Advertisment

କୌଣସି ‘ଏନକାଉଣ୍ଟର’ ବୈଧ ନୁହେଁ!

ଦେବ ରଞ୍ଜନ କୌଣସି ବି ‘ଏନକାଉଣ୍ଟର’ ଆଇନ ଅନୁମୋଦିତ କାର୍ଯ୍ୟ ନୁହେଁ। ଭାରତୀୟ ବିଚାର ବ୍ୟବସ୍ଥାରେ ନାଗରିକର ଜୀବନ ନେବାର ଅଧିକାର ପୁଲିସର ନାହିଁ। ଏଥିଲାଗି ପୁଲିସ ପ୍ରତି ଏନକାଉଣ୍ଟର ପରେ “ନିଜ ସୁରକ୍ଷା ଲାଗି ଗୁଳି ଚଳାଇବାକୁ ବାଧ୍ୟ ହେଲୁ” ବୋଲି ସଫେଇ ଗଣମାଧ୍ୟମ ସାମ୍ନାରେ ଦେଇଥାଏ। କାରଣ ସେମାନେ ଜାଣନ୍ତି ଯେ ଏହା ଆଇନ ଅନୁମୋଦିତ ନୁହେଁ। ଏହା ପରେ କିନ୍ତୁ ପୁଲିସ ପ୍ରତ୍ୟେକ ଏନକାଉଣ୍ଟର ପରେ ଜାତୀୟ ମାନବିକ ଅଧିକାର କମିଶନଙ୍କୁ ରିପୋର୍ଟ […]

author-image
Debendra Prusty
କୌଣସି ‘ଏନକାଉଣ୍ଟର’ ବୈଧ ନୁହେଁ!

encounter

ଦେବ ରଞ୍ଜନ

କୌଣସି ବି ‘ଏନକାଉଣ୍ଟର’ ଆଇନ ଅନୁମୋଦିତ କାର୍ଯ୍ୟ ନୁହେଁ। ଭାରତୀୟ ବିଚାର ବ୍ୟବସ୍ଥାରେ ନାଗରିକର ଜୀବନ ନେବାର ଅଧିକାର ପୁଲିସର ନାହିଁ। ଏଥିଲାଗି ପୁଲିସ ପ୍ରତି ଏନକାଉଣ୍ଟର ପରେ “ନିଜ ସୁରକ୍ଷା ଲାଗି ଗୁଳି ଚଳାଇବାକୁ ବାଧ୍ୟ ହେଲୁ” ବୋଲି ସଫେଇ ଗଣମାଧ୍ୟମ ସାମ୍ନାରେ ଦେଇଥାଏ। କାରଣ ସେମାନେ ଜାଣନ୍ତି ଯେ ଏହା ଆଇନ ଅନୁମୋଦିତ ନୁହେଁ। ଏହା ପରେ କିନ୍ତୁ ପୁଲିସ ପ୍ରତ୍ୟେକ ଏନକାଉଣ୍ଟର ପରେ ଜାତୀୟ ମାନବିକ ଅଧିକାର କମିଶନଙ୍କୁ ରିପୋର୍ଟ ଦେଇ ବିଷୟର ପରିସମାପ୍ତି ଟାଣିଥାଏ।

Advertisment

ଆମେ ଆଜି ଆଲୋଚନା କରୁଛେ ହାଇଦ୍ରାବାଦର ‘ଦିଶା ଏନକାଉଣ୍ଟର’ (ଡିସେମ୍ବର ୦୬, ୨୦୧୯ ତାରିଖ) ସମ୍ପର୍କରେ। ଏହା ସମସ୍ତେ ଜାଣିଥିଲେ ଯେ ପୁଲିସ ଗିରଫ ଚାରି ଜଣଙ୍କୁ ହତ୍ୟା କରିଛି। (ସେମାନଙ୍କ ମଧ୍ୟରେ ତିନି ଜଣ ନାବାଳକ ମଧ୍ୟ ଥିଲେ।) ସେଥିଲାଗି ପୁଲିସ ଅଧିକାରୀଙ୍କୁ ଫୁଲ ମାଳ ଦେଇ ସ୍ଵାଗତ କରିବାଠାରୁ ମିଠା ବାଣ୍ଟିବା ପର୍ଯ୍ୟନ୍ତ ସମସ୍ତ ପ୍ରକାରର ସମ୍ବର୍ଦ୍ଧନା ଦିଆଯାଇଥିଲା। ଓଡ଼ିଶାର ଜଣେ ବରିଷ୍ଠ ମନ୍ତ୍ରୀ ମଧ୍ୟ ଏହି ଏନକାଉଣ୍ଟର ସପକ୍ଷରେ ଯୁକ୍ତି କରିଥିଲେ, “ଅନ୍ୟ ଦେଶର ଧର୍ଷଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ଅଛି। ସେଠାରେ ରାସ୍ତାରେ ସେମାନଙ୍କୁ ଗୁଳି କରାଯାଉଛି।“ ଏହା ମନ୍ତ୍ରୀଙ୍କର ସମ୍ବିଧାନ ବିରୋଧୀ ମନ୍ତବ୍ୟ। ଏହାକୁ ସେତେବେଳେ ବିରୋଧ କରାଯିବା ସତ୍ତ୍ୱେ ଓଡ଼ିଶା ସରକାର ମନ୍ତ୍ରୀଙ୍କ ପକ୍ଷ ନେଇ ନୀରବ ରହିଥିଲେ। ସୁପ୍ରିମ କୋର୍ଟଙ୍କ କମିଟି ରିପୋର୍ଟ ପରେ ‘ଦିଶା’ ଏନକାଉଣ୍ଟରକୁ ସମର୍ଥନ କରିଥିବା ମନ୍ତ୍ରୀ ଓ ଚିନ୍ତକମାନେ ଲୋକଙ୍କ ସାମ୍ନାରେ କ୍ଷମା ମାଗିବା ଜରୁରୀ।

ରାଜନୈତିକ ଅନୁଷ୍ଠାନ:

ଡିସେମ୍ବର ୦୬, ୨୦୧୯ ତାରିଖରେ ହାଇଦ୍ରାବାଦ ପୁଲିସ ଆଇନକୁ ହାତକୁ ନେଇ ନାରୀ ସୁରକ୍ଷା ନାମରେ ଚାରି ଜଣ ‘ଅଭିଯୁକ୍ତ’ଙ୍କୁ ଏନକାଉଣ୍ଟର ହତ୍ୟା କରିଦେଲେ। ବିଚାରାଧୀନ କଏଦୀଙ୍କୁ କୌଣସି ଆଇନ ସହାୟତା ନଦେଇ ଅର୍ଦ୍ଧରାତ୍ରିରେ ସଶସ୍ତ୍ର ପୁଲିସ ବାହିନୀ ଦ୍ଵାରା ନିକାଞ୍ଚନ ସ୍ଥାନକୁ ନେଇ ଗୁଳି କରିବା ପରେ ଆତ୍ମସୁରକ୍ଷାର ରଙ୍ଗ ଦେବା, ଆମ ଆଇନ ଓ ବିଚାର ପଦ୍ଧତିରେ ଯେ ବହୁତ ଫାଙ୍କ ରହିଛି ସେକଥାକୁ ପ୍ରମାଣିତ କରୁଥିଲା। ଏହି ସମାନ କଥା ସୁପ୍ରିମ କୋର୍ଟଙ୍କ କମିଟି ନିଜ ରିପୋର୍ଟରେ ସ୍ଥାନିତ କଲେ। ସୁପ୍ରିମ କୋର୍ଟ କମିଟି ଏନକାଉଣ୍ଟର ସ୍ଥାନରୁ କୌଣସି ଗୁଳି କିମ୍ବା ଖୋକା ନପାଇବା କାରଣରୁ ଏହାକୁ ସନ୍ଦେହ ଦୃଷ୍ଟିରେ ରଖି ଅନୁସନ୍ଧାନ ଜାରି ରଖିଥିଲେ।  ଏବେ ଏହି କମିଟି ଉକ୍ତ ଅଫିସରଙ୍କ ବିପକ୍ଷରେ ହତ୍ୟା ମକଦ୍ଦମା କରିବା ଲାଗି ସୁପାରିଶ କରିଛନ୍ତି।

Advertisment

ଆଦିବାସୀ ଆନ୍ଦୋଳନ ଓ ଜମି ଆନ୍ଦୋଳନକାରୀଙ୍କ ଉପରେ ଅର୍ଦ୍ଧ ସାମରିକ ବାହିନୀ ଓ ପୁଲିସର ଦମନ, ଆଦିବାସୀ ମହିଳାଙ୍କ ଯବାନଙ୍କ ଦ୍ଵାରା ଧର୍ଷଣ ଓ ହିଂସା ଆମ ସମାଜରେ ବାରମ୍ବାର ଦେଖାଯାଇଛି। ଛତିଶଗଡ଼ ବିଜାପୁର ଘଟଣାରେ ୧୬ ଜଣ ଆଦିବାସୀ ମହିଳାଙ୍କ ଅଭିଯୋଗ ଉପରେ ଜାତୀୟ ମାନବିକ ଅଧିକାର କମିଶନ ନିଜେ ତଥ୍ୟ ଅନୁସନ୍ଧାନ କରିବା ପରେ ଏହି କେସ ଏବେ ରାୟପୁର ହାଇକୋର୍ଟରେ ବିଚାରାଧୀନ ଅଛି। ସେହିଭଳି ୱାକପାଲି ଧର୍ଷଣ ମାମଲାରେ (ଆନ୍ଧ୍ର ପ୍ରଦେଶ) ଏଗାର ଜଣ ଆଦିବାସୀ ମହିଳା ଗ୍ରେ ହାଉଣ୍ଡ ଯବାନଙ୍କ ବିପକ୍ଷରେ କରିଥିବା ଅଭିଯୋଗ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯାଇଛି। ଏପରି ଅପରାଧର କ୍ଵଚିତ ଘଟଣାକୁ ଛାଡ଼ିଦେଲେ କୌଣସି ସ୍ଥାନରେ ନ୍ୟାୟିକ ଯାଞ୍ଚ ହୁଏ ନାହିଁ।

ବହୁ ସମୟରେ ସରକାରଙ୍କ ନୀରବ ସମର୍ଥନ ଏନକାଉଣ୍ଟର ଓ ଦମନ ଲାଗି ସରକାରୀ ଯବାନଙ୍କୁ ପ୍ରୋତ୍ସାହିତ କରିଥାଏ। ସେହି ସମାନ କଥା ତେଲେଙ୍ଗନା ସରକାର କରିଥିଲେ। ସୁପ୍ରିମ କୋର୍ଟରେ ଦୋଷୀ ପୁଲିସ ଅଫିସରଙ୍କୁ ସୁରକ୍ଷା ଦେବା ସହିତ କମିଟି ରିପୋର୍ଟକୁ ସର୍ବସାଧାରଣ ନକରାଇବା ସପକ୍ଷରେ ସୁପ୍ରିମ କୋର୍ଟରେ ଯୁକ୍ତି କରିଥିଲେ। ‘ଦିଶା’ଙ୍କ ଗଣଧର୍ଷଣ ଓ ହତ୍ୟା ପଛରେ ସତରେ ଯେ ସେହି ଚାରି ଜଣଙ୍କର ଭୂମିକା ରହିଛି ତାହା ସମ୍ପର୍କରେ ରାଜ୍ୟ ସରକାର କୌଣସି ତଦନ୍ତ ମଧ୍ୟ ଏନକାଉଣ୍ଟର ପରେ କରିନଥିବା ଜଣାପଡୁଛି। ଅତୀତରେ ପ୍ରତ୍ୟେକ ଏନକାଉଣ୍ଟର କ୍ଷେତ୍ରରେ ଏହା ହୋଇଥାଏ। ‘ଅଭିଯୁକ୍ତ’ର ମୃତ୍ୟୁ ପରେ ସତରେ ସେ ଅପରାଧ କରିଥିଲା କି ନାହିଁ ତାହାର ଅନୁସନ୍ଧାନ ହୋଇନଥାଏ।

ଏହା ବିଡ଼ମ୍ବନା ଯେ ଓଡିଶା ସରକାରଙ୍କ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ହେଉ କିମ୍ବା ତେଲେଙ୍ଗାନା ସରକାରଙ୍କର ଏନକାଉଣ୍ଟର ପଛରେ ଥିବା ପୁଲିସ ଅଫିସରଙ୍କୁ ସୁରକ୍ଷା ଦେବା ହେଉ, ଉଭୟ ସ୍ଥାନରେ ସାଧାରଣ ଲୋକଙ୍କ ପୁଲିସ ଦ୍ଵାରା ହତ୍ୟା ଯଥାର୍ଥ ବୋଲି ଉଭୟ ନିର୍ବାଚିତ ସରକାର ପରୋକ୍ଷରେ ଆମକୁ ଜଣାଇଦେଲେ। ଏହା ଜଣାଶୁଣା କଥା ଯେ ଭୋଟ ପ୍ରକ୍ରିୟାରେ ସମାଜର ନିମ୍ନ ବର୍ଗ ଅଧିକ ସଂଖ୍ୟାରେ ଭାଗ ନେଉଥିବା କାରଣରୁ ସରକାର ଗଢୁଥିବା ଦଳ ନିର୍ବାଚନ ସମୟରେ ସେହି ସାଧାରଣ ବର୍ଗର ଭୋଟ ଉପରେ ଅଧିକ ନିର୍ଭର କରିଥାନ୍ତି। ଏହି ଅସଂଗଠିତ କ୍ଷେତ୍ର କିନ୍ତୁ ଏହା ପରେ ନିଜର ରାଜନୈତିକ ଗୁରୁତ୍ଵ ହରାଇଥାଏ।

ଦୁର୍ବଳ ବର୍ଗକୁ ଅପରାଧୀ ସଜାଇବା:

ସମାଜର ପ୍ରଭାବଶାଳୀ ବ୍ୟକ୍ତି ନିଜ ବିପକ୍ଷରେ ଦୁଷ୍କର୍ମ ଅଭିଯୋଗ ଆସିଲେ ଦାମିକିଆ ଓକିଲଙ୍କ ନିଯୁକ୍ତି ଦ୍ଵାରା ଜାମିନ ପାଉଛନ୍ତି। କାରଣ ସେଠାରେ ପୀଡ଼ିତା ଜଣକ ଗରିବ ଶ୍ରେଣୀର। ତାହାର ଚରିତ୍ର ନଚେତ ଉଦ୍ଦେଶ୍ୟ ସମ୍ପର୍କରେ ଅତି ଶୀଘ୍ର “ସନ୍ଦେହ” ତିଆରି କରିଦିଆଯାଇ ପାରୁଛି। (ହିନ୍ଦୀ ଚଳଚିତ୍ର ‘ପିଙ୍କ’ ଆଜି ଏହି ହେତୁ ଅଧିକ ଦର୍ଶକଙ୍କୁ ଟାଣିପାରିଛି।) ଏଠାରେ ମଧ୍ୟ ସେହି ଶ୍ରେଣୀ ମାନସିକତା କାମ କରୁଛି। ଏହି ହେତୁ ଜିଲ୍ଲା କୋର୍ଟରେ ଦୁର୍ବଳ ଅପରାଧୀକୁ ମୃତ୍ୟୁଦଣ୍ଡ ଶୁଣାଯାଉଥିଲା ବେଳେ ପ୍ରଭାବଶାଳୀ ଅପରାଧୀକୁ ଜେଲ ଦଣ୍ଡ (ଯଥା କଠୁଆ ଧର୍ଷଣ ଓ ହତ୍ୟା ମାମଲା) ଦିଆଯାଉଛି ଯାହା ହୁଏତ ପରବର୍ତ୍ତୀ କୋର୍ଟରେ କୋହଳ ମଧ୍ୟ ହୋଇଯାଇପାରେ, ଯାହା ମହାରାଷ୍ଟ୍ରର ଖରଲାଞ୍ଜି କ୍ଷେତ୍ରରେ ହେଲା। ଯେଉଁ ବିଳମ୍ବିତ ନ୍ୟାୟ କଥା କୁହାଯାଉଛି ବିଚାର ପ୍ରକ୍ରିୟାକୁ ବିଳମ୍ଭ କରାଇବା ପଛରେ ବହୁ ସମୟରେ ପୁଲିସ, ସରକାରୀ ସାକ୍ଷୀ ଓ ଓ ପବ୍ଲିକ ପ୍ରସିକ୍ୟୁଟରଙ୍କ ଭୂମିକା ରହୁଛି।

ଆମ ସମାଜର ଆଜି ଏକ ଭାବନା ଦୃଢୀଭୂତ ହେବାରେ ଲାଗିଛି ଯେ ସମାଜର ଗରିବ ଓ ଅଶିକ୍ଷିତ ଦିନ ମଜୁରିଆ ବର୍ଗ ସମସ୍ତେ ସମ୍ଭାବ୍ୟ ଅପରାଧୀ। ଏହି ବର୍ଗ ଭିତରେ ଡ୍ରାଇଭର, ହେଲପର, ମେକାନିକ, ଛୋଟ ବ୍ୟବସାୟୀ, ଅଟୋ ଡ୍ରାଇଭର, ପରିବା ଦୋକାନୀ ଇତ୍ୟାଦି ଆସୁଛନ୍ତି। ଏହି ମାନସିକତା ତିଆରି କରାଯାଉଛି ମୁଖ୍ୟତଃ ସହରୀ ମଧ୍ୟମବର୍ଗୀ ଦ୍ଵାରା ଯେଉଁମାନଙ୍କ ମଧ୍ୟରେ ହୁଏତ ଅଛନ୍ତି ଓକିଲ, ସାମ୍ବାଦିକ, ଚାକିରିଆ, ଡାକ୍ତର ଓ ଅନ୍ୟ ମଧ୍ୟମ ବର୍ଗ। ଏହା ଆମେ ଅନେକ ଅନେକ ଏନକାଉଣ୍ଟର ପଛରେ ଦେଖିଥାଉ। ଏହି ମାନସିକତାକୁ ବଢ଼ାଇବା ପଛରେ ଗଣମାଧ୍ୟମର ମଧ୍ୟ ଭୂମିକା ରହୁଛି। ସମାଜର ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତ ବର୍ଗ ବିଭିନ୍ନ ସରକାରୀ ଅନୁଷ୍ଠାନ ଓ ପୁଞ୍ଜିକ୍ଷେତ୍ରରେ ଉଚ୍ଚ ସ୍ଥାନରେ ରହିବା କାରଣରୁ ଜାତୀୟ ଅର୍ଥ ବ୍ୟବସ୍ଥାରେ ସେମାନେ ପ୍ରଭାବଶାଳୀ ହେଉଛନ୍ତି। ଅନ୍ୟପଟରେ, ନିମ୍ନ ବର୍ଗର ଯୋଗଦାନ ଜାତୀୟ ଅର୍ଥନୀତିରେ କମିବା କାରଣରୁ ସେମାନେ ଉଭୟ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ନିଷ୍ଫ୍ରଭ ହେବାରେ ଲାଗିଛନ୍ତି। କୌଣସି ସ୍ଥାନରେ ଚୋରୀ, ଡକାୟତ, ଧର୍ଷଣ ଓ ହତ୍ୟା ଘଟିଲେ ପୁଲିସ ଏହି ବର୍ଗର ଲୋକଙ୍କୁ ସହଜରେ ଉଠାଇ ନେଉଛି।

ପୁଲିସ ସଂସ୍କାର:

ପୁଲିସ ଔପନିବେଶିକ ମାନସିକତାଠାରୁ ମୁକ୍ତ ନୁହେଁ। ପୁଲିସର ଏହି ଚିନ୍ତାଧାରା ପଛରେ କାରଣ ହେଲା, ଆମେ ଯେତେ ଭାବୁଥିଲେ ବି ଯେ ଆମେ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ବ୍ୟବସ୍ଥା ମଧ୍ୟରେ ରହିଛେ ପ୍ରକୃତରେ ସେଭଳି ନୁହେଁ। ରାଷ୍ଟ୍ରର ଅନେକ ଅନୁଷ୍ଠାନ ମଧ୍ୟରେ ପୁଲିସ ଏକ ଅନୁଷ୍ଠାନ। ମାତ୍ର ସରକାରଙ୍କ ପଚାଶ ଭାଗରୁ ଅଧିକ କାର୍ଯ୍ୟ ପୁଲିସ କରିଥାଏ। କେଉଁଠି ପ୍ଳାଣ୍ଟ ହେବ, ଖଣି ଖୋଳାଯିବ, ନଦୀ ବାଲି ହଡ଼ପ ହେବ, ଜଙ୍ଗଲ କଟାଯିବ, ଶ୍ରମିକ ଓ ଶିକ୍ଷକ ସ୍ଥାୟୀ ହେବେ କି ନାହିଁ, ମନ୍ଦିର ତୋଳା ହେବ କି ନାହିଁ, ଦଙ୍ଗା କରାଯିବ କି ନାହିଁ ଓ ଦଙ୍ଗାକାରୀଙ୍କୁ ଗିରଫ କରାଯିବ କି ନାହିଁ, ନିଜ ବିରୋଧୀ ଓ ଭିନ୍ନମତଧାରୀଙ୍କ ପ୍ରତି କେଉଁ ଭଳି ବ୍ୟବହାର କରାଯିବ ଭଳି ଅନେକ ନିଷ୍ପତ୍ତି ପୁଲିସ ସରକାରୀ ଦଳର ଅନୁମୋଦନ କ୍ରମେ ନେଇଥାଏ। ଅପରାଧକୁ ରୋକିବା ଦିଗରେ ପୁଲିସ କେବଳ ସନ୍ଦେହ ଆଧାରରେ ଅନେକ ଲୋକଙ୍କୁ ଉଠାଇ ଆଣି ଥାର୍ଡ ଡିଗ୍ରୀ ପ୍ରୟୋଗ କରିଥାଏ, କାହାକୁ ଏନକାଉଣ୍ଟର କରିଥାଏ ନଚେତ ଏନକାଉଣ୍ଟର କରିଦେବାର ଧମକ ଦେଇ ଅଭିଯୁକ୍ତର ସ୍ଵୀକାର ନୋଟ ଲେଖାଇନେଇଥାଏ।

ପୁଲିସର ସଂସ୍କାର ଦିଗରେ ବେଶ କେତେକ କମିଟି ପ୍ରସ୍ତାବ ଦେଇଛନ୍ତି। ଶେଷତମ ଭାବରେ ଜଷ୍ଟିସ ମାଲିମାଥ କମିଟି (୨୦୦୩) ଭାରତୀୟ ଦଣ୍ଡ ସଂହିତା (IPC, 1860), କ୍ରିମିନାଲ ପ୍ରୋସିଜ୍ୟୋର କୋଡ଼ (CrPC,1973) ଓ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ (Indian Evidence Act, 1872) ଉପନିବେଶ ସମୟରୁ ଚାଲିଆସିଥିବା କାରଣରୁ ଏହାର ପରିବର୍ତ୍ତନ ଲାଗି ପ୍ରସ୍ତାବ ଦେଲେ। ତାହା କାର୍ଯ୍ୟକାରୀ ନହେବା କାରଣରୁ ୨୦୦୬ ମସିହାରେ ସୁପ୍ରିମ କୋର୍ଟ ମଧ୍ୟ ଏକ ନିର୍ଦ୍ଦେଶାବଳୀ ଜାରି କରି ପ୍ରତ୍ୟେକ ରାଜ୍ୟ ଓ ଜିଲ୍ଲାରେ ପୁଲିସ ଅଭିଯୋଗ ବିଭାଗ (Police Complaint Authority) ପ୍ରତିଷ୍ଠା, ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରରେ ରାଜ୍ୟ/ଜାତୀୟ ସୁରକ୍ଷା କମିଶନ ଗଠନ, ପୁଲିସ ବିଭାଗରେ ଅନୁସନ୍ଧାନ ଓ ଆଇନ ଶୃଙ୍ଖଳା କାର୍ଯ୍ୟକୁ ଦୁଇ ଭାଗ କରି ଅଲଗା ନିଯୁକ୍ତି ଦେବା ଆଦି କେତେକ ପ୍ରସ୍ତାବ ଦେଇଥିଲେ। କିନ୍ତୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସେମାନଙ୍କୁ ସୁହାଉଥିବା ପୁଲିସ ବ୍ୟବସ୍ଥା ଚାହୁଁଥିବା କାରଣରୁ ଆମେମାନେ ସର୍ବଦା ପୁଲିସ ଆକ୍ରୋଶର ଶିକାର ହୋଇଆସୁଛୁ।

ଆଗାମୀ ଦିନରେ ଯଦି ଲୋକଙ୍କ ଅତ୍ୟଧିକ ଚାପ ପଡ଼େ ଓ ଏହା ନିର୍ବାଚନ ପ୍ରସଙ୍ଗ ଯଦି କେବେ ହୁଏ ତେବେ ହୁଏତ ଆମେ କିଛି ପରିବର୍ତ୍ତନ ଆଶା କରିପାରିବା।

ଫୋନ: ୯୪୩୭୭୬୨୨୭୨