ଦେବେନ୍ଦ୍ର ପୃଷ୍ଟି
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କ ଭାରତ ଗସ୍ତ ଅବସରରେ ନାଗରିକତା ସଂଶୋଧନ ଆଇନ ବିରୋଧୀ ପ୍ରତିବାଦ ସମୟରେ ଉତ୍ତରପୂର୍ବ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡରେ ଦିଲ୍ଲୀ ପୁଲିସର ଜଣେ ହେଡ଼୍ କନଷ୍ଟେବଳ ନିହତ ହେବା ଅତ୍ୟନ୍ତ ଚିନ୍ତାଜନକ ବ୍ୟାପାର। କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସ ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ଗ୍ରହଣ କରିବା ଉଚିତ ଏବଂ ଏହି ହିଂସାକାଣ୍ଡ ପଛରେ କିଏ ନିରପେକ୍ଷ ତଦନ୍ତ ଜରିଆରେ ସପ୍ରମାଣ ସାବିତ କରି ତାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ଏହି ହିଂସାକାଣ୍ଡ ପଛରେ ଆନ୍ଦୋଳନକାରୀଙ୍କ ହାତ ରହିଛି କି ସେମାନଙ୍କୁ ବିରୋଧ କରୁଥିବା ତତ୍ତ୍ୱମାନେ ତାହା ସୃଷ୍ଟି କରିଛନ୍ତି ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଦରକାର। ଶାହିନବାଗ ଆନ୍ଦୋଳନ ମାମଲା ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବାବେଳେ ପ୍ରତିପକ୍ଷ କୋର୍ଟଙ୍କ ରାୟ ଯାଏ ଅପେକ୍ଷା ନକରି କାହିଁକି ଆନ୍ଦୋଳନ ଭଣ୍ଡୁର କରିବାର ଉଦ୍ୟମ କରିଛନ୍ତି ତାହା ଯେମିତି ଏକ ବଡ଼ ପ୍ରଶ୍ନ ଠିକ ସେହିପରି ଶାହିନବାଗରେ ଏତେ ଦିନ ଯାଏଁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଧାରଣା ଚାଲି ଆସିଥିବାବେଳେ ଜାଫରାବାଦ, ମୌଜପୁର ଓ ଗୋକୂଳପୁରୀ ଅଞ୍ଚଳରେ କାହିଁକି ଉଭୟ ପକ୍ଷ ମଧ୍ୟରେ ପଥରମାଡ଼ ହେଲା ତାହାର ଉତ୍ତର ବି ଖୋଜାଯିବା ଦରକାର। ଦିଲ୍ଲୀ ପୁଲିସ ଏସବୁ ପ୍ରଶ୍ନର ଉତ୍ତର ଖୋଜିବାବେଳେ ଶାହିନବାଗ ଅଞ୍ଚଳରେ କିଏ ବା କେଉଁମାନେ ପୂର୍ବରୁ ଗୁଳି ଫୁଟେଇଛନ୍ତି ଓ ଏବେ ମୌଜପୁରରେ କିଏ ବନ୍ଧୁକ ଦେଖାଇ ଭୟ ସଂଚାର କରିଛି ତାହା ମଧ୍ୟ ପଦାକୁ ଆଣିବା ଦରକାର। ଏହା ନକରି ପୁଲିସ ବା ସରକାର ଯଦି ଏକପାଖିଆ ତଦନ୍ତ କରନ୍ତି ଓ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଦାୟୀ କରନ୍ତି ତାହା ପୁଲିସ ଓ ସରକାରଙ୍କ ନିରପେକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିବ।
ଶାହିନବାଗରେ ଚାଲିଥିବା ନାଗରିକତା ସଂଶୋଧନ ଆଇନ ବା ସିଏଏ ବିରୋଧୀ ଆନ୍ଦୋଳନ ମାମଲା ଏବେ ସୁପ୍ରିମ କୋର୍ଟରେ ବିଚାରାଧୀନ ରହିଛି। ସେଠାରେ ଆନ୍ଦୋଳନକାରୀମାନେ ବେଆଇନ ଭାବେ ରାସ୍ତା ଅବରୋଧ କରିଥିବାର ଅଭିଯୋଗ ଥିଲା। ସେମାନଙ୍କ ପ୍ରତିବାଦ ଧାରଣା ଉଠାଇବାକୁ ଦିଲ୍ଲୀ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବା ସତ୍ତ୍ୱେ କେନ୍ଦ୍ରର କୌଣସି ପ୍ରତିନିଧି ଏଯାଏଁ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିନାହାନ୍ତି। ଏହା ବୁଝିବା ପରେ ସୁପ୍ରିମ କୋର୍ଟ ନିଜ ଆଡ଼ୁ ଦୁଇ ଜଣ ମଧ୍ୟସ୍ଥଙ୍କୁ ଘଟଣାସ୍ଥଳରେ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ପାଇଁ ପଠାଇଥିଲେ। ସେମାନେ ସେଠାରୁ ଫେରି ସୁପ୍ରିମ କୋର୍ଟଙ୍କୁ ଦେଇଥିବା ରିପୋର୍ଟର ଉଲ୍ଲେଖ କରିଛନ୍ତି ଯେ ଶାହିନବାଗରେ ଲୋକମାନେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଛନ୍ତି। ରାସ୍ତା ସେମାନେ ଅବରୋଧ କରିନାହାନ୍ତି। ବରଂ ପୁଲିସ ରାସ୍ତା ଅବରୋଧ କରି ରଖିଛି। ସେମାନଙ୍କର ରିପୋର୍ଟ ଯଦି ସତ ହୋଇଥାଏ ତେବେ ବୁଝିବାକୁ ହେବ ଯେ ଆନ୍ଦୋଳନକାରୀଙ୍କୁ ବଦନାମ କରିବା ପାଇଁ ହୁଏତ ପୁଲିସ ଏପରି ପେଞ୍ଚ କରିଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ଚାଲିଥିବାବେଳେ ଏହି ଅଞ୍ଚଳରେ ଦୁଇ ଦୁଇ ଥର ଗୁଳିକାଣ୍ଡ ଘଟିଛି। ଶାହିନବାଗ ଆନ୍ଦୋଳନକାରୀଙ୍କୁ ପାକିସ୍ତାନ ସପକ୍ଷବାଦୀ, ଆତଙ୍କବାଦୀ ଓ ଦେଶଦ୍ରୋହୀ ଭାବେ ବର୍ଣ୍ଣନା କରାଯାଇଛି। ସେମାନଙ୍କୁ ଗୁଳି କରି ମାରିବାକୁ ମଧ୍ୟ କେହି କେହି ଧମକ୍ ଦେଇଛନ୍ତି। ଏହା ସତ୍ତ୍ୱେ ସେଠା ଆନ୍ଦୋଳନକାରୀମାନେ ହିଂସାର ଆଶ୍ରୟ ନେଇନାହାନ୍ତି। ମାତ୍ର, ଦିଲ୍ଲୀ ନିର୍ବାଚନ ପରିଣାମ ଘୋଷଣା ହେବାର ଦୁଇ ସପ୍ତାହ ଭିତରେ ଏହି ଆନ୍ଦୋଳନ ଜାଫରାବାଦ, ମୌଜପୁର ଓ ଗୋକୂଳପୁର ଆଦି ଅଞ୍ଚଳକୁ ବ୍ୟାପିବା ଓ ତାହାକୁ ନେଇ ଆନ୍ଦୋଳନ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହେବା ଏବଂ ସେମାନଙ୍କ ମଧ୍ୟରେ ଟେକାପଥର ମାଡ଼ ହେବା ଏବଂ ସେଥିରେ ଦିଲ୍ଲୀ ପୁଲିସର ଜଣେ ହେଡ଼୍ କନଷ୍ଟେବଳ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିବା ଅନେକ ପ୍ରଶ୍ନର ଅବତାରଣା କରୁଛି।
ସିଏଏକୁ ବିରୋଧ କରୁଥିବା ଲୋକମାନେ ସରକାରଙ୍କଠାରୁ କୌଣସି ସକାରାତ୍ମକ ପ୍ରତିଶ୍ରୁତି ନପାଇ ହତାଶ ହୋଇ ଏପରି ହିଂସାକାଣ୍ଡ ସୃଷ୍ଟି କରିଛନ୍ତି ବୋଲି କେହି କେହି ମତବ୍ୟକ୍ତ କରିପାରନ୍ତି। ଠିକ ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଥିବା ସମୟରେ ଏହିପରି ହିଂସାକାଣ୍ଡ ଜରିଆରେ ସିଏଏ ନେଇ ତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କେହି ଏପରି କରିଥାଏ ବୋଲି କୁହାଯାଇ ପାରେ। ଯଦି ବି କେହି ଏପରି ଉଦ୍ଦେଶ୍ୟ ରଖି ହିଂସାକାଣ୍ଡ ଭିଆଇଥାନ୍ତି ତେବେ ସେ ବା ତାଙ୍କ ଗୋଷ୍ଠୀ ନିଶ୍ଚୟ ଗୁରୁତର ଅପରାଧ କରିଛନ୍ତି। ପ୍ରଥମତଃ ଏହା ଏକ ହତ୍ୟାକାଣ୍ଡ। କର୍ତ୍ତବ୍ୟରତ ପୁଲିସକୁ ଢେଲା ମାରି ହତ୍ୟା କରିବା କୌଣସି ଦୃଷ୍ଟିରୁ ଦେଶପ୍ରେମ ନୁହେଁ କି ନାଗରିକର ଗଣତାନ୍ତ୍ରିକ ଅଧିକାର ନୁହେଁ। ଯଦି କୌଣସି ପ୍ରତିପକ୍ଷ ଆନ୍ଦୋଳନକାରୀଙ୍କୁ ବଦନାମ କରିବା ପାଇଁ ଏପରି ହିଂସାକାଣ୍ଡ ଭିଆଇଥାନ୍ତି ତେବେ ତାହା ମଧ୍ୟ ଦେଶପ୍ରେମ ନୁହେଁ। ଯଦି ସରକାରଙ୍କୁ ସମର୍ଥନ କରୁଥିବା ଲୋକେ ଏହି ହିଂସାକାଣ୍ଡ ପଛରେ ଜଡ଼ିତ ତେବେ ବୁଝିବାକୁ ହେବ ଯେ ସେମାନେ ସରକାରଙ୍କୁ ସମର୍ଥନ କରିବାକୁ ଯାଇଁ ଆଇନକୁ ନିଜ ହାତକୁ ନେଇଛନ୍ତି ଓ ହତ୍ୟା ପରି ଜଘନ୍ୟ ଅପରାଧରେ ସଂପୃକ୍ତ ହୋଇଛନ୍ତି।
ଏହି ଘଟଣା ପରେ ଦିଲ୍ଲୀ ପୁଲିସ ମଧ୍ୟ ଆତ୍ମସମୀକ୍ଷା କରିବା ଦରକାର। ଜାମିଆ ମିଲିଆ ଓ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ସମେତ ଶାହିନବାଗରେ ଦିଲ୍ଲୀ ପୁଲିସ ଯେଉଁ ଆଚରଣ ପ୍ରଦର୍ଶନ କରିଛି ତାହା କେତେ ଦୂର ସମ୍ବିଧାନ ସମ୍ମତ? ସେମାନଙ୍କର ସେପରି ଆଚରଣ ପ୍ରତିହିଂସା ସୃଷ୍ଟି କରିବାକୁ ଆନ୍ଦୋଳନକାରୀଙ୍କୁ ବାଧ୍ୟ କରିନାହିଁ ତ? ଠିକ ସେହିପରି ଏ ଘଟଣାରେ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କର ମଧ୍ୟ ନିରପକ୍ଷେ ତର୍ଜମା ହେବା ଉଚିତ। ଶାହିନବାଗରେ ଯେଉଁମାନେ ସିଏଏ ବିରୋଧରେ ବିକ୍ଷୋଭ ଧାରଣାରେ ବସିଛନ୍ତି ସେମାନେ କ’ଣ ପାକିସ୍ତାନର ନାଗରିକ ନା ଆତଙ୍କବାଦୀ? ସେମାନଙ୍କ ସହିତ କାହିଁକି ଏଯାଏଁ ଏ ଦୁଇ ସରକାରଙ୍କର କୌଣସି ପ୍ରତିନିଧି ଆଲୋଚନା କରିନାହାନ୍ତି? ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା କ’ଣ ପାପ ନା ଅସାମ୍ବିଧାନିକ? ଯଦି ବି କୌଣସି ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକମାନେ ଏହି ଆନ୍ଦୋଳନ ସହ ସଂପୃକ୍ତ ଅଛନ୍ତି ବୋଲି ଧରାଯାଏ ତେବେ ଏହା ନିଶ୍ଚିତ ଯେ ସେମାନେ ମଧ୍ୟ ଭାରତର ଲୋକ ଓ ଭାରତ ସରକାରଙ୍କଠାରୁ ନ୍ୟାୟପ୍ରାର୍ଥୀ। ଦିଲ୍ଲୀର ନାଗରିକ ହୋଇଥିବାରୁ ସେମାନଙ୍କ ସହିତ ଆଲୋଚନା କରିବାର ଦାୟିତ୍ୱ ଦିଲ୍ଲୀ ସରକାରଙ୍କର। ଏ ଦୁଇ ସରକାର ଏଯାଏଁ ନିଜ ନାଗରିକଙ୍କ ପ୍ରତି ରହିଥିବା କର୍ତ୍ତବ୍ୟ ପାଳନ କରିନାହାନ୍ତି।
ଆନ୍ଦୋଳନକାରୀମାନେ ମଧ୍ୟ ବୁଝିବା ଦରକାର ଯେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବାର ଅଧିକାର ମଧ୍ୟରେ ସାଧାରଣ ସଂପତ୍ତି ବା ପ୍ରତିପକ୍ଷଙ୍କ ସଂପତ୍ତି ଧ୍ୱଂସ କରିବାର ଅଧିକାର ସାମିଲ ନାହିଁ। ପ୍ରଥମଟି ଅଧିକାର, ଦ୍ୱିତୀୟଟି ଅପରାଧ। ସରକାରଙ୍କର ଯେକୌଣସି ନୀତି ବା ନିଷ୍ପତ୍ତି ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କୁ ସମ୍ବିଧାନ ପ୍ରଦାନ କରିଛି। କିନ୍ତୁ ଆନ୍ଦୋଳନ ନାମରେ ହିଂସାକାଣ୍ଡକୁ ଅନୁମତି ଦେଇନି ସମ୍ବିଧାନ। ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀର ଶାହିନବାଗ ଓ ଜାଫରାବାଦରେ ଅଂଚଳରେ ପ୍ରତିବାଦ ଆନ୍ଦୋଳନ ଚଳାଇଥିବା ଲୋକମାନେ ଏହା ଭଲ ଭାବେ ବୁଝିବା ଦରକାର। ସେମାନେ ହିଂସାକାଣ୍ଡରେ ସଂପୃକ୍ତ ହେଲେ ସେମାନଙ୍କର ଦାବି ଓ ସ୍ଥିତି ଅଧିକ ଦୁର୍ବଳ ହେବ। ଏହା ସେମାନେ ବୁଝିଥିବେ ନିଶ୍ଚୟ। ତା’ସତ୍ତ୍ୱେ ସେମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ନଦେଇ ଦୋକାନ ବଜାର ପୋଡ଼ିବା ଓ ପେଟ୍ରୋଲ ବୋମା ଫିଙ୍ଗିବା ନିଶ୍ଚୟ ଆନ୍ଦୋଳନ ନୁହେଁ, ଜନଦ୍ରୋହ। ଏଥିପାଇଁ ସେମାନଙ୍କୁ ଯଥେଷ୍ଟ ମୂଲ୍ୟ ଦେବାକୁ ହେବ। ନୂଆ ଆଇନ ବଳରେ ସେମାନଙ୍କର ନାଗରିକତା ଏଯାଏଁ ରଦ୍ଦ ହୋଇନାହିଁ। ହେବ ନାହିଁ ବୋଲି ବାରମ୍ବାର ପ୍ରଧାନମନ୍ତ୍ରୀ ମୋଦୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହା କହିଚାଲିଛନ୍ତି। ତଥାପି ସେମାନେ କେବଳ ନାଗରିକତା ହରାଇବାର ଆଶଙ୍କାରେ ଯଦି ଏତେ ଉଗ୍ର ହୋଇଛନ୍ତି। ଏବେ ସେମାନେ ବୁଝିବା ସରକାର ଯେ ଢେଲାମାଡ଼ରେ ଯେଉଁ କର୍ତ୍ତବ୍ୟରତ ପୁଲିସର ଜୀବନ ଗଲା ତାଙ୍କ ପରିବାର ସଦସ୍ୟଙ୍କ ମନରେ କି ପ୍ରକାର ପ୍ରତିକ୍ରିୟା ସୃଷ୍ଟି ହୋଇଥିବ? ସେମାନେ ଏଣିକି ଚଳିବେ କେମିତି? କିଏ ହେବ ସେମାନଙ୍କର ସାହାଭରସା? ସେହି ପୁଲିସ ପରିବାରର ଭରଣପୋଷଣ ଦାୟିତ୍ୱ କିଏ ନେବ? ସରକାର ନା ଏହି ଆନ୍ଦୋଳନ କରୁଥିବା ଜନଗୋଷ୍ଠୀ?