ସୁବ୍ରତ କୁମାର ନାୟକ
ତାରିଖ ୧୩ ଅକ୍ଟୋବର ୨୦୧୯, ସ୍ଥାନ ପାୱାର ହାଉସ୍ ଛକରୁ ଜୟଦେବ ବିହାର। ଦଶହରା ପରେ ହାଲକେଇ ପଶି ଆସିଥିବା ଶୀତ ସାଙ୍ଗକୁ ସଦ୍ୟ ଥମିଥିବା ବର୍ଷାର ଓଦା ଓଦା କାଲୁଆ ପବନ ରାସ୍ତାରେ ଲହଡ଼ି ଭାଙ୍ଗୁଥିଲା କିନ୍ତୁ ରାତିରେ ଶୂନଶାନ ରହୁଥିବା ଏହି ସ୍ଥାନ ଟିକେ ଗହଳି ଗହିଳ ଲାଗୁଥିଲା। ଶୀତୁଆ ପରିବେଶକୁ ଖାତିର ନ କରି ରାସ୍ତାକଡ଼ରେ ଶୋଇ ରହିଥିଲେ ସେନାରେ ଭର୍ତ୍ତି ହେବାର ସ୍ୱପ୍ନ ନେଇ ଆସିଥିବା ଆଶାୟୀ ପ୍ରାର୍ଥୀ। କେତେବେଳେ ସକାଳ ପାହିବ ଏବଂ ପରୀକ୍ଷାରେ ଭାଗନେବେ ତାକୁ ଅପେକ୍ଷା କରି ଏମାନେ କୌଣସି ମତେ ଶୋଇଯାଇଥିଲେ। ତେବେ ଏଭଳି ଦୃଶ୍ୟ ସୋଶାଲ ମିଡିଆକୁ ଆସିବା ପରେ ଏତେ ସଂଖ୍ୟାରେ ପରୀକ୍ଷାର୍ଥୀଙ୍କ ପାଇଁ ଭୁବନେଶ୍ୱରରେ କିଛି ବ୍ୟବସ୍ଥା ନ ହେବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ତେବେ ବିଭିନ୍ନ ବିବାଦ ପରେ ଭୁବନେଶ୍ୱର-କଟକ ପୁଲିସ୍ କମିଶନର୍ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ ଏଥିନେଇ ଚିନ୍ତାପ୍ରକଟ କରିବା ସହ କଳିଙ୍ଗ ଷ୍ଟାଡିଅମ୍ରେ ସେମାନଙ୍କ ରହିବା ବ୍ୟବସ୍ଥା ପାଇଁ ୧୦ ବାଟାଲିଅନ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିବା କହିଛନ୍ତି। ଏପରିକି କମିଶନର ଟ୍ୱିଟ୍ ଯୋଗେ ଜଣାଇଛନ୍ତି କିଛି ସ୍ୱେଚ୍ଛାସେବୀ ସଂଗଠନ ଏହି ଆଶାୟୀ ପ୍ରାର୍ଥୀଙ୍କ ଖାଦ୍ୟପେୟ ବ୍ୟବସ୍ଥା କରାଇଛନ୍ତି। ତେବେ ଏତେ ସବୁ ଚର୍ଚ୍ଚା ମଧ୍ୟରେ ବ୍ୟବସ୍ଥା ତ ନିଶ୍ଚୟ ଏକ ଦିଗ, କିନ୍ତୁ ଅନ୍ୟ ପାଶ୍ୱର୍ଟି ହେଲା ଏମାନଙ୍କ ସଂଖ୍ୟା। ଏହା ଆମକୁ ବୃଦ୍ଧିପାଉଥିବା ବେକାରୀ, ଅର୍ଥନୀତି ଏବଂ ନିଯୁକ୍ତି ସୃଷ୍ଟି ବାବଦରେ ଚିନ୍ତା କରିବାକୁ ବାଧ୍ୟ କରିଛି।
ଏମାନେ ଗତକାଲି କେବଳ ଜୟଦେବ ବିହାର ନିକଟରେ ନୁହେଁ, ମାଷ୍ଟରକ୍ୟାଣ୍ଟିନ୍ ଏବଂ ଅନ୍ୟ ସ୍ଥାନରେ ବ୍ୟାପକ ମାତ୍ରାରେ ଭିଡ଼ ଜମାଇଥିବା ପରେ ଜଣାପଡ଼ିଛି । ନିର୍ଦ୍ଦିଷ୍ଟ କିଛି ପଦବୀ ପାଇଁ ଏତେ ଆଶାୟୀଙ୍କ ସଂଖ୍ୟାକୁ ନେଇ ଯଦି ସମୀକ୍ଷା କରାଯାଏ, କୁହାଯାଇପାରିବ ଏଠାକାର ଦୃଶ୍ୟ ଥିଲା ଆଜି ଦିନର ଭାରତର ପ୍ରକୃତ ଚିତ୍ର। ଦେଶର ଅର୍ଥନୀତିକୁ ଯଦି ଏକ ସିନେମା ମନେ କରାଯାଏ ଏହାକୁ ଏକ ରକମ ଟ୍ରେଲର ବୋଲି କୁହାଯାଇପାରିବ। ଏହି ଟ୍ରେଲର ଦିନରେ ରଙ୍ଗିନ ଦିଶୁଥିଲେ ହେଁ ରାତିରେ ଏହାର କଳାଧଳା ଚିତ୍ରଟି ସାମ୍ନାକୁ ଆସିଛି।
ଦେଶର ଅର୍ଥନୀତିକ ସ୍ଥିତି ବର୍ତ୍ତମାନ ଉତ୍କଟ ସ୍ଥିତିରେ ପହଞ୍ଚିଥିବା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏବଂ ୱାର୍ଲ୍ଡ ବ୍ୟାଙ୍କ୍ ତଥ୍ୟ ଦେଇ ସାରିଛନ୍ତି। ଏପରିକି ଭାରତର ଆଗାମୀ ଦିନ ପାଇଁ କରିଥିବା ଆକଳନ ମଧ୍ୟ ନୈରାଶ୍ୟଜନକ। ଜିଡିପି ଅଭିବୃଦ୍ଧି ପୂର୍ବରୁ ୭.୫% ଆକଳନ କରାଯାଇଥିଲେ ମଧ୍ୟ ଏହା ବର୍ତ୍ତମାନ ୬%କୁ ଖସିଆସିଛି। ଜିଡିପିର ସଂଖ୍ୟା ଗଣିତ ଏବେ ଆରବିଆଇ ଗ୍ରାଫ୍ ନୁହେଁ ବରଂ ସର୍ବସାଧାରଣଙ୍କ ରାସ୍ତାକୁ ମଧ୍ୟ ଓହ୍ଲାଇବାରେ ଲାଗିଛି। ଅର୍ଥାତ ଅର୍ଥନୀତିର ଏହି ଦୁଃସ୍ଥିତି ସାଧାରଣ ଜୀବନକୁ ପ୍ରଭାବିତ କରିବା ମଧ୍ୟ ଆରମ୍ଭ କରିଛି। ଏହି ଜିଡିପି ସଂଖ୍ୟା ଏବଂ ବୃଦ୍ଧି ପାଉଥିବା ବେକାରୀର ଏକ ସୂକ୍ଷ୍ମ ସଂଯୋଗ ରହିଛି । ବିଭିନ୍ନ ସଂଗଠିତ ଶିଳ୍ପ କ୍ଷେତ୍ରର ବ୍ୟବସାୟ କ୍ରମାଗତ କମିବାରେ ଲାଗିଥିବାବେଳେ ଏହାର ପ୍ରଭାବରେ ଉତ୍ପାଦନ ମଧ୍ୟ କମିଛି । ଏପରିକି ନିଯୁକ୍ତି ଦିଗରୁ ଦେଖିଲେ ବିଭିନ୍ନ ଲୋକପ୍ରିୟ ସଂସ୍ଥାରୁ ଛଟେଇ ଆରମ୍ଭ ହୋଇଛି।
ପାଠକେ ନିଶ୍ଚୟ ମନେ ରଖିଥିବେ ଏକ ଦଶନ୍ଧି ତଳେ ପିଲାଙ୍କୁ ଇଞ୍ଜିନିୟର କରାଇବାର ସ୍ୱପ୍ନଟି କେତେ ଲୋକପ୍ରିୟ ଥିଲା। କିନ୍ତୁ ସମୟକ୍ରମେ ସ୍ଥିତି ଏଭଳି ହେଲା ଯେ, ମେକାନିକାଲ ଏବଂ ଅନ୍ୟ କ୍ଷେତ୍ରରେ ପାଠ ପଢ଼ିଥିବା ପିଲାଏ ସଫ୍ଟୱେର କ୍ଷେତ୍ରରେ କାମ କରିବାକୁ ବାଧ୍ୟ ହେଲେ। କେବଳ ନୂତନ ନିଯୁକ୍ତି ନୁହେଁ, ବହୁ ବର୍ଷ ଧରି ଅନ୍ୟ ଟ୍ରେଡ୍ରେ କାମ କରୁଥିବା ଏଭଳି ଇଞ୍ଜିନିୟରମାନେ ଆଇଟି କମ୍ପାନୀକୁ ନିଜ ନିଯୁକ୍ତି ସ୍ଥାନ ଭାବେ ବାଛିବାକୁ ବାଧ୍ୟ ହେଲେ। ସେମାନଙ୍କ ମୂଳ କ୍ଷେତ୍ରରେ ଲଗାତାର ଛଟେଇ ସେମାନଙ୍କୁ ଏପରି କରିବାକୁ ବାଧ୍ୟ କରିଥିଲା। ବିଶେଷ କରି ଅଟୋମୋବାଇଲ୍ କ୍ଷେତ୍ରରେ କାର୍ଯ୍ୟରତ ଏଭଳି ଇଞ୍ଜିନିୟରମାନେ ଏତଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ। ପରେ ଇଞ୍ଜିନିୟରିଂ ସାରି ବ୍ୟାଙ୍କ କ୍ଷେତ୍ରକୁ ପସନ୍ଦ କରିଥିବାର ଉଦାହରଣ ଆମ ପାଖରେ ଅଭାବ ନାହିଁ । ସେମାନେ ଏପରି କରିବା କ'ଣ ଏକ ପ୍ରକାରର ବାଧ୍ୟବାଧକତା ନୁହେଁ କି?
ଯଦି ଭାରତୀୟ ନିଯୁକ୍ତି ବ୍ୟବସ୍ଥାକୁ ଦେଖିବା, ଏଠାରେ ବର୍ଷସାରା ଦୁଇ ପ୍ରକାରର ନିଯୁକ୍ତି ଚାଲିଥାଏ । ତାହା ହେଉଛି ବ୍ୟାଙ୍କ କ୍ଷେତ୍ର ଏବଂ ସେନାବାହିନୀ ଓ ପୁଲିସ୍ ପରି ସୁରକ୍ଷା ସମ୍ୱନ୍ଧୀୟ କ୍ଷେତ୍। ଏତଦ୍ବ୍ୟତୀତ କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ସରକାରୀ ପଦବୀ, ଯାହାର ପଦବୀ ସଂଖ୍ୟା ଏବଂ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଜାଣିଲେ ଯେକେହି ଆଶ୍ଚର୍ଯ୍ୟ ହେବ। ଥରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଏପରି ଆଶାତୀତ ହୋଇଥିଲା ଯେ କଟକର ବାରବାଟୀ ଷ୍ଟାଡିଅମ୍ରେ ପରୀକ୍ଷା କରାଇବାକୁ ପଡ଼ିଥିଲା। ସମସ୍ୟା ତ ନିଶ୍ଚୟ ବୃହତ୍। ଏହାର ସମାଧାନ ପାଇଁ ଦାୟିତ୍ୱ ନିଭାଉଥିବା ସରକାର (ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର) କେତେଦୂର ଏଥିପ୍ରତି ସଚେତନ ଓ ଏହାର ସମାଧାନ ପାଇଁ କେତେଦୂର କାର୍ଯ୍ୟରତ, ତାକୁ ନେଇ ସର୍ବଧାରଣରେ ପ୍ରଶ୍ନ ଉଠିଛି ଏବଂ ଉଠିବା ମଧ୍ୟ ସ୍ୱାଭାବିକ।
ଓଡ଼ିଶାରେ ରହିଥିବା ବିଭିନ୍ନ ସୁଯୋଗ ମଧ୍ୟରେ ଆଜିର ଦିନରେ ପ୍ରମୁଖ ଦୁଇଟି କ୍ଷେତ୍ର ହେଉଛି ଆଇଟି ଏବଂ ଦ୍ୱିତୀୟଟି ହେଉଛି ବୟନ । ଓଡ଼ିଶାରୁ ଶହ ଶହ ଯୁବକ ଯୁବତୀ ବେଙ୍ଗାଲୁରୁ ପରି ସହରରେ କାର୍ଯ୍ୟରତ ଅଛନ୍ତି। ଓଡ଼ିଶାରେ ମଧ୍ୟ ଏପରି କମ୍ପାନୀଙ୍କୁ ସୁଯୋଗ ଦେଇ ରାଜଧାନୀ ଭୁବନେଶ୍ୱର ଓ ଅନ୍ୟ ସହରକୁ ଆଇଟି ହବ୍ କରାଇ ହେବ । ଏଥିପାଇଁ ନା କଞ୍ଚାମାଲ ଦରକାର ନା ନିକଟରେ ମାର୍କେଟ୍। ଏହାର ପରିସର ସମ୍ପୂର୍ଣ୍ଣ ଡିଜିଟାଲ ହୋଇଥିବାରୁ ଏପରି ହେବାରେ କିଛି ଅସୁବିଧା ନାହିଁ । ଜମି ଅଧିଗ୍ରହଣ କିମ୍ୱା ପରିବେଶ ଅନୁମତି ବି ଲୋଡ଼ା ନାହିଁ । ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ କରି ଏବଂ ବିଭିନ୍ନ ମେଟ୍ରୋ ସିଟିରେ ରଙ୍ଗିନ୍ ନିବେଶକ ସମ୍ମିଳନୀ କରିସାରିଥିଲେ ମଧ୍ୟ ଏହାର ଭବିଷ୍ୟତ କ’ଣ ହେଲା କାହାରିକୁ ଜଣାନାହିଁ । ଏପରିକି ନିର୍ବାଚନ ଆଗରୁ ନିବେଶ ପାଇଁ ବିଶେଷ କରି ଷ୍ଟାର୍ଟଅପ୍ କମ୍ପାନୀମାନଙ୍କ ପାଇଁ ସିଙ୍ଗିଲ୍ ୱିଣ୍ଡୋ ବ୍ୟବସ୍ଥା କରି ବ୍ୟାପକ ନିବେଶ ହେବ ବୋଲି ବାହାଦୁରି ମରାଯାଇଥିଲା। କିନ୍ତୁ ନିର୍ବାଚନ ସରିବା ପରେ ଏସବୁ ଆଉ ଚର୍ଚ୍ଚାରେ ନାହିଁ।
ଗତ ୨ ଦଶନ୍ଧିରେ ପୂର୍ଣ୍ଣ ବହୁମତ ସହ ସ୍ଥିର ସରକାର ଥାଇ ମଧ୍ୟ ଓଡ଼ିଆ ଯୁବକ ଯୁବତୀଙ୍କ ନିଯୁକ୍ତି ଆଶା ପୂରଣ କରିବା ପାଇଁ ନିଜ ରାଜ୍ୟରେ ସେଭଳି କିଛି ସୁଯୋଗ ନ ରହିବା ଚିନ୍ତାର କାରଣ ନିଶ୍ଚୟ। ନିଯୁକ୍ତି ଆଶାରେ ଯୁବକମାନେ ଭୁବନେଶ୍ୱରର ରାସ୍ତାକଡ଼ରେ ଏତେ ସଂଖ୍ୟାରେ ବିଶ୍ରାମ ନେବାପରେ ଗତକାଲି ଉକ୍ରଟ ହେଉଥିବା ବେକାରୀ ସମସ୍ୟା ସାମ୍ନାକୁ ଆସିଲା । କିନ୍ତୁ ଏହି ସଂଖ୍ୟା ଆଖିକୁ ଯାହା ଦିଶୁଛି, ବାସ୍ତବ କ୍ଷେତ୍ରରେ ଏହାର ସଂଖ୍ୟା ଆହୁରି ଢେର ଅଧିକ। ବ୍ୟାଙ୍କିଙ୍ଗ ଏବଂ ଅନ୍ୟ ସରକାରୀ ନିଯୁକ୍ତି ଆଶା ନେଇ ରାଜଧାନୀ ଭୁବନେଶ୍ୱରରେ ସଂଘର୍ଷରତ ଯୁବକ ଯୁବତୀଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ।
ପ୍ଲସ୍ ୩ରେ ଉତ୍ତୀର୍ଣ୍ଣ ହେବାପରେ ସେମାନଙ୍କ ନିକଟରେ ଗୋଟିଏ ବିକଳ୍ପ ରହିଛି ଭୁବନେଶ୍ୱର ଆସି ଏସବୁ ନିଯୁକ୍ତି ପାଇଁ ପ୍ରଶିକ୍ଷଣ ନେବା। କିନ୍ତୁ ସେମାନେ ଜାଣିନଥା'ନ୍ତି ଏହି ସଂଘର୍ଷର ଆରମ୍ଭ ତ ଅଛି, ଶେଷ ନାହିଁ। ହାତଗଣତି ପଦବୀରେ ନିଯୁକ୍ତି ଆବଶ୍ୟକ ଥିବାରୁ ଅନ୍ୟମାନେ କିଛି ବର୍ଷପରେ ଅନ୍ୟ କିଛି ପନ୍ଥା ବାଛି ନିଅନ୍ତି ନୁହେଁ ବରଂ ବାଛିବା ପାଇଁ ବାଧ୍ୟ ହୁଅନ୍ତି। ନଚେତ୍ ମୋଟା ଦରମାର ଭଲ ନିଯୁକ୍ତି ଅପେକ୍ଷାରେ ଅପେକ୍ଷାରେ ନିଜ ବୟସ ସାରିଦିଅନ୍ତି। ଯେଉଁ ବୟସରେ ସେମାନେ ସ୍ୱାବଲମ୍ୱୀ ହୋଇ କିଛି ନିଜ ପାଇଁ କରିପାରିଥା'ନ୍ତେ ସେହି ବୟସରେ ସେମାନେ ଚାକିରି ଅପେକ୍ଷାରେ ବସି ରହୁଛନ୍ତି। ଏହାର ବଡ଼ କାରଣ ହେଉଛି କର୍ମନିଯୁକ୍ତି ସୁରକ୍ଷା ସରକାରୀ ଚାକିରିରେ ଯେତିକି ରହିଛି, ଘରୋଇ କ୍ଷେତ୍ରରେ ତହା ଗୌଣ। ଏଥିପାଇଁ ସମାଜରେ ସରକାରୀ ଚାକିରି ପାଇଁ ଏକ ସ୍ୱତନ୍ତ୍ର ଦୁର୍ବଳତା ରହିଛି। ତେବେ ଏହି ପରିସରରେ ସଂଖ୍ୟା ଦୃଷ୍ଟିରୁ ସର୍ବସାଧାରଣ ଆଶାୟୀଙ୍କ ପାଇଁ ସୁଯୋଗ ଯଥେଷ୍ଟ କମ୍ ରହିଥିବାରୁ ଭବିଷ୍ୟତରେ ଏହି ଟ୍ରେଣ୍ଡ ବଦଳିବା ନିଶ୍ଚିତ। ତେବେ ନିଯୁକ୍ତି ସୃଷ୍ଟି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିଜଆଡ଼ୁ ପଦକ୍ଷେପ ନେବାକୁ ହେବ।
ଗତ କିଛି ଦିନ ତଳେ ରବି ଶଙ୍କର ପ୍ରସାଦ କହିଥିଲେ, ଦଶହରା ସମୟରେ ୩ଟି ଫିଲ୍ମ ଯଦି ୧୦୦ କୋଟି ଅତିକ୍ରମ କରିପାରୁଛି ତା'ହେଲେ ଦେଶର ଅର୍ଥନୀତି ମାନ୍ଦା ଅଛି କେମିତି କହିପାରିବା। କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ଦେଶର ଅର୍ଥନୀତିରେ ମାନ୍ଦା ଅବସ୍ଥା ଜନିତ ସମସ୍ୟା କିଛି ନଥାଇ ପାରେ କିନ୍ତୁ ଅସଲ ସମସ୍ୟାଟି ମନ୍ତ୍ରୀ କହିଥିବା ବାକ୍ୟରେ ହିଁ ରହିଛି । ବାସ୍ତବ କଥା ହେଉଛି କେନ୍ଦ୍ର ମନ୍ତ୍ରୀ ବା କିଛି ନିର୍ଦ୍ଦିଷ୍ଟ ଉଚ୍ଚପଦାଧିକାରୀଙ୍କ ସମେତ ଆମେମାନେ ବି ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତି ବା ଗୋଷ୍ଠୀଙ୍କ ଉନ୍ନତିରେ ଦେଶ ବା ସାରା ଜଗତର ଉନ୍ନତି ବୋଲି ଭାବିନେଉଛୁ । ସେଭଳି ମାନସିକତା ଜାରି ରହିଲେ, କେନ୍ଦ୍ରରେ କ୍ଷମତାସୀନ ବିଜେପିର ‘ସବ୍କା ସାଥ୍ ସବ୍କା ବିକାଶ' ନାରା ଲଜ୍ଜିତ ହେବନି ତ? ଠିକ୍ ସେହିଭଳି ଯୋଜନା ପରେ ଯୋଜନା ସତ୍ତ୍ୱେ ବେକାରୀ ସମସ୍ୟା ପ୍ରତି ଆଖି ବୁଜିଦେଇଥିବା ରାଜ୍ୟ ସରକାରଙ୍କ ଆତ୍ମନିଯୁକ୍ତିର ନାରାବାଜି ଏକ ବିଫଳ ପ୍ରୟାସ ନୁହେଁ ତ?