- ସତ୍ୟ ସୂତାର
‘ଲିଟି’ ଡାକରେ ଆଖି ଖୋଲିଗଲା। ବାପା, ହଠାତ ଭଦ୍ରକ କଲେଜ ଛାତ୍ରାବାସରେ, ମୋ ରୁମରେ। ସକାଳ ପାଖାପାଖି ଆଠଟା ହେବ। ଗତରାତି ଦୁଇଟାରେ ଶୋଇଥିଲି। ବାପାଙ୍କୁ ହଠାତ ଏତେ ସକାଳୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ହଡ଼ବଡ଼େଇ ହୋଇ ଉଠି ଠିଆହେଲି। ୧୯୯୭ର କଥା। କେମିତି କେଜାଣି ବାପା ଖବର ପାଇ ଯାଇଥିଲେ, ମୁଁ ଭଦ୍ରକ ମହାବିଦ୍ୟାଳୟରେ ସାଧାରଣ ସମ୍ପାଦକ ପାଇଁ ନିର୍ବାଚନ ଲଢ଼ୁଛି।
ବାପା ଆସିଛନ୍ତି ମୋତେ ଗାଁକୁ ନେଇଯିବାକୁ। ନିର୍ବାଚନ ପରେ ପୁଣି କଲେଜ ଫେରିବି। ବାପା ଏତକ କଥା କହି ମୋ ଜିନିଷପତ୍ର, ବହିଖାତା ସବୁ ସଜାଡ଼ିବାକୁ କହିଲେ। ନିର୍ବାଚନକୁ ଆଉ ମାତ୍ର ପନ୍ଦର ଦିନ ଥାଏ।
କ’ଣ କହିବି, କୋଉଠୁ ଆରମ୍ଭ କରିବି, ମୁଣ୍ଡରେ କିଛି ପଶୁ ନ ଥାଏ। ବହିଖାତା ଓ ଲୁଗାପଟା ବ୍ୟାଗ୍ ଭିତରେ ପୁରାଉ ପୁରାଉ ବାପାଙ୍କୁ କହିବା ଆରମ୍ଭ କଲି। ‘ବାପା, ମୁଁ ଗତ ଦୁଇବର୍ଷ ହେଲା ଆସନ୍ତା ନିର୍ବାଚନ ପାଇଁ ବହୁତ୍ ପରିଶ୍ରମ କରିଛି। ଯଦି ଆପଣ ମୁଁ ନିର୍ବାଚନରେ ପ୍ରାର୍ଥୀ ନ ହେବାକୁ ଚାହୁଁଛନ୍ତି, ତାହେଲେ ମୁଁ ଗାଁକୁ ଫେରିଯିବି। କିନ୍ତୁ,ଏହା ମୋ ଅବଶିଷ୍ଟ ଜୀବନ ପାଇଁ ଏକ ଅବଶୋଷ ହୋଇ ରହିଯିବ, କି ସବୁ ସମ୍ଭାବନା ଥାଇ ବି ମୁଁ ଭଦ୍ରକ ମହାବିଦ୍ୟାଳୟର ସାଧାରଣ ସମ୍ପାଦକ ହୋଇ ପାରିଲି ନାହିଁ। ଆପଣ ଯଦି ଏ ନିର୍ବାଚନ ଲଢ଼ିବାକୁ ଅନୁମତି ନ ଦେବେ, ତେବେ ମୁଁ ଏ ନିର୍ବାଚନ ଲଢ଼ିବି ନାହିଁ; ଯଦି ଅନୁମତି ଦେବେ, ମୁଁ ନିଶ୍ଚିତ ଏ ନିର୍ବାଚନ ଜିତିବି।’
ତା ପରେ କିଛି ମୁହୂର୍ତ୍ତର ନିରବତା। ବାପା ଚୁପଚାପ୍ ଥାଆନ୍ତି ଓ ମୁଁ ବି। ବାପା କେଜାଣି କ'ଣ ଭାବୁଥାନ୍ତି। ପୁଣି ଥରେ ବାପାଙ୍କୁ ଅନୁନୟ ହୋଇ, ଏ ନିର୍ବାଚନ ଲଢ଼ିବାକୁ ମୋତେ ସୁଯୋଗ ଦେବାକୁ କହିଲି। ବାପା, ବିଚଳିତ, ଗମ୍ଭୀର ଓ କିଛି ନ କହି କ'ଣ ସବୁ ଭାବି ଚାଲିଥାନ୍ତି!
କିଛି ସମୟ ପରେ ବାପା ପଚାରିଲେ, ‘ତୁ କେମିତି ଅନୁଭବ କଲୁ,ଏ ନିର୍ବାଚନ ଜିତିବୁ ବୋଲି! ତୁ ଗାଁ ପିଲା, ଭଦ୍ରକ କଲେଜ ଭଳି ବଡ଼ କଲେଜରେ ତୁ କିପରି ଜିତିବୁ ବୋଲି ଭାବୁଛୁ?’
ମୁଁ ପୁଣି ଥରେ ଦୋହରାଇଲି, ‘ବିଗତ ଦୁଇବର୍ଷ ଧରି ଦୃଢ଼ ଲୋକ ସମ୍ପର୍କ ତିଆରି କରିଛି, ନିଶ୍ଚିତ ଜିତିବି।’
ବାପାଙ୍କୁ ଅନୁରୋଧ କଲି, କଲେଜ କୁ ଯାଇ ଛାତ୍ରଛାତ୍ରୀଙ୍କୁ ପଚାରିବାକୁ କି ଆସନ୍ତା ନିର୍ବାଚନରେ ସାଧାରଣ ସମ୍ପାଦକ କିଏ ଜିତିବ?
ବାପା କିଛି ନ କହି ବାହାରିଗଲେ। ମୁଁ ସେମିତି ବହିପତ୍ର, ଜିନିଷପତ୍ର ଓ ଲୁଗା ସଜାଡୁ ଥାଏ। ଏ ଭିତରେ ପାଖାପାଖି ଗୋଟେ ଘଣ୍ଟା ବିତିଗଲା। ବାପା ଫେରିଲେ। (ବାପା ବୃତ୍ତିରେ ଶିକ୍ଷକ ଥିବାରୁ, ରାଜନୀତିକୁ କାହିଁକି କେଜାଣି ଭଲ ପାଆନ୍ତି ନାହିଁ)। ବାପା ଓ ମୁଁ ସାଙ୍ଗ ହୋଇ ସେଣ୍ଟ୍ରାଲ ହଷ୍ଟେଲରୁ କଲେଜ ଛକକୁ ଜଳଖିଆ ଖାଇବାକୁ ବାହାରିଲୁ। ମୁଁ ସଜଡ଼ା ବ୍ୟାଗଟାକୁ କାନ୍ଧରେ ପକେଇଲି। ବାପା ବ୍ୟାଗଟା ନ ଆଣିବା ପାଇଁ କହିଲେ। ଜଳଖିଆ ଖାଇ ହଷ୍ଟେଲ ନ ଫେରି ସିଆଡ଼େ ସିଆଡ଼େ ଗାଁକୁ ପଳେଇବା ବୋଲି ବାପାଙ୍କୁ କହିଲି।
ବାପା କହିଲେ, ‘ଅଧିକାଂଶ ଛାତ୍ରଛାତ୍ରୀ କହୁଛନ୍ତି, ତୁ ଏ ନିର୍ବାଚନ ନିଶ୍ଚିତ ଜିତିବୁ। ଆଉ ତୁ ଏ ନିର୍ବାଚନ ଲଢିବୁ।’
ଖୁସିରେ ବ୍ୟାଗ୍ ଟାକୁ ଖଟ ଉପରେ ଫିଙ୍ଗିଦେଇ ବାପପୁଅ ସାଙ୍ଗରେ ଚାଲିଲୁ ଜଳଖିଆ ଖାଇବାକୁ, କଲେଜ ଛକକୁ।
ଜଳଖିଆ ଖାଇବା ବେଳେ ବାପା ବୁଝାଉଥିଲେ, କାହା ସହିତ ନିର୍ବାଚନ ଗଣ୍ଡଗୋଳ ଯେମିତ ନ ହେବ, ଧ୍ୟାନ ଦେବାକୁ। ନିର୍ବାଚନ ଦିନ ପ୍ରଥମେ ଭୋଟ ଦେଇ ଗାଁକୁ ପଳାଇ ଆସିବାକୁ। ବାରମ୍ବାର ବୁଝାଇ ଚାଲିଥିଲେ ମୋର ସୁରକ୍ଷା କଥା। ବାପାଙ୍କ ପ୍ରତ୍ୟେକ କଥାରେ ହଁ ପରେ ହଁ ମାରି ଚାଲିଥାଏ। ଭଦ୍ରକର ବନ୍ତ ଛକରେ ବାପାଙ୍କୁ ଟ୍ରେକରରେ ଚଢ଼େଇ ଦେଇ ଫେରିଲି କଲେଜକୁ।
ନିର୍ବାଚନ ପାଇଁ ପ୍ରତ୍ୟେକ ଦିନ ସକାଳ ସାତଟାରୁ ରାତି ବାରଟା ଯାଏ ପରିଶ୍ରମ କରୁଥାଏ। 'Why I stand for meeting!' ଦିନ; ରାତିରେ ଶୋଇବା ଆଗରୁ ଦେଖିଲି, ମୋ ଖଟରେ ପଡ଼ିଥିବା ସପ ଉପରେ, କ’ଣ ଗୋଟେ ବଡ଼ ବଣ୍ଡଲଟିଏ ଥୁଆ ହୋଇଛି। ବଣ୍ଡଲଟି ଖୋଲିଲି, ଦେଖିଲି ବହୁତ ଗୁଡ଼େ Good Morning Card ଅଛି। ନିର୍ବାଚନ ପାଇଁ ମୋର ଯେତେ ଗୁଡ଼ିଏ କାର୍ଡ ହୋଇଥିଲା, ଏହା ସର୍ବୋତ୍ତମ, ସର୍ବଶ୍ରେଷ୍ଠ ଓ ଏକ ନିଆରା କାର୍ଡ ଥିଲା। କିଏ ଦେଲେ, କାହିଁକି ଦେଲେ, ଭାବିବାକୁ ମୋ କ୍ଳାନ୍ତ ମସ୍ତିଷ୍କରେ ସେଦିନ କିଛି ପଶୁ ନ ଥିଲା। କାଲି ନିର୍ବାଚନ, ରାତି ବାରଟା ବାଜିଲାଣି। ସକାଳ ଛଅଟାରେ ଉଠିବାକୁ ପଡ଼ିବ। ଶୋଇଗଲି।
ସକାଳୁ ଏ କାର୍ଡ ଗୁଡ଼ିକୁ ବାଣ୍ଟିବା ବେଳେ, କିଏ ଏ କାର୍ଡ ଦେଲେ ବହୁତ୍ ଭାବି ଭାବି ବି ଏ ଅଡ଼ୁଆ ସୂତାର ଖିଅ ପାଇ ପାରିଲି ନାହିଁ।
ନିର୍ବାଚନ ସରିଲା, ବହୁତ ଦିନ ପରିଶ୍ରମ କରି ଲୋକ ସମ୍ପର୍କ ତିଆରି କରି ଥିବାରୁ ନିର୍ବାଚନ ଜିତି ଯାଇଥିଲି। ଗୋଟେ ସପ୍ତାହ ପରେ ମୋ ଗାଁ ଫକିରପୁରକୁ ଗଲି। ଦିନେ କୌଣସି ଏକ କାମରେ ଘଷିପୁରା ବସ ଷ୍ଟାଣ୍ଡକୁ ଯାଇଥିଲି। ବାରିଗାଁର ଆମ ସମ୍ପର୍କୀୟ ଅରୁଣ ଓଝା ଭାଇ ଘଷିପୁରା ବସଷ୍ଟାଣ୍ଡରେ ଦେଖା ହେଲେ। ନିର୍ବାଚନ ଜିତି ଥିବାରୁ ଅଭିନନ୍ଦନ ଜଣାଇ ପଚାରିଲେ ଗୁଡ ମର୍ଣ୍ଣିଙ୍ଗ କାର୍ଡଟି କେମିତି ହୋଇଥିଲା? ମାମୁଁ, (ମୋ ବାପା) ମୋ ପ୍ରେସରୁ କରିକି ନେଇଥିଲେ।
ଅଡ଼ୁଆ ସୁତା ଖିଅର ସମାଧାନ ବାହାରି ସାରିଥାଏ। ସାଇକେଲକୁ ଘରମୁହାଁ କଲି। ବାପା ଶାଗ କିଆରିରେ ପାଣି ଦେଉଥିଲେ। ବାପାଙ୍କ ପାଖରେ ପହଞ୍ଚି ପଚାରିଲି, ‘ମୋତେ ନିର୍ବାଚନ ଲଢ଼ିବାକୁ ମନା କରୁଥିଲେ, ପୁଣି, ମୋତେ କାର୍ଡ କେମିତି ଦେଲେ!’
ବାପା ଟିକେ ହସି ଦେଲେ ଓ କହିଲେ, ‘ସେଦିନ ତୁ ଯେତେବେଳେ କହିଲୁ ଏ ନିର୍ବାଚନ ନ ଲଢ଼ିପାରିଲେ ଅବଶିଷ୍ଟ ଜୀବନ ସାରା ତୋର ଅବଶୋଷ ରହିଯିବ, କି ତୁ ଭଦ୍ରକ ମହାବିଦ୍ୟାୟର ସମ୍ପାଦକ ହୋଇ ପାରିଲୁନି। ଠିକ ସେମିତି, ମୋ ମନରେ ବି ଏକ ଭାବନା ଆସିଲା, ତୁ ଗୋଟେ ନିର୍ବାଚନ ଲଢ଼ୁଚୁ, ମୁଁ ତୋ ବାପା, ତୋ ଅସୁବିଧା ସମୟରେ ଯଦି ତୋତେ ସାହାଯ୍ୟ ନ କରିପାରିବି ମୋର ଅବଶିଷ୍ଟ ଜୀବନ ସାରା ବି ଗୋଟେ ଅବଶୋଷ ରହିଯିବ କି ତୋର ଅସୁବିଧା ସମୟରେ ତୋତେ ସାହାଯ୍ୟ କରି ପାରିଲି ନାହିଁ।’
ଏତକ କହି ବାପା ଶାଗ କିଆରି ପାଇଁ ଆଉ ପାଣି ନେବାକୁ ବାଲତି ନେଇ ଚାଲିଗଲେ।
ମୋର ମନେ ପଡ଼ିଗଲା କେହି ଜଣେ କହିଥିବା ସେଇ ପୁରୁଣା କଥା- ବାପ ଥିବା ପୁଅ ସଭାରେ ହାରେନା।