ୍ରତିଶତ। ଓଡିଶା ଅର୍ଥନୀତିର ଆକାର ଯାହା, ସେଥିରେ ଏହି ପରିମାଣର କ୍ଷତି କିଛି କମ୍‌ ନୁହେଁ ଓ ତାହା ରାଜ୍ୟର ଜନମଙ୍ଗଳକାରୀ ତଥା ବିକାଶମୂଳକ କାର୍ଯ୍ୟକ୍ରମଗୁଡିକୁ ଚଲାଇ ରଖିବାରେ ବାଧକ ସାଜିପାରେ।

ଏହି ରିପୋର୍ଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ଘୋଷଣା କରିଥିବା ରେଡ, ଅରେଞ୍ଜ ଓ ଗ୍ରୀନ ଜୋନ ପାଇଁ ଲାଗୁ ହୋଇଥିବା ବିଭିନ୍ନ କଟକଣା ଯୋଗୁ ହେଉଥିବା କ୍ଷତିକୁ ଜୋନଓାରୀ ଆକଳନ କରାଯାଇଛି। ତଦନୁଯାୟୀ, ରେଡ ଜୋନରେ ସର୍ବାଧିକ ୫୦ ପ୍ରତିଶତ କ୍ଷତି ହେଉଥିବା ବେଳେ ଅରେଞ୍ଜ ଜୋନରେ ୪୦ ପ୍ରତିଶତ କ୍ଷତି ହେବାର ଆଶଙ୍କା ରହିଛି। ଉଲ୍ଲେଖଯୋଗ୍ୟ, ପ୍ରାୟ ୯୦ ପ୍ରତିଶତ କ୍ଷତି ହେଉଥିବା ରେଡ ଓ ଅରେଞ୍ଜ ଜୋନରେ ଥିବା ଜିଲ୍ଲାଗୁଡିକ ବଡ ଜିଲ୍ଲା ଓ ସେଠାରେ ଶିଳ୍ପ ଗତିବିଧି ଅପେକ୍ଷାକୃତ ଭାବେ ଅଧିକ। ଅନ୍ୟ ପକ୍ଷରେ ୧୦ ପ୍ରତିଶତ କ୍ଷତି ହେଉଥିବା ଗ୍ରୀନ ଜୋନର ଜିଲ୍ଲାଗୁଡିକ ଗ୍ରାମାଞ୍ଚଳରେ ଅବସ୍ଥିତ। ଓଡ଼ିଶାରେ ରେଡ, ଅରେଞ୍ଜ, ଗ୍ରୀନ ଜୋନରେ ଅବସ୍ଥିତ ଜିଲ୍ଲାଗୁଡିକରେ କ୍ଷତିର ପ୍ରତିଶତ ଯଥାକ୍ରମେ ୨୭, ୩୧ ଓ ୪୨ ବୋଲି ଦର୍ଶାଯାଇଛି। ଏହି ରିପୋର୍ଟ ମାର୍ଚ୍ଚ ୨୨ରୁ ମେ ୧୬ ତାରିଖ ଯାଏଁ ଉପଲବ୍ଧ ତଥ୍ୟକୁ ତୁଳନା କରି ପ୍ରସ୍ତୁତ ହୋଇଥିବା ବେଳେ ତା’ପରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ କେବଳ ରାୟଗଡା ଜିଲ୍ଲାକୁ ବାଦ ଦେଇ କୌଣସି ଜିଲ୍ଲା ଆଉ ଗ୍ରୀନ ଜୋନ ଜିଲ୍ଲା ହୋଇ ରହି ନ ଥିବାରୁ ଉପରୋକ୍ତ କ୍ଷତିର ପ୍ରତିଶତ ଗ୍ରୀନ ଜୋନରୁ କମ ହୋଇ ଅରେଞ୍ଜ ଜୋନରେ ବଢିଯିବ। ଯଦି ଆକ୍ରାନ୍ତଙ୍କ ସମ୍ଭାବ୍ୟ ସଂଖ୍ୟାବୃଦ୍ଧିକୁ ହିସାବକୁ ନେଇ କ୍ଷତି ପରିମାଣର ପୂର୍ବାନୁମାନ କରାଯାଇଥିବ, ତେବେ ତାହା ଆଉ ବୃଦ୍ଧି ନ ପାଇ ସ୍ଥିର ରହିବ।

ଲକଡାଉନ ଯୋଗୁ ଅର୍ଥନୀତି ଅତ୍ୟଧିକ ପ୍ରଭାବିତ ହୋଇ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରିମାସ (ଏପ୍ରିଲ-ଜୁନ)ରେ କ୍ଷତିର ପ୍ରତିଶତ ସର୍ବାଧିକ ୪୦ ପ୍ରତିଶତ ଯାଏଁ ହୋଇପାରେ ବୋଲି ରିପୋର୍ଟରେ ଦର୍ଶାଯାଇଥିଲେ ମଧ୍ୟ ପରବର୍ତୀ ତ୍ରିମାସଗୁଡିକରେ ସ୍ଥିତିରେ ଉନ୍ନତି ହେବାର ଆଶା ସଂଚାର କରାଯାଇଛି। ଏବର ହାରାହାରି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ବିବେଚନା କରି ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ ହୁଏତ ଜୁନ ମାସ ଶେଷ ସପ୍ତାହରେ କରୋନାର ଆତଙ୍କ ଶିଖରରେ ପହଞ୍ଚିଲା ପରେ ଗ୍ରାଫ ତଳକୁ ଖସିବ ଓ ସେପ୍ଟେମ୍ୱର ମାସ ମଝାମଝି ବେଳକୁ ତାହା ଆଉ ଉଦବେଗଜନକ ସ୍ଥିତିରେ ନ ଥିବ। ତେଣୁ ଆର୍ଥିକ ଗତିବିଧି ଚଳଚଞ୍ଚଳ ହୋଇ ଦ୍ୱିତୀୟ ତ୍ରିମାସ (ଜୁଲାଇ-ସେପ୍ଟେମ୍ୱର)ରେ ଅଭିବୃଦ୍ଧି ହାର ୭.୧ ପ୍ରତିଶତ ଛୁଇଁପାରେ। ଚାହିଦାକୁ ବଜାଏ ରଖା ଯାଇପାରିଲେ ତୃତୀୟ ଓ ଚତୁର୍ଥ ତ୍ରିମାସରେ ଅଭିବୃଦ୍ଧି ହାର ହାରାହାରି ୬ ପ୍ରତିଶତ ହୋଇପାରେ। ଏ ସବୁ ସତ୍ତ୍ୱେ ବାର୍ଷିକ ଅଭିବୃଦ୍ଧି ହାର ପୂର୍ବ ବର୍ଷ ତୁଳନାରେ ସଙ୍କୁଚିତ ହୋଇ ମାଇନସ ୬.୮ ପ୍ରତିଶତରେ ପହଞ୍ଚିପାରେ। କେବଳ ପରୋକ୍ଷ ଟିକସ ଆଦାୟର ପରିମାଣ ୧୦.୪ ଲକ୍ଷ କୋଟି ଟଙ୍କା କମ୍ ହେବ ବୋଲି ଆକଳନ କରାଯାଇଛି, ଯାହା ରାଜ୍ୟଗୁଡିକ ପାଇଁ ଚିନ୍ତାର ବିଷୟ। କାରଣ ତାହା ହିଁ ସେମାନଙ୍କ ଆୟର ଏକ ମୁଖ୍ୟ ଉତ୍ସ।

ଅଧିକ ଆକ୍ରାନ୍ତ ଏବଂ ଶିଳ୍ପ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ରେଡ ଜୋନ ଅଞ୍ଚଳଗୁଡ଼ିକରେ ଆର୍ଥିକ ଗତିବିଧି ସାଧାରଣ ହେବାକୁ କିଛି ଅଧିକ ସମୟ ଲାଗିବ। ଫଳରେ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବ ଓ ଏହାର ପ୍ରଭାବ ଅର୍ଥନୀତି ଉପରେ ପଡିବା ଲାଗି ରହିବ। ପ୍ରବାସୀ ଶ୍ରମିକମାନେ ନିଜ ନିଜ ଅଞ୍ଚଳକୁ ଫେରି ଯାଇଥିବାରୁ ସେମାନେ ପୁଣି କାମକୁ ଫେରିବା ଲାଗି ଯଥେଷ୍ଟ ସମୟ ଲାଗିବ। ଫଳରେ କଳ କାରଖାନାରେ ମଧ୍ୟ ଶ୍ରମିକ ଅଭାବ ଦେଖା ଦେଇ ଉତ୍ପାଦନ କମ୍ ହେବ। ଅନ୍ୟ ପକ୍ଷରେ କୋଟି କୋଟି ଲୋକ ରୋଜଗାର ହରାଇଥିବାରୁ ବଜାରରେ ଚାହିଦା ବୃଦ୍ଧି ପାଇ ପୂର୍ବାବସ୍ଥାକୁ ଫେରିବ ବୋଲି ଏବେ ଅନ୍ତତଃ ଭାବି ହେଉନାହିଁ। ଏହି ପରିସ୍ଥିତିରେ ଅର୍ଥନୀତିକୁ ଏଇ ଆଘାତରୁ ଉଦ୍ଧାର କରି ତୁରନ୍ତ ପୁଣି ଥରେ ତାକୁ ରାସ୍ତାକୁ ଫେରାଇ ଆଣିବା ଏକ ବଡ଼ ଆହ୍ୱାନ ହେବ। ତେବେ ଏହା ଅନେକଟା ନିର୍ଭର କରୁଛି ତିନୋଟି କଥା ଉପରେ। ପ୍ରଥମ, ଦେଶରେ କେତେ ଶୀଘ୍ର କରୋନା ଆତଙ୍କ ପ୍ରଶମିତ ହୋଇ କରୋନା ଗ୍ରାଫ ଧରାଶାୟୀ ହେବ। ଦ୍ୱିତୀୟ, ଏବେ କୋଟି କୋଟି ଲୋକ ନିଯୁକ୍ତି ହରାଇ ବେକାର ହୋଇ ଯାଇଥିବାରୁ କେତେ ଶୀଘ୍ର ଲୋକେ ନିଯୁକ୍ତି ଫେରି ପାଇ ଶ୍ରମ ବଜାର ଚଳଚଞ୍ଚଳ ହେବ। ତୃତୀୟ, ଅର୍ଥନୀତିର ପ୍ରତିଟି କ୍ଷେତ୍ର କେତେ ଶୀଘ୍ର ବ୍ୟବସାୟ ପୁନରୁଦ୍ଧାର କରିବାକୁ ସକ୍ଷମ ହେବେ। ଏଥିପାଇଁ ସରକାରଙ୍କ ଦ୍ୱାରା କେବଳ ଷ୍ଟିମ୍ୟୁଲସ ପ୍ୟାକେଜ ଘୋଷଣା ହେବା ଯଥେଷ୍ଟ ନୁହେଁ, ବରଂ ଦେଶ ଅର୍ଥନୀତିର ପୁନରୁଦ୍ଧାର ପାଇଁ ବିରୋଧୀଙ୍କ ସମେତ ଉଲ୍ଲେଖନୀୟ ଯୋଗଦାନ କରିବାକୁ ସମର୍ଥ ସମସ୍ତଙ୍କ ମତକୁ ସମ୍ମାନ ଜଣାଇ ସେମାନଙ୍କୁ ଏକା ସାଙ୍ଗରେ ନେଇ ଚାଲି ପାରିବାର ଦକ୍ଷତା ପ୍ରଦର୍ଶନ କରିବା ଅଧିକ ଜରୁରୀ।

ଭୁବନେଶ୍ୱର

ମୋ-୯୪୩୭୦୩୮୦୧୫

Related story