- ପ୍ରଦୀପ ପ୍ରଧାନ
ଗତ ତା୧୦.୧୨.୨୦୨୧ରିଖରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଚିଠି କରାଯାଇ ଅନ୍ଲାଇନରେ ସୂଚନା ପାଇଁ ଆବେଦନ କରୁଥିବା ବ୍ୟକ୍ତିମାନଙ୍କଠାରୁ ଏହାର ହାର୍ଡ କପି ନ ମାଗିବା ପାଇଁ ପରାମର୍ଶ ଦିଆଯାଇଛି। ଅର୍ଥାତ୍ ଅନ୍-ଲାଇନରେ ସୂଚନା ପାଇଁ ଆବେଦନ କରୁଥିବା ବ୍ୟକ୍ତିମାନଙ୍କୁ ଏହାର ପ୍ରିଣ୍ଟ କପି ପ୍ରଦାନ କରିବାର ଯେଉଁ ବାଧ୍ୟତାମୂଳକ ବ୍ୟବସ୍ଥା ଥିଲା, ଏହାକୁ ରାଜ୍ୟ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ବର୍ତ୍ତମାନ ଅନ୍-ଲାଇନ୍ ଆବେଦନକାରୀଙ୍କୁ ପ୍ରିଣ୍ଟ କପି ବା ହାର୍ଡ କପି ପ୍ରଦାନ କରିବା ଆବଶ୍ୟକତା ନାହିଁ।
ସୂଚନା ଅଧିକାର ଆଇନର ଧାରା ୬(୧) ଅନୁଯାୟୀ, ସୂଚନା ପାଇବା ପାଇଁ ଯେକୌଣସି ଇଚ୍ଛୁକ ବ୍ୟକ୍ତି ଇଂରାଜୀ, ହିନ୍ଦୀ କିମ୍ବା ସ୍ଥାନୀୟ ଭାଷାରେ ଲିଖିତ ଆକାରରେ ବା ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ନିର୍ଦ୍ଧାରିତ ଫିସ୍ ଦେଇ ଯେକୌଣସି ଜନକର୍ତ୍ତୃପକ୍ଷଙ୍କ ଦପ୍ତରର ଜନସୂଚନା ଅଧିକାରୀଙ୍କୁ ଦରଖାସ୍ତ କରିବେ। ଏଠାରେ ସୂଚନାଯୋଗ୍ୟ ଯେ, ଆଇନରେ ସୂଚନା ପାଇଁ ଆବେଦନ ପାଇଁ କୌଣସି ଫର୍ମ ବ୍ୟବସ୍ଥା ବା ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା ନଥିବା ବେଳେ ରାଜ୍ୟ ସରକାର ଅତ୍ୟନ୍ତ ମନମୁଖୀ ଓ ବେଆଇନ ଭାବେ ଏକ ବାଧ୍ୟତାମୂଳକ ଫର୍ମ ବ୍ୟବସ୍ଥା ସହିତ ନାଗରିକତ୍ୱ ପ୍ରମାଣପତ୍ର ବ୍ୟବସ୍ଥା କରିଛନ୍ତି।
ସୂଚନା ଅଧିକାର ଆଇନର ଏହି ବ୍ୟବସ୍ଥା ଅନୁଯାୟୀ ସୂଚନା ଆବେଦନ ପ୍ରକ୍ରିୟାକୁ ଅତ୍ୟନ୍ତ ସରଳ ସହଜ ଓ ଫଳପ୍ରଦ କରିବା ପାଇଁ କେନ୍ଦ୍ର ସରକାରଙ୍କ ସମେତ କିଛି ରାଜ୍ୟ ସରକାର ଅନ୍-ଲାଇନ୍ ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ସରକାର ତାଙ୍କ ପୋର୍ଟାଲ www.rtionline.gov.in ରେ ଦରଖାସ୍ତକାରୀ ତାଙ୍କର ନାମ, ଠିକଣା, ଫୋନ୍ ନମ୍ବର ଇତ୍ୟାଦି ପ୍ରଦାନର ବ୍ୟବସ୍ଥା କରିଛନ୍ତି। ଥରେ ଏହି ସବୁ ତଥ୍ୟ ପ୍ରଦାନ କରିଦେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ପ୍ରଦାନ କରିବାକୁ ପଡ଼େନାହିଁ। ପୁଣି ଏହି ପୃଷ୍ଠାରେ ବିଭିନ୍ନ କେନ୍ଦ୍ର ସରକାରୀ ସଂସ୍ଥାଗୁଡ଼ିକର ତାଲିକା ଦେଖି ଯେଉଁ ସରକାରୀ କର୍ତ୍ତୃପକ୍ଷଙ୍କୁ ପଠାଇବା ସମୁଚିତ ତାହା ନିର୍ଦ୍ଦିଷ୍ଟ କରିହୁଏ। ତାପରେ ପୂର୍ବ ପ୍ରସ୍ତୁତ ସୂଚନା ଦରଖାସ୍ତର ପି.ଡି.ଏଫ୍. ଫାଇଲ୍ ଅପଲୋଡ୍ କରି ଅନ୍ଲାଇନରେ ସହଜରେ ଦାଖଲ କରିହୁଏ। ୧୦ ଟଙ୍କା ଫିସ୍ ନିଜର ଡେବିଟ୍ ବା କ୍ରେଡ଼ିଟ୍ କାର୍ଡ ବା ନେଟ୍ବ୍ୟାଙ୍କିଂ ଜରିଆରେ ଦାଖଲ କଲାପରେ ସ୍ୱତଃ ରେଜିଷ୍ଟ୍ରେସନ୍ ନମ୍ବର ସହିତ ତାରିଖ, ନାମ ଆଦି ଆସିଯାଏ। ସେତିକିରେ ସରକାରଙ୍କ ସମ୍ପୃକ୍ତ ବିଭାଗ ସୂଚନା ପ୍ରଦାନ କରନ୍ତି।
ଓଡ଼ିଶା ସରକାରଙ୍କ ଭଳି ଅନ୍ଲାଇନ୍ରେ ଦରଖାସ୍ତ ଦାଖଲ କଲାପରେ ପୁନଃ ତାହାକୁ ଛପେଇ ପଠେଇବାକୁ କୁହନ୍ତି ନାହିଁ। ପ୍ରଥମ ଅପିଲ ବ୍ୟବସ୍ଥା ମଧ୍ୟ ଏହିପରି, ଏହି ପୋର୍ଟାଲରେ ଉପଲବ୍ଧ। ବିନା କୌଣସି ଫିସ୍ରେ ଠିକ୍ ମାସ ପର ଅନ୍ଲାଇନ୍ରେ ପ୍ରଥମ ଅପିଲ ସହଜରେ ଦାଖଲ କରିହୁଏ। ଏହାଛଡ଼ା ପ୍ରତ୍ୟେକ ସ୍ତରରେ ନିଜର ଦେଇଥିବା ମୋବାଇଲ ନମ୍ବର ଏବଂ ଇମେଲ୍କୁ ମଧ୍ୟ ମେସେଜ୍ ଆସେ। କେନ୍ଦ୍ର ସରକାରଙ୍କ ପୋର୍ଟାଲରେ ପ୍ରତ୍ୟେକ ଦରଖାସ୍ତ, ଉତ୍ତର ଆଦି କ୍ରମାନ୍ୱୟରେ ଗୋଟିଏ ପୃଷ୍ଠାରେ ସୁରକ୍ଷିତ ରହିଥାଏ ଯାହାକି ଦରଖାସ୍ତକାରୀ ନିଜ ପାସ୍ୱାର୍ଡ଼ ବ୍ୟବହାର କରି ଯେକୌଣସି ସମୟରେ ଦେଖିପାରିବେ। ଏହି ପୋର୍ଟାଲଟି ନାଗରିକମାନଙ୍କ ପାଇଁ ଅତ୍ୟନ୍ତ ସହଜ, ସରଳ ଓ ବ୍ୟବହାରଯୋଗ୍ୟ ହୋଇପାରିଛି।
ଆମ ରାଜ୍ୟରେ ୨୦୧୪ ମସିହାରୁ ଆର୍.ଟି.ଆଇ. ଅନ୍-ଲାଇନ୍ ବ୍ୟବସ୍ଥା ( www.rtiodisha.in ) କରାଯାଇଛି। ଏହି ଅନ୍-ଲାଇନ୍ ବ୍ୟବସ୍ଥାରେ ଜଣେ ଆବେଦନକାରୀ ସୂଚନା ପାଇଁ ଆବେଦନ କଲାପରେ ଏହାର ପ୍ରିଣ୍ଟ ବା ହାର୍ଡ଼ କପି ନେଇ ପୁଣିଥରେ ଜନସୂଚନା ଅଧିକାରୀଙ୍କ ନିକଟରେ ଦାଖଲ କଲାପରେ ଦରଖାସ୍ତ ଗ୍ରହଣଯୋଗ୍ୟ ହୋଇପାରିବ। ଏହା ଏକ ଅଦ୍ଭୂତ ବ୍ୟବସ୍ଥା। ନାଗରିକମାନଙ୍କୁ କେବଳ ହଇରାଣ କରିବା ବା ଅନ୍-ଲାଇନ୍ ମାଧ୍ୟମରେ ଆବେଦନ କରିବା କରିବା ପାଇଁ ନିରୁତ୍ସାହିତ କରିବା ବୋଲି କୁହାଯାଇପାରେ। ରାଜ୍ୟ ସରକାରଙ୍କ ଏହି ଅଜବ ଅନ୍-ଲାଇନ୍ ବ୍ୟବସ୍ଥା ଯୋଗୁ ଅନେକ ଅନ୍ଲାଇନ୍ରେ ସୂଚନା ପାଁଇ ଆବେଦନ ନ କରି ପୋଷ୍ଟ ମାଧ୍ୟମରେ ଆବେଦନ ବ୍ୟବସ୍ଥାକୁ ଉଚିତ ମନେ କରି ଆସୁଛନ୍ତି। ରାଜ୍ୟ ସରକାରଙ୍କ ଏହି ତ୍ରୁଟିପୂର୍ଣ୍ଣ ଅନ୍-ଲାଇନ୍ ବ୍ୟବସ୍ଥା ବିରୁଦ୍ଧରେ ଅନେକ ବାର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହେବା ସହ ଏହାର ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି ହୋଇଛି। ଅନେକ ସୂଚନା ଅଧିକାର କର୍ମୀ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ସୂଚନା କମିଶନ ଏହିପରି ଏକ କେସ୍ ଅଭିଯୋଗ ସଂଖ୍ୟା ୪୨୩/୨୦୧୬ର ଶୁଣାଣି କରି ତା ୨୮.୦୧.୨୦୨୧ରିଖରେ ଏପରି ତୃଟିପୂର୍ଣ୍ଣ ଅନ୍-ଲାଇନ୍ ବ୍ୟବସ୍ଥା ଯଥା ହାର୍ଡ କପି ପଇଠ ବ୍ୟବସ୍ଥା ପ୍ରତ୍ୟାହାର ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ଅର୍ଡ଼ରରେ କମିଶନ୍ ଦର୍ଶାଇଥିଲେ ଯେ, “It needs to mention that the mode of online application has been evolved with a view to facilitate a simplified and cost effective procedure of application for information. Any complicacy or onerousness in such application would defeat the very purpose of the underlying object of the RTI Act. It is, therefore, desirable that the I.&P.R. Department who acts as Nodal Department in the State for implementation of the RTI Act should do the needful on priority basis to do a way with the difficulties and report compliance to the Registry of this Commission within two months from the date of receipt of a copy of this order.” ଅର୍ଥାତ୍ ସୂଚନା ପାଇଁ ଆବେଦନ ପ୍ରକ୍ରିୟା ସହଜ ଓ ସରଳ କରିବା ସହିତ ନାଗରିକମାନେ ଯେପରି ଅଧିକ ଖର୍ଚ୍ଚାନ୍ତ ନ ହେବେ, ସେଥିପାଇଁ ଏହି ଅନ୍-ଲାଇନ୍ ବ୍ୟବସ୍ଥା କରାଯାଇଛି। ଯଦି ଏହି ବ୍ୟବସ୍ଥା କଷ୍ଟସାଧ୍ୟ ହୁଏ ବା ଆବେଦନକାରୀ ଏହାଦ୍ୱାରା ହଇରାଣ ହୁଅନ୍ତି, ତେବେ ସୂଚନା ଅଧିକାର ଆଇନ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିବ ନାହିଁ। ତେଣୁ ଏହି ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥାରେ ତୁରନ୍ତ ପରିବର୍ତ୍ତନ ଅଣାଯିବା ଉଚିତ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଉଚିତ।
କମିଶନଙ୍କ ଏପରି ନିର୍ଦ୍ଦେଶ ସତ୍ତ୍ୱେ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ମାମଲା ହାଇକୋର୍ଟ ଯାଇଥିଲା। ମାନ୍ୟବର ହାଇକୋର୍ଟ ରିଟ୍ ପିଟିସନ୍ ସଂଖ୍ୟା ୧୮୬୦୩/୨୦୨୧ର ଶୁଣାଣି କରି ତା ୧୯.୦୭.୨୦୨୧ରିଖରେ ତୁରନ୍ତ ସୂଚନା କମିଶନଙ୍କ ଅର୍ଡ଼ରକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସୂଚନା କମିଶନଙ୍କ ଅର୍ଡ଼ର ପରେ ସୂଚନା ଅଧିକାରୀ କର୍ମୀ ତଥା ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଭବାନୀ ଶଙ୍କର ନନ୍ଦ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ଅଭିଯୋଗ କରିବା ସହ ହାର୍ଡ କପି ପ୍ରଦାନ ବ୍ୟବସ୍ଥା ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ଏହା ପରେ ତା ୦୩.୦୨.୨୦୨୧ରିଖରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏକ ଚିଠି ଦେଇ (IPR-RTI-COMPT0001/2020/1361) ଜଣାଇଲେ ଯେ ସମସ୍ତ ଜନ ସୂଚନା ଅଧିକାରମାନଙ୍କୁ ପ୍ରଶିକ୍ଷଣ ଦେଲାପରେ ହାର୍ଡ କପି ଦାଖଲ ବ୍ୟବସ୍ଥା ଉଠାଇ ଦିଆଯିବ।
ଯାହାହେଉ ହାଇକୋର୍ଟ ଓ କମିଶନଙ୍କ ନିର୍ଦ୍ଦେଶଶ ପରେ ରାଜ୍ୟ ସରକାର ରାଜ୍ୟର ସମସ୍ତ ପ୍ରାୟ ୫୦୦୦ ଜନସୂଚନା ଅଧିକାରୀ ଓ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କୁ ଅନ୍-ଲାଇନ୍ ଆବେଦନ ପରେ ହାର୍ଡ କପି ପ୍ରଦାନ ବ୍ୟବସ୍ଥାର ପ୍ରତ୍ୟାହାର ସମ୍ପର୍କରେ ତାଲିମ ଦେଇଥିଲେ। ବର୍ତ୍ତମାନ ରାଜ୍ୟରେ ଏହି ବ୍ୟବସ୍ଥାକୁ ପ୍ରତ୍ୟାହାର କରିଦିଆଯାଇଛି। ଏହାଦ୍ୱାରା ଅନ୍-ଲାଇନ୍ ଆବେଦନ ପ୍ରକ୍ରିୟା ସହଜ ହେବ ବୋଲି ଆଶା କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।