Advertisment

ମ୍ୟାଟ୍ରିକ ପରୀକ୍ଷା- ମାର୍କ ଚିନ୍ତା ଚମତ୍କାର!

ରୁଦ୍ର ପ୍ରସନ୍ନ ରଥ ଏବେ ଏବେ ମ୍ୟାଟ୍ରିକ୍ ପରୀକ୍ଷା ସରିଛି। ମ୍ୟାଟ୍ରିକ୍ ପରୀକ୍ଷାର ଫଳ ବାହାରିବାକୁ ଆହୁରି କିଛି ସମୟ ଲାଗିଯିବ। କିଛି ବର୍ଷ ତଳେ ଏହି ସମୟ ସେସମୟରର ପିଲାଙ୍କ ପାଇଁ ବେଶ୍ ରୋମାଂଚକର ଥିଲା। ମାମୁଁଘର ଗାଁ ବୁଲିଯିବା, ଆମ୍ବ ତୋଟାରେ ଗାଧୁଆବେଳ ସାରା ଖେଳିବା, ନଈକୁ ପହଁରିବାକୁ ଯିବା, ଖରାବେଳେ କିଛି ସମୟ ଶୋଇ ପୁଣି ବାହାରକୁ ବୁଲିବାକୁ ବାହାରିଯିବାରେ ମାଟ୍ରିକ୍‌ ପରୀକ୍ଷା ଦେଇଥିବା ପିଲାଙ୍କର ସମୟ ସରିଯାଉଥିଲା। ପରୀକ୍ଷାର ଫଳ କ’ଣ […]

ମ୍ୟାଟ୍ରିକ ପରୀକ୍ଷା- ମାର୍କ ଚିନ୍ତା ଚମତ୍କାର!

Exam

Advertisment
  • ରୁଦ୍ର ପ୍ରସନ୍ନ ରଥ

ଏବେ ଏବେ ମ୍ୟାଟ୍ରିକ୍ ପରୀକ୍ଷା ସରିଛି। ମ୍ୟାଟ୍ରିକ୍ ପରୀକ୍ଷାର ଫଳ ବାହାରିବାକୁ ଆହୁରି କିଛି ସମୟ ଲାଗିଯିବ। କିଛି ବର୍ଷ ତଳେ ଏହି ସମୟ ସେସମୟରର ପିଲାଙ୍କ ପାଇଁ ବେଶ୍ ରୋମାଂଚକର ଥିଲା। ମାମୁଁଘର ଗାଁ ବୁଲିଯିବା, ଆମ୍ବ ତୋଟାରେ ଗାଧୁଆବେଳ ସାରା ଖେଳିବା, ନଈକୁ ପହଁରିବାକୁ ଯିବା, ଖରାବେଳେ କିଛି ସମୟ ଶୋଇ ପୁଣି ବାହାରକୁ ବୁଲିବାକୁ ବାହାରିଯିବାରେ ମାଟ୍ରିକ୍‌ ପରୀକ୍ଷା ଦେଇଥିବା ପିଲାଙ୍କର ସମୟ ସରିଯାଉଥିଲା। ପରୀକ୍ଷାର ଫଳ କ’ଣ ହେବ ତାହା ଚିନ୍ତା କରିବା ଆବଶ୍ୟକ ନଥିଲା। କାରଣ ଆସନ୍ତାକାଲି ବିଷୟ ଚିନ୍ତା ନକରି ଆଜିରେ ପିଲାମାନେ ମସଗୁଲ୍ ରହୁଥିଲେ। ଏମିତି ଏମିତିରେ ସେ ଉଦଉଦିଆ, ହିଂସ୍ର ଖରା ଛୁଟିଟା କେମିତ କଟିଯାଉଥିଲା ତାହା କାହାକୁ ଜଣାପଡୁନଥିଲା। ମେ ମାସର ଟାଣ ଖରା ମ୍ୟାଟ୍ରିକ୍ ପରୀକ୍ଷା ଦେଇଥିବା ସବୁ ପିଲାଙ୍କୁ ବେଶ୍ ସହଜ ଏବଂ ରସାଳ ମନେ ହେଉଥିଲା।

Advertisment

ମାତ୍ର ଏବେ ପରିସ୍ଥିତି ବଦଳିଯାଇଛି। ଶିକ୍ଷାର କଳେବର, ପିଲାଙ୍କ ଇଚ୍ଛା ଏବଂ ପିଲାଟିକୁ ଯନ୍ତ୍ରଚାଳିତ ଟଙ୍କା ରୋଜଗାର କରିପାରୁଥିବା ମେସିନରେ ପରିଣତ କରିବାକୁ ବାପାମାମାନଙ୍କର ଲୋଭ ଏବେ ପିଲାମାନଙ୍କୁ ବେଶ୍ ସଚେତନ କରାଇ ଦେଇଛି। ଏବେ ପାଠପଡୁଥିବା ପିଲାଙ୍କ ଉପରେ ପ୍ରବଳ ଚାପ। ସମସ୍ତେ ସବୁ ବିଷୟରେ ସବୁବେଳେ ପ୍ରଥମ ହେବା ପାଇଁ ଗଳଦଘର୍ମ ପରିଶ୍ରମ କରିବାକୁ ବାଧ୍ୟ। ଏବେ ତ ପରୀକ୍ଷା ସରୁ ସରୁ କିଛି ପିଲା ଆଗୁଆ ଟିଉସନରେ ହାଜିର। +୨ ଶ୍ରେଣୀରେ ଆଗୁଆ ରହିବା ପାଇଁ ଟିଉସନ୍ ବେଶ୍ ଜରୁରୀ। ପାଠପଢା, ଟିଉସନ ଏବଂ ହୋମୱାର୍କର ଭିଡ଼ ଏତେ ଅଧିକ ଯେ ଜଣେ ଚାହିଁଲେ ବି ସେଥିରୁ ବାହାରି ପାରୁନାହିଁ। ଶୈଶବର କମନୀୟତା ପଢ଼ା ବହି ଭିତରେ ହଜିଯାଇଛି ଯେମିତି।

ପରୀକ୍ଷା ପରେ ବି ପିଲା ନିଜ ଛୁଟିକୁ ଉପଭୋଗ କରିପାରୁନାହିଁ। ପିଲା ମୁଣ୍ଡରେ ପରୀକ୍ଷା ସରିବାର ଚିନ୍ତା ସଂପୂର୍ଣ୍ଣ ଓହ୍ଲାଇ ନଥିବାବେଳେ ପରୀକ୍ଷାରେ କେତେ ନମ୍ବର ରଖିବ ସେ ଭୂତ ସବାର ହୋଇଯାଉଛି। ପରୀକ୍ଷା ପ୍ରଶ୍ନପତ୍ରକୁ ଅଣ୍ଡାଳୁଛି। ବାପା ମା’ ବି ହିସାବ କରୁଛନ୍ତି ଯେ ଆମ ପିଲା କେତେ ପ୍ରତିଶତ ମାର୍କ ରଖିବ। ଆଜିକାଲି ପରୀକ୍ଷା ଏତେ ପ୍ରତିଦ୍ୱନ୍ଦିତାମୂଳକ ଯେ ୮୦-୮୫% ପ୍ରତିଶତର ନମ୍ବର ରଖୁଥିବା ପିଲା ବି ବେଳେ ବେଳେ ଭିଡ଼କୁ ନୁହେଁ ବୋଲି ଗଣାଯାଉଛି। ସମସ୍ତଙ୍କର ନମ୍ବର ଦରକାର। ତାହା ପୁଣି ୯୫%ରୁ ଅଧିକ। ପିତାମାତା ଭାବୁଛନ୍ତି ଯଦି ମୋ ପିଲା ୯୫ ପ୍ରତିଶତରୁ କମ୍ ରଖିଲା ତେବେ ସେ କୌଣସି ଭଲ କଲେଜରେ ଆଡମିଶନ୍ ପାଇବ ନାହିଁ। ଆଉ କିଛି ଭାବନ୍ତି ଯଦି ଅମୁକ ଘରର ପିଲା ମୋ’ଠାରୁ ଅଧିକ ନମ୍ବର ରଖିଲା ତେବେ ମୋର ଆଉ ଇଜ୍ଜତ ରହିବ ତ? କେତେବେଳେ ପିତାମାତାଙ୍କ ଇଜ୍ଜତ ପାଇଁ ତ ଆଉ କେତେବେଳେ ପ୍ରତିଯୋଗୀତାରେ ତିଷ୍ଠି ରହିବା ପାଇଁ ପିଲାଟି ୯୫ ପ୍ରତିଶତ ନମ୍ବର ପଛରେ ଧାଉଁଛି। ଛୁଟିର ସମୟ ନମ୍ବର ବିଷୟରେ ଚିନ୍ତା କରି କରି ସରି ଯାଉଛି। କେତେ ନମ୍ବର ରହିବାର ଚମତ୍କାର ଚିନ୍ତା ପଛରେ ଦୌଡ଼ି ଦୌଡ଼ି ପିଲାଟି ନିଜର ଅମୂଲ୍ୟ ଛୁଟି ସବୁକୁ ହରାଇ ଦେଉଛି। ଏହି ଛୁଟି କାଟିବାର ସ୍ମୃତି ହୁଏତ ତାର ଭବିଷ୍ୟତର ସୁଖମୟ ଜୀବନର ଆଧାର ହୋଇଥାଆନ୍ତା।

Advertisment

ଛୁଟି ସବୁ ନକାଟି ନକାଟି ସାରିଦେଲା ପରେ ପରୀକ୍ଷା ଫଳ ବାହାରି ଆସିଥାଏ। ଫେଲ ହୋଇଥିବା ପିଲା ମନଦୁଃଖ କରିଥାଏ। ତେବେ ଅନେକ ସମୟରେ ଦେଖାଯାଏ ଯେ ପାଶ୍ କରିସାରିଥିବା ପିଲାଟି ମଧ୍ୟ ଉପଯୁକ୍ତ ପ୍ରତିଶତର ମାର୍କ ରଖିନଥିବାରୁ ମନଦୁଃଖ କରିଥାଏ। ସାହି ପଡ଼ିଶାଙ୍କ ଟାହି ଟାପରା ହେଉ କିମ୍ବା ପ୍ରତିଯୋଗୀତାରେ ଅନ୍ୟଠୁ ପଛରେ ପଡ଼ିଯିବାର ଭୟ ହେଉ ପିଲାଟି ଦୁଃଖ ଏବଂ ପଶ୍ଚାତାପରେ ସମୟ କାଟିଥାଏ। ଆଗକୁ ଭଲ କଲେଜରେ ସିଟ୍ ନମିଳିବାର ଆଶଙ୍କା ହେଉ କିମ୍ବା କ୍ୟାରିୟରରେ ବିଶେଷ ଆଗକୁ ନ ଯିବାର ଭୟ ହେଉ ପିଲାଟି ଅତ୍ୟନ୍ତ ଉଦବିଗ୍ନରେ ସମୟ କାଟିଥାଏ। ଅନେକ ସମୟରେ ପିଲା ଚରମ ପଦକ୍ଷେପ ନେଇ ନିଜର ଜୀବନ ହାରିଦେବାର ମଧ୍ୟ ନଜୀର କିଛି କମ୍ ନାହିଁ। ମୋଟ୍ ଉପରେ ପିଲା ପରୀକ୍ଷା ଦେବା ପରେ ଏବଂ ଫଳ ବାହାରିବା ଯାଏ ଗୋଟିଏ ଭୟଙ୍କର ଚାପ ଭିତରେ ଥାଏ। ଅନାଗତ ଭବିଷ୍ୟତକୁ ସାମନା କରିବାକୁ ତାକୁ ଭୟ ଲାଗୁଥାଏ।

ଏହି ଚାପ ନା ପିଲାପାଇଁ ଭଲ ନା ପରିବାର କିମ୍ବା ସମାଜ ପାଇଁ। କୌଣସି ପରୀକ୍ଷାରେ ଜଣେ ପିଲା କେତେ ନମ୍ବର ରଖିଲା ବା କେତେ ପ୍ରତିଶତ ରଖିଲା ତାହା ପିଲାର ଯୋଗ୍ୟତାର ମାପକାଠି ସବୁବେଳେ ନ ହୋଇପାରେ। ପରୀକ୍ଷକଙ୍କ ଭୂଲ ଯୋଗୁଁ ହେଉ କିମ୍ବା ଅନ୍ୟ କିଛି କାରଣରୁ ପିଲା ଜଣଙ୍କ ହୁଏତ ନିଜ ମନମୁତାବକ ନମ୍ବର ରଖିପାରି ନାହିଁ। ତେବେ ଏହା ତାହାର ଜୀବନର ଶେଷ ପରୀକ୍ଷା କେବେ ନୁହେଁ। ଜୀବନ ନିଜେ ଗୋଟିଏ ଏପରି ପରୀକ୍ଷା ଯେଉଁଥିରେ ପ୍ରତିଶତ ଆଦୌ କୌଣସି ଜିନିଷର ମାପକାଠି ନୁହେଁ। ହୁଏତ କୌଣସି ପରୀକ୍ଷାରେ କିଛି ପ୍ରତିଶତ କମ୍ ନମ୍ବର ରହିଲେ ଏହା ପିଲାର ଜୀବନକୁ କିଛିମାତ୍ରାରେ ସାମୟିକ ରୁପେ ପ୍ରଭାବିତ କରିପାରେ ମାତ୍ର ଏହା ଜୀବନ ରୂପକ ନୌକାର ଗତିକୁ ସବୁଦିନ ପାଇଁ ବୁଲାଇବାକୁ ସକ୍ଷମ ନୁହେଁ। ବରଂ ଶିଖିବାର ଆଗ୍ରହ, ଧୈର୍ଯ୍ୟ ଏବଂ କଠିନ ପରିଶ୍ରମ ଜାରୀ ରଖିଲେ ମଣିଷ ନିଜ ଜୀବନ ରୂପକ ଡଙ୍ଗାକୁ ନିଜ ନିୟନ୍ତ୍ରଣରେ ରଖିପାରେ। ଏହାକୁ ସହଜରେ ଆଗକୁ ନେଇ ଯାଇପାରେ।

ମୋଟ୍ ଉପରେ ଏତିକି କୁହାଯାଇପାରିବ ଯେ ପିଲାମାନଙ୍କୁ ଏହି ପ୍ରତିଶତ ଚାପରୁ ହଟାଇବା ଦିଗରେ ବାପାମା’ମାନେ କାମ କରିବା ଦରକାର। ବାପାମା’ମାନେ ମନେ ରଖିବା ଦରକାର ଯେ ପିଲାମାନଙ୍କର ଜୀବନ ଭିତରେ ଏପରି ଅନେକ ପରୀକ୍ଷା ଦେବେ ଯେଉଁଥିରେ ସେମାନଙ୍କୁ ନିଜର ଦକ୍ଷତା ଦେଖାଇବାରେ ଅନେକ ସୁଯୋଗ ମିଳିବ। ନମ୍ବର ଚିନ୍ତାରେ ପିଲାଙ୍କ ଭବିଷ୍ୟତ ଏବଂ ନିଜ ଇଜ୍ଜତକୁ ଛନ୍ଦି ନ ଦେଇ ବରଂ ଏହା ଭଲ ହେବ ଯେ ଆମେ ସମସ୍ତେ ମିଶିକରି ଏକ ଏପରି ଦୁନିଆଁ ତିଆରି କରିବା ଯେଉଁଠି ପିଲା ନିଜ ଇଚ୍ଛାରେ ନିଜର ଛୁଟି କାଟି ପାରୁଥିବ। ନିଜ ଜୀବନକୁ ଉପଭୋଗ କରିପାରୁଥିବ। ଆମେ ଏପରି କରି ନପାରିଲେ ହୁଏତ ପ୍ରତିଶତ ଆମ ସମସ୍ତଙ୍କ ପାଇଁ ଗୋଟିଏ ପ୍ରଶ୍ନବାଚୀ ହୋଇ ଆମର ସୁଖ ସୌଭାଗ୍ୟକୁ ଖାଇ ଗୋଡ଼ାଉଥିବ।

ଧବଳଗିରି, ଯାଜପୁର ରୋଡ

ଫୋ- ୭୯୭୮୬୭୧୭୭୬

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe