ଦେବେନ୍ଦ୍ର ପୃଷ୍ଟି
ସୂଚନା ଅଧିକାର ଓ ଗୋପନୀୟତାର ଅଧିକାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଏଥିରୁ ଗୋଟିଏ ଆରକଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏ ଦୁଇଟି ମଧ୍ୟରେ ଭାରସାମ୍ୟ ରହିବା ଦରକାର। ଏହା କହିଛନ୍ତି ସୁପ୍ରିମ କୋର୍ଟ। ଭାରତର ପ୍ରଧାନ ବିଚାରପତିଙ୍କୁ ସୂଚନା ଅଧିକାର ଆଇନ ପରିସରଭୁକ୍ତ କରିବା ନେଇ ଚାଲିଥିବା ମାମଲାରେ ଏକ ଐତିହାସିକ ରାୟ ପ୍ରଦାନ କରି ସୁପ୍ରିମ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ ନ୍ୟାୟପାଳିକାର ସ୍ୱାଧୀନତା ଓ ଉତ୍ତରଦାୟିତ୍ୱ ପରସ୍ପର ବିରୋଧୀ ନୁହେଁ। ଏକ ସାମ୍ବିଧାନିକ ଗଣତନ୍ତ୍ରରେ ନ୍ୟାୟପାଳିକା ଦେଶର କାର୍ଯ୍ୟନିର୍ବାହୀ ଓ ବ୍ୟବସ୍ଥାପକ ସଭାଠାରୁ ସ୍ୱାଧୀନ, କିନ୍ତୁ ଏହା ଲୋକଙ୍କଠାରୁ ସ୍ୱାଧୀନ ନୁହେଁ। କାରଣ ଏହା ହେଉଛି ଏକ ସାଧାରଣ କର୍ତ୍ତୃପକ୍ଷ। ବିଚାରପତିମାନେ ସମ୍ବିଧାନ ଅନୁସାରେ କାମ କରନ୍ତି ଏବଂ ସାଧାରଣ ଦାୟିତ୍ୱ ନିର୍ବାହ କରନ୍ତି।
ପ୍ରଧାନ ବିଚାରପତି ରଂଜନ ଗୋଗୋଇ, ଏନଭି ରମଣ, ଡିୱାଇ ଚନ୍ଦ୍ରଚୂଡ଼, ଦୀପକ ଗୁପ୍ତା ଓ ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମର୍ମରେ ରାୟ ଦେଇ ପ୍ରଧାନ ବିଚାରପତିଙ୍କୁ ସୂଚନା ଅଧିକାର ଆଇନ ପରିସରଭୁକ୍ତ କରିଛନ୍ତି। ଭାରତର ସମ୍ବିଧାନ ଅନୁସାରେ ଜାତୀୟ ସ୍ତରରେ ସୁପ୍ରିମ କୋର୍ଟ ଓ ରାଜ୍ୟସ୍ତରରେ ହାଇକୋର୍ଟ ସମୂହ ଗଠିତ ହୋଇଛନ୍ତି। ବିଚାରପତିମାନେ ସମ୍ବିଧାନ ଅନୁସାରେ ନିଯୁକ୍ତି ପାଉଛନ୍ତି। ନିଯୁକ୍ତ ବିଚାରପତିମାନେ ସମ୍ବିଧାନ ଅନୁସାରେ ଦାୟିତ୍ୱ ନିର୍ବାହ କରୁଛନ୍ତି। ସେମାନେ ଜନ ସାଧାରଣଙ୍କ ପ୍ରଦତ୍ତ ଟିକସ ଅର୍ଥରୁ ବେତନ ଓ ଭତ୍ତା ଆଦି ପାଉଛନ୍ତି। ତେଣୁ ସେମାନେ ଲୋକଙ୍କଠାରେ ମଧ୍ୟ ଉତ୍ତରଦାୟୀ। ନ୍ୟାୟପାଳିକାର ସ୍ୱଚ୍ଛତା ଏହାର ସ୍ୱାଧୀନତାର ବିରୋଧୀ ନୁହେଁ। ଏହା କେବଳ ଉତ୍ତରଦାୟିତ୍ୱ। ବିଚାରପତିମାନଙ୍କ ସ୍ୱାଧୀନତା ବ୍ୟକ୍ତିଗତ ଅଧିକାର ନୁହେଁ, ଏହା ଏକ ନ୍ୟାୟିକ ଦାୟିତ୍ୱ। ଏହି ମର୍ମରେ ସୁପ୍ରିମ କୋର୍ଟ ଦେଇଥିବା ରାୟ କେବଳ ଐତିହାସିକ ନୁହେଁ ଯୁଗାନ୍ତକାରୀ ମଧ୍ୟ। ପୂର୍ବରୁ ୨୦୧୦ ମସିହାରେ ଦିଲ୍ଲୀ ହାଇକୋର୍ଟ ପ୍ରଧାନ ବିଚାରପତିଙ୍କୁ ସୂଚନା ଅଧିକାର ଆଇନ ପରିସରଭୁକ୍ତ କରିବା ସପକ୍ଷରେ ରାୟ ଦେଇଥିଲେ। ଏହା ବିରୋଧରେ ସୁପ୍ରିମ କୋର୍ଟରେ ସୁପ୍ରିମ କୋର୍ଟର ମହାନିର୍ଦ୍ଦେଶକ ଆବେଦନ ଦାଖଲ କରିଥିଲେ। ସୁପ୍ରିମ କୋର୍ଟ ନିଜ ପ୍ରଶାସନର ଏଭଳି ଆବେଦନକୁ ଖାରଜ କରି ଯେଉଁ ରାୟ ଦେଇଛନ୍ତି ତାହା ନିଶ୍ଚିତ ଭାବରେ କୋର୍ଟଙ୍କର ନିରପେକ୍ଷତା, କର୍ତ୍ତବ୍ୟ ପରାୟଣତା ଓ ସ୍ୱଚ୍ଛତାର ଏକ ଅନନ୍ୟ ଉଦାହରଣ।
ତେବେ, ସୁପ୍ରିମ କୋର୍ଟଙ୍କ ଏହି ରାୟ ପରେ ଦେଶର ରାଜନୀତିକ ଦଳଗୁଡ଼ିକୁ ସୂଚନା ଅଧିକାର ଆଇନ ପରିସରଭୁକ୍ତ କରିବା ନେଇ ଲାଗି ରହିଥିବା ବିବାଦର ମଧ୍ୟ ସମାଧାନ ହେବା ଉଚିତ। ସୂଚନା ଅଧିକାର ଆଇନ ଅନୁସାରେ ରାଜନୀତିକ ଦଳଗୁଡ଼ିକ ‘ସାଧାରଣ କର୍ତ୍ତୃପକ୍ଷ’ ବୋଲି ପୂର୍ବରୁ ଦେଶର ମୁଖ୍ୟ ସୂଚନା କମିଶନ ଏବଂ ମୁଖ୍ୟ ନିର୍ବାଚନ କମିଶନ ସ୍ପଷ୍ଟ କରିସାରିଛନ୍ତି। ଏପରିକି ରାଜନୀତିକ ଦଳଗୁଡ଼ିକ ସୂଚନା ଅଧିକାର ପରିସରଭୁକ୍ତ ବୋଲି ୨୦୧୩ ଜୁନ ୩ ତାରିଖରେ ଭାରତର ମୁଖ୍ୟ ସୂଚନା କମିଶନ ଏକ ରାୟ ଦେଇସାରିଛନ୍ତି। ସେତେବେଳେ ମୁଖ୍ୟ ସୂଚନା କମିଶନର ଥିଲେ ସତ୍ୟାନନ୍ଦ ମିଶ୍ର। ସୂଚନା କମିଶନ ଏମଏଲ ଶର୍ମା ଓ ଅନ୍ନପୂର୍ଣ୍ଣା ଦୀକ୍ଷିତଙ୍କ ସହିତ ମିଶି ମୁଖ୍ୟ ସୂଚନା କମିଶନର ସତ୍ୟାନନ୍ଦ ମିଶ୍ର କହିଥିଲେ ଯେ ରାଜନୀତିକ ଦଳଗୁଡ଼ିକ ବିଭିନ୍ନ ଭାବରେ ସରକାରଙ୍କଠାରୁ ଆର୍ଥିକ ଓ ବସ୍ତୁଗତ ଅନୁଦାନ ଗ୍ରହଣ କରୁଛନ୍ତି। ରାଜନୀତିକ ଦଳଗୁଡ଼ିକ ସରକାରଙ୍କଠାରୁ ଅଫିସ ପାଇଁ ସରକାରୀ ଘର ଓ ଜମି ନେଉଛନ୍ତି। ସାଧାରଣ ସ୍ଥାନରେ ସେମାନଙ୍କର ବିଜ୍ଞାପନ ହୋର୍ଡ଼ିଂ ଓ ବ୍ୟାନର ଆଦି ମରାଯାଉଛି। ନିର୍ବାଚନ ସମୟରେ ଟିଭି ଓ ରେଡିଓରେ ସେମାନେ ମାଗଣାରେ ନିଜର ପ୍ରଚାର ସୁଯୋଗ ପାଉଛନ୍ତି। ରାଜନୀତିକ ଦଳର ସଦସ୍ୟମାନେ ବ୍ୟବସ୍ଥାପକ ଓ ମନ୍ତ୍ରୀ ହିସାବରେ ସାଧାରଣ ରାଜକୋଷରୁ ଦରମା ଓ ଭତ୍ତା ଇତ୍ୟାଦି ଗ୍ରହଣ କରୁଛନ୍ତି। ସର୍ବୋପରି ସେମାନେ ଜନ ସାଧାରଣଙ୍କ ଦ୍ୱାରା ନିର୍ବାଚିତ ହୋଇ ଜନ ସାଧାରଣଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବିଧାନ ଅନୁସାରେ ଜନ ସାଧାରଣଙ୍କ ସେବା ନାମରେ ସାଧାରଣ ପଦପଦବୀ ଗ୍ରହଣ କରିଥାନ୍ତି। ତେଣୁ ସେମାନେ ହେଉଛନ୍ତି ସାଧାରଣ କର୍ତ୍ତୃପକ୍ଷ। ସୂଚନା ଅଧିକାର ଆଇନ ଅନୁସାରେ ଦେଶର ସମସ୍ତ ସାଧାରଣ କର୍ତ୍ତୃପକ୍ଷ ଏହି ଆଇନ ପରିସରଭୁକ୍ତ।
କିନ୍ତୁ ମୁଖ୍ୟ ସୂଚନା କମିଶନଙ୍କ ଏହି ରାୟ ପରେ ୬ ବର୍ଷ ବିତି ଯାଇଥିଲେ ମଧ୍ୟ ଦେଶର କୌଣସି ରାଜନୀତିକ ଦଳ ନିଜ ଆଡ଼ୁ ନିଜକୁ ଏହି ଆଇନ ପରିସରଭୁକ୍ତ କରିନାହାନ୍ତି। ଓଲଟି ସେମାନେ ଏହାକୁ ବିରୋଧ କରିଛନ୍ତି। କେବଳ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ବା ସିପିଆଇକୁ ଛାଡ଼ିଦେଲେ ଦେଶର ଅନ୍ୟ ସମସ୍ତ ପ୍ରମୁଖ ଜାତୀୟ ଦଳ କଂଗ୍ରେସ, ବିଜେପି, ଏନସିପି, ସିପିଏମ ଓ ବିଏସପି ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ସେମାନେ ସେମାନଙ୍କ ଆୟବ୍ୟୟର ବିବରଣୀ ଭାରତର ମୁଖ୍ୟ ନିର୍ବାଚନ କମିଶନଙ୍କଠାରୁ ଦାଖଲ କରୁଥିବାରୁ ଆଉ କୌଣସି ବ୍ୟକ୍ତି ବା ସଂସ୍ଥାକୁ ତାହା ଦେବାର ଆବଶ୍ୟକତା ନାହିଁ ବୋଲି ଯୁକ୍ତି କରିଛନ୍ତି। ଜନସେବା କରିବାରେ ରାଜନୀତିକ ଦଳଗୁଡ଼ିକ ଏତେ ସମୟ ଦେଉଛନ୍ତି ଯେ ସୂଚନା ଅଧିକାର ଆଇନ ଅନୁସାରେ ସାଧାରଣ ସୂଚନା ଅଧିକାରୀ ନିଯୁକ୍ତ କରି ତାଙ୍କର ବ୍ୟୟ ଓ ପରିଚାଳନା ଭାର ଗ୍ରହଣ କରିବା ସମ୍ଭବ ନୁହେଁ। ସେମାନେ କେବଳ ସଂସଦ ଓ ବିଧାନସଭାରେ ଉତ୍ତରଦାୟୀ, ଅନ୍ୟ କୌଣସି କର୍ତ୍ତୃପକ୍ଷଙ୍କ ଆଗରେ ନୁହେଁ ବୋଲି ମଧ୍ୟ ଯୁକ୍ତି କରାଯାଇଛି। ଏଭଳି ଯୁକ୍ତି କରିକରି ସେମାନେ ୬ ବର୍ଷ ହେଲା ନିଜକୁ ସୂଚନା ଅଧିକାର ଆଇନ ବାହାରେ ରଖିଛନ୍ତି। ଏଥିରୁ ସ୍ୱଚ୍ଛତା ପ୍ରତି ସେମାନଙ୍କର ନିଷ୍ଠା କେତେ ଦୁର୍ବଳ ତାହା ବୁଝାପଡ଼ୁଛି।
ଭାରତୀୟ ସମ୍ବିଧାନ ଅନୁସାରେ ଏ ଦେଶର ଜନ ସାଧାରଣ ଏକ ସ୍ୱଚ୍ଛ ଓ ଉତ୍ତରଦାୟୀ ଶାସନ ଓ ପ୍ରଶାସନ ପାଇବାକୁ ହକ୍ଦାର। ଶାସନ ଓ ପ୍ରଶାସନ ସହିତ ପ୍ରତ୍ୟେକ ସଂସ୍ଥା ଓ ପଦବୀଧାରୀ ସାଧାରଣ ରାଜକୋଷରୁ ବେତନ, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ଗ୍ରହଣ କରୁଛନ୍ତି। ତେଣୁ ସେମାନେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ବାଧ୍ୟ। ସୂଚନା ଅଧିକାର ଆଇନ ଅନୁସାରେ ଲୋକେ ରାଜନୀତିକ ପ୍ରଶ୍ନ ପଚାରନ୍ତି ନାହିଁ, ସରକାର ବା ସଂସ୍ଥାଗୁଡ଼ିକର ନୀତି, ନିଷ୍ପତ୍ତି, ଆୟ ଓ ବ୍ୟୟ ଇତ୍ୟାଦି ବାବଦରେ ସୂଚନା ପାଇବାକୁ ଆବେଦନ କରିଥାନ୍ତି। ତାହା ପୁଣି ଆଇନ ଅନୁସାରେ, ଉପଯୁକ୍ତ ଫି ଦାଖଲ କରି। ଦଳଗୁଡ଼ିକ ସ୍ୱଚ୍ଛ ରହିଲେ ଦେଶର ନିର୍ବାଚନ ଓ ଶାସନ ବ୍ୟବସ୍ଥା ମଧ୍ୟ ସ୍ୱଚ୍ଛ ହେବ। ଦଳଗୁଡ଼ିକ ଯଦି ତଥ୍ୟ ଲୁଚାନ୍ତି ତେବେ ଗୋପନୀୟତାର ଏହି ବ୍ୟାଧି ସରକାରଙ୍କର ସବୁ ଶାଖାକୁ ସଂକ୍ରମଣ କରିବ। ଦଳଗୁଡ଼ିକ ଗ୍ରହଣ କରୁଥିବା ପାଣ୍ଠି ଓ ସଭ୍ୟ ଚାନ୍ଦାର ସୂତ୍ର ବିଷୟରେ ଲୋକମାନେ ପ୍ରକୃତ ତଥ୍ୟ ପାଇଲେ ହିଁ ବିଚାର କରିପାରିବେ ଯେ ଦଳଟି କେତେ ସ୍ୱଚ୍ଛ ଓ ସଚ୍ଚୋଟ। କୌଣସି ଦଳ ଯଦି ମାଫିଆ, ଡନ୍, ଅପରାଧୀ ଓ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ବା ସଂସ୍ଥାଙ୍କଠାରୁ ନିର୍ବାଚନୀ ପାଣ୍ଠି ଗ୍ରହଣ କରୁଥାଏ ତେବେ ଆଇନର ଶାସନ ପ୍ରତି ସେହି ଦଳର ପ୍ରତିବଦ୍ଧତା କେତେ ଜନ ସାଧାରଣ ତାହା ବିଚାର କରି ଭୋଟ ଦେବା ଉଚିତ। ନିର୍ବାଚନ କମିଶନଙ୍କ ଏକାଧିକ ନିଷ୍ପତ୍ତି ଓ ନିର୍ଦ୍ଦେଶ ଅନୁସାରେ ଲୋକମାନେ ନିଜ ପ୍ରାର୍ଥୀ ଅନ୍ୟାର୍ଥରେ ଦଳଗୁଡ଼ିକ ବିଷୟରେ ସବୁ ତଥ୍ୟ ଅବଗତ ହେବା ଜରୁରୀ। କିଛି ନଜାଣି ଭୋଟ ଦେଲେ ନାଗରିକର ନିଷ୍ପତ୍ତି ଭୁଲ ହୋଇଯିବାର ସମ୍ଭାବନା ଅଛି।
ସରକାର ସୂଚନା କମିଶନଙ୍କୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ଏହି ଆଇନରେ କେତେକ ସଂଶୋଧନ କରିସାରିଛନ୍ତି। କମିଶନରମାନଙ୍କ କାର୍ଯ୍ୟକାଳକୁ ତିନି ବର୍ଷକୁ କମାଇ ଦିଆଯାଇଛି। ସେମାନଙ୍କ ନିଯୁକ୍ତି ଓ ଦରମା ସର୍ତ୍ତରେ ପରିବର୍ତ୍ତନ କରାଯାଇଛି। ସୂଚନା କମିଶନରେ ବଚସ୍କରମାନଙ୍କୁ ଅବସ୍ଥାପିତ କରି ନିଜର ମଳିଛିଆ ଚେହେରା ଲୁଚେଇବାକୁ ଅନେକ ଉଦ୍ୟମ କରିସାରିଛନ୍ତି ରାଜନେତାମାନେ। ଏବେ ନିଜର ସ୍ୱଚ୍ଛତାର ପ୍ରମାଣ ଦେବା ପାଇଁ ପ୍ରଧାନ ବିଚାରପତି ଯଦି ଆରଟିଆଇ ପରିସରଭୁକ୍ତ ହେବାକୁ ରାୟ ଦେଉଛନ୍ତି ତେବେ ରାଜନୀତିକ ନେତା ଓ ଦଳଗୁଡ଼ିକ ଏଥିରୁ କିଛି ଶିକ୍ଷା କରିବା ଉଚିତ ଓ ସେହି ଅନୁସାରେ ନିଜକୁ ଲୋକଙ୍କ ଆଗରେ ଉତ୍ତରଦାୟୀ କରିବା ଉଚିତ। ତା’ ନହେଲେ ପେଞ୍ଚପାଞ୍ଚ କରି ଭୋଟ ନେଇ ସେବକ ଜାଗାରେ ଶାସକ ହୋଇପାରିବେ ସିନା ସ୍ୱଚ୍ଛ ଗଣତନ୍ତ୍ରର ସ୍ୱଚ୍ଛ ପ୍ରତିନିଧି ହୋଇପାରିବେ ନାହିଁ।