ରବି ଦାସ
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ୱେବସାଇଟ୍ରେ ପ୍ରକାଶିତ ଏକ ଲେଖାରେ କୋଭିଡ୍-୧୯ ପରିଚାଳନାରେ ରାଜ୍ୟ ଶାସନର ଦକ୍ଷତା ଓ ଗୋଷ୍ଠୀଭିତ୍ତିକ କୌଶଳକୁ ପ୍ରଶଂସା କରାଯାଇଥିବାରୁ ରାଜ୍ୟ ସରକାର ଆତ୍ମସନ୍ତୋଷ ଲାଭ କରିବା ସ୍ୱାଭାବିକ। ଯଦିଓ ଓଡ଼ିଶାରେ କୋଭିଡ୍ ପରିଚାଳନାରେ ବିଭିନ୍ନ କ୍ଷେତ୍ରରେ ବିଫଳତାକୁ ନେଇ ବିରୋଧୀ ଦଳମାନେ ଓ ଗଣମାଧ୍ୟମ ସରକାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି। ଏପରିକି ଶାସକ ଦଳର ସତ୍ୟବାଦୀ ବିଧାୟକ କୋଭିଡ୍ ପରିଚାଳନା ନେଇ ନିଜ ଅଂଚଳର ଅଭିଜ୍ଞତାକୁ ସରକାରଙ୍କୁ ଯେପରି ସମାଲୋଚନା କରିଛନ୍ତି ତା’ର କୌଣସି ଉତର ସରକାରଙ୍କ ପକ୍ଷରୁ ଦିଆଯାଇନାହିଁ। ବାସ୍ତବିକ କୋଭିଡ୍ର ଆଗମନ ବାର୍ତ୍ତା ପାଇବା କ୍ଷଣି ଓଡ଼ିଶା ସରକାର କେତେକ ଆଗୁଆ ପଦକ୍ଷେପ ନେଇଥିଲେ। ଏପରିକି ଏହି ମହାମାରୀ ସମୟରେ ‘ଆମ୍ଫାନ’ ସାମୁଦ୍ରିକ ଝଡ଼ ସମୟରେ ସାମାଜିକ ଦୂରତା ରକ୍ଷା କରି ଲୋକମାନଙ୍କୁ ଥଇଥାନ କେନ୍ଦ୍ରକୁ ନେବାରେ ଓଡ଼ିଶା ଅତୀତ ଅଭିଜ୍ଞତା ଦୃଷ୍ଟିରୁ ସଫଳତାର ସହ କାର୍ଯ୍ୟ ସଂପାଦନ କରିଥିଲେ। କୋଭିଡ୍ ହସପିଟାଲ ନିର୍ମାଣ କ୍ଷେତ୍ରରେ ମଧ୍ୟ ଓଡ଼ିଶା କେତେଗୁଡ଼ିଏ ପଦକ୍ଷେପ ନେଇଥିଲା, ଯାହାକୁ ପ୍ରଶଂସା ମଧ୍ୟ କରାଯାଇପାରେ। ଏପରିକି ପ୍ରବାସୀ ଶ୍ରମିକମାନେ ଓଡ଼ିଶାକୁ ଆସିବା ପୂର୍ବରୁ ପଂଚାୟତମାନଙ୍କୁ ବା ସରପଂଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇ ବହୁଗୁଡ଼ିଏ କ୍ୱାରେନ୍ଟାଇନ ସେଂଟର କରାଯାଇଥିଲା। ଏହି କାର୍ଯ୍ୟକୁ ମଧ୍ୟ ସେତେବେଳେ ପ୍ରଶଂସା କରାଯାଇଥିଲା।
କିନ୍ତୁ କ୍ୱାରେନ୍ଟାଇନ ପରିଚାଳନାରେ ଗୁରୁତର ଅବ୍ୟବସ୍ଥା ଯୋଗୁ ପ୍ରବାସୀ ଶ୍ରମିକମାନେ ଆସିଯିବା ପରେ ଓଡ଼ିଶାରେ କରୋନା ସଂକ୍ରମଣ ହାର ଦ୍ରୁତଗତିରେ ବୃଦ୍ଧି ପାଇଥିଲା। ପ୍ରଥମ ଅବସ୍ଥାରେ ଟେଷ୍ଟ ପାଇଁ ଅତି କମ୍ ବ୍ୟବସ୍ଥା ଥିଲା, ଯାହା ପରବର୍ତୀ ଅବସ୍ଥାରେ ଓ ବିଶେଷ ଭାବରେ ଆଂଟିଜେନ୍ ଟେଷ୍ଟ ଆସିବା ପରେ ସଂପ୍ରସାରିତ ହୋଇଥିଲା। କିନ୍ତୁ କ୍ୱାରେନଟାଇନ ପରିଚାଳନା ଓ ପରେ କୋଭିଡ ସେଂଟର ବ୍ୟବସ୍ଥାରେ ତ୍ରୁଟି ଓ ଅସୁବିଧାଗୁଡ଼ିକ ବଢ଼ିବା ଫଳରେ ପ୍ରଥମେ ଗଞ୍ଜାମ ଓ ପରେ ଅନ୍ୟଆଡ଼େ ସଂକ୍ରମଣ ଘଟିଲା। ଶାସକ ଦଳର ଜଣେ ବିଧାୟକ ଓ ଜଣେ ସାଂସଦ ଏହି ପରିଚାଳନାଗତ ତ୍ରୁଟି ନେଇ ସମାଲୋଚନା କରି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମଧ୍ୟ ଲେଖିଥିଲେ। କରୋନା ପରିଚାଳନାରେ ପଂଚାୟତମାନଙ୍କୁ ସଂଶ୍ଳିଷ୍ଟ କରିବାକୁ ‘ହୁ’ ପ୍ରଶଂସା କରିଥିଲେ ମଧ୍ୟ ବାସ୍ତବରେ କୋଭିଡ ପରିଚାଳନା ପ୍ରଶାସନିକ ଅଧିକାରୀମାନଙ୍କ ଦ୍ୱାରା ସବୁସ୍ତରରେ ପରିଚାଳିତ ହେଲା। ସେଥିପାଇଁ ମାସ୍କ ଓ ପିପିଇ କିଣାରେ ଦୁର୍ନୀତି ପଦାକୁ ଆସିଲା। ‘ହୁ’ର ଯୁକ୍ତି ହେଲା ଯେ, ଓଡ଼ିଶାରେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି ଓ ମୃତ୍ୟୁହାର ଶତକଡ଼ା ୦.୩୮ ରହିଛି, ଯଦିଓ ଜାତୀୟସ୍ତରରେ ଏହି ମୃତ୍ୟୁହାର ଶତକଡ଼ା ୧.୫ ପ୍ରତିଶତ ରହିଛି। ତେବେ ଓଡ଼ିଶା ଲୋକମାନଙ୍କର ଚାରିଆଡ଼ୁ ଅଭିଯୋଗ ହେଉଛି ଯେ, ମୃତ୍ୟୁ ନେଇ ଯେଉଁ ତଥ୍ୟ ଦିଆଯାଉଛି ତାହାଠାରୁ ଅଧିକ ଲୋକଙ୍କର ମୃତ୍ୟୁ ହେଉଛି। କେବଳ କଟକ, ଭୁବନେଶ୍ୱରରେ ନୁହେଁ, ଗଞ୍ଜାମ, ଜୟପୁର, ସମ୍ବଲପୁର ଓ ବରଗଡ଼ ପ୍ରଭୃତି ବିଭିନ୍ନ ସ୍ଥାନରୁ ଏହି ଅଭିଯୋଗ ଆସିଛି।
ହୁ’ କର୍ତ୍ତୃପକ୍ଷ ସରକାରୀ ତଥ୍ୟ ବାହାରେ ଆଉ କିଛି ତଥ୍ୟ ପାଇପାରିବେ ନାହିଁ। ଓଡ଼ିଶାର ଶାସନ ବ୍ୟବସ୍ଥା ଓ ଆଗୁଆ ୧ହଜାର ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ପ୍ରତିଷ୍ଠା ସହିତ ସାଢ଼େ ୮ ଲକ୍ଷ ପ୍ରବାସୀ ଶ୍ରମିକମାନଙ୍କୁ ନିୟନ୍ତ୍ରଣ କରିବାରେ ଓଡ଼ିଶାକୁ ଯେଉଁ ପ୍ରଶଂସା କରାଯାଇଛି ତାହା ଅପେକ୍ଷା ବାସ୍ତବରେ ଓଡ଼ିଶା ଜନସାଧାରଣଙ୍କର ସହଯୋଗ ବିଶେଷ ଭାବରେ ଉଲ୍ଲେଖନୀୟ। ଓଡ଼ିଶାରେ ଥିବା ଏମ୍ସର ଡାଇରେକ୍ଟର ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି। ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟ ଓ ପଦକ୍ଷେପକୁ ଜନସାଧାରଣ ସହାୟତା ଦେଇଛନ୍ତି। ଯଦିଓ ଏହି ୬ ମାସରୁ ଊର୍ଦ୍ଧ୍ୱ ଅଭିଜ୍ଞତାରୁ ଓଡ଼ିଶାରେ ସାଧାରଣ ରୋଗୀମାନେ ଚିକିତ୍ସିତ ହେବାରେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ଅଧିକାଂଶ ସରକାରୀ ହସପିଟାଲରେ ଆଉଟଡୋର ଚିକିତ୍ସା ଯଥେଷ୍ଟ ସଂକୁଚିତ ହେବା ସହିତ ସର୍ଜରୀ ବା ହସପିଟାଲ ସୁବିଧା ପ୍ରାୟ ଲୋପପାଇଯାଇଛି। ଅଣକୋଭିଡ୍ ରୋଗୀମାନେ ଘରୋଇ ହସପିଟାଲର ସାହାଯ୍ୟ ନେଇଥିବା ବେଳେ ସେମାନଙ୍କୁ ଏହିସବୁ ଘରୋଇ ସଂସ୍ଥାମାନେ ମନଇଚ୍ଛା ଲୁଟ୍ କରିଛନ୍ତି। ଯେହେତୁ ଓଡ଼ିଶାରେ କୋଭିଡ ହସପିଟାଲଗୁଡ଼ିକର ଶଯ୍ୟା ସଂଖ୍ୟା ମାତ୍ର ୭ ହଜାର ଏବଂ ରାଜ୍ୟରେ ପ୍ରାୟ ୩୭ ହଜାର ସକ୍ରିୟ ସଂକ୍ରମଣକାରୀ ଅଛନ୍ତି ସେହେତୁ ଅଧିକାଂଶ ଘରୋଇ କ୍ୱାରେନ୍ଟାଇନରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଭିତରୁ ଯେଉଁମାନଙ୍କ ଅବସ୍ଥା ହଠାତ୍ ବିଗିଡ଼ି ଯାଉଛି ସେମାନେ ହସପିଟାଲ ବେଡ୍ ପାଇବା ପୂର୍ବରୁ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ଏହିସବୁ ତଥ୍ୟର ଯେତେ କାହାଣୀ ରହିଛି ‘ହୁ’ କର୍ତ୍ତୃପକ୍ଷ ସେଗୁଡ଼ିକ ଜାଣିବା ସମ୍ଭବ ନୁହେଁ।
ଅମାନିଆ ଲୋକମାନଙ୍କ ପାଇଁ ସଂକ୍ରମଣ ବ୍ୟାପୁଛି ବୋଲି ପ୍ରଚାର କରାଯାଇ ବିଭିନ୍ନ ସମୟରେ ନିୟମଗୁଡ଼ିକ କଡ଼ାକଡ଼ି କରିବା ପାଇଁ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଚେଷ୍ଟା ଚଳାଇଛନ୍ତି। ଲୋକମାନଙ୍କଠାରୁ ବେଆଇନ କାର୍ଯ୍ୟ ପାଇଁ ମୋଟା ଧରଣର ଫାଇନ ମଧ୍ୟ ଆଦାୟ କରାଯାଉଛି। ବର୍ତ୍ତମାନ ଆଇନ ଅନୁସାରେ କୋଭିଡ ନିୟମ ଭଙ୍ଗ କଲେ ଜଣଙ୍କୁ ଗିରଫ କରାଯାଇପାରିବ ଓ ତାଙ୍କୁ ୬ ମାସ ଜେଲ୍ ଦଣ୍ଡ ବି ହୋଇପାରିବ। ଓଡ଼ିଶାର ଅଧିକାଂଶ ଜନସାଧାରଣ ଏହି ନିୟମ ଅନୁସାରେ କାର୍ଯ୍ୟ କରୁଥିବାରୁ ଓ ସଂକ୍ରମଣ ଯୋଗୁ ସୃଷ୍ଟି ହୋଇଥିବା ଭୟ ଯୋଗୁଁ ନିଜକୁ ନିରାପଦ ରଖୁଥିବାରୁ ଓଡ଼ିଶାରେ ସଂକ୍ରମଣ ନିୟନ୍ତ୍ରିତ ଅଛି ବୋଲି ସହଜରେ କୁହାଯାଇପାରିବ। ଏମ୍ସର ଡାଇରେକ୍ଟର ଏକଥା ନିଜେ ସ୍ୱୀକାର କରିଛନ୍ତି। ଗୋଟିଏ ସମୟରେ ନିୟନ୍ତ୍ରିତ ସଂକ୍ରମଣ ପାଇଁ ରାଜ୍ୟ ସରକାର ‘ହୁ’ର ପ୍ରଶଂସା ଗୋଟାଉଥିବା ସମୟରେ ଯେଉଁ ଜନସାଧାରଣମାନଙ୍କ ପାଇଁ ଏହା ସଫଳ ହେଲା ସେମାନଙ୍କୁ ଧନ୍ୟବାଦ ନଦେଇ ନିୟମ ଭଙ୍ଗକାରୀମାନଙ୍କ ପାଇଁ କଠୋର ଆଇନ କରାଯାଉଛି। ଯେପରିକି ଏହି ନିୟମ ଭଙ୍ଗକାରୀଙ୍କ ବିରୋଧରେ ୧ ଲକ୍ଷ ଟଙ୍କା ଫାଇନ ଓ ୨ ବର୍ଷ ଜେଲ୍ ଦଣ୍ଡ ଦିଆଯାଇପାରିବ। ଏଭଳି ଏକ କ୍ଷମତା ରାଜ୍ୟ ସରକାର ଓ ପୁଲିସକୁ ପ୍ରଦାନ କରିବା ଗଣତନ୍ତ୍ର ଓ ସ୍ୱାଧୀନତା ପ୍ରତି ଏକ ବିପଦ ହୋଇ ଛିଡ଼ା ହେବାକୁ ଯାଉଛି। କାରଣ ଏହି ଆଇନରେ ଯେଉଁ ବ୍ୟବସ୍ଥା ଅଛି ସେଥିରେ କର୍ତ୍ତୃପକ୍ଷ ନିୟମ ଭଙ୍ଗକାରୀମାନଙ୍କୁ କଠୋର ଦଣ୍ଡ ଦେଇପାରିବେ ଓ ମୁକ୍ତ ମଧ୍ୟ କରିଦେଇପାରିବେ। ଏହା ସରକାରୀ ବିରୋଧୀମାନଙ୍କ ବିରୋଧରେ ବା ବିରୋଧୀ ଦଳମାନଙ୍କ ପ୍ରତି ବା ବିକ୍ଷୋଭକାରୀମାନଙ୍କ ବିରୋଧରେ ପ୍ରୟୋଗ କରିବାର ଯଥେଷ୍ଟ ଆଶଙ୍କା ରହିଛି। କୋଭିଡ୍ ପରିଚାଳନା ପାଇଁ ପ୍ରଶଂସା ଗୋଟାଇବା ସମୟରେ କଠୋର ଆଇନ ପ୍ରଣୟନ କରିବାର କି ଆବଶ୍ୟକତା ରହିଛି? ସରକାର ବୋଧେ ଭାବିଛନ୍ତି ଯେ କୋଭିଡ ଏକ ସ୍ଥାୟୀ ବ୍ୟବସ୍ଥା ଭାବରେ ରହିବ ଓ ଯାହାକୁ ବ୍ୟବହାର କରି ସରକାର ବିରୋଧୀମାନଙ୍କୁ ନିୟନ୍ତ୍ରଣ କରିପାରିବେ। ଯେତେବେଳେ ଆସନ୍ତାବର୍ଷ କୋଭିଡ୍ ଟିକା ଆସିଯିବ ବୋଲି କୁହାଯାଉଛି ସେତେବେଳେ ବର୍ତ୍ତମାନର ଥିବା ଆଇନ ଓ ନିୟମର ସଂଶୋଧନ କରି ନିୟମ ଭଙ୍ଗକାରୀଙ୍କ ବିରୋଧରେ କଠୋର ଦଣ୍ଡ ଦେବାର ବ୍ୟବସ୍ଥା କରାଯିବାର କୌଣସି ଆବଶ୍ୟକତା ନାହିଁ।
ଯେଉଁ ସମୟରେ ‘ହୁ’ର ପ୍ରଶଂସାକୁ ନେଇ ସରକାର ଖୁସି ଅଛନ୍ତି ସେହି ସମୟରେ ପ୍ରକାଶ ପାଇଛି ଯେ, ରାଜ୍ୟରେ ମହିଳାମାନଙ୍କ ବିରୋଧରେ ଓ ବିଶେଷ ଭାବରେ ନାବାଳିକାମାନଙ୍କ ବିରୋଧରେ ଅସଦାଚରଣ ଓ ଦୁଷ୍କର୍ମ ମାମଲାରେ ସାରା ଦେଶରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ଥିବା ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟରୁ ଜଣାପଡ଼ିଛି। ଏହି କ୍ଷେତ୍ରରେ ଉତ୍ତର ପ୍ରଦେଶ ପ୍ରଥମ ସ୍ଥାନରେ ରହିଛି। ଉତ୍ତର ପ୍ରଦେଶ ଲୋକସଂଖ୍ୟା ଦୃଷ୍ଟିରୁ ଓଡ଼ିଶାର ୪ ଗୁଣରୁ ଅଧିକ। ତଥାପି ଓଡ଼ିଶାରେ ଅସଦାଚରଣ ମାମଲା ୨୦୧୯ରେ ୧୧୩୧୮ ହୋଇଥିବା ସମୟରେ ଉତ୍ତର ପ୍ରଦେଶରେ ୧୨,୧୫୭ ରହିଛି। ଏହି ତଥ୍ୟରେ କୁହାଯାଇଛି ଯେ, ଅସାଚରଣ ମାମଲାରେ ମହିଳାଙ୍କୁ ଦୁଷ୍କର୍ମ ନିମନ୍ତେ ପୋଷାକ କାଢ଼ିବା ପାଇଁ ଲକ୍ଷ୍ୟ ରଖି ଯେଉଁ ମାମଲା ରହିଛି ସେଥିରେ ଓଡ଼ିଶାର ସଂଖ୍ୟା ୨୮୧୮। ଏ କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଏହିସବୁ ମାମଲାଗୁଡ଼ିକ ନାବାଳିକାମାଙ୍କ କ୍ଷେତ୍ରରେ ହୋଇଥିବାରୁ ଓଡ଼ିଶାରେ ନାବାଳିକାମାନେ ସୁରକ୍ଷିତ ନୁହଁନ୍ତି ବୋଲି ସହଜରେ କୁହାଯାଇପାରିବ। ରାଜ୍ୟ ସରକାର ଏ ଦିଗରେ ବିଶେଷ କିଛି କରିପାରିୁନାହାନ୍ତି। ନାବାଳିକାମାନଙ୍କୁ ଦୁଷ୍କର୍ମ ଓ ମହିଳାମାନଙ୍କୁ ଦୁଷ୍କର୍ମରେ ଓଡ଼ିଶାର ସ୍ଥାନ ସାରା ଦେଶରେ ୭ ଓ ୮ରେ ରହିଛି। ଯେତେବେଳେ ଉତ୍ତର ପ୍ରଦେଶର ହାଥରସ୍ରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶରେ ଏବେ ଆଲୋଡ଼ନ ସୃଷ୍ଟି କରିଥିବା ସମୟରେ ଓଡ଼ିଶାରେ ନାରୀମାନେ କେତେ ସୁରକ୍ଷିତ ତାହା ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟରୁ ପରିଷ୍କାର ଜଣାପଡ଼ୁଛି। ଓଡ଼ିଶାରେ କୋଭିଡ୍ କାଳରେ ଇନଫୋସିଟି ଥାନା ଅଧୀନରେ ହୋଇଥିବା ଏକ ଗଣଦୁଷ୍କର୍ମ ମାମଲାରେ ଗତ ଏକ ମାସ ହେଲା ପୁଲିସ ଅପରାଧୀମାନଙ୍କୁ ଗିରଫ କରିନପାରିବା ଓ ଅଯଥାରେ ଅନ୍ୟ ଆଡ଼କୁ ଦୋଷ ଦେବା ପାଇଁ ବିଭ୍ରାନ୍ତି ସୃଷ୍ଟି କରିବା ଘଟଣା ମହିଳାମାନଙ୍କ ସୁରକ୍ଷା ଉପରେ ଥିବା ପ୍ରଶ୍ନବାଚୀକୁ ଅଧିକ ସ୍ପଷ୍ଟ କରିଦେଇଛି।
ବରିଷ୍ଠ ସାମ୍ବାଦିକ
ମୋ- ୯୪୩୭୪୦୪୪୫୫