ଟ୍ରିଲିୟନ ଅର୍ଥନୀତିର ସ୍ୱପ୍ନ ଓ ଓଡ଼ିଶା

ପଞ୍ଚାନନ କାନୁନଗୋ ଜାପାନରେ ରହୁଥିବା ଜଣେ ଓଡ଼ିଆ ଯୁବକ ଆସିଥିଲେ। ଆସିବାର କାରଣ ଥିଲା ଯେ ଜାପାନରେ ଥିବା କିଛି ପ୍ରବାସୀ ଓଡ଼ିଆ ଏକତ୍ରିତ ହୋଇ ରାଜ୍ୟର ଭବିଷ୍ୟତ ସଂପର୍କରେ ଗୋଟିଏ ବୈଠକ କରିଥିଲେ ଓ ପରବର୍ତ୍ତୀ ବୈଠକ ଓଡ଼ିଶାରେ ଡାକିବାର ପ୍ରସ୍ତାବ ଦେଇଛନ୍ତି। ବିଷୟବସ୍ତୁ ଟ୍ରିଲିୟନ ଲକ୍ଷେ କୋଟିର ଅର୍ଥନୀତି? ଚମତ୍କାର ପ୍ରସ୍ତାବ ଖୁବ୍‍ ନଭଶ୍ଚୁମ୍ଭୀ। “ଓଡ଼ିଶାର ଦାରିଦ୍ର‌୍ୟ” ଉପରେ ଆଲୋଚନା ନକରି ଓଡ଼ିଶାର ସମୃଦ୍ଧି ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି। ବିଦେଶରେ ଥିବା ଜାପାନ […]

Rupee

Debendra Prusty
  • Published: Monday, 27 June 2022
  • , Updated: 27 June 2022, 05:27 PM IST
  • ପଞ୍ଚାନନ କାନୁନଗୋ

ଜାପାନରେ ରହୁଥିବା ଜଣେ ଓଡ଼ିଆ ଯୁବକ ଆସିଥିଲେ। ଆସିବାର କାରଣ ଥିଲା ଯେ ଜାପାନରେ ଥିବା କିଛି ପ୍ରବାସୀ ଓଡ଼ିଆ ଏକତ୍ରିତ ହୋଇ ରାଜ୍ୟର ଭବିଷ୍ୟତ ସଂପର୍କରେ ଗୋଟିଏ ବୈଠକ କରିଥିଲେ ଓ ପରବର୍ତ୍ତୀ ବୈଠକ ଓଡ଼ିଶାରେ ଡାକିବାର ପ୍ରସ୍ତାବ ଦେଇଛନ୍ତି। ବିଷୟବସ୍ତୁ ଟ୍ରିଲିୟନ ଲକ୍ଷେ କୋଟିର ଅର୍ଥନୀତି? ଚମତ୍କାର ପ୍ରସ୍ତାବ ଖୁବ୍‍ ନଭଶ୍ଚୁମ୍ଭୀ। “ଓଡ଼ିଶାର ଦାରିଦ୍ର‌୍ୟ” ଉପରେ ଆଲୋଚନା ନକରି ଓଡ଼ିଶାର ସମୃଦ୍ଧି ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି। ବିଦେଶରେ ଥିବା ଜାପାନ ପରି ଦଶ ଟ୍ରିଲିୟନ ଅର୍ଥନୀତିର ଦେଶରେ ଥିବା ଯୁବକମାନେ ‘ଡଲାର’, ଟ୍ରିଲିଅନ ବା ଲକ୍ଷ କୋଟି ସଂପର୍କକୁ ନେଇ ଆଶା ପୋଷଣ କରିବା ସ୍ୱଭାବିକ। ଯେଉଁ ଦିନଠାରୁ ମୁକ୍ତ ଅର୍ଥନୀତି ଧାରା ସମଗ୍ର ବିଶ୍ୱରେ ପ୍ରବାହ ହୋଇଛି ଭାରତରେ ଏହିପରି ଆଶା ପୋଷଣ ବହୁ ମାତ୍ରାରେ ଶୁଣିବାକୁ ମିଳୁଛି। ଦେଶରେ ଅର୍ଥନୀତି ପାଞ୍ଚ ଲକ୍ଷ କୋଟି ଡଲାରରେ ପହଂଚିବାର ଘୋଷଣା ଗତ ତିନି ବର୍ଷ ତଳେ ମୋଦୀ ସରକାର କରିଥିଲେ। ଦୈବୀ-ଦୁର୍ବିପାକ କରୋନା ହେଉ ଅବା ରୁଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ ହେତୁ ଏହା ସମ୍ଭବ ଏବେ ନୁହେଁ ବୋଲି ବାରମ୍ବାର କୈଫତ ଶୁଣିବାକୁ ମିଳୁଛି। ସେ ସବୁର ହିସାବ ରଖି ତଥାପି ଆଜି ପ୍ରଚାର ଚାଲିଛି ଦେଶ ଖୁବ୍‍ ଶୀଘ୍ର ପାଞ୍ଚ ଲକ୍ଷ କୋଟି ଡଲାର ଅର୍ଥନୀତିର ପରିଚୟ ଦେବ।

ଆମ ରାଜ୍ୟକୁ ପ୍ରକୃତିଦତ୍ତ ସଂପତ୍ତିର ଆକଳନ କଲେ ରାଜ୍ୟ ଭିତରେ ଭର୍ତ୍ତି ହୋଇ ରହିଥିବା ଖଣିଜ ପଦାର୍ଥର ମୂଲ୍ୟ ଏବର ମୂଲ୍ୟରେ ପାଞ୍ଚ ଟ୍ରିଲିୟନରୁ ଅଧିକ ହେବ। ଅନେକ ଖଣି ଏବେ ମଧ୍ୟ ଉନ୍ମୁକ୍ତ ନୁହେଁ। ତାହା ହେଲେ ହୁଏତ ଏହିସବୁ ସମ୍ପଦର ମୂଲ୍ୟ ଆହୁରି ଅଧିକ ବଢ଼ିଯିବ। ରାଜ୍ୟରେ ପ୍ରକୃତିଦତ୍ତ ଜଙ୍ଗଲ ସମ୍ପଦର ମୂଲ୍ୟାୟନ କଲେ ଖୁବ୍‍ ଅଧିକ ପୁଞ୍ଜିର ଆକଳନ ଦେଖିବାକୁ ମିଳିବ। ମାତ୍ର ଅର୍ଥନୀତିର ହିସାବ ରାଜ୍ୟର ପୁଞ୍ଜି ଲକ୍ଷ କୋଟି ଡଲାରରେ ପହଂଚିବ ବୋଲି ଅନେକ ସ୍ୱପ୍ନ ଦେଖିବା ଆରମ୍ଭ କରିଦେଇଛନ୍ତି। ଏହା ବାସ୍ତବରେ ପରିଣତ ହେବା ଅସମ୍ଭବ ନୁହେଁ। ସେଥିପାଇଁ ଯୋଜନା ପ୍ରସ୍ତୁତ କରିବା ଚର୍ଚ୍ଚା କରିବା ଓ ତାର ପ୍ରାଥମିକତା ଧର୍ଯ୍ୟକରି ଆଗକୁ ଆଗେଇବାର ସଂକଳ୍ପ ନେବାର ଆବଶ୍ୟକତା ଅଛି। ତେବେ କରୋନା ପୂର୍ବବର୍ତ୍ତୀ ବର୍ଷ ୨୦୧୭-୧୮ର ରାଜ୍ୟ ମୋଟ ଅଭିବୃଦ୍ଧିର ଆକଳନ  ସରକାରୀ ଭାବେ ଯାହା ଉପସ୍ଥାପିତ କରାଯାଇଛି ତାହା ହେଉଛି ଭାରତୀୟ ମୁଦ୍ରାରେ ମାତ୍ର ୩,୭୮,୯୯୧ କୋଟି ଟଙ୍କା, ଯାହାକି ଡଲାର ଅନୁସାରେ ପ୍ରକାଶ କଲେ ପାଞ୍ଚ ହଜାର କୋଟି ଡଲାର ଟପି ନାହିଁ ଏବଂ ଚତୁର୍ଦ୍ଦଶର ଅର୍ଥ କମିଶନ ଦେଇଥିବା ଧାରା ବା ଗଣନା ପ୍ରଣାଳୀ ଅନୁସାରେ ଏହି ଆକଳନ ପ୍ରତିବର୍ଷ ହାରାହାରି ୧୦ ପ୍ରତିଶତ ବୃଦ୍ଧି ପାଇଥିବା ଦେଖାଯାଇଥାଏ। ଏପରି ଏକ ମନ୍ଥର ବୃଦ୍ଧି ହାରକୁ ଅତି କ୍ଷୀପ୍ର କରିପାରିଲେ ରାଜ୍ୟର ସମ୍ପୂର୍ଣ୍ଣ ଆର୍ଥିକ ସମ୍ପଦ ଲକ୍ଷ କୋଟି ଡଲାରରେ ଯେ ପହଂଚିବ ସେପରି ଏକ ଆଶାବାଣୀ ସେମାନେ ବୋଧହୁଏ ଚାହାନ୍ତି।

ଅନେକ ଦୃଷ୍ଟିରୁ ବିଚାର କଲେ ସମଗ୍ର ବିଶ୍ୱର ଅର୍ଥନୀତିର ଅଗ୍ରଗତି ପାଇଁ ଆବଶ୍ୟକ ସମ୍ପଦର ଏକ ବଡ଼ ଅଂଶ ଓଡ଼ିଶାରେ ଅଛି। ଏହି ସମସ୍ତ ସମ୍ପଦକୁ ମୂଲ୍ୟଯୁକ୍ତ କରି ପାରିଲେ ଓଡ଼ିଶା ଅଚିରେ ଏକ ସମୃଦ୍ଧ ରାଜ୍ୟ ବା ଜାପାନରେ ଥିବା ଓଡ଼ିଆ ଯୁବବନ୍ଧୁମାନଙ୍କର ବିଚାର ଟ୍ରିଲିୟନ ଡଲାର ଅର୍ଥନୀତିର ଅଧିକାରୀ ହୋଇ ପାରିବ। ଏଥିପାଇଁ କଠିନ ପରିଶ୍ରମ ଓ ନିରବଚ୍ଛିନ୍ନ ଅଧ୍ୟବସାୟର ଆବଶ୍ୟକତା ଅଛି। ଅନ୍ୟକୁ ଦୋଷଦେଇ ଅବା ପ୍ରକୃତି ଉପରେ ନିଜର ଅପାରଗତା ପାଇଁ ଦୋଷ ଲଦି ଖସିଯିବାର ପ୍ରୟାସ କରୁଥିବା ଗୋଟିଏ ଜାତି ପକ୍ଷରେ ଏହା ଆଦୌ ସମ୍ଭବ ନୁହେଁ। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଦେଶ ଜାପାନ ବିଶ୍ୱର ଟ୍ରିଲିୟନ ଅର୍ଥନୀତି ଧରି ରଖିବାରେ ଅଗ୍ରଣୀ ଦେଶଭାବେ ବିଶ୍ୱରେ ପରିଗଣିତ ହୋଇପାରିଛି।

ଦୃଢ଼ ସଂକଳ୍ପ ଓ ଗାଣେତିକ ଧାରାରେ ଯୋଜନା ପ୍ରସ୍ତୁତ କଲେ ହିଁ ଆଶା ଫଳପ୍ରଦ ହେବ।

ଓଡ଼ିଆଙ୍କ କଥା “ଚାଲି ନ ଜାଣି ବାଟର ଦୋଷ”। ସେଇ କଥାଟିର ଆଧାରରେ ଅନେକ ସମୟରେ ଦ୍ୱନ୍ଦ୍ୱରେ ପଡ଼ିବାକୁ ହୁଏ। ଯୋଜନାରେ ଭୁଲ୍ ନା ଯୋଜନାକରୀଙ୍କ ଭୁଲ୍? ଯଦି ଯୋଜନାରେ ତ୍ରୁଟି ଥାଏ ତେବେ ଏହାର ପ୍ରସ୍ତୁତି ସମୟରେ ବୈଜ୍ଞାନୀକ ଚିନ୍ତନ ବା ଅଭିଜ୍ଞଙ୍କ ଆବଶ୍ୟକତା ଭିତ୍ତିକ ଚର୍ଚ୍ଚା ଓ ପରିଶେଷରେ ଚୟନ ପ୍ରକ୍ରିୟାରେ କେଉଁ ସ୍ତରରେ କାହାଦ୍ୱାରା ସମ୍ପାଦନ ହେବ; ଏଥିରେ କାହାକୁ ପ୍ରାଥମିକତା ଦିଆଯିବ ସେ ସବୁର ଚୟନ ସଠିକ୍ ନ ହେଲେ ଯୋଜନା ଯେ ଭୁଲ୍ ବା ପ୍ରଣୟନକାରୀଙ୍କ ନିଷ୍ପତ୍ତିରେ ତ୍ରୁଟି ରହିଛି ଧରିବାକୁ ହେବ।

ଯୋଜନା ସଂପର୍କିତ ପ୍ରାରମ୍ଭିକ ସୂଚନା ଦେବାକୁ ଯାଇ ଭାରତର ଦୁଇ ବିଶିଷ୍ଟ ବ୍ୟକ୍ତି ମେଘନାଦ ସାହା ଓ ବିଶ୍ୱେଶରାୟଙ୍କ ମନ୍ତବ୍ୟ ଅତ୍ୟନ୍ତ ପ୍ରଣିଧାନ ଯୋଗ୍ୟ। ସେମାନଙ୍କ ମନ୍ତବ୍ୟ ଥିଲା ଯେ ଯୋଜନା ହେଉଛି ରାଜନୀତି ଓ ବିଜ୍ଞାନ ସମ୍ମତ ଧାରାର ମିଶ୍ର ପ୍ରତିଫଳନ କଥାଟି ନିଶ୍ଚୟ ସତ୍ୟ।

ସବୁ ସଂପଦ (ବସ୍ତୁ)ରେ ଦୁଇଟି ଶକ୍ତି ନିହିତ ଥାଏ। ସ୍ଥିତି ଶକ୍ତି ଏବଂ ଗତିଶକ୍ତି। ପ୍ରକ୍ରିୟା ଓ ପ୍ରତିକ୍ରିୟାରୁ ହିଁ ବସ୍ତୁର ସାମର୍ଥ୍ୟ ପ୍ରତିପାଦିତ ହୋଇଥାଏ। ସାମର୍ଥ୍ୟକୁ ପୁରାପୁରି ଉତ୍ପାଦନମୁଖୀ କରିବାକୁ ହେଲେ ଗୋଟିଏ ବିଜ୍ଞାନ ସମ୍ମତ ସୂତ୍ର ହେଉଛି। ଏହା ହେଉଛି ପଦାର୍ଥ ବିଜ୍ଞାନୀ ନିଉଟନଙ୍କର ସୂତ୍ର। ଯାହାକୁ ବ୍ୟବହାର କରାଯାଇ ଗୋଟିଏ ଯୋଜନା ବା ରାଜନୈତିକ ସଂକଳ୍ପ ପ୍ରସ୍ତୁତ କରାଯାଇଥାଏ।

ଯେଉଁଠାରେ ‘ଏସ’ ହେଉଛି ଧାର୍ଯ୍ୟ ଲକ୍ଷ୍ୟ, ‘ୟୁ’ ହେଉଛି ପ୍ରାରମ୍ଭିକ ଭାବେ ଠୁଳ ଶକ୍ତି,  ‘ଟି’  ହେଉଛି ସମୟ, ‘ଏଫ’ ବା ‘ଏ’ ହେଉଛି ଗତିଶୀଳତା ବା ଉଦ୍ୟମ ବା ଇଚ୍ଛାଶକ୍ତି। ତେବେ ଧାର୍ଯ୍ୟଲକ୍ଷ୍ୟଟି କ’ଣ ଓ ଏହା କେଉଁ ସ୍ତରର ଆବଶ୍ୟକତା ପୂରଣ କରିଥାଏ? ଯାହା ଚର୍ଚ୍ଚା କରାଯାଇ ସିଦ୍ଧାନ୍ତ ବା ଚୟନ କରାଯାଏ। ଜାତୀୟ ସ୍ତରର ଆବଶ୍ୟକତା ଧରାଯାଉ ରେଳଯାତ୍ରା ଓ ବିମାନଯାତ୍ରାର ବିକାଶ, ଜାତୀୟ ରାଜପଥର ବିକାଶ, ସେହିପରି ରାଜ୍ୟସ୍ତରୀୟ ଆବଶ୍ୟକତା ହେଉଛି ଜିଲ୍ଲା ସଂଯୋଗକାରୀ ରାସ୍ତା, ନଦୀପୋଲ ଏବଂ ରହଣିସ୍ଥଳୀ ଇତ୍ୟାଦିର ଉନ୍ନତମାନ ଓ ବିକାଶ ଜିଲ୍ଲାସ୍ତରୀୟ ବା ପଞ୍ଚାୟତ ଗ୍ରାମୀଣ ସ୍ତରୀୟ ଆବଶ୍ୟକତା ହେଉଛି ଉପଯୁକ୍ତ ଯୋଗାଯୋଗ ନିମନ୍ତେ ଭଲ ରାସ୍ତା ବା ସଡ଼କ। ସର୍ବୋପରି ରାଜ୍ୟର ସମୃଦ୍ଧି ଲକ୍ଷ୍ୟ - ଟ୍ରିଲିୟନ ଡଲାର ଅର୍ଥନୀତି।

ପ୍ରଥମେ ଆବଶ୍ୟକତା ଓ ଅର୍ଥଯୋଗାଣର କ୍ଷମତାକୁ ନେଇ ବିଭିନ୍ନ ସ୍ତରର ଆବଶ୍ୟକତା ଉପରେ ଚର୍ଚ୍ଚା ଦରକାର। ଚର୍ଚ୍ଚାରୁ ଉତ୍ପତ୍ତି ହୋଇଥିବା ସିଦ୍ଧାନ୍ତ (ଚିନ୍ତନ) ଓ ସେଥିମଧ୍ୟରୁ ପ୍ରାଥମିକତା (ଚୟନ) ପ୍ରକ୍ରିୟା ଯୋଡ଼ିହୋଇ ରହିଲେ ହିଁ ଯୋଜନା ଫଳପ୍ରଦ ହୋଇଥାଏ। ତେବେ ଇଚ୍ଛାଶକ୍ତି ହେଉଛି ରାଜନୀତି ସର୍ବସ୍ୱ। ଲୋକଙ୍କ ପାଇଁ, ଲୋକଙ୍କ ଦ୍ୱାରା ଲୋକଙ୍କର ଆଧାରରେ ରହିଥାଏ। ଏହାକୁ କାର୍ଯ୍ୟକାରୀ କରିବାର ସୂତ୍ର ପ୍ରସ୍ତୁତକାରୀ ହେଉଛନ୍ତି ଦକ୍ଷତା ସଂପନ୍ନ ଅଭିଜ୍ଞ ପରାମର୍ଶଦାତା। ଏମାନେ ଚିନ୍ତନ ପ୍ରକ୍ରିୟାରେ ଯୋଗ ଦେଇଥାନ୍ତି ଏବଂ ସିଦ୍ଧାନ୍ତ ନେଇଥାନ୍ତି। କାର୍ଯ୍ୟକାରୀ କରିବାର ଦାୟିତ୍ୱ ଶାସକ ଓ କାର୍ଯ୍ୟନିର୍ବାହୀ ପ୍ରକ୍ରିୟା ଉପରେ ହିଁ ନିର୍ଭରଶୀଳ।

ରାଷ୍ଟ୍ରର ପ୍ରମୁଖ ଓ ଜରୁରୀ ଆବଶ୍ୟକତା ରାଷ୍ଟ୍ରୀୟ ଶାସକବର୍ଗ, ରାଜ୍ୟର ପ୍ରମୁଖ ଆବଶ୍ୟକତା ରାଜ୍ୟସ୍ତରୀୟ ଶାସକ ଓ ପ୍ରଶାସକ ସେହିପରି ଗ୍ରାମ ବା ପଞ୍ଚାୟତର ଆବଶ୍ୟକତା ସେହି ତ୍ରିସ୍ତରୀୟ ଲୋକପ୍ରତିନିଧିମାନେ ହିଁ ଚୟନ କରିବା ଦରକାର।

ଯେଉଁଥିପାଇଁ ରାଜନୀତି ବା ରାଜନେତାଙ୍କର ଯୋଜନାରେ ଭାଗୀଦାରୀତାକୁ ଅସ୍ୱୀକାର କରାଯାଇପାରିବ ନାହିଁ। କିନ୍ତୁ ଗତ କିଛିବର୍ଷ ଧରି ଦେଖାଯାଉଛି ରାଜ୍ୟ ଓ ଜିଲ୍ଲା ସ୍ତରୀୟ ଯୋଜନା ପ୍ରସ୍ତୁତକାରୀ ବସ୍ତୁତଃ ନିସ୍ତେଜ, ନିଷ୍ପ୍ରଭ ଓ ରୁଗ୍‌ଣ ଅବସ୍ଥାରେ ରହିଛି। କେନ୍ଦ୍ର ସ୍ତରରେ ଯୋଜନା ପ୍ରସ୍ତୁତକାରୀ, ଯୋଜନା ନିର୍ବାହ ପ୍ରକ୍ରିୟାରେ ଅସଫଳତା ପାଇଁ ସଂପୃକ୍ତ ବ୍ୟକ୍ତି ନିଜକୁ ଦାୟୀ ନକରି ଯୋଜନା ପ୍ରସ୍ତୁତ ପ୍ରକ୍ରିୟା ଭାଙ୍ଗିଦେଲେ। ଅନେକ ଯୋଜନା ଅନାବଶ୍ୟକ ଓ ଅପବ୍ୟୟର ପ୍ରମାଣ ଦେଇଥିବା ରାଜ୍ୟ ସି.ଏ.ଜି. ତାଙ୍କ ଅନୁସନ୍ଧାନମୂଳକ ତଥ୍ୟରେ ପ୍ରକାଶ କରି ଆସିଛନ୍ତି। ଅନେକ ଯୋଜନା, ଅର୍ଥାଭାବରୁ କାର୍ଯ୍ୟକାରୀ ହୋଇ ପାରୁନାହିଁ। ଅଥଚ ‘ୟୁ’ ସଜାଡ଼ିବାରେ ଯୋଜନାକାରୀ ମୂଳରୁ ହିଁ ଅସମର୍ଥ। ଯୋଜନାସବୁ ଯଥା ସମୟରେ ଫଳପ୍ରଦ ନ ହେବାର କାରଣ ଇଚ୍ଛାଶକ୍ତିର ଅଭାବ। ଏ ସମସ୍ତ ଲକ୍ଷ୍ୟରଖି ଯୋଜନାକୁ ଦୋଷଦେଇ ଅନେକ ମନ୍ତବ୍ୟ ଦେଖିବାକୁ ମିଳିଥାଏ। ଯୋଜନା ପ୍ରସ୍ତୁତକାରୀ ହୁଅନ୍ତୁ ଅବା କାର୍ଯ୍ୟନିର୍ବାହୀ ପ୍ରକ୍ରିୟା ହେଉ ଉଭୟ ତ୍ରୁଟି ଆଢ଼ୁଆଳରେ ରହିଥାନ୍ତି।

ବିଜ୍ଞ, ପଣ୍ଡିତମାନଙ୍କର ସହିତ ବିଚାର ବିମର୍ଷ ଅବଶ୍ୟ ହେବା ଦରକାର। ମାତ୍ର ସେମାନେ ଚର୍ଚ୍ଚା, ଚିନ୍ତନ ଓ ଚୟନ କାର୍ଯ୍ୟର ସଂପୂର୍ଣ୍ଣ ଅଧିକାରୀ ହେଲେ ଯୋଜନାରେ ଅନେକ ଅଘଟଣ ଘଟିବାର ସମ୍ଭାବନା ଅଛି।

ଉଦାହରଣ ନିଆଯାଉ, କଦଳୀଚାଷ ପ୍ରସାରର ଯୋଜନା ହେଲା। ଆଠଗଡ଼ର ଖୋଦ ଚାଷୀମାନେ ଅଭିଜ୍ଞତାକୁ ନେଇ ପୁଆ ଚୟନ କଲେ, ମାତ୍ର ଅଭିଜ୍ଞ ପଣ୍ଡିତ (କୃଷି ବିଶେଷଜ୍ଞ ଅଫିସର)ମାନେ ପୁନେର କେଉଁ ଏକ କମ୍ପାନୀ ସହିତ ଏମ୍‌.ଓ.ୟୁ କରିଥିବା କହି ଯେଉଁ ଚାରା ଯୋଗାଇଲେ ତାହା ଆଦୌ ଭଲ ଫଳ ଦେଲାନାହିଁ। ଚାଷୀ-ଚାଷ ଉଭୟ କ୍ଷତିଗ୍ରସ୍ତ ହେଲେ। ତେବେ ଏହା ହେଉଛି ପ୍ରାଥମିକତା ଓ ଚୟନ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ବିଭିନ୍ନ ଅଭିଜ୍ଞତା ସମ୍ପନ୍ନ ଓ ଅଭିଜ୍ଞମାନଙ୍କ ସହ ଚର୍ଚ୍ଚାକରି ନିଷ୍ପତ୍ତି ନିଆ ଗଲାନାହିଁ।

‘ଯୋଜନା’ ସମୂହର ବିଫଳତା ଅନେକ ଅର୍ଥହାନୀର କାରଣ ହୋଇଥାଏ। କାହାର ଏହି ଅର୍ଥ? ସବୁ ବର୍ଗର କରଦାତାଙ୍କ ଧନ ସହିତ ଖେଳ ଖେଳିବା ଆଦୌ ଉଚିତ୍ ନୁହେଁ। ଏପରି ତ୍ରୁଟି ଥିଲେ ଲକ୍ଷ୍ୟସ୍ଥଳରେ ଆଦୌ ପହଂଚିଚ ହେବନାହିଁ। ନିଜର ବା ରାଜ୍ୟ ଅର୍ଜିତ ଅର୍ଥ କୌଣସି ଭାବରେ ରାଜ୍ୟ ବା ଦେଶ ବାହାରକୁ ଯିବା ଆଦୌ ଶୁଭଙ୍କର ନୁହେଁ। ବରଂ ନିଜର ସମସ୍ତ ଶକ୍ତି ଖଟାଇ ରାଜ୍ୟ ବାହାରୁ ବା ଦେଶ ବାହାରୁ ବୋହି ଆଣିଲେ ହିଁ ରାଜ୍ୟ ଭିତରେ ମୂଲ୍ୟଯୁକ୍ତ ସମୃଦ୍ଧି ଘଟିବ ଓ ରାଜ୍ୟର ଅଭିବୃଦ୍ଧି ଶକ୍ତ ଓ କ୍ଷୀପ୍ର ହେବ ଏବଂ ସ୍ୱପ୍ନ ସାକାର ହେବ। ଏକ ସମୃଦ୍ଧତମ ରାଜ୍ୟ ଭାବେ ଓଡ଼ିଶା ପରିଚିତ ହେବ।

ଫୋ- ୯୪୩୮୩୬୦୮୪୯

Related story