ରବି ଦାସ
ଓଡ଼ିଶାରେ ବିଧାୟକ ଓ ସାଂସଦମାନଙ୍କ ସହିତ ସରକାରୀ ଅଧିକାରୀଙ୍କର ବ୍ୟବହାର ନେଇ ବିଭିନ୍ନ ସମୟରେ ବହୁ ଅଭିଯୋଗ ଆସିବା ପରେ ୨୦୦୫ ମସିହାରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟର ସବୁ ସଚିବ, ଆରଡିସି, ସବୁ ବିଭାଗର ମୁଖ୍ୟ ଓ ଜିଲ୍ଳାପାଳମାନଙ୍କୁ ଏକ ନିର୍ଦ୍ଦେଶନାମା ବା ଗାଇଡଲାଇନ୍ ପ୍ରଦାନ କରାଯାଇଥିଲା, ଯାହାକୁ ବୁକ୍ ସର୍କୁଲାର ୪୭ ବୋଲି କୁହାଯାଉଛି। ଏହି ସର୍କୁଲାରରେ ସରକାରୀ ଅଧିକାରୀମାନେ ବିଧାୟକ ଓ ସାଂସଦମାନଙ୍କ ସହିତ କିପରି ଆଚରଣ କରିବେ ଓ ଭଦ୍ରୋଚିତ ବ୍ୟବହାର କରିବେ ସେ ସଂପର୍କରେ ବିସ୍ତୃତ ନିର୍ଦ୍ଦେଶ ଦିଆଯାଇଛି। ମନେରଖିବାକୁ ହେବ ଯେ, ଏହା ଏକ ଆଇନ ନୁହେଁ। ଏହି ନିର୍ଦ୍ଦେଶନାମାରେ ବିଧାୟକ ଓ ସାଂସଦ ସରକାରୀ ଅଧିକାରୀମାନଙ୍କ ସହିତ କିପରି ବ୍ୟବହାର କରିବେ ତାହା ଉଲ୍ଲେଖ ନାହିଁ।
ବାସ୍ତବିକ ସାଧାରଣ ବ୍ୟବସ୍ଥା ଦୃଷ୍ଟିରୁ ଯେକୌଣସି ନାଗରିକ ସରକାରୀ ଅଧିକାରୀଙ୍କ ପାଖକୁ କୌଣସି ବିଷୟରେ ଖବର ଜାଣିବା ପାଇଁ ବା ଆପତ୍ତି କରିବା ପାଇଁ ଯିବା ସମୟରେ ସେହି ନାଗରିକଙ୍କ ପ୍ରତି ମଧ୍ୟ ସରକାରୀ ଅଧିକାରୀ ଭଦ୍ରୋଚିତ ବ୍ୟବହାର କରିବା ସହିତ ନାଗରିକଙ୍କ ପକ୍ଷରୁ ପଚରାଯାଉଥିବା ପ୍ରଶ୍ନର ଉତ୍ତର ଦେବାକଥା। ଯଦି ନାଗରିକଙ୍କର କୌଣସି ଆପତ୍ତି ଥାଏ ତେବେ ସେହି ଆପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ କରିବା ବା କେବେ କାର୍ଯ୍ୟାନୁଷ୍ଠାନ କରାଯାଇପାରିବ ବା ସଂପୃକ୍ତ ଆପତ୍ତି ଶୁଣାଯାଇପାରିବ ନାହିଁ ବୋଲି ଅଧିକାରୀ ଜଣକ ଜଣାଇବେ। କାରଣ ସରକାରୀ ଅଧିକାରୀମାନେ ସାଧାରଣ ଟିକସରେ ଦରମା ନେଉଥିବାରୁ ଜନସାଧାରଣ ବସ୍ତୁତଃ ସେମାନଙ୍କର ମାଲିକ। ଜନସାଧାରଣଙ୍କର ପ୍ରତିନିଧି ଭାବରେ ସରକାରରେ ବସିଥିବା ମନ୍ତ୍ରୀମାନଙ୍କ ନିକଟରେ ସେମାନେ ଉତ୍ତରଦାୟୀ ହେଲେ ମଧ୍ୟ ନାଗରିକମାନଙ୍କ ସେବା କରିବା ପାଇଁ ସେମାନେ ଉଦ୍ଦିଷ୍ଟ ଥିବାରୁ ନାଗରିକମାନଙ୍କର ଅଭିଯୋଗ ବା ଆପତ୍ତି ସେମାନେ ଶୁଣିବା ଆବଶ୍ୟକ। ଲୋକମାନଙ୍କର ନିର୍ବାଚିତ ପ୍ରତିନିଧି ଭାବରେ ବିଧାୟକ ଓ ସାଂସଦମାନେ ସରକାରୀ କାର୍ଯ୍ୟକଳାପ ବା ନୀତିଗୁଡ଼ିକ ଠିକ୍ ଭାବରେ ଲୋକଙ୍କ ନିକଟରେ ପହଁଚୁଛି ନା ନାହିଁ ତାହା ଜାଣିବା ପାଇଁ ସରକାରୀ ଅଧିକାରୀମାନଙ୍କ ପାଖକୁ ବାରମ୍ବାର ଆସିବେ। ଯଦିଓ ଏହି ଲୋକପ୍ରତିନିଧିମାନଙ୍କ ନିକଟରେ ସରକାରୀ ଅଧିକାରୀମାନେ ସିଧାସଳଖ ଉତ୍ତରଦାୟୀ ନୁହଁନ୍ତି ବୋଲି କହିପାରନ୍ତି।
ବିଧାୟକ ବା ସାଂସଦଙ୍କର ଯଦି କୌଣସି ବିଷୟରେ କିଛି ଆପତ୍ତି ଥାଏ ବା ଅଭିଯୋଗ ଥାଏ ତେବେ ସେ ବିଧାନସଭା ବା ସଂସଦରେ ପ୍ରଶ୍ନ ଉଠାଇଲେ ମନ୍ତ୍ରୀମାନେ ଏହି ସରକାରୀ ଅଧିକାରୀମାନଙ୍କ ଠାରୁ ତଥ୍ୟ ଆଣି ବିଧାୟକ ଓ ସାଂସଦମାନଙ୍କୁ ପ୍ରଦାନ କରିଥାନ୍ତି। କିନ୍ତୁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାଧାରଣ ନାଗରିକଟିଏ ବିଧାୟକ ବା ସାଂସଦଙ୍କୁ ଭୋଟଦେଇ ନିର୍ବାଚିତ କରିଥିବାରୁ ସେମାନଙ୍କର ଅଭିଯୋଗ ଓ ଅସନ୍ତୋଷ ସେମାନେ ସାଂସଦ ଓ ବିଧୟକଙ୍କ ନିକଟରେ ପ୍ରକାଶ କରନ୍ତି। ସେତେବେଳେ ବିଧାୟକ ବା ସାଂସଦ ସଂପୃକ୍ତ ଅଧିକାରୀଙ୍କ ପାଖକୁ ଯାଇ ଲୋକମାନଙ୍କର ଅସନ୍ତୋଷ ସହିତ ସେମାନଙ୍କର ଅନୁସନ୍ଧାନରୁ ମିଳିଥିବା ତଥ୍ୟ ପ୍ରଦାନ କରନ୍ତି। ଏହି କାରଣରୁ ବିଧାୟକ ଓ ସାଂସଦମାନଙ୍କର ସରକାରୀ ଅଧିକାରୀମାନଙ୍କ ସହିତ ବାରମ୍ବାର ସାକ୍ଷାତ ଆଲୋଚନା ହେବା ସ୍ୱାଭାବିକ। କିନ୍ତୁ ଏହିସବୁ ଆଲୋଚନା ଯେପରି ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଓ ଲୋକପ୍ରତିନିଧିଙ୍କୁ ସମ୍ମାନ ଜଣାଇ କରାଯାଇପାରିବ ସେଥିପାଇଁ ବୁକ୍ ସର୍କୁଲାର ୪୭ରେ ସମସ୍ତ ବିଷୟ ଉଲ୍ଲେଖ କରାଯାଇଛି। ବିଧାୟକ ଓ ସାଂସଦମାନଙ୍କର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଥିବା ଦାୟିତ୍ୱପୂର୍ଣ୍ଣ କର୍ତବ୍ୟ ବିଷୟ ସର୍କୁଲାରରେ ଉଲ୍ଲେଖ କରାଯାଇଛି।
ବିଧାୟକ ଓ ସାଂସଦମାନଙ୍କ ସହିତ ବ୍ୟବହାର ସଂପର୍କରେ ଅଧିକାରୀଙ୍କ କର୍ତ୍ତବ୍ୟ ସଂପର୍କରେ ୫ଟି ଦିଗ ଉଲ୍ଲେଖ କରାଯାଇଛି। ପ୍ରଥମଟି ହେଲା ଏମାନଙ୍କ ପ୍ରତି ପ୍ରତ୍ୟେକ ଅଧିକାରୀ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ କଥାବାର୍ତ୍ତା କରିବେ ଓ ଏକଛତ୍ରବାଦୀ ମନୋବୃତ୍ତି ପ୍ରକାଶ କରିବେ ନାହିଁ। ଏଥିରେ ଦ୍ୱିତୀୟରେ କୁହାଯାଇଛି ଯେ, ବିଧାୟକ ଓ ସାଂସଦ ଲୋକମାନଙ୍କ ପ୍ରତି ସେମାନଙ୍କର କର୍ତବ୍ୟ ପାଳନ ସମୟରେ ପ୍ରତ୍ୟେକ ସରକାରୀ ଅଧିକାରୀ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାର ସେମାନଙ୍କର ଦାୟିତ୍ୱ ଭାବରେ ବିଚାର କରାଯିବ। ତୃତୀୟରେ କୁହାଯାଇଛି ଯେତେବେଳେ ଜଣେ ବିଧାୟକ ବା ସାଂସଦ ଜଣେ ସରକାରୀ ଅଧିକାରୀଙ୍କ ପାଖକୁ ସାକ୍ଷାତ ପାଇଁ ଆସିବା ସମୟରେ ସରକାରୀ ଅଧିକାରୀ ଛିଡ଼ା ହୋଇ ତାଙ୍କୁ ସ୍ୱାଗତ କରିବେ। ସେହିପରି ସେ କାମସାରି ବିଦାୟ ନେବା ସମୟରେ ଅଧିକାରୀଜଣକ ତାଙ୍କୁ ସେହିପରି ସମ୍ମାନର ସହିତ ବିଦାୟ ଦେବେ। ଚତୁର୍ଥରେ କୁହାଯାଇଛି ଯେ, ସବ୍ଡିଭିଜନ ସ୍ତରରେ ଓ ଜିଲ୍ଲାସ୍ତରରେ ଥିବା ଅଧିକାରୀମାନେ ପ୍ରତ୍ୟେକ ଦିନ ଏକ ନିର୍ଦ୍ଦିଷ୍ଟ ସମୟ ବିଧାୟକ ଓ ସାଂସଦଙ୍କ ସାକ୍ଷାତ ପାଇଁ ସ୍ଥିର କରିବା ଦରକାର। ଯଦି କାର୍ଯ୍ୟବ୍ୟସ୍ତତା ଯୋଗୁ ସେହି ସମୟରେ ସାକ୍ଷାତ ନହୁଏ ତେବେ ଅନ୍ୟ ଏକ ସମୟ ସ୍ଥିରକରି ସାକ୍ଷାତ ପାଇଁ ସମୟ ଦେବା ଉଚିତ। ପଂଚମରେ କୁହାଯାଇଛି ଯେ, ଜଣେ ବିଧାୟକ ବା ସାଂସଦ ସାଧାରଣରେ ଗୁରୁତ୍ୱ ଥିବା କୌଣସି ପ୍ରସଙ୍ଗରେ ପ୍ରଶ୍ନ ପଚାରିଲେ ସେଗୁଡ଼ିକ ଯଦି ଗୋପନୀୟ ଓ ପ୍ରକାଶଯୋଗ୍ୟ ହୋଇନଥାଏ ତେବେ ସେଗୁଡ଼ିକ ବିଧାୟକ ଓ ସାଂସଦଙ୍କୁ ଯୋଗାଇଦିଆଯିବା ଉଚିତ। ଯେଉଁ ପ୍ରସଙ୍ଗରେ ସନ୍ଦେହ ରହିଛି ସେ ସଂକ୍ରାନ୍ତରେ ଉପରିସ୍ଥ ଅଧିକାରୀଙ୍କୁ ପଚାରି ଉତ୍ତର ଦିଆଯିବା ଉଚିତ। ଯେଉଁ ପ୍ରସଙ୍ଗ ବିଚାରାଧୀନ ଅଛି ବା ତଦନ୍ତ ପରିସରଭୁକ୍ତ ଅଛି ସେଗୁଡ଼ିକର ଉତର ଦିଆଯାଇପାରିବ ନାହିଁ ବୋଲି ଅତ୍ୟନ୍ତ ଭଦ୍ର ଭାବରେ ଜଣାଇ ଦିଆଯିବା ଉଚିତ। ଏହି ସର୍କୁଲାରକୁ ନମାନିଲେ ବା ଅବଜ୍ଞା କଲେ କୌଣସି ଦଣ୍ଡମୂଳକ ବ୍ୟବସ୍ଥା ଉଲ୍ଲେଖ ନାହିଁ। କାରଣ ଏଥିପାଇଁ ସେମାନଙ୍କ ଚାକିରି ସର୍ତ୍ତାବଳୀରେ କିଛି ପରିବତ୍ତନ ଆବଶ୍ୟକ। ଏଣୁ ବୁକ୍ ସର୍କୁଲାର ୪୭ ସତ୍ତ୍ୱେ ବିଧାୟକ ଓ ସାଂସଦମାନଙ୍କ ସହିତ ସରକାରୀ ଅଧିକାରୀମାନଙ୍କର ବିବାଦ, ମୁକାବିଲା, ଯୁକ୍ତିତର୍କ, ଏପରିକି ମାଡ଼ ମରାମରି ପର୍ଯ୍ୟନ୍ତ କଥା ଯାଉଛି।
ନିକଟରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ସହିତ ବିଡିଓଙ୍କର ମୁକାବିଲା ଫଳରେ ଥାନାରେ ଦୁଇଟି ଏତଲା ଦିଆଗଲା। ବିଡିଓଙ୍କ ଅଭିଯୋଗ ଉପରେ ବିଧାୟକଙ୍କୁ ଗିରଫ କରି ଜେଲ୍ ପଠାଇ ଦିଆଯାଇଛି। କିନ୍ତୁ ବିଧାୟକଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ସେହିପରି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ ପାପଡ଼ାହାଣ୍ଡି ବିଡିଓଙ୍କ ରାସ୍ତା ଉପରେ ସମସ୍ତଙ୍କ ସମ୍ମୁଖରେ କଥା କଟାକଟିର ଦୃଶ୍ୟ ରାଜ୍ୟବାସୀ ଦେଖିଛନ୍ତି। ଦେବଗଡ଼ ବିଧାୟକଙ୍କ ଉପରେ ମାଡ଼ ହୋଇଥିବାର ଡାକ୍ତରୀ ପରୀକ୍ଷା ରିପୋର୍ଟ ଅଣାଯାଇଥିବା ବେଳେ ପାପଡ଼ାହାଣ୍ଡି ବିଡିଓ ଜଣେ ମହିଳା ଓ ଦଳିତ ସଂପ୍ରଦାୟ ହୋଇଥିବାରୁ ପରିସ୍ଥିତି ଭିନ୍ନ ରୂପ ନେଇଛି। ଉଭୟ ବିଡିଓଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ କରାଯାଇଛି। ବାସ୍ତବରେ ରାଜ୍ୟରେ ସରକାରୀ ଅଧିକାରୀମାନଙ୍କର ଦୁର୍ନୀତି ଚରମସୀମାରେ ପହଁଚିଛି। ଯେଉଁ ସରକାରୀ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ଚଢ଼ଉ ହେଉଛି ସେ ଯେଉଁସ୍ତରର ଅଧିକାରୀ ହୋଇଥାନ୍ତୁ ନା କାହିଁକି ତାଙ୍କ ନାମରେ କୋଟି କୋଟି ଟଙ୍କାର ସମ୍ପତି ଓ ବହୁ ପରିମାଣର ପ୍ଲଟ ଓ କୋଠାବାଡ଼ି ରହିଥିବା ଧରାପଡ଼ୁଛି। ପୂର୍ବରୁ ଜଣେ ଆସିଷ୍ଟାଣ୍ଟ ଇଂଜିନିୟରଙ୍କ ଘରେ ଚଢ଼ଉ ସମୟରେ ୭ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ବାହାରିବା ସହିତ ଘରବାଡ଼ି ଓ ସୁନା ଅଳଙ୍କାର ଦେଖି ଭିଜିଲାନ୍ସ ତାଜୁବ ହୋଇଯାଇଥିଲା। ଗତ ୧୫ଦିନ ଭିତରେ ଭୁବନେଶ୍ୱର ନିକଟସ୍ଥ ଏକ ପଂଚାୟତର ଜଣେ ଗ୍ରାମ ରୋଜଗାର ସେବକଙ୍କ ଘରେ ଚଢ଼ଉ ବେଳେ ତାଙ୍କ ପାଖରେ ଅନ୍ୟାନ୍ୟ ସମ୍ପତି ସହ ୫୯ଟି ପ୍ଲଟ ଠାବ ହୋଇଥିବା ବେଳେ ସେହି ଅଂଚଳର ଜଣେ ପ୍ରାଣୀଧନ ନିରୀକ୍ଷକଙ୍କ ଘରେ ଚଢ଼ଉ ବେଳେ ୯୧ଟି ପ୍ଲଟ୍ ତାଙ୍କ ପାଖରେ ଥିବା ଜଣାପଡ଼ିଛି।
ସରକାରୀ ଦଳର ବିଧାୟକମାନେ ସବୁ ବିଭାଗର ଦୁର୍ନୀତିଗ୍ରସ୍ତ ଅଫିସରଙ୍କଠାରୁ କିଛି ଅଂଶ ପାଇବାରେ ସୁଯୋଗ ଥିବାରୁ ସେମାନେ ଲୋକମାନଙ୍କ ସମସ୍ୟା ନେଇ ସରକାରୀ ଅଧିକାରୀ ଉପରେ ଅସନ୍ତୋଷ ବ୍ୟକ୍ତ କରୁଥିଲେ ମଧ୍ୟ ମାରପିଟ୍ ପାଇଁ କମ୍ ସୁଯୋଗ ରହୁଛି। କିନ୍ତୁ ବିରୋଧୀ ଦଳ ବିଧାୟକ ଓ ସାଂସଦମାନେ ଲୋକମାନଙ୍କର ଅସନ୍ତୋଷ ବ୍ୟକ୍ତ କରିବା ସମୟରେ ସରକାରୀ ଅଧିକାରୀ ସେଥିପ୍ରତି କର୍ଣ୍ଣପାତ ନକଲେ ବା ଏଡ଼ାଇଯିବାର ଉଦ୍ୟମ କଲେ ସେମାନଙ୍କୁ ଅଧିକାରୀମାନଙ୍କର ମୁକାବିଲା କରିବାକୁ ପଡ଼ୁଛି। କେନ୍ଦ୍ରମନ୍ତ୍ରୀ ତଥା ମୟୂରଭଂଜ ସାଂସଦ ବିଶ୍ୱେଶର ଟୁଡୁ, ବିଧାୟକ ସୁବାସ ପାଣିଗ୍ରାହୀ ଓ ଏପରିକି ତାରା ବାହିନୀପତିଙ୍କ କ୍ଷେତ୍ରରେ ତାହା ହିଁ ହୋଇଛି। ସରକାରୀ ଦଳର ବିଧାୟକମାନଙ୍କ ବିରୋଧରେ ମଧ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ପାଟଣାଗଡ଼ ବିଧାୟକ ସରୋଜ ମେହେର, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ବାଣପୁର ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଉଦାହରଣ ଦିଆଯାଉଛି। କିନ୍ତୁ ବିରୋଧୀ ଦଳ ବିଧାୟକମାନଙ୍କର ସରକାରୀ ଅଧିକାରୀମାନଙ୍କର ଦୁର୍ନୀତି ଓ ଲୋକମାନଙ୍କର କାମ ସବୁ ନହେବା ନେଇ ଯେମିତି ଖୋଲାଖୋଲି ଅଭିଯୋଗ ରହିଛି ସରକାରୀ ଦଳର ସଦସ୍ୟମାନେ ସେପରି ଅଭିଯୋଗ କରୁନାହାନ୍ତି। ସରକାରୀ ଅଧିକାରୀମାନେ କୌଣସି କାମ କରନ୍ତୁ ବା ନକରନ୍ତୁ ଯଦି ସାଂସଦ ଓ ବିଧାୟକମାନଙ୍କୁ ବୁକ୍ ସର୍କୁଲାର ୪୭ ଅନୁସାରେ ବ୍ୟବହାର ପ୍ରଦର୍ଶନ କରୁଥାନ୍ତେ ଓ ସେମାନେ ପଚାରୁଥିବା ପ୍ରଶ୍ନଗୁଡ଼ିକର ଭଦ୍ରତା ସହକାରେ ଉତର ଦେଉଥାନ୍ତେ ତେବେ ଅନେକଗୁଡ଼ିଏ ବିବାଦକୁ ଏଡ଼ାଯାଇପାରନ୍ତା। ଯେହେତୁ ରାଜ୍ୟରେ ଗୋଟିଏ ଦଳର ଓ ଜଣେ ମୁଖ୍ୟମନ୍ତ୍ରୀଙ୍କ ଶାସନ ୨୨ ବର୍ଷ ହେଲା ଚାଲିଛି ଏବଂ ଏକ ଧାରା ସୃଷ୍ଟିହୋଇଛି ଯେ, ଶାସକ ଦଳର ସୁପ୍ରିମୋ ଯାହାକୁ ମନୋନୀତ କରିବେ ସେ ସରକାରୀ କଳ ସାହାଯ୍ୟରେ ନିର୍ବାଚିତ ହୋଇଯିବ, ତେଣୁ ସରକାରୀ ଅଧିକାରୀମାନଙ୍କର ବିଧାୟକ ଓ ସାଂସଦଙ୍କ ପ୍ରତି ସମ୍ମାନ ଓ ଭୟ କମିଯାଇଛି। ତେଣୁ ବୁକ୍ ସର୍କୁଲାର ୪୭ର ବାସ୍ତବରେ କୌଣସି ଅର୍ଥ ରହୁନାହିଁ।
ବରିଷ୍ଠ ସାମ୍ବାଦିକ
ମୋ- ୮୦୧୮୦୯୪୪୫୫