/odisha-reporter/media/post_attachments/uploads/2019/11/tip.jpg)
tip
ଦେବେନ୍ଦ୍ର ପୃଷ୍ଟି
ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ଅପରାଧ ନିୟନ୍ତ୍ରଣ ସହିତ ପୁଲିସର ଅନ୍ୟ ଏକ ଦାୟିତ୍ୱ ହେଉଛି ଜନ-ସୁରକ୍ଷା। ଲୋକମାନଙ୍କର ଧନ ଓ ଜୀବନର ସୁରକ୍ଷାରେ ମଧ୍ୟ ପୁଲିସର ଏକ ବଡ଼ ଭୂମିକା ଅଛି। ସେମାନଙ୍କ ଦକ୍ଷତା, ନିରପେକ୍ଷତା ଓ ସଚ୍ଚୋଟତା ଉପରେ ନିର୍ଭର କରେ ଲୋକମାନଙ୍କର ଶାନ୍ତି ଓ ସୁରକ୍ଷାର ଅଧିକାର। ଦିଲ୍ଲୀ ପୁଲିସ ଓ ଓକିଲ ବିବାଦରେ ଏବେ ଏହି ପୁଲିସ ହିଁ ସୁରକ୍ଷା-ପ୍ରାର୍ଥୀ। ଠିକ ସେହିପରି ଓକିଲମାନେ ହେଲେ ନ୍ୟାୟପାଳିକାର ଅଧିକାରୀ। ଜନ ସାଧାରଣଙ୍କୁ ନ୍ୟାୟ ଦେବାରେ ସେମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ ସଚ୍ଚୋଟତା, ନିରପେକ୍ଷତା ଓ ଦକ୍ଷତା ଉପରେ ନିର୍ଭରଶୀଳ ଲୋକମାନଙ୍କର ନ୍ୟାୟ ପାଇବାର ଅଧିକାରର ସୁରକ୍ଷା। ଦିଲ୍ଲୀ ପୁଲିସ-ଓକିଲ ବିବାଦରେ ଏହି ଓକିଲମାନେ ହିଁ ଏବେ ନ୍ୟାୟ-ପ୍ରାର୍ଥୀ।
ଇଏ ଏକ ବିଚିତ୍ର ପରିସ୍ଥିତି। ପୁଲିସମାନେ ହେଉଛନ୍ତି ସରକାରଙ୍କର ଏକ ଅଙ୍ଗ। କେନ୍ଦ୍ର ସ୍ତରରେ ସ୍ୱରାଷ୍ଟ୍ର ବିଭାଗର ଅଙ୍ଗ ହେଲେ ଦିଲ୍ଲୀ ପୁଲିସ। ରାଜ୍ୟ ସ୍ତରରେ ଗୃହ ବିଭାଗ ଅଧୀନରେ କାମ କରନ୍ତି ପୁଲିସ ବାହିନୀ। ଆଇନର ଶାସନ ବଜାୟ ରଖିବା ହେଉଛି ପୁଲିସ ବିଭାଗର ଦାୟିତ୍ୱ। ଏବେ କିନ୍ତୁ ଓକିଲମାନଙ୍କ ଅଭିଯୋଗ ଅନୁସାରେ ସେମାନେ ଦିଲ୍ଲୀରେ ଆଇନଶୃଙ୍ଖଳା ଭଙ୍ଗ କରିବାରେ ଅଭିଯୁକ୍ତ। ଅନ୍ୟପକ୍ଷରେ ଓକିଲମାନେ ସିଧାସଳଖ ସରକାରଙ୍କର ଅଙ୍ଗ ହୋଇ ନଥିଲେ ମଧ୍ୟ ନ୍ୟାୟପାଳିକାର ଅଙ୍ଗ ଭାବେ ମାନ୍ୟତାପ୍ରାପ୍ତ। ଆଇନର ଶାସନ ବଜାୟ ରଖିବାରେ ଏମାନଙ୍କର ଭୂମିକା ମଧ୍ୟ କମ୍ ନୁହେଁ। ଓକିଲମାନେ ଦେଶର ଆଇନକାନୁନ ବିଷୟରେ ଅନ୍ୟ ବର୍ଗର ପେସାଦାରଙ୍କ ତୁଳନାରେ ଅଧିକ ଅବଗତ। କାରଣ ତାହା ହେଉଛି ସେମାନଙ୍କର ବୃତ୍ତି। କିନ୍ତୁ ଦିଲ୍ଲୀ ପୁଲିସର ଅନୁସାରେ ଦିଲ୍ଲୀର ଓକିଲମାନେ ଆଇନ ଭଙ୍ଗ ଅଭିଯୋଗରେ ଅଭିଯୁକ୍ତ।
ଏ ଦୁଇ ପକ୍ଷ ମଧ୍ୟରେ ଚାଲିଥିବା ବିବାଦ କୋର୍ଟଙ୍କ ହସ୍ତକ୍ଷେପ ପରେ ମଧ୍ୟ ତୁଟି ନାହିଁ। ଆଗେ ଓକିଲ କୋର୍ଟ ବର୍ଜନ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏବେ ପୁଲିସମାନେ ଆନ୍ଦୋଳନରେ। ଏହି ବିବାଦରେ ସମଗ୍ର ଦେଶର ପୁଲିସ ଦିଲ୍ଲୀ ପୁଲିସକୁ ସମର୍ଥନ ଘୋଷଣା କରିଛନ୍ତି। ଦିଲ୍ଲୀ ଓକିଲ ସଂଘକୁ ଅବଶ୍ୟ ସମଗ୍ର ଦେଶର ବାର୍ କାଉନ୍ସିଲ୍ ସମର୍ଥନ କରିନାହିଁ। ମାତ୍ର ଆଗକୁ ସେମାନେ ଯେ ସେମାନଙ୍କ ବୃତ୍ତିର ପୂର୍ଣ୍ଣ ସମର୍ଥନ ନପାଇବେ ତାହା କୁହାଯାଇ ପାରିବ ନାହିଁ। ଏଭଳି ଆନ୍ଦୋଳନ ବା ବିବାଦରେ ନିଜ ପେସାର ସମ୍ମାନ ଓ ସୁରକ୍ଷା ଦୃଷ୍ଟିରୁ ସବୁ ବାର୍ ଏକଜୁଟ ହେବାର ନଜୀର ରହିଛି। ଏ ଦୁଇ ପକ୍ଷର ଏଭଳି ବିବାଦରେ ପୁଲିସ ଓ ଓକିଲଙ୍କର ବିଶେଷ କ୍ଷତି ହେବ ନାହିଁ। ପୁଲିସ ବିଭାଗର କ୍ଷତି ସରକାର ଭରଣା କରିବେ। ଓକିଲମାନଙ୍କର ଗାଡ଼ିମୋଟର କ୍ଷତି ଭରଣା ବୀମା କମ୍ପାନୀ କରିପାରିବେ। ମଝିରେ ହନ୍ତସନ୍ତ ହେବେ ନ୍ୟାୟ ଓ ସୁରକ୍ଷା ପ୍ରାର୍ଥୀ ସାଧାରଣ ଜନତା।
ଏ ଦେଶରେ ଏଭଳି ଘଟଣା ନୂଆ ନୁହେଁ। ୧୯୮୮ ମସିହାରେ କୀରଣ ବେଦୀ ଦିଲ୍ଲୀ ପୁଲିସ କମିଶନର ଥିଲାବେଳେ ଉଭୟ ପକ୍ଷ ମଧ୍ୟରେ ଏଭଳି ଏକ ଘଟଣା ଘଟିଥିଲା। ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜର କମନ୍ ରୁମ୍ରୁ ଚୋରି କରିବା ସମୟରେ ଧରାପଡ଼ିଥିଲେ ଜଣେ ଓକିଲ। ତାଙ୍କ ନାଁ ରାଜେଶ ଅଗ୍ନିହୋତ୍ରୀ। ପିଲାମାନେ ତାଙ୍କୁ ପୁଲିସକୁ ହସ୍ତାନ୍ତର କରିଥିଲେ। ପୁଲିସ ତାଙ୍କୁ ଗିରଫ କରିଥିଲା। କୋର୍ଟରେ ତାଙ୍କୁ ହାଜର କରିବା ସମୟରେ ତାଙ୍କ ହାତରେ ହାତକଡ଼ି ପଡ଼ିଥିଲେ ଦେଖିଥିଲେ ଅନ୍ୟ ଓକିଲ। ଏହାକୁ ସେମାନେ ବିରୋଧ କରିଥିଲେ। ଏହା ବେଆଇନ ବୋଲି ଓକିଲମାନେ ଯୁକ୍ତି କରିଥିଲେ। କିନ୍ତୁ ପୁଲିସ ମାନି ନଥିଲା। ପରଦିନ ଏହି ପ୍ରସଙ୍ଗରେ ଓକିଲମାନେ କୀରଣ ବେଦୀଙ୍କୁ ଭେଟିବାକୁ ଯାଇଥିଲେ। କିନ୍ତୁ ତାଙ୍କ ଅଫିସ ବାହାରେ ପୁଲିସ ଓ ଓକିଲଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ଲାଠିମାଡ଼ ହୋଇଥିଲା। ଏହା ଏକ ବଡ଼ ପ୍ରସଙ୍ଗରେ ପରିଣତ ହୋଇଥିଲା। ଓକିଲମାନେ ଦୁଇ ମାସ ଧରି ଧର୍ମଘଟ କରିଥିଲେ। ପରେ ଏ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଦିଲ୍ଲୀ ହାଇକୋର୍ଟ କୋର୍ଟ ନିଷ୍ପତ୍ତି ନେବା ପରେ ଓକିଲ ଆନ୍ଦୋଳନ ହଟିଥିଲା। ତଦନ୍ତ କମିଶନ ଓକିଲଙ୍କ ହାତରେ ହାତକଡ଼ିକୁ ବେଆଇନ କହିବା ସହିତ ବେଦୀଙ୍କର ବଦଳି ସୁପାରିଶ କରିଥିଲା।
ଠିକ ସେହିପରି ଓଡ଼ିଶାରେ ୨୦୧୮ ମସିହାରେ ଏହିପରି ଏକ ଘଟଣା ଘଟିଥିଲା। ସେହିବର୍ଷ ଅଗଷ୍ଟ ମାସରେ ଜଣେ ଓକିଲକୁ କଟକ ପୁଲିସ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଓକିଲମାନଙ୍କ ଅଭିଯୋଗ ଅନୁସାରେ ପୁଲିସ ଦେବୀ ପ୍ରସାଦ ପଟ୍ଟନାୟକ ନାମକ ସଂପୃକ୍ତ ଓକିଲକୁ ଥାନାରେ ନେଇ ବାଡ଼ାପିଟା କରିଥିଲେ। ଏହା ବିରୋଧରେ ରାଜ୍ୟ ସାରା ଓକିଲ ଏକଜୁଟ ହୋଇ କୋର୍ଟ ବର୍ଜନ କରିଥିଲେ। ସୁପ୍ରିମ କୋର୍ଟ ଏହି ଧର୍ମଘଟକୁ ବେଆଇନ ଘୋଷଣା କରିବା ପରେ ମଧ୍ୟ ଓକିଲ ସଙ୍ଘ ଆନ୍ଦୋଳନରୁ ହଟି ନଥିଲ। ବରଂ ରାଜ୍ୟର ଶାସକ ବିଜୁ ଜନତା ଦଳର ସମର୍ଥକ ଓକିଲମାନେ ସେହି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରିବାରୁ ହାଇକୋର୍ଟର ଓକିଲଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ମାମଲା ଅଧିକ ବିବାଦୀୟ ହୋଇଥିଲା। ମୂଳ ଘଟଣାରେ ପୁଲିସର ମତ ଥିଲା ଯେ ଘଟଣା ଦିନ ସଂପୃକ୍ତ ଓକିଲ ଅତ୍ୟଧିକ ମଦ୍ୟପାନ କରି ଗାଡ଼ି ଚଳାଇ ଏକ ଦୁର୍ଘଟଣା ଘଟାଇଥିଲେ। ସେଠାରେ ଉତ୍ତ୍ୟକ୍ତ ଲୋକମାନେ ତାଙ୍କୁ ଆକ୍ରମଣ କରିବାକୁ ଆସିଥିଲେ। ଏହି ସମୟରେ ପୁଲିସ ସେଠାରେ ପହଂଚି ସୁରକ୍ଷା ପାଇଁ ତାଙ୍କୁ ଥାନାକୁ ନେଇ ଆସିଥିଲେ। କିନ୍ତୁ ଥାନାରେ ମଦନିଶାରେ ମଧ୍ୟ ସେହି ଓକିଲ ପୁଲିସକୁ ଗାଳିଫଜିତ କରିବା ସହିତ ଦୁର୍ବ୍ୟବହାର କରିଥିଲେ। ଏହାର ଭିଡ଼ିଓଚିତ୍ର ଭାଇରାଲ ହୋଇଥିଲା। ସଂପୃକ୍ତ ଓକିଲ ଉନ୍ମତ୍ତ କାଣ୍ଡ କରିବାରୁ ପୁଲିସ ତାଙ୍କୁ ଦି’ ଚାରି ଧକ୍କା ପକେଇଥିଲା। ସେଇଥିରେ ଓକିଲ ସଂଘ ପ୍ରତିକ୍ରିୟାଶୀଳ ହୋଇ କୋର୍ଟ ବର୍ଜନ କରିଥିଲା। ପରେ ହାଇକୋର୍ଟ, ରାଜ୍ୟ ସରକାର, ପୁଲିସ ବାହିନୀ ଏବଂ ଓକିଲ ସଂଘ ମଧ୍ୟରେ ବୁଝାମଣା ହୋଇ ଏହି ବିବାଦ ଥମିଥିଲା।
ସମଗ୍ର ଦେଶରେ ଏଭଳି ଅନେକ ଘଟଣା ଘଟୁଛି। ସାଧାରଣ ବିଚାରରେ ଏଭଳି ଘଟଣା ସବୁ ଅଶୋଭନୀୟ। ଦେଶରେ ସାମ୍ବିଧାନିକ ଗଣତନ୍ତ୍ର ଭିତ୍ତିକ ଶାସନ ପାଇଁ ଉଭୟ ପୁଲିସ ଓ ଓକିଲଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଉଭୟେ ଆଇନ ପରିସରରେ ରହି କାର୍ଯ୍ୟ କରିବା କଥା। ଆଇନର ଶାସନ ପାଇଁ ନିଯୁକ୍ତ ପୁଲିସ ଓ ଆଇନର ତର୍ଜମା ପାଇଁ କାର୍ଯ୍ୟରତ ଓକିଲମାନେ ଯଦି ଆଇନ ଉଲ୍ଲଙ୍ଘନ କରିବେ, ନିଜନିଜ ବୃତ୍ତିର ସମ୍ମାନକୁ ଅଧିକ ଗୁରୁତ୍ୱ ଦେଇ ଆଇନ ଅମାନ୍ୟ କରିବେ ତେବେ କାର୍ଯ୍ୟନିର୍ବାହୀ ଓ ନ୍ୟାୟପାଳିକ ଚାଲିବ କିପରି? ଲୋକମାନେ ନ୍ୟାୟ ପାଇବେ କିପରି? ନାଗରିକମାନଙ୍କର ଅଧିକାର ସୁରକ୍ଷିତ ରହିବ କିପରି? ତା’ଛଡ଼ା ଅନ୍ୟମାନଙ୍କ ଉପରେ ଆଇନର ଶାସନ ଜାରି କରିବାର ଭୂମିକା ନିର୍ବାହ କରୁଥିବା ଓକିଲ ଓ ପୁଲିସ ବାହିନୀ ନିଜ ବୃତ୍ତି ବା ସେବାର ସଦସ୍ୟମାନଙ୍କ କ୍ଷେତ୍ରରେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ଯଥାର୍ଥ କି?
ଏଭଳି ଅନେକ ପ୍ରଶ୍ନର ଉତ୍ତର କିଏ ଦେବ? ସେମାନେ ନିଜନିଜ ଉପରେ ଆତ୍ମନିୟନ୍ତ୍ରଣ ଜାରି କରିବା ଦରକାର। ନହେଲେ ଦେଶରେ ଆଇନର ଶାସନ ପାଇଁ ଏ ଦୁଇ ବୃତ୍ତି ଉପରେ ମଧ୍ୟ ଆଇନର ଅଙ୍କୁଶ ଲାଗିବା ଆବଶ୍ୟକ ପଡ଼ିବ। ଯଦିଓ ପ୍ରଚଳିତ ଆଇନରେ ଏ ଦୁଇ ବୃତ୍ତିର ଲୋକମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଅନେକ ବ୍ୟବସ୍ଥା ରହିଛି ତେବେ ଏଭଳି ଘଟଣା ବଢ଼ି ଚାଲିଥିବାରୁ ସେ ଦିଗରେ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନର ଆବଶ୍ୟକତା ଅନୁଭୂତ ହେଲାଣି। ଏ ଦିଗରେ ଦେଶର ମାନ୍ୟବର ସାଂସଦମାନେ ଦୃଷ୍ଟି ଦେବା ଉଚିତ। ସରକାର ମଧ୍ୟ ନୀରବ ଓ ନିଷ୍କ୍ରିୟ ରହିବା ଠିକ ନୁହେଁ। ସବୁଦିନ ପାଇଁ ପୁଲିସ ଓ ଓକିଲଙ୍କ ମଧ୍ୟରେ ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇ ଯେପରି ଏ ଦୁଇ ଗୋଷ୍ଠୀ ମଧ୍ୟରେ ସମନ୍ୱୟ ଓ ସଂହତି ପ୍ରତିଷ୍ଠା ହୁଏ ସେ ଦିଗରେ ସରକାର ଏକ ସଭ୍ୟ ଆଚରଣବିଧି ପ୍ରଣୟନ କରିବା ଦରକାର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
