Advertisment

ଢିଙ୍କିଆରେ ଶାନ୍ତି ଭଙ୍ଗ କରୁଛି ପୁଲିସ୍!

ରବି ଦାସ ଜଗତସିଂହପୁର ଜିଲ୍ଲାର ଢିଙ୍କିଆ ଅଂଚଳରେ ଯେଉଁଠାରେ ପୋସ୍କୋ ଚାଲିଯିବା ପରେ ଜିନ୍ଦଲର ଇସ୍ପାତ, ସିମେଂଟ ଓ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ବ୍ୟବସ୍ଥା ଚାଲିଛି, ସେଠାରେ ପରିବେଶ ମଂଜୁରୀ ମିଳିନଥିବା ସମୟରେ ଏହି ପ୍ରକଳ୍ପକୁ ନିଜର ଜୀବିକା ଓ ଜୀବନ ପାଇଁ ବିରୋଧ କରୁଥିବା ଢିଙ୍କିଆବାସୀଙ୍କ ଉପରେ ପୁଲିସ ଲଗାତାର ଭାବରେ ଚଢ଼ଉ କରୁଛି। ଢିଙ୍କିଆର ଅଧିବାସୀମାନେ ପାନବରଜ ଉପରେ ନିର୍ଭର କରି ପୁରୁଷ ପୁରୁଷ ଧରି ଚଳିଆସୁଥିବା ସମୟରେ ଶିଳ୍ପ ନାମରେ ଏହିସବୁ ବରଜକୁ […]

author-image
Debendra Prusty
ଅଦ୍ୟତନ ହୋଇଛି
ପୁଲିସ୍ ଯଦି ଷଡ଼ଯନ୍ତ୍ରକାରୀ ହୁଏ...

dhinkia

  • ରବି ଦାସ

ଜଗତସିଂହପୁର ଜିଲ୍ଲାର ଢିଙ୍କିଆ ଅଂଚଳରେ ଯେଉଁଠାରେ ପୋସ୍କୋ ଚାଲିଯିବା ପରେ ଜିନ୍ଦଲର ଇସ୍ପାତ, ସିମେଂଟ ଓ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ବ୍ୟବସ୍ଥା ଚାଲିଛି, ସେଠାରେ ପରିବେଶ ମଂଜୁରୀ ମିଳିନଥିବା ସମୟରେ ଏହି ପ୍ରକଳ୍ପକୁ ନିଜର ଜୀବିକା ଓ ଜୀବନ ପାଇଁ ବିରୋଧ କରୁଥିବା ଢିଙ୍କିଆବାସୀଙ୍କ ଉପରେ ପୁଲିସ ଲଗାତାର ଭାବରେ ଚଢ଼ଉ କରୁଛି। ଢିଙ୍କିଆର ଅଧିବାସୀମାନେ ପାନବରଜ ଉପରେ ନିର୍ଭର କରି ପୁରୁଷ ପୁରୁଷ ଧରି ଚଳିଆସୁଥିବା ସମୟରେ ଶିଳ୍ପ ନାମରେ ଏହିସବୁ ବରଜକୁ ଭାଙ୍ଗିବା ପାଇଁ ଓ ପାଖରେ ଥିବା ଜଙ୍ଗଲକୁ ସଫା କରିବା ପାଇଁ ପୁଲିସ ଉଦ୍ୟମ ଚଳାଇଥିବାରୁ ଜୀବିକା ପାଇଁ ଢିଙ୍କିଆବାସୀ ଏକଜୁଟ୍ ହୋଇଥିଲେ। କିନ୍ତୁ ସେମାନଙ୍କୁ ଦୁର୍ବଳ କରିବା ପାଇଁ ପ୍ରାୟ ମାସକରୁ ଊର୍ଦ୍ଧ୍ୱ ସମୟ ହେଲା ବ୍ୟାପକ ପରିମାଣରେ ପୁଲିସ ଗାଁକୁ ଘେରି ରହି ଏହି ଗ୍ରାମବାସୀମାନେ ପଡ଼ୋଶୀ ଗ୍ରାମର ଲୋକମାନଙ୍କୁ ଭୟଭୀତ କରୁଥିବାର ମିଥ୍ୟା ମାମଲା କରି ଗାଁ ଭିତରକୁ ପ୍ରବେଶ କରିବା ପାଇଁ ବାରମ୍ବାର ଉଦ୍ୟମ କରିବା ପରେ ଗାଁକୁ ପ୍ରବେଶ ରାସ୍ତାରେ ଗ୍ରାମବାସୀମାନେ ଫାଟକ ନିର୍ମାଣ କରିଥିଲେ। କିନ୍ତୁ ଗ୍ରାମବାସୀଙ୍କର ପାନବରଜକୁ ଯିବା ପାଇଁ ବାହାରେ ମୁତୟନ ପୁଲିସ ଅନୁମତି ଦେଲେ ନାହିଁ ଓ ଯେଉଁମାନେ ପାନବରଜରେ ପାଣିଦେବା ପାଇଁ ଯିବାକୁ ସାହସ କଲେ ସେମାନଙ୍କୁ ମିଥ୍ୟା ମାମଲାରେ ଗିରଫ କଲେ।

Advertisment

ଏହି ଗ୍ରାମବାସୀମାନେ କୌଣସିଠାରେ ଶାନ୍ତି ଭଙ୍ଗ କରି କୌଣସି ପଦକ୍ଷେପ ନନେଇ କେବଳ ନିଜର ଜୀବିକା ରକ୍ଷା କରିବା ପାଇଁ ଯେଉଁ ଉଦ୍ୟମ କଲେ ତାହା ପୁଲିସ ପାଇଁ ଅସହ୍ୟ ହୋଇଉଠିଲା। ପାନବରଜଗୁଡ଼ିକୁ ଯିବା ନିମନ୍ତେ ଗ୍ରାମବାସୀମାନେ ଏକତ୍ର ଯାତ୍ରା କରିବା ସମୟରେ ପୁଲିସ ସେମାନଙ୍କ ଉପରେ ଆଖିବୁଜା ଲାଠିଚାର୍ଜ କରି ଗ୍ରାମ ଭିତରେ ସଶସ୍ତ୍ର ବାହିନୀ ନେଇ ପ୍ରବେଶ କଲେ ଓ ଗ୍ରାମ ଭିତରୁ ୯ ଜଣଙ୍କୁ ଗିରଫ କଲେ। କେବଳ ସେତିକି ନୁହେଁ, ଅନ୍ୟ ଗ୍ରାମବାସୀ ଏପରିକି ମହିଳାମାନଙ୍କୁ ଖୋଜିବା ପାଇଁ ସେମାନଙ୍କ ଘର ଉପରେ ମଧ୍ୟ ଚଢ଼ଉ କଲେ। ପୋଲିସର ଏପରି ଭୟାନକ ଆଚରଣ ଦେଖି ଗ୍ରାମ ପୁରୁଷଶୂନ୍ୟ ହୋଇଗଲା ଓ ଜୀବନ ବିକଳରେ ଲୋକମାନେ ଗାଁ ପାଖରେ ଥିବା ଜଙ୍ଗଲ ଓ ପାଣିଦଣ୍ଡା ଭିତରେ  ଦିନ ଦିନ ଧରି ଲୁଚି ରହିଥିଲେ। ଅପରପକ୍ଷରେ ଗାଁର ମହିଳାମାନେ ଓ ସେମାନଙ୍କ ପରିବାର ଲୋକମାନେ କାନ୍ଦବୋବାଳି କରୁଥିଲେ।

ଏ ସଂକ୍ରାନ୍ତୀୟ ଏକ ସ୍ୱତନ୍ତ୍ର ରିପୋର୍ଟ ଓଟିଭିରେ ଉପସ୍ଥାପିତ କରାଯାଇଛି। ସେହି ରିପୋର୍ଟଟି ଯିଏ ଦେଖିଛି ସେ ନିଶ୍ଚୟ ଅନୁମାନ କରିବ ଯେ, ପୁଲିସ ହିଁ ଜୀବିକା ପାଇଁ ଏକଜୁଟ୍ ହୋଇଥିବା ଲୋକମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଛି। ଜଙ୍ଗଲ ଭିତରେ ଲୁଚି ରହିଥିବା ଗ୍ରାମବାସୀମାନଙ୍କ ସହିତ ଓଟିଭିର ପ୍ରତିନିଧି ଯେଉଁ ସାକ୍ଷାତକାର ବିବରଣୀ ସବୁ ପ୍ରଦାନ କରିଛନ୍ତି ସେଗୁଡ଼ିକ ପୁଲିସ ହିଁ ଢିଙ୍କିଆରେ ଶାନ୍ତି ଭଙ୍ଗର ମୁଖ୍ୟ ବୋଲି ସ୍ପଷ୍ଟ ଭାବେ ଜାଣିପାରିବ। କାରଣ ଗ୍ରାମବାସୀମାନେ ଅନ୍ୟ କାହା ଉପରେ କେଉଁଠାରେ ହେଲେ ଆକ୍ରମଣ କରିନାହାନ୍ତି।

Advertisment

ଏହି ରିପୋର୍ଟ ପ୍ରକାଶ ପରେ ପରେ ପୁଲିସ ପୁନର୍ବାର ସକ୍ରିୟ ହୋଇ ପୁରୁଣା ମାମଲାରେ ୮ ତାରିଖ ଦିନ ଗ୍ରାମରେ ପଶି ଆଉ ୪ ଜଣଙ୍କୁ ଗିରଫ କରିଛି। ପୂର୍ବରୁ ଗ୍ରାମର ପଂଚାୟତ ସମିତି ସଦସ୍ୟ ଦେବେନ୍ଦ୍ର ସ୍ୱାଇଁଙ୍କୁ ଗିରଫ କରିଥିବା ସମୟରେ ଏବେ ଯେଉଁ ଚାରିଜଣଙ୍କୁ ଗିରଫ କରାଯାଇଛି ସେମାନଙ୍କ ଭିତରେ ଆଉ ଜଣେ ପୂର୍ବତନ ସମିତି ସଦସ୍ୟ ପ୍ରକାଶ ଜେନା, ମହିଳା ରୋଜାଲିନ ଦାସ, ନିର୍ମଳା ଦାସ ଓ କୈଳାସ କାଲି ଅଛନ୍ତି।

କୁହାଯାଉଛି ଯେ ଏହି ଗ୍ରାମବାସୀମାନେ ମାହାଳ ନିକଟରେ ପୁଲିସକୁ ପୂର୍ବରୁ ଟେକାମାଡ଼ କରିଥିଲେ। ଗତ ମକର ସଂକ୍ରାନ୍ତି ଦିନ ଢିଙ୍କିଆରେ ପୁଲିସ ପ୍ରବେଶ କରି ଯେଭଳି ଭାବେ ଲାଠି ଚାର୍ଜ ସହିତ ୯ ଜଣଙ୍କୁ ଗିରଫ କରିଥିଲେ ସେହିପରି ଆଉ ଏକ ପର୍ଯ୍ୟାୟ ପୁଲିସ କରିବା ପାଇଁ ସାନି ଉଦ୍ୟ୍ୟମ ଚଳାଇଛି। କାରଣ ଜୀବିକା ପାଇଁ ଲଢ଼ୁଥିବା ଢିଙ୍କିଆ ଗ୍ରାମବାସୀ ଏବେବି ସେମାନଙ୍କ ଦାବିରେ ଏକଜୁଟ୍ ଅଛନ୍ତି।

ମକର ସଂକ୍ରାନ୍ତି ଦିନ ପୁଲିସ ଗ୍ରାମ ଉପରେ କରିଥିବା ଚଢ଼ଉ ପରେ ଗ୍ରାମ ପୁରୁଷ ଶୂନ୍ୟ ହେବା ଘଟଣାକୁ ନେଇ ରାଜ୍ୟର ପ୍ରତିଷ୍ଠିତ ରାଜନୈତିକ ଦଳର ନେତାମାନେ ଓ ସମାଜସେବୀମାନେ ଘଟଣାସ୍ଥଳକୁ ଯାଇଥିଲେ। ସେତେବେଳେ ଗ୍ରାମବାସୀମାନଙ୍କୁ ଆଶ୍ୱାସନା ଦେଇ ପୁଲିସ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ଜିଲ୍ଲା ଏସ୍‌ପିଙ୍କୁ ସାକ୍ଷାତ କରିଥିଲେ। ସେତେବେଳେ ଏସ୍‌ପି ପ୍ରତିଶ୍ରୁତି ଦେଇଥିଲେ ଯେ, ଲୁଚିଥିବା ଗ୍ରାମବାସୀ ଗାଁକୁ ଫେରିଆସିବା ଉଚିତ। ଆଉ ଗିରଫଦାରୀ କରାଯିବ ନାହିଁ ବୋଲି ଗଣମାଧ୍ୟମକୁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା।  ସମସ୍ୟା ନେଇ ପ୍ରଶାସନ ସହିତ ଖୋଲା ଆଲୋଚନା ପାଇଁ ଏସ୍‌ପି ପ୍ରସ୍ତାବ ଦେଇଥିଲେ। ତେବେ ଏହା ସତ୍ତ୍ୱେ ପୁଲିସ ଯେପରି ଭାବରେ ପୁଣିଥରେ ଗିରଫଦାରୀ ଅଭିଯାନ ଆରମ୍ଭ କରିଛି ସେଥିରେ ପୁଲିସ ଉପରେ ଭରସା କରାଯାଇନପାରେ ବୋଲି ସ୍ଥାନୀୟ ଲୋକମାନଙ୍କର ହୃଦବୋଧ ହୋଇଛି।

ବଡ଼କଥା ହେଲା ଯେ, ଏହି ଘଟଣାରେ ଏକ ମାମଲା ହାଇକୋର୍ଟରେ ମଧ୍ୟ ବିଚାରାଧୀନ ଅଛି। ପୁଲିସ ଏସପି ୮ ତାରିଖ ସାନି ଗିରଫଦାରୀ ବିଷୟରେ କହିଛନ୍ତି ଯେ, ସଂପୃକ୍ତ ବ୍ୟକ୍ତିମାନେ ପୁଲିସ ଓ ପ୍ରଶାସନ ବିରୋଧରେ ଲୋକମାନଙ୍କୁ ମତାଇ ଶାନ୍ତ ପରିବେଶକୁ ବିଗାଡ଼ିବା ପାଇଁ ପ୍ରୟାସ କରୁଛନ୍ତି। କୌଣସି ବ୍ୟକ୍ତି ନିଜ ଗାଁ ଭିତରେ ଥିବା ସମୟରେ ଓ ଅନ୍ୟ କାହାରି ଉପରେ କିଛି ଆକ୍ରମଣ କରିନଥିବା ସମୟରେ ସେମାନେ ଶାନ୍ତି ଭଙ୍ଗ କଲେ କିପରି? ଅପରପକ୍ଷରେ ପୋଲିସ ଏସ୍‌ପି କହୁଛନ୍ତି ଯେ, ଶାନ୍ତି ଭଙ୍ଗ କଲେ କାହାରିକୁ ଛଡ଼ାଯିବ ନାହିଁ। କିନ୍ତୁ ଘଟଣାକ୍ରମକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ଯେ, ପୁଲିସ ହିଁ ସେଠାରେ ଶାନ୍ତି ଭଙ୍ଗ କରୁଛି।

ଢିଙ୍କିଆ ଘଟଣା ନେଇ ଜାତୀୟ ଗଣମାଧ୍ୟମରେ ଓ ବିଶେଷ ଭାବରେ ଆର୍ଟିକିଲ୍ -୧୪ ନାମକ ଏକ ଜାତୀୟ ୱେବସାଇଟରେ ଯେଉଁ ବିସ୍ତୃତ ଲେଖା ପ୍ରକାଶ ପାଇଛି ତାହାକୁ ରାଜ୍ୟର ପ୍ରଶାସନିକ ଓ ପୋଲିସ ଅଧିକାରୀମାନେ ସାମାନ୍ୟ ଅନୁଧ୍ୟାନ ପରେ ଲୋକମାନଙ୍କ ଉପରେ ପୋଲିସ ଅଯଥା ଅତ୍ୟାଚାର ଚଳାଇଛି ବୋଲି ସହଜରେ ଜାଣିପାରିବେ। ନିଜର ଜୀବିକା ପାଇଁ ଓ ପରିବେଶ ପାଇଁ ଆନ୍ଦୋଳନ କରିବା ପ୍ରତ୍ୟେକ ନାଗରିକର ଏକ ମୌଳିକ ଅଧିକାର ଓ କର୍ତ୍ତବ୍ୟ। ଏହି ଅଧିକାର ଓ କର୍ତ୍ତବ୍ୟକୁ ଶାନ୍ତିଭଙ୍ଗର ଆଖ୍ୟା ଦେଇ ପୁଲିସ ଅତ୍ୟାଚାର କରିବା ଅମାନବୀୟ ଓ ଅସମ୍ବିଧାନିକ।

ଆଶ୍ଚର୍ଯ୍ୟର କଥା ରାଜ୍ୟରେ ପଂଚାୟତ ନିର୍ବାଚନ ଚାଲିଥିଲେ ମଧ୍ୟ ରାଜ୍ୟର ବିରୋଧୀ ଦଳମାନେ ଏହାକୁ ପ୍ରସଙ୍ଗ କରୁନାହାନ୍ତି। ଅପରପକ୍ଷରେ ଯେଉଁ ରାଜ୍ୟ ସରକାର ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ସ୍ଲୋଗାନ ଦେଇ କାର୍ଯ୍ୟ କରୁଛନ୍ତି ସେହି ସରକାରର କର୍ମକର୍ତ୍ତାମାନେ ଢିଙ୍କିଆରେ ଚାଲିଥିବା ଅମାନବୀୟ ପୁଲିସ କାର୍ଯ୍ୟକଳାପ ଉପରେ ପଦଟିଏ କଥା ମଧ୍ୟ କହୁନାହାନ୍ତି। ରାଜ୍ୟ ପୁଲିସ ମହାନିର୍ଦ୍ଦଶକ, ରାଜ୍ୟ ଘରୋଇ ବିଭାଗର ମୁଖ୍ୟମାନେ ପୁଲିସକୁ ଲୋକମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଦେଇ ବିଭିନ୍ନ ରିପୋର୍ଟ ଓ ରାଜନୈତିକ ଦଳମାନଙ୍କର ବକ୍ତବ୍ୟ ଉପରେ କୌଣସି ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁନାହାନ୍ତି।

ଜଣାପଡ଼ୁଛି ରାଜ୍ୟ ସରକାର ଓ ପୁଲିସ କେବଳ କମ୍ପାନୀ ସ୍ୱାର୍ଥରେ ଲୋକମାନଙ୍କୁ ଭୟଭୀତ ଓ ଆତଙ୍କିତ କରିବା କାର୍ଯ୍ୟକୁ ସେମାନଙ୍କର ପ୍ରାଥମିକତା ଭାବରେ ବିଚାର କରିଛନ୍ତି। ଓଟିଭିର ଏହି ସଂକ୍ରାନ୍ତୀୟ ରିପୋର୍ଟ ଓ ଆର୍ଟିକିଲ୍-୧୪ ୱେବସାଇଟରେ ପ୍ରକାଶିତ ରିପୋର୍ଟକୁ ରାଜ୍ୟ ସରକାର ଓ ରାଜ୍ୟ ମାନବାଧିକାର କମିଶନ ନିଜ ଆଡ଼ୁ ଅନୁଧ୍ୟାନ କରି ବିହିତ ପଦକ୍ଷେପ ନେବା ସେମାନଙ୍କର ନୈତିକ ଦାୟିତ୍ୱ ବୋଲି ବିଚାର କରାଯାଉଛି।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫