ନିର୍ବାଚନ ଆସିଲେ, ମନେପଡ଼େ ବିଧାନ ପରିଷଦ

୨୦୧୯ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଯେଭଳି ତତ୍ପରତା ପ୍ରଦର୍ଶନ କରାଯାଇ ପ୍ରସ୍ତାବ ପାରିତ ହେଲା ଓ ତାହାର ବହୁଳ ପ୍ରଚାର କରାଗଲା ମନେହେଲା ସତେଯେମିତି ୨୦୧୯ ସାଧାରଣ ନିର୍ବାଚନ ସରିବା ମାତ୍ରେ ଓଡ଼ିଶା ବିଧାନସଭା ଓ ବିଧାନ ପରିଷଦ - ଏପରି ଦୁଇଟି ଗୃହ ଗଠନ କରିବ। କିନ୍ତୁ, ଏପରି କିଛି ଘଟିଲା ନାହିଁ। କେନ୍ଦ୍ର ଓ ରାଜ୍ୟରେ ଥିବା ସରକାର ଦ୍ୱୟ ପୁନର୍ବାର ନିର୍ବାଚିତ ହୋଇ ଆସିଲେ ସତ; କିନ୍ତୁ ଓଡ଼ିଶା ବିଧାନସଭାରେ ପାରିତ ସଂକଳ୍ପ ଆଜିଯାଏଁ ବି ଶୀତଳ ଭଣ୍ଡାରର ବନ୍ଦ କୋଠରୀ ଭିତରେ ବନ୍ଦୀ ଜୀବନ କଟାଉଛି।

Odisha Assembly

  • Published: Wednesday, 23 August 2023
  • , Updated: 23 August 2023, 01:57 PM IST

News highlights

  • ଓଡ଼ିଶାରେ ବିଧାନସଭାକୁ ଉପଯୁକ୍ତ ଗୁରୁତ୍ୱ ମିଳୁ ନଥିବାବେଳେ ବିଧାନ ପରିଷଦର ଆବଶ୍ୟକତା କେତେ?
  • କାହିଁକି କେବଳ ନିର୍ବାଚନ ପାଖେଇ ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିଧାନ ପରିଷଦ କଥା ମନେପଡ଼େ?

ଓଡ଼ିଶା ପ୍ରଦେଶରେ ବିଧାନସଭା ସହିତ ବରିଷ୍ଠ ଓ ଅଭିଜ୍ଞଙ୍କ ପାଇଁ ଉଦ୍ଦିଷ୍ଟ ଏକ ବିଧାନ ପରିଷଦ ପ୍ରତିଷ୍ଠା ହେବା ଆବଶ୍ୟକ - ଏହାକୁ ଏକ ପ୍ରସଙ୍ଗ କରି ଶାସକ ବିଜୁ ଜନତା ଦଳର ଜଣେ ତୁଙ୍ଗ ନେତା କିଛି ଦିନ ତଳେ ଦଳର ପୁରୁଣା ଦାବିକୁ ଦୋହରାଇଛନ୍ତି। ବିଗତ ୨୩ ବର୍ଷରୁ ଅଧିକ କାଳ ଧରି ଲଗାତାର ଏବଂ ନିରଙ୍କୁଶ ଭାବେ ରାଜ୍ୟକୁ ଶାସନ କରି ଆସୁଥିବା ସରକାରୀ ଦଳ ଓଡ଼ିଶାରେ ବିଧାନସଭା ସହିତ ବିଧାନ ପରିଷଦ ରହିବା ଦରକାର ବୋଲି ହଠାତ ଅନୁଭବ କରିଥିବାରୁ ପୁଣି ଥରେ ଏହି ପ୍ରସଙ୍ଗଟି ମୁଣ୍ଡ ଟେକିଛି। ରାଜ୍ୟର ବିରୋଧୀ ଦଳ ବିଶେଷ କରି ବିଜେପି, ସାଧାରଣ ନିର୍ବାଚନ ମାତ୍ର ଆଠ ମାସ ବାକି ଥିବାବେଳେ ଶାସକ ଦଳ ଜାଣିଶୁଣି ବିଧାନ ପରିଷଦ ପ୍ରତିଷ୍ଠା ପ୍ରସଙ୍ଗକୁ ନେଇ ରାଜନୀତିକରଣ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ କରିଛି।

ଯେତେବେଳେ ନିର୍ବାଚନ ସମୟ ପାଖେଇ ଆସେ, ପ୍ରତ୍ୟେକ ଦଳ ଏପରି ଅନେକ ପ୍ରସଙ୍ଗ ଖୋଜନ୍ତି ଯାହା ଭୋଟରଙ୍କୁ ଛୁଇଁବ ଓ ଜୋରଦାର ଲଢ଼େଇ ହେଲେ, ନିଜ ଦଳର ଝଟକୁଥିବା ଭାବମୂର୍ତ୍ତୀ ସେମାନଙ୍କ ପାଇଁ ଭୋଟ ଅଜାଡ଼ି ଦେବ। ଅପ୍ରେଲ ପହିଲା ୧୯୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠନ ହେବା ପରଠାରୁ ସର୍ବସମ୍ମତିରେ କେବଳ ଗୋଟିଏ ବିଧାନସଭା ଗୃହରେ ଚଳି ଆସିଥିଲେ ହେଁ ଓଡିଶା ଭଳି ରାଜ୍ୟ ପାଇଁ ଏକ ଦ୍ୱିତୀୟ ଆଇନ ପ୍ରଣୟନକାରୀ ଗୃହ ନିଶ୍ଚିତ ଭାବେ ଆଞ୍ଚଳିକ ଭାବନାକୁ ଜାଗରୁକ କରିବାରେ ସକ୍ଷମ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଭାବେ ଗ୍ରହଣ କରାଯାଇପାରେ। ବିଜୁ ଜନତା ଦଳ ପରି ଏକ ଆଞ୍ଚଳିକ ଦଳର ଏହା ହିଁ ଏକ ଗୋପନ ରାଜନୈତିକ ଉଦ୍ଦେଶ୍ୟ - ଏହା ଆଗରୁ କୁହାଯାଉଥିଲା ଓ ଆଜି ଏହା ପୁନର୍ବାର ଦୋହରା ଯାଉଥିବାରୁ, ପୂର୍ବ ସନ୍ଦେହ ଯେ ଅମୂଳକ ନଥିଲା, ତାହା ନିଃସନ୍ଦେହରେ କୁହାଯାଇ ପାରେ।

ସେପ୍ଟେମ୍ବର ୬,୨୦୧୮ରେ ଓଡ଼ିଶା ରାଜ୍ୟରେ ଏକ ବିଧାନ ପରିଷଦ ଗଠନ ପାଇଁ ଓଡ଼ିଶା ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଥିଲା। ଗୃହର ତିନି ଜଣ ମାନ୍ୟବର ବିଧାୟକ ବିଧାନ ପରିଷଦ କାର୍ଯ୍ୟକାରୀ ହେଉଥିବା କିଛି ରାଜ୍ୟ ଗସ୍ତ କରି ନିଜର ଅନୁକୂଳ ମତାମତ ଓ ବିବରଣୀ ଦାଖଲ କରିଥିଲେ। ସେହି ବିବରଣୀ ଆଧାରରେ ବିଧାନସଭାରେ ସଂକଳ୍ପ ପାରିତ ହୋଇ କେନ୍ଦ୍ର ସରକାରଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯାଇଥିଲା। ୨୦୧୯ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଯେଭଳି ତତ୍ପରତା ପ୍ରଦର୍ଶନ କରାଯାଇ ପ୍ରସ୍ତାବ ପାରିତ ହେଲା ଓ ତାହାର ବହୁଳ ପ୍ରଚାର କରାଗଲା ମନେହେଲା ସତେଯେମିତି ୨୦୧୯ ସାଧାରଣ ନିର୍ବାଚନ ସରିବା ମାତ୍ରେ ଓଡ଼ିଶା ବିଧାନସଭା ଓ ବିଧାନ ପରିଷଦ - ଏପରି ଦୁଇଟି ଗୃହ ଗଠନ କରିବ। କିନ୍ତୁ, ଏପରି କିଛି ଘଟିଲା ନାହିଁ। କେନ୍ଦ୍ର ଓ ରାଜ୍ୟରେ ଥିବା ସରକାର ଦ୍ୱୟ ପୁନର୍ବାର ନିର୍ବାଚିତ ହୋଇ ଆସିଲେ ସତ; କିନ୍ତୁ ଓଡ଼ିଶା ବିଧାନସଭାରେ ପାରିତ ସଂକଳ୍ପ ଆଜିଯାଏଁ ବି ଶୀତଳ ଭଣ୍ଡାରର ବନ୍ଦ କୋଠରୀ ଭିତରେ ବନ୍ଦୀ ଜୀବନ କଟାଉଛି।

ଇତି ମଧ୍ୟରେ ଦୀର୍ଘ ପାଞ୍ଚ ବର୍ଷ ବିତିଯାଇଛି ଓ ୨୦୨୪ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ। ଏବେ ଏହି ପ୍ରସଙ୍ଗକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରୁଥିବା ବିଜେଡି ନେତାଏ ଅନୁଭବ କରୁଛନ୍ତି ଯେ ଦ୍ୱିତୀୟ ଗୃହ ପାଇବା ପାଇଁ ଓଡ଼ିଶାର ଏକ ଯୁକ୍ତିଯୁକ୍ତ ଅଧିକାର ରହିଛି। ସେଥିପାଇଁ, ସଂସଦରେ ଏହି ପ୍ରସଙ୍ଗ ଉତ୍ଥାପନ କରାଯାଇଛି। ଓଡ଼ିଶା ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ଅନୁମୋଦନ ପାଇଁ ପଠାଯାଇଥିବାରୁ କେନ୍ଦ୍ର ସରକାର ଯେ କାହିଁକି ପ୍ରସ୍ତାବ ଉପରେ ନିଷ୍ପତ୍ତି ନେଉ ନାହାନ୍ତି, ତାହାର ବିଭିନ୍ନ କାରଣ ଦର୍ଶାଇବାକୁ ପରୋକ୍ଷରେ ସମସ୍ତଙ୍କୁ ଉତ୍ସାହିତ କରୁଛି।

ଓଡ଼ିଶାର ବିଭିନ୍ନ ବିରୋଧୀ ଦଳର ନେତାମାନଙ୍କ ଅଭିଯୋଗ ଯେ ବିଧାନ ପରିଷଦର ଗଠନ ଦାବୀ କେବଳ ରାଜନୈତିକ ଚାଲ୍ ଛଡ଼ା ଆଉ କିଛି ନୁହେଁ! ପ୍ରତ୍ୟେକ ଥର ନିର୍ବାଚନ ଆସିବା ବେଳକୁ ଏହି ପ୍ରସଙ୍ଗ ଶୀତଳ ଭଣ୍ଡାରରୁ ଭିଡ଼ିମୋଡ଼ି ହୋଇ ଆତ୍ମପ୍ରକାଶ କରେ। ରାଜ୍ୟ ସରକାରଙ୍କୁ ସମାଲୋଚନା କରି ବିରୋଧୀ ଦଳମାନେ କହିଛନ୍ତି ଯେ, ଏଥର ବି ସେହିପରି ଆଠମାସ ପରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ରାଜ୍ୟ ସରକାର ପୁରୁଣା ଦାବିକୁ ପୁନର୍ଜୀବନ ଦେଉଛନ୍ତି।

ପାଠକମାନଙ୍କର ସ୍ମରଣ ଥାଇପାରେ ଯେ, ୨୦୧୮ ମସିହାରେ ପରିଷଦ ଗଠନ ପାଇଁ ଓଡ଼ିଶା ବିଧାନସଭାରେ ସଂକଳ୍ପ ପାରିତ ହେବା ପରେ ବିଜେଡି ନେତୃତ୍ୱ କେନ୍ଦ୍ରରେ ଶାସନ କରୁଥିବା ଏନଡିଏ ନେତୃତ୍ୱଙ୍କ ଦୃଷ୍ଟିକୁ ଏହି ପ୍ରସଙ୍ଗ ଆଣିଥିଲେ। ଏଥିପାଇଁ ମଧ୍ୟ ଚାପ ସୃଷ୍ଟି କରିଥିଲେ। ଓଡ଼ିଶା ଭଳି ଏକ ରାଜ୍ୟ ପାଇଁ ବିଧାନ ପରିଷଦ ଯେ ପ୍ରକୃତରେ ସମୟର ଆବଶ୍ୟକତା; ତାହା ବିଜେଡି ବାରମ୍ବାର କହିଥିଲା ଓ ଏବେ ତାହାକୁ ପୁଣି ଥରେ ଦୋହରାଇଛି।

ଓଡ଼ିଶାରେ ବିଧାନସଭା ଥାଇ ବି ନଥିଲା ଭଳି। ଏହି ପରିସ୍ଥିତିରେ ବରିଷ୍ଠ ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ବିଧାନ ପ୍ରଣୟନ ସଭା 'ବିଧାନ ପରିଷଦ'ର ଉପଯୋଗିତାକୁ ନେଇ ବିତର୍କ ତୀବ୍ର ହେଉଛି। ବିରୋଧୀ ନେତାଙ୍କ ଅଭିଯୋଗ ଯେ ଶାସକ ଦଳର ବିଧାନ ପରିଷଦ ଗଠନ ପାଇଁ ପଦକ୍ଷେପ ଶୁଦ୍ଧ ରାଜନୈତିକ ବିଚାର ଦ୍ୱାରା ପରିଚାଳିତ। ସେମାନଙ୍କର ଅଭିଯୋଗ ଯେ, ଓଡ଼ିଶାର ଶାସନ ଗାଦୀ ଅକ୍ତିଆର କରି ଦୀର୍ଘ ୨୩ ବର୍ଷରୁ ଅଧିକ ସମୟ କ୍ଷମତାସୀନ ବିଜୁ ଜନତା ଦଳ ମଧ୍ୟରେ ବ୍ୟାପକ ଭାବେ ଅସନ୍ତୋଷ ବଢ଼ିଛି ଓ ସମ ପରିମାଣରେ ମତଦାତାଙ୍କ ମୋହଭଙ୍ଗ ମଧ୍ୟ ଘଟିଛି। ଦଳର ଏବେ ଅନ୍ୟାନ୍ୟ ସମସ୍ୟା ମଧ୍ୟରେ ପ୍ରାଚୁର୍ଯ୍ୟ ହିଁ ଅନ୍ୟତମ ସମସ୍ୟା। କେବଳ ଅର୍ଥନୈତିକ ଦୃଷ୍ଟିରୁ ନୁହେଁ, ବରଂ ଏହାର ବିପୁଳ ସଂଖ୍ୟକ କର୍ମୀ, ନେତା ଓ ଅନ୍ୟାନ୍ୟ ଦଳରୁ ତଥା ପ୍ରଶାସନରୁ ଆସିଥିବା ନେତାଙ୍କ ସଂଖ୍ୟା ଦୃଷ୍ଟିରୁ ଦଳରେ ଅଛି ପ୍ରାଚୁର୍ଯ୍ୟ। ବିଧାନ ପରିଷଦ ସ୍ଥାପନ ହେଲେ ପରାଜିତ ଏବଂ ଅସନ୍ତୁଷ୍ଟ ବିଜେଡି ନେତାଙ୍କ ପାଇଁ ତାହା ଏକ ‘ପୁନର୍ବାସ କେନ୍ଦ୍ର’ରେ ପରିଣତ ହେବ। ବିଧାନସଭା ଓ ଲୋକସଭା ନିର୍ବାଚନରେ ପରାସ୍ତ ହୋଇଯାଇଥିବା, ଦଳୀୟ ଟିକେଟ ହାସଲ କରିପାରି ନଥିବା ଅଥଚ ଦଳଚପାଇଁ ଗୁରୁତ୍ୱପୂର୍ଣ୍ଣ ନେତାଙ୍କୁ ଦଳର ଗଣ୍ଡି ଭିତରେ ବାନ୍ଧି ରଖିବା ପାଇଁ ଓ ଦଳ ମଧ୍ୟରେ ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ମୁଣ୍ଡ ଟେକିବାରୁ ବିରତ ରଖିବାକୁ ସରକାରୀ ଦଳ ପରିଷଦ ପାଇଁ ଦାବି କରୁଛି। ସଂକ୍ଷେପରେ, ମତଭେଦ ଓ ଅସନ୍ତୋଷ କମାଇବା ପାଇଁ ପରିଷଦ ଶାସକ ଦଳ ପାଇଁ ଏକ ଚକୋଲେଟ ଡବା ଭାବରେ କାର୍ଯ୍ୟ କରିବ ବୋଲି ରାଜନୈତିକ ବିଶ୍ଲେଷକମାନଙ୍କର ମଧ୍ୟ ମତ।

ତେବେ, ଏହିଭଳି ଯେତେ ବି ଯୁକ୍ତି କରାଯାଉ ପଛକେ, ଗୋଟିଏ କଥା ସ୍ପଷ୍ଟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳିନ ଛବି ହିଁ ତାଙ୍କ କର୍ତ୍ତୃତ୍ୱାଧୀନ ବିଜୁ ଜନତା ଦଳର ସୁଉଚ୍ଚ ତଥା ସର୍ବବୃହତ ସମ୍ପଦ। ଆଜିର ଦିନରେ ସେ ତାଙ୍କର ଦଳ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିଛନ୍ତି ଏବଂ ଭବିଷ୍ୟତରେ ପରିସ୍ଥିତିରେ ପରିବର୍ତ୍ତନ ହେବାର ପ୍ରାୟତଃ ବିଶେଷ ସମ୍ଭାବନା ନାହିଁ। ସେ ବିଜେଡିର ଏକମାତ୍ର ତଥା ସବୁଠାରୁ ନିର୍ଭରଯୋଗ୍ୟ ଭୋଟ ସଂଗ୍ରହକାରୀ। ସେ ତାଙ୍କ ଦଳୀୟ ନେତାଙ୍କ ସମ୍ପୂର୍ଣ୍ଣ ବିଶ୍ୱସ୍ତତାକୁ ନିଜ ଧଳା କୁର୍ତ୍ତା ପକେଟରେ ରଖନ୍ତି। ସାମାନ୍ୟ ବିରୋଧାତ୍ମକ କଥାର ସୂଚନା ପାଇଲେ ଏଭଳି ରାସ୍ତା ଦେଖାଇ ଦିଅନ୍ତି ଯେ ବିରୋଧାଭାଷ ମରିଯାଏ। ବିଜେଡିରେ ଭିନ୍ନମତ ଶୁଣାଯାଏ ନାହିଁ; ଲାଗେ, ସମସ୍ତେ ଯେଭଳି ନବୀନ ପଟ୍ଟନାୟକଙ୍କ ପ୍ରତି ଏକାନ୍ତ ଭାବେ ବିଶ୍ୱସ୍ତ। ସତେ ଯେମିତି ସମସ୍ତେ ସେଥିପାଇଁ ଶପଥ ନେଇଛନ୍ତି!

ଅତୀତର ଭୁରିଭୁରି ଅଭିଜ୍ଞତା ଦର୍ଶାଏ ଯେ, ଯେଉଁ ବିଜୁ ଜନତା ଦଳର ନେତାମାନେ ଅତୀତରେ ନବୀନ ପଟ୍ଟନାୟଙ୍କର ରାସ୍ତାରେ ବାଧକଭାବେ ଦୃଶ୍ୟମାନ ହୋଇଛନ୍ତି, ସେମାନଙ୍କୁ ନିଜର ରାଜନୈତିକ ଜୀବନରେ ବହୁମୂଲ୍ୟ ଦେବାକୁ ପଡ଼ିଛି। ସେମାନଙ୍କୁ କୋଣ ଠେସା ହେବାକୁ ପଡ଼ିଛି। ଅପମାନଜନକ ସ୍ଥିତିରେ ସେମାନେ ଦଳ ମଧ୍ୟରେ ମୁହଁ ବନ୍ଦକରି ମୃତପ୍ରାୟ ପଡ଼ି ରହିଛନ୍ତି କିମ୍ବା ସେମାନଙ୍କ ମଧ୍ୟରୁ କେତେକ ରାଜନୈତିକ ଦୃଶ୍ୟପଟରୁ ଅଦୃଶ୍ୟ ହୋଇଯାଇଛନ୍ତି। ବିଜୁ ଜନତା ଦଳ ଛାଡ଼ିଥିବା ନେତାମାନଙ୍କୁ ନିଜର ଅସ୍ତିତ୍ୱ ରକ୍ଷା ପାଇଁ କଠିନ ସଂଘର୍ଷ କରିବାକୁ ପଡ଼ିଛି ଓ ସେମାନେ ସଫଳତାର ସ୍ୱାଦ ଚାଖିବାରୁ ବଞ୍ଚିତ ହୋଇ ରହିଛନ୍ତି। ତେଣୁ ଅସନ୍ତୁଷ୍ଟ ବିଜେଡି ନେତାଙ୍କ ପୁନଃଥଇଥାନ ପାଇଁ ମୁଖ୍ୟମନ୍ତ୍ରୀ ଯେ, ବିଧାନ ପରିଷଦ ଆବଶ୍ୟକ କରୁଛନ୍ତି, ତାହା ଅନେକାଂଶରେ ହୁଏତ ଠିକ ନୁହେଁ। କିନ୍ତୁ ବିଧାନ ପରିଷଦ ସପକ୍ଷରେ ସଂକଳ୍ପ ପାରିତ କରାଇ ନେଇ, କେନ୍ଦ୍ରକୁ ପଠାଇବା ଓ ତାହାକୁ ଠିକ ନିର୍ବାଚନ ପୂର୍ବରୁ ଦୋହରାଇବା କଥାରୁ ଏହା ସ୍ପଷ୍ଟ ଯେ, ମୁଖ୍ୟମନ୍ତ୍ରୀ ଗୋଟିଏ ଗୁଳିରେ ତିନୋଟି ଶିକାର କରିବାକୁ ଚାହାନ୍ତି: କେନ୍ଦ୍ର ଅବହେଳା, ଦଳ ପାଇଁ ପ୍ରତିଷେଧକ ଟିକା ଓ ନିଜର ଦଳକୁ କ୍ଷମତା ଗାଦୀରେ ଅନନ୍ତ କାଳପାଇଁ ଆସୀନ ରଖିବାର ନୀଳନକ୍ସା ଅଙ୍କନ। ଯେବେ ଚାହିଁବେ, କେନ୍ଦ୍ର ସରକାର ପରିଷଦ ଗଠନ ପାଇଁ ସବୁଜ ପତାକା ଦେଖାଉ ନଥିବାର ଅଭିଯୋଗ ଆଣି, ଉଗ୍ର ଆଞ୍ଚଳିକତା ସୃଷ୍ଟି କରିହେବ। ନେତାମାନେ ଭବିଷ୍ୟତରେ ପରିଷଦ ସଭ୍ୟ ହେବାର ସମ୍ଭାବନା କାରଣରୁ ଦଳ ବିରୋଧୀ ହେବେ ନାହିଁ। ଯଦି ବା କେବେ, ସରକାର ଗଢ଼ିବାକୁ ଆବଶ୍ୟକ ସଂଖ୍ୟକ ବିଜେଡି ବିଧାୟକ ନିର୍ବାଚିତ ହୋଇ ନପାରନ୍ତି, ବିଧାନ ପରିଷଦ ସଭ୍ୟଙ୍କ ସଂଖ୍ୟା ଗରିଷ୍ଠତା ତାଙ୍କୁ କ୍ଷମତାଚ୍ୟୁତ ହେବାକୁ ଦେବନାହିଁ। ଏହା ସତ୍ୟ ଯେ ମୁଖ୍ୟମନ୍ତ୍ରୀ ନିଜ ପସନ୍ଦ ମୁତାବକ ବ୍ୟକ୍ତିଙ୍କୁ ବିଧାନ ପରିଷଦ ମାଧ୍ୟମରେ ନିର୍ବାଚିତ କିମ୍ବା ମନୋନୀତ କରି ନିଜର ମନ୍ତ୍ରୀ ପରିଷଦରେ ସାମିଲ କରିପାରିବେ। ସେ ଚାହୁଁଥିବା ଉପାୟରେ ଦଳର ନେତାମାନଙ୍କୁ ବ୍ୟବହାର କରିବାରେ ଏହା ତାଙ୍କୁ ଅଧିକ ନମନୀୟତା ଦେବ। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସରକାର ମନୋନୀତ ସଦସ୍ୟ ଚୟନ ଉପରେ ମଧ୍ୟ ପ୍ରଭାବ ପକାଇ ପରିଷଦରେ ନିଜ ସମର୍ଥକଙ୍କ ସଂଖ୍ୟା ବଢ଼େଇ ପାରିବେ।

ଯେକୌଣସି ଏକ ରାଜ୍ୟରେ ଦ୍ୱିତୀୟ ଗୃହର ଉପଯୋଗିତା ସର୍ବଦା ଏକ ବିବାଦୀୟ ପ୍ରସଙ୍ଗ। ଅନେକ ବିଶେଷଜ୍ଞ ଯୁକ୍ତି କରନ୍ତି ଯେ ଏହା ବିଧାନ ସଭାରେ ପାରିତ ନିଷ୍ପତ୍ତିର ଗତିରୋଧକ ଭାବରେ କାର୍ଯ୍ୟ କରିବା ଛଡ଼ା କୌଣସି ଉତ୍ତମ ଉଦ୍ଦେଶ୍ୟ ପୂରଣ କରେ ନାହିଁ। ବିଧାନ ପରିଷଦର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଯେ ରାଜ୍ୟର ଜନ ସାଧାରଣଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ଓ ବିତର୍କ କରିବା। କେତେକ ରାଜ୍ୟରେ ମୁଖ୍ୟମନ୍ତ୍ରୀମାନେ ବିଧାନସଭା ପରିବର୍ତ୍ତେ ପ୍ରଥମେ ପରିଷଦରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବାକୁ ପସନ୍ଦ କରନ୍ତି। ଏଥିରୁ ପରିଷଦର ଗୁରୁତ୍ୱ ବୁଝିହୁଏ। ଏହାର ସଦସ୍ୟମାନେ ସାଧାରଣତଃ ପରିପକ୍ୱ, ଅନୁଭବୀ, ଅଭିଜ୍ଞ ଓ ବିଷୟ ବିଶାରଦ। ଏଣୁ, ପରିଷଦ ବିଧାନସଭାରେ ପାରିତ ପ୍ରସ୍ତାବ ଗୁଡ଼ିକୁ ଯଥାଶୀଘ୍ର ଯାଞ୍ଚ କରିବାରେ ସାହାଯ୍ୟ କରିପାରେ। ଏହାର ସଦସ୍ୟମାନେ ମୁଖ୍ୟତଃ ଶିକ୍ଷାକ୍ଷେତ୍ର ସହ ଜଡ଼ିତ ଏବଂ ବୁଦ୍ଧିଜୀବୀ। ଅଧିକ ସମ୍ମାନଜନକ ଏବଂ ଶୃଙ୍ଖଳିତ ବିତର୍କ ସହିତ ପରିଷଦ ପ୍ରାୟତଃ ଶାନ୍ତ ଯାହା ବିଧାନପାଳିକାର ସୌନ୍ଦର୍ଯ୍ୟ ଓ ଆଭିମୁଖ୍ୟ। ବିଧାନସଭାରେ ପାରିତ ବିଧେୟକ ପରିଷଦରେ ଉପସ୍ଥାପିତ ହୋଇ ପାରିତ ହେବା ପରେ ରାଜ୍ୟପାଳଙ୍କ ଅନୁମୋଦନ ପାଇ ଆଇନରେ ପରିଣତ ହେଉଥିବାରୁ ପରିଷଦ ପକ୍ଷରୁ ଯଥେଷ୍ଟ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଥାଏ। ଫଳରେ, ବିଧେୟକରେ ସମ୍ବିଧାନ ସମ୍ମତ ଆବଶ୍ୟକୀୟ ସଂଶୋଧନ କରାଯାଇପାରେ। ଏହି ଗୃହରେ ରାଜନୀତି କମ, ତାର୍କିକ ଆଲୋଚନା ଅଧିକ ହେବାର ସମ୍ଭାବନା ଥାଏ।

ବିପରୀତ ଭାବେ ଯୁକ୍ତି କରାଯାଇ ପାରେ ଯେ, ବିଧାନ ପରିଷଦର ଅପବ୍ୟବହାର କରାଯାଇ ସରକାର ଚାହୁଁଥିବା ଭଳି ଆଇନରେ ସର୍ତ୍ତ ଖଞ୍ଜାଯାଇ ପାରେ କିମ୍ବା ବହୁଦିନ ବିଳମ୍ବିତ କରାଯାଇ ପାରିତ କରାଯାଏ। ସେଥିପାଇଁ ଅନେକେ ଭାବନ୍ତି ଯେ ପରିଷଦ ଅନାବଶ୍ୟକ ଓ ଅଯଥା ଅପବ୍ୟୟ ପାଇଁ ଖୋଲା ବାଟ। ଏଣୁ, ବିଧାୟକମାନେ ସଭା ଓ ପରିଷଦ ଗୃହକୁ କୁସ୍ତି ଆଖଡ଼ା ଅବା ଗମ୍ଭୀର ଆଲୋଚନା କକ୍ଷ ଭଳି ଦେଖିବାକୁ ଚାହାନ୍ତି ତାହା ସେଇମାନେ ହିଁ ସ୍ଥିର କରିବାକୁ ପଡ଼ିବ। ଅତଏବ, ବିଧାନ ପରିଷଦ ଯଦି ଆଲୋକ ବିତରଣ କରି ରାଜ୍ୟକୁ ଆଗେଇ ନେବାକୁ ସମର୍ଥ, ତାହା ପ୍ରତିଷ୍ଠା ହେବ ଉଚିତ।

ଏମିତ ସବୁ ତାତ୍ୱିକ ବାଦାନୁବାଦ ଚାଲିଥିଲା ବେଳେ ପ୍ରସଙ୍ଗ କିନ୍ତୁ ଆଉ ବୌଦ୍ଧିକ ଚିନ୍ତନ ଭିତରେ ସୀମିତ ନରହି ରାଜନୈତିକ ପଶାପାଲିରେ ଗୋଟି ହୋଇ ସାରିଛି। ବିଧାନସଭା ନିର୍ବାଚନ ପାଖେଇ ଆସୁଥିଲା ବେଳେ ଆମ ସମସ୍ତଙ୍କୁ ଆନ୍ଦୋଳିତ କରୁଥିବା ପ୍ରଶ୍ନ ହେଲା ଯେ, ୨୦୨୪ ନିର୍ବାଚନ ବେଳେ ପରିଷଦ ଗଠନ ଏକ ନିର୍ବାଚନୀ ପ୍ରସଙ୍ଗ ହେବ କି? ଏହାକୁ ପ୍ରସଙ୍ଗ କରି ବିଜୁ ଜନତା ଦଳ ନିର୍ବାଚନ ଫଳାଫଳକୁ ନିଜ ସପକ୍ଷରେ ନେବାରେ ସମର୍ଥ ହେବ କି? ଆଗାମୀ ଦିନରେ, ମୁଖ୍ୟମନ୍ତ୍ରୀ ଓ ତାଙ୍କର ପରାମର୍ଶଦାତା ମଣ୍ଡଳୀ ଏହି ପ୍ରସଙ୍ଗକୁ କିଭଳି ବ୍ୟବହାର କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା। ସଂସଦ ଭବନରେ ଆଲୋଚନା କାଳରେ ରାଜ୍ୟ ସରକାର ପଠାଇଥିବା ପରିଷଦ ପ୍ରସ୍ତାବ ଉପରେ ଆଲୋଚନାର ସୂତ୍ରପାତ କରି ରାଜ୍ୟ ସରକାର ଯେଉଁ ସଙ୍କେତ ଦେଇଛନ୍ତି, ତାହାକୁ ହାଲୁକା ଭାବେ ଗ୍ରହଣ କରାଯିବ ଅନୁଚିତ।

ଜାନକୀଶ ବଡ଼ପଣ୍ଡା

ଫୋ- ୯୪୩୮୨୯୯୦୩୭

Related story