/odisha-reporter/media/post_attachments/uploads/2017/04/socialmedia.jpg)
socialmedia
[caption id="attachment_131337" align="alignleft" width="162"]
ସଂଗ୍ରାମ ଦାସ ମହାପାତ୍ର[/caption]
ଅନେକେ କହନ୍ତି ଫେସ୍ବୁକ୍ ସମୟ ଖାଇଯାଏ, କିନ୍ତୁ ଏହା ଯେ ଗୋଟିଏ ସହରକୁ ବି ଖାଇଯାଇପାରେ ତାହା ଭଦ୍ରକ ଘଟଣାରୁ ସ୍ପଷ୍ଟ ହେଲା। ସାମାନ୍ୟ ଫେସ୍ବୁକ୍ ପୋଷ୍ଟଟିଏ ପାଇଁ ଏତେ ଅଶାନ୍ତି, ଉତ୍ତେଜନା, ଭଙ୍ଗାରୁଜା ଓ ପୋଡ଼ାଜଳା ବୋଧହୁଏ ଓଡ଼ିଶାରେ ପୂର୍ବରୁ କେବେ ଘଟି ନ ଥିଲା। ଅନେକେ କହିବେ ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କଲା ଭଳି ସେହି ଫେସ୍ବୁକ୍ ପୋଷ୍ଟ ପାଇଁ ଏବଂ ତାହାକୁ ଛାଡ଼ିଥିବା ଯୁବକଟି ପାଇଁ ଏତେ ଅଘଟଣ ଘଟିଲା । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ, ଆଂଶିକ ସତ୍ୟ। କାରଣ ଭଦ୍ରକରେ ଯାହା ବି ଘଟିଲା, ତା ପଛରେ ସେହି ଫେସ୍ବୁକ୍ ପୋଷ୍ଟ ଛାଡ଼ିଥିବା ଯୁବକର ଯେତିକି ଭୂମିକା ରହିଛି, ତାହାକୁ ଲାଇକ, କମେଣ୍ଟ କିମ୍ବା ସେୟାର କରି ଭାଇରାଲ କରିଥିବା ବ୍ୟକ୍ତି ମାନଙ୍କର ମଧ୍ୟ ସେତିକି ଭୁଲ ରହିଛି ।
ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ସେଦିନ ଭଦ୍ରକରେ ପୋଡ଼ାଜଳା ହେବା ପରେ କେବଳ ମୁର୍ଖ, ଅସଚେତନ କିମ୍ବା ଧାର୍ମିକ ଭାବନାରେ ଅନ୍ଧ ବ୍ୟକ୍ତିମାନେ ସେହି ପୋଷ୍ଟକୁ ଭାଇରାଲ୍ କରି ନ ଥିଲେ, ବରଂ ଅନେକ ସାମ୍ବାଦିକ ଓ ବୁଦ୍ଧିଜୀବୀମାନେ ମଧ୍ୟ ସେହି ପୋଷ୍ଟଟିକୁ ଫେସବୁକରେ ସେୟାର କରିଥିଲେ । ହୁଏତ ସେମାନେ ଏହାଦ୍ୱାରା ସେମାନଙ୍କ ସୋର୍ସ କେତେ ବଳିଷ୍ଠ ଏବଂ ସେମାନଙ୍କ କ୍ଷମତାର ପରିସୀମା କେତେ ଅଧିକ ତାହା ଜଣାଇବାକୁ ଚାହୁଁଥିଲେ, ନଚେତ ସେମାନଙ୍କ ପାଖରେ ଅନ୍ୟ ସାମ୍ବାଦିକ କିମ୍ବା ବୁଦ୍ଧିଜୀବୀ ପ୍ରତିଦ୍ୱନ୍ଦ୍ୱୀଙ୍କ ଅପେକ୍ଷା ଶୀଘ୍ର ପ୍ରକୃତ ଖବର ପହଞ୍ଚେ ବୋଲି ବଡ଼ିମା ଦେଖାଉଥିଲେ, ଅଥବା କୌଣସି ଘୃଣ୍ୟ ସ୍ୱାର୍ଥ ହାସଲ ପାଇଁ ସେହି ଅଶାନ୍ତ ପରିସ୍ଥିତିକୁ ପରୋକ୍ଷରେ ଆହୁରି ଭୟଙ୍କର କରିବାକୁ ଚାହୁଁଥିଲେ ।
କେବଳ ଭଦ୍ରକର ସ୍ଥାନୀୟ ବୁଦ୍ଧିଜୀବୀ କିମ୍ବା ସାମ୍ବାଦିକ ନୁହଁନ୍ତି, ଭୁବନେଶ୍ୱରରେ ଥିବା କିଛି ପ୍ରତିଷ୍ଠିତ ସାମ୍ବାଦିକ ଓ ଗଣମାଧ୍ୟମ ମଧ୍ୟ ଏହି ପରିସ୍ଥିତିକୁ ନେଇ ପରୀକ୍ଷାନିରୀକ୍ଷା ଆରମ୍ଭ କରିଦେଲେ । ପରିସ୍ଥିତିର ଗୁରୁତ୍ୱ ଓ ଆବଶ୍ୟକତାକୁ ଏଡ଼ାଇ ଦେଇ ଏହାକୁ ଏକ ସୁଯୋଗ ଭାବିଲେ । ନିଜକୁ ସ୍ପଷ୍ଟବାଦୀ ଦର୍ଶାଇବା ପାଇଁ ମନଇଚ୍ଛା ଶବ୍ଦ, ବାକ୍ୟ, ଫଟୋ ଓ ଦୃଶ୍ୟର ପ୍ରୟୋଗ ଏବଂ ପ୍ରସାରଣ କଲେ । ସାମାଜିକ ଦାୟିତ୍ୱବୋଧ ତଥା ସାମ୍ବାଦିକତାର ନୈତିକତାକୁ ଜଳାଞ୍ଜଳି ଦେଲେ । ଏଇଠି ସେମାନେ ଭୁଲିଗଲେ ଯେ ନିୟମ ଭାଙ୍ଗି କିଛି ନୂଆ କରିବା ପୂର୍ବରୁ ପ୍ରଥମେ ନିୟମ ସମ୍ପର୍କରେ ଭଲଭାବେ ଜାଣିବା ଦରକାର । ଆଉ ଗୋଟିଏ କଥା ହେଲା, ସାରା ଦୁନିଆ ଦେଖିଲା ଯେ ଓଡ଼ିଶାର ଗଣମାଧ୍ୟମମାନଙ୍କର ଆହୁରି ବହୁତ କିଛି ଶିଖିବା ପାଇଁ ବାକି ଅଛି ।
“ଅସାମାଜିକ ଓ ସମ୍ବେଦନଶୀଳ ପୋଷ୍ଟ ଯଦି ଆପଣଙ୍କ ନଜରରେ ଆସେ, ତେବେ ଆପଣଙ୍କ ମନରେ ଯେତେ ପ୍ରତିକ୍ରିୟା ସୃଷ୍ଟି ହେଲେ ମଧ୍ୟ ଦୟାକରି ତାହାକୁ ଲାଇକ, କମେଣ୍ଟ କିମ୍ବା ସେୟାର ମାଧ୍ୟମରେ ପ୍ରକାଶ କରନ୍ତୁ ନାହିଁ। କାରଣ ସେହି ପୋଷ୍ଟରେ ଆପଣଙ୍କ ଗୋଟିଏ କ୍ଲିକ୍ ତାହାକୁ ଆପଣଙ୍କ ବନ୍ଧୁଙ୍କ ନିକଟରେ ଏବଂ ସେଠାରୁ ସେମାନଙ୍କ ବନ୍ଧୁଙ୍କ ନିକଟରେ ପହଞ୍ଚାଇ ଭାଇରାଲ କରିପାରେ । ଆପଣ ଚାହିଁଲେ ସେହି ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ମେସେଜ ପଠାଇ ତାହାକୁ ଡିଲିଟ କରିବା ପାଇଁ ଏବଂ ଆଗକୁ ଏଭଳି ନ କରିବା ପାଇଁ କହିପାରନ୍ତି ।”
ଏଇଠି ଉଠେ ଆଣ୍ଟିସୋସିଆଲ ମୋଟିଭ୍ ପ୍ରସଙ୍ଗ । ଆପଣଙ୍କ ପାଖରେ ସ୍ମାର୍ଟ ଫୋନ ଅଛି, ଜିଓ ଭଳି ମାଗଣା ମୋବାଇଲ ନେଟୱର୍କ ସେବା ଅଛି, ଫେସ୍ବୁକ୍ ଭଳି ସୋସିଆଲ ନେଟୱର୍କିଂ ସାଇଟ୍ ଅଛି କିମ୍ୱା ସମ୍ବାଦପତ୍ର ଓ ଟେଲିଭିଜନ ଚ୍ୟାନେଲ ଭଳି ପ୍ଲାଟଫର୍ମ ଅଛି ବୋଲି ଏହାର ମାନେ ନୁହେଁ ଯେ ଆପଣ ଯାହା ଇଚ୍ଛା ପୋଷ୍ଟ କରିବେ, ସେୟାର କରିବେ ଅବା ପ୍ରସାରଣ କରିବେ। ଜଣଙ୍କ ହାତରେ ଛୁରୀ ଥିଲେ, ଛୁରୀ ସାହାଯ୍ୟରେ ସେ ଫଳ କାଟିବ କି କାହାର ତଣ୍ଟି କାଟିବ ଏହା ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତିର ମାନସିକତା ଓ ମୂଲ୍ୟବୋଧ ଉପରେ ନିର୍ଭର କରେ । ଯାହା ବି ଘଟିବ ତାହା ଛୁରୀର ଦୋଷ ନୁହେଁ, ବରଂ ତାହାକୁ ଧରିଥିବା ମଣିଷର ମୁଣ୍ଡ ଉପରେ ନିର୍ଭର କରେ ।
ଭଗବାନ ନକରନ୍ତୁ, କିନ୍ତୁ ଏଭଳି ଘଟଣା ଯଦି ଆଉଥରେ ଆଉ କେଉଁଠି ଘଟେ ତେବେ ଦୟାକରି ସମସ୍ତେ ସଚେତନ ହୁଅନ୍ତୁ ଓ ସୋସିଆଲ ମିଡିଆର ସଦୁପଯୋଗ କରନ୍ତୁ । ଏଭଳି ଅସାମାଜିକ ଓ ସମ୍ବେଦନଶୀଳ ପୋଷ୍ଟ ଯଦି ଆପଣଙ୍କ ନଜରରେ ଆସେ, ତେବେ ଆପଣଙ୍କ ମନରେ ଯେତେ ପ୍ରତିକ୍ରିୟା ସୃଷ୍ଟି ହେଲେ ମଧ୍ୟ ଦୟାକରି ତାହାକୁ ଲାଇକ, କମେଣ୍ଟ କିମ୍ବା ସେୟାର ମାଧ୍ୟମରେ ପ୍ରକାଶ କରନ୍ତୁ ନାହିଁ। କାରଣ ସେହି ପୋଷ୍ଟରେ ଆପଣଙ୍କ ଗୋଟିଏ କ୍ଲିକ୍ ତାହାକୁ ଆପଣଙ୍କ ବନ୍ଧୁଙ୍କ ନିକଟରେ ଏବଂ ସେଠାରୁ ସେମାନଙ୍କ ବନ୍ଧୁଙ୍କ ନିକଟରେ ପହଞ୍ଚାଇ ଭାଇରାଲ କରିପାରେ । ଆପଣ ଚାହିଁଲେ ସେହି ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ମେସେଜ ପଠାଇ ତାହାକୁ ଡିଲିଟ କରିବା ପାଇଁ ଏବଂ ଆଗକୁ ଏଭଳି ନ କରିବା ପାଇଁ କହିପାରନ୍ତି । ତେବେ ତା ପୂର୍ବରୁ ଏଭଳି ପୋଷ୍ଟକୁ ଭାଇରାଲ ହେବାରୁ ରୋକିବାକୁ ପ୍ରଥମେ ତାହାକୁ ଫେସବୁକରେ ରିପୋର୍ଟ କରି ହଟାଇବାକୁ ଅନୁରୋଧ କରନ୍ତୁ । ଫେସବୁକରେ କୌଣସି ନିର୍ଦ୍ଦିଷ୍ଟ ପୋଷ୍ଟ ରିପୋର୍ଟ କରିବା ପାଇଁ ପ୍ରତି ପୋଷ୍ଟ ଉପରେ ଡାହାଣପଟେ ଅପସନ୍ ଥାଏ । ତାହାର ବ୍ୟବହାର କରନ୍ତୁ ଏବଂ କାହିଁକି ଏହି ପୋଷ୍ଟଟି ଫେସବୁକରୁ ହଟାଇବାକୁ ଚାହୁଁଛନ୍ତି ତାହାର ସଠିକ ବିକଳ୍ପରେ କ୍ଲିକ କରନ୍ତୁ । ଆପଣ ଚାହିଁଲେ, ଆପଣଙ୍କ ପରିଚିତ ଏକାଧିକ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ସେହି ପୋଷ୍ଟ ରିପୋର୍ଟ କରିବାକୁ କହିପାରନ୍ତି । ଫଳରେ ଫେସବୁକ ସେହି ପୋଷ୍ଟକୁ ହଟାଇବା ଦିଗରେ ଅଧିକ ଗୁରୁତ୍ୱ ଦେବ ଏବଂ ଯଥାଶୀଘ୍ର ପଦକ୍ଷେପ ନେବ । ଏଥିସହ ଯଦି ସେହି ପୋଷ୍ଟଟି ଅପରାଧିକ କିମ୍ବା ତା ଦ୍ୱାରା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ମନେହୁଏ, ତେବେ ସମ୍ଭବ ହେଲେ ସେହି ପୋଷ୍ଟର ଲିଙ୍କକୁ ଆପଣଙ୍କ ପରିଚିତ କୌଣସି ପୋଲିସ ଅଧିକାରୀଙ୍କ ନିକଟକୁ ପଠାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିପାରନ୍ତି ।
ପୂର୍ବରୁ ଅନେକ ଥର ଫେସବୁକ, ଟ୍ୱିଟର୍ କିମ୍ବା ହ୍ୱାଟସଆପ୍ ଭଳି ସୋସିଆଲ ମିଡିଆରେ ଭୁଲ ଏବଂ ଭ୍ରମାତ୍ମକ ଖବର ପ୍ରସାରଣ ହେବା ଯୋଗୁଁ ଆମ ରାଜ୍ୟରେ ଅନେକ ଛୋଟମୋଟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଯଥା ପୂର୍ବତନ ସାଂସଦ ପ୍ୟାରିମୋହନ ମହାପାତ୍ରଙ୍କ ଦେହାନ୍ତ ଗୁଜବ, ଦଶ ଟଙ୍କିଆ କଏନ୍ ଅଚଳ ହେବା କଥା ଏବଂ ବ୍ରହ୍ମବିଭ୍ରାଟ ବେଳେ ବ୍ରହ୍ମ ପଦାର୍ଥର ନକଲି ଫଟୋ ଇତ୍ୟାଦି । ଏସବୁ ବି ସୋସିଆଲ ମିଡିଆର ଅସେଚତନ ୟୁଜରଙ୍କ ଗୋଟିଏ ଗୋଟିଏ ସାମାନ୍ୟ କ୍ଲିକ ପାଇଁ ହୋଇଥିଲା । ତେଣୁ ସଦାବେଳେ ମନେ ରଖନ୍ତୁ, ତୁଣ୍ଡବାଇଦ ସହସ୍ରକୋଶ କିନ୍ତୁ ଏହି ସୋସିଆଲ ମିଡିଆ ବାଇଦ ଶତସହସ୍ର କୋଶ, ତାହା ପୁଣି ମାତ୍ର କେଇ ସେକେଣ୍ଡରେ ।
(ଏ ମତାମତ ସଂପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
