- ରବି ଦାସ
ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଯିଏକି ଆସନ୍ତା ମାସରେ ଅବସର ଗ୍ରହଣ କରିଥାନ୍ତେ ତାଙ୍କ ଚାକିରି କାଳ ଆଉ ୬ ମାସ ବଢ଼ାଇଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିବା ଓ କେନ୍ଦ୍ର ସରକାର ଏଥିପାଇଁ ଅନୁମତି ଦେବା ରାଜ୍ୟ ଅମଲାତନ୍ତ୍ରରେ ଏକ ଆଲୋଡ଼ନ ସୃଷ୍ଟିକରିଛି। ଅତୀତରେ ବିଜୁ ପଟ୍ଟନାୟକ ଶାସନ କାଳ ଶେଷ ବେଳକୁ ତତ୍କାଳୀନ ମୁଖ୍ୟ ଶାସନ ସଚିବ ରବି ଦାସଙ୍କ କାର୍ଯ୍ୟକାଳକୁ ୬ ମାସ ବୃଦ୍ଧି କରାଯାଇଥିଲା ଓ ପରେ ଜାନକୀ ବଲ୍ଲଭ ପଟ୍ଟନାୟକ ଶାସନ ଦାୟିତ୍ୱ ନେବା ପରେ ଆଉ ୬ ମାସ ଶାସନ ବଢ଼ାଯାଇଥିଲା। କିନ୍ତୁ ଗତ କେତେ ବର୍ଷ ଭିତରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ଉଦ୍ୟମ ହୋଇନଥିବା ବେଳେ ସୁରେଶ ମହାପାତ୍ରଙ୍କ ପାଇଁ ଏପରି ପଦକ୍ଷେପ କାହିଁକି ଗ୍ରହଣ କରାଗଲା? ଅଧିକାଂଶ ଧରିନେଇଥିଲେ ଯେ, ସୁରେଶ ମହାପାତ୍ରଙ୍କ ପରେ ଉନ୍ନୟନ କମିଶନର ଥିବା ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଭାବରେ ନିଯୁକ୍ତି ପାଇବେ। ଯଦିଓ ସେ ଏବେ ମଧ୍ୟ ମୁଖ୍ୟ ଶାସନ ସଚିବ ପାହ୍ୟାରେ ଅଛନ୍ତି କିନ୍ତୁ ପ୍ରତ୍ୟେକ ଆଇଏଏସ୍ ଅଧିକାରୀଙ୍କର ଶେଷ ଲକ୍ଷ୍ୟ ହେଉଛି ମୁଖ୍ୟ ଶାସନ ସଚିବ ଭାବରେ ନିଯୁକ୍ତି ପାଇବା। ପୂର୍ବରୁ ଏଥିପାଇଁ ଆଉ ଜଣେ ପ୍ରଦୀପ୍ତ ମହାପାତ୍ରଙ୍କୁ ସଚିବାଳୟରୁ ବାହାର କରାଯାଇ ରାଜ୍ୟ ଜଙ୍ଗଲ ନିଗମର ସିଏମଡି ଭାବରେ ନିଯୁକ୍ତି ଦିଆଯାଇଛି।
ବାସ୍ତବରେ ଦେଖିବାକୁ ଗଲେ ଓଡ଼ିଶାରେ ମୁଖ୍ୟ ଶାସନ ସଚିବ ପାହ୍ୟାରେ ଅଫିସରଙ୍କ ଅଭାବ ନାହିଁ। ଓଡ଼ିଶାରେ ମୁଖ୍ୟ ଶାସନ ସଚିବ ପାହ୍ୟାରେ ଚାରି ଜଣ ଅଫିସର ଅବସ୍ଥାପିତ ଥାଆନ୍ତି। ସେମାନେ ହେଲେ ମୁଖ୍ୟ ଶାସନ ସଚିବ, ବୋର୍ଡ ଅଫ ରେଭିନ୍ୟୁର ସଦସ୍ୟ, କେବିକେର ମୁଖ୍ୟ ପ୍ରଶାସକ ଓ ଉନ୍ନୟନ କମିଶନର। ଏମାନଙ୍କ ଛଡ଼ା ଏକ୍ସ କ୍ୟାଡରରେ ଆଉ ଚାରିଜଣ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ଯାଇପାରିବେ। ଏମାନେ ପ୍ରଶାସନିକ ସେବାରେ ସବୁଠାରୁ ଅଧିକ ବେତନଧାରୀ ଅଧିକାରୀ। ଏହି ସମୟରେ ରାଜ୍ୟ ସରକାର ୧୯୯୧ ବ୍ୟାଚ୍ର ଚାରିଜଣ ଆଇଏଏସ୍ ଅଧିକାରୀଙ୍କୁ ଉପମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଥିଲେ ସେମାନେ ମଧ୍ୟ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ୩୦ ବର୍ଷର ଚାକିରି ପରେ ପ୍ରମୋସନ ପାଇଛନ୍ତି। ମୋନା ଶର୍ମା ଓ ସଂଜୀବ ଚୋପ୍ରା ମଧ୍ୟ ଉପମୁଖ୍ୟ ଶାସନ ସଚିବ ପାହ୍ୟାରେ ଅଛନ୍ତି। ଏମାନଙ୍କ ଛଡ଼ା ଜିଭିଭି ଶର୍ମା କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ସେହି ପାହ୍ୟାରେ ଅଛନ୍ତି। ଅର୍ଥାତ୍ ଓଡ଼ିଶା ସରକାର ମୁଖ୍ୟ ଶାସନ ସଚିବ ପାହ୍ୟାରେ ପ୍ରାୟ ୧୪ ଜଣ ଅଫିସରଙ୍କୁ ଅବସ୍ଥାପିତ କରିସାରିଲେଣି। ଏଥିପାଇଁ କେନ୍ଦ୍ରର ଅନୁମତି ନିଆଯାଇଛି କି ନାହିଁ ତାହା ଜଣାନାହିଁ।
ଏତେ ସଂଖ୍ୟାରେ ଉଚ୍ଚ ପଦବୀରେ ଅଫିସର ଥିବା ସତ୍ୱେ ସୁରେଶ ମହାପାତ୍ରଙ୍କ ଚାକିରି କାର୍ଯ୍ୟକାଳ କାହିଁକି ଛ’ ମାସ ବଢ଼ାଗଲା ତାହା ବୁଝିବା କଷ୍ଟସାଧ୍ୟ ହୋଇଛି। ସମ୍ଭବତଃ ରାଜ୍ୟ ସରକାର ସ୍ୱାଭାବିକ ଭାବରେ ପ୍ରଦୀପ ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଭାବରେ ଅବସ୍ଥାପିତ କରିବାକୁ ଚାହୁଁନାହାନ୍ତି। ଯଦିଓ ଜଣେ ଦକ୍ଷ ଓ କର୍ମଠ ଅଫିସର ଭାବରେ ତାଙ୍କର ସୁନାମ ରହିଛି। ଓଡ଼ିଶାର ଲୋକ ହୋଇଥିବାରୁ ତାଙ୍କର ରାଜ୍ୟ ପ୍ରତି ଅଙ୍ଗୀକାରବଦ୍ଧତା ନେଇ କୌଣସି ପ୍ରଶ୍ନ ଉଠିନପାରେ। ଯାହା ଜଣାପଡ଼ୁଛି ତୃତୀୟ ମହଲା କୌଣସି କାରଣରୁ ପ୍ରଦୀପ ଜେନାଙ୍କୁ ଅଟକାଇ ଦେବାକୁ ସୁରେଶ ମହାପାତ୍ରଙ୍କ ଚାକିରି କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି। ଏହାକୁ ନେଇ ପ୍ରଶାସନିକ ସେବାରେ ଅସନ୍ତୋଷ ଥିଲେ ମଧ୍ୟ ଏହା କେହି ପ୍ରକାଶ କରିବାକୁ ଭୟ କରୁଛନ୍ତି।
ଓଡ଼ିଶାରେ ସମସ୍ତେ ଜାଣନ୍ତି ଯେ, ଗଲା ଦୁଇ ଦଶନ୍ଧି ଧରି ରାଜ୍ୟର ଶାସନ ଭାର ବସ୍ତୁତଃ ଅମଲାତନ୍ତ୍ର ଦ୍ୱାରା ପରିଚାଳିତ। ଏଥିରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ ବେଶ୍ ଗୁରୁତ୍ୱପୂର୍ଣ୍ଣ ପଦବୀ। ତଥାପି ଶାସନର ପ୍ରତ୍ୟେକଟି ନିୟନ୍ତ୍ରଣ ତୃତୀୟ ମହଲା ଉପରେ କେନ୍ଦ୍ରୀଭୂତ ହୋଇରହିଛି। କେଉଁମାନେ କେଉଁ ଜିଲ୍ଲାରେ ଜିଲ୍ଳାପାଳ ହେବେ ବା କେଉଁ ପୋଲିସ ଅଧିକାରୀ କେଉଁ ଜିଲ୍ଲାରେ ଏସ୍ପି ପାହ୍ୟାରେ ନିଯୁକ୍ତ ପାଇବେ ସେଗୁଡ଼ିକ ତୃତୀୟ ମହଲାର ଇଙ୍ଗିତରେ ପରିଚାଳିତ ହେଉଛି। ଯେଉଁ ପୋଲିସ ମହାନିର୍ଦ୍ଦେଶକ ଓ ମୁଖ୍ୟ ଶାସନ ସଚିବ ଏହି ଧାରାକୁ ଗ୍ରହଣ କରି କାର୍ଯ୍ୟ କରିବେ ସେମାନଙ୍କର କୌଣସି ଅସୁବିଧା ନାହିଁ। ସୁରେଶ ମହାପାତ୍ର ସେହି ପର୍ଯ୍ୟାୟର ଜଣେ ପ୍ରଶାସନିକ ଅଧିକାରୀ ହୋଇଥିବାରୁ ତାଙ୍କର କାର୍ଯ୍ୟକାଳକୁ ଛ’ ମାସ ବୃଦ୍ଧି କରାଯାଇଛି।
ଯେହେତୁ ରାଜ୍ୟ ଶାସନରେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ସବୁଠାରୁ କ୍ଷମତାଶାଳୀ ଓ ତାଙ୍କର ନିର୍ଦ୍ଦେଶାନୁସାରେ ଅମଲାତନ୍ତ୍ର ପରିଚାଳିତ ହେଉଛନ୍ତି ବୋଲି ବିଚାର କରାଯାଏ। କିନ୍ତୁ ସାଧାରଣରେ ଏକ ଧାରଣା ଯେ, ମୁଖ୍ୟମନ୍ତ୍ରୀ ସିଧାସଳଖ ଭାବରେ ଅଧିକାଂଶ ଅଫିସରମାନଙ୍କ ସହିତ ଗତ ଦୁଇବର୍ଷରୁ ଊର୍ଦ୍ଧ୍ୱ ହେଲା ଯୋଗାଯୋଗରେ ନାହାନ୍ତି। ତାଙ୍କର ସଚିବ ଯାହାଙ୍କୁ ୫-ଟି ସଚିବ ବୋଲି କୁହାଯାଉଛି ସେ ହିଁ ମୁଖ୍ୟମନ୍ତ୍ରୀଙ୍କର ପ୍ରକୃତ ପ୍ରତିନିଧି ବୋଲି ବିଚାର କରାଯାଇ ତାଙ୍କରି ଇଙ୍ଗିତରେ ରାଜ୍ୟରେ ଶାସନ କାର୍ଯ୍ୟ ଚାଲିଛି। ସେହି ପୃଷ୍ଠଭୂମିରେ ସୁରେଶ ମହାପାତ୍ରଙ୍କ ପରେ କିଏ ମୁଖ୍ୟ ଶାସନ ସଚିବ ହେବେ ସେଥିପାଇଁ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ସ୍ୱାଭାବିକ ଭାବରେ ପ୍ରଦୀପ ଜେନା ଏହି ସ୍ଥାନକୁ ଯାଇଥିଲେ ବିଶେଷ କୌଣସି ପ୍ରତିଯୋଗିତା ହୋଇନଥାନ୍ତା। କିନ୍ତୁ ସୁରେଶ ମହାପାତ୍ରଙ୍କର କାର୍ଯ୍ୟକାଳ ବୃଦ୍ଧି ପରେ ଓ ମୁଖ୍ୟ ଶାସନ ସଚିବ ପାହ୍ୟାରେ ବହୁସଂଖ୍ୟକ ଅଫିସରଙ୍କୁ ପଦୋନ୍ନତି ଦିଆଯାଇଥିବାରୁ ପ୍ରତିଯୋଗିତା ବଢ଼ିବାରେ ଲାଗିଛି।
ରାଜ୍ୟ ମନ୍ତ୍ରିମଣ୍ଡଳରେ କୌଣସି ମନ୍ତ୍ରୀଙ୍କର ମଧ୍ୟ ସିଧାସଳଖ ଭାବରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଗତ କେତେବର୍ଷ ହେଲା ପ୍ରତ୍ୟକ୍ଷ ଯୋଗାଯୋଗ ନାହିଁ। ସୋମାନେ ମଧ୍ୟ ମୁଖ୍ୟମନ୍ତ୍ରୀ କ’ଣ ଚାହୁଁଛନ୍ତି ଜାଣିବା ପାଇଁ ତାଙ୍କ ସଚିବ ଉପରେ ନିର୍ଭର କରୁଛନ୍ତି। ଓଡ଼ିଶାରେ ଏବେ ଏପରି ଏକ ସମୟ ଆସିଛି ଯେଉଁଠାରେ ଉଚ୍ଚପଦରେ ଅଧିଷ୍ଠିତ ଅଧିକାରୀମାନଙ୍କ ବିଷୟରେ ମତାମତ ଦେବାର ଅଧିକାର କ୍ୟାବିନେଟ ମନ୍ତ୍ରିମାନଙ୍କର ମଧ୍ୟ ନାହିଁ। ଏପରିକି ଜିଲ୍ଲାପାଳ ଓ ଏସ୍ପି ସଂକ୍ରାନ୍ତରେ ମଧ୍ୟ ସଂପୃକ୍ତ ଜିଲ୍ଳାର ମନ୍ତ୍ରୀମାନଙ୍କ ମତାମତ ନିଆଯାଉନାହିଁ। ଓଡ଼ିଶା ଶାସନରେ ପୂର୍ବରୁ ଏପରି ଅବସ୍ଥା କେବେ ବି ହୋଇନଥିଲା। ଏହି ପରିପ୍ରେକ୍ଷୀରେ ସୁରେଶ ମହାପାତ୍ରଙ୍କର କାର୍ଯ୍ୟକାଳ କାହିଁକି ବଢ଼ିଲା ଓ ତାଙ୍କ ପରେ କିଏ ରାଜ୍ୟର ମୁଖ୍ୟ ଶାସନ ସଚିବ ହେବ ସେ ବିଷୟରେ କୌଣସି ମନ୍ତ୍ରୀ କିଛି ବି ସୂଚନା ବା କଳ୍ପନାଜଳ୍ପନା କରିବାକୁ ସାହସ କରୁନାହାନ୍ତି।
କିନ୍ତୁ ରାଜ୍ୟର ଜନସାଧାରଣ କେଉଁ କାରଣରୁ ମୁଖ୍ୟ ଶାସନ ସଚିବ ପାହ୍ୟାର ଉଚ୍ଚ ଦରମାରେ ୧୪ ଜଣ ଅଫିସରଙ୍କୁ ଓଡ଼ିଶା ପରି ଏକ ରାଜ୍ୟ ବହନ କରିଛି ସେ ନେଇ ପ୍ରଶ୍ନ କରିବା ଉଚିତ। ରାଜ୍ୟରେ ଶିଳ୍ପ ସଂସ୍ଥାର ଓ ବିକାଶର ଯେତେ ସ୍ଲୋଗାନ ଦିଆଯାଉଥିଲେ ମଧ୍ୟ ସବୁକ୍ଷେତ୍ରରେ ବେକାରୀ ବଢ଼ିବାରେ ଲାଗିଛି। ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି କଥା ଯାହା କୁହାଯାଉଛି ସେଥିରୁ ଅଧିକାଂଶ ଭାଗ ଖଣି ଶିଳ୍ପକୁ ନେଇ ହିସାବ କରାଯାଉଛି। କିନ୍ତୁ ରାଜ୍ୟର ଶିକ୍ଷିତ ଯୁବକମାନେ ବିଶେଷ ଭାବରେ ଦଳିତ, ଆଦିବାସୀ ଓ ପଛୁଆ ଶ୍ରେଣୀର ଲୋକମାନେ ଚାକିରି ଖଣ୍ଡେ ଯୋଗାଡ଼ କରିବା କଷ୍ଟଦାୟକ ହୋଇଯାଇଛି। ରାଜ୍ୟର ଆର୍ଥିକ ଅଭିବୃଦ୍ଧି ମାତ୍ର ମୁଷ୍ଟିମେୟ ଲୋକଙ୍କ ହାତରେ ରହିଥିବା ସମୟରେ ବେକାରୀ ବୃଦ୍ଧି ଯୋଗୁ ସାଧାରଣ ଲୋକମାନଙ୍କ ଆୟ ସଂକୁଚିତ ହୋଇଛି।
ବରିଷ୍ଠ ସାମ୍ବାଦିକ
ମୋ- ୮୦୧୮୦୯୪୪୫୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।