ସିନେମା ଦେଖିବେ କେଉଁଠି, ମୋବାଇଲ ନା ହଲରେ

ଶୁଭ୍ରାଂଶୁ ଶେଖର ଲକଡାଉନ୍ ପାଇଁ ଅନେକ ସିନେମା ରିଲିଜ୍ ହୋଇପାରି ନାହିଁ। ଏଥିପାଇଁ ସିନେମାର ପ୍ରଯୋଜକମାନେ ଏବେ ଚିନ୍ତାରେ। କରୋନାର ଭ୍ୟାକସିନ୍ ଏବଂ ଔଷଧ କେବେ ବାହାରିବ ତାହା ସସପେନ୍ସ ରହିଛି। ତେଣୁ ଯେଉଁ ଫିଲ୍ମ ପ୍ରଯୋଜକ ସିନେମା ହଲରେ ଫିଲ୍ନ ରିଲିଜ୍ କରିବା ପାଇଁ ଚିନ୍ତା କରୁଥିଲେ ସେମାନେ ଏବେ ଓଟିଟି ଫ୍ଲାଟଫର୍ମରେ ରିଲିଜ୍ କରିବାକୁ ଚିନ୍ତା କରୁଛନ୍ତି। ଭାରତରେ ଓଭର ଦ ଟପ୍ (ଓଟିଟି) ଆପ୍ସର ଚାହିଦା ବଢ଼ୁଥିବାରୁ ଆଗାମୀ ଦିନରେ ଓଟିଟିକୁ ଲୋକମାନେ […]

app

Subhransu Sekhar
  • Published: Thursday, 28 May 2020
  • , Updated: 28 May 2020, 04:47 PM IST
  • ଶୁଭ୍ରାଂଶୁ ଶେଖର

ଲକଡାଉନ୍ ପାଇଁ ଅନେକ ସିନେମା ରିଲିଜ୍ ହୋଇପାରି ନାହିଁ। ଏଥିପାଇଁ ସିନେମାର ପ୍ରଯୋଜକମାନେ ଏବେ ଚିନ୍ତାରେ। କରୋନାର ଭ୍ୟାକସିନ୍ ଏବଂ ଔଷଧ କେବେ ବାହାରିବ ତାହା ସସପେନ୍ସ ରହିଛି। ତେଣୁ ଯେଉଁ ଫିଲ୍ମ ପ୍ରଯୋଜକ ସିନେମା ହଲରେ ଫିଲ୍ନ ରିଲିଜ୍ କରିବା ପାଇଁ ଚିନ୍ତା କରୁଥିଲେ ସେମାନେ ଏବେ ଓଟିଟି ଫ୍ଲାଟଫର୍ମରେ ରିଲିଜ୍ କରିବାକୁ ଚିନ୍ତା କରୁଛନ୍ତି। ଭାରତରେ ଓଭର ଦ ଟପ୍ (ଓଟିଟି) ଆପ୍ସର ଚାହିଦା ବଢ଼ୁଥିବାରୁ ଆଗାମୀ ଦିନରେ ଓଟିଟିକୁ ଲୋକମାନେ ଅଧିକ ପସନ୍ଦ କରିବେ ନା ସିନେମା ହଲକୁ ସେ ବିଷୟରେ ସମୀକ୍ଷା ହେବାର ଆବଶ୍ୟକତା ରହିଛି।

ଓଟିଟି ହେଉଛି ଏକ ମୋବାଇଲ୍ ଆପ୍ସ, ଯେଉଁଠି ସିନେମା, ଓ୍ୱେବ ସିରିଜ୍ ଆଦି ଠୁଳ ହୋଇ ରହିଛି। ମାସିକ କିମ୍ୱା ବାର୍ଷିକ ଦେୟ ଦେଇ ଜଣେ ନିଜ ମୋବାଇଲ କିମ୍ୱା ସ୍ମାର୍ଟ ଟିଭି ଜରିଆରେ ନିଜ ମନ ପସନ୍ଦର ଫିଲ୍ମ ଓ ଓ୍ୱେବ ସିରିଜ୍ ଏହି ଜରିଆରେ ଦେଖିପାରିବ। ସାଧାରଣତଃ ଘରେ ଗୁରୁଜନ ମାନଙ୍କର ଟିଭି ଉପରେ ଏବେ ବି ଅଧିକ ଦବଦବା ରହିଥିବାରୁ ଏହି ଓଟିଟି ଆପ୍ସଟି ମୋବାଇଲ୍ ତୁଳନାରେ ସ୍ମାର୍ଟ ଟିଭିରେ ସେତେଟା ସଫଳ ହୋଇ ନାହିଁ।

କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶ ଲକଡାଉନ୍ ରହିଛି। ଏଥିପାଇଁ ଅନେକ ଶିଳ୍ପ ଏବେ କ୍ଷତିରେ। ଯଦିଓ ଘରେ ବସି ଟିଭିରେ ଅନେକ ସିନେମା, ସିରିଏଲ ଦେଖି ହେଉଛି, କିନ୍ତୁ ସେସବୁ ପୁରୁଣା। ନୂଆ ସିନେମା ଯେଉଁ ରିଲିଜ୍ ହେବାର ଥିଲା ସେସବୁ କେବେ ରିଲିଜ୍ ହେବ ତାହା ସ୍ପଷ୍ଟ ହୋଇନାହିଁ। ଲକଡାଉନ୍ ଖୋଲିଲେ ମଧ୍ୟ ସିନେମା ହଲକୁ ଲୋକମାନେ ସେତେଟା ଯିବା ନେଇ ମଧ୍ୟ ଆଶଙ୍କା ରହିଛି।

ତେଣୁ ଏ ସବୁକୁ ଦେଖିବା ପରେ ବଲିଉଡ (ହିନ୍ଦୀ), କଲିଉଡ (ତାମିଲ୍) ଏବଂ ଟଲିଉଡ (ତେଲୁଗୁ)ର ପ୍ରଯୋଜକ ସିନେମା ହଲରେ ରିଲିଜ୍ ହେବାକୁ ଥିବା ଫିଲ୍ମକୁ ଓଟିଟି ପ୍ଲାଟଫର୍ମ ବା ଡିଜିଟାଲ (ମୋବାଇଲ୍) ପ୍ଲାଟଫର୍ମରେ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ଏହାକୁ ନେଇ ସିନେମା ହଲ୍ ସଂଘ ଏବଂ ଫିଲ୍ମ ପ୍ରଯୋଜକଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି।

ଲକଡାଉନ୍ ଆରମ୍ଭ ହେବା ମାତ୍ରେ ବଲିଉଡରେ ରିଲିଜ୍ ହେବାକୁ ଥିବା ଅମିତାଭ ବଚ୍ଚନ ଏବଂ ଆୟୁଷ୍ମାନ୍ ଖୁରାନ୍ନାଙ୍କ ଫିଲ୍ମ 'ଗୁଲାବୋ ସିତାବୋ', ଅଭିନେତ୍ରୀ ବିଦ୍ୟା ବାଲାନଙ୍କ 'ଶକୁନ୍ତଳା ଦେବୀ' ଭଳି ସିନେମାକୁ ପ୍ରଯୋଜକମାନେ ମୋବାଇଲ୍ ଫ୍ଲାଟଫର୍ମରେ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୨୭ରେ ଗୁଲାବୋ ସୀତାବୋ ସିନେମା ହଲରେ ରିଲିଜ୍ ହେବାକୁ ଥିଲା। ହେଲେ ଲକଡାଉନ୍ ପାଇଁ ଏବେ ଏହା ଆମାଜନ ପ୍ରାଇମରେ ଜୁନ୍ ୧୨ରେ ରିଲିଜ ହେବାକୁ ଯାଉଛି।

ଏହାପରେ ଭାରତର ସିନେମା ଚେନ୍ ବ୍ୟବସାୟ କରୁଥିବା ଆଇନକ୍ସ ୧୪, ମେ, ୨୦୨୦ରେ ବିଜ୍ଞପ୍ତି ଜରିଆରେ ପ୍ରଯୋଜକ ମାନଙ୍କୁ ଚିଠି ଜରିଆରେ କହିଛି, ସିନେମା ରିଲିଜ୍ ପାଇଁ ଏକ ପ୍ରକ୍ରିୟା ରହିଛି। ତାହା ଏଯାବତ ବଳବତ୍ତର ରହିଛି। ସିନେମା ହଲରେ ଯେଉଁ ଫିଲ୍ମ ରିଲିଜ୍ ହେବ, ତା’ର ଦୁଇ ମାସ ପରେ ମୋବାଇଲ୍ ପ୍ଲାଟଫର୍ମରେ କିମ୍ୱା ଟିଭିରେ ସେହି ସିନେମା ରିଲିଜ୍ ହୋଇପାରିବ। କରୋନା ପାଇଁ ଏମିତିବି ସିନେମା ବ୍ୟବସାୟ କ୍ଷତିରେ ରହିଛି, ତେଣୁ ମୋବାଇଲ ପ୍ଲାଟଫର୍ମରେ ଫିଲ୍ନ ରିଲିଜ୍ ନକରିବାକୁ ଆଇନକ୍ସ ଅନୁରୋଧ କରିଛି। ଯଦି କରିବେ ଆଗାମୀ ଦିନରେ ସେହି ପ୍ରଯୋଜକଙ୍କର କୌଣସି ସିନେମା ରିଲିଜ୍ କରିବାକୁ ଅନୁମତି ମିଳିବନି ବୋଲି ମଧ୍ୟ ଅନ୍ୟ କିଛି ସିନେମା ହଲର ମାଲିକମାନେ କହିଥିବା ଜଣାପଡ଼ିଛି।

ତେବେ ଏହାରି ଭିତରେ ପ୍ରଯୋଜକମାନେ ଆଉ ଅଧିକ କ୍ଷତି ସହିପାରିବେନି ବୋଲି ଚିନ୍ତା କରି ତାମିଲର ୭ଟି ଫିଲ୍ମ ଓଟିଟିରେ ରିଲିଜ୍ ହେବ ବୋଲି ଜଣାପଡ଼ିଛି। ଆମାଜନ ପ୍ରାଇମ ଭଳି ଓଟିଟି ସଂସ୍ଥା ସେଥିମଧ୍ୟରୁ ୫ଟି ଫିଲ୍ମ ରିଲିଜ୍ କରିବ ବୋଲି ଜଣାପଡ଼ିଛି। ଏହି ୭ଟି ଫିଲ୍ମ ମଧ୍ୟରେ ପ୍ରକାଶ ରାଜ, ଶ୍ରୀୟା ରେଡ୍ଡୀ, ଅଶୋକ ସେଲଭାନଙ୍କ ଭଳି ଅଭିନେତାଙ୍କ ଫିଲ୍ମ ରହିଛି।

ଦେଶରେ ଏବେ ଅନ୍ ଲାଇନ୍ ଫିଲ୍ନ ଦେଖିବା ପାଇଁ ଅନେକ ଓଟିଟି ପ୍ଲାଟଫର୍ମ ରହିଛି। ନେଟଫ୍ଲିକ୍ସ, ଆମାଜନ ପ୍ରାଇମ୍, ଏରୋଜ ନାଓ, ଜି ଫାଇଭ୍, ଡିଜନି ପ୍ଲସ୍, ହଟଷ୍ଟାର, ଏମଏକ୍ସ ପ୍ଲେୟାର, ସୋନି ଲିଭ୍, ୟୁପ ଟିଭି, ଭୁଟ୍। ଓଡ଼ିଶାରେ ଓଟିଭି ନେଟଓ୍ୱର୍କର ମଧ୍ୟ ୨୦୧୯ରେ ଏଭଳି ଏକ ଆପ୍ସ ରିଲିଜ୍ କରିଛି। ଯାହାର ନାମ ‘ତରଙ୍ଗ ପ୍ଲସ୍’ ରହିଛି। ଭାଲେଣ୍ଟାଇନ୍ ଡେ' ଅବସରରେ 'ଚୁମ୍ୱକ୍' ଭଳି ଓ୍ୱେବ ସିରିଜ୍ ଏହି ପ୍ଲାଟଫର୍ମରେ ରିଲିଜ୍ ହୋଇଥିଲା। ସେହିପରି ତରଙ୍ଗ ବ୍ୟାନରରେ ରିଲିଜ୍ ହୋଇଥିବା ଅନେକ ସିନେମା ମଧ୍ୟ ଏହି ଆପ୍ସରେ ଉପଲବ୍ଧ ରହିଛି। ଯେ କେହି ମାସିକ ଦେୟ କିମ୍ୱା ବାର୍ଷିକ ଦେୟ ଦେଇ ନିଜ ମନ ପସନ୍ଦର ସିନେମା ଏହି ଆପ୍ସରେ ଦେଖିପାରିବେ।

ଲକଡାଉନ୍ ପାଇଁ ଲୋକମାନେ ଘରେ ରହିଥିବାରୁ ମୋବାଇଲ୍ ପ୍ଲାଟଫର୍ମର ଚାହିଦା ବଢ଼ିଛି। ନେଟଫ୍ଲିକ୍ସ, ଆମାଜନ ପ୍ରାଇମ୍ ଭଳି ସଂସ୍ଥା ଏହି ଲକଡାଉନ୍ ସମୟରେ ଅନେକ ସବସ୍କ୍ରାଇବାର ବା ଗ୍ରାହକ ପାଇଛନ୍ତି। ଏଯାବତ କୌଣସି ଓଟିଟି ପ୍ଲାଟଫର୍ମ ସଂସ୍ଥା ନିଜର ଗ୍ରାହକ ସଂଖ୍ୟା ବାବଦରେ ପ୍ରକାଶ କରି ନାହାନ୍ତି। ହେଲେ ଏହାକୁ ନେଇ ନିଏଲସେନ୍ ସ୍ମାର୍ଟଫୋନ୍ ପେନାଲ୍ ଏକ ରିପୋର୍ଟ ଦେଇଥିଲା। ଯେଉଁଥିରେ ଉଲ୍ଲେଖ ରହିଥିଲା ମେଟ୍ରୋରେ ୧୯%, ସହର ଓ ଗ୍ରାମାଞ୍ଚଳରେ ୨୩% ଲୋକ ପ୍ରତି ସପ୍ତାହରେ ୪ ଘଣ୍ଟା ହାରାହାରି ଓଟିଟି ପ୍ଲାଟଫର୍ମରେ ସମୟ କଟାଉଛନ୍ତି।

ଏବେ ମୋବାଇଲ ଆପ୍ସରେ ସିନେମା ଦେଖିବାର ଚାହିଦା ଭାରତରେ ବଢ଼ିବାରେ ଲାଗିଛି। ଏହାର କାରଣ ରହିଛି, ଯଦି ଆମେ ଏକ ସପିଂ ମଲ୍ ଏବଂ ସାଧାରଣ ଦୋକାନ ମଧ୍ୟରେ ଥିବା ପାର୍ଥକ୍ୟକୁ ତୁଳନା କରିବା। ସପିଂ ମଲରେ ବିଭିନ୍ନ ବ୍ରାଣ୍ଡ ଏବଂ ରଙ୍ଗର ଡ୍ରେସ୍ ତାହା ପୁଣି ଲେଟେଷ୍ଟ ଦେଖିବାକୁ ପାଇବା। ହେଲେ ସାଧାରଣ ଦୋକାନରେ ଏପରି ସୁଯୋଗ ବହୁତ କମ୍ ରହିଥାଏ। ଠିକ୍ ସେହିପରି ମୋବାଇଲ୍ ଓଟିଟି ଆପ୍ସରେ ପ୍ରତି ମାସ ହାରାହାରି ୧୩୦ ଟଙ୍କା ହୋଇଗଲେ ଜଣେ ମାସକ ପାଇଁ ନୂଆ ନୂଆ ଓ୍ୱେବ୍ ସିରିଜ୍ ଏବଂ ସିନେମା ଦେଖିପାରିବ। ଆଉ ପସନ୍ଦ ନିଜର ରହିବ। ହେଲେ ସିନେମା ହଲରେ ଗୋଟିଏ କି ଦୁଇଟି ସିନେମାର ସୁଯୋଗ ମିଳିବ। ଆଇନକ୍ସର ଗୋଟିଏ ଫିଲ୍ମର ଟିକେଟ ମୂଲ୍ୟ ୨୦୦ ଉପରେ ରହିଛି। ଅର୍ଥାତ୍ ଜଣେ ସିନେମା ହଲରେ ଗୋଟିଏ ଫିଲ୍ନ ପାଇଁ ଦେଉଥିବା ଟିକେଟର ମୂଲ୍ୟରେ ମାସକ ଯାକ ଶହେଟି ଫିଲ୍ମ ଜଣେ ଚାହିଁଲେ ମୋବାଇଲରେ ଦେଖିପାରିବ।

୨୦୧୫ରେ ଇଦ୍ ଅବସରରେ ସଲମାନ୍ ଖାନ୍, କରୀନା କାପୁର ଅଭିନୀତ ‘ବଜରଙ୍ଗୀ ଭାଇଜାନ୍’ ରିଲିଜ୍ ହୋଇଥିଲା ସେତେବେଳେ ଦେଶର ଅଧିକାଂଶ ସିନେମା ହଲ୍ ଅନ୍ୟ କୌଣସି ସିନେମାକୁ ରିଲିଜ୍ କରିବାକୁ ଅନୁମତି ଦେଇନଥିଲେ। ହେଲେ ସେହି ସମୟରେ ‘ମସାନ’ ନାମକ ଫିଲ୍ମ ରିଲିଜ୍ ସପ୍ତାହ ପରେ ଜୁଲାଇ ୨୪ରେ ରିଲିଜ୍ ହୋଇଥିଲା। ଯଦିଓ ମସାନକୁ ସିନେମା ହଲରେ ସେତେଟା ବ୍ୟାବସାୟିକ ସଫଳତା ମିଳିନଥିଲା। ହେଲେ ପରବର୍ତ୍ତୀ ସମୟରେ ଏହି ସିନେମାଟି ଲୋକଙ୍କ ପାଖରେ ଆଦୃତ ହୋଇପାରିଥିଲା। ଏହା ଏବେର ଟ୍ରେଣ୍ଡ ନୁହଁ ଯେତେବେଳେ ବଡ଼ ବଡ଼ ତାରକାଙ୍କ ସିନେମା ରିଲିଜ୍ ହୁଏ ସେତେବେଳେ ଅନ୍ୟ କଳାକାରଙ୍କ ଫିଲ୍ନ ସିନେମା ହଲରେ ସେତେଟା ବ୍ୟବସାୟ ହୁଏ ନାହିଁ। ହେଲେ ଓଟିଟି ଆସିବା ପରେ ସେହି ସିନେମା ଗୁଡ଼ିକ ଅଧିକ ଆଦୃତ ହୋଇପାରିଛି।

ସେହିପରି ଓଟିଟିର ଚାହିଦା ଲକଡାଉନରେ ବଢ଼ିବା ପରେ ବିଜ୍ଞାପନ ମୂଲ୍ୟ ମଧ୍ୟ ଏହି ପ୍ଲାଟଫର୍ମରେ ବଢ଼ିଯାଇଛି। ଏକ ସର୍ଭେ ଅନୁଯାୟୀ ମାର୍ଚ୍ଚରେ ଥରୁଟିଏ ବିଜ୍ଞାପନ ପାଇଁ ଯେଉଁ ମୂଲ୍ୟ ୧୬ ହଜାର ଟଙ୍କା ଥିଲା ଏପ୍ରିଲରେ ୩୩ ହଜାର ଟଙ୍କା ହୋଇଛି। ଏହି ବିଜ୍ଞାପନ ଦେୟ କିନ୍ତୁ ଆମାଜନ ଏବଂ ନେଟଫ୍ଲିକ୍ସ ଅନ୍ତର୍ଭୁକ୍ତ ନୁହଁ। କାରଣ ଆମାଜନ ଓ ନେଟଫ୍ଲିକ୍ସରେ ବିନା ବିଜ୍ଞାପନରେ ସିନେମା ଦେଖାଉଥିବାରୁ ନିଜର ଗ୍ରାହକଙ୍କ ପାଖରୁ ଅଧିକ ଟଙ୍କା ନେଇଥାନ୍ତି।

ଓଟିଟିର ଚାହିଦା ବଢ଼ୁଥିବାରୁ ଚଳିତ ବର୍ଷ ଏହାର ଚାହିଦା ୨୦୧୮ ତୁଳନାରେ ୧୮ ପ୍ରତିଶତ ବଢ଼ିବ ବୋଲି ଜଣାପଡ଼ିଛି। ୨୦୧୮ରେ ଓଟିଟିର ବାର୍ଷିକ ବ୍ୟବସାୟ ୪,୪୬୪ କୋଟି ଟଙ୍କା ଥିଲା। ଏବେ ୨୦୨୩ ସୁଦ୍ଧା ଏହି ବ୍ୟବସାୟ ୧୧,୯୭୬ କୋଟି ହେବ ବୋଲି ପିଡବ୍ଲ୍ୟୁଡି ଗ୍ଲୋବାଲ ଏଣ୍ଟରଟେନମେଣ୍ଟ ଆଣ୍ଡ ମିଡିଆ ଆଉଟଲୁକ୍ ୨୦୧୯-୨୦୨୩ ସର୍ଭେ ରିପୋର୍ଟରେ କହିଛି।

ସେହିପରି ଆଉ ଏକ ସର୍ଭେରୁ ଜଣାପଡ଼ିଛି ଏବେ ବି ଅନେକ ଗାଁ ଲୋକ ଏହି ମୋବାଇଲ୍ ଆପ୍ସ ବାବଦରେ ଜାଣି ନାହାନ୍ତି। ହେଲେ ଏବେ ଶିକ୍ଷା ଏବଂ ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରିବା ପାଇଁ ଲୋକମାନେ ଅଧିକ ପସନ୍ଦ କରୁଛନ୍ତି। ୨୦୧୬ରେ ଜିଓ ଶସ୍ତାରେ ଇଣ୍ଟରନେଟ୍ ଦେବା ପରେ ସ୍ମାର୍ଟଫୋନ ବିକ୍ରି ହାର ବହୁତ ବଢ଼ିଛି। ଏହି ସ୍ମାର୍ଟ ଫୋନରେ ୧୩୦ ଟଙ୍କା ମାସିକ ଦେୟରେ ମୋବାଇଲ ଆପ୍ସରେ ମାସେ ଯାଏ ସିନେମା ଦେଖିହେବ। ତେଣୁ ଆଗାମୀ ଦିନରେ ହ୍ୱାଟସଆପ୍ ଭଳି ପ୍ରତ୍ୟେକ ସ୍ମାର୍ଟଫୋନରେ ଏହି ଆପ୍ସ ଡାଉନଲୋଡ୍ ହୋଇସାରିଥିବ ବୋଲି ଆଶା କରାଯାଉଛି। ସିନେମା ହଲ୍ ତୁଳନାରେ ମୋବାଇଲ୍ ପ୍ଲାଟଫର୍ମରେ ଫିଲ୍ନ ରିଲିଜ କଲେ ପ୍ରଯୋଜକମାନଙ୍କୁ ମଧ୍ୟ ସେତେଟା ଆର୍ଥିକ ବୋଝ ନେବାକୁ ଆଉ ପଡ଼ିବନି। ତେଣୁ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ମୋବାଇଲ୍ ପ୍ରମୁଖ ମାଧ୍ୟମ ସାଜିପାରେ।

ଏବେ ସବୁଠୁ ବଡ଼ ପ୍ରଶ୍ନ ଯାହାକୁ ଲୋକମାନେ କେବେ ସାଲିସ୍ କରନ୍ତି ନାହିଁ। ତାକୁ ନେଇ ବିତର୍କର ଆବଶ୍ୟକ ରହିଛି। ସିନେମା ହଲରେ ସିନେମା ଦେଖିବାର ମଜା କିଛି ଅଲଗା। ଥ୍ରୀ’ଡି ଫିଲ୍ମ ହେଉ କି ହେଡଫୋନ୍ ଜରିଆରେ ଗୀତର ମ୍ୟୁଜିକ୍ ଶୁଣିବାର ମଜା କିଛି ନିଆରା। ଏଥିସହ ସିନେମା ହଲକୁ ଗଲା ବେଳେ ପ୍ରେମିକ, ପ୍ରେମିକା, ସାଙ୍ଗ, ସହଯୋଗୀ, ବାପା ମା’ଙ୍କ ସହିତ ମିଶି ଦେଖିବାର ସୁଯୋଗ ରହିଛି। ହେଲେ ମୋବାଇଲ ଜରିଆରେ ଏ ନିଆରା ମଜା ମିଳିବନି। ଅନେକ ଫିଲ୍ନ ଆସୁଛି ଯାହାକି ଥ୍ରୀ’ ଡିରେ ହିଁ ଦେଖିଲେ ଭଲ ଲାଗିବ। ହେଲେ ସେହି ଫିଲ୍ନ ଯଦି ମୋବାଇଲରେ ଦେଖିଲେ ତା’ର ସାଉଣ୍ଡ ଏବଂ ସ୍କ୍ରିନର କ୍ୱାଲିଟି ସେତେଟା ଭଲ ରହିବ ନାହିଁ। ଏଥିସହ ହଲରେ ରିଲିଜ ହେବାର ଦୁଇ ମାସ ପରେ ଫିଲ୍ମ ଦେଖିବାକୁ ମିଳିବ।

ଯଦିଓ ଓଟିଟିର ଭବିଷ୍ୟତ ଉଜ୍ଜଳ ରହିଛି ବୋଲି ଜଣାପଡ଼ୁଛି ହେଲେ ସିନେମା ହଲର ମଜା ଏବେ ବି ବଳବତ୍ତର ରହିଛି। କାରଣ ଭାରତୀୟ ମାନେ ସିନେମା ହଲକୁ ଅଧିକ ଅଗ୍ରାଧିକାର ପୂର୍ବରୁ ଦେଇ ଆସୁଛନ୍ତି। ଏବେ ଲକଡାଉନ୍ ପାଇଁ ସିନେମା ହଲର ଭବିଷ୍ୟତକୁ ନେଇ ଅନେକ ଆକଳନ ହେଉଛି। ତେବେ ସିନେମା ହଲରେ ଗହଳି ରହୁଥିବାରୁ ଆଗାମୀ ଦିନରେ ହଲର ସିଟ୍ ସଂଖ୍ୟା, ସିଟ୍ ସିଟ୍ ମଧ୍ୟରେ ଦୂରତା, ବିଶୋଧୀକରଣ ବ୍ୟବସ୍ଥା, ଲମ୍ୱା ଲାଇନରେ ଛିଡ଼ା ହୋଇ ଟିକେଟ୍ କାଟିବା ଆଦି ଶୈଳୀରେ ଅନେକ ପରିବର୍ତ୍ତନ ହେବ ବୋଲି ଜଣାପଡ଼ୁଛି।

Related story