ରାଜ୍ୟ ସଙ୍ଗୀତ ମାନ୍ୟତା: ବାଧ୍ୟ ବାଧକତା ନା ଆନ୍ତରିକତା?

ମଉକା ଦେଖି ଚଉକା କେମିତି ମରାଯାଏ, ତାହା ଏବର ରାଜ୍ୟ ରାଜନୀତିରୁ ନିଶ୍ଚୟ ଶିଖିବା ଉଚିତ୍। ଜଣେ ଦକ୍ଷ ରାଜନେତା ତଥା ମୁଖିଆର ଆଉ କିଛି ଗୁଣବତ୍ତା ରହୁ ବା ନ ରହୁ ଏତକ ରହିବା କିନ୍ତୁ ନିହାତି ଦରକାର। ଆଉ ଏହାକୁ ବାରମ୍ବାର ପ୍ରମାଣିତ କରିଦେଖାଇଛନ୍ତି ଓଡ଼ିଶାର ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖିଆ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ନବୀନ ପ୍ରତ୍ୟେକ ଛୋଟ ବଡ଼ ମଉକାର ଫାଇଦା ନେଇ ନିଜ ନାମରେ ଓ୍ୱାଃ ଓ୍ୱାଃ ନେବାକୁ କେବେ ଭୁଲନ୍ତି ନାହିଁ। ଆସନ୍ତୁ ଏହାର ତାଜା ଉଦାହରଣ ଉପରେ ଚର୍ଚ୍ଚା କରିବା…

ରାଜନୀତି ପାଇଁ ହେଉ ପଛେ, ଶେଷରେ କୋଟି କୋଟି ଓଡ଼ିଆଙ୍କ ଭାବାବେଗ ବିଜୟୀ ହେଲା। ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳିଲା। ରାଜ୍ୟ କ୍ୟାବିନେଟ୍ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବାକୁ ନିଷ୍ପତ୍ତି ନେଲା। ଏହାପରେ ରବିବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏନେଇ ସୂଚନା ଦେଲେ। ସମସ୍ତ ଓଡ଼ିଆ ଏନେଇ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରଶଂସାରେ ପୋତି ପକାଇଲେ।

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା କୋଟି କୋଟି ଓଡ଼ିଆଙ୍କ ବର୍ଷ ବର୍ଷର ସ୍ୱପ୍ନ ଥିଲା, ଯାହା ପରିଶେଷରେ ବାସ୍ତବ ରୂପ ନେଇଛି। ଆଉ ଏହାର ଶ୍ରେୟ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ନିଃସନ୍ଦେହ ଏକ ସ୍ୱାଗତଯୋଗ୍ୟ ନିଷ୍ପତ୍ତି ବା ପଦକ୍ଷେପ କିମ୍ବା ହାଇକୋର୍ଟଙ୍କ ନିର୍ଦ୍ଦେଶର ପାଳନ (ଏନେଇ ଆଗକୁ ସ୍ପଷ୍ଟ କରିବୁ) ବୋଲି ଆମେ କହିପାରିବା। ତେବେ ଏଠାରେ ପ୍ରଶ୍ନ ଉଠୁଛି ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବା ଲାଗି ସତରେ କଣ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ଥିଲା ନା ବାଧ୍ୟ ହୋଇ ତାଙ୍କୁ ଏହି ନିଷ୍ପତ୍ତି ନେବାକୁ ପଡ଼ିଛି? ଏଠାରେ ‘ବାଧ୍ୟ’ ଓ ‘ହାଇକୋର୍ଟଙ୍କ ନିର୍ଦ୍ଦେଶ’ ଭଳି ଦୁଇଟି ପ୍ରସଙ୍ଗ ଆମେ ଉଠାଇଛୁ, ଏନେଇ ଆର୍ଟିକଲ ଶେଷ ସୁଦ୍ଧା ଆପଣ ଅବଗତ ହେଇଯିବେ ବୋଲି ଆଶା।

ଦୀର୍ଘ ୨୦ ବର୍ଷ ଶାସନ କାଳରେ ବିନା ସହଯୋଗରେ ଓଡ଼ିଆ ପଦେ କହିପାରୁ ନ ଥିବା ଚିର ବିଜୟୀ ମୁଖ୍ୟମନ୍ତ୍ରୀଙ୍କର ପ୍ରକୃତରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ପ୍ରତି ଆଦର ନ ଥିବା ଅନେକ ଥର ଅଭିଯୋଗ ଆସିଛି। ଏହା କେତେ ସତ, କେତେ ମିଛ ତାହା କହିବା ଯଦିଓ ମୁସ୍କିଲ, ତଥାପି ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବାକୁ ଦଶନ୍ଧି ଦଶନ୍ଧି ସମୟ ଲାଗିଗଲା ବିଜେଡି ସରକାରକୁ।

ଆସନ୍ତୁ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ପଛର ଇତିହାସ ଉପରେ ଟିକେ ନଜର ପକାଇବା…

  • ୧୯୧୨ରେ ବାଲେଶ୍ୱର ଜିଲ୍ଲାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀରେ ସର୍ବପ୍ରଥମେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା।
  • ୧୯୯୦ରେ ‘ବନ୍ଦେ ଉତ୍କଳ ଜନନୀ’କୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଶିକ୍ଷାନୁଷ୍ଠାନରେ ବୋଲିବାକୁ ସରକାରୀ ନିର୍ଦ୍ଦେଶ ଦିଆଗଲା।
  • ୧୯୯୪ ନଭେମ୍ବର ୭ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ ବିଧାନସଭାରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ବାଚସ୍ପତି ଯୁଧିଷ୍ଠିର ଦାସଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା।
  •  ୧୯୯୪ ଡିସେମ୍ୱର ୨୧ରେ ବିଧାନସଭା ସପ୍ତଦଶ ଅଧିବେଶନର ଶେଷ ଦିନରେ ସର୍ବପ୍ରଥମେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା।
  • ୨୦୦୨ ଡିସେମ୍ବର ୧୯ରେ ତତ୍କାଳୀନ ବାଚସ୍ପତି ଶରତ କର ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପାଇ ସର୍କୁଲାର ଜାରି କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ଦାମୋଦର ରାଉତଙ୍କୁ ବାଚସ୍ପତି ଚିଠି ଲେଖିଥିଲେ।
  • ୨୦୦୩ ମେ ୧୦ରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ପାଇଁ ବାଚସ୍ପତି ଶରତ କରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏଥିରେ ୭୦ରୁ ୯୦ ସେକେଣ୍ଡ ଭିତରେ କାବ୍ୟର ପ୍ରଥମ, ଚତୁର୍ଥ ଓ ଶେଷ ପଦ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ମୂଳ କଣ୍ଠ ସ୍ୱରରେ ବୋଲିବାକୁ ନିଷ୍ପତ୍ତି ହେଲା।
  • ୨୦୦୬ ଅଗଷ୍ଟ ୨୬ରେ ତତ୍କାଳୀନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପୁଣି ବୈଠକ ବସିଲା। ଏଥିରେ କାବ୍ୟର ପ୍ରଥମ, ଚତୁର୍ଥ ଓ ଷଷ୍ଠ ପଦ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ମୂଳ ସ୍ୱରରେ ଗାଇବାକୁ ନିଷ୍ପତ୍ତି ହେଲା
  • ୨୦୧୨ ଡିସେମ୍ୱର ୧୫ରେ ତତ୍କାଳୀନ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ମହେଶ୍ୱର ମହାନ୍ତି ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବା ଅସମ୍ଭବ ବୋଲି କହିଥିଲେ।
  • ୨୦୧୪ ଡିସେମ୍ୱର ୪ରେ ପୁଣି ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦିଆଯାଇପାରିବ ନାହିଁ ବୋଲି କହିଥିଲା ଗୃହବିଭାଗ।

ଯଦିଓ ବିଭିନ୍ନ ସମୟରେ ବାଚସ୍ପତିମାନେ ରାଜ୍ୟ ସରକାରଙ୍କୁ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବାକୁ ରାଜ୍ୟ ସରକାରଙ୍କୁ କହିଥିଲେ ମଧ୍ୟ ଏହା କୌଣସି ମତେ କାର୍ଯ୍ୟକାରୀ ହୋଇପାରୁ ନ ଥିଲା। କାରଣ କାବ୍ୟରେ ବ୍ୟବହୃତ ‘ଉତ୍କଳ’ ଶବ୍ଦକୁ ନେଇ କେତେଜଣ ବିବାଦ ସୃଷ୍ଟି କରିଥିଲେ। ପଶ୍ଚିମ ଓଡ଼ିଶାରେ ସ୍ୱତନ୍ତ୍ର ପ୍ରଦେଶ ଗଠନ ଲାଗି କୋଶଳ ଆନ୍ଦୋଳନ ଜାରି ଥିବା ସମୟରେ ‘ବନ୍ଦେ ଉତ୍କଳ ଜନନୀ’ ବଦଳରେ ‘ବନ୍ଦେ ଓଡ଼ିଶା ଜନନୀ’ କରାଯିବାକୁ ଦାବି ଉଠିଥିଲା। ଆଉ ଏହି ସବୁଥିରେ ସେନାପତି ସାଜିଥିଲେ ଖୋଦ୍ ନବୀନ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ସୁଶାନ୍ତ ସିଂହ। ସେ ଖୋଦ ଉତ୍କଳ ଶବ୍ଦ ପଶ୍ଚିମ ଓଡ଼ିଶା ଲୋକଙ୍କ ଭାବାବେଗକୁ ଆଘାତ ପହଞ୍ଚିବ କହି ରାଜନୀତି ଆରମ୍ଭ କରିଥିଲେ। ତାଙ୍କ ତର୍କ ଥିଲା ଉତ୍କଳ ଶବ୍ଦ ସମସ୍ତଙ୍କ ପାଇଁ ଗ୍ରହଣୀୟ ନୁହେଁ।

ସୁଶାନ୍ତ ସିଂହ କହିଥିଲେ ଯେ, ଉତ୍କଳ ପରିବର୍ତ୍ତେ ଓଡ଼ିଶା କରା ନ ଗଲେ ପଶ୍ଚିମ ଓଡ଼ିଶାବାସୀ ଏହାକୁ ବିରୋଧ କରିବେ। ତାଙ୍କ ଦେଖାଦେଖି ଅନ୍ୟ ପଶ୍ଚିମ ଓଡ଼ିଶାରେ ପ୍ରବଳ ବିରୋଧ ଦେଖାଗଲା। ଏଭଳି ପରିସ୍ଥିତିରେ ପଶ୍ଚିମ ଓଡ଼ିଶା ଭୋଟ୍ ବ୍ୟାଙ୍କ ହାତଛଡ଼ା ହୋଇଯିବା ଡରରେ ରାଜ୍ୟ ସରକାର ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବାକୁ ଆନ୍ତରିକତା ଦେଖାଇ ନଥିଲେ। ହେଲେ ସମୟକ୍ରମେ ରାଜ୍ୟ ସଙ୍ଗୀତ ମାନ୍ୟତା ନେଇ ଦାବି ପୁଣି ତେଜି ଉଠିଲା।

ଓଡ଼ିଆ ଭାଷା ଆନ୍ଦୋଳନ ମଧ୍ୟ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବାକୁ ଦାବି ଉଠାଇଲା। ୨୦୧୯ ପହିଲାରେ କାହିଁକି ବର୍ଷ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଟେବୁଲରେ ଏହି ପ୍ରସ୍ତାବ ପଡ଼ିରହିଛି ବୋଲି ଉତ୍କଳ ସମ୍ମିଳନୀ ସ୍ୱର ଉଠାଇଥିଲା। ସମସ୍ତେ ଦାବି କରୁଥିଲେ। ହେଲେ ଆଇନର ଆଶ୍ରୟ ନେଲେ ଉନ୍ନତ ଓଡ଼ିଶା ଅଭିଯାନ ତରଫରୁ ସୁବାସ ମହାପାତ୍ର। ସେ ରାଜ୍ୟ ସଙ୍ଗୀତ ମାନ୍ୟତା ଦାବି ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ। ୨୦୧୯ ନଭେମ୍ୱର ୧୧ରେ ମାନ୍ୟବର ହାଇକୋର୍ଟ ମହାପାତ୍ରଙ୍କ ଆବେଦନର ଶୁଣାଣି କରି ୬ ମାସ ମଧ୍ୟରେ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଲେ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମହାପାତ୍ର ୨୦୨୦ ଜାନୁୟାରୀରେ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସମସ୍ତ ଦସ୍ତାବିଜ ପ୍ରଦାନ କରିବା ସହ ନିର୍ଦ୍ଦେଶ ସମ୍ପର୍କରେ ଅବଗତ କରାଇଲେ। ଏହାପରେ ମେ ୩୦ରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ସମୂହ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଗଲା।

ମୂଳ କଥାଟି ହେଲା ହାଇକୋର୍ଟଙ୍କ ଡରରେ କୌଣସି ମତେ ସରକାରଙ୍କୁ ଏହା ପାଳନ କରିବାର ଥିଲା। ଏପଟେ କରୋନା ସଙ୍କଟ ସହ ରାଜ୍ୟ ସଂଘର୍ଷ କରୁଥିବା ବେଳେ ସରକାରଙ୍କ କୋଭିଡ୍ କିଟ୍ ଓ ମାସ୍କ କେଳେଙ୍କାରୀ ପଦାରେ ପଡ଼ିଥିଲା। ନବୀନଙ୍କ ମନ୍ତ୍ରୀସ୍ତରୀୟ କମିଟିର ଏହା ପଛରେ ଭୂମିକା ଥିବା ନେଇ ବିବାଦରେ ଫଶିଗଲେ ନବୀନ ସରକାର। ଓଡ଼ିଆଙ୍କ ଏହି ଦୁର୍ଦିନରେ, ଦୁଃଖ ବେଳେରେ କରୋନା ମୁକାବିଲା ଆଳରେ ଜରୁରୀ ସାମଗ୍ରୀ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଗଣମାଧ୍ୟମ ଜରିଆରେ ପର୍ଦ୍ଦାଫାଶ ହେଲା। ନବୀନଙ୍କ ୪ ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ନାଁ ଏହି କେଳେଙ୍କାରୀ ସହ ଯୋଡ଼ାଗଲା। ଏପରି କି ପର୍ଚେଜ୍ କମିଟି ମୁଖ୍ୟ ହେମନ୍ତ ଶର୍ମାଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦିଆଗଲା। କରୋନା ମହାବିପତ୍ତି ସମୟରେ ତାମିଲନାଡ଼ୁ ଲିଙ୍କରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ସିବିଆଇ ତଦନ୍ତ ଦାବି ଉଠାଇଲେ ବିରୋଧୀ।

ଏଭଳି ପ୍ରତିକୂଳ ପରିସ୍ଥିତିରେ ଓଡ଼ିଆଙ୍କୁ ଭାବୁକ କରେଇ ମୂଳ ପ୍ରସଙ୍ଗରୁ ଦୃଷ୍ଟି ହଟାଇ ଦେଲା ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ କରାଯାଉଛି। ଏମିତିରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନିବାକୁ ଥିଲା। ହେଲେ ଓ୍ୱାଃ ଓ୍ୱାଃ ନେଇ କୋଭିଡ୍ ଦୁର୍ନୀତି ପ୍ରସଙ୍ଗକୁ ଭୂତ କରିଦେବା ଲାଗି ଏହାଠାରୁ ଭଲ ସୁଯୋଗ ଆଉ ମିଳି ନଥାନ୍ତା। ଏଭଳି ମଉକାକୁ ହାତରୁ କିପରି ବା ଯିବାକୁ ଦେଇଥାନ୍ତେ ନବୀନ ସରକାର! ଏହା ପ୍ରକୃତରେ ତାଙ୍କ ଓଡ଼ିଶା ତଥା ଓଡ଼ିଆଙ୍କ ପାଇଁ ଆନ୍ତରିକତା ନା ମଉକା ଦେଖି ଚଉକା ମାରିବା ତାହା ପାଠକ ବିଚାର କରନ୍ତୁ। ଆମେ ଖାଲି ଏତିକି କହିପାରିବୁ ପାନ, ଗୁଆ, ଖଇର, ଗୁଆକାତି, ଆହାକି ସୁନ୍ଦର ରାଜନୀତି…

ପ୍ରଜ୍ଞା ଚୌଧୁରୀ

pragnyachoudhury330@gmail.com

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।