ସୁଧାଂଶୁ ରଞ୍ଜନ ଦାସ
ଓଡ଼ିଶାର ପ୍ରମୁଖ ସହରଗୁଡ଼ିକରେ ବର୍ଷାଜଳ ନିଷ୍କାସନ ପାଇଁ ଉତ୍ତମ ବ୍ୟବସ୍ଥା ନଥିବାରୁ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ହେବା ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କର ଧନ ଜୀବନ ବିପନ୍ନ ହେଉଛି। ଏବେ ନିକଟରେ ଏହି କାରଣରୁ ରାଜ୍ୟର ୨୦ଟି ଜିଲ୍ଲାର ୨୦.୪୬ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଥିବାର ଖବର ପ୍ରକାଶ ପାଇଛି। କଟକ, ଭୁବନେଶ୍ୱର ଓ ପୁରୀରେ ଅନେକ ବସ୍ତିବାସିନ୍ଦାଙ୍କ ଘରେ ପାଣି ପଶିବା ସଂଗେ ସଂଗେ ଓଡ଼ିଶାରେ ହଜାର ହଜାର ଏକର ଧାନଜମି ନଷ୍ଟ ହୋଇଛି ଓ ଗୋ ସମ୍ପଦର ମଧ୍ୟ ଅନେକ କ୍ଷତି ହୋଇଛି। କରୋନା ମହାମାରୀ ସମୟରେ ଏହି ମନୁଷ୍ୟକୃତ ବିପର୍ଯୟ ଏକ ଅକ୍ଷମଣୀୟ ଅପରାଧ ବୋଲି କୁହାଯିବ। ଓଡ଼ିଶାବାସୀ କୁହେଳିକାଘେରା ସ୍ମାର୍ଟ ସିଟିର ସ୍ୱପ୍ନ ନଦେଖି ସହରଗୁଡ଼ିକର ମୌଳିକ ସମସ୍ୟା କିଭଳି ଦୂର କରାଯାଇ ସହରଗୁଡ଼ିକୁ ଆର୍ଥିକ, ସାଂସ୍କୃତିକ, ଆଧ୍ୟାତ୍ମିକ ଓ ଶିକ୍ଷାର କେନ୍ଦ୍ରବିନ୍ଦୁ କରାଯାଇପାରିବ ସେଥିପାଇଁ ଚେଷ୍ଟା କରିବା ଉଚିତ।
ପ୍ରଥମେ ଓଡ଼ିଶା ସରକାର ଯେଉଁମାନେ ପୋଖରୀ, ନାଳ ଓ ନଈପଠା ପୋତି ଘର କରିବାକୁ ଲୋକଙ୍କୁ ଅନୁମତି ଦେଇଛନ୍ତି ସେମାନଙ୍କଠାରୁ କ୍ଷତିପୂରଣ ଆଦାୟ କରିବା ଉଚିତ। ବର୍ଷ ବର୍ଷ ଧରି ବିକାଶ ଅଧିକାରୀମାନେ ସରକାରଙ୍କୁ ବିକାଶର କୁହେଳିକା ଦେଖାଇ ଟିକସଦାତାଙ୍କ କୋଟି କୋଟି ଟଙ୍କା ବିକାଶର ବିକୃତିକରଣରେ ଖର୍ଚ୍ଚ କରିଛନ୍ତି ଯାହା ଫଳରେ ଏହି ବିକଟ ସମସ୍ୟା ସୃଷ୍ଟି ହୋଇଛି। ସହରଗୁଡ଼ିକରେ ବର୍ଷାଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାନଯାଇ ଶହ ଶହ ଆବାସ ଯୋଜନାକୁ ଅନୁମତି ଦିଆଯାଇଥିବାରୁ ଆଜି ଲୋକେ ପାଣି ଘେରରେ ଅଛନ୍ତି। ରାଜନୈତିକ ଦଳମାନେ ପରସ୍ପରକୁ ଦୋଷାରୋପ ନକରି ନିଜ ଭିତରେ ଥିବା ଅଳିଆ ଆବର୍ଜନାକୁ ନିଷ୍କାସିତ କରିବା ଦରକାର ଓ ଆଗକୁ ଏଭଳି ସମସ୍ୟା ଆଉ ହେବନାହିଁ ଏଥିପାଇଁ ଦୃଢ଼ ନିଶ୍ଚିତ ହୋଇ କାମକରିବା ଦରକାର। ସର୍ବଦା ସଜାଗ, କର୍ମଠ, ସାହସୀ, ସ୍ୱାଧୀନ ଚିନ୍ତାଧାରା ଓ ଓଡ଼ିଆ ବୋଲି ସ୍ୱାଭିମାନ ଥିବା ନେତୃତ୍ୱ ରାଜ୍ୟରେ ଯେକୌଣସି ବିପତ୍ତିକୁ ଆସିବାକୁ ଦେବନାହିଁ।
ସହରରେ ବର୍ଷାଯୋଗୁ ବନ୍ୟା ହେବାର ପ୍ରଧାନ କାରଣ ହେଲା ନାଳ ଓ ରାସ୍ତା କାମରେ ଖଇଚ୍ଚା ଓ ଆବର୍ଜନା। ପୋଖରୀ ଉପରେ ଅନେକ ଜାଗାରେ ଘର ନିର୍ମାଣ କରାଯାଇଥିବାରୁ ବର୍ଷାଜଳ ପୋଖରୀକୁ ଗଡ଼ି ନଯାଇ ରାସ୍ତା ଓ ନାଳ ବନ୍ୟା ସୃଷ୍ଟି କରିଥାଏ। କଟକର ଉପଗ୍ରହ ସହର ମହାନଦୀ ବିହାର ମହାନଦୀର ବଫର ଜୋନରେ ତିଆରି ହୋଇଥିବାରୁ ଏହା ପ୍ରବଳ ବର୍ଷା ହେଲେ ପାଣି ଭିତରେ ଉବୁଟୁବୁ ହୋଇଥାଏ। ମହାନଦୀ ବିହାରର ଛୋଟ ଛୋଟ ନାଳଗୁଡ଼ିକ ମାଷ୍ଟର ପ୍ଲାନ ଅନୁସାରେ ବଡ଼ନଳାରେ ପଡ଼ିବା ଜାଗାରେ ଏକ ପୋଖରୀରେ ପଡ଼ିଛି। ଯାହା ଫଳରେ ପୋଖରୀଟି ପ୍ରଦୂଷିତ ହେବା ସଂଗେ ସଂଗେ ବର୍ଷା ହେଲେ ଲୋକଙ୍କ ଘରେ ପାଣି ପଶି ଲୋକଙ୍କୁ ହନ୍ତସନ୍ତ କରିଦେଉଛି। ନିକଟରେ ହୋଇଥିବା ଭୀଷଣ ବର୍ଷାରେ ମହାନଦୀ ବିହାରର ଅଧିକାଂଶ ଲୋକଙ୍କ ପ୍ରଥମ ମହଲା ଘରେ ବର୍ଷା ଓ ନର୍ଦ୍ଦମା ପାଣି ପଶି ବସ୍ତିବାସିନ୍ଦାଙ୍କୁ ଅସୁସ୍ଥ କରିଦେଇଥିଲା। କଟକର ଗମ୍ମାଣ୍ଡିଆ-ଫ୍ରେଣ୍ଡ୍ସ କଲୋନୀ ଦେଇ ଯାଇଥିବା ୪୦ ଫୁଟ ଚୌଡ଼ାର ଏକ ଖୋଲା ନାଳ ଭରିଯିବାରୁ ବର୍ଷା ପାଣି ଓ ନାଳପାଣି ଏକାକାର ହୋଇଯାଇଛି। ଲୋକେ ଆଣ୍ଠୁଏ ଉପରେ ପାଣିରେ ପଶି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବାକୁ ଯାଉଥିବାର ଦେଖିବାକୁ ମିଳିଥିଲା। ସେହିଭଳି ମର୍କତ ନଗର କାଠଯୋଡ଼ି ପଠା ଉପରେ ତିଆରି ହୋଇଥିବାରୁ ଏହା ସବୁବେଳେ ବନ୍ୟା ପ୍ରପୀଡ଼ିତ ହେବାର ସମ୍ଭାବନା ଥାଏ। ଓଡ଼ିଶାର ପୁରାତନ ରଘୁନାଥଜୀଉ ରାମ ମନ୍ଦିର ପାର୍ଶ୍ୱରେ ଥିବା ଖୋଲା ନାଳରୁ ନର୍ଦ୍ଦମା ପାଣି ରାସ୍ତା ଉପରକୁ ଆସିବାରୁ ଅନେକ ଶ୍ରଦ୍ଧାଳୁ ମନ୍ଦିର ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କଟକରେ ଜାଇକା କାମ ବର୍ଷ ବର୍ଷ ଧରି ଚାଲୁଥିବାରୁ ବର୍ଷା ହେଲେ ଜାଇକା ପାଇଁ ଖୋଳା ହୋଇଥିବା ଗାତଗୁଡ଼ିକ ଅନେକ ଦୁର୍ଘଟଣାର କାରଣ ହୋଇଛି। ଭୁବନେଶ୍ୱରର ରସୁଲଗଡ଼ ମଧ୍ୟ କୁଆଖାଇ ନଈର ବଫର ଜୋନରେ ରହିଛି। ଭୁବନେଶ୍ୱରରେ ଅନେକ ନାଳ ଓ ପୋଖରୀ ଉପରେ ଘର କରିବାକୁ ଅନୁମତି ଦିଆଯାଇଛି। ଭୁବନେଶ୍ୱର, କଟକ ଓ ପୁରୀର ପରିପାର୍ଶ୍ୱରେ ହଜାର ହଜାର ଏକର ଉର୍ବର ଚାଷ ଜମି ଯେଉଁଗୁଡିକ ବର୍ଷାଦିନେ ଜଳ ନିଷ୍କାସନରେ ସହାୟକ ହୋଇଥାଏ ସେଗୁଡ଼ିକରେ ଶହ ଶହ ଆପାର୍ଟମେଣ୍ଟ ତିଆରି କରାଯାଇଥିବାରୁ ଏହା ପ୍ରବଳ ବର୍ଷା ହେଲେ ପାଣି ଘେରରେ ରହୁଛି। ଏଭଳି ବିକୃତ ବିକାଶ ଯେଭଳି ଆଗକୁ ନହୁଏ ସେଥିପାଇଁ ସରକାର ବୁଦ୍ଧିମତ୍ତା ଓ ରାଜନୈତିକ ଇଚ୍ଛା ଶକ୍ତି ଦେଖାଇବା ଦରକାର।
ଜନସଂଖ୍ୟା ବୃଦ୍ଧି ସହର ଗୁଡିକର ଇନ୍ଫ୍ରାଷ୍ଟ୍ରକଚର ନଷ୍ଟ କରିଦେଇଥାଏ। ସହରରେ ଥିବା ନଈ, ପୋଖରୀ, ଜଳାଶୟ, ଜଙ୍ଗଲ ଓ ଖୋଲା ଜାଗାଗୁଡ଼ିକ ଯେପରି ଆଗାମୀ ଦିନରେ ଜବର ଦଖଲ ନହୁଏ ସେଥିପାଇଁ ସରକାର ଧ୍ୟାନ ଦେବା ଉଚିତ। ସହର ଜନସଂଖ୍ୟା ବୃଦ୍ଧିକୁ ହ୍ରାସ କରିବା ପାଇଁ ସରକାର ତୁରନ୍ତ ଯୋଜନା ପ୍ରଣୟନ କରିବା ଉଚିତ। ସହରଗୁଡ଼ିକରେ ଅତ୍ୟଧିକ ଲୋକସଂଖ୍ୟା ହେବାରୁ ଘରର ଚାହିଦା ବଢ଼ି ବଢ଼ି ଚାଲିଛି। ଭାରତର ସମସ୍ତ ସହରରେ ଥିବା ଖୋଲା ଜାଗା, ଜଳାଶୟ, ଖେଳ ପଡ଼ିଆ ଓ ସବୁଜ ବଳୟ ଉପରେ ଘର କରି ଏହାକୁ ନଷ୍ଟ କରାଯାଇଛି। ଫଳରେ ସହର ଗୁଡ଼ିକ ମନୁଷ୍ୟ ରହିବା ଉପଯୋଗୀ ହେଉନାହିଁ। ଆଜି ଭାରତର ସମସ୍ତ ମେଟ୍ରୋ ନଗର ମନୁଷ୍ୟ ରହିଲା ଭଳି ନାହିଁ। ଦୁଇଦିନ ଲଗାଣ ବର୍ଷାହେଲେ ମୁମ୍ବାଇ, ଚେନ୍ନାଇ, ପୁନେ, ହାଇଦ୍ରାବାଦ ଓ ବାଙ୍ଗାଲୁରୁରେ ଜନଜୀବନ ଅସ୍ତ୍ୟବ୍ୟସ୍ତ ହୋଇଯାଏ। ଓଡ଼ିଶାର ପ୍ରମୁଖ ସହରଗୁଡ଼ିକୁ ଯଦି ସରକାର ବଞ୍ଚାଇବାକୁ ଚାହାନ୍ତି ତେବେ ଓଡ଼ିଶାର ଗାଁଗୁଡିକୁ ପ୍ରଥମେ ବିକଶିତ କରିବା ଉଚିତ।
ରୋଜଗାର, ଉତ୍ତମ ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ନଥିବାରୁ ଅନେକ ଗ୍ରାମବାସୀ ନିଜ ଭିଟା ମାଟି ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି। ଓଡ଼ିଶାର ପ୍ରତ୍ୟେକ ଗାଁରେ ଥିବା ଜଳଧନର ସୁରକ୍ଷା କରାଯାଇ ମାଛ ଚାଷ, ଫଳ ଚାଷ, ପନି ପରିବା ଚାଷ, ଔଷଧୀୟ ବୃକ୍ଷ ରୋପଣ ଓ ବିଭିନ୍ନ ପ୍ରକାର ଫସଲ ଇତ୍ୟାଦି କରାଯାଇ ପାରିଲେ ରୋଜଗାରର ସମ୍ଭାବନା ସୃଷ୍ଟି ହେବ। ଗ୍ରାମୀଣ ଉତ୍ପାଦକୁ ବିକି ଗାଁ ଲୋକେ କିଭଳି ଲାଭବାନ ହେବେ ସେଥିପାଇଁ ସରକାର ଓ ବୁଦ୍ଧିଜୀବୀ ଧ୍ୟାନ ଦେବା ଉଚିତ। ସରକାରଙ୍କ ସବସିଡି, ବ୍ୟାଙ୍କ ଋଣ ଓ ଅନ୍ୟାନ୍ୟ ସୁବିଧା ଯେପରି ବାଟମାରଣା ନହୁଏ ସେଥିପାଇଁ ସରକାର ଦୃଢ ପଦକ୍ଷେପ ନେବା ଉଚିତ। ଏହା ପୂର୍ବରୁ ଓଡ଼ିଶାରେ ଟଙ୍କିକିଆ ଚାଉଳ ଦ୍ୱାରା ତିଆରି ହୋଇଥିବା ଆଳସ୍ୟ ପାହାଡ଼କୁ ନଷ୍ଟ କରିବା ନିହାତି ଦରକାର। ଗ୍ରାମାଞ୍ଚଳରେ ଯଦି ରୋଜଗାର ସୃଷ୍ଟିହୁଏ ତେବେ ଲୋକେ ନିଜର ଜମି ଓ ଘର ଛାଡ଼ି ସହରମୁହାଁ ହେବେନାହିଁ। ଓଡ଼ିଶାର ଗାଁଗୁଡ଼ିକ ମନୁଷ୍ୟ ଉପଯୋଗୀ ହେଲେ ସହରଗୁଡ଼ିକ ମଧ୍ୟ ମନୁଷ୍ୟର ରହିବା ଉପଯୋଗୀ ହୋଇପାରିବ।
ଆଜି ଯେତେ ସଂଖ୍ୟାରେ ଲୋକେ ଗାଁ ଛାଡ଼ି ସହରକୁ ଆସୁଛନ୍ତି ସେମାନଙ୍କ ପାଇଁ ରହିବା ସୁବିଧା କରିବା ଅସମ୍ଭବ ହୋଇ ପଡ଼ିଛି। ସରକାର ଗାଁଗୁଡ଼ିକର ଉନ୍ନତି ନକରି ସହରରେ ଯେତେ ଇନ୍ଫ୍ରାଷ୍ଟ୍ରକଚର ତିଆରିକଲେ ଏହା ଗୋଦର ଗୋଡ଼ରେ ମାଂସ ଲାଗିଲା ଭଳି ହେବ। ଭବିଷ୍ୟତରେ ତିଆରି ହେବାକୁ ଯାଉଥବା ବ୍ୟୟବହୁଳ ଇନ୍ଫ୍ରାଷ୍ଟ୍ରକଚର ଗୁଡିକୁ ସରକାର ଯାଞ୍ଚ କରି ଏହା ଯଦି ଲୋକ ଉପଯୋଗୀ ନୁହେଁ ତେବେ ଏହାକୁ ତୁରନ୍ତ ରଦ୍ଦ କରିଦେବା ଉଚିତ। ଆଜି ଯଦି ଓଡ଼ିଶାର ନେତୃବୃନ୍ଦ ତାଙ୍କର ଜୀବନ ଶୈଳୀକୁ ବଦଳାଇ ରାଜ୍ୟର ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ବିକାଶରେ ମନଦେବେ ତେବେ ସେମାନେ ଏକ ସମୃଦ୍ଧ ଓଡ଼ିଶା ତିଆରି କରିପାରିବେ। ଏହାଦ୍ୱାରା ରାଜ୍ୟର ଶିକ୍ଷିତ ଓ କୁଶଳୀ ଯୁବପିଢ଼ି ଆଉ ବାହାର ରାଜ୍ୟ କିମ୍ବା ବିଦେଶକୁ ରୋଜଗାର ପାଇଁ ଯିବେ ନାହିଁ। ଓଡ଼ିଶାର ଜନସାଧାରଣଙ୍କୁ ଆଉ ବାର୍ଦ୍ଧକ୍ୟରେ ଏକ କୃତ୍ରିମ, ଅବହେଳିତ, ନିରାଶାଜନକ ଓ ପରିବାରଠାରୁ ବିଛିନ୍ନ ଓ ଅସହାୟ ଜୀବନ ବିତାଇବାକୁ ପଡ଼ିବ ନାହିଁ। ଜଗନ୍ନାଥ ଦେଶ ଓଡ଼ିଶାକୁ ନବକଳେବର ଦେବା ପାଇଁ ସମସ୍ତ ଓଡ଼ିଶାବାସୀ ଏକଜୁଟ ହୋଇ କାମ କରିବା ଦରକାର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।