୮୦-୨୦ର ଖେଳ!

ସୁଧୀର ମିଶ୍ର

ଆମେ ଖେଳ ଶବ୍ଦରୁ ଆରମ୍ଭ କରିବା। “ଖେଳ” ଏଇ ଶବ୍ଦଟି ଯଦିଓ ନୂତନ ନୁହେଁ, କିନ୍ତୁ ଏକ ନୂତନତାର ମର୍ଯ୍ୟାଦା ପାଇଲା ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ। ସେଇ ରାଜ୍ୟର ନେତ୍ରୀ ମମତା ବାନାର୍ଜୀ ଘୋଷଣା କଲେ “ଖେଳ ହେବ” ବଙ୍ଗଳାରେ “ଖେଲା ହୋବେ” ହିନ୍ଦୀରେ “ଖେଲ୍ ହୋଗା” ଇଂରାଜୀରେ “ଲେଟ୍ସ ପ୍ଲେ”। ଏହା ସାଙ୍ଗକୁ ପ୍ରାୟ ନିର୍ବାଚନ ସଭାରେ ଲୋକଙ୍କୁ ଫୁଟବଲ ବାଣ୍ଟିଲେ। କାରଣ ଫୁଟବଲ ବଙ୍ଗ ରାଜ୍ୟର ଏକ ପପୁଲାର ଗେମ୍। କିନ୍ତୁ ନିର୍ବାଚନ ହେଉଛି ଗଣିତର ଖେଳ। ଅଙ୍କ ହିସାବରେ ଖେଳର ହାରଜିତ ନିର୍ଧାରଣ ହୁଏ। ଫୁଟବଲ ପ୍ରତୀକ ହେଲା, ଗଣିତର ଖେଳ ହେଲା, ମମତାଙ୍କ ଦଳ ବିଜୟ ଲାଭ କଲା ବୋଲି ରାଜନୀତି କ୍ଷେତ୍ର ସହ ସମ୍ପର୍କରେ ରହିଥିବା ସମସ୍ତ ବିଷାରଦ ମତ ମନ୍ତବ୍ୟ ଦେଲେ। ସାଧାରଣ ଲୋକ ପଢି, ଶୁଣି ସେଇ କଥାକୁ ବିଶ୍ୱାସ କରିଗଲେ। ସମସ୍ତେ ସବୁଠି ଚର୍ଚ୍ଚା କଲେ ମୋଦି ଖେଳରେ ହାରିଗଲେ, ମମତା ଦିଦି ଜିତିଗଲେ। ଧୀରେ ଧୀରେ ଏଇ ଗରମାଗରମ ଆଲୋଚନା, ସମାଲୋଚନାର ଉତ୍ତାପ ହ୍ରାସ ହେଲା। ଏବେ ଆଉ ଶୁଭୁନାହିଁ, କିନ୍ତୁ ଅନେକ ରାଜ୍ୟରେ, ଅନେକ ଢଙ୍ଗରେ ଏହାର ନକଲ କରିବାର ପ୍ରୟାସ ଜାରି ରହିଛି।

ପ୍ରକୃତରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଖେଳ ଆରମ୍ଭ ହେଲା। ନିର୍ବାଚନ ପରାଜୟ ଉପରେ ବିଜେପି ଦଳ ଆତ୍ମ ସମୀକ୍ଷା କଲା ଏବଂ ଏଇ ଖେଳ ଶବ୍ଦର ବୈଜ୍ଞାନିକ ବିଶ୍ଳେଷଣ ଆରମ୍ଭ କରିଦେଲା। ଖେଳ ଗଣିତର ସମ୍ପୂର୍ଣ୍ଣ ତର୍ଜମା କରି ଉତ୍ତର ପ୍ରଦେଶରେ ନିର୍ବାଚନ ସମୟରେ ପ୍ରୟୋଗ ବି କଲା। ଆଦିତ୍ୟନାଥଙ୍କୁ ନିର୍ଦ୍ଦେଶ ଦିଆଗଲା କୁହ ୮୦-୨୦ର ଖେଳ ହେବ ନିର୍ବାଚନରେ, ଯୋଗୀ ବି ବୁଲି ବୁଲି ସେଇ କଥା କହିଲେ।

ଆମେ ନିର୍ଦ୍ଦିଷ୍ଟ ଗୋଟିଏ ଗୋଷ୍ଠୀକୁ ଶ୍ରେଷ୍ଠ ବୁଦ୍ଧିଜୀବୀ ମାନ୍ୟତା ଦେଉ, ସେମାନଙ୍କ ପାଇଁ ଅଧିକ ସମୟ ଦେଉ, ସେମାନଙ୍କ କଥାକୁ ଗୁରୁଜ୍ଞାନ ମନେକରୁ। ସେମାନେ ଏଇ କଥାର ପୋଷ୍ଟମର୍ଟମ କରି ରିପୋର୍ଟ ଦେଲେ, ଏମାନେ ସାଂପ୍ରଦାୟିକ ଖେଳ ଖେଳିବେ। ନେତା ଓ ଅପରାଧୀ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ। ଉଭୟଙ୍କର ଗୋଟିଏ ଲକ୍ଷ୍ୟ ଅପରାଧ କରିବା।

ବିଜେପି ଗବେଷଣାରୁ ଏଇ ନିଷ୍କର୍ଷରେ ପହଞ୍ଚି ସାରିଥିଲା ଯେ ଏବେ ଦେଶ ୯୫-୫ ଖେଳରେ ମାତିଛି। ଦଳର ଦାବୀ ଆସନ୍ତା ୫୦ ବର୍ଷ ଆମେ ଶାସନ କରିବୁ। ତେଣୁ ଦଳୀୟ ନିଷ୍ପତ୍ତି ଥିଲା ୮୦-୨୦ର ଖେଳ ଆରମ୍ଭ କରିବା ଓ ସଫଳ ହେବା। ୮୦-୨୦ ଖେଳର ନୀତି ନୀୟମ ପ୍ରଣୟନ କରିବା ପାଇଁ ୯୫-୫ ଖେଳ ନିୟମକୁ ହଠାତ ବଦଳ କରିବା ମୁର୍ଖାମୀ ହେବ, ଦେଶ ୯୫-୫ ଖେଳର ଶେଷ ପର୍ଯ୍ୟାୟରେ ଅଛି, ତେଣୁ ଶେଷ ଭାଗର ସଫଳତା ନିଜ ଅଣ୍ଟିକୁ ନେବା ପାଇଁ ସେମାନେ ସଂପ୍ରଦାୟ ନିଆଁରେ ଘିଅ ଢାଳିବା କାମଟି କରି ସବୁ ସଫଳତା ନିଜ ଅଣ୍ଟିରେ ପୂରାଇଦେଲେ।

ଇଏତ ଗଲା ଉପକ୍ରମଣିକା। ଏବେ ଖେଳର ଇତିହାସ ବିଷୟରେ ଆଲୋଚନା କରିବା।

ଇତିହାସ

ମଣିଷ ସମାଜ ସୃଷ୍ଟି ହେବାବେଳେ କୌଣସି ଖେଳ ନଥିଲା। ପଶୁ ଭଳି ମଣିଷ କେବଳ ନିଜ ଚିନ୍ତା କରୁଥିଲା। ଧୀରେ ଧୀରେ ମଣିଷ ଉନ୍ନତ ହେଲା, ଚିନ୍ତା ଶକ୍ତି ବଢ଼ିଲା। ଶକ୍ତି ଠୁଳ ହୋଇ ରହିଲେ ବିପଦ, ବିସ୍ଫୋରଣ ହେବା ଥୟ। ସେଥିପାଇଁ ଶକ୍ତି ସବୁବେଳେ ଚାହେଁ ତାର ବିନିଯୋଗ ହେଉ। ମଣିଷର ଚିନ୍ତା ଶକ୍ତି ବି ବିନିଯୋଗ ହେବା ଆରମ୍ଭ ହେଲା। ମଣିଷ ନିଜ ବ୍ୟତୀତ ନିଜ ପରିବାର ସଦସ୍ୟଙ୍କ କଥା ଚିନ୍ତା କଲା। ପରିବାର ପରେ ପଡ଼ୋଶୀ। ପଡ଼ୋଶୀ ପରେ ସମାଜ। ବାସ ଏମିତି ବଢ଼ି ଚାଲିଲା ଚିନ୍ତା ଶକ୍ତିର ବିନିଯୋଗ। ଏଇ ଭିତରେ ମଣିଷର ଅଜାଣତରେ ଆରମ୍ଭ ହୋଇଗଲା ୯୯-୧ର ଖେଳ। ଏବେ ବି ଏ ଖେଳ ଚାଲିଛି। କିନ୍ତୁ ନିୟମ, ଢାଞ୍ଚାର ବାରମ୍ବାର ପରିବର୍ତ୍ତନ ହେଉଛି। ସହଜ ସରଳ ଭାବରେ ବୁଝିବା ପାଇଁ ଗପଟିଏ ଆଶ୍ରୟ ନେବା ଉଚିତ ମନେ ହେଉଛି। ତେଣୁ ଗପ।

ପ୍ରଥମେ ପ୍ରଥମେ ଯେତେବେଳେ ରାଜାରାଜୁଡା ପ୍ରଥା ଆରମ୍ଭ ହେଲା, ସେତେବେଳେ ରାଜାମାନଙ୍କ ପାଖରେ ଅମାପ ସମ୍ପତ୍ତି ନଥିଲା କି ବ୍ୟସ୍ତ ବହୁଳ ଜୀବନ ନଥିଲା। ବିଶେଷ ଶାରୀରିକ କାମ ନଥିବାରୁ ରାଜାମାନଙ୍କ ଶରୀରରେ ଅକର୍ମା ଜନିତ ଯନ୍ତ୍ରଣା ପ୍ରକାଶ ପାଉଥିଲା। ତେଣୁ ସେମାନେ ଜଣେ ଜଣେ ନାପିତ(ବାରିକ) ନିୟୋଜିତ କରିଥିଲେ। ନାପିତର କାମ ଥିଲା ମଝିରେ ମଝିରେ ରାଜାଙ୍କର ଦାଢି, ଚୁଟି କାଟିବ, କିନ୍ତୁ ଦୈନନ୍ଦିନ ଶରୀର ମାଲିସ କରିବ।

ସେମିତି ଜଣେ ରାଜା ଥିଲେ, ତାଙ୍କର ଜଣେ ନାପିତ ଥିଲା। ରାଜା ତାକୁ ପ୍ରତିଦିନ ୪ ପଇସା ପାରିଶ୍ରମିକ ଦେଉଥିଲେ। ନାପିତ ସବୁବେଳେ ଖୁସ ମିଜାଜରେ ଥାଏ। ଘର ପିଣ୍ଡାରେ ବସି ଗୀତ ଗାଏ।

ଦିନେ ରାଜା ତାଙ୍କ ମନ୍ତ୍ରୀଙ୍କୁ ପଚାରିଲେ, ଆଛା କହିଲ ଦୈନିକ ମାତ୍ର ୪ ପଇସା ରୋଜଗାର କରି ଏ ନାପିତ କେମିତି ସବୁବେଳେ ଖୁସି ରହି ପାରୁଛି, ରହସ୍ୟ କଣ?

ମନ୍ତ୍ରୀ କହିଲେ, ମହାରାଜ ଏ ନାପିତ ୯୯-୧ର ଖେଳରେ ପଡ଼ିନି। ଥରେ ସେଇ ଖେଳରେ ପଡ଼ିଲେ ହସିବା ଭୁଲିଯିବ। ମୁଁ ତା’ର ବନ୍ଦୋବସ୍ତ କରି ଦେଉଛି। ଆପଣ ଦେଖିବେ।

ହଠାତ ଦିନଟେ ପରେ ରାଜା ଦେଖିଲେ ନାପିତ ମୁହଁରେ ହସ ନାହିଁ। ମୁହଁଟା ଶିଠା ଦିଶୁଛି। ସେଦିନ ରାଜାଙ୍କୁ ମାଲିସ କରିବା ସମୟରେ ତା ଦିହରେ ଶକ୍ତି ନଥିବା ପରି ଅନୁଭବ କଲେ ରାଜା। ପଚାରିଲେ, ଆରେ ତୋର କ’ଣ ହୋଇଛି? ମୁହଁ ଶୁଖିଲା, ମାଲିସ କରୁଛୁ ଲାଗୁଛି ଛୋଟ ପିଲାଟେ ଆଉଁସିବା ପରି? କଥା କଣ? ତୁ ୯୯ ଖେଳରେ ପଡ଼ି ଗଲୁକି?

ନାପିତ କହିଲା, ଠିକ କହିଛନ୍ତି ମହାରାଜ। ସେଇ ୯୯ ଚିନ୍ତା ମୋତେ ସବୁବେଳେ ଘାରି ରହୁଛି। ନା ମୁଁ ଠିକରେ ଖାଇ ପାରୁଛି ନା ଶୋଇ ପାରୁଛି। ରାତି ପାହି ଯାଉଛି ଚିନ୍ତା କରି କରି କେମିତି ୯୯ ଶହେ ହେବ।

ରାଜା କହିଲେ, କଥାଟା ଖୋଲିକି କହ।

ନାପିତ କହିଲା, ମହାରାଜ ମୁଁ ଆପଣଙ୍କ ପାଖକୁ ଆସିବା ପାଇଁ ଘରୁ ଗୋଡ଼ କାଢୁଛି ଦୁଆର ମୁହଁରୁ ଗୋଟିଏ ମୁଣି ପାଇଲି। ଖୋଲିକି ଦେଖିଲି ତା ଭିତରେ ୯୯ ଟଙ୍କା ଥିଲା। ମୋତେ ଆପଣ ଯେଉଁ ୪ ପଇସା ଦିଅନ୍ତି ସେଥିରୁ ଘର ଖର୍ଚ୍ଚ ପାଇଁ ଦେଢ଼ ପଇସା ଖର୍ଚ୍ଚ ହୁଏ। ବାକି ବଳକା ରହିଥାଏ, ପର୍ବପର୍ବାଣି ସମୟରେ ଖର୍ଚ୍ଚ ହୁଏ। ମୁଁ ସେ ମୁଣି ପାଇବା ଦିନଠାରୁ ଚିନ୍ତା କରୁଛି କ’ଣ କେମିତି କଲେ ଖୁବଶୀଘ୍ର ଶହେ ପଇସା ସଂଚୟ କରି ୯୯ ଟଙ୍କାକୁ ୧୦୦ ଟଙ୍କା କରିବି। ଶହେ ହେଲେ ମୁଁ ଆମ ଗାଁରେ ଧନୀ ଲୋକ ହିସାବରେ ଗଣାହେବି। ମୋତେ ସମସ୍ତେ ସମ୍ମାନ କରିବେ। ଅସୁବିଧା ସମୟରେ ମୋଠାରୁ ସାହାଯ୍ୟ ଆଶା କରିବେ। ଏମିତି ହରେକ ରକମର ଚିନ୍ତା ମୁଣ୍ଡକୁ ଆସୁଛି। ସେଇ ଚିନ୍ତା ମୋତେ ଖାଇବାରେ ଲାଗିଛି।

ଏଇ ୯୯ ଖେଳ ସେତେଦିନ ପର୍ଯ୍ୟନ୍ତ ଚାଲିଥିଲା ଯେତେଦିନ ଏହା ଉପରେ ଗବେଷଣା ହୋଇନଥିଲା। ଆମେରିକାରେ ଗବେଷଣା ହେଲା ୯୫-୫ ଖେଳର। ସେଇ ଖେଳ ଚାଇନା ଆମେରିକା ସୈନ୍ୟଙ୍କ ସହ ଖେଳିଥିଲା। ଆସନ୍ତୁ ଏବେ ସେଇ ବିଷୟରେ ଜାଣିବା।

୯୯-୫ ଖେଳ

୯୯-୧ର ଖେଳ ବିଷୟରେ ସମସ୍ତେ ବୁଝି ପାରିଥିବେ ମନେହୁଏ। ଏବେ ୯୫-୫ର ଖେଳ ବିଷୟରେ ଆଲୋଚନା କରିବା। ଆଲୋଚନା ଆରମ୍ଭ କରିବା ପୂର୍ବରୁ ଆମେ ପ୍ରଥମେ କହିଥିବା କିଛି କଥାକୁ ଟିକିଏ ବିସ୍ତାର କରିବା ଉଚିତ ହେବ।

ଆମେ କହିଛୁ ନେତା ଓ ଅପରାଧୀ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ। କାରଣ ଏଇ ଦୁଇ ଗୋଷ୍ଠୀ ସବୁବେଳେ ଚାହାଁନ୍ତି ସମାଜକୁ ନିୟନ୍ତ୍ରଣ କରିବା ପାଇଁ। ସମାଜ ଯେତେଯେତେ ଏମାନଙ୍କ ନିୟନ୍ତ୍ରଣରେ ରହିବ, ସେତେସେତେ ସଫଳତା ଏମାନଙ୍କୁ ମିଳିବ। ଅପରାଧ କରିବା ଏମାନଙ୍କ ମୁଖ୍ୟ ଲକ୍ଷ୍ୟ। ବିଭିନ୍ନ ପ୍ରକାରର ଅପରାଧରେ ଏମାନେ ସବୁବେଳେ ଲିପ୍ତ ରୁହନ୍ତି। ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ସବୁ ଅପରାଧ ଏମାନଙ୍କ ପାଇଁ କରଣୀୟ। ଅପରାଧ କରିବା ହିଁ ଏମାନଙ୍କ କର୍ମ।

ଆମେରିକାର ଗବେଷକମାନେ ଗଭୀର ଗବେଷଣା କରି ୯୫-୫ ଖେଳର ପର୍ଦାଫାସ କରିଥିଲେ। ଘଟଣାଟି ଘଟିଥିଲା ଆଜିକୁ ଅନେକ ବର୍ଷ ପୂର୍ବରୁ। ଆମେରିକା ଓ କୋରିଆ ଭିତରେ ଯୁଦ୍ଧ ହୋଇଥିଲା। କୋରିଆକୁ ଚାଇନା ସହାୟତା କରିଥିଲା। ଯୁଦ୍ଧରେ ଶତାଧିକ ଆମେରିକା ସୈନ୍ୟଙ୍କୁ ଚାଇନା ଯୁଦ୍ଧ ବନ୍ଦୀ କରିଥିଲା। ସେତେବେଳେ ବନ୍ଦୀଙ୍କ ପାଇଁ ଆବଶ୍ୟକ ସଂଖ୍ୟକ କାରାଗାର ନଥିଲା। ଆଶଙ୍କା ଥିଲା ବନ୍ଦୀମାନେ ବିଦ୍ରୋହ କରିବେ। ତେଣୁ ଚାଇନା ସବୁ ବନ୍ଦୀଙ୍କ ଉପରେ ତୀକ୍ଷ୍ଣ ନଜର ରଖି ଶହେ କଏଦୀଙ୍କ ଭିତରୁ ପାଞ୍ଚ ଜଣ କଏଦୀଙ୍କୁ ଅଲଗା କରି ଦେଉଥାଏ। ସେଇ ପାଞ୍ଚଙ୍କ ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା। ଅନ୍ୟମାନେ ଖୋଲାଖୋଲି ବୁଲୁଥାନ୍ତି।

ଯେତେବେଳେ ଯୁଦ୍ଧ ଶେଷ ହେଲା, ପରସ୍ପର ପରସ୍ପରକୁ ବନ୍ଦୀ କରିଥିବା ସୈନ୍ୟଙ୍କୁ ଫେରେଇ ଦେଲେ, ଆମେରିକା ସୈନ୍ୟମାନେ ତାଙ୍କ ଦେଶରେ ଚାଇନା ସେମାନଙ୍କୁ ଭାଗ ଭାଗ କରିଥିବା କଥା କହିଲେ। ଆମେରିକା ଚିନ୍ତାରେ ପଡ଼ିଲା। ରହସ୍ୟ କ’ଣ? ଚାଇନା କାହିଁକି ଏମିତି କରିଥିଲା? ଗବେଷଣାରେ ଲାଗିଗଲେ ଆମେରିକା ବୈଜ୍ଞାନିକ।

ଯେହେତୁ ସେମାନେ ବିଶ୍ୱାସ କରି ସାରିଥିଲେ ମଣିଷ ପୂର୍ବରୁ ମାଙ୍କଡ଼ ଥିଲା ଓ କ୍ରମ ବିବର୍ତ୍ତନରେ ମଣିଷକୁ ବିକଶିତ ହୋଇଛି, ତେଣୁ ସେମାନେ ମାଙ୍କଡ଼, କୁକୁର,ମୂଷା,ଏମିତିକି ଗାଈ, ମେଣ୍ଢା ଇତ୍ୟାଦି ସବୁ ପଶୁଙ୍କ ଉପରେ ପ୍ରୟୋଗ ଜାରି ରଖିଲେ।

ଦେଖାଗଲା ଶହେ ଭିତରୁ ପାଞ୍ଚ ଜଣ ହେଉଛନ୍ତି ନେତା ବା ଲିଡର। ସେମାନେ ଯାହା କରୁଛନ୍ତି, ଯେମିତି କରୁଛନ୍ତି ଅବଶିଷ୍ଟ ୯୫ ସମାନ ଆଚରଣ କରୁଛନ୍ତି।

ଶେଷକୁ ପ୍ରୟୋଗ ହେଲା ମଣିଷଙ୍କ ଉପରେ। ସେଇଠି ବି ସମାନ ସଫଳତା। ସୂତ୍ର ନିର୍ଦ୍ଧାରଣ ହୋଇଗଲା ୯୫-୫। ଗଣିତର ଆଉ ଏକ ନୂତନ ଅଧ୍ୟାୟ। ପାଞ୍ଚ ଜଣ ପଞ୍ଚାନବେ ଜଣଙ୍କୁ ନିୟନ୍ତ୍ରଣ କରିପାରିବାର କ୍ଷମତା ରଖନ୍ତି।

ଆପଣ ଗାନ୍ଧୀ, ସୁବାସଙ୍କଠାରୁ ଆଜିର ମୋଦୀ, ମମତା, ନବୀନ ଇତ୍ୟାଦି ଇତ୍ୟାଦି ସମସ୍ତଙ୍କୁ ଭଲଭାବରେ ଅନୁଧ୍ୟାନ କରନ୍ତୁ, ପାଞ୍ଚ ସଂଖ୍ୟା ଅଧିକ ହେଲେ ବିଫଳତା, ପାଞ୍ଚ ଭିତରେ ଯିଏ ନିଜକୁ ସୀମିତ ରଖିଛି ସିଏ ସଫଳତମ ମଣିଷ ହୋଇଛି।

ଆମ ରାଜ୍ୟରେ ସବୁବେଳେ ଚର୍ଚ୍ଚା ହାତଗଣତି କେତେଜଣ ହେଲେ ସର୍ବେସର୍ବା, ଆଉ ସବୁ ମେଣ୍ଢା। ଅସଲ କଥା ହେଉଛି ୯୫-୫ର ଗଣିତ। ଯିଏ ସଫଳ ହେବାକୁ ଇଚ୍ଛା ରଖିବ ସିଏ ଏ ଲକ୍ଷ୍ମଣରେଖା ନିୟମ ମାନିବାକୁ ବାଧ୍ୟ ହେବ।

ଯେଉଁମାନେ ଚର୍ଚ୍ଚା କରନ୍ତି, ମୋଦି କାହିଁକି ସଫଳ ହେଉଛନ୍ତି, ସେମାନେ ଗଣିତର ଏଇ ମୂଳ ସୂତ୍ର ବିଷୟରେ କିଛି ବି ଜାଣି ନାହାଁନ୍ତି। ଯିଏ ଏଇ ଗଣିତ ପାଠ ପଢ଼ିଥିବ ସିଏ ଅଯଥା ଚିନ୍ତାରେ ସମୟ ବରବାଦ ନକରି ନିଜ ସଫଳତାର ସିଡ଼ି ତିଆରି କରିବାରେ ଲାଗିଯିବ।

ଯେତେବେଳେ ମନ ଭିତରେ ଏଇ ଭାବନା ଆସିଯିବ “ଦେଖଇ ନେତ୍ରେ ଯାହା ଚଉଦିଗର,ସେ ସର୍ବର ଅଟଇ ମୁଁ ଅଧୀଶ୍ଵର” ସେତେବେଳେ ୯୫-୫ ସୂତ୍ର ବଦଳରେ ନୂତନ ଗାଣିତିକ ସୂତ୍ର ଉଦ୍ଭାବନ କରିବାକୁ ପଡ଼ିବ। ଯେଉଁ ଗବେଷଣାରେ ମୋଦି ଲାଗିଥିଲେ ଓ ୮୦-୨୦ ସୂତ୍ର ଉଦ୍ଭାବନ କରିବାରେ ସଫଳ ହେଲେ।

ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ବି ମନ ଭିତରେ ଇଛା କରନ୍ତି ଅଧୀଶ୍ଵର ହେବା କଥା। କିନ୍ତୁ ନୂତନ ଗାଣିତିକ ସୂତ୍ର ଉଦ୍ଭାବନ ପାଇଁ ଆଗ୍ରହ ଦେଖାଇବା ଅପେକ୍ଷା ପୁରୁଣା ସୂତ୍ରକୁ ଗୋଳିଆ ଘାଣ୍ଟିଆ କରିବା, ଅନ୍ୟ କାହାରି ଥେସିସ ଚୋରି କରିବାରେ ବେଶି ଆଗ୍ରହ ପ୍ରକାଶ କରୁଛନ୍ତି। ଏହାର ମୁଖ୍ୟ କାରଣ ହେଲା ଏବେ ବି ସେଇ ମାନ୍ଧାତା ଅମଳର ୯୫-୫ ସୂତ୍ରକୁ ବେଡ଼ି କରି ପିନ୍ଧିଛନ୍ତି। ଗୋଟିଏ ବିଷୟ ଉପରେ ଲକ୍ଷ୍ୟ ସ୍ଥିର କରିବା ଯେତିକି ଆବଶ୍ୟକ ଦୃଷ୍ଟି ସୁଦୂର ପ୍ରସାରୀ ହେବା ବି ସେତିକି ଆବଶ୍ୟକ। ସାରା ବିଶ୍ଵରେ ଘଟୁଥିବା ପ୍ରତି ମୁହୂର୍ତ୍ତର ପରିବର୍ତ୍ତନ ଉପରେ ଦୃଷ୍ଟି ନଦେଲେ କୂପମଣ୍ଡୁକ ହେବା ଥୟ।

ଏବେ ରହିଲା ୮୦-୨୦ର ଖେଳ। ଏ ଖେଳ ଭିତରେ ସେକ୍ସ ଅଛି, କ୍ରାଇମ ଅଛି, ଧର୍ମ ଅଛି, ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ଜଗତ ଅଛି। ଆଲୋଚନା କରିବା, ଏବେ ସମୟ ହୋଇଛି ଆପଣମାନେ ବ୍ରେକ ନିଅନ୍ତୁ।

ବାରିପଦା, ମୟୂରଭଞ୍ଜ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।