ସାମାଜିକ ଗଣମାଧ୍ୟମରେ ବନ୍ଧୁତା, ବିବାହ ଓ ବିଚ୍ଛେଦ

ରୁଦ୍ର ପ୍ରସନ୍ନ ରଥ କେବଳ ଓଡ଼ିଶା କାହିଁକି ସାରା ଭାରତବର୍ଷର ବିଭିନ୍ନ କୋଣ ଅନୁକୋଣରୁ ଏବେ ଅନେକ ବିବାହ ବିଚ୍ଛେଦର କାହାଣୀ ବେଳ ଅବେଳରେ ଆମ ପାଖରେ ପହଁଚୁଛି। ଏଗୁଡ଼ିକ ମଧ୍ୟରୁ କେତେକ ବିବାହ ବିଚ୍ଛେଦର କାହାଣୀ କେବଳ ସାମାଜିକ ଗଣମାଧ୍ୟମକୁ ଭିତ୍ତିକରି ଲେଖା ହୋଇଥାଏ।  ଆଗରୁ ସମୟ ଥିଲା ଯେତେବେଳେ ବଡ଼ ବଡ଼ ହସ୍ତୀ ବା ସେଲେବ୍ରିଟିଙ୍କ ଜୀବନରେ ବିବାହ ବିଚ୍ଛେଦ କଥା ବାହାରକୁ ଆସୁଥିଲା। ମଧ୍ୟବିତ୍ତ କିମ୍ବା ନିମ୍ନ ମଧ୍ୟବିତ୍ତଙ୍କ ପରିବାରରେ ବିବାହ ବିଚ୍ଛେଦ […]

married-1

Debendra Prusty
  • Published: Saturday, 21 May 2022
  • , Updated: 21 May 2022, 01:30 PM IST

ରୁଦ୍ର ପ୍ରସନ୍ନ ରଥ

କେବଳ ଓଡ଼ିଶା କାହିଁକି ସାରା ଭାରତବର୍ଷର ବିଭିନ୍ନ କୋଣ ଅନୁକୋଣରୁ ଏବେ ଅନେକ ବିବାହ ବିଚ୍ଛେଦର କାହାଣୀ ବେଳ ଅବେଳରେ ଆମ ପାଖରେ ପହଁଚୁଛି। ଏଗୁଡ଼ିକ ମଧ୍ୟରୁ କେତେକ ବିବାହ ବିଚ୍ଛେଦର କାହାଣୀ କେବଳ ସାମାଜିକ ଗଣମାଧ୍ୟମକୁ ଭିତ୍ତିକରି ଲେଖା ହୋଇଥାଏ।  ଆଗରୁ ସମୟ ଥିଲା ଯେତେବେଳେ ବଡ଼ ବଡ଼ ହସ୍ତୀ ବା ସେଲେବ୍ରିଟିଙ୍କ ଜୀବନରେ ବିବାହ ବିଚ୍ଛେଦ କଥା ବାହାରକୁ ଆସୁଥିଲା। ମଧ୍ୟବିତ୍ତ କିମ୍ବା ନିମ୍ନ ମଧ୍ୟବିତ୍ତଙ୍କ ପରିବାରରେ ବିବାହ ବିଚ୍ଛେଦ ବୋଲି କୌଣସି ଜିନିଷ ନଥିଲା କହିଲେ ଠିକ୍‌ ହେବ। ସଂସାରରେ ଯେତେ ଝଡ଼ ଆସୁ ବା ଯେତେ ବିପଦ ଆସୁ ଅବଳା ବୋଲି ପରିଚିତ ସ୍ତ୍ରୀ ଲୋକଟି ମାଡ଼ଗାଳି ଖାଇ ସ୍ୱାମୀ ପାଖରେ ପଡ଼ି ରହୁଥିଲା। ସେହିପରି ପୁରୁଷ ପ୍ରଧାନ ସମାଜରେ ପୁରୁଷ ଯେତେଭୁଲ କଲେ ମଧ୍ୟ ତାହାର ଦୋଷ ସ୍ୱୀକାର କରୁନଥିଲା। ଯଦି କେତେବେଳେ ପୁରୁଷ ଚାହୁଁଥିଲା ସେତେବେଳେ ସେ ତା ସ୍ତ୍ରୀକୁ ଘରୁ ବାହାର କରି ଦେଉଥିଲା। ଅତ୍ୟାଚାରିତ ହୋଇ କିମ୍ବା ନିଜର ସ୍ୱାଧୀନତା କ୍ଷୁଣ୍ଣ ହେଉଥିବା ଦର୍ଶାଇ ଖୁବ୍ କମ୍ ସ୍ତ୍ରୀ ଘର ଛାଡୁଥିଲେ। ମୋଟ୍ ଉପରେ କହିବାକୁ ଗଲେ  ବିବାହ ବିଚ୍ଛେଦ ମୋଟାମୋଟି ପୁରୁଷ କୈନ୍ଦ୍ରିକ ଥିଲା।

ଏବେ ଶିକ୍ଷାର ସୁବିଧା ଯୋଗୁଁ ହେଉ ବା ରୋଜଗାର କରିବାର କ୍ଷମତା ଯୋଗୁଁ ହେଉ ସ୍ତ୍ରୀ ଲୋକ ଜଣଙ୍କ ନିଜର ଅଧିକାରକୁ ବୁଝିପାରୁଛି। ଏଣୁ ଯେଉଁଠାରେ ତାହାର ଅଧିକାରର କ୍ଷୁର୍ଣ୍ଣ ହେଉଛି ବୋଲି ସେ ବିଚାର କରୁଛି ବା ଯେଉଁଠାରେ ନିର୍ଯାତିତ ହେଉଛି ବୋଲି ଜାଣିପାରୁଛି ସେତେବେଳେ ସେ ସେଠାରୁ ଓହରି ଆସୁଛି। ବିବାହରେ ଯବନିକା ପକାଉଛି। ତେବେ ଏଥିରେ କୌଣସି ଅସୁବିଧା ନାହିଁ। ଜଣେ ଯଦି ନିର୍ଯାତିତ ବୋଲି ଭାବୁଛି ଏବଂ ନିଜର ଜୀବନ ପ୍ରତି ବିପଦ ଅଛି ବୋଲି ବିଚାର କରୁଛି ସେ କ୍ଷେତ୍ରରେ ଜଣେ ଗୋଟିଏ ବିବାହ ଭିତରେ ରହିବ କି ନାହିଁ ସେ ନିଷ୍ପତ୍ତି ନେବାରେ ତାହାର ପୂର୍ଣ୍ଣ ଅଧିକାର ଅଛି ଏବଂ ସମାଜରର ବିଭିନ୍ନ ବ୍ୟକ୍ତି ଏବଂ ଅନୁଷ୍ଠାନ ତାକୁ ଏ ଦିଗରେ ସାହାଯ୍ୟ ବି କରିବା ଆବଶ୍ୟକ।

ତେବେ ବର୍ତ୍ତମାନ ହେଉଥିବା ବିବାହ ବିଚ୍ଛେଦ ମଧ୍ୟରୁ ଅନେକ ବିଚ୍ଛେଦର କାରଣ ରୁପେ ସାମାଜିକ ଗଣମାଧ୍ୟମକୁ ଦାୟୀ କରାଯାଉଛି। ଏ ସଂପର୍କରେ କିଛି ତଥ୍ୟ ରଖିବା ଉଚିତ୍ ହେବ। ଆମେରିକା ଏକାଡେମୀ ଅଫ ମାଟ୍ରିମୋନିଆଲ ଲୟରଙ୍କ ଅନୁଯାୟୀ ଆମେରିକାରେ ହେଉଥିବା ବିବାହ ବିଚ୍ଛେଦ ମଧ୍ୟରୁ ୨୦ ପ୍ରତିଶତର କାରଣ ହେଉଛି ଫେସ୍‌ବୁକ୍। ଏ ଦେଶରେ ଘଟୁଥିବା ୭ଟି ବିବାହ ବିଚ୍ଛେଦ ମଧ୍ୟରୁ ଗୋଟିଏର କାରଣ ହେଉଛି ସାମାଜିକ ଗଣମାଧ୍ୟମ। ସେହିପରି ଟିଣ୍ଡର ନାମକ ଆପ୍‌ରେ ଥିବା ୩୦% ବ୍ୟବହାରକାରୀ ଆମେରିକୀୟ ଲୋକ ବିବାହିତ କିନ୍ତୁ ସେମାନେ ଏହି ପରିଚୟକୁ ଗୋପନ ରଖିଥାଆନ୍ତି।

ସାମାଜିକ ଗଣମାଧ୍ୟମ ଏକ ଅରଣା ମଇଁଷି ପରି। ଏଠି ଯିଏ ଯାହା ପାରିଲା ଲେଖିଲା। ଯିଏ ଯାହା ପାରିଲା ପୋଷ୍ଟ କଲା। ଜଣେ ସାମାଜିକ ଗଣମାଧ୍ୟମର ବ୍ୟବହାରକାରୀ ଭାବେ ଆମେ ଏକଥା ଭୁଲିଯାଉ ଯେ ଆମେ ଜଣେ ମଣିଷ ଜଣେ ରୋବଟ୍ ନୁହେଁ। ରୋବଟ ପରି ଆମେ କେବଳ ସାମାଜିକ ଗଣମାଧ୍ୟମକୁ ଖୋଲିବା ବା ବନ୍ଦ କରିବା ପରି ଧରାବନ୍ଧା କାମ କରୁନା। ଜଣେ ମଣିଷ ହିସାବରେ ଆମେ ଏହାକୁ ବ୍ୟବହାର କରୁ। ଆମେ ଆମ ସୁଖ ଦୁଃଖ ବାଂଟୁ, ଭାବନାର ଭରା ନଈରେ ଭାସିଥାଉ। ଏହି ସୁଖ ଦୁଃଖ ଦିଆନିଆ କଲା ଭିତରେ ଆମକୁ ଲୋକ ଏବଂ ଲୋକଙ୍କୁ ଆମେ ଭଲପାଇ ବସୁ। ନିଜ ଅଜାଣତରେ ମନ ଦେଇଦେଉ। ସଂପର୍କର ସେ ଅମଡ଼ା ବାଟରେ ଆମେ ଏତେ ବାଟ ଚାଲିଯାଇ ଥାଉ ଯେ ଆଉ ଫେରିବା ସମ୍ଭବ ହୁଏ ନାହିଁ। ବରଂ ଏହି ବିପଦପୂର୍ଣ୍ଣ କଂଟକିତ ରାସ୍ତାରେ ଆମେ କୌଣସି ନା କୌଣସି ମୋଡରେ ଧରାପଡୁ। ବିଶେଷ କିଛି ଚିନ୍ତା କରିବା ପୂର୍ବରୁ ନିଜ ହାତରେ ହିଁ ପୂର୍ବରୁ ନିଜେ ଗଢ଼ିଥିବା ପରିବାରଟିକୁ ଆମେ ଦୂରେଇ ଦେଇଥାଉ। ପରିବାର ଆଉ ରୀତିନୀତିକୁ ସାମାଜିକ ଗଣମାଧ୍ୟମର ସଂପର୍କମାରଣ ଯୁପକାଠିରେ ବଳି ଚଢ଼ାଇ ଦେଇଥାଉ। ପାଖର ପତ୍ନୀ ଅପେକ୍ଷା ଦୂରର ପ୍ରେୟସୀ ଆପଣାର ମନେ ହୁଏ। କଲ ଅପେକ୍ଷା ମିସ୍ କଲ ଭୀତି ସଂଚାର କରେ ସତ ହେଲେ ରୋମାଂଚକର ଅନୁଭୂତି ବି ଆଣିଦିଏ।

ସ୍ୱଳ୍ପ ମୂଲ୍ୟର ଡାଟା, ଶସ୍ତା ମୋବାଇଲ ଏବଂ ଅପର୍ଯ୍ୟାପ୍ତ ସମୟ ଯୋଗୁଁ ଏବେ ମୋବାଇଲକୁ ବେଶୀ ସମୟ ଧରି ହାତମୁଠାରୁ ବାହାରେ ରଖିବା ଅସମ୍ଭବ ହୋଇ ପଡୁଛି। ମୋବାଇଲ୍ ଆଉ ଡ୍ରଇଂ ରୁମର ସୌଖିନ ସାମଗ୍ରୀ ନୁହେଁ ବରଂ ବେଡ଼ ରୁମର ଅତ୍ୟାବଶ୍ୟକ ଦ୍ରବ୍ୟ ପାଲଟି ଗଲାଣି। ପରିସ୍ଥିତି ଏମିତି ଯେ ଖାଇ ସାରିବାର ଅଧ ଘଂଟାଏ ଯାଏ ମୋବାଇଲ ନ ଦେଖିଲେ ଆଖିକୁ ନିଦ ହିଁ ଆସୁନାହିଁ। ଆଉ ଏହି ମୋବାଇଲ ମଧ୍ୟ ଦେଇ ଅଚିରେ ଆମ ବେଡ଼ରୁମକୁ ପଶି ଆସୁଛନ୍ତି ପରକୀୟା ସଂପର୍କର ଜାଲ ବୁଣିବାକୁ ବୁଢୀଆଣି ଯେତେ। ଦିନ କେଇଟାରେ ମୋବାଇଲର ନୀଳ ପରଦା ମଧ୍ୟରେ ଏ ସଂପର୍କ ସବୁ ଜୀବନ୍ୟାସ ପାଉଛି। ନିଜ ହାତରେ ତିଆରିଥିବା ପରିବାରର ଏରୁଣ୍ଡିବନ୍ଧକୁ ଡେଇଁ ଉଭୟ ସ୍ତ୍ରୀ ଏବଂ ପୁରୁଷ ପରକୀୟା ପାଇଁ ଡିଆଁ ମାରୁଛନ୍ତି। କେଉଁଠି ବିବାହର ଚତୁର୍ଥୀ ନ ପୂରୁଣୁ ପତ୍ନୀ ସାମାଜିକ ଗଣମାଧ୍ୟମରେ ନିଜର ପୂର୍ବତନ ପ୍ରେମିକ ସହିତ ଫେରାର ତ ଆଉ କେଉଁଠି ପୂର୍ବରୁ ବିବାହ କରିଥିବା ପୁରୁଷ ନିଜକୁ ଅବିବାହିତ କହି ସମାଜିକ ଗଣମାଧ୍ୟମ ଦ୍ୱାରା ଉଚ୍ଚ ଶିକ୍ଷିତ ସୁନ୍ଦରୀକୁ ଫସେଇ ବାହା ହୋଇପଡ଼ି ନିଜର ଏବଂ ଯୁବତୀର ଜୀବନ ନଷ୍ଟ କରୁଛି।

ସବୁ ଜିନିଷର ଭଲ ଏବଂ ଖରାପ ଦିଗ ରହିଲା ପରି ସାମାଜିକ ଗଣମାଧ୍ୟମର ମଧ୍ୟ ଊଭୟ ଭଲ ଏବଂ ଖରାପ ଦିଗ ରହିଛି। ସାମାଜିକ ଗଣମାଧ୍ୟମ ଦ୍ୱାରା ଆପଣ ମନଇଚ୍ଛା ବନ୍ଧୁ ବନାନ୍ତୁ ସତ ହେଲେ ପ୍ରତି ବନ୍ଧୁତାର ଏକ ସୀମା ସରହଦ ରଖନ୍ତୁ। ସାମାଜିକ ଗଣମାଧ୍ୟମରେ ଥିବା ସବୁ ପୁରୁଷ କିମ୍ବା ସ୍ତ୍ରୀ ଆପଣଙ୍କର ପତି କିମ୍ବା ପତ୍ନୀ ହୋଇ ପାରିବେ ନାହିଁ। ଏଣୁ ସମସ୍ତଙ୍କ ସହିତ ନିଜ ଜୀବନର ସବୁ ଗୋପନୀୟ ସତ୍ୟ କହିବା ଦରକାର ନାହିଁ। ପୁଣି ଏକୁଟିଆ ଲାଗୁଥିଲା ବେଳେ ବା ମାନସିକ ଭାବେ ଦୁର୍ବଳ ଅନୁଭବ କରୁଥିଲା ବେଳେ ସାମାଜିକ ଗଣମାଧ୍ୟମରେ ଥିବା ସଂପର୍କକୁ ସଠିକ୍ ଭାବେ ପରିଚାଳିତ କରିପାରିନଥାନ୍ତି। ଏପରି କ୍ଷେତ୍ରରେ ଆପଣ ସାମାଜିକ ଗଣମାଧ୍ୟମରୁ ବିରତ ନେବା ଆବଶ୍ୟକ। ଯଦି ଆପଣ ଏସବୁ କରି ପାରିନପାରିଲେ ତେବେ ଆପଣଙ୍କ ବୈବାହିକ ଜୀବନ ଗଣମାଧ୍ୟମ ଆଁରେ ଫସିଯିବାର ଆଶଙ୍କା ରହିଛି।

ଧବଳଗିରି, ଯାଜପୁର ରୋଡ

ଫୋ-୭୯୭୮୬୭୧୭୭୬

Related story