ଡ଼ଃ ଷ୍ଟାଲିନ ମିଶ୍ର, ସୂଚନାପ୍ରଯୁକ୍ତିବିତ
ଆମେ ବିଶ୍ୱର ସର୍ବବୃହତ ଗଣତନ୍ତ୍ର। ଆମ ସମ୍ଭିଧାନ ଧନୀ-ଗରିବ, ବ୍ରାହ୍ମଣ-ଦଳିତ, ହିନ୍ଦୁ-ମୁସଲିମ, ଶିଖ-ଈସାଈ ତଥା ପ୍ରଧାନମନ୍ତ୍ରୀ-ସାଧାରଣ ନାଗରିକ ଆମ ସମସ୍ତଙ୍କୁ ସମାନ ଅଧିକାର ଦେଇଛି। ବିଭିନ୍ନତା ମଧ୍ୟରେ ସମାନତା ଏହା ହିଁ ଆମ ଦେଶ ତଥା ସମ୍ବିଧାନର ମୂଳ ମନ୍ତ୍ର। ଦେଶ ବର୍ତ୍ତମାନ ଅତ୍ୟନ୍ତ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତିକରୁଛି। କରୋନା ମହାମାରୀ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାରୁଥିବା ବେଳେ ସୀମାରେ ଶତ୍ରୁ ଦେଶ ସୈନ୍ୟବାହିନୀର ପଦଧ୍ୱନି। ମହାମାରୀରେ ହଜାର ହଜାର ଲୋକ ଦୈନିକ ଜୀବନ ହାରୁଥିବା ବେଳେ ଜୀବିକା ବି ଉଜୁଡ଼ିଗଲାଣି ଅନେକଙ୍କର। ଲକଡାଉନ ସଟଡାଉନ ତଥା କୋଭିଡ କଟକଣା ଖାଲି ଦେଶର ଅର୍ଥନୀତି ନୁହେଁ ବରଂ ଜନତାଙ୍କ ମେରୁଦଣ୍ଡ ଦୋହଲାଇ ସାରିଲାଣିl ସଂକ୍ରମଣ ଏବେ ସମାଜର ଅଧିକାଂଶ ଭାଗକୁ କବଳିତ କରିସାରିଛି। ଡାକ୍ତରଖାନା, ଚିକିତ୍ସା ଉପକରଣ, ଭେଣ୍ଟିଲେଟର, ଔଷଧ ତଥା ଉପଯୁକ୍ତ ଭିତ୍ତିଭୂମିର ଅଭାବକୁ ପୁରଣ କରିବାକୁ ଉଭୟ ଜନତା ଏବଂ ସରକାର ବେଶ ଚିନ୍ତିତ। ଆଗକୁ ପରିସ୍ଥିତି କିଭଳି ନିୟନ୍ତ୍ରିତ ହେବ, ସଂକ୍ରମଣ କମିବ ତଥା ଦେଶର ଅବସ୍ଥା ପୂର୍ବବତ ଫେରିପାରିବ ସେଥିପାଇଁ ସରକାର ଜନତାଙ୍କ ସୁରକ୍ଷା ପାଇଁ ବିଭିନ୍ନ କଟକଣା ଲାଗୁ କରିଛନ୍ତି।
କିନ୍ତୁ ଏପରି ନକାରାତ୍ମକ ପରିସ୍ଥିତିରେ ଏହି ମାରାତ୍ମକ ମହାମାରୀରୁ ଦେଶ ତଥା ଜନତାଙ୍କୁ ଯଥାଶୀଘ୍ର କିପରି ଉଦ୍ଧାର କରାଯାଇପାରିବ ଏହି ବିଷୟରେ ଚିନ୍ତା ନକରି କିଛି ନେତା ନିଜର ଆତ୍ମବଡ଼ିମା ଓ ଆତ୍ମପ୍ରଚାର ପାଇଁ ସରକାରୀ କଟକଣାକୁ ଭୃକ୍ଷେପ ନକରି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ତଥା ଘରୋଇ କାର୍ଯ୍ୟକ୍ରମ ଆୟୋଜନ କରିବା ବା ସେପରି କାର୍ଯ୍ୟକ୍ରମରେ ସାମିଲ ହେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ସାମାନ୍ୟ ଭୁଲ କିମ୍ବା ନିୟମ ଉଲ୍ଲଙ୍ଘନ କରି ଜନସାଧାରଣ ପୋଲିସ ଠାରୁ ନିର୍ଘାତ ମାଡ଼ ଖାଇ ଆହତ ହେବା ହେଉ ଅବା କରୋନା ଜନିତ ମୃତ୍ୟୁ ପରେ ଆତ୍ମୀୟଙ୍କ ମୃତଦେହ ସତ୍କାରର ଅଧିକାରରୁ ବଂଚିତ ହେବା, ସଙ୍ଗରୋଧ କେନ୍ଦ୍ରରେ ବଳପୂର୍ବକ ରଖିବା ହେଉ ଅବା ଦୋକାନ ବଜାର ବନ୍ଦ ରଖିବା, ମୁହଁରେ ମାସ୍କ ଦେବା ହେଉ ଅବା ସାମାଜିକ ଦୂରତା ରକ୍ଷାକରିବା ଏପରିକି ବିବାହ, ବ୍ରତ, ଶିକ୍ଷାନୁଷ୍ଠାନ ତଥା ଦେବଦର୍ଶନ ମଧ୍ୟ ପ୍ରତିବନ୍ଧିତ ଥିବାରୁ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ସରକାରଙ୍କ କଟକଣାକୁ ମାନିବାକୁ ବାଧ୍ୟ ହୋଇଛନ୍ତି। ମାନିବା ଉଚ୍ଚିତ ମଧ୍ୟ। କାରଣ ଅମପାଖରେ ଆଉ ଭଲ କିଛି ବିକଳ୍ପ ନାହିଁ। ଏହି ରୋଗର ଟୀକା ବା ସଫଳ ଔଷଧ ନବାହାରିବା ଯାଏ ଆମକୁ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ର ବ୍ୟବହାର ତଥା ଅନ୍ୟ ସମସ୍ତ କୋଭିଡ କଟକଣାକୁ ମାନିବାକୁ ପଡିବ। ଏଥିରୁ ସାମାନ୍ୟ ବିଚ୍ୟୁତି ଆମକୁ ବିପଦ ମୁଖକୁ ଠେଲି ଦେଇପାରେ, ନିଜ ତଥା ନିଜ ପରିବାର ବର୍ଗଙ୍କୁ ମହାମାରୀରେ କବଳିତ କରିଦେଇପାରେ। ଅନ୍ୟପାଇଁ ନହେଲେ ବି ନିଜ ଓ ନିଜ ପରିବାର ସୁରକ୍ଷା ପାଇଁ ଏହି କଠୋର କଟକଣା ସବୁ ମାନିବାକୁ ପଡିବ। ଦେଶର ପ୍ରଧାନମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ବହୁ ବଡ ବଡ ନେତା ତଥା ପଦସ୍ଥ ଅଧିକାରୀମାନେ ଏଥିପାଇଁ ଆମକୁ ବାରବାର ସଚେତନ କରିଆସୁଛନ୍ତି। ଜନତା ମଧ୍ୟ ଖୁବ ସଚେତନତା ସହିତ ସବୁ କଟକଣାକୁ ମାନି ସରକାରଙ୍କ ସହିତ ଛିଡା ହୋଇଛନ୍ତି। ହଁ, କିଛି ବ୍ୟତିକ୍ରମ ରହୁଛି, କଟକଣା ଉଲଘଂନକାରି ଜନତାଙ୍କଠାରୁ ମୋଟା ଅଙ୍କର ଫାଇନ ଆଦାୟ କରିଛି ଆମ ପୁଲିସ ପ୍ରଶାସନ। ଅନେକ ଦୋକାନ ବଜାର ତଥା ବ୍ୟବସାୟ ପ୍ରତିଷ୍ଠାନକୁ ମଧ୍ୟ ସିଲ କରିଛି ପ୍ରଶାସନ। କିନ୍ତୁ କିଛି ତଥାକଥିତ ନେତା ନିଜକୁ ସାଧାରଣ ଜାନତାଙ୍କଠାରୁ ବଡ଼ ବୋଲି ପରିଗଣିତ କରିବା ପାଇଁ ଏସବୁ ସରକାରୀ କଟକଣାର ଖୋଲାଖୋଲି ଉଲଘଂନ କରିବାକୁ ପଛାଉନାହାନ୍ତି। ସରକାରୀ ନିୟମ କାନୁନ କେବଳ ସାଧାରଣ ଜନତା ଓ କରଦାତାମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଭ୍ରାନ୍ତ ଧାରଣା ମନରେ ପୋଷଣ କରିବା ଓ ନିଜେ ସମସ୍ତ ନିୟମ କାନୁନକୁ ଭାଙ୍ଗିବାକୁ ଅଭିଜାତ୍ୟର ପ୍ରତୀକ ବୋଲି ଭାବୁଛନ୍ତି।
ହଁ, ମୁଁ ନିକଟ ଅତୀତରେ ଘଟିଥିବା ଦୁଇଟି ଘଟଣା ଉପରେ କହିବାକୁ ଚାହୁଁଛି। ପ୍ରଥମଟି ଓଡ଼ିଶା ଶାସକ ଦଳର ଜଣେ ଅତି ଲୋକପ୍ରିୟ ବିଧାୟକଙ୍କ ଅନ୍ତିମ ସଂସ୍କାର ଏବଂ ଅନ୍ୟଟି ହେଲା ଜଣେ ଉଚ୍ଚଶିକ୍ଷିତା ପ୍ରଶାସିକାରୁ ରାଜନେତ୍ରୀ ପାଲଟିଥିବା ସାଂସଦଙ୍କ ଜନ୍ମଦିନ। ଉଭୟ ଜାଗାରେ ସରକାରୀ କଟକଣାର ବହୁଳମାତ୍ରାରେ ଉଲ୍ଲଙ୍ଘନ ସଚେତନ ନାଗରିକଙ୍କୁ ବ୍ୟଥିତ କରିଛି। ପ୍ରଥମ ଘଟଣାଟିରେ ଶାସକ ଦଳର ନେତାମାନେ ସଂଶ୍ଲିଷ୍ଟ ଥିବା ବେଳେ ଦ୍ୱିତୀୟ ଘଟଣାଟି ରାଜ୍ୟର ପ୍ରମୁଖ ବିରୋଧୀଦଳର ନେତ୍ରୀଙ୍କ କୃତ୍ୟ। ମୁଁ ମାନୁଛି ଅନ୍ତିମ ଦର୍ଶନ ଏକ ଭାବାବେଗର ବିଷୟ। କିନ୍ତୁ ସାଧାରଣ ଜାନତାଙ୍କ ଅପେକ୍ଷା ଜଣେ ସାଂସଦ, ବିଧାୟକ ବା ମନ୍ତ୍ରୀ ହିସାବରେ ସରକାରୀ ନିୟମଗୁଡିକ ପ୍ରତି ସେମାନଙ୍କର ଦାୟିତ୍ୱବୋଧ ଅଧିକ। ସେମାନଙ୍କ କାର୍ଯ୍ୟ ଜାନତାଙ୍କ ପାଇଁ ପ୍ରେରଣାର ଉତ୍ସ। ସେମାନେ ଏସବୁ ଦିଗ ପ୍ରତି ଯତ୍ନବାନ ହୋଇଥିଲେ ହୁଏତ ଆଜି ଜାନତାଙ୍କ ରୋଷ ବା ସମାଲୋଚନାର ଶିକାର ହୋଇନଥାନ୍ତେ। ଅବଶ୍ୟ ପରବର୍ତ୍ତୀ ସମୟରେ ଶାସକ ଦଳ ବିଧାୟକଙ୍କ କ୍ଷମାପ୍ରାର୍ଥନା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ନିଜର ଜନ୍ମଦିନ ପାଳନ କରିବାକୁ ଯାଇ ଜଣେ ସାଂସଦଙ୍କ ଏପରି ଉତ୍ସୃଙ୍ଖଳିତ କାର୍ଯ୍ୟ, ସରକାରୀ କଟକଣାର ଖୋଲାଖୋଲି ଉଲ୍ଲଙ୍ଘନ କରିବା ଏବଂ ପରବର୍ତ୍ତୀ ସମୟରେ ନିଜର ଭୁଲ ସ୍ୱୀକାର ନକରି ଓଲଟା ଶାସକ ଦଳକୁ ତାଙ୍କ ଭୁଲ ପାଇଁ ଧମକ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। କ୍ଷମତା ବଳରେ ବଳିୟାନ ହୋଇ ନିଜର ହିତାହିତ ଜ୍ଞାନ ହରାଇ ସାଧାରଣ ଜନତାଙ୍କଠାରୁ ନିଜକୁ ଊର୍ଦ୍ଧ୍ୱରେ ବୋଲି ଦର୍ଶାଇବା ଜଣେ ଜନପ୍ରତିନିଧିକୁ ଶୋଭା ଦେଉନାହିଁ। ଏହାଦ୍ୱାରା ସମାଜରେ ଖରାପ ଉଦାହରଣ ସୃଷ୍ଟି ହେଇଛି ବୋଲି ମୁଁ ମନେକରେ। ଗଣତନ୍ତ୍ରରେ ଜନତା ମାଲିକ ଓ ନେତା କେବଳ ତାଙ୍କ ପ୍ରତିନିଧିତ୍ୱ କରୁଥିବା ସେବକ ଏହା ଭୁଲିବ ଉଚିତ ନୁହେଁ। “ସେମାନେ ଭୁଲ କଲେ ତେଣୁ ଆମେ ବି କରିବୁ” ଏହା ଏକ ଅଦ୍ଭୁତ ମାନସିକତା। କାରଣ ଭୁଲ ସବୁବେଳେ ଭୁଲ ଯିଏ ବି କରୁ। ତେଣୁ ଅନ୍ୟ ଭୁଲର ଦ୍ୱାହି ଦେଇ ଯଦି ମୁଁ ଭୁଲ କରିବି ତାହେଲେ ସମାଜ ମତେ କାହିଁକି ଗ୍ରହଣ କରିବ?
ଏହା ସତ୍ୟ ଯେ ଏପରି ଘଟଣା ଆମ ଦେଶରେ ନୂଆ ନୁହେଁ। ଅତୀତରେ ନେତାମାନେ ଏପରି ଅନେକ ନିୟମ ଉଲ୍ଲଙ୍ଘନ କରି ନିଜକୁ ଜନତାଙ୍କଠାରୁ ଶ୍ରେଷ୍ଠ ବୋଲି ପ୍ରତିପାଦନ କରିବାକୁ ପଛାଇନାହାନ୍ତି, କିନ୍ତୁ ଇତିହାସ ସେମାନଙ୍କ ନାମକୁ କଳା ଅକ୍ଷରରେ ଲିପିବଦ୍ଧ କରିଛି। ଏକବିଂଶ ଶତାବ୍ଦୀରେ ଏପରି ସାମନ୍ତବାଦ ଚିନ୍ତାଧାରାର କୌଣସି ସ୍ଥାନ ନାହିଁ। ଦଳୀୟ ସମର୍ଥନ ନାଁରେ ଅନୀତିକୁ ପ୍ରଶ୍ରୟ ଦେବା ଉଚିତ କି? କୌଣସି ନିର୍ଦ୍ଦିଷ୍ଟ ଦଳ କିମ୍ବା ରାଜନେତାଙ୍କ ଦାସତ୍ୱ ଗ୍ରହଣ କରିଥିବା ବ୍ୟକ୍ତିମାନେ ନିଜର ସ୍ୱାମୀ ବା ସ୍ଵାମିନୀଙ୍କ ପ୍ରତି ଆନୁଗତ୍ୟ ପ୍ରମାଣ କରିବାକୁ ଯାଇ ସେମାନଙ୍କ ଦୋଷ ଦୁର୍ବଳତାକୁ ଘୋଡ଼େଇବାକୁ ପ୍ରୟାସ କରିବା ଉଭୟ ନେତା ଓ ସମାଜ ପ୍ରତି ହାନିକାରକ। ସ୍ୱାର୍ଥ ପାଇଁ ଅଯଥା ଚାଟୁକାରିତା ଓ କୁମନ୍ତ୍ରଣା ଜଣେ ରାଜନେତାଙ୍କର ସମୂଳ ବିନାଶ କରିପାରେ। ତେଣୁ ରାଜନେତାମାନେ ମଧ୍ୟ ଏସବୁ ଦିଗପ୍ରତି ଧ୍ୟାନ ଦେଇ କେବଳ ଦେଶ ଓ ରାଜ୍ୟର ହିତ ପାଇଁ ଯତ୍ନବାନ ହେବା ଆବଶ୍ୟକ। ଶାସକ ହୁଅନ୍ତୁ କି ବରୋଧୀ ସେମାନେ ଜନତାଙ୍କଠାରୁ ଊର୍ଦ୍ଧ୍ୱରେ ନୁହଁନ୍ତି। ପ୍ରଶାସନ ମଧ୍ୟ ଏପରି ପାତର ଅନ୍ତରକୁ ପ୍ରଶ୍ରୟ ଦେବା ଠିକ ନୁହେଁ। ଦେଶର ସମ୍ବିଧାନର ଗାରିମାକୁ ଅକ୍ଷୁର୍ଣ ରଖି ନିୟମ କାନୁନକୁ ସମସ୍ତଙ୍କ ପାଇଁ ସମାନ ଭାବେ ଲାଗୁକରିବା ହିଁ ପ୍ରକୃତ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ଉଦେଶ୍ୟl ଏହି ମହାନ ପରମ୍ପରା ଯେପରି ଅତୁଟ ରହିବ ସେଥିପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଅତ୍ୟନ୍ତ ଜରୁରୀ। ସୁବିଧାବାଦୀ ଚାଟୁକାରମାନେ ହୁଏତ ମୋ ଲେଖାଟିକୁ ପସନ୍ଦ କରିନପାରନ୍ତି କିନ୍ତୁ ମୋର ସମସ୍ତ ଲେଖାଗୁଡିକ ଦେଶ ତଥା ରାଜ୍ୟର ହିତ ପାଇଁ ସମର୍ପିତ।
ମତାମତ : +୯୧ ୯୩୪୩୯୩୫୩୪୧
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।