ମାୟାଧର ନାୟକ
ଦେଶ ଗଠନର ବିନ୍ଧାଣି ଶ୍ରମଜୀବୀ ଶ୍ରେଣୀ। ସ୍ୱଳ୍ପସଂଖ୍ୟକ ଦେଶରେ ଶ୍ରମଜୀବୀ ଶ୍ରେଣୀକୁ ଗୁରୁତ୍ୱ ଦିଆଯାଉଥିଲେ ହେଁ ଏବେ ସମଗ୍ର ବିଶ୍ୱରେ ଶ୍ରମିକମାନଙ୍କୁ ମାଲିକ ଶ୍ରେଣୀ ଓ ସରକାର ଅତି ନ୍ୟୂନ ଦୃଷ୍ଟିରେ ଦେଖୁଛନ୍ତି। ପ୍ରକୃତ ଉତ୍ପାଦନର ମାଲିକ ଶ୍ରମିକମାନେ କିନ୍ତୁ ପୁଞ୍ଜି ସଂଗ୍ରହକାରୀ ଓ ବିନିଯୋଗକାରୀ ମାଲିକ ବୋଲାଇ ତାଙ୍କ ଲାଭର ପାହାଡ଼କୁ ଆକାଶଚୁମ୍ବୀ କରାଇବାରେ ଲାଗିପଡ଼ିଛନ୍ତି। ଏଣେ ମାଟି ଉପରେ ରୁଟି, କପଡ଼ା, ମକାନ ପାଇଁ ଦିନ ରାତି ଖଟିଲେ ବି ଶ୍ରମିକଶ୍ରେଣୀ ପକ୍ଷରେ ଆବଶ୍ୟକୀୟ ସାମଗ୍ରୀ ଯୋଗାଡ଼ କରିବା କାଠିକର ପାଠ ହୋଇଯାଇଛି।
ବ୍ରିଟିଶ ଅମଳରୁ ଆଜି ପର୍ଯ୍ୟନ୍ତ ଶ୍ରମ ଆଇନ୍ଗୁଡ଼ିକ ଏତେ ଜଟିଳ ଯେ ଶ୍ରମଜୀବୀ ଶ୍ରେଣୀ ନ୍ୟାୟ ଅପେକ୍ଷାରେ ବର୍ଷବର୍ଷ ଚାତକ ଭଳି ଚାହିଁ ରହୁଛନ୍ତି। କେତେକ ବୃଦ୍ଧ ହୋଇଯାଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି, ଆଉ କେତେକ କୋର୍ଟ କଚେରୀ ଓକିଲ ପାଖକୁ ଧାଇଁ ଧାଇଁ ସର୍ବସ୍ୱାନ୍ତ ହୋଇ ପଡୁଛନ୍ତି। ଏହି ଦୃଷ୍ଟିରୁ ଜଟିଳ ଶ୍ରମଆଇନ୍ଗୁଡ଼ିକର ଶ୍ରମିକ ସ୍ୱାର୍ଥର ଚାହିଦା ଦୃଷ୍ଟିରୁ ଆଶୁସଂସ୍କାର ଏକାନ୍ତ ଆବଶ୍ୟକ ହୋଇପଡ଼ିଛି।
ସାଂପ୍ରତିକ ଶ୍ରମ ଆଇନ୍ ଶ୍ରମିକମାନଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି କରିବାରେ କୌଣସି ସହାୟକ ହୋଇପାରୁନି। କେବଳ ନିର୍ମାଣ, ଫାର୍ମ, ଆତ୍ମନିଯୁକ୍ତି ଏବଂ ମାମୁଲି ଚାକିରି କିଛି ସୃଷ୍ଟି କରୁଛି। ଯାହା ସମୁଦ୍ରକୁ ମାତ୍ର ଶଙ୍ଖେ ପାଣି ଭଳି। ପୁଣି ଯାହାକିଛି ଆଇନ୍ ଅଛି ସେଥିରେ ବାରମ୍ବାର ସଂଶୋଧନ କରାଯାଇ ଅନେକ କଳାଆଇନ୍ ଯୋଡ଼ି ଦିଆଯାଉଛି। ଶ୍ରମଜୀବୀ ଶ୍ରେଣୀ ମଧ୍ୟରେ ରାଜନୈତିକ, ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ଭାବେ ଉନ୍ନତ ଚିନ୍ତା ଚେତନା ସୃଷ୍ଟି କରିବାରେ କୌଣସିଦଳ ଖାସ୍ ପଦକ୍ଷେପ ନେଇ ପାରୁନାହାନ୍ତି। ଶ୍ରମିକମାନଙ୍କୁ ଯେଉଁସବୁ ଟ୍ରେଡ୍ୟୁନିୟନ୍ମାନେ ସଂଗଠିତ କରୁଛନ୍ତି, ସେମାନେ ଦଳ ଓ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବେଶି ଉତ୍ସାହୀ - ଯାହା ଫଳରେ ଶ୍ରମିକମାନଙ୍କ ସ୍ୱାର୍ଥରକ୍ଷା କରାଯାଇ ପାରୁନି। ପୁଣି ଦେଶର ବେଶି ଭାଗ ଶ୍ରମିକମାନଙ୍କର କୌଣସି ଟ୍ରେଡ୍ ୟୁନିୟନ ନାହିଁ। ଏମାନଙ୍କୁ ଐକ୍ୟବଦ୍ଧ କରି ଏକ ସଜାଗ ସଂଗଠନ ରୂପେ ଗଢ଼ିବାକୁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି।
ଦେଶରେ ଶ୍ରମ ଓ ଶିଳ୍ପ ସଂପର୍କିତ ୪୪ଟି ଜାତୀୟ ଆଇନ୍ ଅଛି - ଏହା ବାଦ୍ ପ୍ରତ୍ୟେକ ରାଜ୍ୟରେ ଶହଶହ ସଂଶୋଧନ କରାଯାଉଛି। ଏହିସବୁ ଆଇନ୍କାନୁନ୍ ଦ୍ୱାରା ଶ୍ରମିକମାନଙ୍କ କ୍ଷେତ୍ରରେ ଶିଳ୍ପାନୁଷ୍ଠାନ କର୍ତ୍ତୃପକ୍ଷ ମଧ୍ୟ ଅସାଧୁ ଆଚରଣ କରିବାକୁ ପଛାଉ ନାହାନ୍ତି। ଭାରତରେ ସାପ୍ତାହିକ ଶ୍ରମ ସମୟ ୪୮ ଘଣ୍ଟା ଥିଲାବେଳେ ଚୀନ୍, ରୁଷରେ ୪୦ ଘଣ୍ଟା ଅଛି। ଭାରତରେ ସର୍ବନିମ୍ନ ମଜୁରୀ ହାରାହାରି ୨୮% ଥିଲାବେଳେ ଚୀନ୍, ଭିଏତ୍ନାମରେ ୨୯%, ମାଲୟେସିଆରେ ୩୪%, ବ୍ରାଜିଲ୍ରେ ୩୮% ଅଛି। ମହିଳା ଶ୍ରମିକମାନଙ୍କ ପାଇଁ ପ୍ରସୂତିକାଳୀନ ସବେତନ ଛୁଟି ୧୨ ସପ୍ତାହ ଥିଲାବଳେ କଲମ୍ବିଆରେ ୧୪ ସପ୍ତାହ, ବ୍ରାଜିଲରେ ୧୭ ସପ୍ତାହ ଅଛି। ଭାରତରେ ଅନ୍ୟାନ୍ୟ ଆଇନ୍କାନୁନ୍ ମଧ୍ୟ ଜଟିଳ। ସୁଫଳ ପାଇଁ ଅର୍ଥ ଓ ସମୟ ବରବାଦ ହୁଏ।
ଏବେ ମାଲିକମାନେ ଠିକା ଶ୍ରମିକ ଉପରେ ବେଶି ଗୁରୁତ୍ୱ ଦେଉଛନ୍ତି। ଜଣେ ଶ୍ରମିକ ଶିଳ୍ପାନୁଷ୍ଠାନରେ ଲଗାତର ୯୦ ଦିନ କାମ କଲେ ସ୍ଥାୟୀ ଶ୍ରମିକ ଭାବରେ ଗଣା ହେବା ପାଇଁ ବିଧି ଅଛି। ଠିକ୍ ୮୯ ଦିନ କାମ କଲା ପରେ ହଠାତ୍ ଛଟେଇ କରିଦିଅନ୍ତି। ହାୟାର୍ ଆଣ୍ଡ ଫାୟାର୍ ପଲିସିକୁ ମାଲିକ ଶ୍ରେଣୀ ବହୁତ ଭଲ ପାଆନ୍ତି। ସବୁଠାରୁ ଭୟଙ୍କର ବ୍ୟବସ୍ଥା ହେଲା - ମାଲିକମାନେ ସ୍ଥାନୀୟ ଅପରାଧୀମାନଙ୍କୁ ଶ୍ରମିକ ଯୋଗାଣ କାମର ଦାୟିତ୍ୱ ଦିଅନ୍ତି। ଯାହାଫଳରେ ମାଲିକ ଶ୍ରମିକମାନଙ୍କର ପ୍ରାପ୍ୟ ମଜୁରୀ ହରଣଚାଲ କରନ୍ତି। ଶ୍ରମିକ ଯୋଗାଣକାରୀ ଠିକାଦାରମାନେ ମଧ୍ୟ ମାଲିକ ଓ ଶ୍ରମିକମାନଙ୍କଠାରୁ କମିଶନ ପାଆନ୍ତି। ଟ୍ରେଡ୍ ୟୁନିୟନ୍ ଓ ସରକାରଙ୍କର ଶ୍ରମ ବିଭାଗ ସବୁ ଜାଣି ଅଜଣା। ସର୍ବନିମ୍ନ ମଜୁରୀ ଆଇନ୍, ଫାକ୍ଟ୍ରି ଆକ୍ଟ, ଶିଶୁଶ୍ରମିକ ଆଇନ୍ ପ୍ରମୁଖ ଆଇନ୍ କାର୍ଯ୍ୟକାରୀ କରିବାରେ ସଚେତନତା ସୃଷ୍ଟି କରାଯାଉନି।
କେନ୍ଦ୍ର ସରକାର ସର୍ବନିମ୍ନ ମଜୁରୀ ଶିଶୁଶ୍ରମିକ, ଶିକ୍ଷାନବିସ୍ (ଆପ୍ରେନ୍ଟିସ୍) ଆଇନ୍ରେ ସଂସ୍କାର ଆଣିବାକୁ ପ୍ରସ୍ତାବ ଅଛି। ବ୍ରିଟିଶ୍ ଅମଳର କିଛିକିଛି ଶ୍ରମ ଆଇନ୍ କେବଳ ସଂଶୋଧନ କରାଯାଇଛି। ସର୍ବନିମ୍ନ ମଜୁରୀ ଆଇନ୍ରେ ଶ୍ରମିକମାନଙ୍କ ପାଇଁ ବହୁବିଧ ସୁଯୋଗସୁବିଧା ଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇ ପାରୁନି। ଦେଶର କୋଟିକୋଟି ଶ୍ରମିକ ଏବେବି ସର୍ବନିମ୍ନ ମଜୁରୀ ପାଇ ପାରୁ ନାହାନ୍ତି। ସେମାନଙ୍କ ସୁରକ୍ଷା ତଥା ନ୍ୟାୟୋଚିତ ମଜୁରୀ ଦେବାରେ ଏ ପର୍ଯ୍ୟନ୍ତ ସବୁ ସରକାର ବ୍ୟର୍ଥ ହୋଇଛନ୍ତି। ଆଇନ୍ ଭଂଗକାରୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହୋଇପାରୁନି।
ଶିଶୁ ଶ୍ରମିକ ପ୍ରଥା ଏକ ଜାତୀୟ ଲଜ୍ଜା। ଶିଶୁଶ୍ରମିକ ଉଚ୍ଛେଦ ପାଇଁ ସରକାରମାନେ ବାରମ୍ବାର କଣ୍ଠଫଟାଇ ଚିତ୍କାର କଲେ ମଧ୍ୟ କୁମ୍ଭୀର କାନ୍ଦଣାରେ ପରିଣତ ହେଉଛି। ଘରଠାରୁ ଆରମ୍ଭ କରି ଦୋକାନବଜାର, କଳକାରଖାନା, ଖଣିଖାଦାନରେ ଶିଶୁଶ୍ରମିକମାନଙ୍କୁ ହାଡ଼ଭଙ୍ଗା ଖଟଣି ଖଟିବାକୁ ହୁଏ। ଯେଉଁ ବୟସରେ ସେମାନେ ଖେଳିବୁଲି, ପାଠପଢି ଭବିଷ୍ୟତ ଗଠନ କରିବାର ମୂଳଦୁଆ ପଡ଼ନ୍ତା ସେ ବୟସରେ ସେମାନଙ୍କୁ ମୂଲ ଲାଗିବାକୁ ପଡ଼େ। ଏହି ପ୍ରଥା ସଂପୂର୍ଣ୍ଣ ଲୋପ କରାଯାଇ ଶିଶୁମାନଙ୍କ ସୁରକ୍ଷା ଓ ଭବିଷ୍ୟତ ଗଠନ ପାଇଁ ସକାରାତ୍ମକ ବାସ୍ତବ ପଦକ୍ଷେପ ନେବାର ସମୟ ଆସି ଯାଇଛି।
ଆମ ଦେଶରେ ଶିକ୍ଷାନବିସ୍ ଆଇନ୍ ଅଛି, ପ୍ରଥମେ ଶିକ୍ଷାର୍ଥୀ ଟ୍ରେନିଂ ନେଲା ପରେ ନିଯୁକ୍ତି ଦିଆଯିବାର ଆଇନ୍ ଅଛି। କିଂତୁ ଶିକ୍ଷାନବିସ୍ମାନେ ଧାର୍ଯ୍ୟ ସମୟ ଶେଷ କଲା ପରେ ଚାକିରି ମିଳୁନି। ଆମ ଦେଶରେ ଲକ୍ଷଲକ୍ଷ ଶିକ୍ଷାନବିସ୍ ଟ୍ରେନିଂ ଶେଷ କଲା ପରେ ମଧ୍ୟ ଚାକିରି ନପାଇ ବେକାର ଜୀବନ ବିତାଉଛନ୍ତି। ଏହି ୩ଟି ଆଇନ୍କୁ ସରକାର ବଦଳାଇବା ପାଇଁ ପ୍ରସ୍ତାବ ରଖିଛନ୍ତି। ଏହି ଆଇନ୍ଗୁଡ଼ିକ ଶ୍ରମଜୀବୀ ଶ୍ରେଣୀର ସ୍ୱାର୍ଥରେ ଯେଭଳି ବାସ୍ତବ କାର୍ଯ୍ୟକାରୀ ହେବ -ସେଥିପାଇଁ ସମସ୍ତେ ଧ୍ୟାନ ଦେବା ଆବଶ୍ୟକ।
ଶ୍ରମିକମାନଙ୍କ ସ୍ୱାର୍ଥ ପାଇଁ ଯେଉଁସବୁ ଆଇନ୍ ଅଛି- ବିଶେଷ କରି ଭବିଷ୍ୟନିଧି ପାଣ୍ଠି, ତାହା ପ୍ରାୟ ଅଚଳଅବସ୍ଥାକୁ ଆସିଯାଇଛି। ଶ୍ରମିକ କର୍ମଚାରୀମାନଙ୍କଠାରୁ ଇପିଏଫ୍ କାଟିରଖିଲାବେଳେ ମାଲିକମାନେ ସମପରିମାଣରେ ଅର୍ଥ ଶ୍ରମିକମାନଙ୍କ ନାଁରେ ରଖିବା ନିୟମ ଅଛି। ଅଧିକାଂଶ କ୍ଷେତ୍ରରେ ମାଲିକମାନେ ତାଙ୍କ ସର୍ତ୍ତ ରକ୍ଷାକରୁ ନାହାନ୍ତି। ଇପିଏଫ୍ ଫଣ୍ଡକୁ ଟଙ୍କାଯାଉନି। ଲକ୍ଷଲକ୍ଷ ଟଙ୍କା ଠକି ଚାଲିଛନ୍ତି। ଇପିଏଫ୍ ଫଣ୍ଡରେ ଶ୍ରମିକମାନଙ୍କର କୋଟିକୋଟି ଟଙ୍କା ମଧ୍ୟ ଫେରି ପାଉ ନାହାନ୍ତି। ବହୁ ଶ୍ରମିକ ସଚେତନତା ଅଭାବରୁ ଇପିଏଫ୍ ଫଣ୍ଡ ଉଠାଇ ପାରୁ ନାହାନ୍ତି। ଏହା ଶ୍ରମିକମାନଙ୍କ ସ୍ୱାର୍ଥରକ୍ଷା ପରିବର୍ତ୍ତେ କ୍ଷତି ସାଧନ କରୁଛି। ସଂପ୍ରତି ପ୍ରଚଳିତ ପୁଂଜିବାଦୀ ବ୍ୟବସ୍ଥାରେ ଶ୍ରମିକଶ୍ରେଣୀ ଅର୍ଥନୈତିକ ସୁବିଧାବାଦର ଶିକାର ହୋଇ ପଡ଼ିଛନ୍ତି। ଦେଶର ସଂଖ୍ୟାଧିକ ଶ୍ରମିକନେତା ଏବେ ମାଲିକମାନଙ୍କର ସ୍ୱାର୍ଥ ପାଇଁ କାମ କରୁଛନ୍ତି।
ସାଂପ୍ରତିକ ସମାଜବ୍ୟବସ୍ଥାରେ ଅତ୍ୟଧିକ ମୁନାଫା ଲାଳସା ପାଇଁ ଶ୍ରମଭିତିକ ଶିଳ୍ପକୁ ପୁଂଜିଭିତିକ ଶିଳ୍ପରେ ପରିଣତ କରାଯାଇଛି ଯାହା ଫଳରେ ବ୍ୟାପକ ମେସିନ୍, କମ୍ପ୍ୟୁଟର ପ୍ରଚଳନ ଯୋଗୁ ଶ୍ରମିକ ଛଟେଇ ଏକପ୍ରକାର ସାଧାରଣ ଘଟଣା ପାଲଟିଯାଇଛି ଓ ନୂଆନୂଆ ନିଯୁକ୍ତି ସୃଷ୍ଟି ହେବାରେ ଅନ୍ତରାୟ ସୃଷ୍ଟି ହୋଇଛି। ଶ୍ରମଜୀବୀମାନଙ୍କୁ ନ୍ୟାୟୋଚିତ ମଜୁରୀ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରିବାରେ ସରକାର କିମ୍ବା ଆଇନ୍କାନୁନ୍ କାର୍ଯ୍ୟକାରୀ ପଦକ୍ଷେପ ନେଇ ପାରୁ ନାହାନ୍ତି। ମାତ୍ର ମନେରଖିବାକୁ ପଡ଼ିବ ଯେ ଶ୍ରମମେବ ଜୟତେ ହିଁ ପ୍ରକୃତରେ ସତ୍ୟମେବ ଜୟତେ - ଶ୍ରମକୁ ସଂଭ୍ରମ ନ ଦେଲେ ସଭ୍ୟତାର ଜୟଯାତ୍ରା ହେବ ଭ୍ରମ ସଂକୁଳ। ଆସନ୍ତା କାଲିର ଅଗ୍ରଗତି ନିମନ୍ତେ ଏହା ହିଁ ଆଜିର ଆହ୍ୱାନ - ଶ୍ରମମେବ ଜୟତେ। ପୃଥିବୀର ପ୍ରତ୍ୟେକ ପ୍ରାନ୍ତ ଆଜି ଏହି ବିଜୟର ଅପେକ୍ଷାରେ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩