Advertisment

କଲ୍ୟାଣକାରୀ ଯୋଜନା : ଗରିବୀ ହଟୁନି, ଭୋଟ୍‌ବ୍ୟାଙ୍କ ବଢ଼ୁଛି

ଦେବ ରଞ୍ଜନ ଓଡ଼ିଶା ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାର ଦାରିଦ୍ର୍ୟ ଦୂରୀକରଣ, ସାମାଜିକ ଓ ଆର୍ଥିକ କଲ୍ୟାଣ ନାମରେ ଦେଶବାସୀଙ୍କ ଲାଗି ଅନେକ କଲ୍ୟାଣକାରୀ ଯୋଜନା ବେଶ କିଛି ଦଶନ୍ଧି ହେଲା କରିଆସୁଛନ୍ତି। ଏହି ସବୁ ଯୋଜନାର ସୁବିଧା ପାଉଥିବା ବ୍ୟକ୍ତିଙ୍କୁ ‘ହିତାଧିକାରୀ’ କୁହାଯାଇଥାଏ। କଲ୍ୟାଣକାରୀ ଯୋଜନା ଲାଗି ବିପିଏଲ କାର୍ଡଧାରୀ ବ୍ୟକ୍ତିଙ୍କୁ ପ୍ରାଥମିକତା ଦୀର୍ଘ ବର୍ଷ ଧରି ଦିଆଯାଉଥିଲା। ଗଲା ଦଶନ୍ଧିରେ ନୂତନ ସରକାର କେନ୍ଦ୍ରରେ ଆସିବା ପରଠାରୁ ବିପିଏଲ ତାଲିକା ପ୍ରସ୍ତୁତ […]

କଲ୍ୟାଣକାରୀ ଯୋଜନା : ଗରିବୀ ହଟୁନି, ଭୋଟ୍‌ବ୍ୟାଙ୍କ ବଢ଼ୁଛି

Social

Advertisment

ଦେବ ରଞ୍ଜନ

ଓଡ଼ିଶା ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାର ଦାରିଦ୍ର୍ୟ ଦୂରୀକରଣ, ସାମାଜିକ ଓ ଆର୍ଥିକ କଲ୍ୟାଣ ନାମରେ ଦେଶବାସୀଙ୍କ ଲାଗି ଅନେକ କଲ୍ୟାଣକାରୀ ଯୋଜନା ବେଶ କିଛି ଦଶନ୍ଧି ହେଲା କରିଆସୁଛନ୍ତି। ଏହି ସବୁ ଯୋଜନାର ସୁବିଧା ପାଉଥିବା ବ୍ୟକ୍ତିଙ୍କୁ ‘ହିତାଧିକାରୀ’ କୁହାଯାଇଥାଏ। କଲ୍ୟାଣକାରୀ ଯୋଜନା ଲାଗି ବିପିଏଲ କାର୍ଡଧାରୀ ବ୍ୟକ୍ତିଙ୍କୁ ପ୍ରାଥମିକତା ଦୀର୍ଘ ବର୍ଷ ଧରି ଦିଆଯାଉଥିଲା। ଗଲା ଦଶନ୍ଧିରେ ନୂତନ ସରକାର କେନ୍ଦ୍ରରେ ଆସିବା ପରଠାରୁ ବିପିଏଲ ତାଲିକା ପ୍ରସ୍ତୁତ କରିବା ବନ୍ଦ କରିଦେଲେ। ଏବେ ହିତାଧିକାରୀଙ୍କ ଲାଗି ପ୍ରତ୍ୟେକ ରାଜ୍ୟ ନିଜ ନିଜ କଲ୍ୟାଣକାରୀ ଯୋଜନା ଲାଗି ଭିନ୍ନ ଭିନ୍ନ ସର୍ତ୍ତ ରଖିଛନ୍ତି।

Advertisment

ଗରିବ, ଅସୁରକ୍ଷିତ ଓ ଶାରୀରିକ ତଥା ଆର୍ଥିକ ଅସମର୍ଥ ବ୍ୟକ୍ତିମାନଙ୍କ କଲ୍ୟାଣ ଲାଗି ଏହି ସବୁ ଯୋଜନା ଘୋଷିତ ହେଉଛି। ଦେଶରେ ୨୦୦୦ ମସିହାରୁ ଆର୍ଥିକ ସଂସ୍କାରର ପ୍ରଭାବ ଅନୁଭୂତ ହେବାରେ ଲାଗିଛି। ଏହା ସହିତ ପ୍ରତ୍ୟେକ ଦିନ ନୂଆ ନୂଆ କଲ୍ୟାଣକାରୀ ଯୋଜନା ତିଆରି ହେଉଛି। ପୁରୁଣା କଲ୍ୟାଣକାରୀ ଯୋଜନା କେତେବେଳେ ବନ୍ଦ ହୋଇଯାଉଛି ତାହା ଜଣାପଡୁ ନାହିଁ। ନୂଆ ନାମରେ ପୁଣି ପୁରୁଣା ଯୋଜନା ଅଥବା ନୂଆ ନାମରେ ନୂଆ ଯୋଜନା ଘୋଷଣା ହେଉଛି। ପ୍ରତ୍ୟେକ ରାଜ୍ୟରେ ଆଜି କଲ୍ୟାଣକାରୀ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଓଡ଼ିଶା ସମେତ ଅନେକ ରାଜ୍ୟରେ ସମୁଦାୟ ଜନସଂଖ୍ୟାର ୧୦ରୁ ୫୦ ପ୍ରତିଶତ ଲୋକ ହିତାଧିକାରୀ ଭାବରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ‘ସୁବିଧା’ ପାଉଛନ୍ତି।

ସ୍ୱଳ୍ପ ରାଶି ଦିଆଯାଉଛି

ଏହି ସମସ୍ତ କଲ୍ୟାଣକାରୀ ଯୋଜନାରେ ଘୋଷିତ ଅର୍ଥରାଶୀ ଏତେ ସ୍ୱଳ୍ପ ଯେ କୌଣସି ହିତାଧିକାରୀ କେବେ ଏକ ସୁସ୍ଥ ଓ ସବଳ ଜୀବନ ବଞ୍ଚିବାର ସ୍ଵପ୍ନ ସେତିକି ରାଶି ମଧ୍ୟରେ ଦେଖିପାରିବ ନାହିଁ। ଓଡ଼ିଶାରେ କୌଣସି ବୃଦ୍ଧବୃଦ୍ଧା, ବିକଳାଙ୍ଗ ଅଥବା ଏକୁଟିଆ ମହିଳା ମାସିକ ପେନସନ ୫୦୦ ଟଙ୍କାରେ ନିଜର ଆବଶ୍ୟକତାକୁ ପୂରଣ କରିପାରିବ କି? (କେଉଁ ରାଜ୍ୟ ଏବେ ବି ୩୦୦ ଟଙ୍କା ପେନସନ ଦେଉଛନ୍ତି ତ କେଉଁ ରାଜ୍ୟ ୧୦୦୦ ଟଙ୍କା ଦେଉଛନ୍ତି। କିନ୍ତୁ ତାହା ମଧ୍ୟ ଯଥେଷ୍ଟ ନୁହେଁ।)

Advertisment

ଇନ୍ଦିରା ଆବାସ ଘର ନାମରେ ଏକ ଲକ୍ଷରୁ ଦେଢ଼ଲକ୍ଷ ଟଙ୍କା (ସହରୀ ଅଞ୍ଚଳରେ ଅଧିକ ଓ ଗ୍ରାମାଞ୍ଚଳରେ କମ) କେହି କ’ଣ ନିଜର ଚାରି କି ପାଞ୍ଚ ପ୍ରାଣୀ କୁଟୁମ୍ବ ଲାଗି ଆବଶ୍ୟକ ଦୁଇ ବଖରିଆ ମଜଭୁତ ଘର ଆଜିର ଦରଦାମ ବୃଦ୍ଧି ସମୟରେ କରିପାରିବ? ଯେଉଁ ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ ଅର୍ଥ ଦିଆଯାଉଛି ସେତିକି ଅର୍ଥରେ କୌଣସି ହିତାଧିକାରୀ ଉତ୍ତମ ଚିକିତ୍ସା ଏକ କର୍ପୋରେଟ ଡାକ୍ତରଖାନାରୁ ପାଇପାରିବ ନା ସେତିକି ଅର୍ଥରେ ତାଙ୍କର ପିଲା ଉତ୍ତମ ଶିକ୍ଷା ଏକ କର୍ପୋରେଟ ଅନୁଷ୍ଠାନରୁ ପାଇପାରିବେ?

ଅଥଚ ଆଜି ହିତାଧିକାରୀ ଓ ଅଣହିତାଧିକାରୀଙ୍କ ମଧ୍ୟରେ ବିତର୍କ, ବିବାଦ, କ୍ଷୋଭ, ତିରସ୍କାର ଶୁଣିବାକୁ ମିଳୁଛି। ଏହା ଏବେ ଶ୍ରେଣୀ ପ୍ରସଙ୍ଗ ହୋଇଗଲାଣି। ଗାଁ ଓ ସହର ଆଜି ଏକ ଟଙ୍କିଆ ଚାଉଳ ଓ ପାଞ୍ଚ ଶହ ଟଙ୍କିଆ ଭତ୍ତା ପ୍ରସଙ୍ଗରେ ବିଭାଜିତ ହେବାରେ ଲାଗିଛି। ପାଉଥିବା ବ୍ୟକ୍ତି ଆକ୍ଷେପ କରୁଛି, ‘ସରକାର, ଏମାନଙ୍କୁ ଭତ୍ତା ଦେଇ ମୁହଁ ଉପରକୁ କରିଦେଇଛି।‘

ହିତାଧିକାରୀର ପରିବାର ଅନ୍ୟପଟରେ ସଦସ୍ୟ ଶୂନ୍ୟ ହେବାରେ ଲାଗିଛି। ଘରେ ବୁଢ଼ାବୁଢ଼ୀ ବାପା ମା’ ବା ନିଜର ସ୍ତ୍ରୀକୁ ଛାଡ଼ିଦେଇ ଯୁବବର୍ଗ ସୁଦୂର କେରଳ, ଗୁଜୁରାଟ, କର୍ଣ୍ଣାଟକ, କାଶ୍ମୀରକୁ ମଧ୍ୟ ଯିବାରେ ଲାଗିଛନ୍ତି। ଗାଁ ଗୁଡ଼ିକ ଗ୍ରାମବାସୀଶୂନ୍ୟ ହୋଇଯାଉଥିଲା ବେଳେ ନିର୍ବାଚନ ଆସିଲେ ପୁଣି ସେମାନଙ୍କୁ ଲୋଡ଼ା ହେଉଛି ଓ ପ୍ରାର୍ଥୀ ନିଜ ଖର୍ଚ୍ଚରେ ସେମାନଙ୍କୁ ଅନ୍ୟ ରାଜ୍ୟରୁ ଆସିବାର ବ୍ୟବସ୍ଥା କରୁଛି।

ଆମର ସହରୀ ମଧ୍ୟବିତ୍ତ ବର୍ଗକୁ କିନ୍ତୁ ଏହି ବିଷମତା ଦେଖାଯାଉନାହିଁ।

ସରକାର ଉତ୍ତରଦାୟୀ ନୁହନ୍ତି

ଏଠାରେ ପ୍ରଶ୍ନ ନୁହେଁ ଯେ ସରକାର ଯଦି ଦେବେ ତେବେ ହିତାଧିକାରୀଙ୍କୁ କେତେ ଅଧିକ ରାଶି ବା ଦେଇପାରିବେ। ପ୍ରଶ୍ନ ଆସୁଛି ଯେ ସରକାର ନିଜର ଏହି କଲ୍ୟାଣକାରୀ ଭୂମିକାକୁ ଅଳ୍ପ କିଛି ଅର୍ଥ ବାଣ୍ଟି ଦେବାରେ କେଉଁଭଳି ସୀମିତ କରିଦେଲେ, ତାହା ପୁଣି କୌଣସି ଉତ୍ତରଦାୟିତ୍ଵ ନଥାଇ? ଲୋକଟିର ସ୍ୱାସ୍ଥ୍ୟରେ ଉନ୍ନତି ସେତିକି ଅର୍ଥରେ ହେଲା କି ନାହିଁ ସେ କଥା କିନ୍ତୁ ସରକାର ତ ଦେଖିଲେ ନାହିଁ?

ହିତାଧିକାରୀ ଯୋଜନାର ଅନ୍ୟ ଏକ ସଙ୍କଟ ହେଲା ଯେ ଏଥିଲାଗି ସରକାର ଆଦୌ ଉତ୍ତରାଦାୟୀ ନୁହନ୍ତି। କୌଣସି ହିତାଧିକାରୀ ସମସ୍ତ ଆବଶ୍ୟକୀୟ ସର୍ତ୍ତ ପୂରଣ କରୁଥିଲେ ମଧ୍ୟ କଲ୍ୟାଣକାରୀ ଯୋଜନାରୁ ଯଦି ବାଦ ପଡୁଥାଏ ସେଥିଲାଗି ସେ ସରକାରୀ ଦପ୍ତରରେ ଅଭିଯୋଗ କରିପାରିବ। କିନ୍ତୁ ବାଦ ପଡୁଥିବା କାରଣରୁ କୋର୍ଟର ଆଶ୍ରୟ ନେଇପାରିବ ନାହିଁ। ସରକାର ଏ ବର୍ଷ ଦେଇନାହାନ୍ତି ଆସନ୍ତା ବର୍ଷ ଦେବେ, ଏଭଳି ଉତ୍ତର ଆସିବ।

କେବଳ ତଥ୍ୟ ଜାଣିବାର ଅଧିକାର ଆଇନ ଅନୁସାରେ (RTI) ତଥ୍ୟ ପାଇବାର ଅଧିକାର ବ୍ୟତିତ (ତାହାର କୌଣସି ଗ୍ୟାରେଣ୍ଟି ବି ନାହିଁ) ହିତାଧିକାରୀର ଅନ୍ୟ କୌଣସି ସାମ୍ବିଧାନିକ ଅଧିକାର ଏଭଳି ଯୋଜନାମାନଙ୍କରେ ନାହିଁ। ଅଥଚ ଏହି ହିତାଧିକାରୀ ତାଲିକାରେ ନାମ ଲେଖାଇବାରେ ଏକ ବିରାଟ ପ୍ରତିଯୋଗୀତା ବସ୍ତିଠାରୁ ଗାଁ ପର୍ଯ୍ୟନ୍ତ ଲାଗିଛି।

ଏହାର କାରଣ ହେଲା ଯେ ଲୋକଙ୍କ ଅର୍ଥରେ ଶାସକମାନେ ହିତାଧିକାରୀ ଯୋଜନାକୁ ବିରାଟ ହୋର୍ଡିଙ୍ଗ, ଟିଭିର ବିଜ୍ଞାପନ, ଭାଷଣ ଓ ପୁସ୍ତିକା ମାଧ୍ୟମରେ “ସରକାରଙ୍କ ସଫଳତା” ଭାବରେ ପ୍ରଚାର କରୁଛନ୍ତି। ଯଦି ସରକାର ଲୋକଙ୍କ କଥା ନବୁଝିବେ ତେବେ ସେ ସରକାର ଗଠନ କରିଥିଲେ ବା କାହିଁକି, ଏ ପ୍ରଶ୍ନ କ୍ଵଚିତ ଶୁଣାଯାଏ।

ନବେ ଦଶକରେ ଆର୍ଥିକ ସଂସ୍କାର ଆସିବା ପରେ ସରକାରଙ୍କ ସମସ୍ତ କଲ୍ୟାଣକାରୀ ବିଭାଗରେ ବୃହତ କର୍ପୋରେଟମାନଙ୍କର ପ୍ରବେଶ ଘଟିଲା। ଯେଉଁ ସରକାରୀ ବିଭାଗ ଦେଶର ଶହେ ପ୍ରତିଶତ ଲୋକଙ୍କୁ ସୁବିଧା ଦେବା ଲାଗି ତିଆରି ହୋଇଥିଲା ସେହିସବୁ କ୍ଷେତ୍ରଗୁଡ଼ିକ କର୍ପୋରେଟମାନଙ୍କ ହାତକୁ ଚାଲିଗଲା ପରେ ନାଗରିକକୁ ସୁବିଧା ପାଇବା ଲାଗି ଅଧିକ ଅର୍ଥ ବ୍ୟୟ କରିବାକୁ ପଡ଼ିଲା। ଏହା କିନ୍ତୁ ଗରିବ ଲୋକଙ୍କ ଲାଗି ସମ୍ଭବ ନଥିଲା।

ସରକାର ନିଜର ଆର୍ଥିକ ସଂସ୍କାର ନୀତିର ସମୀକ୍ଷା କରିବା ଲାଗି କର୍ପୋରେଟମାନଙ୍କୁ ଡରିଲେ। ଏହି ସଂସ୍କାର ପ୍ରକ୍ରିୟା ହେତୁ ଧନୀ ଗରିବର ବ୍ୟବଧାନ ବଢ଼ିବାରେ ଲାଗିଲା ଓ ଗରିବ ଆହୁରି ଗରିବ ହେବାର ତଥ୍ୟ ଅକ୍ସଫାମ ରିପୋର୍ଟରେ ପ୍ରକାଶ ପାଇଲା। ଏକ ସର୍ଭେ ଅନୁସାରେ (Public Health Foundation of India) ଗୋଟିଏ ବର୍ଷରେ ୫.୫ କୋଟି ଲୋକ କେବଳ ନିଜ ସମ୍ପର୍କୀୟଙ୍କ ଚିକିତ୍ସା ଲାଗି ଋଣ କରି ଗରିବ ପାଲଟି ଯାଇଛନ୍ତି।

ଶୂନ୍ୟହସ୍ତରେ ହିତାଧିକାରୀ

ସାଧାରଣ ହିତାଧିକାରୀ ନିକଟରେ ଜମି ଉଚ୍ଛେଦ ବା ବସ୍ତି ଭାଙ୍ଗିବାର ନୋଟିସ ମଧ୍ୟ ପହଞ୍ଚିବାରେ ଲାଗିଛି। ବହୁ ସମୟରେ ହିତାଧିକାରୀ ଜଣକ ଏକଥାକୁ ଠଉରାଇପାରେ ନାହିଁ ଯେ ଯେଉଁ ସରକାର ତାକୁ ଚାଉଳ, ଭତ୍ତା, ଇନ୍ଦିରା ଆବାସ ଘର ଦେଉଛି ସେ ପୁଣି ତାହାର ଘର ଭାଙ୍ଗିଦେଉଛି, ଜମି ଛଡ଼େଇନେଉଛି, ଏପରିକି ମିଛ ମକଦ୍ଦମାରେ ଗିରଫ କରୁଛି!

ସରକାରୀ ଅଧିକାରୀମାନେ ବସ୍ତି ଉଚ୍ଛେଦ, ଜବରଦସ୍ତି ଜମି ଅଧିଗ୍ରହଣ ଓ ଖଣି ଖନନ ଲାଗି ଜମିରୁ ଉଚ୍ଛେଦ ଇତ୍ୟାଦିର ନୋଟିସ ନେଇ ଗାଁ ବା ସହରରେ ରହୁଥିବା ସରକାରୀ ଯୋଜନାର ହିତାଧିକାରୀଙ୍କ ପାଖରେ ପହଞ୍ଚିଲେ ଏହି ପ୍ରକାରର ପ୍ରଶ୍ନ ଅଧିକ ଶୁଣିବାକୁ ମିଳିଥାଏ। ସରକାର ଯଦି ତାଙ୍କୁ ଏହିପରି ମାରି ଦେବା ଲାଗି ଚାହୁଁଥିଲେ ତେବେ ତାଙ୍କୁ ବଞ୍ଚାଇରଖିବା ଲାଗି ଭତ୍ତା, ଚାଉଳ ଓ ଘର ଇତ୍ୟାଦି ଦେଉଥିଲେ କାହିଁକି? ଏହାର କୌଣସି ଠୋସ ଉତ୍ତର ନପାଇବା କାରଣରୁ ହିତାଧିକାରୀ ନିଜର ଭାଗ୍ୟକୁ ନିନ୍ଦା କରେ। ସେତେବେଳେ ଦେଶରେ ଗଣତନ୍ତ୍ରଠାରୁ ଭଗବାନ ଅଧିକ ଶକ୍ତିଶାଳୀ ହୋଇଯା’ନ୍ତି।

ପୁଣି ସରକାରୀ ନିର୍ଦ୍ଦେଶକୁ ସାଦରେ ଗ୍ରହଣ ନକରି ପ୍ରତିବାଦ କରିବା କାରଣରୁ ପୁଲିସ ଦ୍ଵାରା ଗିରଫ ସେହି ହିତାଧିକାରୀମାନେ ହୁଅନ୍ତି ଯେଉଁମାନଙ୍କ ସରକାରୀ ଯୋଜନାରୁ ଲାଭ ପାଇଥିବାର ହସ ହସ ମୁହଁ ବିଭିନ୍ନ ଖବରକାଗଜ ବିଜ୍ଞାପନରେ ଦିନେ ଦେଖିବାକୁ ମିଳିଥିଲା।

କାରଣ ହେଲା ଆଜିର କଲ୍ୟାଣକାରୀ ଯୋଜନା ହିତାଧିକାରୀର ସର୍ବାଙ୍ଗୀନ ଉନ୍ନତି କଳ୍ପେ ତିଆରି ହୋଇନାହିଁ। ଯେତେବେଳେ କମ୍ପାନୀ ବା ବୃହତ ଠିକାଦାରର ସ୍ଵାର୍ଥ ଓ ହିତାଧିକାରୀର ସ୍ଵାର୍ଥ ମଧ୍ୟରେ ବିବାଦ ବା ସଙ୍ଘାତ ଦେଖାଯାଉଛି ସେତେବେଳେ କର୍ପୋରେଟ ଜିତୁଛି ଓ ହିତାଧିକାରୀ ହାରିଯାଉଛି। କାରଣ କର୍ପୋରେଟ/କମ୍ପାନୀ/ଠିକାଦାର ପଛରେ ସରକାରୀ ବ୍ୟବସ୍ଥାର ସଂପୂର୍ଣ୍ଣ ସମର୍ଥନ ରହୁଛି। ଏହା ପ୍ରତ୍ୟେକ ରାଜ୍ୟରେ ହେଉଛି।

କିନ୍ତୁ ନିର୍ବାଚନରେ ଜିତିବା ଲାଗି ଭୋଟରଙ୍କ ଆବଶ୍ୟକତା ରହିଛି। ଏହି ଭୋଟ ବ୍ୟାଙ୍କ ତିଆରି ଲାଗି ଆମ ଦେଶରେ  ହିତାଧିକାରୀଙ୍କ ସଂଖ୍ୟା ପ୍ରତି ଯୋଜନାରେ ସରକାରୀ ତାଲିକାରେ ବଢାଇଦିଆଯାଉଛି। ଏହି ହେତୁ ସରକାରୀ ସୁବିଧା ଶୀଘ୍ର ପାଇବା ଆଶାରେ ଓ ସରକାରୀ ତାଲିକାରୁ ବାଦ ପଡିନଯିବା ଲାଗି ହିତାଧିକାରୀମାନେ ସରକାରୀ ଦଳର ଭୋଟ ବ୍ୟାଙ୍କ ହୋଇଯାଇଛନ୍ତି।

ତାଙ୍କରି ଭୋଟରେ ନିର୍ବାଚିତ ସରକାର ଲାଭଜନକ ଅନୁଷ୍ଠାନଗୁଡିକୁ ବିକ୍ରି କରିଦେଉଛନ୍ତି ଓ ସାଧାରଣ ନାଗରିକ ହାତରେ ଥିବା ଅଧିକାରଗୁଡ଼ିକୁ କ୍ରମଶଃ ନେଇଯାଉଛନ୍ତି। ଏହା ପରେ ସାଧାରଣ ନାଗରିକ ସାମ୍ବିଧାନିକ ଅଧିକାର ଶୂନ୍ୟ ଏକ ହିତାଧିକାରୀରେ ପରିଣତ ହେଉଛି। ସରକାରୀ ନୋଟିସ ଆସିଲେ ଶୁଖିଲା ପତ୍ର ସଦୃଶ ଏ ସ୍ଥାନରୁ ସେ ସ୍ଥାନ ହେଉଛି। କିନ୍ତୁ ଅଧିକାରଗୁଡ଼ିକ ନିଜ ହାତରୁ ଚାଲିଯାଉଥିଲେ ବି ଜନ ପ୍ରତିବାଦ ହୋଇପାରୁନାହିଁ।

ମୋ: ୯୪୩୭୭୬୨୨୭୨

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe