ଶଶୀପ୍ରଭା ବିନ୍ଧାଣୀ
ମୋ ବାଲ୍କୋନୀରୁ ଶରତ ପୂର୍ଣ୍ଣିମାର ଜହ୍ନକୁ ଦେଖିବାରେ ମୁଁ ନିରାଶ ହୁଏ। ଯେତେ ଚେଷ୍ଟାକଲେ ବି ସହରର ସୁଉଚ୍ଚ ଅଟ୍ଟାଳିକା ପ୍ରକୃତିର ଚେହେରାକୁ ଉପଭୋଗ କରିବାରେ ଗୋଟେ ବଡ଼ ବାଧକ। ହେଲେ ସେଇ ଜହ୍ନରାତି ମୋ ପିଲାଦିନର ସ୍ମୃତିକୁ ତୁହାକୁ ତୁହା ଚମକାଇ ମୋର ମନ ଓ ଦେହକୁ ବ୍ୟତିବ୍ୟସ୍ତ କରିପକାଇଲା।
କିଛି ସପ୍ତାହ ତଳେ ଆଲୋଚନା ଓ ଆଳାପରେ ଏଇ ଜହ୍ନ ଏକ ପ୍ରସଙ୍ଗ ଥିଲା। ମୋ ପିଲାଦିନର ଜହ୍ନଟା ସବୁବେଳେ କୁରୁକୁରୁ ହୋଇ ହସିଦିଏ ଆମ ଏକାନ୍ନବର୍ତ୍ତୀ ପରିବାରର ବିରାଟ ଅଗଣା କୋଣରେ। ଘରପାଖ ମନ୍ଦିର ଆଢ଼଼ୁଆଳ ନଡ଼ିଆ ଗଛର ବାହୁଙ୍ଗାରେ ଲୁଚକାଳି ଖେଳି ମନକୁ ଉନ୍ମାଦ କରିଦିଏ। ଆମ ଭାଇଭଉଣୀଙ୍କ ମନରେ ଶିହରଣ ଖେଳିଯାଏ। ପାଦ ଚିପି ଚିପି ଘର ଅଗଣା ପାରି ହୋଇ ଆସି ରଥ ପଡ଼ିଆରେ ଜମା ହେଉ। ଷ୍ଟେସନ୍ ବଜାର, ଟ୍ରାଫିକ୍ ଛକ, ଅସ୍ତିଆ, ଅମ୍ବିକା ସାହି, ବଡ଼ ବଜାର, ଶବର ସାହି, ପୁରୁଣା ହାଟ ସାହି, ଶଙ୍ଖପଟା ଆହୁରି କେତେଆଡ଼ୁ କେତେ ପୁଅ ଝିଅଙ୍କର ସମାଗମ। ବୟସର ତାରତମ୍ୟ ନଥାଏ। ଉଦ୍ଦେଶ୍ୟ ଢିଲ ଖେଳ (ପତ୍ର ଶୁଙ୍ଘା)। ଯିଏ ସେ ଦିନର ଲିଡ଼ର ସେ ନିଷ୍ପତି ନେବେ, ଖେଳ କେମିତି ହେବ ଓ କିଏ ଖେଳିବ। ନିର୍ଦ୍ଦେଶ ଅନୁସାରେ ଦଳ ଭାଗ ହେବ ଓ ଗଛ ସ୍ଥିର ହେବ, କେଉଁଠାରୁ ସେ ପତ୍ର ଆସିବ। ଜହ୍ନ ଆମକୁ ତାର ଶୀତଳ କିରଣର ପ୍ରାଚୁର୍ଯ୍ୟରେ ଏପରି ଆମୋଦିତ କରିଥାଏ ଯେ, ସେ ଖେଳ ଶେଷ ହେଉ ହେଉ ରାତି ଆହୁରି ବଢ଼ି ଯାଇଥାଏ। ହେଲେ ନା ଆମର, ନା ଆମ ଅଭିଭାବକମାନଙ୍କର ଏଥିପାଇଁ କିଛି ଦୁଶ୍ଚିନ୍ତା ଥାଏ। ପାଖରେ ଜଗନ୍ନାଥ ମନ୍ଦିର, ଜହ୍ନ ଓ ମୋ ଜେଜେବାପାଙ୍କର ଉପସ୍ଥିତି ସମସ୍ତଙ୍କ ପାଇଁ ସୁରକ୍ଷା ଓ ନିରାପତ୍ତାର ଏକ ନିଶ୍ଚିତ କବଚ ବୋଲି ସହରର ସବୁ ପରିବାରକୁ ଜଣାଥାଏ।
ହେଲେ ଆଜି ସେହି ପୂର୍ଣ୍ଣଜହ୍ନର ଉଜ୍ଜ୍ୱଳତାର ଅନେକ ନିଷ୍ଠୁର କାହାଣୀ ମୋ ମନ ପରଦାରେ ଉଙ୍କିମାରିବ ବୋଲି ଭାବି ନଥିଲି। ପୁଣି ମନେପଡ଼ିଲା କିଛି ଅନୁଭୂତି, ସେମିତି କିଛି ଅନେକ ମହିଳାମାନଙ୍କର ଯେଉଁମାନଙ୍କୁ ମୁଁ ଜୀବନର ବିଭିନ୍ନ ସମୟରେ ଘର ପରିବାରରେ, ବିଭିନ୍ନ ଗାଁ, ସାହି-ପଡ଼ାରେ, ସହରର ଚାକଚକ୍ୟ ଗହଳିରେ, ଶୀତତାପ ନିୟନ୍ତ୍ରିତ ବର୍ଣ୍ଣାଢ଼୍ୟ ସୁସଜ୍ଜିତ ବୈଠକରେ, ରେଳଯାତ୍ରାରେ, ବିମାନରେ, ଦେଶ ବିଦେଶରେ, କିଛି ମୋର ଗବେଷଣାର ଆଲୋଚନା ଅବସରରେ ପୁଣି କିଛି ବ୍ୟକ୍ତିଗତ ଅନ୍ତରଙ୍ଗ ଆଳାପରେ। ସାଙ୍ଗରେ ଏକାଠି ଖାଇବାବେଳେ, ସାଥୀରେ ଯାଇ ପୋଖରୀ ଓ ନଈରେ ଗାଧୋଇବାବେଳେ, ନଈ ସମୁଦ୍ର ବେଳାଭୂମିରେ, କେତେବେଳେ ପୁଣି ପର୍ବପର୍ବାଣିରେ, ସାଥୀରେ ଫୁଲପତ୍ର ନେଇ ହାର ଗୁନ୍ଥିବାରେ। କୋଉଠି ପୁଣି ସାଥୀରେ ଯାଇ ପୁଚି ଖେଳିବାରେ ଆଉ ପିଜୁଳି ଖାଇବାପାଇଁ ଡାଳରୁ ଡାଳ ଡେଇଁ ସିଆଳି ଝୁଲାରେ ଝୁଲି ବରକୋଳି ଗଛରୁ କମ୍ପିଟିସନରେ କୋଳି ତୋଳିବା ମନେ ପଡ଼ୁଛି। ଆହୁରି ମନେ ପଡ଼େ ବାଲ୍କା (ମୟୂରଭଂଜ ବୈଶିଙ୍ଗା ବ୍ଲକ୍ର ଏକ ଗାଁ) ଗ୍ରୀଷ୍ମ ଛୁଟି ଅବସରରେ ଭାଇ ଭଉଣୀମାନଙ୍କର ସମାଗମରେ ହୁଏ। ଗ୍ରାମ ପ୍ରାନ୍ତରରେ ଛୋଟ ପୋଖରୀ ପାଖକୁ ଶୌଚପାଇଁ ଯେତେବେଳେ ବଡ଼ି ଭୋରରୁ ଆଈର ହାତ ଧରି ଆମେ ଦୌଡ଼ାଦୌଡ଼ି କରିବା ସମୟରେ। ଏମିତି ଆହୁରି କିଛି କୋର୍ଟକଚେରୀ, ଆୟୋଗ, ସଚିବାଳୟରେ ପୁଣି ଆଉ କିଛି ପର୍ବପର୍ବାଣିର ପୂଜା ପେଣ୍ଡାଲରେ, ରାସ୍ତାକଡ଼ର ଧାରଣା, ଧର୍ମଘଟରେ ପୁଣି ଜଙ୍ଗଲର ସରୁ ରାସ୍ତାରେ, ରାଜପଥର ବିସ୍ତୀର୍ଣ୍ଣ ଚଲାପଥରେ।
ହେଲେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୱେବ୍ ପେଜ୍ରେ ‘ଡାହାଣୀ’ର ଅବତାରଣା ଯାହାକି ଲୋକମୁହଁରେ ଶୁଣାଯାଏ ବୋଲି ଭାଷାକୋଷରେ ଉଲ୍ଲେଖ ହୋଇଛି, ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆରେ ଡାହାଣୀ ତ ନାହିଁ। କିନ୍ତୁ ଏଇ ଦୁଇ ପୃଷ୍ଠାର ଅବତାରଣା ମନକୁ ପ୍ରତିକ୍ରିୟାଶୀଳ କରିଦେବ। ଏମିତି ଏକ ତାଲିମ କର୍ମଶାଳାରେ ଆଲୋଚନାବେଳେ ଜଣେ ତାଙ୍କର ପ୍ରତିକ୍ରିୟା ରଖିଥିଲେ ‘ଡାହାଣୀ’ ଅଛି କି ନାହିଁ? ମୋ ପ୍ରଶ୍ନର ଉତ୍ତରରେ ସେ ଡାହାଣୀ ସମ୍ପର୍କରେ କିଛି କହିଲେ। ସେ କହିଲେ, କିଛି ସାଙ୍ଗ ସାଥୀ ସହ ଓଡ଼ିଶାର ଏକ ଜନାକୀର୍ଣ୍ଣ ରାସ୍ତାକଡ଼ ଢାବାରେ ରାତ୍ରୀଭୋଜନ ପାଇଁ ଅଟକି ଥିଲେ। ଯେହେତୁ ଜହ୍ନରାତି ଥିଲା, ତା’ର ଶୀତଳ ଚାଦର ତଳେ ଆୟୋଜନ ହୋଇଥିଲା ରାତ୍ରୀଭୋଜନ। ସୁଦୂର ନଈପଠାରେ ଦୃଶ୍ୟ ହେଲା କିଛି ଛାଇମାନଙ୍କର ଚଳପ୍ରଚଳ। ମନରେ ପ୍ରଶ୍ନ ଆସିଲା, ଢାବାରେ ଖାଦ୍ୟ ପରଶୁଥିବା ଲୋକକୁ ପଚାରି ବୁଝିବାରୁ ସେ ଫିସ୍ ଫିସ୍ ସ୍ୱରରେ ସେତେବେଳେ କହିଲା, ଜହ୍ନରାତିରେ ଏଠାରେ ବହୁତ ‘ଡାହାଣୀ’ ବିଷ୍ଠା ଖାଇବାକୁ ନଈକୂଳକୁ ଆସିଥାନ୍ତି। ବେଶୀ ରାତି ନୁହଁ। ରାତ୍ରୀଭୋଜନକୁ ଅଧା ଛାଡ଼ି ତ୍ୱରିତ ସମସ୍ତେ ଫେରି ଆସିଲେ ଢାବାମାଲିକ ପାଖକୁ। ସେ ମଧ୍ୟ କାହାଣୀରେ ଟିକେ ମସଲା ଲଗାଇ ତଡ଼କା କରି କହିଲେ ହଁ, ଜଣେ ନୁହଁ, ବହୁତ ସମୟରେ ଏକରୁ ଅଧିକ ‘ଡାହାଣୀ’ ସେଠି ବିଷ୍ଠା ଖାଇବାକୁ ଆସନ୍ତି।
ଏଠାରେ କହିବା ବାହୁଲ୍ୟ ଯେ ଓଡ଼ିଆ ଅଭିଧାନରେ ‘ଡାହାଣୀ’ର ବର୍ଣ୍ଣନା ସହିତ ତାହା ପ୍ରାୟ ମେଳ ଖାଉଥିଲା। ପାଠକବର୍ଗ ସେଇ ପୃଷ୍ଠାକୁ ଚାହିଁଲେ ପଢ଼଼ିପାରନ୍ତି। ମୋର ତୀବ୍ର ପ୍ରତିକ୍ରିୟା ହୁଏ ସେହି ବର୍ଣ୍ଣନର ରୁକ୍ଷତା ଓ ଅପମାନସୂଚକ ରୂପାନ୍ତର, ଅମର୍ଯ୍ୟାଦା ସମ୍ବଳିତ ଶବ୍ଦ ସଂଯୋଜନା। ଏଠାରେ କହିବା ବାହୁଲ୍ୟ ହେବ ଯେ, ସେହି ବିଷୟରେ ଯେତେବେଳେ ଭାରତବର୍ଷରେ ଗ୍ରାମୀଣ ଅଞ୍ଚଳର ପରିବାର ନିଜ ଅଗଣା ବା ଘରଡିହ ଭିତରେ ପାଇଖାନା ରଖିବାର ପରମ୍ପରାରେ ନଥିଲା। କିନ୍ତୁ ଏହା ମଧ୍ୟ ଆମେ ଅସ୍ୱୀକାର କରିପାରିବା ନାହିଁ, ପ୍ରାଚୀନ କାଳର ଖନନରୁ ପ୍ରମାଣ ମିଳିଛି ଯେ ହଜାର ହଜାର ବର୍ଷ ପୂର୍ବେ ଜନବସତିର ନିର୍ମାଣ ଅବଶେଷରୁ ଯେ ସେତେବେଳେ ବାସଗୃହରେ ଶୌଚାଳୟ, ସ୍ନାନାଗାର ଅନ୍ତର୍ଭୁକ୍ତ ଥିଲା ଏବଂ ସହର ପରିଯୋଜନାରେ ବର୍ଜ୍ୟବସ୍ତୁ ନିର୍ଗତ ହେବାର ପ୍ରକ୍ରିୟା ମଧ୍ୟ ସୁଚିନ୍ତିତ ଭାବରେ କରାଯାଇଥିଲା। ଏଠି ଆହୁରି ଗୋଟିଏ ହସ ଓ ତାତ୍ପର୍ଯ୍ୟଭରା କଥାଟିଏ କହିବାକୁ ଇଚ୍ଛା ହେଉଛି। ମୋର ଜେଜେବାପା ୧୯୭୫ ମସିହାରେ ମୋ ପାଇଁ ଥିବା ଏକ ବିବାହ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲେ ଯେହେତୁ ସେ ପରିବାର ଯଦିଓ ସେ ଅଂଚଳର ଜଣେ ଧନୀକ, ପ୍ରତିଷ୍ଠିତ, ସମ୍ମାନାଷ୍ପଦ ପରିବାର ଥିଲା, କିନ୍ତୁ ଗୃହ ଅଗଣା ପରିସର ଭିତରେ ଶୌଚାଳୟ ବ୍ୟବସ୍ଥାର ସୁବିଧା ରଖି ନଥିଲେ।
ଦେଖିବାକୁ ଗଲେ, ଏହି ଗଳ୍ପରେ ଯେଉଁ ମହିଳାମାନଙ୍କ କଥା ଆମେ ଉଲ୍ଲେଖ କରୁଛୁ, ଜହ୍ନରାତି ସହିତ ତାର ଗୋଟେ ଭିନ୍ନ ଓ ନିବିଡ଼ ସମ୍ପର୍କ ରହିଛି। ଘରବାଡ଼ିରେ ଶୌଚାଳୟ ନାହିଁ। ଗାଧୁଆ ପାଧୁଆ ଗଡ଼ିଆ, ପୋଖରୀ, ନାଳ, ନଦୀ ବା ବନ୍ଧରେ ହୁଏ। ହେଲେ ଶୌଚକର୍ମ ପାଇଁ ରାତିରେ ଘରେ ସମସ୍ତେ ଖିଆପିଆ କରିସାରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼େ। ଘର ନିକଟରେ ବିଜୁଳି ଆଲୁଅର ପ୍ରଶ୍ନ ନଥିଲା। ଏଣୁ ଲଣ୍ଠନ ବା ଡିବିରି ଆଲୁଅରେ ଚଳପ୍ରଚଳ। ପାଇଖାନା ଲାଗିଲେ ବା କୌଣସି ପ୍ରକାର ଅସୁବିଧା ସମୟରେ ଘରୁ ବା ଏକାନ୍ନବର୍ତ୍ତୀ ପରିବାର ହୋଇଥିଲେ ୨/୩ ଜଣ ମହିଳା ବା ଅଧିକ ସାଙ୍ଗରେ ଯାଆନ୍ତି। ଜହ୍ନ ଆଲୁଅରେ ସେମାନଙ୍କ ଛାଇରୁ ଜଣାପଡ଼େ ସେମାନେ ମହିଳା ବୋଲି। କହିବାକୁ ଗଲେ କୌଣସି ଜଳାଶୟ ନିକଟବର୍ତ୍ତୀ ଅଂଚଳ ହିଁ ସମସ୍ତଙ୍କ ମୁକ୍ତାକାଶ ଶୌଚାଳୟ। ଯେଉଁଠି ରାତିବେଳା ବାହାରିବା ସୁବିଧା ହୋଇନଥାଏ, ସକାଳର ସୂର୍ଯ୍ୟ ଆଲୁଅର ଯଥେଷ୍ଟ ଆଗରୁ ଏସବୁ କାମ ସମ୍ପନ୍ନ କରିବାକୁ ପଡ଼ିଥାଏ। ହେଲେ ଏମାନେ କ’ଣ “ଡାହାଣୀ”! ଅନେକ ପ୍ରକାରର କପୋଳକଳ୍ପିତ ଗପ ଏମାନଙ୍କ ସହ ଯୋଡ଼ାଯାଏ। କାରଣ ଏମାନେ ଘରର ପୁରୁଷମାନଙ୍କୁ ଏ ବିଷୟରେ ସମ୍ପୂର୍ଣ୍ଣ ଅବଗତ କରାନ୍ତି ନାହିଁ। ବରଂ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ରାତ୍ରୀକାଳୀନ ପ୍ରକୃତିର ଏଇ ଡାକକୁ ରହସ୍ୟମୟ କରି କହିଥାନ୍ତି। ସେଇ ରହସ୍ୟମୟ ମୁହୂର୍ତ୍ତକୁ ଆହୁରି ଆମୋଦିତ ଭାବରେ ସେମାନେ ବିଭିନ୍ନ ସଙ୍ଗୀତର ସୁରରେ ନିଜକୁ ହଜାଇ ଦେଇଥାନ୍ତି।
ତେବେ ଆଜି ଭାରତବର୍ଷରେ ସ୍ୱଚ୍ଛ ଭାରତ ଅଭିଯାନର କୃପାରୁ ଆଉ ଜହ୍ନରାତିରେ ସେ ଦୃଶ୍ୟ ଦେଖିବା ବିରଳ। ତେବେ କେଉଁ ଭିତ୍ତିରେ ଅଭିଧାନର ଏହି ଲୋକମୁହଁରୁ ଶୁଣିବାର କଥାକୁ ଆଜିର ନିରୀହ ମହିଳାଙ୍କ ଉପରେ ଥୋପି ଦେଇ ତାଙ୍କ ପ୍ରତି ହିଂସା ଆଚରଣ କରିବା? ଏ ହିଂସା ଏକ ଆରୋପଜନିତ ଅପରାଧ। ହଁ, ଏକ ଆରୋପଜନିତ ଅପରାଧ!
କିନ୍ତୁ ପରିତାପର ବିଷୟ ଯେ ଏହି ଶୌଚାଳୟ ସମ୍ପର୍କରେ ପ୍ରାକୃତିକ ଡାକର ଆବଶ୍ୟକତା, ସ୍ୱଚ୍ଛ, ନିରାପଦ, ସୁରକ୍ଷା ଓ ମର୍ଯ୍ୟାଦାପୂର୍ଣ୍ଣ ଭାବରେ ଶୌଚକାର୍ଯ୍ୟ କରିବାରେ ଏବେ ବି ଭୀଷଣ ଅଭାବ ରହିଛି। ଉଭୟ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମରେ ରାତ୍ରିକାଳୀନ ଶୌଚର ବୀଭତ୍ସତାର ଖବର କିଛି କମ୍ ନୁହେଁ। ମହିଳା ଓ ଶିଶୁ କନ୍ୟା ଗଣଦୁଷ୍କର୍ମର ଶିକାର ହୁଅନ୍ତି ରାତ୍ରୀକାଳୀନ ଶୌଚର ଆବଶ୍ୟକତାକୁ ସମ୍ପାଦନ କରିବାକୁ ଯାଇ। ଏପରି ଅନେକ ଘୃଣ୍ୟ, ହିଂସାତ୍ମକ, ବର୍ବରୋଚିତ ଅପରାଧ କିଛି ସାମ୍ନାକୁ ଆସେ, ତ କିଛି ଆସିପାରେନା। କାରଣ ଅନେକ। ତନ୍ମଧ୍ୟରୁ ଗୋଟିଏ ମୁଖ୍ୟ କାରଣ ହେଉଛି, ଯେକୌଣସି ମହିଳା ବା ଶିଶୁ କନ୍ୟା ଏପ୍ରକାର ଘୃଣ୍ୟ ହିଂସାର ଶିକାର ହେଲେ ସେମାନେ ପ୍ରଥମେ ନିଜେ ସେପରି ପରିସ୍ଥିତିର କାରଣ ବୋଲି ଅପବାଦର ସମ୍ମୁଖୀନ ହୋଇଥାନ୍ତି। ମୁଖ୍ୟତଃ ମହିଳା ଓ ଶିଶୁକନ୍ୟାମାନେ ହିଁ ଏପରି କୁ-ବ୍ୟବସ୍ଥିତ ସାମାଜିକ ଅବଧାରଣାର ଶିକାର ସହଜରେ ହୋଇଥାନ୍ତି। ଏହି ‘ସହଜତା’ର ଫାଇଦା ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିମାନେ ନେଇଥାନ୍ତି। ଯେଉଁମାନେ ମହିଳାମାନଙ୍କୁ ତାଙ୍କର ସ୍ୱାର୍ଥ ସାଧନ ପାଇଁ କବଳିତ କରିଥାଆନ୍ତି। ତାହାର ଜ୍ୱଳନ୍ତ ଉଦାହରଣ ‘ଡାହାଣୀ’ ଆଖ୍ୟାରେ ଆରୋପିତ କରିବା ଏବଂ ସେମାନଙ୍କ ପ୍ରତି ଜଘନ୍ୟ ଆଚରଣ କରିବାର ଦୃଷ୍ଟାନ୍ତ କ୍ରାଇମବ୍ରାଂଚ ରେକର୍ଡ଼ କହୁଛି।
ଏହି ରଚନା ଓ ଅବତାରଣା ପ୍ରଚ୍ଛଦରେ ଅନେକ କାହାଣୀ, ଘଟଣାର ଉତ୍ପତ୍ତିର କାରଣ, ଏହାକୁ ସଂଗଠିତ କରୁଥିବା ବିଭିନ୍ନ ବର୍ଗର ଲୋକ ଓ ସମାଜର ବିସ୍ତୃତ ବିବରଣୀ ଅସୀମିତ। ଦୀର୍ଘ ଦୁଇହଜାର ବର୍ଷରୁ ସାରା ପୃଥିବୀ ଏହି ଆରୋପିତ ହିଂସାର ରକ୍ତରେ ଜୁଡ଼ୁବୁଡ଼ୁ। ଆଜି ଦିନରେ ଅନେକ ଗବେଷଣା, ପର୍ଯ୍ୟାଲୋଚନା, ଆଲୋଚନା, ରଚନା, ପ୍ରବନ୍ଧ ପୁସ୍ତକ ସମ୍ପାଦନାରେ ପାଠାଗାରମାନଙ୍କରେ ଏ ସମ୍ପର୍କିତ ପାଣ୍ଡୁଲିପି ସମ୍ଭାରର ଅଭାବ ନାହିଁ।
ଏହି ପରିପ୍ରେକ୍ଷୀରେ ଆଜି ଏଇ ଜହ୍ନରାତିର ରହସ୍ୟମୟ ପରଦାକୁ ଆଭରଣମୁକ୍ତ କଲେ ହୁଏତ ସମାଜ ଚିନ୍ତା କରିବ ସାମଗ୍ରିକ ଭାବେ ଏପରି ହିଂସା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ। ସେଇ ରାତ୍ରୀର ଶିଶିରଭିଜା ପ୍ରହରରେ ନିମ୍ମଜିତ ହୋଇଯାଏ ପ୍ରକୃତିର ବୃକ୍ଷରାଜି, ତରୁଲତା, ଗୁଳ୍ମରୁ ସଂଗୃହୀତ ଔଷଧୀୟ ଗୁଣଯୁକ୍ତ ଦ୍ରବ୍ୟକୁ ଏକାଠି କରିବାରେ। ସେଇ ମହିଳାମାନେ ହିଁ ଡାହାଣୀ ଆରୋପିତ ହିଂସାରୁ ନିଜକୁ ମୁକ୍ତ କରିବାରେ ଆଜି ନିଃସହାୟ ହୋଇପଡ଼ିଛନ୍ତି। କେଉଁଠି ନା କେଉଁଠି ଆମେ ସମସ୍ତେ ସେଥିପାଇଁ ଦାୟୀ।
ହେ ଜହ୍ନ! ତୁମେ ତ ପୂର୍ଣ୍ଣଜ୍ୟୋତ୍ସ୍ନାରେ ଆମକୁ ବାରମ୍ବାର ଆମୋଦିତ କର। ତେବେ ଏଇ ସମାଜକୁ ଏପରି ଦୁର୍ବିସହ ଦ୍ୱନ୍ଦ୍ୱ, ଆତଙ୍କିତ ଭାବନାରୁ ଶୀଘ୍ର ମୁକ୍ତ କର। ସୃଷ୍ଟିର ଏହି ଐଶ୍ୱର୍ଯ୍ୟଶାଳୀ ଜୀବ “ନାରୀ”କୁ ଲାଞ୍ଛନାମୁକ୍ତ କର।
ଆମେ ପୁଣି ଆସିବା ରାତ୍ରୀର ଛାଇ ଆଲୁଅର ଶିଶିରସିକ୍ତ ଆହୁରି ଅନେକ କଥା ଓ କାହାଣୀକୁ ନେଇ। ସେଥିରେ ମୋର ଜେଜେ ମା’ଙ୍କ ପରି ଆହୁରି ଅନେକ ମହିଳାଙ୍କର କିଛି ଜଣାଅଜଣା ଜ୍ଞାନ ବିଜ୍ଞାନର କଥାକୁ ନେଇ।
ମୋ: ୭୮୭୩୯୬୫୬୫୮
ଗବେଷିକା ଓ ପୂର୍ବତନ ସୂଚନା ଆୟୁକ୍ତ, ଓଡ଼ିଶା