ଅଶୋକଙ୍କ ଧର୍ମ ପରିବର୍ତ୍ତନ, ରାଜନୈତିକ ଛଳନା ଓ ଆଧୁନିକ ଶାସନ

  • ଦେବ ରଞ୍ଜନ

ଖ୍ରୀଷ୍ଟପୂର୍ବ ୨୬୦ – ୨୬୧ର କଳିଙ୍ଗ ଯୁଦ୍ଧ ସମ୍ପର୍କରେ ଅଶୋକଙ୍କ ଶିଳାଲେଖାରେ ଲିଖିତ ଅଛି, “ଦେବାନାଂପ୍ରିୟ ପ୍ରିୟଦର୍ଶୀ ଅଶୋକ ନିଜ ଶାସନର ଆଠ ବର୍ଷ ପରେ କଳିଙ୍ଗ ଅକ୍ତିଆର କରିଥିଲେ। ଏହି କଳିଙ୍ଗ ଯୁଦ୍ଧରେ ଏକ ଲକ୍ଷ ପଚାଶ ହଜାର ଜୀବନକୁ ବନ୍ଦୀ କରାଯାଇଥିଲା ଓ ଏକ ଲକ୍ଷ ଜୀବନହାନୀ ହୋଇଥିଲା।“ ଏଥିରେ ପୁଣି ବର୍ଣ୍ଣନା ରହିଛି ଯେ କଳିଙ୍ଗ ଯୁଦ୍ଧର ବୀଭତ୍ସ ଦୃଶ୍ୟ ଦେଖି ‘ଦେବାନାଂପ୍ରିୟ ପ୍ରିୟଦର୍ଶୀ ଅଶୋକଙ୍କ ମନରେ ପରିବର୍ତ୍ତନ ଆସିଥିଲା’ ଓ ସେ ବୌଦ୍ଧଧର୍ମରେ ଦୀକ୍ଷିତ ହୋଇଥିଲେ।

ଅଶୋକଙ୍କ ଶାସନ ସମୟର ଅନେକ ଶିଳାଲେଖା ମଧ୍ୟରୁ କଳିଙ୍ଗ ଯୁଦ୍ଧ ସମ୍ପର୍କରେ କେବଳ ଚାରୋଟି ଶିଳାଲେଖାରେ ଉଲ୍ଲେଖ ରହିଛି। ସେଗୁଡ଼ିକ ଆଜି ଆମକୁ ଆନ୍ଧ୍ର ପ୍ରଦେଶର କୁର୍ନୂଲ ଜିଲ୍ଲାର ଏର୍ଣାଗୁଡି, ଗୁଜୁରାଟର ଜୁନାଗଡ଼, ଉତ୍ତରାଖଣ୍ଡର ଡେରାଡୁନ ଓ ପାକିସ୍ତାନର ପେଶୱାର ଜିଲ୍ଲାର ଶହବାଜଗଡ଼ ସ୍ଥିତ ଶିଳାଲେଖାରୁ ମିଳିପାରୁଛି।

ଯଦି ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧରେ ଅଧିକ ଜୀବନ କ୍ଷୟ ହେବା ଦେଖି ଧର୍ମାଶୋକରେ ପରିଣତ ହେଲେ ତେବେ ସେ କାହିଁକି କଳିଙ୍ଗର ଆଦିବାସୀ ଧର୍ମ ପ୍ରତି ନିଜର ସହୃଦୟତା ଦେଖାଇଲେ ନାହିଁ? କାହିଁକି ତାଙ୍କୁ ବୌଦ୍ଧ ଧର୍ମ ଭଳି ଏକ ଆନୁଷ୍ଠାନିକ ଧର୍ମର ଆବଶ୍ୟକତା ପଡ଼ିଲା? ବୌଦ୍ଧ ଧର୍ମ କଣ ସତରେ ତାଙ୍କ ନିଜର ପରିବର୍ତ୍ତନ ଲାଗି ଆବଶ୍ୟକ ଥିଲା ନା ତାଙ୍କର ବିରାଟ ସାମ୍ରାଜ୍ୟକୁ ଏକାଠି ରଖିବା ଲାଗି ଧର୍ମ ପରିବର୍ତ୍ତନ କେବଳ ଏକ କୌଶଳ ଥିଲା?

ଆଧୁନିକ ‘ଧର୍ମାଶୋକଙ୍କ’ ନିର୍ବାଚନ କୌଶଳ

ଏହି ଶିଳାଲେଖାମାନଙ୍କରୁ ଅଶୋକଙ୍କ ସାମ୍ରାଜ୍ୟ ଦକ୍ଷିଣରେ ଆଜିର କର୍ଣ୍ଣାଟକ, ପୂର୍ବରେ କଳିଙ୍ଗ, ଉତ୍ତରରେ ଆଜିର ନେପାଳ ଓ ପଶ୍ଚିମରେ ଆଜିର ପାକିସ୍ତାନ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା। ତାଙ୍କର କୌଣସି ଶିଳାଲେଖାରେ ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିବା ପରେ ବୁଦ୍ଧଙ୍କ ଭଳି ରାଜା ଆସନ ତ୍ୟାଗ କରି ସନ୍ନ୍ୟାସୀ ହୋଇଯିବା ଉଲ୍ଲେଖ ନାହିଁ ଅର୍ଥାତ ସେ ରାଜା ଆସନ ଆଦୌ ତ୍ୟାଗ କରିନଥିଲେ। ତେବେ ରାଜା ଅଶୋକଙ୍କ ଧର୍ମାଶୋକ ହେବା କ’ଣ ଏକ ଛଳନା ନୁହେଁ?

ରାଜ୍ୟର ବିକାଶ ଓ ଦେଶର ବିକାଶ ଲାଗି ଆଜି ଅନେକ ନେତା ଦିନ ରାତି କାର୍ଯ୍ୟରତ। ସେମାନେ ଗରିବ ରାଜ୍ୟକୁ ବିକାଶର ଶୀର୍ଷରେ ପହଞ୍ଚାଇବା ଲାଗି ଅନେକ ସ୍ଲୋଗାନ ଦେଉଛନ୍ତି। କିନ୍ତୁ ସେମାନେ କେହି କେବେ ଦିନଟିଏ ବି ବସ୍ତିର କୌଣସି ଘରେ ରହିନଥାନ୍ତି। ସବୁଠାରୁ ଅଧିକ ବିକାଶର ବୋଝ ବୋହୁଥିବା ଆଦିବାସୀ ଗାଁରେ ଦିନଟିଏ ବି ରହିନଥିବା ନେତା ଆଦିବାସୀଙ୍କୁ ବିକାଶର ସ୍ଵପ୍ନ ଦେଖାଇଥାନ୍ତି। ଗରିବ ରାଜ୍ୟରେ ବିକାଶର ସ୍ଵପ୍ନ ଦେଖାଉଥିବା ନେତା କେବେ ନିଜ ଦରମା କିମ୍ବା ନିଜ ସମ୍ପତ୍ତିକୁ ରାଜ୍ୟର ବିକାଶ ଲାଗି ବିନିଯୋଗ କରିନାହନ୍ତି। କିନ୍ତୁ ଚାଷୀ, ଆଦିବାସୀ ଓ ବସ୍ତିବାସିନ୍ଦାଙ୍କୁ ପ୍ରତି ଦିନ ରାଜ୍ୟର କେଉଁଠି ନା କେଉଁଠି ଜମିହୀନ ଓ ଗୃହହୀନ କରିଚାଲିଛନ୍ତି। ରାଜ୍ୟବାସୀଙ୍କୁ “ଚାକିରୀ” ଯୋଗାଇବାର ସ୍ଲୋଗାନ ଆଳରେ ନେତାମାନେ ଅଧିକରୁ ଅଧିକ ଧନୀ ହୋଇଚାଲିଛନ୍ତି।

ସମ୍ରାଟ ଅଶୋକଙ୍କ ସମୟରେ କଳିଙ୍ଗର କୌଣସି ସ୍ଵାଧୀନଚେତା ମଣିଷ ଦ୍ଵାରା ଯଦି ଶିଳାଲେଖାଟିଏ ଲେଖାଯାଇପାରିଥାନ୍ତା ତେବେ ସେଥିରେ ରହିଥା’ନ୍ତା ଅଶୋକଙ୍କ ସୈନ୍ୟବାହିନୀ ଆପଣାଇଥିବା ଅମାନବୀୟ ରଣକୌଶଳ, ଅଶୋକଙ୍କ ପ୍ରତି ଅଜସ୍ର ଘୃଣା, ତାଙ୍କୁ କରାଯାଇଥିବା ବିରୋଧ ଓ ଯୁଦ୍ଧରେ କ୍ଷତିଗ୍ରସ୍ତ ଓଡ଼ିଆ ଜନତାଙ୍କ ଦୁଃଖଭରା କାହାଣୀ। ସେହି ଶିଳାଲେଖାରେ ନିଶ୍ଚୟ ରହିଥାନ୍ତା କଳିଙ୍ଗର ସ୍ଵାଧୀନ ଅର୍ଥନୀତି ଓ ସଂସ୍କୃତି ଯାହା ଲାଗି ଲକ୍ଷାଧିକ ଲୋକ ଜୀବନ ଦେଲେ!

ଆଜି ବି ସେହି ସମୟର କୌଣସି ତଥ୍ୟ ଐତିହାସିକମାନଙ୍କ ପାଖରେ ନାହିଁ। ଲାଗୁଛି, ଦୟା ନଦୀ ଜଳରେ କଳିଙ୍ଗବାସୀଙ୍କ ସମସ୍ତ କ୍ଷୋଭ, ଘୃଣା ଓ କ୍ରୋଧ ଯେମିତି ସବୁ ଭାସିଯାଇଛି। ଆଜି ଆମେ ଯାହା ବି ଇତିହାସରେ କଳିଙ୍ଗ ଯୁଦ୍ଧ ସମ୍ପର୍କରେ ପଢୁଛେ ତାହା ଅଶୋକଙ୍କ କର୍ମଚାରୀଙ୍କ ଦ୍ଵାରା ବ୍ରାହ୍ମୀ ଅକ୍ଷରରେ ଲିଖିତ ବିଭିନ୍ନ ଶିଳାଲେଖାରୁ ସଂଗୃହୀତ ତଥ୍ୟ।

ନାଇଜେରିଆର ବିଶ୍ଵ ପ୍ରସିଦ୍ଧ ଔପନ୍ୟାସିକ ଚେନୁଆ ଆଚେବେଙ୍କ ଏକ ଉକ୍ତି ଅଛି ଯେ ଯଦି ସିଂହ ନିଜର ଇତିହାସ ନଲେଖିବ ତେବେ ଶିକାରୀର ଇତିହାସ ହିଁ ସର୍ବଦା ପ୍ରଶଂସିତ ହେବ। କଳିଙ୍ଗ ଯୁଦ୍ଧର ପରବର୍ତ୍ତୀ ଉତ୍କଳର ଲିଖିତ ଇତିହାସ ହେଲା ରାଜାମାନଙ୍କର ପରାକ୍ରମର ଇତିହାସ। ସେମାନେ ନିଜର ପୋଷ୍ୟ କବିମାନଙ୍କ ଦ୍ଵାରା ସ୍ଥାନୀୟ ଲିଖିତ ଭାଷାରେ ଲେଖିଯାଇଛନ୍ତି ଅତି ମିଛ ପରାକ୍ରମର କାହାଣୀ।

ଆଜିର ଗଣମାଧ୍ୟମ ପ୍ରତି ଦିନ ସରକାରୀ ଦଳର ନୂଆ ନୂଆ କାର୍ଯ୍ୟକ୍ରମକୁ ପ୍ରଥମ ପୃଷ୍ଠାର ଶୀର୍ଷକ କରିଛି। ଗଣମାଧ୍ୟମ କେବେ ନିଜର ଗବେଷଣା ଦ୍ଵାରା ପୁରୁଣା ଯୋଜନାର ସଫଳତା ଓ ବିଫଳତା ସମ୍ପର୍କରେ ସମୀକ୍ଷା କରିବାର ସାହସ କରିନାହିଁ। ଏପରିକି ସରକାରଙ୍କୁ ସମାଲୋଚନା କରାଯାଉଥିବା ଲେଖାକୁ ଗଣମାଧ୍ୟମ ବହୁ ଦିନ ହେଲା ପ୍ରକାଶନ ବନ୍ଦ କରିଦେଇଛି। ଦେବାନାଂପ୍ରିୟଙ୍କ ଏହି ଶିଳାଲେଖ – ଆଧୁନିକ ଗଣମାଧ୍ୟମ- ପ୍ରତି ଦିନ ନୂଆ ନୂଆ ଯୋଜନା ଘୋଷଣାରେ ସହଯୋଗ କରିବା ମଧ୍ୟରେ ନେତାଙ୍କୁ ଅପ୍ରତିହତ ରାଜା କରିଦେଇଛି।

ରାଜ୍ୟର ବିକାଶର ନାରା ନେତାଙ୍କୁ ଧନୀ କରୁଛି

ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳରେ ଥିବା ବକ୍ସାଇଟ ଖଣି ଓ ଆଲୁମିନା କମ୍ପାନୀର କାନ୍ଥରେ ଲେଖା ହୋଇରହିଛି ଅନେକ ଗୁଳିକାଣ୍ଡ, ହତ୍ୟା, ଗିରଫଦାରୀ, ଲାଠିଚାର୍ଜ ଓ ୱାରଣ୍ଟ ଯୋଗୁଁ ବର୍ଷ ବର୍ଷ ଧରି ରାସ୍ତା ଉପରକୁ ଆସିପାରୁନଥିବା ଲୋକଙ୍କ ଯନ୍ତ୍ରଣା ଓ କ୍ଷୋଭର କାହାଣୀ।

ଝାଡ଼ଖଣ୍ଡର ସମ୍ମାନିତ ବୃତ୍ତଚିତ୍ର ନିର୍ମାତା ମେଘନାଥ ଶାହା ଓ ବିଜୁ ଟୋପ୍ପୋ ନିଜର ଏକ ବୃତ୍ତଚିତ୍ର “କଳିଙ୍ଗରୁ କାଶୀପୁର” ନିର୍ମାଣ କରିଥିଲେ ଯାହା ପୃଥିବୀର ଅନେକ ଫିଲ୍ମ ଉତ୍ସବରେ ପ୍ରଶଂସିତ ଓ ପୁରସ୍କୃତ ହୋଇପାରିଛି। ସେମାନେ ଏହି ବୃତ୍ତଚିତ୍ରରେ କାଶୀପୁରରେ ସରକାରଙ୍କ ଦ୍ଵାରା ହୋଇଥିବା ବର୍ବରକାଣ୍ଡକୁ କଳିଙ୍ଗ ଯୁଦ୍ଧରେ ଅଶୋକଙ୍କ ବୀଭତ୍ସ କାଣ୍ଡର ଏକ ସଂପ୍ରସାରଣ ଭାବରେ ଦେଖିଛନ୍ତି।

ଦେଖିବାକୁ ଗଲେ, ଆଧୁନିକ ଅଶୋକଙ୍କ ଏହି ଦାୟାଦମାନଙ୍କ ଆକ୍ରମଣ କେବଳ ଆଦିବାସୀ ବହୁଳ କାଶୀପୁର ନୁହେଁ, ଆଜି ବି ପ୍ରତ୍ୟେକ ବୃହତ ପ୍ରକଳ୍ପ ଅଞ୍ଚଳରେ କ୍ରମାଗତ ଦେଖାଯାଉଛି। କଳିଙ୍ଗ ନଗର (ଯାଜପୁର), ନିୟମଗିରି (ରାୟଗଡ଼ା – କଳାହାଣ୍ଡି), ମାଳୀ ପର୍ବତ (କୋରାପୁଟ), ଖଣ୍ଡଆଳ ମାଳୀ (କଳାହାଣ୍ଡି), ଲାଞ୍ଜିବେର୍ଣ୍ଣା (ସୁନ୍ଦରଗଡ଼), ଲୋୟର ସୁକତେଲେ (ବଲାଙ୍ଗୀର), ଗନ୍ଧମାର୍ଦ୍ଦନ (ବରଗଡ଼), ତଲାବିରା (ଝାରସୁଗୁଡ଼ା) ଭଳି ଅନେକ ଆଦିବାସୀ ଅଞ୍ଚଳରେ ସମ୍ରାଟ ଅଶୋକଙ୍କ ଦାୟାଦ, ନେତା ଓ କମ୍ପାନୀମାନେ, ନିଜର ପ୍ରକଳ୍ପ ପ୍ରତିଷ୍ଠା ଲାଗି ଦମନର ରାସ୍ତା ଆପଣାଉଛନ୍ତି। କାରଣ ଲୋକଙ୍କ ବିରୋଧ ରହୁଛି। କେବଳ ଆଦିବାସୀ ଅଞ୍ଚଳ ନୁହେଁ ଉପକୂଳ ଓଡ଼ିଶାର ଚୌମୁଖ (ବାଲେଶ୍ଵର), ଢିଙ୍କିଆ (ଜଗତସିଂହପୁର), ଶିପସରୁବାଲି (ପୁରୀ) ମଧ୍ୟ ସେହି ସମାନ ବିରୋଧ ଦେଖାଯାଉଛି।

ଏହି ବିରୋଧ କାରଣରୁ ରାଜ୍ୟକୁ ଆସୁଥିବା ଅନେକ କମ୍ପାନୀଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିର କଳେବର ଅନେକଟା ଫୁଲିଯାଇଛି। ୨୦୦୮ ମସିହା ପର୍ଯ୍ୟନ୍ତ ଏହି ରିଲିଫ ପାଣ୍ଠିକୁ “ଦାନ” କରୁଥିବା କର୍ପୋରେଟଙ୍କ ନାମ ଓ ଅନୁଦାନ ରାଶି ଉଲ୍ଲେଖ ରହୁଥିଲା। କିନ୍ତୁ ପରେ ଏହାକୁ ହଟାଇଦିଆଗଲା। ଏବେ ରିଲିଫ ପାଣ୍ଠି ସମ୍ପର୍କରେ କୌଣସି ତଥ୍ୟ ଲୋକଙ୍କ ପାଖରେ ନାହିଁ।

କିନ୍ତୁ ବଳପୂର୍ବକ ଓ ଅର୍ଥରାଶି ଦ୍ଵାରା ଜମି ଅଧିଗ୍ରହଣର ପ୍ରକ୍ରିୟା ତ୍ୱରାନ୍ଵିତ ହୋଇଛି। ବିରୋଧୀ ଦଳର ନେତାଙ୍କ ସରକାରୀ ଦଳୀୟକରଣ ହୋଇଛି। ନିର୍ବାଚନ ଅଧିକ ବ୍ୟୟ ବହୁଳ ହୋଇଛି। ପୁଣି ଗରୀବ ରାଜ୍ୟରେ ନବେ ପ୍ରତିଶତ ଲୋକ ଅନିଶ୍ଚିତତା ମଧ୍ୟରେ ରହିଥିଲା ବେଳେ ଓ ଏହାର ଅର୍ଦ୍ଧାଧିକ ଲୋକ ପ୍ରବାସୀ ହେବା ବେଳେ ନେତା କିନ୍ତୁ ଦୀର୍ଘସ୍ଥାୟୀ ହୋଇଛନ୍ତି।

ଆସୁଥିବା କର୍ପୋରେଟ ଅର୍ଥ ନିର୍ବାଚନରେ ଖର୍ଚ୍ଚ ହେଉଛି ଓ ରାଜ୍ୟର ଦାରିଦ୍ର୍ୟ ନେତାଙ୍କୁ ସ୍ଥାୟୀ ସରକାର ଗଢ଼ିବାରେ ପରୋକ୍ଷରେ ସୁଯୋଗ ଦେଇଛି। ଅବଶ୍ୟ ପ୍ରକୃତି ଅମାପ ପ୍ରାକୃତିକ ସମ୍ପଦ ଏହି ଭୂଖଣ୍ଡରେ ରଖିଦେଇଥିବା କାରଣରୁ ରାଜାର ବିକାଶ ଲାଗି ଏକ ଭଲ ବାହାନା ମିଳିପାରିଛି। ଏଥିରେ ନେତା ଓ ବାବୁ ଧନୀ ହେଉଛନ୍ତି, ଏହି ଭୂଖଣ୍ଡରୁ ସମ୍ପତ୍ତି ସରିବାରେ ଲାଗିଛି।

ଧର୍ମ ସମ୍ରାଟ ଅଶୋକଙ୍କ ଲାଗି ଥିଲା କେବଳ ଛଳନା। ନିଜର ବିରାଟ ସାମ୍ରାଜ୍ୟକୁ ଏକାଠି କରି ରଖିବା ଲାଗି ସେ ଧର୍ମାଶୋକରେ ପରିଣତ ହୋଇଥିଲେ। ଆଜିର କମ୍ପାନୀ ଅର୍ଥନୀତିରେ ଦାରିଦ୍ର୍ୟ ହଟାଇବା ଲାଗି ଉଦ୍ୟମ କରିବା ରାଜନେତାଙ୍କ ରାଜନୈତିକ ଛଳନା। ଏହା ସେମାନଙ୍କୁ ସ୍ଥାୟୀ ଧନୀ ଶାସକରେ ପରିଣତ କରୁଛି। ବିକାଶ ନାମରେ ଯାହା କୁହାଯାଉଛି ତାହା କେବଳ ଅନ୍ୟ ଦ୍ଵାରା ସ୍ଥିରୀକୃତ ଶୋଷଣର ଏକ ଖସଡ଼ା। ଏଥିରେ ରାଜନୈତିକ ଫାଇଦା ଅଛି, କିନ୍ତୁ ରାଜ୍ୟର ବିକାଶ ଏଥିରେ ନାହିଁ।

ଏହା କ’ଣ ବିକାଶର ସଂଜ୍ଞା ହୋଇନପାରେ?

ଏହି ସମସ୍ତ ଜନଆନ୍ଦୋଳନ ଗୁଡ଼ିକ ଅହିଂସାର ରାସ୍ତାରେ ନିଜର ଅଧିକାର ପାଇଁ ଲଢ଼େଇ କରୁଛନ୍ତି। ସରକାର ନିଜେ ଲୋକଙ୍କ ସହିତ ଆଲୋଚନା କରିବା ଅପେକ୍ଷା ଅସ୍ତ୍ରଶସ୍ତ୍ର ଧରି ସେମାନଙ୍କୁ ଯୁଦ୍ଧର ଆହ୍ଵାନ ଦେବା ଦ୍ଵାରା କାଁ ଭାଁ କେଉଁଠି ଲୋକେ ଉତ୍ତେଜିତ ହୋଇ କିଛି ଘଟଣା କରିଦେଲେ ତୁରନ୍ତ ସରକାର ‘ହତ୍ୟା ପାଇଁ ଉଦ୍ୟମ’, ‘ଡକାୟତି’, ‘ନିଆଁ ଲଗାଇବା’ ଓ ‘ଦଙ୍ଗା’ ଇତ୍ୟାଦି ଅପରାଧିକ ମାମଲାରେ ଦୀର୍ଘକାଳ ସ୍ଥାନୀୟ ଲୋକଙ୍କୁ ଜେଲରେ ରଖିଦେଉଛନ୍ତି।

ଜେଲ ଯାଇଥିବା ଗ୍ରାମବାସୀ ଜାମିନରେ ଆସିବା ବେଳକୁ ସେମାନଙ୍କ ଜମି, ବାସସ୍ଥାନ ଓ ଜଙ୍ଗଲ ଅପହୃତ ହୋଇଯାଉଛି। ପ୍ରକଳ୍ପର ଆସିବା ପୂର୍ବରୁ ନା ସେମାନେ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିଲେ ନା ପ୍ରକଳ୍ପ ଫେରିଯିବା ପରେ ବି ସେମାନେ ସେ ଭଳି କାର୍ଯ୍ୟରେ ଲିପ୍ତ ରହିଥାନ୍ତି? କିନ୍ତୁ ପ୍ରକଳ୍ପକୁ ସଫଳ କରିବା ଲାଗି ରାଜ୍ୟ ସରକାର ଲୋକଙ୍କ ଅର୍ଥରେ ନୂତନ ପୁଲିସ ଥାନା ଖୋଲୁଛନ୍ତି ଯାହା ଦ୍ଵାରା ଦମନ ଅଧିକ ନିକଟରୁ କରିହେବ। ଏହି କ୍ରିୟା ବରଂ ଦୁଇ ହଜାର ମସିହା ପରଠାରୁ ଦ୍ରୁତ ହୋଇଛି।

ଦେଖିବାକୁ ଗଲେ, କାଶୀପୁରଠାରୁ ଶିପସରୁବାଲି ପର୍ଯ୍ୟନ୍ତ ସମଗ୍ର ଆଦିବାସୀ ଓ ଅଣଆଦିବାସୀ ଅଞ୍ଚଳରେ ପାରସ୍ପରିକ ଅର୍ଥ ବ୍ୟବସ୍ଥା, ସମାଜ, ସଂସ୍କୃତି ଓ ଆଞ୍ଚଳିକ ଧର୍ମ ବିଶ୍ଵାସ ରହିଛି। ଏହି ଅଞ୍ଚଳରେ ନା ବିଷାଦ କାରଣରୁ ଆତ୍ମହତ୍ୟା ହୁଏ ନା ଶୋଷଣର ରାସ୍ତାରେ କେହି ଅଧିକ ଧନୀ ହୋଇଯାଇଛନ୍ତି? ନା ଏ ଅଞ୍ଚଳରୁ ଯୁବକ ଦାଦନ ଯିବା ଲାଗି ବାଧ୍ୟ ହେଉଛି (ଏବେ କିଛି ବର୍ଷ ଅବଶ୍ୟ ଆରମ୍ଭ ହୋଇଛି) ନା ଏ ଅଞ୍ଚଳରେ ଭିକ୍ଷା ବୃତ୍ତି କରି ବଞ୍ଚୁଥିବା ଲୋକ କେବେ ଦେଖାଯାଇଥାନ୍ତି? ନା ନାରୀକୁ ଯୌନ ପ୍ରତୀକ କରି ଧର୍ଷଣ ଓ ହତ୍ୟା କରି ଫୋପାଡ଼ି ଦିଆଯାଏ?

ବରଂ ଏହି ସମସ୍ତ ଅଞ୍ଚଳରେ ହେଉଥିବା ପ୍ରକଳ୍ପ ବିରୋଧୀ ଆନ୍ଦୋଳନରେ, (ଉଭୟ ଆଦିବାସୀ ଓ ଅଣଆଦିବାସୀ) ମହିଳାଙ୍କ ଯୋଗଦାନ ପୁରୁଷଙ୍କ ତୁଳନାରେ ବହୁତ ଅଧିକ। ଏହି ଅଞ୍ଚଳର ଅର୍ଥନୀତି କଦାପି ବିଶ୍ଵ ଜଳବାୟୁ ପରିବର୍ତ୍ତନ ଓ ପରିବେଶର କ୍ଷତି ଲାଗି ଦାୟୀ ହେବ ନାହିଁ କିମ୍ବା ଅନ୍ୟ ଲକ୍ଷ ଲକ୍ଷ ଲୋକଙ୍କ ଲାଗି ବନ୍ୟା, ମରୁଡ଼ି କିମ୍ବା ବାତ୍ୟା ଆଣିବ ନାହିଁ।

ଏହା କ’ଣ ବିକାଶର ସଂଜ୍ଞା ହୋଇନପାରେ?

ମୋବାଇଲ- ୯୪୩୭୭୬୨୨୭୨

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।