ରାଜ୍ୟ ପାଇଁ ପ୍ରକୃତ ଆହ୍ୱାନ

ରବି ଦାସ ରାଜ୍ୟର ପ୍ରତିବର୍ଷ ବଜେଟ୍ ବ୍ୟୟବରାଦ ବଢ଼ୁଛି। ଯଦି ଦେଖାଯାଏ ୨୦୦୦-୨୦୦୧ରେ ରାଜ୍ୟର ବଜେଟ୍ ଆକାର ଯାହାଥିଲା ଏବେ ତାହା ପ୍ରାୟ ଦଶ ଗୁଣ ବୃଦ୍ଧି ପାଇଲାଣି। ଚଳିତ ବର୍ଷ ରାଜ୍ୟର ବଜେଟ୍ ବ୍ୟୟବରାଦ ୨ ଲକ୍ଷ କୋଟି ଟଙ୍କାରେ ପହଁଚିଛି। ଋଣ ଭାର ବୃଦ୍ଧି ସହିତ ରାଜ୍ୟର ରାଜସ୍ୱ ମଧ୍ୟ ବଢ଼ିଛି। ୨୦୦୪-୦୫ ମସିହାରୁ ରାଜ୍ୟରେ ରାଜସ୍ୱ ନିଅଂଟ ନାହିଁ। ଏବେ ରାଜସ୍ୱ ଆଦାୟର ମୁଖ୍ୟ ସ୍ରୋତ ହୋଇଛି ଖଣି ରାଜସ୍ୱ। ଏ ବାବଦରୁ […]

mines

Debendra Prusty
  • Published: Friday, 08 July 2022
  • , Updated: 08 July 2022, 05:34 PM IST
  • ରବି ଦାସ

ରାଜ୍ୟର ପ୍ରତିବର୍ଷ ବଜେଟ୍ ବ୍ୟୟବରାଦ ବଢ଼ୁଛି। ଯଦି ଦେଖାଯାଏ ୨୦୦୦-୨୦୦୧ରେ ରାଜ୍ୟର ବଜେଟ୍ ଆକାର ଯାହାଥିଲା ଏବେ ତାହା ପ୍ରାୟ ଦଶ ଗୁଣ ବୃଦ୍ଧି ପାଇଲାଣି। ଚଳିତ ବର୍ଷ ରାଜ୍ୟର ବଜେଟ୍ ବ୍ୟୟବରାଦ ୨ ଲକ୍ଷ କୋଟି ଟଙ୍କାରେ ପହଁଚିଛି। ଋଣ ଭାର ବୃଦ୍ଧି ସହିତ ରାଜ୍ୟର ରାଜସ୍ୱ ମଧ୍ୟ ବଢ଼ିଛି। ୨୦୦୪-୦୫ ମସିହାରୁ ରାଜ୍ୟରେ ରାଜସ୍ୱ ନିଅଂଟ ନାହିଁ। ଏବେ ରାଜସ୍ୱ ଆଦାୟର ମୁଖ୍ୟ ସ୍ରୋତ ହୋଇଛି ଖଣି ରାଜସ୍ୱ। ଏ ବାବଦରୁ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୪୫ ହଜାର କୋଟି ଟଙ୍କା ପାଇଯାଉଛନ୍ତି। ଏହାଛଡ଼ା ଖଣିଜ ସଂପଦ ଥିବା ଅଂଚଳରୁ ଖଣି ଲିଜ୍ ନେଉଥିବା କମ୍ପାନୀମାନେ ଆଇନ ଅନୁସାରେ ଜିଲ୍ଲା ଖଣିଜ ପାଣ୍ଠିକୁ ଅର୍ଥ ପ୍ରଦାନ କରୁଛନ୍ତି। ୨୦୧୫ରେ ଖଣିଜ ପାଣ୍ଠି ଗଠନ ଦିନଠାରୁ ବିଭିନ୍ନ ଖଣି ଥିବା ଜିଲ୍ଲାମାନଙ୍କରେ ବିଶେଷ ଭାବରେ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ପ୍ରଭୃତି ଜିଲ୍ଲା ଖଣିଜ ପାଣ୍ଠି ବାବଦକୁ ବିଭିନ୍ନ ଜିଲ୍ଲାର ପ୍ରାୟ ୧୧ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଆଦାୟ କରିଛନ୍ତି।

ଗୋଟିଏ ପକ୍ଷରେ ଖଣି ରାଜସ୍ୱ ଦ୍ୱାରା ଆଦାୟ ହେଉଥିବା ବିପୁଳ ଅର୍ଥ ସହିତ ଯଦି ଜିଲ୍ଳା ଖଣି ପାଣ୍ଠିକୁ ମିଶାଇ ଦିଆଯାଏ ତେବେ ଖଣିଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଅଂଚଳଗୁଡ଼ିକର ଏବଂ ସେହି ଲୋକମାନଙ୍କର ସଂପୂର୍ଣ୍ଣ ବିକାଶ ୧୦ ବର୍ଷ ଭିତରେ ଅତି ସହଜରେ ହୋଇପାରିବ। ଖଣି ଅଂଚଳରେ ମୁଖ୍ୟତଃ ଆଦିବାସୀମାନେ ରହୁଛନ୍ତି। ଖଣି ପ୍ରକଳ୍ପ ଦ୍ୱାରା ସେମାନେ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ଖଣିଜ ସଂପଦରୁ ବିପୁଳ ରାଜସ୍ୱ ଓ ଜିଲ୍ଲା ଖଣିଜ ପାଣ୍ଠିରୁ ସଗୃହୀତ ଅର୍ଥ ମୁଖ୍ୟତଃ ପ୍ରଥମେ ସେହିମାନଙ୍କ ପାଇଁ ବିନିଯୋଗ ହେବାକଥା। ଜିଲ୍ଲା ଖଣିଜ ପାଣ୍ଠି ସଂପୂର୍ଣ୍ଣ ଭାବରେ ସେହି ଉଦ୍ଦେଶ୍ୟରେ କରାଯାଇଛି। ଖଣିଥିବା ଅଂଚଳଗୁଡ଼ିକରେ ଅର୍ଦ୍ଧାଧିକ ଆଦିବାସୀ ଓ ବାକି ଲୋକମାନଙ୍କ ଭିତରୁ ଶତକଡ଼ା ୩୦ ଭାଗରୁ ଊର୍ଦ୍ଧ୍ୱ ଅତ୍ୟନ୍ତ ଦୁର୍ବଳ ଶ୍ରେଣୀର ଜନସାଧାରଣ। ଖଣି କମ୍ପାନୀ ଦ୍ୱାରା ରାଜ୍ୟ ଲାଭବାନ ହେଉଛି। ଖଣି କମ୍ପାନୀଗୁଡ଼ିକର ମାଲିକମାନେ ହଜାର ହଜାର କୋଟି ଟଙ୍କା ଲାଭ ପାଉଛନ୍ତି। କିନ୍ତୁ ସେହି ଖଣି ଅଂଚଳରେ ଶହ ଶହ ବର୍ଷ ଧରି ବସବାସ କରିଆସୁଥିବା ଖଣି ଦ୍ୱାରା ବାସଚ୍ୟୁତ ହେଉଛନ୍ତି। ସେମାନଙ୍କର ଜୀବିକା ଧ୍ୱଂସ ପାଇଯାଉଛି। ଚାଷ ବାସ ଚାଲିଯାଉଛି। ଜଙ୍ଗଲ ଧ୍ୱଂସ ଯୋଗୁ ସେମାନଙ୍କ ଜୀବନ ବିପର୍ଣ୍ଣ ହେଉଛି। ସେମାନେ ନିର୍ଭର କରୁଥିବା ଜଳସ୍ରୋତଗୁଡ଼ିକ ନଷ୍ଟ ହେବାରେ ଲାଗିଛି। ପରିବେଶ ଅତ୍ୟନ୍ତ ଖରାପ ହେଉଛି। କିନ୍ତୁ ଖଣି ରାଜସ୍ୱରେ ରାଜ୍ୟ ସରକାର, ରାଜ୍ୟ ପଦାଧିକାରୀ, ଖଣି କମ୍ପାନୀ ମାଲିକ, ରାଜନେତା ମାଲେମାଲ ହେଉଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ଖଣି ପାଣ୍ଠିରୁ ଏକ ବଡ଼ ଅଂଶ ସିଧାସଳଖ ଭାବରେ ଆନ୍ତର୍ଜାତିକ ହକି ଟୁର୍ଣ୍ଣାମେଂଟ ନିମନ୍ତେ ରାଉରକେଲା ଷ୍ଟାଡିୟମରେ ଖର୍ଚ୍ଚ କରାଯାଇଛି। ରାଜ୍ୟ ସରକାର ଚାହିଁଥିଲେ ଏହି ପାଣ୍ଠିରୁ ଅର୍ଥ ଷ୍ଟାଡିୟମ ପାଇଁ ଖର୍ଚ୍ଚ ନକରି ରାଜ୍ୟ ବଜେଟ୍‌ରୁ ଖର୍ଚ୍ଚ କରିପାରିଥାନ୍ତେ। ଯେଉଁଥିରେ ଖଣି ରାଜସ୍ୱର ଏକ ବଡ଼ ଅଂଶ ରହିଛି। ତେବେ ଜିଲ୍ଲା ଖଣି ପାଣ୍ଠି ଖଣି ଦ୍ୱାରା କ୍ଷତିଗ୍ରସ୍ତ ଆଦିବାସୀ ଓ ଦଳିତ ଲୋକମାନଙ୍କ ପାଇଁ ଆଇନ ଅନୁସାରେ ଖର୍ଚ୍ଚ ହୋଇପାରିଥାନ୍ତା।

କିନ୍ତୁ ଏହି ପ୍ରଶ୍ନ କିଏ କାହାକୁ କେଉଁଠାରେ ପଚାରିବ? ପଚାରିଲେ ବି କିଏ ଏହାର ଉତ୍ତର ଦେବ? ଠିକ୍ ସେହିପରି ଝାରସୁଗୁଡ଼ା ଜିଲ୍ଳାରେ ଜିଲ୍ଲା ଖଣିଜ ପାଣ୍ଠିରୁ ଏକ ବଡ଼ ଅଂଶ ଝାରସୁଗୁଡ଼ା ବିମାନବନ୍ଦର ପାଇଁ ଓ ଝାରସୁଗୁଡ଼ା ହସପିଟାଲ ପାଇଁ ଖର୍ଚ୍ଚ କରିଦିଆଗଲା। ଏହି ବିମାନ ବନ୍ଦରରେ ଖଣି ଦ୍ୱାରା କ୍ଷତିଗ୍ରସ୍ତ କେଉଁ ଆଦିବାସୀ ଓ ସାଧାରଣ ଲୋକ ଯିବାଆସିବା କରନ୍ତି? ରାଜ୍ୟ ସରକାର ସାଧାରଣ ବଜେଟ୍‌ରୁ ଏହି ଅର୍ଥ ଦେଇଥିଲେ କିଛି କ୍ଷତି ହୋଇନଥାନ୍ତା। କୋଇଲା ଖଣି ଦ୍ୱାରା କ୍ଷତିଗ୍ରସ୍ତ ଆଦିବାସୀ ଓ ସାଧାରଣ ଲୋକ ବିସ୍ଥାପିତ ହୋଇ ପ୍ରକୃତ ଥଇଥାନ କରାଯିବା ପୂର୍ବରୁ ଖଣି ଖନନ କାର୍ଯ୍ୟ ଜୋରଦାର କରାଯାଉଛି। କ୍ଷତିଗ୍ରସ୍ତ ଲୋକମାନେ ପରପିଣ୍ଡାରେ ପଡ଼ି ସହାୟତା ପାଇଁ ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଦୌଡ଼ୁଛନ୍ତି। କେନ୍ଦୁଝର ଜିଲ୍ଲା, ଯେଉଁଠାରେ ସର୍ବାଧିକ ଖଣିଜ କାରବାର ହେଉଛି ଓ ରାଜ୍ୟ ସବୁଦୃଷ୍ଟିରୁ ଲାଭବାନ ହେଉଛି ସେଠାରେ ମଧ୍ୟ ଅବସ୍ଥା ଆହୁରି ସାଂଘାତିକ। ସେଠାକାର ଆଦିବାସୀମାନେ ସଂଗଠିତ ନୁହନ୍ତି। ବିସ୍ଥାପନ ନେଇ ସେମାନେ ପ୍ରଶ୍ନ ଉଠାଇଲେ ତାହାକୁ ପୋଲିସ ଲଗାଇ ଜବତ କରାଯାଉଛି। ଅସଲକଥା ହେଉଛି ଯଦି ଖଣିଜ ସଂପଦର ବିପୁଳ ରାଜସ୍ୱ ଓ ଜିଲ୍ଲା ଖଣିଜ ପାଣ୍ଠି ଦ୍ୱାରା କ୍ଷତିଗ୍ରସ୍ତ ଆଦିବାସୀମାନଙ୍କର ଅବସ୍ଥା ନବଦଳିଲା ଓ ସେମାନେ ଶୋଷିତ ହୋଇ ରହିଲେ ତେବେ ଖଣି ସେମାନଙ୍କ ପାଇଁ ଏକ ଅଭିଶାପ ବୋଲି ସେମାନେ ଭାବିବା ସ୍ୱାଭାବିକ।

ରାଜ୍ୟ ବଜେଟ୍ ଉପରେ ଆଲୋଚନା ସମୟରେ ଖଣିଜ ଭିତ୍ତିକ ଅଂଚଳଗୁଡ଼ିକର ପ୍ରତିନିଧିମାନେ ଖଣି ରାଜସ୍ୱ ଦ୍ୱାରା ସେମାନଙ୍କ ଅଂଚଳର ସର୍ବାଙ୍ଗୀନ ବିକାଶ ନହେବା ପର୍ଯ୍ୟନ୍ତ ଅନ୍ୟ ଅଂଚଳକୁ ଏହି ଅର୍ଥ ଦିଆଯିବା ସେମାନଙ୍କ ପ୍ରତି ଶୋଷଣର ଆଉ ଏକ ଅଧ୍ୟାୟ ଭାବରେ ବିବେଚିତ ହେବ ବୋଲି ସ୍ପଷ୍ଟ ଭାବରେ କହିବା ଉଚିତ। ସେହିପରି ଜିଲ୍ଲା ଖଣି ପାଣ୍ଠିର ଅର୍ଥ ସହରାଂଚଳରେ ଓ ବାବୁମାନଙ୍କର ସୌଖିନ ଖର୍ଚ୍ଚ ହେବାକୁ ତୀବ୍ର ବିରୋଧ କରାଯିବା ଦରକାର, ଯେପରିକି ଗୋଟିଏ ଜିଲ୍ଲାରେ ଖଣି ପାଣ୍ଠିରେ ପୋଲିସ ପ୍ରଶାସନ ପାଇଁ ୨୦ଟି ଗାଡ଼ି କିଣାଯାଇଛି, ସର୍କିଟ୍ ହାଉସର ପାଚେରୀ କରାଯାଉଛି, ଜିଲ୍ଲାପାଳଙ୍କ ବାସଭବନକୁ ନବୀକରଣ କରାଯାଉଛି। ଏହିପ୍ରକାର କାରବାରକୁ ଯଦି ଜିଲ୍ଲାର ଲୋକ ପ୍ରତିନିଧିମାନେ ବଜେଟ୍ ଆଲୋଚନା ସମୟରେ ସ୍ପଷ୍ଟଭାବରେ ନକୁହନ୍ତି ତେବେ ସେମାନେ ଲୋକମାନଙ୍କ ପ୍ରତି ବିଶ୍ୱାସଘାତ କରୁଛନ୍ତି ବୋଲି ବିଚାର କରାଯିବ।

ଖଣି କ୍ଷତିଗ୍ରସ୍ତ ଅଂଚଳଗୁଡ଼ିକରେ ଖଣି ରାଜସ୍ୱରୁ ମାତ୍ର କିଛି ଅଂଶ ଖର୍ଚ୍ଚ କଲେ ସମସ୍ତଙ୍କ ପାଇଁ ଗୋଟିଏ ବର୍ଷ ଭିତରେ ପକ୍କା ଘର ହୋଇଯାଇପାରିବ। ସେହିପରି ଏହି ରାଜସ୍ୱରୁ ସାମାନ୍ୟ ଖର୍ଚ୍ଚ କଲେ ପ୍ରତ୍ୟେକ ପରିବାର ପାଇଁ ପାନୀୟ ଜଳ, ଭଲ ଶିକ୍ଷକ ଥିବା ବିଦ୍ୟାଳୟ ଓ ଡାକ୍ତର ଥିବା ହସପିଟାଲ ସହିତ ସେହି ଅଂଚଳର ପ୍ରତ୍ୟେକ ରାସ୍ତାଘାଟର ଉନ୍ନତିକରଣ ଅତି ସହଜରେ ସମ୍ଭବ ହେବ। ସେହି ଲୋକମାନଙ୍କୁ ବିକଳ୍ପ ନିଯୁକ୍ତି ପନ୍ଥା ସାହାଯ୍ୟରେ  ଆତ୍ମନିର୍ଭରଶୀଳ କରିବା ପାଇଁ ଯାହା ବି ଅର୍ଥ ବିନିଯୋଗ ହେଲେ କରାଯିବା ସମ୍ଭବ ହେବ। ସେହିସବୁ ଅଂଚଳରେ ଖଣି ଖନନ ଦ୍ୱାରା ଜଙ୍ଗଲର ଯେଉଁ ଧ୍ୱଂସ ହେଉଛି ଓ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ଲୋକମାନେ ଯେଉଁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ତାହାର ମୁକାବିଲା ପାଇଁ ବିକଳ୍ପ ଜଙ୍ଗଲ ସୃଷ୍ଟି ସେହି ଅଂଚଳରେ କରାଯିବା ଉଚିତ। ତାହା ନକରାଯାଇ ସେମାନେ କ୍ଷତିଗ୍ରସ୍ତ ହେଉଛନ୍ତି ଓ ନୂଆ ଜଙ୍ଗଲ ପାଇଁ କମ୍ପାନୀମାନେ ଦେଉଥିବା କ୍ଷତିପୂରଣ ରାଶି ଅନ୍ୟ କେଉଁଆଡ଼େ ଯାଇ ଜଙ୍ଗଲ ବିଭାଗ କର୍ମକର୍ତ୍ତାଙ୍କ ସଉକ ମେଂଟାଉଛି। ବଜେଟ୍ ଆଲୋଚନା ସମୟରେ ଏ ପ୍ରସଙ୍ଗ ବି ଭଲଭାବରେ ଆସିବା ଉଚିତ।

ଓଡ଼ିଶାରେ ଗତ ୧୦ ବର୍ଷ ହେଲା ସ୍ୱତନ୍ତ୍ର କୃଷି ବଜେଟ୍ କରାଯାଉଛି। ୧୦ ବର୍ଷ ଭିତରେ ଏଥିରେ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ ହେଲାଣି। ତଥାପି ଓଡ଼ିଶାରେ ଚାଷୀମାନଙ୍କ ଆୟ ଦେଶରେ ସବୁଠାରୁ ତଳେ ରହିଛି। ଓଡ଼ିଶା ପଛକୁ ମାତ୍ର ଗୋଟିଏ ରାଜ୍ୟ ଅଛି। ଅବଶ୍ୟ ୨୦୧୮-୧୯ ପରେ ଚାଷୀଙ୍କ ଆୟ ହିସାବ ଆସି ନାହିଁ। କିନ୍ତୁ କେନ୍ଦ୍ର ସରକାର ବା ପ୍ରଧାନମନ୍ତ୍ରୀ ମୋଦୀ ଚାଷୀମାନଙ୍କ ଆୟ ୨୦୨୨ ସୁଦ୍ଧା ଦୁଇଗୁଣ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରି ଯେଉଁ ସ୍କିମ୍ ଗୁଡ଼ିକ ଆରମ୍ଭ କଲେ ସେଥିରେ ରାଜ୍ୟ ସରକାର ମଧ୍ୟ ୪୦ ଭାଗ ଅର୍ଥ ଦେଉଛନ୍ତି। କିନ୍ତୁ ଓଡ଼ିଶାରେ ଚାଷୀର ଆୟ  ବଢ଼ି ପାରୁନାହିଁ। ରାଜ୍ୟ ସରକାର ଗର୍ବିତ ଯେ ଧାନ ଉତ୍ପାଦନରେ ସେମାନେ ପୁରସ୍କୃତ ହୋଇଛନ୍ତି। କିନ୍ତୁ କେଉଁ ବର୍ଗରେ ଓ କିପରି ପୁରସ୍କୃତ ହୋଇଛନ୍ତି ତାହା କୁହା ଯାଉନାହିଁ। ଓଡ଼ିଶାରେ ଧାନ କ୍ଷେତ୍ରରେ ମଧ୍ୟ ହେକ୍ଟର ପିଛା ଉତ୍ପାଦନ ଜାତୀୟ ହାରଠାରୁ ପ୍ରାୟ ୩୦ ଭାଗ କମ୍। ଧାନର ଉତ୍ପାଦିକା ଶକ୍ତି ବୃଦ୍ଧି ନିମନ୍ତେ କ’ଣ କରାଯାଇଛି କୁହା ଯାଉନାହିଁ। ଏବେ ନିକଟରେ ମାଣ୍ଡିଆ ମିଶନ ନେଇ ପ୍ରଚାର କରାଯାଉଛି। କିନ୍ତୁ ଗତ ୧୦ ବର୍ଷ ଭିତରେ ଓଡ଼ିଶାରେ ଡାଲି, ତୈଳବୀଜ, ଆଖୁ ଉତ୍ପାଦନ ବଢ଼ିବା ପରିବର୍ତ୍ତେ ବରଂ କମିଯାଇଛି। ଅନେକ ଲୋକ କହନ୍ତି ଯେ, ରାଜ୍ୟରେ କେବଳ ଧାନ ଉତ୍ପାଦନ କରାଯାଉଛି। ଅନ୍ୟ ଚାଷ ପ୍ରତି ଦୃଷ୍ଟିନାହିଁ। କିନ୍ତୁ ଏହା ଠିକ୍‌ ନୁହେଁ। ଆମ ରାଜ୍ୟରେ ପ୍ରାୟ ୭୫ ଭାଗ ଜମିରେ ଧାନ ଚାଷ ହୁଏ। ଯେଉଁମାନଙ୍କର ମନେଥିବ ଯେ, ଏକଦା ଓଡ଼ିଶାରୁ ଚୋରାରେ ପଶ୍ଚିମବଙ୍ଗକୁ ଚାଉଳ ଯାଉଥିଲା। ଦେଶ ସ୍ୱାଧୀନତା ସମୟରେ ମୋଟ ଚାଷ ଉତ୍ପାଦନର ରାଜ୍ୟରେ ଭାଗଥିଲା ଶତକଡ଼ା ୧୧ ଭାଗ। ଏବେ ସେହି ଭାଗ କମି ଶତକଡ଼ା ୭କୁ ଆସିଛି। ଅପରପକ୍ଷରେ ରାଜ୍ୟରେ ଯେଉଁ ପରିମାଣରେ ଡାଲି ଓ ତୈଳବୀଜ ଉତ୍ପାଦନ ହେଉଥିଲା ଏବେ ଦେଶର ହାରାହାରି ଉତ୍ପାଦନରେ ରାଜ୍ୟର ସେହି ଅଂଶ ଆଦୌ ନାହିଁ। ଏଣୁ ସ୍ୱତନ୍ତ୍ର କୃଷି ବଜେଟ୍ ଜରିଆରେ ଯଦି କୃଷକର ଆୟ ନବଢ଼ିଲା ଓ କୃଷି ସହିତ ମତ୍ସ୍ୟଚାଷ ଓ ପଶୁପାଳନ କରି ଚାଷୀର ଆୟ ନବଢ଼ିଲା ତେବେ କୃଷି ବଜେଟ୍‌ର କୌଣସି ଅର୍ଥ ନାହିଁ।

ରାଜ୍ୟରେ ପ୍ରକୃତ ଜମିମାଲିକ ଯିଏ ସେମାନଙ୍କ ଭିତରୁ ୬୦ ଭାଗ ଚାଷ କରୁନାହାନ୍ତି। ଅଧିକାଂଶ ଜମି ଭାଗଚାଷ ଦ୍ୱାରା ନିୟୋଜିତ। କିନ୍ତୁ ଏହି ଭାଗଚାଷୀମାନଙ୍କର କୌଣସି ଅଧିକାର ନାହିଁ। ସରକାରଙ୍କର ଯୋଜନାରେ ସେମାନେ ଲାଭବାନ ହେଉନାହାନ୍ତି। ସେମାନଙ୍କର ଆର୍ଥିକ ଅବସ୍ଥା ଖରାପ ହେଉଛି। ଏପରି କି କାଳିଆ ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସେମାନେ ଲାଭବାନ ହେବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ। ଏହି ଦୃଷ୍ଟିରୁ ରାଜ୍ୟରେ କେବଳ ଚାଷ ଉପରେ ନିର୍ଭର କରୁଥିବା ଲୋକମାନଙ୍କ ଅବସ୍ଥା ଶୋଚନୀୟ। ମୋଟ୍ ରାଜ୍ୟ ଉତ୍ପାଦନକୁ କୃଷି ଉଦ୍ୟୋଗର ଅଂଶ ଶତକଡ଼ା ୧୫ରେ ପହଁଚିଲାଣି। କିନ୍ତୁ ଏହା ଉପରେ ଏବେବି ପ୍ରାୟ ୬୦ଭାଗ ଲୋକ ନିର୍ଭର କରିଅଛନ୍ତି। ଏହି ଶ୍ରେଣୀର ଲୋକମାନେ ଯେତିକି ଦାରିଦ୍ର‌୍ୟ ଭିତରେ ରହୁଛନ୍ତି ଠିକ୍ ସେହିପରି ଖଣି ଦ୍ୱାରା ରାଜ୍ୟ ବିପୁଳ ରାଜସ୍ୱ ପାଉଥିଲେ ମଧ୍ୟ ସେହି ଅଂଚଳରେ ହେଉଥିବା ଆଦିବାସୀ ଓ ପଛୁଆ ଲୋକମାନଙ୍କର ଅବସ୍ଥା ସଂକଟାପନ୍ନ ହେବାରେ ଲାଗିଛି। ତଥାପି ଓଡ଼ିଶାରୁ ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ରାଜ୍ୟବାସୀ ଖୁସିଅଛନ୍ତି।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

Related story