Advertisment

ପଛୁଆ ବର୍ଗ ସଂରକ୍ଷଣ- ଓଡ଼ିଶାର ସ୍ୱର ଶୁଣାଯାଉନି

ରବି ଦାସ ସୁପ୍ରିମକୋର୍ଟର ଏକ ସାମ୍ବିଧାନିକ ବେଞ୍ଚ ସଂରକ୍ଷଣ ପ୍ରସଙ୍ଗରେ ଥିବା ୫୦ ଭାଗ ସୀମା ଅତିକ୍ରମ କରାଯାଇପାରିବ କି ନାହିଁ ସେ ନେଇ ଶୁଣାଣି କରୁଛନ୍ତି। ମହାରାଷ୍ଟ୍ରରେ ପ୍ରଭାବଶାଳୀ ମରାଠା ସଂପ୍ରଦାୟର ଶତକଡ଼ା ୧୮ ଭାଗ ସ୍ଥାନ ସଂରକ୍ଷଣ ପାଇଁ ମହାରାଷ୍ଟ୍ର ସରକାର ଆଇନ ପ୍ରଣୟନ କରିବା ପରେ ଏବେ ଏହି ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। କାରଣ ଏପର୍ଯ୍ୟନ୍ତ ଦୀର୍ଘ ୬୦ ବର୍ଷ ଧରି ସଂରକ୍ଷଣ ପ୍ରସଙ୍ଗରେ ୫୦ ଭାଗ ସୀମାକୁ ଅତିକ୍ରମ କରି […]

ଅଦ୍ୟତନ ହୋଇଛି
ପଛୁଆ ବର୍ଗ ସଂରକ୍ଷଣ- ଓଡ଼ିଶାର ସ୍ୱର ଶୁଣାଯାଉନି

Reservation

Advertisment
  • ରବି ଦାସ

ସୁପ୍ରିମକୋର୍ଟର ଏକ ସାମ୍ବିଧାନିକ ବେଞ୍ଚ ସଂରକ୍ଷଣ ପ୍ରସଙ୍ଗରେ ଥିବା ୫୦ ଭାଗ ସୀମା ଅତିକ୍ରମ କରାଯାଇପାରିବ କି ନାହିଁ ସେ ନେଇ ଶୁଣାଣି କରୁଛନ୍ତି। ମହାରାଷ୍ଟ୍ରରେ ପ୍ରଭାବଶାଳୀ ମରାଠା ସଂପ୍ରଦାୟର ଶତକଡ଼ା ୧୮ ଭାଗ ସ୍ଥାନ ସଂରକ୍ଷଣ ପାଇଁ ମହାରାଷ୍ଟ୍ର ସରକାର ଆଇନ ପ୍ରଣୟନ କରିବା ପରେ ଏବେ ଏହି ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। କାରଣ ଏପର୍ଯ୍ୟନ୍ତ ଦୀର୍ଘ ୬୦ ବର୍ଷ ଧରି ସଂରକ୍ଷଣ ପ୍ରସଙ୍ଗରେ ୫୦ ଭାଗ ସୀମାକୁ ଅତିକ୍ରମ କରି କେହି ଯାଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟର ନିର୍ଦ୍ଦେଶ ଥିଲେ ମଧ୍ୟ ମଣ୍ଡଳ କମିଶନ ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ନବେ ଦଶକରେ ଇନ୍ଦ୍ରା ସାହାଣୀ ମାମଲାରେ ସୁପ୍ରିମକୋର୍ଟର ୧୧ ଜଣିଆ ଖଣ୍ଡପୀଠ ମତ ଦେଇଥିଲେ ଯେ, ଅତ୍ୟନ୍ତ ସ୍ୱତନ୍ତ୍ର ପରିସ୍ଥିତି ଥିଲେ ଶତକଡ଼ା ୫୦ ଭାଗ ସୀମାରେଖାକୁ ଅତିକ୍ରମ କରାଯାଇପାରିବ। କିନ୍ତୁ ଏହି ସ୍ୱତନ୍ତ୍ର ପରିସ୍ଥିତି କ’ଣ ତାହାକୁ ଭଲ ଭାବରେ ଯୁକ୍ତି ସହ ଉପସ୍ଥାପିତ କରିବାକୁ ହେବ। ସେହି କ୍ରମରେ ମରାଠା ସଂପ୍ରଦାୟ ପାଇଁ ମହାରାଷ୍ଟ୍ର ସରକାର ସଂରକ୍ଷଣ ବ୍ୟବସ୍ଥା କରିଥିବା ଯୁକ୍ତି ଦର୍ଶାଇ ଆଇନ ପ୍ରଣୟନ କରିଛନ୍ତି।

Advertisment

ଅସଲକଥା ହେଉଛି ଯେ, ଭାରତୀୟ ସମ୍ବିଧାନରେ ସମସ୍ତଙ୍କ ପାଇଁ ସମାନତାର ଅଧିକାର ଓ ସୁବିଧା ରହିଥିଲେ ମଧ୍ୟ ତଫସିଲଭୁକ୍ତ ଜାତି (ଦଳିତ) ଓ ଆଦିବାସୀମାନଙ୍କ ପାଇଁ ସେମାନଙ୍କ ଲୋକସଂଖ୍ୟା ଅନୁସାରେ ସରକାରୀ ଚାକିରି ଓ ଶିକ୍ଷାରେ ସଂରକ୍ଷଣ ରହିବ ବୋଲି ସମ୍ବିଧାନରେ ବ୍ୟବସ୍ଥା କରାଯାଇଛି। ଏମାନଙ୍କ ପାଇଁ ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା ଯେଉଁ ଆଧାରରେ କରାଯାଇଛି ସେହି ଆଧାରରେ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ପାଇଁ ସେହିଭଳି ସଂରକ୍ଷଣର ଆବଶ୍ୟକତା ରହିଥିବା ପରେ ଉପଲବ୍ଧି କରାଗଲା। କାରଣ ତାମିଲନାଡ଼ୁ ଓ କର୍ଣ୍ଣାଟକ ପ୍ରଭୃତି କେତେକ ରାଜ୍ୟରେ ସ୍ୱାଧୀନତା ପୂର୍ବରୁ ମଧ୍ୟ ଏହି ଶ୍ରେଣୀର ଲୋକମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଥିଲା। ତେଣୁ ସବୁଆଡ଼ୁ ଦାବି ହେବା ପରେ ସମ୍ବିଧାନର ପ୍ରଥମ ସଂଶୋଧନରେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ପାଇଁ ଶିକ୍ଷା ଓ ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ପାଇଁ ବ୍ୟବସ୍ଥା କରାଗଲା।

ବାସ୍ତବରେ ଏହି ସଂଶୋଧନ ଆଧାର ଉପରେ ଜାତୀୟ ସ୍ତରରେ ଶିକ୍ଷା ଓ ସାମାଜିକ ଦୁର୍ବଳ ଶ୍ରେଣୀ ପାଇଁ ସଂରକ୍ଷଣ ସ୍ଥିର କରିବା ପାଇଁ ସରକାରଙ୍କୁ ମଣ୍ଡଳ କମିଶନ ଗଠନ କରିବାକୁ ପଡ଼ିଲା। ଏହି କମିଶନ ୧୯୮୦ରେ ରିପୋର୍ଟ ଦେଲେ ମଧ୍ୟ ଏହାର କାର୍ଯ୍ୟକାରୀ ୧୯୯୦ରେ ଭି.ପି.ସିଂହଙ୍କ ସରକାର କରିବା ପାଇଁ ନିଷ୍ପତ୍ତି ନେଲେ। ସେତେବେଳକୁ ତଫସିଲଭୁକ୍ତ ଜାତି ଓ ଜନଜାତି ପାଇଁ ଲୋକସଂଖ୍ୟା ଆଧାରରେ ଥିବା ୨୨.୫ ଭାଗ ସଂରକ୍ଷଣକୁ ମିଶାଇ ୫୦ ଭାଗ ସୀମା ଅତିକ୍ରମ ନକରିବା ପାଇଁ ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଦୁର୍ବଳ ଶ୍ରେଣୀ ପାଇଁ ଶତକଡ଼ା ୨୭ ଭାଗ ସ୍ଥାନ ସଂରକ୍ଷଣ କରାଗଲା।

Advertisment

ମଣ୍ଡଳ କମିଶନ ଯେଉଁ ଜାତିମାନଙ୍କୁ ଶିକ୍ଷା ଓ ସାମାଜିକ ଦୃଷ୍ଟିରୁ ଦୁର୍ବଳ ବୋଲି ଚିହ୍ନଟ କରିଥିଲେ ସେମାନଙ୍କ ଛଡ଼ା ଅନ୍ୟମାନେ ଏହି ଶ୍ରେଣୀରେ ଅର୍ନ୍ତଭୁକ୍ତ ହେବା ପାଇଁ ବିଭିନ୍ନ ରାଜ୍ୟରୁ ଦାବି ହୋଇଥିଲା। ଏହି ସଂରକ୍ଷଣ ବ୍ୟବସ୍ଥାକୁ ଜାତୀୟ ସ୍ତରରେ କାର୍ଯ୍ୟକାରୀ କରିବାରେ ଅସୁବିଧା ନହେଲେ ମଧ୍ୟ ଅନେକ ରାଜ୍ୟରେ ଏହି ଶ୍ରେଣୀରେ ଯେତେ ସଂଖ୍ୟାରେ ଲୋକ ରହିବେ ସେହି ଅନୁସାରେ ସଂରକ୍ଷଣ ଦିଆଯିବା ସମ୍ଭବ ହେଲାନାହିଁ। ମହାରାଷ୍ଟ୍ରରେ ମରାଠାମାନଙ୍କୁ ସଂରକ୍ଷଣ ପ୍ରଦାନ କରିବା ସେହି ଦୃଷ୍ଟିରୁ କଷ୍ଟସାଧ୍ୟ ହେବା ସ୍ୱାଭାବିକ। କାରଣ ସେଠାରେ ଦଳିତ, ଆଦିବାସୀ ଓ ମଣ୍ଡଳ କମିଶନ ଦ୍ୱାରା ଚିହ୍ନଟ ଶିକ୍ଷା ଓ ସାମାଜିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ପାଇଁ ସଂରକ୍ଷଣ କାର୍ଯ୍ୟକାରୀ ହେବା ପରେ ତାହା ୫୦ ଭାଗରେ ପହଁଚି ଯାଇଥିଲା।

ଓଡ଼ିଶା ଭଳି ରାଜ୍ୟରେ ପରିସ୍ଥିତି ସେହି କାରଣରୁ ଅତ୍ୟନ୍ତ ଜଟିଳ ହୋଇଯାଉଛି। କାରଣ ଓଡ଼ିଶାରେ ତଫସିଲଭୁକ୍ତ ଜାତି ଓ ଜନଜାତିମାନଙ୍କ ସଂଖ୍ୟା ମୋଟ ଲୋକସଂଖ୍ୟାର ପ୍ରାୟ ଶତକଡ଼ା ୩୮.୫ ଭାଗ। ଏଣୁ ଏଠାରେ ଶିକ୍ଷା ଓ ସାମାଜିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ପାଇଁ ୨୭ ଭାଗ ସ୍ଥାନ ସଂରକ୍ଷଣ କରିବା ନିମନ୍ତେ ହୋଇଥିବା ଉଦ୍ୟମକୁ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି। ଏଣୁ ଓଡ଼ିଶାରେ ନବକୁମାର ଦାସଙ୍କ କମିଶନ ରିପୋର୍ଟ ଆଧାରରେ ଶିକ୍ଷା ଓ ସାମାଜିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀମାନଙ୍କ ସଂଖ୍ୟା ଲୋକସଂଖ୍ୟାର ଶତକଡ଼ା ୫୨ ଭାଗ ହୋଇଥିଲେ ମଧ୍ୟ ସେମାନଙ୍କ ପାଇଁ ମାତ୍ର ଶତକଡ଼ା ୧୧.୫ ଭାଗ ସଂରକ୍ଷଣ ବ୍ୟବସ୍ଥା ରହିବାକୁ ବାଧ୍ୟ ହୋଇଛି, ଯାହାକି ଏହି ଶ୍ରେଣୀର ଲୋକମାନଙ୍କ ପାଇଁ ଅତ୍ୟନ୍ତ ଅନ୍ୟାୟ ବୋଲି କୁହାଯାଇପାରେ। ଏହି କାରଣରୁ ଓଡ଼ିଶାରେ ପୌର ନିର୍ବାଚନ ପାଇଁ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବାରେ ଜଟିଳତା ସୃଷ୍ଟି ହେବା ଫଳରେ ଓଡ଼ିଶାରେ ଗତ ଦୁଇବର୍ଷ ହେଲା ପୌର ନିର୍ବାଚନ ହୋଇପାରିନାହିଁ। ଏପରି ଅବସ୍ଥାରେ ବିଜେପି ପକ୍ଷରୁ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ୟ ଦଳର ନେତାମାନେ ବାରମ୍ବାର ପଛୁଆ ବର୍ଗ ପାଇଁ କାହିଁକି ସରକାରୀ ଚାକିରି ଓ ଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେଉନି ବୋଲି ଦାବି କରିଆସୁଛନ୍ତି।

ରାଜ୍ୟ ସରକାର ଅଦାଲତ ୫୦ ଭାଗ ସୀମା ବିଷୟ କହି ନିରବ ରହିବା ପରେ ଏବେ ଏଥିପାଇଁ ଏକ କମିଶନ ଗଠନ କରିଛନ୍ତି। ଓଡ଼ିଶାରେ ୫୦ ଭାଗ ସୀମା ଅତିକ୍ରମ କରିବା ପାଇଁ ସୁପ୍ରିମକୋର୍ଟର ନିର୍ଦ୍ଦେଶ ମୁତାବକ ପରିସ୍ଥିତି ରହିଛି ତାହା ଏପର୍ଯ୍ୟନ୍ତ ରାଜ୍ୟ ସରକାର ଠିକ୍ ଭାବେ ଉପସ୍ଥାପିତ କରିପାରିନାହାନ୍ତି। ଏପରି ଏକ ଅବସ୍ଥାରେ ମରାଠାମାନଙ୍କୁ ସଂରକ୍ଷଣ ବ୍ୟବସ୍ଥା ନେଇ ସୁପ୍ରିମକୋର୍ଟରେ ଯେଉଁ ବିଚାର ଆଲୋଚନା ଚାଲିଛି ସେଠାରେ ବିଭିନ୍ନ ରାଜ୍ୟ ପକ୍ଷଭୁକ୍ତ ହେଇଥିଲେ ମଧ୍ୟ ଓଡ଼ିଶା ସରକାର ନିଜର ମତାମତ ବା ଯୁକ୍ତି ସେଠାରେ ଉପସ୍ଥାପିତ କରିନାହାନ୍ତି। ଓଡ଼ିଶା ସରକାର ହୁଏତ ଜଷ୍ଟିସ୍ ବିଶ୍ୱାଳଙ୍କ କମିଶନ ରିପୋର୍ଟକୁ ଅପେକ୍ଷା କରୁଛନ୍ତି ବୋଲି ଅନୁମାନ କରାଯାଉଛି। କିନ୍ତୁ ସୁପ୍ରିମକୋର୍ଟରେ ୫୦ ଭାଗ ସୀମା ଅତିକ୍ରମ କରିବା ପାଇଁ ଚାଲିଥିବା ବିତର୍କରେ ଓଡ଼ିଶା ଏବେ ସାମିଲ ନହେଲେ ଭବିଷ୍ୟତରେ ଓଡ଼ିଶା ପାଇଁ ତାହା ଅଧିକ ଅସୁବିଧା ସୃଷ୍ଟି କରିବ।

ଅବଶ୍ୟ ସବୁ ନାଗରିକଙ୍କ ପାଇଁ ସମାନ ଅଧିକାର ଓ ସୁବିଧା ପାଇଁ ଯେଉଁ ଅଧିକାର ସମ୍ବିଧାନରେ ରହିଛି ତାହାକୁ ଭିତ୍ତିକରି ଯେଉଁମାନେ ଶିକ୍ଷା ଓ ସାମାଜିକ ଦୃଷ୍ଟିରୁ ଅତ୍ୟନ୍ତ ଦୁର୍ବଳ ସେମାନଙ୍କ ପାଇଁ ସଂରକ୍ଷଣ କରିବା ନିମନ୍ତେ ସାମ୍ବିଧାନିକ ବ୍ୟବସ୍ଥା କରାଯାଇଛି। ସେହି ଦୃଷ୍ଟିଭଙ୍ଗୀ ପାଇଁ ଶତକଡ଼ା ୫୦ ଭାଗ ସୀମାରେଖାକୁ ରଖିବା ନିମନ୍ତେ ସୁପ୍ରିମକୋର୍ଟ ମତ ଦେଇଥିଲେ। କାରଣ ସମ୍ବିଧାନ ଗୃହୀତ ହେବା ପରେ ମଧ୍ୟ ଡ. ଆମ୍ବେଦକର ମତ ଦେଇଥିଲେ ଯେ, ଲୋକମାନଙ୍କୁ ରାଜନୈତିକ ସ୍ୱାଧୀନତା ପ୍ରଦାନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଦେଶରେ ସାମାଜିକ ସ୍ୱାଧୀନତା ନାହିଁ। ଏଣୁ ଏକ ସାମାଜିକ ସମତା ହାସଲ ନହେଲେ ରାଜନୈତିକ ସ୍ୱାଧୀନତାର କୌଣସି ମୂଲ୍ୟ ରହିବ ନାହିଁ। ସେଥିପାଇଁ ତଫସିଲଭୁକ୍ତ ଜାତି, ଯେଉଁମାନେ କି ଅସ୍ପୃଶ୍ୟତାର ଶିକାର ହୋଇଥିଲେ ଓ ଜନଜାତି, ଯେଉଁମାନେ କି ଆଧୁନିକ ସମାଜ ଠାରୁ ବହୁ ଦୂରରେ ନିଜସ୍ୱ ଢଙ୍ଗରେ ଚଳୁଥିଲେ ସେମାନଙ୍କ ପାଇଁ ସଂରକ୍ଷଣର ଆବଶ୍ୟକତାକୁ ପ୍ରଥମେ ଉପଲବ୍ଧି କରାଯିବା ପରେ ସାମାଜିକ ଓ ଶିକ୍ଷା ଦୃଷ୍ଟିରୁ ସମ ପରିମାଣର ଅସୁବିଧାରେ ଥିବା ଶ୍ରେଣୀ ପାଇଁ ସଂରକ୍ଷଣର ଆବଶ୍ୟକତା ଉପଲବ୍‌ଧି କରାଗଲା। କିନ୍ତୁ ଦୁଇବର୍ଷ ତଳେ କେନ୍ଦ୍ର ସରକାର ସମ୍ବିଧାନର ସଂଶୋଧନ କରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ପାଇଁ ଶତକଡ଼ା ୧୦ ଭାଗ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନିମନ୍ତେ ସମ୍ବିଧାନ ସଂଶୋଧନ କରିଛନ୍ତି। ବର୍ତ୍ତମାନରେ ଥିବା ଶତକଡ଼ା ୫୦ ଭାଗ ସଂରକ୍ଷଣ ବାହାରେ ଏହି ୧୦ ଭାଗ ସଂରକ୍ଷଣ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି। ସମ୍ବିଧାନର ଏହି ସଂଶୋଧନକୁ ମଧ୍ୟ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ସୁପ୍ରିମକୋର୍ଟ ଏ ବିଷୟରେ ଏପର୍ଯ୍ୟନ୍ତ ଶୁଣାଣି କରିନାହାନ୍ତି। ଗୋଟିଏ ବେଞ୍ଚ ଏହା ଉପରେ ଶୁଣାଣି କରିବେ ବୋଲି ସ୍ଥିର ହୋଇଛି।

ଏପରି ଅବସ୍ଥାରେ କେଉଁ ସମ୍ବିଧାନ ସଂଶୋଧନ ଫଳରେ ସାମାଜିକ ଓ ଶିକ୍ଷା ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ପାଇଁ ପ୍ରଥମ ସମ୍ବିଧାନ ସଂଶୋଧନରେ ବ୍ୟବସ୍ଥା କରାଯାଇଛି ଓ ତାହା ମଣ୍ଡଳ କମିଶନ ସୁପାରିଶ କାର୍ଯ୍ୟକାରୀ ପରେ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି ସେଥିରେ ସବୁ ରାଜ୍ୟରେ ଏହି ବ୍ୟବସ୍ଥା ୫୦ ଭାଗ ସୀମାରେଖା ଯୋଗୁ କାର୍ଯ୍ୟକାରୀ କରିବା ସମ୍ଭବ ହେଉନାହିଁ। ସେହି ପରିପ୍ରେକ୍ଷୀରେ ମରାଠାମାନଙ୍କୁ ସଂରକ୍ଷଣ ସୁବିଧା ନେଇ ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚ ଯେଉଁ ଆଲୋଚନା କରୁଛନ୍ତି ସେଥିରେ ଯେଉଁ ରାଜ୍ୟମାନଙ୍କର ୫୦ ଭାଗ ସଂରକ୍ଷଣ ସୀମା ପାର୍ ହେବା ପାଇଁ ବାସ୍ତବତା ରହିଛି ସେମାନେ ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପିତ କରିବା ଉଚିତ। ଓଡ଼ିଶା ସରକାର ଏ କ୍ଷେତ୍ରରେ ନିରବ ରହିବା ରାଜ୍ୟ ପାଇଁ ଓ ବିଶେଷ ଭାବରେ ପଛୁଆବର୍ଗ ପାଇଁ ଅତ୍ୟନ୍ତ କ୍ଷତିକାରକ ହେବ।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe