ଗାନ୍ଧୀଜୀ ବି ଲଢିଥିଲେ ନିର୍ବାଚନ

ସରଳ କୁମାର ଦାସ ଅନେକଙ୍କର ବିଶ୍ୱାସ ଯେ ଗାନ୍ଧୀଜୀ ଦେଶସେବାରେ ବ୍ରତୀ ଥିବାରୁ ଓ ତାଙ୍କର କୌଣସି ପଦରେ ଅଭିଷିକ୍ତ ହେବାର ଲାଳସା ନଥିବାରୁ ସେ ନିର୍ବାଚନ ଲଢି ନ ଥିଲେ। ଗାନ୍ଧୀଜୀଙ୍କ ଆତ୍ମଜୀବନୀରେ ତାଙ୍କ ନିର୍ବାଚନୀ ଅଭିଜ୍ଞତା ସମ୍ପର୍କରେ କୌଣସି ଉଲ୍ଲେଖ ନ ଥିବାରୁ ସେ ବୋଧହୁଏ ନିର୍ବାଚନକୁ ସେତେ ଗୁରୁତ୍ୱ ଦେଉ ନ ଥିଲେ ବୋଲି ବାର୍ତ୍ତାଟିଏ ଯାଇ ଲୋକଙ୍କ ଉପରୋକ୍ତ ବିଶ୍ୱାସଟି ସୁଦୃଢ ହୋଇ ଥାଇପାରେ। ତେବେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ବିଶ୍ୱାସୀ […]

mahatma-gandhi

Debendra Prusty
  • Published: Monday, 13 July 2020
  • , Updated: 13 July 2020, 07:06 PM IST

ସରଳ କୁମାର ଦାସ

ଅନେକଙ୍କର ବିଶ୍ୱାସ ଯେ ଗାନ୍ଧୀଜୀ ଦେଶସେବାରେ ବ୍ରତୀ ଥିବାରୁ ଓ ତାଙ୍କର କୌଣସି ପଦରେ ଅଭିଷିକ୍ତ ହେବାର ଲାଳସା ନଥିବାରୁ ସେ ନିର୍ବାଚନ ଲଢି ନ ଥିଲେ। ଗାନ୍ଧୀଜୀଙ୍କ ଆତ୍ମଜୀବନୀରେ ତାଙ୍କ ନିର୍ବାଚନୀ ଅଭିଜ୍ଞତା ସମ୍ପର୍କରେ କୌଣସି ଉଲ୍ଲେଖ ନ ଥିବାରୁ ସେ ବୋଧହୁଏ ନିର୍ବାଚନକୁ ସେତେ ଗୁରୁତ୍ୱ ଦେଉ ନ ଥିଲେ ବୋଲି ବାର୍ତ୍ତାଟିଏ ଯାଇ ଲୋକଙ୍କ ଉପରୋକ୍ତ ବିଶ୍ୱାସଟି ସୁଦୃଢ ହୋଇ ଥାଇପାରେ। ତେବେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ବିଶ୍ୱାସୀ ଗାନ୍ଧୀଜୀ ନିର୍ବାଚନ ପ୍ରକ୍ରିୟାକୁ କେବଳ ଯେ ଗୁରୁତ୍ୱ ଦେଉଥିଲେ ତାହା ନୁହେଁ, ବରଂ ସେ ନିଜେ ମଧ୍ୟ ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ। ସେ ସମୁଦାୟ କେତେ ଥର ନିର୍ବାଚନ ଲଢିଥିଲେ, ତାହା ବିଧିବଦ୍ଧ ଭାବେ କୌଣସିଠାରେ ଉଲ୍ଲେଖ ହୋଇ ନ ଥିଲେ ବି ଅନ୍ତତଃ ଚାରି ଥର ନିର୍ବାଚନ ଲଢିଥିବାର ତଥ୍ୟ ଉପଲବ୍ଧ ହେଉଛି। ତେବେ ଐତିହାସିକ ରିଜଓ୍ୱାନ କାଦରିଙ୍କ ଅନୁସାରେ ଗାନ୍ଧୀଜୀ ସର୍ବମୋଟ ପାଞ୍ଚ ଥର ନିର୍ବାଚନ ଲଢିଥିଲେ। ଏ ସମ୍ପର୍କରେ ଅଧିକ ଗବେଷଣା ହେଲେ ହୁଏତ ସ୍ଥିତି ଆହୁରି ସ୍ପଷ୍ଟ ହୋଇ ପାରିବ। ତଥାପି ଉପଲବ୍ଧ ତଥ୍ୟ ଆଧାରରେ ଗାନ୍ଧୀଜୀଙ୍କ ନିର୍ବାଚନୀ ରଣାଙ୍ଗନରେ ଥିବା ଖଟାମିଠା ଅନୁଭୂତିର ବିଶ୍ଳେଷଣ କରା ଯାଇପାରେ।

ଦକ୍ଷିଣ ଆଫ୍ରିକାରୁ ପ୍ରତ୍ୟାବର୍ତ୍ତନ କରି ଜାନୁଆରୀ ୯, ୧୯୧୫ରେ ଭାରତରେ ପହଞ୍ଚିଲା ପରେ ଗାନ୍ଧୀଜୀ ଅହମ୍ମଦାବାଦଠାରେ ଏକ ଆଶ୍ରମ ପ୍ରତିଷ୍ଠା କରିବା ଲକ୍ଷ୍ୟ ରଖି ସେହି ସହରକୁ ନିଜ କର୍ମଭୂମି କରିବା ଆରମ୍ଭ କରିଥାଆନ୍ତି। ସେତିକିବେଳେ ଅହମ୍ମଦାବାଦରେ ଏକ ପ୍ରକାର ନିର୍ବାଚନୀ ଋତୁ ଆରମ୍ଭ ହୋଇ ଯାଇଥାଏ। ମାର୍ଚ୍ଚ ମାସ ଅହମ୍ମଦାବାଦ ମ୍ୟୁନିସିପାଲିଟି ପାଇଁ ନିର୍ବାଚନ ଘୋଷଣା ହୋଇ ସାରିଥାଏ। ଗାନ୍ଧୀଜୀ ସେହି ନିର୍ବାଚନରେ ଭାଗ ନେବା ପାଇଁ ମନ ବଳାଇ ଥିଲେ ବି କୌଣସି କାରଣ ବଶତଃ ତାହା ଫଳବତୀ ହୋଇ ପାରି ନ ଥିଲା। ସେତେବେଳେ ଅହମ୍ମଦାବାଦର ଓକିଲ, ଡାକ୍ତର, ଅଧ୍ୟାପକ ଓ ଅନ୍ୟ ବୁଦ୍ଧିଜୀବୀମାନେ ମୋଟାମୋଟି ଦୁଇଟି ଅନୁଷ୍ଠାନ ସହ ଜଡିତ ଥିଲେ। ଅବସର ବିନୋଦନ ପାଇଁ ‘ଗୁଜରାଟ କ୍ଲବ’ ଓ ଆଲୋଚନା, ବିଚାର ବିମର୍ଶ ପାଇଁ ‘ଗୁଜରାଟ ସଭା’। ବଲ୍ଲଭଭାଇ ପଟେଲ ‘ଗୁଜରାଟ କ୍ଲବ’ର ଜଣେ ମୁଣ୍ଡିଆଳ ରୂପେ ଗଣା ହେଉଥିଲେ। ଏହି ସମୟରେ ଗାନ୍ଧୀଜୀ ବେଳେବେଳେ ‘ଗୁଜରାଟ କ୍ଲବ’କୁ ଯାଉଥିଲେ। ଉଲ୍ଲେଖଯୋଗ୍ୟ, ଏହିଠାରେ ହିଁ ଜୁନ, ୧୯୧୬ରେ ବଲ୍ଲଭଭାଇ ପଟେଲଙ୍କ ସହ ତାଙ୍କର ପ୍ରଥମ ଐତିହାସିକ ସାକ୍ଷାତ ହୋଇଥିଲା ଓ ଉଭୟଙ୍କ ମଧ୍ୟରେ ଗଢି ଉଠିଥିବା ବନ୍ଧୁତ୍ୱ ସାରା ଜୀବନ ଅତୁଟ ରହିଥିଲା। ଅନ୍ୟ ପକ୍ଷରେ ‘ଗୁଜରାଟ ସଭା’ ଏକ ସାର୍ବଜନୀନ ରାଜନୈତିକ ସଂଗଠନ ଥିଲା ଓ ଓକିଲଙ୍କଠାରୁ ଆରମ୍ଭ କରି ନାଗରିକ ସମାଜର ବିଶିଷ୍ଟ ଲୋକମାନେ ଏଥି ସହ ସଂଶ୍ଳିଷ୍ଟ ଥିଲେ। ସେତେବେଳେ ଗୁଜରାଟରୁ ଜାତୀୟ କଂଗ୍ରେସର ବାର୍ଷିକ ଅଧିବେଶନରେ ଅଂଶଗ୍ରହଣ କରିବା ଲାଗି ‘ଗୁଜରାଟ ସଭା’ ପ୍ରତିନିଧି ବାଛି ପଠାଉଥିଲା। ସେଥିପାଇଁ ଗାନ୍ଧୀଜୀ ୧୯୧୫ରେ ‘ଗୁଜରାଟ ସଭା’ର ନିର୍ବାଚନରେ ଭାଗ ନେଇ ଏହାର ଉପ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏହା ହିଁ ଥିଲା ସେ ଲଢିଥିବା ପ୍ରଥମ ନିର୍ବାଚନ ଓ ସେଥିରେ ସେ ସଫଳତାର ସ୍ୱାଦ ଚାଖିଥିଲେ। ୧୯୧୭ରେ ଚମ୍ପାରଣ ସତ୍ୟାଗ୍ରହରେ ଗାନ୍ଧୀଜୀଙ୍କ ଭୂମିକା ଓ ସଫଳତାରେ ବିମୋହିତ ହୋଇ ‘ଗୁଜରାଟ ସଭା’ ତରଫରୁ, ବିଶେଷ କରି ପରବର୍ତ୍ତୀ ସମୟରେ ଲୋକସଭାର ପ୍ରଥମ ବାଚସ୍ପତି ହୋଇଥିବା ଗଣେଶ ବାସୁଦେବ ମାଭଲଙ୍କରଙ୍କ ଦ୍ୱାରା ତାଙ୍କୁ ‘ଗୁଜରାଟ ସଭା’ର ସଭାପତି ବାୟିତ୍ୱ ଗ୍ରହଣ କରିବାକୁ ଅନୁରୋଧ କରା ଯାଇଥିଲା। ଗାନ୍ଧୀଜୀ ତାହା ସ୍ୱୀକାର କରି ୧୯୧୮-୧୯ରେ ‘ଗୁଜରାଟ ସଭା’ର ସଭାପତି ଭାବେ ଦାୟିଚ୍ୱ ଗ୍ରହଣ କରିଥିଲେ। ଅବଶ୍ୟ ଏଥିପାଇଁ କୌଣସି ନିର୍ବାଚନ ହୋଇ ନ ଥିଲା ଓ ତାଙ୍କ ସହ ମାଭଲଙ୍କର ମଧ୍ୟ ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଏହି ସମୟରେ ଖେଡାରେ ହୋଇଥିବା ବିଦ୍ରୋହରେ ‘ଗୁଜରାଟ ସଭା’ ଏକ ପ୍ରମୁଖ ଭୂମିକା ଗହଣ କରିଥିଲା। ୧୯୨୧ରେ ‘ଗୁଜରାଟ ସଭା’କୁ ଭାରତୀୟ ଜାତୀୟ କଂଗ୍ରେସରେ ବିଲୟ କଲା ପରେ ଏହାକୁ ଗୁଜରାଟ ପ୍ରଦେଶ କଂଗ୍ରେସ କମିଟି କୁହାଯିବାକୁ ଲାଗିଲା।

ଭାରତୀୟ କଂଗ୍ରେସର ସବଜେକ୍ଟ କମିଟି ପାଇଁ ୧୯୧୫ରେ ହୋଇଥିବା ନିର୍ବାଚନରେ ଗାନ୍ଧୀଜୀ ଅଂଶ ଗ୍ରହଣ କରି ପାରି ନ ଥିଲେ। ତେବେ ତତକାଳୀନ ଭାରତୀୟ କଂଗ୍ରେସ ସଭାପତି ତାଙ୍କୁ ସେହି କମିଟିକୁ ମନୋନୀତ କରିଥିଲେ। ସବଜେକ୍ଟ କମିଟି ପାଇଁ ୧୯୧୭ରେ ହୋଇଥିବା ନିର୍ବାଚନରେ ଗାନ୍ଧୀଜୀ ଭାଗ ନେଇ ଅତି ଶୋଚନୀୟ ଭାବେ ପରାଜିତ ହୋଇଥିଲେ। ଏହି ନିର୍ବାଚନରେ ତାଙ୍କୁ ମାତ୍ର ତିନି ଖଣ୍ଡ ଭୋଟ ମିଳିଥିଲା ଓ ଏହା ଥିଲା ତାଙ୍କ ପାଇଁ କୌଣସି ନିର୍ବାଚନରେ ପ୍ରଥମ ପରାଜୟର ସ୍ୱାଦ।

ଏତିକିବେଳେ ସେ ‘ନବଜୀବନ’ ପତ୍ରିକାର ସମ୍ପାଦନା ଦାୟିତ୍ୱ ତୁଲାଉଥିବାରୁ ଅନେକ ଗୁଜରାଟୀ ସାହିତ୍ୟିକଙ୍କ ସହ ତାଙ୍କର ସୁସମ୍ପର୍କ ଥିଲା। ଏହି ସମୟରେ ୧୯୦୫ରେ ରଞ୍ଜିତରାମ ମେହଟ୍ଟାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଗୁଜରାଟୀ ସାହିତ୍ୟ ପରିଷଦ’ ଅନୁଷ୍ଠାନଟି ଗୁଜରାଟୀ ସାହିତ୍ୟିକଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ପାଇଁ ଏକ ପ୍ରମୁଖ ଅନୁଷ୍ଠାନ ରୂପେ କାର୍ଯ୍ୟ କରୁଥିଲା। ଗୁଜରାଟୀ ଭାଷା ଓ ସାହିତ୍ୟର ବିକାଶ କ୍ଷେତ୍ରରେ ଏହି ଅନୁଷ୍ଠାନଟି ଏ ଯାବତ୍ ଅଗ୍ରଣୀ ଭୂମିକା ନିର୍ବାହ କରି ଆସୁଛି। ୧୯୧୯ ମସିହାରେ ଏହାର ପଞ୍ଚମ ସଭାପତି ପଦ ପାଇଁ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଗାନ୍ଧୀଜୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଓ ଏହି ନିର୍ବାଚନରେ ଅଂଶଗ୍ରହଣ ତାଙ୍କ ପାଇଁ ଏକ ପ୍ରକାର ସମ୍ମାନର ପ୍ରଶ୍ନ ହୋଇ ଯାଇଥିଲା। ଗାନ୍ଧୀଜୀଙ୍କ  ନିର୍ବାଚନରେ ଭାଗ ନେବାକୁ ଅନେକେ ସାଦରେ ଗ୍ରହଣ କରି ପାରି ନ ଥିଲେ ଓ କେହି କେହି ତ ତାଙ୍କୁ ଖୋଲାଖୋଲି ବିରୋଧ କରିଥିଲେ। ତାଙ୍କୁ ବିରୋଧ କରୁଥିବା ଲୋକଙ୍କ ମଧ୍ୟରେ ଥିଲେ ତାଙ୍କ ସହକର୍ମୀ ନରହରି ପାରିଖ। ନିର୍ବାଚନରେ ଗାନ୍ଧୀଜୀଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିଲେ ହରଗୋବିନ୍ଦ ଦାସ କାଣ୍ଟାଓ୍ୱାଲା। ହରଗୋବିନ୍ଦ ଜଣେ ସମାଜ ସଂସ୍କାରକ ଥିଲେ ଓ ତାଙ୍କ ଦ୍ୱାରା ରଚିତ ‘ସଂସାର ସୁଧାରୋ’ ନାମକ ପୁସ୍ତକ ୧୯୨୦ରେ ପ୍ରକାଶ ପାଇଥିଲା। ସେ ମଧ୍ୟ ବରୋଦା ରାଜ୍ୟର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ହୋଇଥିବାରୁ ଅନେକ ସାହିତ୍ୟିକ ତାଙ୍କୁ ସମର୍ଥନ କରୁଥିଲେ। ଶେଷରେ ସେପ୍ଟେମ୍ୱର ୨୨, ୧୯୧୯ରେ ଅହମ୍ମଦାବାଦରେ ଅନୁଷ୍ଠିତ ନିର୍ବାଚନରେ ହରଗୋବିନ୍ଦ ଦାସ କାଣ୍ଟାଓ୍ୱାଲା ୨୨ ଖଣ୍ଡ ଭୋଟ ପାଇ ସଭାପତି ଭାବେ ନିର୍ବାଚିତ ହୋଇଥିଲା ବେଳେ ଗାନ୍ଧୀଜୀଙ୍କୁ ମିଳିଥିଲା ୧୫ ଖଣ୍ଡ ଭୋଟ। ନିର୍ବାଚନରେ ପରାଜୟ ଯୋଗୁ ସେ ଦୁଃଖରେ ଭାଙ୍ଗି ପଡି ନ ଥିଲେ ବା ପ୍ରତିକ୍ରିୟାଶୀଳ ହୋଇ ନ ଥିଲେ। ସେ ଏହି ପରାଜୟକୁ ସ୍ୱାଭାବିକ ଭାବେ ଗ୍ରହଣ କରିଥିଲେ। ଏହାପରେ ସେ ଗୁଜରାଟୀ ସାହିତ୍ୟ ପରିଷଦଠାରୁ ଦୂରେଇ ଯାଇଥିଲେ ବି ପରିଷଦ ତରଫରୁ ତାଙ୍କୁ ୧୯୨୫ରେ ପୁଣି ଥରେ ସଭାପତି ପଦରେ ଅଳଙ୍କୃତ କରିବା ପାଇଁ ଚେଷ୍ଟା ହୋଇଥିଲା, ଯେଉଁଥିରେ ସେ ରାଜି ହୋଇ ନ ଥିଲେ। କିନ୍ତୁ ବାରମ୍ବାର ଅନୁରୋଧ କ୍ରମେ ୧୯୩୬ ମସିହାରେ ସେ ଗୁଜରାଟୀ ସାହିତ୍ୟ ପରିଷଦର ଦ୍ୱାଦଶ ସଭାପତି ହେବାକୁ ସମ୍ମତି ଜଣାଇ ଦାୟିତ୍ୱ ଗ୍ରହଣ କରିଥିଲେ। ଅବଶ୍ୟ ଏଥିପାଇଁ କୌଣସି ନିର୍ବାଚନ ଅନୁଷ୍ଠିତ ହୋଇ ନ ଥିଲା।

ଗାନ୍ଧୀଜୀ ୧୯୨୦ରେ ‘ଅଲ ଇଣ୍ଡିଆ ହୋମ ରୁଲ ଲିଗ’ର ସଭାପତି ପଦରେ ଅଧିଷ୍ଠିତ ହୋଇଥିଲେ। ଏଥିପାଇଁ ବି ତାଙ୍କୁ ନିର୍ବାଚନ ଲଢିବାକୁ ପଡି ନ ଥିଲା। ଏହାପରେ ତାଙ୍କ ନେତୃତ୍ୱରେ ସାରା ଦେଶରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଗଲା ଓ ସେଥିରେ ସକ୍ରିୟ ଅଂଶଗ୍ରହଣ କରି ତାଙ୍କୁ ୧୯୨୨ରେ ୬ ବର୍ଷ ଲାଗି ଜେଲ ଦଣ୍ଡ ଭୋଗିବାକୁ ହେଲା। ଅବଶ୍ୟ ଖରାପ ସ୍ୱାସ୍ଥ୍ୟାବସ୍ଥା କାରଣରୁ ତାଙ୍କୁ ୨ ବର୍ଷ ପରେ ୧୯୨୪ରେ ମୁକ୍ତି ପ୍ରଦାନ କରା ଯାଇଥିଲା। ଜେଲରୁ ଫେରିବା ପରେ ସେହି ବର୍ଷ ଭାରତୀୟ କଂଗ୍ରେସର ବେଲଗାଓଁଠାରେ ଅନୁଷ୍ଠିତ ହୋଇଥିବା ୩୯ତମ ଅଧିବେଶନରେ ତାଙ୍କୁ ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରା ଯାଇଥିଲା। ସେତେବେଳର ନିୟମାନୁସାରେ କେବଳ କଂଗ୍ରେସର ଆଞ୍ଚଳିକ କମିଟିର ନିର୍ବାଚିତ ସଦସ୍ୟମାନେ ହିଁ ଅଧିବେଶନରେ ଅଂଶଗ୍ରହଣ କରି ପାରୁଥିଲେ। ତେଣୁ ଗାନ୍ଧୀଜୀଙ୍କୁ ଅଧିବେଶନରେ ଅଂଶଗ୍ରହଣ କରିବା ଲାଗି ନିର୍ବାଚିତ ହେବା ଅନିବାର୍ଯ୍ୟ ଥିଲା। ଗୁଜରାଟ ଆଞ୍ଚଳିକ କମିଟିର ୧୧ ଜଣିଆ ପ୍ରତିନିଧି ଦଳ ବାଛିବା ପାଇଁ ହେଉଥିବା ନିର୍ବାଚନରେ ଗାନ୍ଧୀଜୀ ଅହମ୍ମଦାବାଦର ଦକ୍ସରୋଇ ତାଲୁକାରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି ନିର୍ବାଚନରେ ସେ ସର୍ବାଧିକ ୧୭୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ବଲ୍ଲଭଭାଇ ପଟେଲ ଗୁଜରାଟ ଆଞ୍ଚଳିକ କମିଟିର ନିର୍ବାଚିତ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଇଥିଲେ।

୧୯୨୦ରେ ଅହମ୍ମଦାବାଦ ମ୍ୟୁନିସିପାଲିଟି ପାଇଁ ହେବାକୁ ଥିବା ନିର୍ବାଚନରେ ଅଂଶଗ୍ରହଣ କରିବା ଲାଗି ମଧ୍ୟ ଗାନ୍ଧୀଜୀଙ୍କ ଇଚ୍ଛା ଥିଲା। ହେଲେ ସେତେବେଳେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇ ଯାଇଥିବାରୁ ସେ ଆଉ ନିର୍ବାଚନରେ ଭାଗ ନେଇ ପାରି ନ ଥିଲେ। ୧୯୨୪ ପରେ ସେ ଆଉ କେବେ ହେଲେ ନିର୍ବାଚନରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିନାହାନ୍ତି। ନିର୍ବାଚନରେ ଭାଗ ନେବାକୁ ଏତେ ଆଗ୍ରହୀ ଗାନ୍ଧୀଜୀ କେବେ ଓ କାହିଁକି ନିର୍ବାଚନ ନ ଲଢିବା ପାଇଁ ମନସ୍ଥ କଲେ ସେ ସମ୍ପର୍କରେ ସୂଚନା ଓ ତଥ୍ୟ ଉପଲବ୍ଧ ନାହିଁ। ତେବେ ସେତେବେଳକୁ ଭାରତୀୟ ରାଜନୀତିରେ ଗାନ୍ଧୀଜୀଙ୍କ ଆକାର ଓ ଉଚ୍ଚତା ଏତେ ବିଶାଳ ହୋଇ ସାରିଥିଲା ଯେ କୌଣସି ପଦ ପଦବୀ ତାଙ୍କ ଆଗରେ ଗୌଣ ହୋଇ ଯାଉଥିଲା। ହୁଏତ ସେ ଚାହିଁଥିଲେ ଯେ କୌଣସି ପଦ ତାଙ୍କୁ ଅଯାଚିତ ଭାବେ ମିଳି ପାରିଥାଆନ୍ତା ଓ ସେଥିପାଇଁ ତାଙ୍କୁ ନିର୍ବାଚନର ସମ୍ମୁଖୀନ ହେବାକୁ ବି ପଡି ନ ଥାଆନ୍ତା। ଆଉ ସମ୍ଭବତଃ ସେଥିପାଇଁ ସେ କୌଣସି ପଦ ପାଇଁ କାହା ସହିତ ନିର୍ବାଚନ ଲଢି ନିଜର ସେହି ଛବିଟିକୁ କ୍ଷୁଦ୍ର ବା ମଳିନ କରି ଦେବାକୁ ଚାହୁଁ ନ ଥିଲେ। ନିଜେ ନିର୍ବାଚନରେ ଅବତୀର୍ଣ୍ଣ ହୋଇ ନ ଥିଲେ ବି ଗଣତନ୍ତ୍ରରେ ଭରସା ଥିବାରୁ ନିର୍ବାଚନୀ ପ୍ରକ୍ରିୟା ଉପରେ ତାଙ୍କର ଅଗାଧ ବିଶ୍ୱାସ ଓ ରୁଚି ଅତୁଟ ରହିଥିଲା। ନିର୍ବାଚନରେ ତାଙ୍କ ପସନ୍ଦର ପ୍ରାର୍ଥୀଟିଏ ଜିତୁ ବୋଲି ସେ କେବଳ ଚାହୁଁ ନ ଥିଲେ ବରଂ ସେଥିପାଇଁ ପରୋକ୍ଷରେ ବା ପ୍ରତ୍ୟକ୍ଷ ଭାବେ ଉଦ୍ୟମ କରୁଥିଲେ ମଧ୍ୟ। ୧୯୨୫ରୁ ୧୯୪୮ରେ ତାଙ୍କ ନିଧନ ହେବା ପର୍ଯ୍ୟନ୍ତ ଭାରତୀୟ କଂଗ୍ରେସର ସଭାପତି ପଦ ଅଳଙ୍କୃତ କରିଥିବା ୧୨ ଜଣଙ୍କ ମଧ୍ୟରୁ ନେତାଜୀ ସୁବାସ ବୋଷଙ୍କ ବ୍ୟତୀତ ପ୍ରାୟ ଅନ୍ୟ ସମସ୍ତେ ଗାନ୍ଧୀଜୀଙ୍କ ଆନୁଗାମୀ ବା ଅନୁଗତ ଥିଲେ। ସେହିପରି କଂଗ୍ରେସ ଓ୍ୱାର୍କିଂ କମିଟିର ଅଧିକାଂଶ ସଦସ୍ୟ ବି ତାଙ୍କ ଅନୁଗତ ଥିଲେ। ଅବଶ୍ୟ ଏହି ସମୟରେ ସେ ମଝିରେ ମଝିରେ ପ୍ରତ୍ୟକ୍ଷ ରାଜନୀତିଠାରୁ ଦୂରେଇ ରହିଥିଲେ। ୧୯୩୯ରେ ନେତାଜୀ ସୁବାସ ବୋଷଙ୍କ ସଭାପତି ଭାବେ ପୁନର୍ନିର୍ବାଚନକୁ ଗାନ୍ଧୀଜୀ ଯେଉଁପରି ଖୋଲାଖୋଲି ବିରୋଧ କରିଥିଲେ, ତାହା ସର୍ବଜନ ବିଦିତ। ନେତାଜୀଙ୍କ ବିରୁଦ୍ଧରେ ଗାନ୍ଧୀଜୀ ପ୍ରଥମେ ନେହରୁଙ୍କୁ ପ୍ରାର୍ଥୀ କରିବା ସପକ୍ଷରେ ଥିଲେ, ହେଲେ ନେହରୁ ସୁବାସ ବୋଷଙ୍କ ବିରୁଦ୍ଧରେ ଲଢିବାକୁ ପ୍ରସ୍ତୁତ ନ ଥିବାରୁ ନେହରୁ ମୌଲାନା ଅବୁଲ କଲାମ ଆଜାଦଙ୍କ ନାମ ପ୍ରସ୍ତାବ ଦେଇଥିଲେ। ମୌଲାନା ଆଜାଦ ପ୍ରଥମେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ରାଜି ହୋଇଥିଲେ ବି ଶେଷରେ ଓହରି ଯାଇଥିଲେ। ବାଧ୍ୟ ହୋଇ ଗାନ୍ଧୀଜୀଙ୍କ ଅନୁଗତ ଆନ୍ଧ୍ରର ପଟ୍ଟାଭି ସୀତାରାମାୟାଙ୍କୁ ପ୍ରାର୍ଥୀ ହେବାକୁ ପଡିଥିଲା। ଏହି ନିର୍ବାଚନକୁ ଗାନ୍ଧୀଜୀ ନିଜ ସମ୍ମାନର ପ୍ରଶ୍ନ ବୋଲି ଧରି ନେଇ ସୁବାସ ବୋଷଙ୍କୁ ହରାଇବା ଲାଗି ସକଳ ଉଦ୍ୟମ କରିଥିଲେ ବି ଶେଷରେ ସୁବାସ ବୋଷ ହିଁ ବିଜୟୀ ହୋଇଥିଲେ। ଜାନୁଆରୀ ୨୯, ୧୯୩୯ରେ ହୋଇଥିବା ଏହି ନିର୍ବାଚନରେ ସୁବାସ ବୋଷ ୧୫୮୦ଟି ଭୋଟ ପାଇଥିବା ବେଳେ ଗାନ୍ଧୀଜୀଙ୍କ ସମର୍ଥିତ ପ୍ରାର୍ଥୀ ପଟ୍ଟାଭି ସୀତାରାମାୟା ୧୩୭୭ ଖଣ୍ଡ ଭୋଟ ପାଇଥିଲେ। ତାଙ୍କ ପ୍ରାର୍ଥୀଙ୍କ ପରାଜୟ ଗାନ୍ଧୀଜୀଙ୍କୁ ଏକ ଶକ୍ତ ଆଘାତ ଦେଇଥିଲା। ସେ ଏତେ ବେଶି ମର୍ମାହତ ହୋଇ ପଡିଥିଲେ ଯେ ପଟ୍ଟାଭି ସୀତାରାମାୟା ତାଙ୍କ ପ୍ରରୋଚନାରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବାରୁ ଏହି ପରାଜୟ ପଟ୍ଟାଭିଙ୍କର ନୁହେଁ ବରଂ ତାଙ୍କ ନିଜର ବୋଲି ସେ ଘୋଷଣା କଲେ। ଏଥିରୁ ସେ ନିର୍ବାଚନକୁ କେତେ ଗୁରୁତ୍ୱ ଦେଇ ସଂଶ୍ଳିଷ୍ଟ ହେଉଥିଲେ, ତା’ର ସୂଚନା ମିଳେ।

ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଲା ବେଳକୁ ତାଙ୍କ ପଛରେ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ସେଠାରେ ନେତୃତ୍ୱ ନେବାର ଅନୁଭୂତି ଥିଲା। ସେଠାରେ ତାଙ୍କ ଅବଦାନ ସମ୍ପର୍କରେ ଭାରତର ଶୀର୍ଷ ସ୍ଥାନୀୟ ନେତାମାନେ ଅନ୍ତତଃ ଭଲ ଭାବେ ଜାଣିଥିଲେ ଓ ଏଠାରେ ତାଙ୍କର ଏକ ସ୍ୱତନ୍ତ୍ର ଛବି ନିର୍ମାଣ ହୋଇ ସାରିଥିଲା। ଏହା ସତ୍ତ୍ୱେ ଭାରତରେ ରୂପା ଚାମଚରେ ତାଙ୍କୁ ନେତୃତ୍ୱ ସହଜ ଲବ୍ଧ ହୋଇ ଯାଉ ବୋଲି ସେ କେବେ ଚାହୁଁ ନ ଥିଲେ। ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ୱାସୀ ଗାନ୍ଧୀଜୀ ସେଥିପାଇଁ ତାଲୁକା ଭଳି ତୃଣମୂଳ ସ୍ତରରେ ନିର୍ବାଚନ ଲଢିବାକୁ ମଧ୍ୟ ନିଜ ମର୍ଯ୍ୟାଦା ଅନୁରୂପ ବୋଲି ନ ଭାବି ସେଥିରେ ଭାଗ ନେଇଥିଲେ। କେବଳ ସେତିକି ନୁହେଁ, ନିର୍ବାଚନରେ ପରାଜୟର ସ୍ୱାଦ ଚାଖି ସେ ମ୍ରିୟମାଣ ବା ପ୍ରତିଶୋଧ ପରାୟଣ ହୋଇ ଯାଇ ନ ଥିଲେ। ସେ କଂଗ୍ରେସକୁ ନିର୍ବାଚନ ବର୍ଜନ କରିବାକୁ ବି ଆହ୍ୱାନ ଦେଇଛନ୍ତି। ହେଲେ ଶେଷ ପର୍ଯ୍ୟନ୍ତ ତାଙ୍କର ଯେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଓ ନିର୍ବାଚନୀ ପ୍ରକ୍ରିୟା ଉପରେ ବିଶ୍ୱାସ ଅତୁଟ ଥିଲା, ସେଥିରେ ସନ୍ଦେହ ନାହିଁ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

Related story