ପ୍ରବଳ ଅସନ୍ତୋଷ ସତ୍ତ୍ୱେ ବିଦ୍ରୋହ ନାହିଁ

ରବି ଦାସ ନିକଟରେ ରାଜ୍ୟସଭାର ୪ଟି ଆସନ ପାଇଁ ବିଜୁ ଜନତା ଦଳ ଯେଉଁ ଚାରିଜଣଙ୍କୁ ମନୋନୀତ କରିଛି ଓ ପ୍ରବଳ ଦାବି ସତ୍ତ୍ୱେ ଯେଉଁମାନଙ୍କୁ ଅଣଦେଖା କରାଯାଇଛି ତାହାକୁ ବିଶ୍ଳେଷଣ କଲେ ଗୋଟିଏ କଥା ସ୍ପଷ୍ଟ ଯେ, ବରିଷ୍ଠ ଓ ଅଭିଜ୍ଞ ନେତାମାନେ ଯେଉଁମାନେ କି ବିଜୁ ଜନତା ଦଳ ଗଠନରେ ପ୍ରମୁଖ ଭୂମିକା ନେଇଥିଲେ ସେମାନଙ୍କର ଆଉ ଦଳ ଉପରେ ବା ନେତାଙ୍କ ଉପରେ କୌଣସି ପ୍ରଭାବ ନାହିଁ। ପ୍ରସନ୍ନ ଆଚାର୍ଯ୍ୟ ବିଜୁ ଜନତା […]

BJD

Debendra Prusty
  • Published: Tuesday, 31 May 2022
  • , Updated: 31 May 2022, 02:54 PM IST
  • ରବି ଦାସ

ନିକଟରେ ରାଜ୍ୟସଭାର ୪ଟି ଆସନ ପାଇଁ ବିଜୁ ଜନତା ଦଳ ଯେଉଁ ଚାରିଜଣଙ୍କୁ ମନୋନୀତ କରିଛି ଓ ପ୍ରବଳ ଦାବି ସତ୍ତ୍ୱେ ଯେଉଁମାନଙ୍କୁ ଅଣଦେଖା କରାଯାଇଛି ତାହାକୁ ବିଶ୍ଳେଷଣ କଲେ ଗୋଟିଏ କଥା ସ୍ପଷ୍ଟ ଯେ, ବରିଷ୍ଠ ଓ ଅଭିଜ୍ଞ ନେତାମାନେ ଯେଉଁମାନେ କି ବିଜୁ ଜନତା ଦଳ ଗଠନରେ ପ୍ରମୁଖ ଭୂମିକା ନେଇଥିଲେ ସେମାନଙ୍କର ଆଉ ଦଳ ଉପରେ ବା ନେତାଙ୍କ ଉପରେ କୌଣସି ପ୍ରଭାବ ନାହିଁ।

ପ୍ରସନ୍ନ ଆଚାର୍ଯ୍ୟ ବିଜୁ ଜନତା ଦଳ ଗଠନ ସମୟରେ ପ୍ରଥମ ସେକ୍ରେଟାରୀ ଜେନେରାଲ୍ ଭାବରେ କାମ କରିଥିଲେ। କିନ୍ତୁ ଏଥର ରାଜ୍ୟସଭା ଆସନ ପାଇଁ ତାଙ୍କୁ ଦ୍ୱିତୀୟ ଥର ଟିକେଟ ଦିଆଗଲା ନାହିଁ। ପଶ୍ଚିମ ଓଡ଼ିଶାରେ ବିଜୁ ଜନତା ଦଳର ପ୍ରମୁଖ ନେତା ଥିବା ପ୍ରସନ୍ନ ଆଚାର୍ଯ୍ୟ ଯେତେ ଅସନ୍ତୁଷ୍ଟ ହେଲେ ମଧ୍ୟ ତାହା ପ୍ରକାଶ କରିବା ପାଇଁ ବା ବିଦ୍ରୋହ ସୃଷ୍ଟି କରିବା ପାଇଁ ତାଙ୍କ ନିକଟରେ ଶକ୍ତି ନାହିଁ। ପୂର୍ବରୁ ବିଜୁ ଜନତା ଦଳର ସୃଷ୍ଟି ସମୟରେ ଥିବା ସବୁନେତା ଏବେ ଦଳର ପ୍ରମୁଖ ଭାଗରେ କୌଣସିଠାରେ ନାହାନ୍ତି। ସେଥିପାଇଁ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଦୁଇ ଦୁଇ ଥର ତାଙ୍କ ନାମକୁ ରାଜ୍ୟସଭା ପାଇଁ ବିଚାରକୁ ନିଆଗଲା ନାହିଁ।

ସେହିପରି ବିଜୁ ଜନତା ଦଳ ଗଠନ ସମୟରେ ବିଧାୟକ ଭାବରେ କ୍ରମାଗତ ରହିଥିବା ଚ୍ୟାଉ ପଟ୍ଟନାୟକଙ୍କୁ ଗତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରାନଯାଇ ତାଙ୍କୁ ରାଜ୍ୟସଭା ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ତାଙ୍କ ନାମକୁ ବିଚାରକୁ ନିଆଗଲା ନାହିଁ। ରାଜ୍ୟସଭା ପଦ ହରାଇଥିବା ଏନ୍ ଭାସ୍କର ରାଓ ମଧ୍ୟ ଦକ୍ଷିଣ ଓଡ଼ିଶାରେ ବିଜୁ ଜନତା ଦଳର ଜଣେ ଅଗ୍ରଣୀ ନେତା ଭାବରେ କାମ କରୁଥିଲେ। ଏଥର ତାଙ୍କର ନାମକୁ ବିଚାରକୁ ନିଆଗଲା ନାହିଁ। ପ୍ରଫୁଲ୍ଲ ଘଡ଼େଇ ଦଳରେ ଥିଲେ ମଧ୍ୟ ତାଙ୍କର କୌଣସି ଦାୟିତ୍ୱ ନାହିଁ। ଦାମୋଦର ରାଉତ ଗତ ନିର୍ବାଚନରୁ ଦଳରେ ନାହାନ୍ତି। ସେହିପରି ବିଜେଡି ପ୍ରତିଷ୍ଠା ସମୟରେ ପ୍ରଥମରୁ ସକ୍ରିୟ ଥିବା ବୈଜୟନ୍ତ ପଣ୍ଡା ବିଜେଡିରୁ ବାହାରିଯାଇ ବିଜେପିର ଜାତୀୟ କର୍ମକର୍ତ୍ତା ହୋଇଛନ୍ତି। ଅନଙ୍ଗ ଉଦୟ ସିଂହଦେଓ ସଂପୂର୍ଣ୍ଣ ଅଣଦେଖା ହୋଇପଡ଼ିଛନ୍ତି।

ଏଥର ଯେଉଁମାନଙ୍କୁ ରାଜ୍ୟସଭାକୁ ମନୋନୀତ କରାଗଲା ସେଥିରେ ଆଦିବାସୀ ବର୍ଗର ପ୍ରତିନିଧି କୁହାଯାଉଥିବା ନିରଞ୍ଜନ ବିଶି ଅତି ନିକଟରେ ବିଜେଡିକୁ ଆସିଛନ୍ତି ଓ ତା ପୂର୍ବରୁ ବରାବର ବିଜେଡି ବିରୋଧରେ କାମ କରିଛନ୍ତି। ସସ୍ମିତ ପାତ୍ର ହିଁ କେବଳ ଦ୍ୱିତୀୟ ବାର ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି। ଦଳର ସଂଗଠନରେ ତାଙ୍କର ପ୍ରଭାବ ଅପେକ୍ଷା ଜଣେ ଭଲ ଦଳୀୟ ପ୍ରବକ୍ତା ଭାବରେ ସେ ପ୍ରତିଷ୍ଠା ଲାଭ କରିଛନ୍ତି। ସେ ସଂଖ୍ୟାଲଘୁ ସଂପ୍ରଦାୟ ସହିତ ଦଳିତ ସଂପ୍ରଦାୟରୁ ମଧ୍ୟ ପ୍ରତିନିଧିତ୍ୱ କରୁଛନ୍ତି ବୋଲି  କୁହାଯାଉଛି। ଆଉ ଦୁଇ ଜଣଙ୍କ ଭିତରୁ ଜଣେ ମହିଳା ସୁଲତା ଦେଓ ଦଳର ପ୍ରବକ୍ତା ଭାବରେ ନିଷ୍ଠାର ସହିତ କାମ କରିଥିବା କୁହାଯାଉଥିବା ସମୟରେ ମାନସ ମଙ୍ଗରାଜ ବିଜୁ ଜନତା ଦଳ ସହିତ ବିଳମ୍ବରେ ଜଡ଼ିତ ହୋଇଥିଲେ ମଧ୍ୟ ସରକାରଙ୍କ ମିଡିଆ ଆଡଭାଇଜର ଭାବରେ ଗତ ତିନି ବର୍ଷ ହେଲା କାମ କରିବା ପରେ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି।

ଏମାନେ ସମସ୍ତେ ଅପେକ୍ଷାକୃତ ଯୁବଗୋଷ୍ଠୀର ବୋଲି ବିଚାର କରାଯିବ। କାରଣ ଦଳର ପୁରୁଖା ସଦସ୍ୟମାନଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇ ଯେଉଁମାନଙ୍କ ନିୟନ୍ତ୍ରଣରେ ଏବେ ବିଜୁ ଜନତା ଦଳ ପରିଚାଳିତ ହେଉଛି ସେମାନେ ଯୁବଗୋଷ୍ଠୀର। ଏଥିରୁ ସଂଗଠନ ସଂପାଦକ ହୋଇଥିବା ପ୍ରଣବ ଦାସ ଏକ ଅଗ୍ରଣୀ ଭୂମିକାରେ ରହିଛନ୍ତି। ତେଣୁ ଏହି ଗୋଷ୍ଠୀ ସହିତ ଯେଉଁମାନେ ଖାପଖୁଆଇ ପାରିବେ ବା ସେମାନଙ୍କ ନିୟନ୍ତ୍ରଣ ସ୍ୱୀକାର କରିବେ ସେହିମାନଙ୍କୁ ଦଳରେ ବିଭିନ୍ନ ଦାୟିତ୍ୱ ଓ ପଦପଦବୀ ପାଇଁ ମନୋନୀତ କରାଯାଉଛି। ଏହି ଗୋଷ୍ଠୀର ଅସଲ ଶକ୍ତି ହେଉଛି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସହିତ ଜଡ଼ିତ କ୍ଷମତାଶାଳୀ ଅମଲା ଗୋଷ୍ଠୀ। ଏହି ଗୋଷ୍ଠୀ ହିଁ ଅଧିକାଂଶ ରାଜ୍ୟସଭା ମନୋନୟନ କାର୍ଯ୍ୟ କରିଛନ୍ତି। ପୂର୍ବରୁ ଏହି ଗୋଷ୍ଠୀ ହିଁ ଗତ ପୌର ନିର୍ବାଚନ ବା ମହାନଗର ନିର୍ବାଚନରେ ଅଧ୍ୟକ୍ଷ ମନୋନୟନ କରିବା ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଧ୍ୟକ୍ଷା ବାଛିବାରେ ପ୍ରମୁଖ ଭୂମିକା ନେଇଛନ୍ତି।

ନବୀନ ପଟ୍ଟନାୟକଙ୍କ ଶାସନର ପଂଚମ ପାଳିର ତୃତୀୟ ବର୍ଷ ପୂର୍ଣ୍ଣ ହୋଇଛି। ଅର୍ଥାତ୍ ନବୀନ ପଟ୍ଟନାୟକ ଗତ ୨୨ ବର୍ଷ ହେଲା ରାଜ୍ୟ ଶାସନର ମୁଖ୍ୟ ଭାବରେ କାମ କରୁଛନ୍ତି। କିନ୍ତୁ ଦେଖାଯାଉଛି ଏହି ଶାସନରେ ଓ ରାଜନୈତିକ ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀଙ୍କୁ ଘେରି ରହିଥିବା ଅମଲା ଗୋଷ୍ଠୀ ହିଁ ଶକ୍ତିଶାଳୀ ହୋଇଛନ୍ତି। ବିଜୁ ଜନତା ଦଳର ଜନାଧାର ବଢ଼ିଛି ଓ ଗତ ପଂଚାୟତ ଓ ପୌର ନିର୍ବାଚନରେ ପ୍ରମାଣିତ ହୋଇଛି ଯେ, ଏହି ଦଳ ଓଡ଼ିଶାର ସବୁ ଜିଲ୍ଲା ଓ ଅଂଚଳରେ ପ୍ରଭାବଶାଳୀ ଅବସ୍ଥାରେ ରହିଛି। କିନ୍ତୁ ଏହି ପ୍ରଭାବ ବୃଦ୍ଧିର ମୁଖ୍ୟ କାରଣ ସରକାରରେ କ୍ରମାଗତ ୨୨ ବର୍ଷ ରହିବା ଓ ସରକାରଙ୍କ ପ୍ରତ୍ୟେକଟି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅବଦାନ ବୋଲି ପ୍ରଚାରିତ ହେବା। ଦଳର ଶକ୍ତି ବୃଦ୍ଧିରେ ଅନ୍ୟ ଦଳମାନଙ୍କରେ ଯେଉଁମାନେ ବିରୋଧୀ ଭୂମିକା ନେଉଛନ୍ତି ସେମାନଙ୍କ ଭିତରୁ ପ୍ରତି ନିର୍ବାଚନରେ କେତେକ ନେତାଙ୍କୁ ଦଳକୁ ଅଣାଯାଉଛି। ଫଳରେ ବିଜୁ ଜନତା ଦଳର ମୂଳ ଚରିତ୍ର ଓ ସଂଗଠନର ଢାଚା ସଂପୂର୍ଣ୍ଣ ଭାବରେ ବ୍ୟକ୍ତିକୈନ୍ଦ୍ରିକ ହୋଇଯାଇଛି। ଏଣୁ ପୁରୁଖା ନେତାମାନଙ୍କର ଆବଶ୍ୟକତା ନଥିବା ପ୍ରତିବର୍ଷ ଧୀରେ ଧୀରେ ଉପଲବ୍ଧି ହେବାରୁ ଏବେ ସଂପୂର୍ଣ୍ଣ ଭାବରେ ପୁରୁଖା ନେତାମାନଙ୍କୁ ହଟାଇ ଦିଆଯାଉଛି।

୨୦୧୯ ନିର୍ବାଚନ ପୂର୍ବରୁ ୨୦୧୮ ମସିହାରେ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ପୂର୍ବଦିନ ଦଳରେ ଯୋଗଦେଇ ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ପରେ ଅଚ୍ୟୁତ ସାମନ୍ତ ୨୦୧୯ ଲୋକସଭା ନିର୍ବାଚନରେ ଲୋକସଭାରୁ ଓ ସୌମ୍ୟରଂଜନ ପଟ୍ଟନାୟକ ରାଜ୍ୟ ବିଧାନସଭାରୁ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିଲେ। ୨୦୧୪ ନିର୍ବାଚନ ପୂର୍ବରୁ ଯେପରି ଭାବରେ କଂଗ୍ରେସ ଦଳରୁ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ ଓ ଅନୁପ ସାଏଙ୍କୁ ଦଳକୁ ଅଣାଯାଇଥିଲା, ଠିକ୍ ସେହିପରି ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳରୁ ନବ ଦାସ ଓ ଯୋଗେଶ ସିଂଙ୍କୁ ଦଳକୁ ଅଣାଯାଇଥିଲା। ସେହିପରି ନିର୍ବାଚନର ବହୁ ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଗଞ୍ଜାମର ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ ଓ ବ୍ରହ୍ମପୁରର ପୁରୁଣା କଂଗ୍ରେସ ନେତା ବିକ୍ରମ ପଣ୍ଡାଙ୍କୁ ଦଳକୁ ଅଣାଯାଇଥିଲା। ନିକଟରେ କଂଗ୍ରେସର ଆଉ ଜଣେ କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ତଥା ଆଦିବାସୀ ନେତା ପ୍ରଦୀପ ମାଝୀଙ୍କୁ ମଧ୍ୟ ଦଳକୁ ଅଣାଯାଇଛି। ରାଜ୍ୟରେ କଂଗ୍ରେସର ଜନାଧାରର ଏକ ବଡ଼ ଅଂଶ ବିଜେପିକୁ ଯାଇଥିଲେ ମଧ୍ୟ ଅନେକ କଂଗ୍ରେସ ନେତା ବିଜେଡିରେ ଯୋଗଦେଇଛନ୍ତି। ଏହି କ୍ରମରେ ଦଳକୁ ମାତ୍ର ଦୁଇଦିନ ତଳେ ଆସିଥିବା ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ରାଜ୍ୟସଭାକୁ ମନୋନୀତ କରାଯିବା ୨୦୧୮ ପରି ଏକ ମାଷ୍ଟର ଷ୍ଟ୍ରୋକ୍ ବୋଲି କୁହାଯାଉଛି।

ଏହିସବୁ ପ୍ରାର୍ଥୀ ମନୋନୟନରେ ନବୀନ ପଟ୍ଟନାୟକଙ୍କୁ ଦଳର ନେତାମାନଙ୍କ ସହିତ ଆଲୋଚନା କରିବାର ଆବଶ୍ୟକତା ପଡ଼ୁନାହିଁ। ତାଙ୍କୁ ଘେରି ରହିଥିବା ଅମଲା ଗୋଷ୍ଠୀ ଯେଉଁସବୁ ନାମ ଉପସ୍ଥାପିତ କରିଛନ୍ତି ସେହିମାନଙ୍କୁ ଦଳର ରାଜ୍ୟସଭା ପ୍ରାର୍ଥୀ କରାଯାଇଛି। ଏଥର ରାଜ୍ୟସଭା ମନୋନୟନ ଜରିଆରେ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଦେଇଛନ୍ତି ଯେ, ଦଳରେ ପୁରୁଣା ପିଢ଼ିର ସଂପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି ଓ ନୂଆ ପିଢ଼ିଙ୍କ ଦ୍ୱାରା ଦଳ ଓ ସଂଗଠନ ପରିଚାଳିତ ହେବ। ଏହିପରି ଏକ ଅବସ୍ଥା ଦଳର ସଂଗଠନ ସଂପାଦକ ହୋଇଥିବା ପ୍ରଣବ ଦାସ ଓ ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସଭାଜନ ହୋଇ ଶାସନ ଚଳାଉଥିବା ଅମଲା ଗୋଷ୍ଠୀ ପାଇଁ ବେଶ୍ ସହାୟକ ହୋଇଛି। କାରଣ ଦଳ ଭିତରେ ଏପରି କୌଣସି ନେତା ନାହାନ୍ତି ଯିଏ କି ଦଳ ଓ ସରକାର ନେଇ ସିଧାସଳଖ ଭାବରେ ପ୍ରଶ୍ନ କରିପାରିବ। ଅଧିକାଂଶ ରାଜନେତା କ୍ୟାରିୟର ପାଇଁ ଆନୁଗତ୍ୟ ସ୍ୱୀକାର କରିବା ସବୁଠାରୁ ଉତ୍ତମ ରାସ୍ତା ବୋଲି ବିଚାର କରିଛନ୍ତି। ତେଣୁ ପୁରୁଣା ନେତାମାନେ ଯେତେ ଅସନ୍ତୁଷ୍ଟ ହେଲେ ମଧ୍ୟ ନେତୃତ୍ୱ ବିରୋଧରେ ବିଦ୍ରୋହ ଘୋଷଣା କରିପାରୁନାହାନ୍ତି।

ଅତୀତରେ ଯେଉଁ ପୁରୁଣା ନେତାମାନେ ବିଜୁ ପଟ୍ଟନାୟକଙ୍କ ସହିତ କାମ କରି ଯେଉଁ ଅଭିଜ୍ଞତା ପାଇଥିଲେ ତାହାକୁ ରାଜନୀତିରେ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିବାରୁ ଦଳରୁ ବିଦା ହୋଇଛନ୍ତି। ସେହିକ୍ରମରେ ପ୍ରଥମେ ବିଜୟ ମହାପାତ୍ର, ପରେ ନଳିନୀ ମହାନ୍ତି, ଦିଲ୍ଲୀପ ରାୟ, ରାମକୃଷ୍ଣ ପଟ୍ଟନାୟକ, ଶରତ କର ପ୍ରମୁଖ ଯେପରି ଦଳରୁ ବିଦା ହୋଇଥିଲେ ଓ ୨୦୧୨ରେ ଦଳର ମାର୍ଗଦର୍ଶକ କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ରଙ୍କୁ ଯେପରି ହଟାଇ ଦିଆଗଲା ତାହା ଅନେକଙ୍କୁ ଭୟଭୀତ କରିରଖିଛି। ୨୦୧୪ ନିର୍ବାଚନ ପରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ଯିଏକି ଦଳ ଗଠନ ସମୟରେ ଜଣେ ପ୍ରମୁଖ ନେତା ଥିଲେ ତାଙ୍କୁ ଦଳରୁ ଅଲଗା କରିବାର ଯେଉଁସବୁ କାର୍ଯ୍ୟକ୍ରମ ହୋଇଥିଲା ତାହା ଏବେବି ସମସ୍ତଙ୍କ ମନେଅଛି।

ଅତୀତରେ ଯେତେବେଳେ ବିଜୁ ପଟ୍ଟନାୟକ ୧୨୩ ଆସନ ସହିତ ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବରେ ଥିଲେ ସେତେବେଳେ ବି ଦଳ ଭିତରେ ଅସନ୍ତୋଷ ଓ ବିଦ୍ରୋହ ସୃଷ୍ଟି ହେଉଥିଲା। ଯଦିଓ ବିଜୁ ପଟ୍ଟନାୟକ ଏକଚାଟିଆ ଭାବରେ କୌଣସି କାମ ନକରି ଦଳର ନେତାମାନଙ୍କୁ ବିଶ୍ୱାସକୁ ନେଇ ସମସ୍ତ ନିଷ୍ପତି ନେଉଥିଲେ। କିନ୍ତୁ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ନେତାମାନେ ଗୌଣ ହୋଇଯାଇଥିଲେ ମଧ୍ୟ ତାଙ୍କ ବିରୋଧରେ ଦଳ ଭିତରୁ ବିଦ୍ରୋହର କୌଣସି ସୂଚନା ନାହିଁ। ବିରୋଧୀ ପକ୍ଷର ଦୁର୍ବଳତା ସହିତ ଦଳ ଭିତରୁ ବିଦ୍ରୋହ ସମ୍ଭାବନା ନଥିବାରୁ ପୁରୁଖା ନେତାମାନଙ୍କୁ ଏଡ଼ାଇ ଦିଆଗଲେ ମଧ୍ୟ କେହି ସ୍ୱର ଉଠାଇବା ସମ୍ଭବ ହେଉନାହିଁ।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

Related story