ଧର୍ମଘଟ ନୁହେଁ ଖେଳଘର

ମାୟାଧର ନାୟକ

ଅନଶନ, ଧାରଣା, ବିକ୍ଷୋଭ, ଘେରାଉ, ଧର୍ମଘଟ, ବନ୍ଦ ଯାହା କଲେ ବି ମାଲିକ ଶ୍ରେଣୀ, ସରକାର ଆଉ ଖାତିର କରୁନାହାନ୍ତି। ପ୍ରତିବାଦରେ ଯୋଗ ଦେଉଥିବା ଶ୍ରମଜୀବୀ ଶ୍ରେଣୀ, ରାଜନୈତିକ ଦଳ ଏବଂ ପରିଚାଳନା କରୁଥିବା ନେତାମାନଙ୍କର ସତ୍ୟ, ନ୍ୟାୟ ପାଇଁ ଶେଷ ପର୍ଯ୍ୟନ୍ତ ଲଢିବାର ମନୋବୃତ୍ତିରେ ପ୍ରଚଣ୍ଡ ଦୁର୍ବଳତା ଦେଖାଦେଇଛି। ପ୍ରଥମେ ଯେଉଁ ଗର୍ଜନ ତର୍ଜନରେ ଆରମ୍ଭ ହୁଏ, ସାମାନ୍ୟ ଧକ୍କାରେ ତାହା ଭାଙ୍ଗି ଚୁରମାର୍ ହୋଇଯାଏ। ଏଭଳି ଘଟଣା ଅହରହ ଘଟିଚାଲିଛି। ଯାହା ଫଳରେ ଆନ୍ଦୋଳନକାରୀଙ୍କ ମଧ୍ୟରେ ହତାଶା ବୃଦ୍ଧି ପାଉଛି।

ସଂକଳ୍ପ ଓ ସଂଘର୍ଷ ମଧ୍ୟରେ ଶତ ସହସ୍ର ସଂଗ୍ରାମୀଙ୍କ ବିନିମୟରେ ଯେଉଁ ଗଣତାନ୍ତ୍ରିକ ଅଧିକାର ହାସଲ କରି ଜନଗଣ ନୂତନ ସମାଜର ମୂଳଦୁଆ ପକେଇ ଆଗେଇ ଯିବାର ଥିଲା ତାହା ଆଜି ମୁକ୍ତ ପୁଞ୍ଜିବାଦର କୁଚ୍ଛବାହକ ମୁନାଫାଖୋର ମାଲିକଶ୍ରେଣୀର ଷଡ଼ଯନ୍ତ୍ରରେ ପଣ୍ଡ ହୋଇଯାଇଛି। ମାଲିକଶ୍ରେଣୀ କବଳିତ କରିଛି ରାଷ୍ଟ୍ରଯନ୍ତ୍ର, ଧାରଣ କରିଛି ଦମନର ନୂଆ ନୂଆ ଶକ୍ତିଶାଳୀ ହତିଆର। ସେହି ତୁଳନାରେ ଜନଗଣଙ୍କ ପ୍ରତିରୋଧର ଅସ୍ତ୍ର ପୁରୁଣା ହୋଇଯାଇଛି। ସଂଗ୍ରାମର ନୂତନ ପର୍ଯ୍ୟାୟରେ ସେ ଅସ୍ତ୍ର ଆଜି ଅଚଳ ଅକାମୀ। ସେଥିପାଇଁ ଆଜିର ଚତୁର ମାଲିକଶ୍ରେଣୀର ମୁକାବିଲା କରିବାରେ ପଛେଇ ଯାଇଛି ଜନବିପ୍ଳବର ଧାରା, ଶ୍ରମଜୀବୀ ଶ୍ରେଣୀର ବିକ୍ଷୁବ୍ଧ ଆନ୍ଦୋଳନ। ଏ ପର୍ଯ୍ୟନ୍ତ କୌଣସି ସଂଗଠନ, ନେତା କିମ୍ବା ବୁଦ୍ଧିଜୀବୀ ଶ୍ରମିକ ଶ୍ରେଣୀର ନୂତନ ଅସ୍ତ୍ର ଉଦ୍‌ଘାଟନ କରିପାରି ନାହାନ୍ତି। ଶ୍ରମିକ ସଂଗଠନ-ରାଜନୈତିକ ଦଳଗୁଡ଼ିକ ଶ୍ରମିକମାନଙ୍କୁ ଗୋଡ଼ାଣିଆ-ଅର୍ଥନୈତିକ ସୁବିଧାବାଦୀ ରାସ୍ତାରେ ଟାଣି ନେଇଛନ୍ତି। ଶ୍ରମିକଶ୍ରେଣୀର ନୈତିକ ମେରୁଦଣ୍ଡକୁ ଭାଙ୍ଗିଦିଆଯାଇଛି। ଶ୍ରମଜୀବୀ ଶ୍ରେଣୀକୁ ସଚେତନ କରିବା ଜ୍ଞାନ ଅସ୍ତ୍ରରେ ସଜ୍ଜିତ କରିବା ଅତ୍ୟନ୍ତ ପ୍ରୟୋଜନୀୟ କାର୍ଯ୍ୟଟି କେହି କରୁନାହାନ୍ତି। ଦେଶର ପ୍ରଚଳିତ ପଚା-ପୂତି ଗନ୍ଧମୟ ସମାଜବ୍ୟବସ୍ଥାର ବିକଳ୍ପ ଏ ପର୍ଯ୍ୟନ୍ତ ସୃଷ୍ଟି ହୋଇପାରିନି, ଯାହା ଅତ୍ୟନ୍ତ ଜରୁରୀ।

କିଛିବର୍ଷ ହେଲା ଭାରତବର୍ଷରେ ସାଂପ୍ରଦାୟିକ ଫାସିବାଦ ତା’ର ଖେଳାଲୀଳା ଚଳାଇଥିବା ବେଳେ ଦେଶବାସୀ ଫାସୀବାଦର ନାଗଫାସ ବନ୍ଧନରେ ଛନ୍ଦି ହୋଇଯାଉଛନ୍ତି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭାରତବର୍ଷ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ବୋଲି ସମ୍ବିଧାନରେ ଲେଖାଅଛି। ପ୍ରତି ମୁହୂର୍ତ୍ତରେ ଆମେ ସମ୍ବିଧାନକୁ ଗୋଇଠା ମାରି ଦଳି ଚାଲିଛେ। ଏଥିପାଇଁ କାହାରିକୁ ଦଣ୍ଡ ନାହିଁ। ଖୋଲାଖୋଲି ଭାବେ ଧର୍ମ ନାଁରେ ରାଜନୀତି, ଜାତି, ବର୍ଣ୍ଣ ନାଁରେ ରାଜନୀତି କରି ଶାସନ କ୍ଷମତା ଦଖଲ କରୁଛେ। ପ୍ରତି ମୁହୂର୍ତ୍ତରେ ପ୍ରଚଳିତ ଆଇନ୍ ଭଙ୍ଗ କରୁଛେ। ଏହା କେବଳ ଆମ ଦେଶରେ ନୁହେଁ, ବିଶ୍ୱର ସବୁ ରାଷ୍ଟ୍ରରେ ବେଆଇନ କାର୍ଯ୍ୟକଳାପକୁ ଜବରଦସ୍ତ ସାବ୍ୟସ୍ତ କରିବା ଅଭ୍ୟାସରେ ପରିଣତ ହୋଇଗଲାଣି। ବିଶ୍ୱବାସୀ ଏକ ଭୟଙ୍କର ବିପଦ ଆଡ଼କୁ ଟାଣିହୋଇଯାଉଛନ୍ତି।
ବିଚାର ବିଭାଗ ହୁଅନ୍ତୁ କି ସରକାର ହୁଅନ୍ତୁ, କୌଣସି ପ୍ରଥାକୁ ବାତିଲ ଘୋଷଣା କଲେ ତାହା ବାତିଲ ହୋଇଯାଏନା। ଧର୍ମଘଟକୁ ବାତିଲ କଲେ ତାହା ଅନ୍ୟ ଏକ ଭୟଙ୍କର ରୂପରେ ଅନ୍ୟ ଶଦ୍ଦରେ ଦେଖାଦେବ। ଶ୍ରମଜୀବୀମାନେ ଯେତେବେଳେ ଦାବୀ ହାସଲ ପାଇଁ ସୁଯୋଗ ପାଇବେ ନାହିଁ ସେତେବେଳେ ସେମାନଙ୍କ ପେଟପାଟଣା ଦାଉରେ ଅଶାନ୍ତି ଅସନ୍ତୋଷର ନିଆଁ କୁହୁଳି କୁହୁଳି ବିସ୍ଫୋରଣ ଘଟିବ। ସେମାନେ ଚରମପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ। ଏହା ଧର୍ମଘଟଠାରୁ ଆହୁରି ମାରାତ୍ମକ ରୂପ ଧାରଣ କରିବ।

ଦେଶରେ ସାମ୍ପ୍ରଦାୟିକ ଦଙ୍ଗା କ୍ୟାନସର ରୋଗ ଭଳି ମାଡ଼ିଚାଲିଛି। ଶାସନକ୍ଷମତାରେ ଥିବା ରାଜନେତାମାନେ ପ୍ରତି ମୁହୂର୍ତ୍ତରେ ସାମ୍ପ୍ରଦାୟିକ ବିଦ୍ୱେଷ-ଘୃଣା ସୃଷ୍ଟି କରି ଦଙ୍ଗା ଲଗାଇବାରେ ସଫଳ ହେଉଛନ୍ତି। ସେହି ସବୁ ସାମ୍ପ୍ରଦାୟିକ ଶକ୍ତି ଦଳକୁ ସୁପ୍ରିମକୋର୍ଟ ବାତିଲ କରିଦେଇ ପାରିବ କି? ଅଧିକାଂଶ ବିଚାରପତିଙ୍କର ବିଚାର ପକ୍ଷପାତ ହେବା ବହୁ ନଜିର ରହିଛି। ବିଚାରପତିମାନେ ଅବସର ନେଲା ପରେ କିଏ ରାଜ୍ୟସଭା ସଦସ୍ୟ ହେବ, କିଏ କେଉଁ ତଦନ୍ତ କମିଶନର ମୁଖ୍ୟ ହେବେ କିମ୍ବା ସେମାନଙ୍କ ପରିବାରରୁ କିଏ ସୁବିଧାସୁଯୋଗ ପାଇବେ- ଏଇ ମନୋଭାବ ଚାକିରି କଲାବେଳେ ରହିଥିବାରୁ ସେମାନେ ପକ୍ଷପାତ ବିଚାର କରିବାର ସମ୍ଭାବନା ସମ୍ପୂର୍ଣ୍ଣ ସନ୍ଦେହମୁକ୍ତ ନୁହେଁ।

ସାଧାରଣ ଜନତାର ସ୍ୱର ସମ୍ବଳିତ ଦାବୀକୁ ଦବାଇବାର କି ଦୁଃଖଦାୟକ ମସୁଧା! ଅଧର୍ମ ବିତ୍ତଧର୍ମୀ ଅପସଂସ୍କୃତିର ଯେଉଁ କୁତ୍ସିତ କୀଟାଣୁ ଭାରତବର୍ଷର କଲିଜାକୁ ଖତମ କରିବାର ଜଘନ୍ୟ ଅଭିଯାନ ଆରମ୍ଭ କରିସାରିଛି ତାହାର ଭଲା ଅନ୍ତ ଘଟାଇବାର ଉଦ୍ୟମ ମାନ୍ୟବର ସୁପ୍ରିମକୋର୍ଟଙ୍କ ପକ୍ଷରୁ ଅନୁଭୂତ ହୁଅନ୍ତା କି? ଦୁଃଖ ଲାଗେ- ୨୦୦ ବର୍ଷର ରାଜ କରିଆସିଥିବା ସାହେବ ସରକାର ଦେଶୀ ଆନ୍ଦୋଳନକୁ ନିଷିଦ୍ଧ ଘୋଷଣା କରି ନଥିଲା- ଅଥଚ ଆମ ଦେଶୀ ଶାସନରେ ଆଜି ମାନ୍ୟବର ସୁପ୍ରିମକୋର୍ଟ ଜନଜାଗୃତିର ପ୍ରତୀକସ୍ୱରୂପ ଜନଗଣଙ୍କର ଧର୍ମଘଟଗୁଡିକୁ ରଦ୍ଦ କରିବାର ଯେଉଁ ଦଣ୍ଡଶାଦେଶ ଶୁଣାଇଛନ୍ତି ତାହା ଘୋର ପରିତାପର ବିଷୟ। ଏହା ଦେଶକୁ ଲଜ୍ଜା – ଜାତିକୁ ଲଜ୍ଜା – ଉତ୍କଟତମ ଲଜ୍ଜା ମଧ୍ୟ ଆମ ଭବିଷ୍ୟତ ପିଢୀର ଉତ୍ତରଦାୟାଦମାନଙ୍କ ପାଇଁ।
ଲୁହ ଲହୁର ଲଢ଼େଇ ପାଇଁ ଶେଷକୁ ହାର ମାନିବ? ଶ୍ରମଜୀବୀ- ସଂସ୍କୃତି ହେବ ପଥଭ୍ରଷ୍ଟ? ସାଧାରଣ ମଣିଷର ସ୍ୱପ୍ନ, ସଂଘର୍ଷ ଓ ସଂକଳ୍ପ ହେବ ନୀତିଭ୍ରଷ୍ଟ? ଶ୍ରମିକ ଶ୍ରେଣୀର ଭବିଷ୍ୟତ ହେବ ନଷ୍ଟବିନଷ୍ଟ? ଧ୍ୱଂସର ଆସନ୍ନ ଅନ୍ଧକାର ବିରୋଧରେ ଆଲୋକ ଓ ଅଙ୍ଗୀକାରର ଅଭିଯାତ୍ରା ପାଇଁ ସମୟ ପହଂଚିଯାଇଛି ଆଜି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ପଶ୍ଚାତଗତିର ବ୍ୟର୍ଥତା ଓ ବିଡ଼ମ୍ବନାର ନୂତନ ଅଭିଜ୍ଞତାର ଶିକ୍ଷା ହାସଲ କରି ଜନଗଣଙ୍କ ହାତରେ ଗଣଆନ୍ଦୋଳନର ନୂତନ ଆଭିମୁଖ୍ୟ ଜ୍ଞାନଅସ୍ତ୍ର ଧରାଇଦେବା ହିଁ ସମୟର ଆହ୍ୱାନ।

ଧ୍ୱଂସର ଆସନ୍ନ ଅନ୍ଧକାର ବିରୋଧରେ ଆଲୋକ ଓ ଅଂଗୀକାରର ଅଭିଯାତ୍ରା ପାଇଁ ସଂଗ୍ରାମ ଚଳେଇ ରଖିଛନ୍ତି ସେଇ ସଂଗ୍ରାମର ଅସଲ ଆହ୍ୱାନର ଘଡ଼ିସନ୍ଧି ମୁହୂର୍ତ୍ତ ପହଂଚିଯାଇଛି।
ଏବେ ବିଶ୍ୱବ୍ୟାପୀ ସର୍ବହରା-ସଂସ୍କୃତି ସଂପ୍ରତି ଗତି କରୁଛି ଏକ ଗୁରୁତର ସଂକଟର ସନ୍ଧିକ୍ଷଣ ମଧ୍ୟରେ। ପୃଥିବୀ ତମାମ୍ ପୁଞ୍ଜିବାଦ ଅର୍ଥନୈତିକ-ସାମରିକ ସାମ୍ରାଜ୍ୟବାଦ ପ୍ରତିଷ୍ଠା କରି ସାରିଛି ତା’ର ବିଶାଳ ସାମ୍ରାଜ୍ୟ… ନୂଆ ଅବତାର ନେଇ ବିଛାଇ ବସିଛି ନିଜ ଜଘନ୍ୟ ଷଡ଼ଯନ୍ତ୍ର ସୂକ୍ଷ୍ମଜାଲ। ଏ ଜାଲକୁ କାଟିବାକୁ ହେଲେ ମେହନତୀ ମଣିଷର ଆଜି ପ୍ରୟୋଜନ ଆହୁରି ନୂତନ ଓ ସୂକ୍ଷ୍ମତର କର୍ମ ଏବଂ ତତ୍ତ୍ୱର ସମ୍ମିଶ୍ରିତ ପାଶୁପତ ଅସ୍ତ୍ର।

ଜନଗଣଙ୍କ ଜୀବନକୁ ନେଇ ଜୁଆ ଖେଳୁଥିବା ମୃତ୍ୟୁମୁଖୀ ପୁଞ୍ଜିବାଦୀ ବ୍ୟବସ୍ଥାରେ ଆଜି ଅବାନ୍ତର ହୋଇଉଠିଛି ମଣିଷର ମୁକ୍ତି ଓ ଅଧିକାର ପ୍ରସଙ୍ଗ। ଶାସନ, ପ୍ରଶାସନ, ନ୍ୟାୟତନ୍ତ୍ର-ଗଣତନ୍ତ୍ରର ସବୁ ଗମ୍ବୁଜ ଉପରେ ସଂପ୍ରତି ପୁଞ୍ଜିବାଦର ପତାକା ଉଡୁଛି ବିଶ୍ୱବ୍ୟାପୀ। ସୋଭିଏତ୍ ରୁଷ ପୂର୍ବ ୟୁରୋପ ଦେଶ ପର୍ଯ୍ୟନ୍ତ ସମାଜବାଦକୁ ଅବିଚାରିତ ଭାବରେ ସମର୍ପଣ କରି ଦିଆଯାଇଛି ପୁଞ୍ଜିବାଦର ବିଷାକ୍ତ ବାତାବରଣ ଖେଳିଯାଇଛି।

ମୁକ୍ତି ଓ ଅଧିକାର ପରିବର୍ତ୍ତେ ସାରା ଦୁନିଆର ଶ୍ରମଜୀବୀ ବର୍ଗ, ସାଧାରଣ ମଣିଷ ଆଜି ମୋହ ଓ ଆତ୍ମବିସ୍ମୃତିରେ ଆକ୍ରାନ୍ତ। ମୁନାଫାଧର୍ମୀ ମାଲିକାନା କବଳିତ କରିସାରିଛି ରାଷ୍ଟ୍ରଯନ୍ତ୍ର, ରାଜନୀତି, ଅର୍ଥନୀତିର ସମସ୍ତ ସତ୍ତା। ଧର୍ମ, ସାମ୍ପ୍ରଦାୟିକତା, ବିଭାଜନବାଦୀ ମାନସିକତାର ବିଷମଞ୍ଜି ବୁଣି ବିଭକ୍ତ ବିଶ୍ୱକୁ ଡରାଇ ଥରାଇ ରଖିଛି ବିଭୀଷିକାମୟ ପୁଞ୍ଜିବାଦ। ସଂକଟର ସନ୍ଧିକ୍ଷଣରେ ଆଜି ଭୂଆଁ ବୁଲୁଛି ସମଗ୍ର ଭାରତବର୍ଷ। ଗଣତନ୍ତ୍ର ଆଜି ରକ୍ତାକ୍ତ। ଚାରିଆଡ଼େ ନାହିଁ ନାହିଁର ନକ୍ସା।

ଆମେ ଜାଣୁ –
ପୁଷ୍ପ-ସୁରଭିତ ନୁହେଁ ବିପ୍ଲବର ପଥ…
କାଳେ କାଳେ ତାହା କଂଟକିତ, କଙ୍କରିଳ,
କଠିନ-କଠୋର!
ଦୁର୍ଗମ-ଦୁସ୍ତର!
ବିଳାସବିଭୋର ନୁହେଁ ବିପ୍ଲବୀର ବ୍ରତ…
ଯୁଗେ ଯୁଗେ ତାହା ଶିକ୍ଷାୟିତ ସାଧନାରେ ଦୀପ୍ୟମାନ, ଅଗ୍ନିସ୍ନାତ ଅତ୍ମୋତ୍ସର୍ଗରେ ଅନିର୍ବାଣ ବିରାମହୀନ!
ଲହୁଲୁହାଣ!
ଲେଲିହାନ!
ସଠିକ ବିପ୍ଲବର ଚୂଡ଼ାନ୍ତ ନିଷ୍ପତି
ଗତି! ଅଗ୍ରଗତି।
ସଚ୍ଚା ବିପ୍ଲବୀର ବୈତାଳିକ ବୀଜମନ୍ତ୍ର
ଚରୈବେତି – ଚରୈବେତି।

ଲୁହର ଲହର ପାଖେ ଲଟକି ଯାଏ ନା ବିପ୍ଲବ… ଲହୁର ଲହଡ଼ି ପାଖେ ଅଟକି ଯାଏ ନା ବିପ୍ଲବୀ… ସବୁ କିଛି ଶୀତଳ ସ୍ଥିତାବସ୍ଥାର ସେତୁବନ୍ଧ ଭାଙ୍ଗି, ପୀଡ଼ିତ ପରମ୍ପରାର ପ୍ରାଚୀନ ପ୍ରାଚୀର ଧ୍ୱସ୍ତବିଧ୍ୱସ୍ତ କରି, ବଜ୍ରକଠିନ ସଂକଳ୍ପ ନେଇ, ଆଗେଇ ଯିବାକୁ ପଡ଼େ ବିପ୍ଲବୀକୁ ଆସନ୍ତାକାଲିର ଶାଣିତ ସୁପ୍ରଭାତ ଉଦ୍ଦେଶ୍ୟରେ।

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।