ବିବିଧତାର ସୁରକ୍ଷା କରିବା ଆମର ଧର୍ମ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ. ମୋହନ ଜୀ ଭାଗବତ ବିଜୟାଦଶମୀ ଉତ୍ସବ ଅବସରରେ ଦେଇଥିବା ଉଦବୋଧନ।

ମୋହନ ଭଗବତ

ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଆଦରଣୀୟା ଶ୍ରୀମତୀ ସନ୍ତୋଷ ଯାଦବଜୀ, ମଂଚରେ ଉପସ୍ଥିତ ବିଦର୍ଭ ପ୍ରାନ୍ତର ମାନନୀୟ ସଂଘଚାଳକ, ନାଗପୁର ମହାନଗରର ମାନନୀୟ ସଂଘଚାଳକ, ମାନନୀୟ ସହସଂଘଚାଳକ, ଅନ୍ୟ ଅଧିକାରୀଗଣ, ନାଗରିକ ସଜ୍ଜନମଣ୍ଡଳୀ, ମାତା ଓ ଭଗିନୀ ତଥା ଆତ୍ମୀୟ ସ୍ୱୟଂସେବକ ବନ୍ଧୁ।

ନବରାତ୍ରୀର ଶକ୍ତିପୂଜା ପରେ ପରେ ବିଜୟ ସହିତ ଉଦିତ ହୋଇଥିବା ଆଶ୍ୱିନ ଶୁକ୍ଲପକ୍ଷ ଦଶମୀ ତିଥିରେ ପ୍ରତିବର୍ଷ ଭଳି ବିଜୟାଦଶମୀ ଉତ୍ସବ ପାଳନ କରିବା ନିମନ୍ତେ ଆମେ ଆଜି ଏଠାରେ ଏକତ୍ରିତ ହୋଇଛନ୍ତି। ଶକ୍ତି ସ୍ୱରୂପା ଜଗଦଜନନୀ ହିଁ ଶିବସଂକଳ୍ପକୁ ସଫଳ କରିବାର ଆଧାର। ସର୍ବତ୍ର ପବିତ୍ରତା ଓ ଶାନ୍ତି ସ୍ଥାପନା ନିମନ୍ତେ ମଧ୍ୟ ଶକ୍ତିର ଆଧାର ଅନିବାର୍ଯ୍ୟ। ଏହା ଏକ ସଂଯୋଗ ଯେ, ଆଜିର ମୁଖ୍ୟ ଅତିଥି ଶ୍ରୀମତୀ ସନ୍ତୋଷ ଯାଦବ ସେହି ଶକ୍ତି ଏବଂ ଚୈତନ୍ୟର ପ୍ରତିନିଧିତ୍ୱ କରନ୍ତି। ସେ ଗୌରୀଶଙ୍କର ଶୃଙ୍ଗକୁ ଦୁଇ ଥର ଆରୋହଣ କରିଛନ୍ତି।

ସଂଘର କାର୍ଯ୍ୟକ୍ରମରେ ଅତିଥି ରୂପେ ସମାଜର ପ୍ରବୁଦ୍ଧ ତଥା କର୍ତ୍ତୃତ୍ୱସମ୍ପନ୍ନ ମହିଳାଙ୍କ ଉପସ୍ଥିତିର ପରମ୍ପରା ଖୁବ୍ ପୁରୁଣା। ବ୍ୟକ୍ତି ନିର୍ମାଣର ଶାଖା ପଦ୍ଧତିରେ ପୁରୁଷ ଏବଂ ମହିଳାମାନଙ୍କ ନିମନ୍ତେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତଥା ରାଷ୍ଟ୍ର ସେବିକା ସମିତି ପୃଥକ ପୃଥକ ଭାବେ କାର୍ଯ୍ୟ କରିଥାଏ। ଅନ୍ୟ ସମସ୍ତ କାର୍ଯ୍ୟରେ ମହିଳାମାନେ ପୁରୁଷମାନଙ୍କ ସହିତ ମିଶି କାର୍ଯ୍ୟ କରିଥାନ୍ତି। ଭାରତୀୟ ପରମ୍ପରାରେ ଏହି ପରିପୂରକତା ଉପରେ ବିଚାର କରାଯାଇଛି। ଆମେ ଏ ଦୃଷ୍ଟିଭଙ୍ଗୀକୁ ଭୁଲି ଯାଇଛୁ। ମାତୃଶକ୍ତିକୁ ସୀମିତ କରିଦେଇଛୁ। ନିରନ୍ତର ଆକ୍ରମଣ ଜନିତ ପରିସ୍ଥିତି ଏହି ମିଥ୍ୟାଚାରକୁ ତାତ୍କାଳିକ ବୈଧତା ପ୍ରଦାନ କଲା ଏବଂ ଏହାକୁ ଅଭ୍ୟାସରେ ପରିଣତ କରିଦେଲା। ଭାରତର ନବ ଅଭ୍ୟୁଦୟର ଉଷାକାଳରେ ଆମର ସମସ୍ତ ମହାପୁରୁଷମାନେ ଏହି ରୁଢିବାଦୀ ବିଚାରଧାରାକୁ ତ୍ୟାଗକରି ମାତୃଶକ୍ତିକୁ ଦେବତାର ସ୍ୱରୂପ ପ୍ରଦାନ କରିଛନ୍ତି ଏବଂ ତାଙ୍କୁ ପୂଜାଘରେ ଅଥବା ଦ୍ୱିତୀୟ ଶ୍ରେଣୀ ନାଗରିକ ଭାବେ ରୋଷାଇ ଘର ପର୍ଯ୍ୟନ୍ତ ସୀମିତ କରିବା ଭଳି ଅତିବାଦୀ ଚିନ୍ତାଧାରାରୁ ଉଦ୍ଧ୍ୱର୍କୁ ଉଠି ତାଙ୍କର ସଶକ୍ତିକରଣ ଏବଂ ସମାଜର ସମସ୍ତ କାର୍ଯ୍ୟକଳାପରେ ସହଭାଗୀତା ଏବଂ ସମାନତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ବିଭିନ୍ନ ପ୍ରକାରର କଟୁ ଅନୁଭବ ପରେ ବିଶ୍ୱରେ ପ୍ରଚଳିତ ବ୍ୟକ୍ତିବାଦୀ ତଥା ସ୍ତ୍ରୀବାଦୀ ଦୃଷ୍ଟିକୋଣ ମଧ୍ୟ ଏବେ ଏ ଦିଗକୁ ଆକର୍ଷିତ ହେଉଅଛି। ୨୦୧୭ରେ ବିଭିନ୍ନ ସଂଗଠନମାନଙ୍କରେ କାର୍ଯ୍ୟରତ ମହିଳାମାନେ ଭାରତର ମହିଳାଙ୍କ ଉପରେ ବ୍ୟାପକ ଏବଂ ସର୍ବାଙ୍ଗୀନ ସର୍ବେକ୍ଷଣ କରିଥିଲେ। ଏସମ୍ପର୍କରେ ଶାସନ ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଥିଲା। ଏହି ସର୍ବେକ୍ଷଣର ନିଷ୍କର୍ଷ ମଧ୍ୟ ମାତୃଶକ୍ତିର ପ୍ରବୋଧନ, ସଶକ୍ତିକରଣ ଓ ସେମାନଙ୍କ ସମାନ ସହଭାଗିତାର ଆବଶ୍ୟକତାକୁ ସୂଚିତ କରେ। ଏହିକାର୍ଯ୍ୟ ପରିବାରସ୍ତରରୁ ଆରମ୍ଭ ହୋଇ ବିଭିନ୍ନ ସଂଗଠନ ଯାଏଁ ସ୍ୱୀକାର ତଥା ପ୍ରଚଳନ କରିବାକୁ ହେବ। ତେବେ ଯାଇ ରାଷ୍ଟ୍ରୀୟ ନବଅଭ୍ୟୁଦୟରେ ମାତୃଶକ୍ତି ସଂପୂର୍ଣ୍ଣ ସମାଜର ସହଭାଗୀତା ନିମନ୍ତେ ନିଜ ଭୂମିକା ସଫଳତା ପୂର୍ବକ ତୁଲାଇ ପାରିବେ।

ଏହି ରାଷ୍ଟ୍ରୀୟ ନବଅଭ୍ୟୁଦୟର ପ୍ରକ୍ରିୟାକୁ ବର୍ତ୍ତମାନ ସାମାନ୍ୟ ବ୍ୟକ୍ତି ମଧ୍ୟ ଅନୁଭବ କରୁଅଛି। ଆମ ପ୍ରିୟ ଭାରତବର୍ଷର ଶକ୍ତି, ସାମର୍ଥ୍ୟ ଏବଂ ବିଶ୍ୱବ୍ୟାପୀ ପ୍ରତିଷ୍ଠାରେ ହେଉଥିବା କ୍ରମାଗତ ବୃଦ୍ଧିକୁ ନେଇ ଆମେ ସମସ୍ତେ ଖୁବ୍ ଆନନ୍ଦିତ। ସମସ୍ତ କ୍ଷେତ୍ରରେ ଆତ୍ମନିର୍ଭରତା ଆଡ଼କୁ ଅଗ୍ରସର ହେଉଥିବା ଶାସନର ନୀତି ଆମ ପାଇଁ ଅନୁକରଣୀୟ। ବିଶ୍ୱର ବିଭିନ୍ନ ରାଷ୍ଟ୍ର ମଧ୍ୟରେ ଭାରତର ମହତ୍ୱ ଏବଂ ବିଶ୍ୱସନୀୟତା ଅନେକ ଗୁଣରେ ବୃଦ୍ଧିପାଇଛି। ସୁରକ୍ଷା କ୍ଷେତ୍ରରେ ଆମେ ଅଧିକରୁ ଅଧିକ ସ୍ୱାବଲମ୍ବୀ ହୋଇ ଚାଲିଛନ୍ତି। କରୋନାର କବଳରୁ ମୁକ୍ତ ହୋଇ ଆମ ଅର୍ଥ ବ୍ୟବସ୍ଥା ସମୟର ଗତି ସହିତ ତାଳ ଦେଇ ବର୍ତ୍ତମାନ ପୂର୍ବ ସ୍ଥିତିକୁ ଫେରି ଆସୁଛି। ନୂଆଦିଲ୍ଲୀରେ ‘କର୍ତ୍ତବ୍ୟପଥ’ ଉଦ୍ଘାଟନ କଲାବେଳେ ଆଧୁନିକ ଭାରତର ଭବିଷ୍ୟତ ନିମନ୍ତେ ଆର୍ଥିକ, ବୈଷୟିକ ଜ୍ଞାନକୌଶଳ ତଥା ସାଂସ୍କୃତିକ ସଂରଚନାର ବର୍ଣ୍ଣନା ପ୍ରଧାନମନ୍ତ୍ରୀଙ୍କ ମୁଖରୁ ଆପଣମାନେ ଶୁଣିଛନ୍ତି। ଶାସନଦ୍ୱାରା ସ୍ପଷ୍ଟଭାବରେ ଘୋଷିତ ଏହି ଦିଗଦର୍ଶନ ଅଭିନନ୍ଦନ ଯୋଗ୍ୟ ଅଟେ। କିନ୍ତୁ ଏଥି ନିମନ୍ତେ ଆମ ସମସ୍ତଙ୍କୁ ସାଥୀ ହୋଇ ମନ, କର୍ମ, ବଚନ ଏକ କରି କାମ କରିବାକୁ ପଡ଼ିବ। ଆତ୍ମନିର୍ଭରତା ପଥରେ ଅଗ୍ରସର ହେବା ନିମନ୍ତେ ପ୍ରଥମ ସର୍ତ୍ତ ହେଉଛି ରାଷ୍ଟ୍ରର ଆତ୍ମ ସ୍ୱରୂପକୁ ଶାସନ, ପ୍ରଶାସନ ଏବଂ ସମାଜ ସ୍ପଷ୍ଟ ତଥା ସମାନ ଭାବରେ ବୁଝୁ। ନିଜ ନିଜ ସ୍ଥାନ ଏବଂ ପରିସ୍ଥିତି ଆଧାରରେ ସମୟ ଅନୁସାରେ ଏଥିରେ କିଛିଟା କୋହଳ ମନୋଭାବ ଧାରଣ କରାଯାଇପାରେ। ତେବେ ଯାଇ ପରସ୍ପର ମଧ୍ୟରେ ବୁଝାମଣା ଓ ବିଶ୍ୱାସ ଆଧାରରେ ଆଗକୁ ବଢ଼ି ପାରିବା। ବିଚାରର ସ୍ପଷ୍ଟତା, ସମଦୃଷ୍ଟି ଓ ଦୃଢ଼ତା ଏବଂ କୋହଳ ମନୋଭାବର ମର୍ଯ୍ୟାଦା ଆମକୁ ଭୁଲ ମାର୍ଗରେ ଯିବା ତଥା ବାଟବଣା ହେବାରୁ ରକ୍ଷା କରିପାରିବ। ସ୍ୱାର୍ଥ ଏବଂ ଭେଦଭାବରୁ ଉଦ୍ଧ୍ୱର୍କୁ ଉଠି ଶାସନ-ପ୍ରଶାସନ, ବିଭିନ୍ନ ନେତୃବୃନ୍ଦ ଏବଂ ସମାଜ ନିଜ ନିଜ କର୍ତବ୍ୟ ପଥରେ ଅଗ୍ରସର ହେଲେ ଯାଇ ରାଷ୍ଟ୍ର ପ୍ରଗତି ପଥରେ ଅଗ୍ରସର ହୋଇଥାଏ। ଶାସନ-ପ୍ରଶାସନ ତଥା ନେତୃବୃନ୍ଦ ନିଜ ନିଜ କର୍ତ୍ତବ୍ୟ ସଂପାଦନ କରିବେ। ସେହିଭଳି ସମାଜକୁ ମଧ୍ୟ ନିଜ କର୍ତ୍ତବ୍ୟ ବିଚାର ପୂର୍ବକ ସଂପାଦିତ କରିବାକୁ ହେବ।

ଏହି ନବଅଭ୍ୟୁଦୟ ପ୍ରକ୍ରିୟାରେ  ଆସୁଥିବା ବିଭିନ୍ନ ବାଧାବିଘ୍ନକୁ ପାର କରି କାମ କରିବାକୁ ହେବ। ପ୍ରଥମ ବାଧା ହେଉଛି ଗତାନୁଗତିକତା! ସମୟର ତାଳେ ତାଳେ ମନୁଷ୍ୟର ଜ୍ଞାନ ମଧ୍ୟ ଆଗକୁ ବଢ଼ିଥାଏ। କିଛି କଥା ବଦଳି ଥାଏ, କିଛି ବିଲୁପ୍ତ ହୁଏ, କିଛି ନୂଆ କଥା ଓ ପରିସ୍ଥିତି ମଧ୍ୟ ଜନ୍ମ ନେଇଥାଏ। ତେଣୁ ନୂତନ ସଂରଚନା ସୃଷ୍ଟି କଲାବେଳେ ଆମକୁ ପରମ୍ପରା ଓ ସମସାମୟିକତା ମଧ୍ୟରେ ସମନ୍ୱୟ ସ୍ଥାପନ କରିବାକୁ ହେବ। ଅପ୍ରାସଙ୍ଗିକ ପ୍ରଥା ତ୍ୟାଗକରି ନୂତନ ତଥା ଯୁଗ ଓ ଦେଶ ଅନୂକଳ ପରମ୍ପରା ତିଆରି କରିବାକୁ ହେବ। ଏପରି ନିରୂପଣ କଲା ବେଳେ ଆମକୁ ସାବଧାନ ରହିବାକୁ ହେବ ଯେ, ଏହି ପ୍ରକ୍ରିୟାରେ ଆମର ପରିଚୟ, ସଂସ୍କୃତି, ଦୃଷ୍ଟିକୋଣ ଆଦି ଶାଶ୍ୱତ ମୂଲ୍ୟବୋଧ ନଷ୍ଟ ନହେଉ ତଥା ଏଗୁଡ଼ିକ ପ୍ରତି ଆମର ଶ୍ରଦ୍ଧା ଏବଂ ଆଚରଣ ପୂର୍ବପରି ରହିଥାଉ।

ଦ୍ୱିତୀୟ ପ୍ରକାର ବାଧା ଭାରତର ଏକତା ଓ ଉନ୍ନତି ଚାହୁଁ ନଥିବା ଶକ୍ତିମାନେ ସୃଷ୍ଟି କରିଥାନ୍ତି। ମିଛ ଏବଂ ଅସତ୍ୟ କଥା ପ୍ରଚାର-ପ୍ରସାର କରି ଭ୍ରମ ଉତ୍ପନ୍ନ କରିବା, ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିବା ଅଥବା ତାକୁ ପ୍ରୋତ୍ସାହନ ଦେବା, ସମାଜରେ ଆତଙ୍କ ସୃଷ୍ଟି କରିବା ସହିତ କଳହ ଏବଂ ଅରାଜକତା ବଢ଼ାଇବା ଭଳି ଏମାନଙ୍କ କାର୍ଯ୍ୟ ଆମେ ଅନୁଭବ କରୁଛନ୍ତି। ସମାଜର ବିଭିନ୍ନ ବର୍ଗ ମଧ୍ୟରେ ସ୍ୱାର୍ଥ ଓ ଦ୍ୱେଷ ଆଧାରରେ ଶତୃତା ସୃଷ୍ଟି କଲାଭଳି ସେମାନଙ୍କ କାମ ସ୍ୱାଧୀନ ଭାରତରେ ଏବେ ମଧ୍ୟ ଜାରି ରହିଛି। ଭାଷା, ପନ୍ଥ, ପ୍ରାନ୍ତ ଏବଂ ନୀତି ଯାହା ହେଉନା କାହିଁକି ଏମାନଙ୍କ ପ୍ରଲୋଭନରେ ନପଡ଼ି ନିର୍ଭୟ ହୋଇ ଏହାର ମୁକାବିଲା କରିବାକୁ ହେବ। ଏମାନଙ୍କ ଉପରେ ପ୍ରଭାବଶାଳୀ ନିୟନ୍ତ୍ରଣ  ଏବଂ ମୂଳୋତ୍ପାଟନ ନିମନ୍ତେ ଶାସନ ଓ ପ୍ରଶାସନର ପ୍ରଚେଷ୍ଟାରେ ଆମେ ସହାୟକ ହେବା। ସମାଜର ସଫଳ ସହଯୋଗ ହିଁ ଦେଶର ସୁରକ୍ଷା ଓ ଏକାତ୍ମତାକୁ ସଂପୂର୍ଣ୍ଣ ଭାବରେ ସୁନିଶ୍ଚିତ କରିଥାଏ।

ଏହା ସର୍ବବିଦିତ ଅନୁଭବ ଯେ, ସମାଜର ସଶକ୍ତ ଭୂମିକା ବିନା କୌଣସି ଭଲ କାର୍ଯ୍ୟ ଅଥବା କୌଣସି ପରିବର୍ତନ ସ୍ଥାୟୀ ଏବଂ ଯଶସ୍ୱୀ ହୋଇ ନଥାଏ। କୌଣସି ଭଲ ବ୍ୟବସ୍ଥା ମଧ୍ୟ ଲୋକଙ୍କ ସକାରାତ୍ମକ ମନୋଭାବ ବିନା ଫଳବତୀ ହୋଇନଥାଏ।

ସମାଜରେ ଜାଗରଣ ଆସିବା ପରେ ବ୍ୟବସ୍ଥା ଏବଂ ଶାସନତନ୍ତ୍ର ମାଧ୍ୟମରେ ବିଶ୍ୱରେ ଆସିଥିବା ଅଥବା ଅଣାଯାଇଥିବା ସ୍ଥାୟୀ ଏବଂ ବଡ଼ ପରିବର୍ତନ ସମ୍ଭବ ହୋଇଥାଏ। ମାତୃଭାଷାରେ ଶିକ୍ଷାକୁ ପ୍ରୋତ୍ସାହନ ଦେବାଭଳି ନୀତି ଅତ୍ୟନ୍ତ ଆବଶ୍ୟକ ମନେହୁଏ। ନୂଆ ଶିକ୍ଷାନୀତି ଉପରେ ଶାସନ ଓ ପ୍ରଶାସନ ମଧ୍ୟ ପର୍ଯ୍ୟାପ୍ତ ଧ୍ୟାନ ଦେଉଛି। କିନ୍ତୁ ଅଭିଭାବକ ବର୍ଗ କ’ଣ ନିଜ ପିଲାଙ୍କୁ ମାତୃଭାଷାରେ ପାଠ ପଢ଼ାଇବାକୁ ଚାହାଁନ୍ତି? ଅଥବା ତଥାକଥିତ ଆର୍ଥିକ ଲାଭ ଏବଂ କ୍ୟାରିୟରର ମୃଗ ମରିଚୀକା ପଛରେ ଚାଲିଥିବା ଅନ୍ଧ ପ୍ରତିଯୋଗିତାରେ ନିଜ ପିଲାଙ୍କୁ ସାମିଲ କରିବାକୁ ଚାହିଁଥାନ୍ତି? ଶାସନ-ପ୍ରଶାସନଠାରୁ ମାତୃଭାଷାର ପ୍ରତିଷ୍ଠା ନିମନ୍ତେ ଆଶା ରଖୁଥିବାବେଳେ ଆମକୁ ଦେଖିବାକୁ ହେବ ଯେ ଆମେ ନିଜେ ମାତୃଭାଷାରେ ହସ୍ତାକ୍ଷର କରୁଛନ୍ତି କି ତ? ଆମ ଘରେ ଲାଗିଥିବା ନାମ ଫଳକ ମାତୃଭାଷାରେ ଲେଖା ହୋଇଛି ତ? ନିଜ ଘରର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପତ୍ର ମାତୃଭାଷାରେ ପଠାଯାଉଛି ତ?

ନୂତନ ଶିକ୍ଷାନୀତି କାରଣରୁ ବିଦ୍ୟାର୍ଥୀ ଭଲ ମଣିଷ ହେଉ, ତା ହୃଦୟରେ ଦେଶଭକ୍ତିର ଭାବନା ଜାଗ୍ରତ ହେଉ, ସେ ସୁସଂସ୍କୃତ ନାଗରିକଟିଏ ହେଉ ଏକଥା ସମସ୍ତେ ଚାହାଁନ୍ତି। ହେଲେ ସୁଶିକ୍ଷିତ, ସୁସମ୍ପନ୍ନ ଓ ପ୍ରବୁଦ୍ଧ ଅଭିଭାବକ ଶିକ୍ଷାର ଏହି ସମଗ୍ର ଉଦ୍ଦେଶ୍ୟକୁ ଧ୍ୟାନରେ ରଖି ନିଜ ପିଲାଙ୍କୁ ବିଦ୍ୟାଳୟ ଅଥବା ମହାବିଦ୍ୟାଳୟକୁ ପଠାଉଛନ୍ତି କି? ଶିକ୍ଷା କେବଳ ଶ୍ରେଣୀ ଗୃହରେ ମିଳି ନଥାଏ। ଘରେ ସଂସ୍କାରର ବାତାବରଣ ତିଆରି କରିବା ଦାୟିତ୍ୱ ହେଉଛି ଅଭିଭାବକଙ୍କର। ଏହାଛଡ଼ା ସମାଜରେ ଭଦ୍ର ବ୍ୟବହାର, ସାମାଜିକ ଅନୁଶାସନର ବାତାବରଣ ଠିକ୍ ରଖିବା ଦାୟିତ୍ୱ ଗଣମାଧ୍ୟମ ତଥା ଜନନେତାଙ୍କର। ପର୍ବ-ପର୍ବାଣୀ, ଉତ୍ସବ, ମେଳା-ମହୋତ୍ସବ ଆଦି ସାମାଜିକ ଆୟୋଜନର ମଧ୍ୟ ସମାନ ମହତ୍ୱ ରହିଛି। ଏ ଦିଗରେ ଆମେ କେତେ ଧ୍ୟାନ ଦେଉଛନ୍ତି? ଏହାକୁ ଛାଡ଼ି କେବଳ ବିଦ୍ୟାଳୟମାନଙ୍କରେ ଦିଆଯାଉଥିବା ଶିକ୍ଷା ପ୍ରଭାବଶାଳୀ ହୋଇ ନଥାଏ।

ବିଭିନ୍ନ ପ୍ରକାରର ଚିକିତ୍ସା ପଦ୍ଧତି ଗୁଡ଼ିକୁ ସମନ୍ୱିତ କରି ସ୍ୱାସ୍ଥ୍ୟଲାଭ ନିମନ୍ତେ ଶସ୍ତା, ଗୁଣାତ୍ମକ ମାନଯୁକ୍ତ, ସର୍ବତ୍ର ସୁଲଭ ତଥା ଲାଭଖୋର ମାନସିକତାରୁ ମୁକ୍ତ ସ୍ୱାସ୍ଥ୍ୟତନ୍ତ୍ର ଶାସନ ପ୍ରଶାସନ ଦ୍ୱାରା ବିକଶିତ ହେଉ ଏହା ସଂଘର ମଧ୍ୟ ପ୍ରସ୍ତାବ। ଶାସନର ପ୍ରେରଣା ଓ ସମର୍ଥନ ଦ୍ୱାରା ବ୍ୟକ୍ତିଗତ ଓ ସାମାଜିକ ସ୍ୱଚ୍ଛତା, ଯୋଗ ତଥା ବ୍ୟାୟାମର କାର୍ଯ୍ୟକ୍ରମ ଆଗେଇ ଚାଲିଛି। ସମାଜରେ ଏଭଳି କାର୍ଯ୍ୟକ୍ରମ ପ୍ରତି ସମର୍ଥନ ଓ ଆଗ୍ରହ ଦର୍ଶାଉଥିବା ଅନେକ ଲୋକ ଅଛନ୍ତି। କିନ୍ତୁ ଏଗୁଡ଼ିକର ଅଣଦେଖାକରି ପୁରୁଣା ଚିରାଚରିତ ମାର୍ଗରେ ଯଦି ସମାଜ ଚାଲେ ତାହାହେଲେ କେଉଁ ବ୍ୟବସ୍ଥା ଭଲା ସମସ୍ତଙ୍କ ସ୍ୱାସ୍ଥ୍ୟ ଠିକ୍ କରି ପାରିବ?

ସମ୍ବିଧାନ ଯୋଗୁଁ ରାଜନୈତିକ ତଥା ଆର୍ଥିକ ସମତାର ପଥ ପ୍ରଶସ୍ତ ହୋଇଛି କିନ୍ତୁ ସାମାଜିକ ସମତା ନଆସିବା ଯାଏ ବାସ୍ତବିକ ଏବଂ ସ୍ଥାୟୀ ପରିବର୍ତ୍ତନ ସମ୍ଭବ ନୁହେଁ। ଏଭଳି ଚେତାବନୀ ପୂଜ୍ୟ ଡ. ବାବାସାହେବ ଆମ୍ବେଦକର ଆମ ସମସ୍ତଙ୍କୁ ଦେଇଥିଲେ। ପରେ ଏହି କଥିତ ଉଦ୍ଦେଶ୍ୟକୁ ଧ୍ୟାନରେ ରଖି ଅନେକ ନିୟମ ଆଦି ତିଆରି କରାଗଲା। ହେଲେ ବିଷମତାର ମୂଳ, ମନ ଏବଂ ଆଚରଣରେ ରହିଛି। ବ୍ୟକ୍ତିଗତ ଏବଂ ପାରିବାରିକ ସ୍ତରରେ ମିତ୍ରତା, ଅନୌପଚାରିକ ଯିବା ଆସିବା ମାଧ୍ୟମରେ ସମ୍ବନ୍ଧ ସ୍ଥାପିତ ହୋଇ ନଥାଏ। ସାମାଜିକ ସ୍ତରରେ ମନ୍ଦିର, ଜଳାଶୟ, ଶ୍ମଶାନ ଆଦି ସମସ୍ତ ହିନ୍ଦୁଙ୍କ ପାଇଁ ଉପଲବ୍ଧ ନହେବା ଯାଏଁ ସମତାର କଥା କେବଳ ସ୍ୱପ୍ନ ହୋଇ ରହିଯିବ।

ଯେଉଁ ପରିବର୍ତ୍ତନ ଶାସନତନ୍ତ୍ର ଦ୍ୱାରା ଅଣାଯାଉଛି ତାକୁ ନେଇ ଆମେ ଆଶାକରୁଛୁ ଯେ, ଏହା ଆମ ଆଚରଣରେ ପରିଲକ୍ଷିତ ହେଲେ ପରିବର୍ତ୍ତନର ପ୍ରକ୍ରିୟାକୁ ଗତି ଓ ଶକ୍ତି ମିଳିପାରିବ ଏବଂ ଏହା ସ୍ଥାୟୀ ହେବ। ଏଭଳି ନହେଲେ ପରିବର୍ତ୍ତନର ପ୍ରକ୍ରିୟା ଅବରୁଦ୍ଧ ହୋଇପାରେ ଏବଂ ପରିବର୍ତ୍ତନର ସ୍ଥାୟିତ୍ୱ ଆଡ଼କୁ ବଢ଼ି ନପାରେ। ପରିବର୍ତ୍ତନ ନିମନ୍ତେ ସମାଜରେ ଏକ ବିଶିଷ୍ଟ ମାନସିକତା ନିର୍ମାଣ କରିବା ହେଉଛି ଅନିବାର୍ଯ୍ୟ ପୂର୍ବ ସର୍ତ୍ତ। ନିଜର ବିଚାର ପରମ୍ପରା ଉପରେ ଆଧାରିତ ଉପଭୋଗବାଦ ଏବଂ ଶୋଷଣମୁକ୍ତ ବିକାଶ ହାସଲ କରିବା ନିମନ୍ତେ ସମାଜ ତଥା ନିଜ ଜୀବନରୁ ଭୋଗ ଏବଂ ଶୋଷଣ ପ୍ରବୃତିର ମୂଳୋତ୍ପାଟନ କରିବାକୁ ହେବ।

ଭାରତ ଭଳି ବିଶାଳ ଜନସଂଖ୍ୟା ସମ୍ପନ୍ନ ଦେଶର ଆର୍ଥିକ ଏବଂ ବିକାଶନୀତି ରୋଜଗାରମୁଖୀ ହେଉ ଏହା ହେଉଛି ସ୍ୱାଭାବିକ ଅପେକ୍ଷା। କିନ୍ତୁ ରୋଜଗାର ଅର୍ଥ କେବଳ ସରକାରୀ ଚାକିରୀ ନୁହେଁ ଏକଥା ସମାଜକୁ ବୁଝିବାକୁ ହେବ। କୌଣସି କାର୍ଯ୍ୟ ଛୋଟ ଅଥବା ଗୌଣ ହୋଇ ନଥାଏ। ଶାରୀରିକ ପରିଶ୍ରମ, ପୁଂଜିନିବେଶ ଏବଂ ବୌଦ୍ଧିକ ପରିଶ୍ରମ ଆଦି ସମସ୍ତଙ୍କର ମହତ୍ୱ ସମାନ ଅଟେ। ଏହିପରି ମାନ୍ୟତା ଦେବା ସହିତ ଅନୁରୁପ ଆଚରଣ ଆମ ସମସ୍ତଙ୍କୁ କରିବାକୁ ହେବ। ଉଦ୍ୟମିତା ଆଡ଼କୁ ଅଗ୍ରସର ହେବା ନିମନ୍ତେ ପ୍ରୋତ୍ସାହନ ଦେବାକୁ ହେବ। ସରକାରଙ୍କଠାରୁ ଆଶା କରାଯାଏ ଯେ, ପ୍ରତ୍ୟେକ ଜିଲ୍ଲାରେ ରୋଜଗାର ପ୍ରଶିକ୍ଷଣକୁ ନେଇ ବିକେନ୍ଦ୍ରିତ ଯୋଜନା ତିଆରି କରାଯାଉ, ନିଜ ନିଜ ଜିଲ୍ଲାରେ ରୋଜଗାର ପ୍ରାପ୍ତ ହେବାଭଳି କାର୍ଯ୍ୟକ୍ରମ ଚଲାଯାଉ। ଗାଁମାନଙ୍କର ବିକାଶ କାର୍ଯ୍ୟକ୍ରମରେ ଶିକ୍ଷା, ସ୍ୱାସ୍ଥ୍ୟ, ଯାତାୟତ ଭଳି ସୁବିଧା ଦିଆଯାଉ। କିନ୍ତୁ କରୋନା କାଳରେ କାର୍ଯ୍ୟରତ ଅନେକ କାର୍ଯ୍ୟକର୍ତ୍ତ ଅନୁଭବ କରିଛନ୍ତି ଯେ ସମାଜର ସଂଗଠିତ ବଳ ଅନେକ କିଛି କରିପାରେ। ସ୍ୱଦେଶୀ ଜାଗରଣ ମଂଚ ସହିତ ମିଶି ଆର୍ଥିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂଗଠନ, ଲଘୁ ଉଦ୍ୟୋଗୀ, ସାଧନସମ୍ପନ୍ନ ବ୍ୟକ୍ତିବିଶେଷ, କଳାକୌଶଳର ଅଧିକାରୀ, ପ୍ରଶିକ୍ଷକ, ସ୍ଥାନୀୟ ସ୍ୱୟଂସେବକମାନେ ପାଖାପାଖି ୨୭୫ ଜିଲ୍ଲାରେ ଏହି ପ୍ରୟୋଗ ଆରମ୍ଭ କରିଛନ୍ତି। ଏହି ପ୍ରାରମ୍ଭିକ ପ୍ରୟାସ ରୋଜଗାର ସୃଷ୍ଟି କରିବାରେ ସହାୟକ ହୋଇ ପାରିଛି– ଏଭଳି ସୂଚନା ମିଳୁଛି।

ରାଷ୍ଟ୍ର ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ସମାଜର ସହଭାଗୀତାର ବିଚାର ଶାସନ ପ୍ରଶାସନକୁ ନିଜ ଦାୟିତ୍ୱରୁ ମୁକ୍ତ କରିବା ପାଇଁ ନୁହେଁ ବରଂ ରାଷ୍ଟ୍ରର ଉତ୍ଥାନରେ ସମାଜର ସହଭାଗୀତା ସ୍ୱୀକାର କରିବାର ଆବଶ୍ୟକତା ଏବଂ ଏଥିପାଇଁ ନୀତି ନିର୍ଦ୍ଧାରଣ କରିବା ଦିଗକୁ ଇଙ୍ଗିତ କରିଥାଏ। ଆମ ଦେଶର ଜନସଂଖ୍ୟା ବିଶାଳ, ଏହା ଏକ ବାସ୍ତବିକତା। ଜନସଂଖ୍ୟାର ବିଚାର ଆଜିକାଲି ଦୁଇ ପ୍ରକାର କରାଯାଏ। ଜନସଂଖ୍ୟା ନିମନ୍ତେ ସାଧନ, ସଂସାଧନ ଆବଶ୍ୟକ। ଯଦି ଏହା ନିରନ୍ତର ବଢ଼ିଚାଲେ, ତାହାହେଲେ ଅନେକ ପରିମାଣରେ ବୋଝ ବଢ଼ିଯିବ। ଏଥିପାଇଁ ଜନସଂଖ୍ୟା ନିୟନ୍ତ୍ରଣ କରିବା ବିଚାରଣୀୟ, ଏହା ଭାବି ଯୋଜନା ତିଆରି କରାଯାଏ। ବିଚାରର ଅନ୍ୟ ଏକ ବିନ୍ଦୁ ହେଲା ଜନସଂଖ୍ୟା ଏକ ନିଧି ବା ସଂପଦ। ଏହାର ଉଚିତ ପ୍ରଶିକ୍ଷଣ ଓ ଅଧିକତମ ଉପଯୋଗ କରାଯାଇ ପାରେ। ସଂପୂର୍ଣ୍ଣ ବିଶ୍ୱର ଜନସଂଖ୍ୟାକୁ ଦେଖିଲେ ଏ କଥା ବିଚାରକୁ ଆସେ ହେଲେ ଆମ ଦେଶକୁ ଦେଖିଲେ ଏ ବିଚାର ମଧ୍ୟ ବଦଳି ପାରେ। ଚୀନ ନିଜ ଜନସଂଖ୍ୟା ନିୟନ୍ତ୍ରିତ କରିବା ପାଇଁ ହୋଇଥିବା ନୀତିରେ ପରିବର୍ତ୍ତନ କରି ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧିକୁ ପ୍ରୋତ୍ସାହନ ଦେବା ଆରମ୍ଭ କରିଛି। ଆମ ଦେଶର ହିତ ମଧ୍ୟ ଜନସଂଖ୍ୟା ସମ୍ପର୍କୀୟ ବିଚାରକୁ ପ୍ରଭାବିତ କରିଥାଏ। ଆଜି ଆମେ ହେଉଛୁ ବିଶ୍ୱର ସବୁଠୁଁ ଯୁବା ଦେଶ। ଆଗାମୀ ୫୦ ବର୍ଷ ପରେ ଆଜିର ତରୁଣ ପ୍ରୌଢ଼ ହୋଇଯିବେ। ତେବେ ତାଙ୍କ ଦେଖାଶୁଣା କରିବା ନିମନ୍ତେ କେତେ ତରୁଣ ଆବଶ୍ୟକ ହେବେ ଏକଥା ମଧ୍ୟ ବିଚାର କରିବାକୁ ହେବ। ଦେଶର ଜନତା ନିଜର ପୁରୁଷାର୍ଥ ବଳରେ ଦେଶକୁ ବୈଭବଶାଳୀ କରିଥାଏ। ଏଥିସହ ସିଏ ନିଜ ଏବଂ ସମାଜର ଜୀବନ ଜୀବିକା ସୁରକ୍ଷିତ ମଧ୍ୟ କରିଥାଏ। ଜନତାଙ୍କ ଯୋଗକ୍ଷେମ ଏବଂ ରାଷ୍ଟ୍ରୀୟ ପରିଚୟ ଓ ସୁରକ୍ଷା ବ୍ୟତୀତ ଏ ବିଷୟ ଅନେକଗୁଡ଼ିଏ କଥା ବିଚାରକୁ ନେବାକୁ ହୋଇଥାଏ।

ସନ୍ତାନ-ସନ୍ତତିଙ୍କ ସଂଖ୍ୟା ବିଷୟଟି ମାତାମାନଙ୍କ ସ୍ୱାସ୍ଥ୍ୟ, ଆର୍ଥିକ କ୍ଷମତା, ଶିକ୍ଷା ଓ ଇଚ୍ଛା ସହ ଜଡ଼ିତ। ଏହା ପ୍ରତ୍ୟେକ ପରିବାରର ଆବଶ୍ୟକତା ସହିତ ମଧ୍ୟ ଜଡ଼ିତ। ଜନସଂଖ୍ୟା ପରିବେଶକୁ ମଧ୍ୟ ପ୍ରଭାବିତ କରିଥାଏ। ସାରାଂଶରେ ଏତିକି କୁହାଯାଇପାରେ ଯେ, ଜନସଂଖ୍ୟା ନୀତି ଏ ସମସ୍ତ କଥାର ସମଗ୍ର ଓ ଏକାତ୍ମବୋଧକୁ ନେଇ ତିଆରି ହେଉ। ସମସ୍ତଙ୍କ ପାଇଁ ସମାନ ଭାବରେ ଲାଗୁ ହେଉ ଏବଂ ଏହାକୁ ପୂର୍ଣ୍ଣରୂପେ ପାଳନ ନିମନ୍ତେ ମାନସିକତା ତିଆରି କରିବାକୁ ହେବ, ତେବେ ଯାଇ ଜନସଂଖ୍ୟା ନିୟନ୍ତ୍ରଣନୀତି ଫଳପ୍ରଦ ହେବ।

୨୦୦୦ ମସିହାରେ ଭାରତ ସରକାର ସମଗ୍ରତାକୁ ବିଚାର କରି ଏକ ଜନସଂଖ୍ୟା ନୀତି ନିର୍ଦ୍ଧାରଣ କରିଥିଲେ। ଏଥିରେ ଏକ ମହତ୍ୱପୂର୍ଣ୍ଣ ଲକ୍ଷ୍ୟ ଥିଲା ୨.୧ ପ୍ରଜନନ ହାର (ଟି.ଏଫ୍.ଆର.) ପ୍ରାପ୍ତ କରିବା। ବର୍ତ୍ତମାନ ୨୦୨୨ରେ ପ୍ରତି ପାଂଚ ବର୍ଷରେ ପ୍ରକାଶିତ ଏନ୍.ଏଫ୍.ଏଚ୍.ଏସ୍ ରିପୋର୍ଟ ଅନୁସାରେ ସମାଜର ଜନସଚେତନତା, ସକାରାତ୍ମକ ସହଭାଗୀତା ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମନ୍ୱିତ ପ୍ରଚେଷ୍ଟା ବଳରେ ଟି.ଏଫ୍.ଆର. ୨.୧ ଠାରୁ ମଧ୍ୟ କମ୍, ପାଖାପାଖି ୨.୦ରେ ରହିଛି। ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଜନସଚେତନତା ଓ ଲକ୍ଷ୍ୟ ହାସଲ ନିମନ୍ତେ ଆମେ ନିରନ୍ତର ଅଗ୍ରସର। ଏଠି ଆଉ ଦୁଇଟି ପ୍ରଶ୍ନ ବିଚାରକୁ ଆସେ। ସମାଜ ବିଜ୍ଞାନୀ ଓ ମନୋବିଜ୍ଞାନୀଙ୍କ ମତ ଅନୁସାରେ ଖୁବ୍ ଛୋଟ ପରିବାର ହେବା ଯୋଗୁଁ ବାଳକ-ବାଳିକାଙ୍କ ସ୍ୱାସ୍ଥ୍ୟର ସାମଗ୍ରିକ ବିକାଶ, ପରିବାର ମଧ୍ୟରେ ଅସୁରକ୍ଷାର ଭାବ, ସମାଜରେ ଉତ୍ତେଜନା, ଏକାକୀ ଜୀବନ ଭଳି ଅନେକ ଆହ୍ୱାନ ଆମ ସମ୍ମୁଖରେ ଦଣ୍ଡାୟମାନ। ଏହା ସମାଜର ସଂପୂର୍ଣ୍ଣ ବ୍ୟବସ୍ଥା ଏବଂ ପରିବାରକେନ୍ଦ୍ରିକ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନଚିହ୍ନ ସୃଷ୍ଟିକରେ। ଏହାର ଅନ୍ୟ ଏକ ମହତ୍ୱ ହେଲା ଜନସଂଖ୍ୟା ଜନିତ ଅସନ୍ତୁଳନ। ୭୫ ବର୍ଷ ପୂର୍ବେ ଆମେ ନିଜେ ଏହା ଅନୁଭବ କରିଛନ୍ତି ଏବଂ ଏକବିଂଶ ଶତାବ୍ଦୀରେ ଇଷ୍ଟ ତିମୋର, ଦକ୍ଷିଣ ସୁଦାନ ଓ କୋସୋବା ଭଳି ପୃଥିବୀରେ ଯେଉଁ ତିନୋଟି ନୂଆ ଦେଶ ଅସ୍ତିତ୍ୱକୁ ଆସିଛି ତାହା ଇଣ୍ଡୋନେସିୟା, ସୁଦାନ ଓ ସବିଆର ଏକ ଭୂଭାଗରେ ଜନସଂଖ୍ୟା ସନ୍ତୁଳନ ବିଗିଡ଼ି ଯିବାର ପରିଣାମ। ଯେବେ ଯେବେ କୌଣସି ଦେଶରେ ଜନସଂଖ୍ୟା ଜନିତ ଅସନ୍ତୁଳନ ହୁଏ ତେବେ ସେ ଦେଶର ଭୌଗୋଳିକ ସୀମା ମଧ୍ୟ ପରିବର୍ତ୍ତିତ ହୋଇଥାଏ। ଜନ୍ମହାର ଅସମାନତା ସହିତ ଲୋଭ, ବଳପୂର୍ବକ ଧର୍ମାନ୍ତରୀକରଣ, ଅନୁପ୍ରବେଶ ମଧ୍ୟ ଏହାର ବଡ଼ କାରଣ। ଏଥିପାଇଁ ସମସ୍ତଙ୍କୁ ବିଚାର କରିବାକୁ ହେବ। ଜନସଂଖ୍ୟା ନିୟନ୍ତ୍ରଣ ସହିତ ପନ୍ଥ ଆଧାରିତ ଜନସଂଖ୍ୟା ସନ୍ତୁଳନ ମଧ୍ୟ ମହତ୍ୱର ବିଷୟ ଅଟେ। ଏହାକୁ ଅଣଦେଖା କରି ହେବନାହିଁ।

ଗଣତନ୍ତ୍ରରେ ଜନତାଙ୍କ ମନୋଯୋଗ ପୂର୍ବକ ସହଯୋଗର ମହତ୍ୱ ସର୍ବବିଦିତ। ଏଥିଯୋଗୁଁ ନିୟମ ତିଆରି କରିବା, ଏହାକୁ ସ୍ୱୀକାର କରିବା ଦ୍ୱାରା ଅପେକ୍ଷିତ ପରିଣାମ ପ୍ରାପ୍ତ କରିବା ସମ୍ଭବ ହୋଇଥାଏ। ଯେଉଁ ନିୟମ ଦ୍ୱାରା ତ୍ୱରିତ ଲାଭ ମିଳେ ଅଥବା କାଳାନ୍ତରରେ କୌଣସି ଲାଭ କିମ୍ବା ସ୍ୱାର୍ଥ ସିଦ୍ଧି ଦୃଷ୍ଟିଗୋଚର ହୁଏ ତାହା ବୁଝେଇବାକୁ ପଡ଼ିନଥାଏ। କିନ୍ତୁ ଯଦି ଦେଶ ହିତରେ ନିଜ ସ୍ୱାର୍ଥକୁ ଛାଡ଼ିବାକୁ ହୁଏ ତେବେ ଏହି ତ୍ୟାଗ ପାଇଁ ସମାଜ ‘ସ୍ୱ’ଭାବନା ନେଇ ସର୍ବଦା ପ୍ରସ୍ତୁତ ହେଉ ଏହି ଭାବ ଜାଗୃତ କରିବାର ଆବଶ୍ୟକତା ରହିଛି।

ଏହି ‘ସ୍ୱ’ ଆମ ସମସ୍ତଙ୍କୁ ଯୋଡ଼ି ରଖେ। କାରଣ ଏହା ଆମ ପୂର୍ବଜମାନେ ପ୍ରାପ୍ତ କରିଥିବା ସତ୍ୟର ପ୍ରତ୍ୟକ୍ଷ ଅନୁଭୂତି ସହିତ ଜଡ଼ିତ। ‘ସର୍ବଂ ୟଦ୍ଭୂତଂ ୟଚ୍ଚ ଭବ୍ୟମ୍ ’ଏହି ଏକମାତ୍ର ଶାଶ୍ୱତ ଅବ୍ୟୟ ମୂଳକ ଅଭିବ୍ୟକ୍ତି। ଏଥିପାଇଁ ନିଜର ବିଶିଷ୍ଟତା ଉପରେ ଶ୍ରଦ୍ଧାପୂର୍ବକ ଦୃଢ଼ ଥାଇ ସମସ୍ତଙ୍କ ବିବିଧତା, ବିଶିଷ୍ଟତାର ସମ୍ମାନ, ଏହାକୁ ସ୍ୱୀକାର କରିବା ଉଚିତ। ଏହି ଶିକ୍ଷା ଦେଉଥିବା ଦେଶ କେବଳ ଭାରତ। ସମସ୍ତେ ଏକ, ଏଥିପାଇଁ ସମସ୍ତଙ୍କୁ ମିଳିମିଶି ଚାଲିବାକୁ ହେବ। ମାନ୍ୟତାଗୁଡ଼ିକର ବିବିଧତା ଆମକୁ ଅଲଗା କରେନାହିଁ। ସତ୍ୟ, କରୁଣା, ଅନ୍ତର୍ବାହ୍ୟ ଶୂଚିତାର ବିବିଧତା ସମସ୍ତଙ୍କୁ ସାଥିରେ ନେଇ ଚାଲିଥାଏ। ସବୁ ବିବିଧତାକୁ ସୁରକ୍ଷିତ ଏବଂ ବିକାଶମାନ ରଖି ସମସ୍ତଙ୍କୁ ଯୋଡ଼ିଥାଏ। ଏହାକୁ ଆମେ ‘ଧର୍ମ’ ବୋଲି କହୁ। ଏହି ଚାରୋଟି ତତ୍ତ୍ୱକୁ ଆଧାର କରି ସଂପୂର୍ଣ୍ଣ ବିଶ୍ୱ ଜୀବନରେ ସମନ୍ୱୟ, ସମ୍ବାଦ, ସୌହାର୍ଦ୍ଦ୍ୟ ଏବଂ ଶାନ୍ତିପୂର୍ବକ ଜୀବନଯାପନର ସଂସ୍କାରସମ୍ପନ୍ନ ସଂସ୍କୃତି ଆମ ସମସ୍ତଙ୍କୁ ଯୋଡ଼ି ରଖିଛି। ବିଶ୍ୱକୁ କୁଟୁମ୍ବ ଭଳି ଯୋଡ଼ିବାର ପ୍ରେରଣା ଦେଉଛି। ପ୍ରକୃତିକୁ ନେଇ ଆମେ ସମସ୍ତେ ବଂଚିଛନ୍ତି। ‘ଜୀବନେ ୟାବଦାଦାନଂ ସ୍ୟାତ୍ ପ୍ରଦାନଂ ତତୋଽଧିକଂ’ ଭାବନା ଆମେ ଏଥିରୁ  ପ୍ରାପ୍ତ କରିଛୁ।

ଆମ ରାଷ୍ଟ୍ରୀୟ ଜୀବନର ଏହି ସନାତନ ପ୍ରବାହ ପ୍ରାଚୀନ କାଳରୁ ଏହି ଉଦ୍ଦେଶ୍ୟକୁ ନେଇ ସେହି ରୀତିନୀତିରେ ଚାଲି ଆସିଛି। ସମୟ ଓ ପରିସ୍ଥିତି ଅନୁସାରେ ଏହାର ରୂପ, ପଥ ଓ ଶୈଳୀ ବଦଳିଛି ସତ କିନ୍ତୁ ମୂଳ ବିଚାର, ଉଦ୍ଦେଶ୍ୟ ଏବଂ ଗନ୍ତବ୍ୟ ସ୍ଥଳ ନିରନ୍ତର ଭାବେ ତାହା ହିଁ ରହିଛି। ଏହି ପଥରେ ଏହି ନିରନ୍ତର ଗତି ଆମର ଅଗଣିତ ବୀରମାନଙ୍କର ଶୌର୍ଯ୍ୟ ଏବଂ ସମର୍ପଣ, ଅସଂଖ୍ୟ କର୍ମଯୋଗୀଙ୍କର ଅଥକ ପରିଶ୍ରମ ତଥା ଜ୍ଞାନୀମାନଙ୍କର କଠିନ ତପସ୍ୟା ଦ୍ୱାରା ପ୍ରାପ୍ତ ହୋଇଛି। ସେମାନଙ୍କୁ ଆମେ ନିଜ ଜୀବନରେ ଅନୁକରଣୀୟ ଆଦର୍ଶର ସ୍ଥାନ ଦେଉ। ସେମାନେ ସମସ୍ତେ ଆମ ପାଇଁ ଗର୍ବ ଓ ଗୌରବ। ସେମାନେ ଆମକୁ ପୂର୍ବପୁରୁଷଙ୍କ ସହିତ ଯୋଡ଼ି ରଖିବାର ଆଉ ଏକ ଆଧାର।

ସେ ସମସ୍ତେ ଆମ ପବିତ୍ର ମାତୃଭୂମି ଭାରତବର୍ଷର ଗୁଣଗାନ କରିଛନ୍ତି। ପ୍ରାଚୀନ କାଳରୁ ସମସ୍ତ ପ୍ରକାର ବିବିଧତାକୁ ସମ୍ମାନର ସହିତ ସ୍ୱୀକାର କରି ସାଥିହୋଇ ଚାଲିବା ଆମର ସ୍ୱଭାବରେ ପରିଣତ ହୋଇଛି। ଭୌତିକ ସୁଖ ଉପରେ ଆଶ୍ରିତ ନହୋଇ ନିଜ ଅନ୍ତରର ଗଭୀରତାରେ ଆମେ ନିଜ ଅସ୍ତିତ୍ୱର ସତ୍ୟକୁ ପ୍ରାପ୍ତ କରିଛନ୍ତି। ସମଗ୍ର ବିଶ୍ୱକୁ ନିଜ ପରିବାର ମାନି ସର୍ବତ୍ର ଜ୍ଞାନ, ବିଜ୍ଞାନ, ସଂସ୍କୃତି ଓ ଭଦ୍ରତାର ପ୍ରସାର କରିଛନ୍ତି। ଏହାର କାରଣ ହେଉଛି ଆମ ମାତୃଭୂମି ଭାରତ। ପ୍ରାଚୀନ କାଳରେ ସୁଜଳ ସୁଫଳ ମଳୟଜ ଶୀତଳ ଏହି ଭାରତ ମାତା ପ୍ରାକୃତିକ ଭାବେ ସର୍ବଦା ସୁରକ୍ଷିତ ନିଜ ଚତୁର୍ସୀମା ମଧ୍ୟରେ ଯେଉଁ ସୁରକ୍ଷା ଓ ନିଶ୍ଚିନ୍ତତାର ଭାବ ଆମକୁ ଦେଇଛି ଏହା ହେଉଛି ତାହାରି ଫଳ। ସେହି ଅଖଣ୍ଡ ମାତୃଭୂମିର ଅନନ୍ୟ ଭକ୍ତି ଆମ ରାଷ୍ଟ୍ରୀୟତାର ମୁଖ୍ୟ ଆଧାର।

ପ୍ରାଚୀନ କାଳରୁ ଭୂଗୋଳ, ଭାଷା, ପନ୍ଥ, ଚାଲିଚଳନ, ସାମାଜିକ ତଥା ରାଜନୈତିକ ବ୍ୟବସ୍ଥାର ବିବିଧତା ସତ୍ତ୍ୱେ ସମାଜ ଭାବରେ, ଏକ ସଂସ୍କୃତି ଭାବରେ, ଏକ ରାଷ୍ଟ୍ର ଭାବରେ ଆମ ଜୀବନ ପ୍ରବାହ ଅକ୍ଷୁଣ୍ଣ ରହିଛି। ଏଥିରେ ସମସ୍ତ ବିବିଧତାର ସ୍ୱୀକାର, ସମ୍ମାନ, ସୁରକ୍ଷା ଓ ବିକାଶର ଭାବ ନିହିତ। କାହାରିକୁ ନିଜର ସଂକୁଚିତ ମନୋଭାବ, କଟ୍ଟରତା, ଆକ୍ରାମକତା ଏବଂ ଅହଂକାର ଛଡ଼ା ଅନ୍ୟକିଛି ଛାଡ଼ିବା ଦରକାର ନାହିଁ। ସତ୍ୟ, କରୁଣା, ଅନ୍ତର୍ବାହ୍ୟ ଶୂଚିତା ଏହି ତିନୋଟିର ସାଧାନା ବ୍ୟତିତ ଅନ୍ୟ କିଛି ଅନିର୍ବାଯ୍ୟ ନୁହେଁ। ଭାରତ ଭକ୍ତି ଆମର ସମାନ ପୂର୍ବପୁରୁଷଙ୍କ ଆଦର୍ଶ ଓ ଭାରତର ସନାତନ ସଂସ୍କୃତି ଏହି ତିନୋଟି ଦୀପସ୍ତମ୍ଭ ଦ୍ୱାରା ପ୍ରକାଶିତ ପ୍ରଶସ୍ତ ପଥରେ ମିଳିମିଶି ପ୍ରେମପୂର୍ବକ ଆଗେଇ ଚାଲିବା ହିଁ ଆମର ‘ସ୍ୱ’, ଆମର ରାଷ୍ଟ୍ରଧର୍ମ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମାଜ ପାଇଁ ଏହି ଆହ୍ୱାନ ଆରମ୍ଭରୁ ଦେଇ ଆସିଛି। ଆଜିର ଅନୁଭବ କହେ ଯେ, ଏହି ଆହ୍ୱାନକୁ ଶୁଣିବା ବୁଝିବା ପାଇଁ ସମସ୍ତେ ପ୍ରସ୍ତୁତ। ଅଜ୍ଞାନ, ଅସତ୍ୟ, ଦ୍ୱେଷ, ଭୟ ଅଥବା ସ୍ୱାର୍ଥ କାରଣରୁ ସଂଘ ବିରୋଧରେ ଯେଉଁ ଅପପ୍ରଚାର ଚାଲିଛି ତାର ପ୍ରଭାବ ଏବେ କମ୍ ହେବାରେ ଲାଗିଛି। ସମାଜ ସଂପର୍କ କାରଣରୁ ସଂଘର ବ୍ୟାପ୍ତି ଅର୍ଥାତ ସଂଘର ଶକ୍ତିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ସତ୍ୟକୁ ବିଶ୍ୱ ସ୍ୱୀକାର କରୁ ଏଥି ନିମନ୍ତେ ସତ୍ୟକୁ ମଧ୍ୟ ଶକ୍ତିଶାଳୀ ହେବାକୁ ପଡ଼ିଥାଏ। ଏହା ଜୀବନର ବିଚିତ୍ର ବାସ୍ତବତା। ସଂସାରରେ ଦୁଷ୍ଟଶକ୍ତି ରହିଛନ୍ତି, ତାଙ୍କଠାରୁ ବଂଚିବା ଏବଂ ଅନ୍ୟକୁ ବଂଚାଇବା ପାଇଁ ସଜ୍ଜନଙ୍କ ସଂଗଠିତ ଶକ୍ତି ଆବଶ୍ୟକ। ସଂଘ ଉପରୋକ୍ତ ରାଷ୍ଟ୍ରୀୟ ବିଚାରର ପ୍ରଚାର ପ୍ରସାର କରିବା ସହିତ ସଂପୂର୍ଣ୍ଣ ସମାଜକୁ ଏକ ସଂଗଠିତ ଶକ୍ତି ରୂପେ ଛିଡ଼ା କରିବା ପାଇଁ କାର୍ଯ୍ୟ କରି ଆସୁଛି, ଏହା ହେଉଛି ହିନ୍ଦୁ ସମାଜର ସଂଗଠନ କାର୍ଯ୍ୟ। କାରଣ ଉପରୋକ୍ତ ରାଷ୍ଟ୍ର ବିଚାରକୁ ହିଁ ହିନ୍ଦୁ ରାଷ୍ଟ୍ର ବିଚାର କୁହାଯାଏ ଆଉ ଏହା ମଧ୍ୟ ସତ୍ୟ। ତେଣୁ ସଂଘ ଉପରୋକ୍ତ ରାଷ୍ଟ୍ର ବିଚାରକୁ ମାନୁଥିବା ସମସ୍ତଙ୍କୁ ଅର୍ଥାତ ହିନ୍ଦୁ ସମାଜର ସଂଗଠନ, ହିନ୍ଦୁ ଧର୍ମ, ସଂସ୍କୃତି ଏବଂ ସମାଜକୁ ସଂରକ୍ଷିତ କରିବା ସହିତ ହିନ୍ଦୁ ରାଷ୍ଟ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ  ‘ସର୍ବେଷାଂ ଅବିରୋଧେନ..’ କାମ କରୁଛି।

ଏବେ ସଂଘକୁ ସମାଜର ଯେଉଁ ସ୍ନେହ ଏବଂ ବିଶ୍ୱାସ ମିଳିଛି ତାହା ଏକ ଶକ୍ତି। ତେଣୁ ହିନ୍ଦୁ ରାଷ୍ଟ୍ର ବିଷୟକୁ ଲୋକେ ଗମ୍ଭୀର ଭାବେ ବିଚାର କରୁଛନ୍ତି। ଏହି ଭାବନା ମନରେ ରଖିଥିବା କିନ୍ତୁ ହିନ୍ଦୁ ଶବ୍ଦର ବିରୋଧ କରି ଅନ୍ୟ ଶବ୍ଦ ପ୍ରୟୋଗ କରୁଥିବା ଲୋକ ମଧ୍ୟ ଅଛନ୍ତି। ଆମେ ତାଙ୍କୁ ବିରୋଧ କରୁନାହୁଁ।  ନିଜ ବିଚାରଧାରାର ସ୍ପଷ୍ଟତା ନିମନ୍ତେ ଆମେ ସର୍ବଦା ହିନ୍ଦୁ ଶବ୍ଦ ପ୍ରତି ଆଗ୍ରହ ରଖୁଥିବୁ।

ତଥାକଥିତ ଅଳ୍ପସଂଖ୍ୟକଙ୍କ ମଧ୍ୟରେ ଅକାରଣରେ ଏକ ଭୟର ବାତାବରଣ ସୃଷ୍ଟି କରାଯାଇଛି ଯେ, ଆମଠାରୁ ଅଥବା ସଂଗଠିତ ହିନ୍ଦୁଙ୍କଠାରୁ ସେମାନଙ୍କୁ ବିପଦ ରହିଛି। କିନ୍ତୁ ଏଭଳି ନା କେବେ ହୋଇଛି ନା କେବେ ହେବ। ହିନ୍ଦୁ କିମ୍ବା ସଂଘର ସ୍ୱଭାବ ଏପରି ନୁହଁ, ଏହା ଇତିହାସ କହେ। ଅନ୍ୟାୟ, ଅତ୍ୟାଚାର, ଦ୍ୱେଷ ଭାବନା ନେଇ ଗୁଣ୍ଡାଗିରି କରୁଥିବା ଲୋକେ ଯଦି ସମାଜର ଶତ୍ରୁ ସାଜନ୍ତି ତେବେ ଆତ୍ମରକ୍ଷା କିମ୍ବା ପ୍ରତିରକ୍ଷା ସମସ୍ତଙ୍କର କର୍ତ୍ତବ୍ୟ। (କାହା ପାଇଁ ଭୟର କାରଣ ସାଜେ ନାହିଁ କି କାହାଠାରୁ ଭୟ ପାଏ ନାହିଁ) ଏଭଳି ହିନ୍ଦୁ ସମାଜ ଛିଡ଼ା ହେଉ ଏହା ହିଁ ସମୟର ଆହ୍ୱାନ। ଏହା କାହାରି ବିରୋଧି ନୁହେଁ। ସଂଘ ସଂପୂର୍ଣ୍ଣ ଦୃଢ଼ତାର ସହିତ ଭ୍ରାତୃଭାବ, ଭଦ୍ରତା ଏବଂ ଶାନ୍ତି ପକ୍ଷରେ ଛିଡ଼ା ହୋଇଛି।

ଏଭଳି ଚିନ୍ତା ମନରେ ରଖି ତଥାକଥିତ ଅଳ୍ପସଂଖ୍ୟକମାନଙ୍କ ମଧ୍ୟରେ କିଛି ସଜ୍ଜନ ବିଗତ ବର୍ଷମାନଙ୍କରେ ଆମ ସହିତ ସାକ୍ଷାତ କରିଆସୁଛନ୍ତି। ସେମାନଙ୍କ ସହ ସଂଘର କିଛି ଅଧିକାରୀ ସଂପର୍କ ସ୍ଥାପିତ କରିଛନ୍ତି ଏବଂ ଆଗକୁ ମଧ୍ୟ କରିବେ। ଭାରତ ଏକ ପ୍ରାଚୀନ ରାଷ୍ଟ୍ର, ଏକ ରାଷ୍ଟ୍ର। ଏହାର ସେହି ପରିଚୟ ଏବଂ ପରମ୍ପରାର ଧାରାକୁ ତନ୍ମୟତା ପୂର୍ବକ ନିଜ ନିଜ ବିଶିଷ୍ଟତାରେ ଦୃଢ଼ ରହି ଆମେ ସମସ୍ତେ ପ୍ରେମ, ସମ୍ମାନ ଓ ଶାନ୍ତି ସହିତ ମିଳିମିଶି ରାଷ୍ଟ୍ରର ନିସ୍ୱାର୍ଥ ସେବା କରିଚାଲିବା। ଜଣେ ଅନ୍ୟର ସୁଖ ଦୁଃଖର ସାଥି ହେଉ, ଭାରତକୁ ଜାଣୁ, ଭାରତକୁ ମାନୁ, ଭାରତର ହେଉ ଏହି ଏକାତ୍ମ, ସମରସ ରାଷ୍ଟ୍ରର କଳ୍ପନା ସଂଘ କରିଥାଏ। ଏହାଛଡ଼ା ସଂଘର ଆଉ କୌଣସି ସ୍ୱାର୍ଥ କିମ୍ବା ଉଦ୍ଦେଶ୍ୟ ନାହିଁ।

ବିଗତ ଦିନରେ ଉଦୟପୁରରେ ଏକ ଅତ୍ୟନ୍ତ ଜଘନ୍ୟ ଏବଂ ଲୋମହର୍ଷକ ଘଟଣା ଘଟିଥିଲା। ସମଗ୍ର ସମାଜ ସ୍ତବ୍ଧ ହୋଇଗଲା। ଅଧିକାଂଶ ଲୋକ ଦୁଃଖିତ ଓ ଆକ୍ରୋଶର ବଶବର୍ତ୍ତୀ ହୋଇ ପଡ଼ିଥିଲେ। ଏଭଳି ଘଟଣାର ପୁନରାବୃତ୍ତି ନହେଉ ଏହା ସୁନିଶ୍ଚିତ କରିବାକୁ ହେବ। ଏଭଳି ଘଟଣାର ମୂଳରେ ସଂପୂର୍ଣ୍ଣ ସମାଜର ସଂପୃକ୍ତି ନଥାଏ। ଉଦୟପୁର ଘଟଣା ପରେ ମୁସଲମାନ ସମାଜର କିଛି ପ୍ରମୁଖ ବ୍ୟକ୍ତି ବିଶେଷ ଏହାକୁ ବିରୋଧ କରିଥିଲେ। ଏ ବିରୋଧ ଏକ ଅପବାଦ ହୋଇ ରହି ନଯାଉ। ବରଂ ଅଧିକାଂଶ ମୁସଲମାନ ସମାଜର ଏହା ସ୍ୱଭାବ ହେଉ। ଏଭଳି ଘଟଣାରେ ହିନ୍ଦୁ ସମାଜର ଏକ ବଡ଼ ବର୍ଗ ମୁଖର ହୋଇ ଏହାର ବିରୋଧ କରିଥାଏ।

ବିରୋଧ ପ୍ରଦର୍ଶନର ଯେକୌଣସି ଘଟଣା ହେଉ ସମସ୍ତଙ୍କୁ ଆଇନ୍ କାନୁନ୍ ଓ ସମ୍ବିଧାନର ମର୍ଯ୍ୟାଦାରେ ରହି ବିରୋଧ ପ୍ରଦର୍ଶନ କରିବା ଉଚିତ। ସମାଜ ଯୋଡ଼ି ହୋଇ ରହୁ, ଭାଙ୍ଗି ନଯାଉ, ଝଗଡ଼ା ନକରୁ। ମନ, ବଚନ, କର୍ମରେ ଏହି ଭାବନା ନେଇ ସମାଜର ସମସ୍ତ ସଜ୍ଜନଙ୍କୁ ମୁଖର ହେବାକୁ ପଡ଼ିବ। ଆମେ ଭିନ୍ନ ଓ ବିଶିଷ୍ଟ, ତେଣୁ ଆମେ ଅଲଗା, ଆମକୁ ଅଲଗା ସ୍ଥାନ ଦରକାର; ଏହି ଦେଶ ସହିତ, ଏହାର ମୂଳ ଭାବନା, ମୁଖ୍ୟ ବିଚାରଧାରା ଓ ପରିଚୟ ସହିତ ଆମେ ରହି ପାରିବୁ ନାହିଁ। ଏହି ଅସତ୍ୟ କାରଣରୁ ‘ଭାଇ ଟୁଟେ ଧରତୀ ଖୋୟି ମିଟେ ଧର୍ମସଂସ୍ଥାନ’। ଏହି ବିଭାଜନର ବିଷ ଭାବନା ନେଇ କେହି ହେଲେ ସୁଖୀ ହୋଇ ରହିନାହିଁ। ଆମେ ଭାରତର, ଭାରତୀୟ ପୂର୍ବପୁରୁଷଙ୍କର, ଭାରତର ସନାତନ ସଂସ୍କୃତିର, ସମାଜ ଓ ରାଷ୍ଟ୍ରୀୟତାର ଆଧାରରେ ଏକ–ଏହା ହିଁ ଆମର ତାରକ ମନ୍ତ୍ର।

ସ୍ୱାଧୀନତାର ୭୫ ବର୍ଷ ପୂର୍ଣ୍ଣ ହେବାକୁ ଯାଉଛି। ଆମ ରାଷ୍ଟ୍ରୀୟ ନବଉତ୍ଥାନର ପ୍ରାରମ୍ଭକାଳରେ ସ୍ୱାମୀ ବିବେକାନନ୍ଦ ଆମକୁ ଆହ୍ୱାନ ଦେଇଥିଲେ ଯେ, ଆମେ ଭାରତ ମାତାକୁ ଆରାଧ୍ୟ ମାନି କର୍ମରତ ହେବା। ୧୫ ଅଗଷ୍ଟ ୧୯୪୭ ସ୍ୱାଧୀନତା ଦିବସ ଉପଲକ୍ଷେ ମହର୍ଷି ଅରବିନ୍ଦ ଭାରତବାସୀଙ୍କୁ ଏହି ବାର୍ତ୍ତା ଦେଇଥିଲେ। ସେଥିରେ ତାଙ୍କର ପାଂଚଟି ସ୍ୱପ୍ନର ଉଲ୍ଲେଖ ରହିଛି। ପ୍ରଥମେ ଥିଲା ଭାରତର ସ୍ୱାଧୀନତା ଓ ଏକାତ୍ମତା। ସାମ୍ବିଧାନିକ ରୀତି ଅନୁସାରେ ରାଜ୍ୟଗୁଡ଼ିକୁ ବିଲୟକରି ଏକ ସଂଘୀୟ ଭାରତ ଗଠନ ହେବାରେ ସିଏ ପ୍ରସନ୍ନତା ବ୍ୟକ୍ତ କରିଛନ୍ତି। କିନ୍ତୁ ବିଭାଜନ କାରଣରୁ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଏକତା ବଦଳରେ ଗୋଟିଏ ରାଜନୈତିକ ଫାଟ ସୃଷ୍ଟି ହୋଇଛି। ଯାହା ଭାରତର ଏକାତ୍ମତା, ଉନ୍ନତି ଓ ଶାନ୍ତି ମାର୍ଗରେ ବାଧା ସୃଷ୍ଟି କରିପାରେ। ଏହା ତାଙ୍କର ମଧ୍ୟ ଚିନ୍ତା ଥିଲା। ଯାହା ହେଉନା କାହିଁକି ବିଭାଜନ ନିରସ୍ତ ହୋଇ ଭାରତ ଅଖଣ୍ଡ ହେଉ ଏଭଳି ଉତ୍କଟ ଇଚ୍ଛା ସେ ବ୍ୟକ୍ତ କରିଥିଲେ। କାରଣ ତାଙ୍କର ସମସ୍ତ ଆଗାମୀ ସ୍ୱପ୍ନ ଥିଲା ଯେ ଏସିଆର ଦେଶଗୁଡ଼ିକରେ ମୁକ୍ତିର ବାର୍ତ୍ତା, ବିଶ୍ୱରେ ଏକତା, ଭାରତର ଆଧ୍ୟାତ୍ମିକତାର ବିଶ୍ୱବ୍ୟାପୀ ଅଭିମନ୍ତ୍ରଣ ଏବଂ ମାନବର ଅତିମାନସ ଜଗତରେ ଅବତରଣ ସାକାର କରିବା ନିମନ୍ତେ ଭାରତ ହିଁ ମୁଖ୍ୟ ଭୂମିକା ନେବ ଏହା ସେ ଜାଣିଥିଲେ। ତେଣୁ କର୍ତ୍ତବ୍ୟ ନିମନ୍ତେ ତାଙ୍କ ବାର୍ତ୍ତା ଖୁବ୍ ସ୍ପଷ୍ଟ।

ରାଷ୍ଟ୍ର ଇତିହାସରେ ଏପରି ସମୟ ଆସିଥାଏ ଯେତେବେଳେ ନିୟତି ତା ସମ୍ମୁଖରେ ଏପରି ଏକ କାର୍ଯ୍ୟ, ଏକ ଲକ୍ଷ୍ୟ ରଖି ଦେଇଥାଏ, ଯାହା ଉପରେ ଅନ୍ୟ ସବୁ, ତାହା ଯେତେ ଉନ୍ନତ ଅଥବା ଉଦ୍ଦାତ ହେଉ ନା କାହିଁକି, ତାହା ତ୍ୟାଗ କରିବାକୁ ପଡ଼ିଥାଏ। ଆମର ମାତୃଭୂମି ପାଇଁ ଏବେ ଏହିପରି ସମୟ ଆସିଛି ଯେ ତାର ସେବା ବ୍ୟତୀତ ଆମ ପାଇଁ ଅନ୍ୟ କିଛି ପ୍ରିୟ ନୁହେଁ। ଏବେ ସବୁକିଛି ତାହା ପାଇଁ ପ୍ରଚେଷ୍ଟା କରିବାର ଅଛି। ଯଦି ଆପଣ ପଢ଼ିବେ ତାହା ପାଇଁ ପଢ଼ନ୍ତୁ , ଶରୀର, ମନ ଓ ଆତ୍ମାକୁ ତାହାରି ସେବା ପାଇଁ ହିଁ ପ୍ରଶିକ୍ଷିତ କରନ୍ତୁ। ନିଜ ଜୀବିକା ଏଇଥି ପାଇଁ ନିର୍ବହନ କରନ୍ତୁ ଯେ ତାହାରି ପାଇଁ ଆମକୁ ବଂଚିବାର ଅଛି। ସାଗର ସେପାରି ବିଦେଶକୁ ଏଇଥିପାଇଁ ଯାଆନ୍ତୁ ଯେ ସେଠାରୁ ଜ୍ଞାନ ଆଣି ରାଷ୍ଟ୍ରର ସେବା କରି ହେବ। ତାର ବୈଭବ ପାଇଁ କାମ କରିବାକୁ ହେବ। ରାଷ୍ଟ୍ର ଆନନ୍ଦରେ ରହୁ ସେଥିପାଇଁ ଦୁଃଖ ସହିବାକୁ ହେବ। ଏହି ଗୋଟିଏ ପରାମର୍ଶ ମଧ୍ୟରେ ସବୁକିଛି ଭାବ ନିହିତ ରହିଛି।

ଭାରତର ଲୋକଙ୍କ ପାଇଁ ଆଜି ମଧ୍ୟ ଏହା ଏକ ସାର୍ଥକ ବାର୍ତ୍ତା ହୋଇ ରହିଛି। ଗାଓଁ  ଗାଓଁ ମେ ସଜ୍ଜନ ଶକ୍ତି। ରୋମ ରୋମ ମେ ଭାରତ ଭକ୍ତି। ୟହି ବିଜୟ କା ମହାମନ୍ତ୍ର ହୋ। ଦଶୋଁ ଦିଶା ସେ କରେଁ ପ୍ରୟାଣ। ଜୟ ଜୟ ମେରେ ଦେଶ ମହାନ। (ଗ୍ରାମ ଗ୍ରାମରେ ସଜ୍ଜନ ଶକ୍ତି, ପ୍ରତି ରକ୍ତବିନ୍ଦୁ ଭାରତଭକ୍ତି; ବିଜୟର ମହାମନ୍ତ୍ର ଏହି, ଦଶଦିଗରେ ବ୍ୟାପ୍ତ ରହି; ଶୁଭୁ ଭାରତର ଜୟଗାନ।) ଭାରତ ମାତା କୀ ଜୟ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଙ୍ଘଚାଳକ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।