- ରୁଦ୍ର ପ୍ରସନ୍ନ ରଥ
ବାରବାଟୀରେ କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ପୂର୍ବ ଭାରତର ଅନେକ କ୍ରୀଡ଼ାପ୍ରେମୀ ସତୃଷ୍ଣ ନୟନରେ ଅପେକ୍ଷା କରିଥାଆନ୍ତି। ବାରବାଟୀର ଭାଗ୍ୟ କୋଟଲା, ଇଡେନ୍ ଗାର୍ଡେନ କିମ୍ବା ମୁମ୍ବାଇ ପରି ନୁହେଁ। ଏଠାରେ ଟେଷ୍ଟ ମ୍ୟାଚ୍ ହେଉନାହିଁ। କେବଳ ଏକଦିବସୀୟ ଏବଂ ଟି-୨୦ ମ୍ୟାଚ୍ ତାହା ବି କାହିଁ ବର୍ଷେ ଦୁଇ ବର୍ଷରେ ଥରେ। ଯାହା ବିରଳ ତାହା ପାଇଁ ଆଗ୍ରହ ସର୍ବାଧିକ ସେହି ନ୍ୟାୟରେ ବାରବାଟୀରେ କ୍ରିକେଟ୍ ମ୍ୟାଚ୍ ଆୟାଜନ ହେଲା ମାନେ ଅନେକଙ୍କର ଆଗ୍ରହ ଏବଂ ଆକର୍ଷଣର ପ୍ରାଣକେନ୍ଦ୍ର ପାଲଟିଯାଏ। ମ୍ୟାଚ୍ ଆରମ୍ଭ ହେବାର ପ୍ରାୟ ସପ୍ତାହେ ଖଣ୍ଡ ଆଗରୁ ବାରବାଟୀ ଆଉ କଟକକୁ ଜ୍ୱର ଧରେ। ଲୋକ କାମ ଧନ୍ଦା ଛାଡ଼ି କେମିତି ମ୍ୟାଚ୍ ପାଇଁ ଟିକଟ ଖଣ୍ଡିଏ ଯୋଗାଡ଼ କରିହେବ ସେଇ ଚିନ୍ତାରେ ଥାଆନ୍ତି। ପ୍ରାୟ ସପ୍ତାହ ଖଣ୍ଡେ କାମଦାମ ବନ୍ଦ ହୋଇ ପଡ଼ିଥାଏ।
ମ୍ୟାଚ୍ର ଦୁଇ ତିନି ଦିନ ଆଗରୁ ମ୍ୟାଚ୍ ପାଇଁ ଟିକଟ ବିକ୍ରୟ କରାଯାଏ। କାଉଣ୍ଟର ଆଗରେ ଲମ୍ବା ଧାଡ଼ି ଲାଗେ। ଏହି ଧାଡ଼ିକୁ ଦେଖିଲେ ହିଁ ଲାଗେ ଯେ କାହିଁକି ଭାରତରେ କ୍ରିକେଟ୍ ଏକ ଅଘୋଷିତ ଯୁଦ୍ଧ। ଟିକଟ ବିକ୍ରି ଦିନ ବଡ଼ ଭୋରରୁ କାଉଣ୍ଟର ଆଗରେ ଲୋକ ଆସି ଠିଆହୁଅନ୍ତି। କିଏ ଆସିଥାଏ ଦଳବଳ ଧରି ସମ୍ବଲପୁରରୁ ତ ଆଉ କିଏ ଏକୁଟିଆ ପାଖ ସାହିରୁ। ପୋଲିସ୍ ସହ ଛକା ପଞ୍ଝା, ପାଖଲୋକଙ୍କ ସହ ଠେଲାପେଲା ଆଦି ଭିତରେ କିଏ ଟିକେଟ୍ ଧରି ସଗର୍ବେ ଘରକୁ ଫେରେ ତ ଆଉ କିଏ ଟିକେଟ ପାଇନପାରି ଚିରା ସାର୍ଟ ଆଉ ବିଫଳ ମନୋରଥ ନେଇ ଘରକୁ ଫେରିଥାଏ। ସବୁବର୍ଷ ଏମିତି ଚାଲିଥାଏ ଏ ବର୍ଷ ବି ଏମିତି ହୋଇଛି।
କଥା ହେଉଛି ଯେ ଯେତେବେଳେ ବି ବାରବାଟୀରେ ମ୍ୟାଚ୍ ହୁଏ ସେତେବେଳେ ଟିକେଟ୍ କେଳେଙ୍କାରୀର କଥା ଉଠେ। ଟିକଟ ସରିଯାଉଛି ବୋଲି କୁହାଯାଉଥିଲେ ବି ମ୍ୟାଚ୍ ଦିନ ଷ୍ଟାଡିୟମ ବାହାରେ ସେହି ଟିକଟ ସବୁ ଚାରି ପାଂଚ ଗୁଣ ଚଢ଼ା ଦାମରେ କିଣିବାକୁ ବାଧ୍ୟ ହୁଅନ୍ତି। ଟିକେଟ୍ର କଳାବଜାରୀ ଚାଲିଥିଲେ ବି ଏହାର ନୈତିକ ଦାୟିତ୍ୱ ନା ପୋଲିସ୍ ନିଏ ନା ଓସିଏ। ଅନଲାଇନ୍ରେ ଟିକେଟ କିଣିଲାବେଳେ ସାଇଟ୍ କ୍ରାସ ହୋଇଯିବା, କାଉଣ୍ଟରରୁ ଟିକେଟ୍ କିଣିଲାବେଳେ ପୋଲିସ୍ ସହ ଧସ୍ତାଧସ୍ତି ହେବା, ପରେ ଚୋରାରେ ଅଧିକ ଟଙ୍କା ଦେଇ ଟିକଟ କିଣିବା ଆଦି କଥା ସବୁବେଳେ ଚର୍ଚ୍ଚାକୁ ଆସିଥାଏ।
ବାରବାଟୀର ଦର୍ଶକ ଧାରଣ କ୍ଷମତା ସର୍ବାଧିକ ୪୪ ହଜାର ହୋଇଥିବା ବେଳେ ମାତ୍ର ୧୦ରୁ ୧୨ ହଜାର ଟିକଟ ବିକ୍ରି ହୋଇଥାଏ। ବାକି ସବୁ ଓସିଏ ତାହାର ନିଜର ଅନୁବନ୍ଧିତ କ୍ଲବ୍ମାନଙ୍କୁ ମାଗଣାରେ ଦେଇଥାଏ। ତେବେ ସତରେ ଯେ ସେମାନେ ଏହି ଟିକେଟ ସବୁ ପାଆନ୍ତି ଏବଂ ଏହାକୁ ନେଇ ମ୍ୟାଚ୍ ଦେଖିବାକୁ ଆସନ୍ତି ତାହା ଅବଶ୍ୟ ଭିନ୍ନ ପ୍ରସଙ୍ଗ। ଏହି ଟିକେଟ୍ସବୁ ବିଭିନ୍ନ ଅନୁବନ୍ଧିତ କ୍ଲବ୍ମାନଙ୍କୁ ଦିଆଯିବାର ବ୍ୟବସ୍ଥା ଥିଲେ ବି ଏହା କୌଶଳ କ୍ରମେ କଳାବଜାରୀଙ୍କ ହାତରେ ପହଁଚିଯାଏ ବୋଲି ଅତୀତରେ ଅଭିଯୋଗ ମଧ୍ୟ ହୋଇଛି। କାରଣ ଏହି ଫ୍ରି ଟିକେଟ୍ ପାଉଥିବା ଦର୍ଶକ ସବୁ ଯେ ବାଲେଶ୍ୱର କିମ୍ବା ମାଲାକାନାଗିରିରୁ ନିଜ ଖର୍ଚ୍ଚରେ ଆସି ମ୍ୟାଚ୍ ଦେଖି ଫେରିବେ ତାହା ଅନେକ ସମୟରେ ସମ୍ଭବ ହୁଏନା। ଏପରି ସ୍ଥିତିରେ ସେମାନଙ୍କ ନାମରେ ଆସୁଥିବା ଟିକେଟ୍ର ଯେ କଳାବଜାରୀ ହେଉନଥିବ ତାହା କିଏ କହିବ। ଯଦି ଏପରି ହେଉଥାଏ ତେବେ ଏହା ଚିନ୍ତାର ବିଷୟ।
ତେବେ ଏତେ ବଡ଼ ଷ୍ଟାଡିୟମର ମାତ୍ର ୨୫% ଟିକେଟ ବିକିବାକୁ ରଖି ବାକି ସବୁକୁ ନିଜ ପାଖରେ ରଖିବାଟା କ୍ରୀଡ଼ାପ୍ରେମୀଙ୍କୁ ଅପମାନ କେବଳ। ତେବେ ମାତ୍ର ୧୨/୧୫ ହଜାର ଟିକେଟ୍ ବିକିବାକୁ ନେଇ ଯଦି ଓସିଏ ଝାଳନାଳ ଆଣ୍ଠୁଏ ହୋଇ ପଡୁଛି ତେବେ ପୂରା ଚାଳିଶ ହଜାର ଟିକେଟ ବିକ୍ରି ହୋଇଥିଲେ ସ୍ଥିତି ଭିନ୍ନ ହୋଇଥାନ୍ତା ବୋଲି ଆମେ ଚିନ୍ତା କରିବାକୁ ବାଧ୍ୟ ହେବା ସ୍ୱାଭାବିକ।
ଓସିଏ ଯେତେବେଳେ ବି ଅନଲାଇନ୍ରେ ଟିକେଟ ବିକିବାକୁ ଚେଷ୍ଟା କରିଛି ତାହା ଖୋଲିବାର ଅଳ୍ପ ସମୟ ମଧ୍ୟରେ କ୍ରାସ କରିଯାଇଥିବାର ଖବର ଶୁଣିବାକୁ ମିଳେ। ଏହାର ଅନୁଧ୍ୟାନ କରିବୁ କହି ଓସିଏ ମାମଲାର ପୂର୍ଣ୍ଣଚ୍ଛେଦ ପକାଉଥିବାବେଳେ ଲୋକ ଏହାକୁ ଭୁଲି ଯାଇଥାଆନ୍ତି। ଏପରି ସ୍ଥିତିରେ ଅନଲାଇନ୍ ମାଧ୍ୟମରେ ଶତ ପ୍ରତିଶତ ଟିକଟ ବିକ୍ରି କରିବା ପରି ବିକଳ୍ପ ଉପରେ ଧ୍ୟାନ ଦେବା ଜରୁରୀ ହୋଇପଡ଼ିଛି। ତୁରନ୍ତ ବିନା କଷ୍ଟରେ ଏବଂ ବିନା ଶାରୀରିକ କଷଣରେ ଟିକେଟ୍ ମିଳିବା ସବୁ କ୍ରୀଡ଼ାପ୍ରେମୀଙ୍କର ଆବଶ୍ୟକତା ନୁହେଁ। କ୍ରୀଡ଼ାପ୍ରେମୀଙ୍କୁ ସୁବିଧା ନ ମିଳିଲେ କୌଣସି ବି କ୍ରୀଡ଼ା ଆଗକୁ ଯାଇପାରିବ ନାହିଁ।
ପ୍ରଥମ କଥା ହେଲା ମ୍ୟାଚ୍ ଆରମ୍ଭ ହେବାର ସର୍ବନିମ୍ନ ମାସେ ଆଗରୁ ଟିକଟ ବିକ୍ରି କରାଯାଉ। ପୁଣି ମୋଟ୍ ଟିକେଟର ୭୫% ବିକ୍ରିଯୋଗ୍ୟ ହେବା ବେଳେ ମାତ୍ର ୨୫ ଭାଗ ଟିକେଟ୍ ମାଗଣା ବଣ୍ଟନ ପାଇଁ ରଖିବା ଆବଶ୍ୟକ। ପୁଣି ଯେଉଁମାନେ ଟିକେଟ୍ କିଣି ପାରିବେ ସେମାନଙ୍କୁ ଆଦୌ ମାଗଣା ଦେବା କଥା ନୁହେଁ। କେବଳ ସ୍କୁଲ କିମ୍ବା କଲେଜର ପିଲାଙ୍କୁ ମାଗଣା କିଛି ପାସ୍ ଦେବା ଛଡ଼ା ଅନ୍ୟ ସବୁ ଟିକଟ ବିକିବାକୁ ଛାଡ଼ିଦେବା କଥା। ଏପରି ହେଲେ ଲୋକ ଟିକେଟ୍ କିଣିବାକୁ ତରତର ହେବେ ନାହିଁ। ଥରେ ଲୋକ ଅନଲାଇନ୍ ମାଧ୍ୟମରେ ଟିକେଟ୍ କିଣିସାରିଲା ପରେ ଏହାକୁ ଆମାଜନ କିମ୍ବା ଫ୍ଲିପ୍କାର୍ଟ ପରି ସଂସ୍ଥାମାନଙ୍କ ଦ୍ୱାରା ଲୋକଙ୍କ ଘରେ ପହଞ୍ଚାଇ ଦିଆଯାଉ। ମାସେ ଆଗରୁ ଟିକେଟ୍ କିଣିଲେ ଲୋକ ନିଜ ଘରେ ଏହାକୁ ସହଜରେ ପାଇ ପାରିବେ। ପଇସା ଦେଇସାରିଲା ପରେ ବି କାଉଣ୍ଟର ଯାଏ ଦୌଡ଼ିବା ଏବଂ ସମୟ ନଷ୍ଟ କରି ଧାଡ଼ିରେ ଠିଆ ହୋଇ ପୋଲିସଠାରୁ ଧକ୍କା ଖାଇବାର ମାନସିକ ନିର୍ଯାତନା ଏବଂ ଆର୍ଥିକ ଖର୍ଚ୍ଚରୁ ଭାବୀ ଦର୍ଶକ ଜଣଙ୍କ ସହଜରେ ବଂଚିପାରିବ। ପୁଣି ଏହି ସଂସ୍ଥାସବୁଙ୍କର ଏକ ସମୟରେ ଏକାଧିକ ଲୋକଙ୍କର କ୍ରୟ ଅନୁରୋଧକୁ ଗ୍ରହଣ କରିବାର ସାମର୍ଥ୍ୟ ଥିବାରୁ ସାଇଟ୍ କ୍ରାସ କରିବାର ଆଶଙ୍କା ରହିବ ନାହିଁ। ପୁଣି ପ୍ରତି ଟିକେଟ୍ ସହ ଯଦି ଆଧାର କିମ୍ବା ପ୍ୟାନ କାର୍ଡ ଲିଙ୍କ କରିଦିଆଯାଆନ୍ତା ତେବେ ଟିକେଟ୍ ହଜିଗଲେ ବି ଲୋକ ଆଧାର କିମ୍ବା ପ୍ୟାନ୍ କାର୍ଡ ନମ୍ବର କହି କାଉଣ୍ଟର ବାହାରୁ ଟିକେଟ୍ ନେଇ ପାରନ୍ତେ।
ଏହି ବ୍ୟବସ୍ଥା ସବୁ ବଡ଼ ଅସମ୍ଭବ ଲାଗୁଥିବା ବ୍ୟାପାର ନୁହେଁ। ସାମାନ୍ୟ ଚେଷ୍ଟା ଏବଂ ଉନ୍ନତ ଜ୍ଞାନ କୌଶଳ ବଳରେ ଏହି ନୂତନ ବ୍ୟବସ୍ଥାକୁ ଲାଗୁ କରାଯାଇ ପାରିବ। ଏଥିପାଇଁ ବ୍ୟାପକ ଅର୍ଥର ବି ଆବଶ୍ୟକତା ନାହିଁ। ଥିଲେ ବି ଓସିଏ ପାଖରେ ଅର୍ଥର ଅଭାବ ବି ନାହିଁ। ତେବେ ଏଥିପାଇଁ ମାନସିକତା ଲୋଡ଼ା।
ଫୋ- ୭୯୭୮୬୭୧୭୭୬
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।