ଭାଲଚନ୍ଦ୍ର ଷଡ଼ଙ୍ଗୀ
କରୋନା ପରିସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ବୁଧବାର ଦିନ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ଆଭାସୀ ବୈଠକର ଆୟୋଜନ କରିଥିଲେ। ଯଦିଓ ଏହି ବୈଠକର ଉଦ୍ଦେଶ୍ୟଟି ମୁଖମନ୍ତ୍ରୀମାନଙ୍କ ସହ କରୋନାର ସମ୍ଭାବିତ ଚତୁର୍ଥ ଢେଉ ସମ୍ପର୍କରେ ଆଲୋଚନା କରିବା ବୋଲି ଘୋଷଣା କରାଯାଇଥିଲା, କିନ୍ତୁ ପ୍ରକୃତରେ ତାହା ଏକ ସମ୍ପୂର୍ଣ୍ଣ ଏକପାଖିଆ ବୈଠକ ଥିଲା। ନିଜର ଅତି ପରିଚିତ ରେଡ଼ିଓ କାର୍ଯ୍ୟକ୍ରମ, ‘ମନକୀ ବାତ୍’ ପରି ବୈଠକରେ କେବଳ ପ୍ରଧାନମନ୍ତ୍ରୀ ହିଁ ଏକତରଫା କହି ଚାଲିଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଚୁପ୍ଚାପ୍ ଶୁଣିବାକୁ ବାଧ୍ୟ ହୋଇଥିଲେ। ବୈଠକର ସମ୍ପୂର୍ଣ୍ଣ ଅବଧି ମଧ୍ୟରେ ନା ସେମାନେ ପଦୁଟିଏ କହିବାର ସୁଯୋଗ ପାଇଥିଲେ ନା ନିଜ ରାଜ୍ୟର ପରିସ୍ଥିତି ସମ୍ପର୍କରେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ପଚାରିବାକୁ ଚାହିଁଥିଲେ। ଭାରତ ପରି ସଂଘୀୟ ଢାଞ୍ଚରେ ବିଶ୍ୱାସ କରୁଥିବା ଦେଶରେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ମଧ୍ୟରେ କେଉଁଭଳି ସଂଘୀୟ ସମ୍ପର୍କ ରହିଛି, ତାହା କମ୍ସେ କମ୍ ଏହି ବୈଠକରୁ ସ୍ପଷ୍ଟ ହୋଇଯାଇଛି।
ଯଦିଓ ବୈଠକଟି କରୋନା ପରିସ୍ଥିତି ଉପରେ ଆୟୋଜିତ ହୋଇଥିଲା କିନ୍ତୁ କରୋନା ଉପରେ ଅଳ୍ପ କିଛି ସମୟର ବକ୍ତବ୍ୟ ପରେ ପ୍ରଧାନମନ୍ତ୍ରୀ ଅଚାନକ ବିଷୟବସ୍ତୁରୁ ଦୂରକୁ ଯାଇ ଦେଶରେ ପେଟ୍ରୋଲ ଓ ଡିଜେଲର ମହଙ୍ଗା ଦର ଉପରେ ଆଲୋଚନା କରିଥିଲେ। ଏହା ସତ ଯେ ଦେଶରେ ଆଜିକାଲି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍ର ଦର ଯେଉଁଭଳି ଆକାଶଛୁଆଁ ହୋଇଚାଲିଛି ସେହି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ତା’ ଉପରେ ନିଜର ବକ୍ତବ୍ୟ ରଖିବା ଅତ୍ୟନ୍ତ ଜରୁରୀ ଥିଲା। ତେବେ ଦରହ୍ରାସ ପାଇଁ ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟରେ କୌଣସି ଠୋସ୍ ଘୋଷଣା କରିବା ପରିବର୍ତ୍ତେ ରାଜ୍ୟମାନେ ନିଜର ଟିକସ କମାନ୍ତୁ ବୋଲି ପରାମର୍ଶ ଦେଇଥିଲେ। ଲୋକଙ୍କୁ ତୈଳ ଦରବୃଦ୍ଧିର ବୋଝରୁ ରିହାତି ଦେବା ପାଇଁ ତାଙ୍କ ସରକାର କିପରି ଗତ ନଭେମ୍ବର ମାସରେ ଉତ୍ପାଦ ଶୁଳ୍କକୁ ହ୍ରାସ କରିଥିଲେ ଏବଂ କେନ୍ଦ୍ରର ଭାବନାକୁ ସମ୍ମାନ ଦେଇ ଅନେକ ରାଜ୍ୟ ବି କିପରି ନିଜର ଭାଟ୍ କମାଇଥିଲେ, ତାର ଅବତାରଣା କରି ଯେଉଁ ରାଜ୍ୟମାନେ ଏଯାଏଁ ଭାଟ୍ କମାଇ ନାହାନ୍ତି ସେମାନେ ନିଜ ରାଜ୍ୟର ଜନତାଙ୍କ ଭଲ କରୁନାହାନ୍ତି ବୋଲି ସେ କହିଥିଲେ। ନିଜ ବକ୍ତବ୍ୟରେ ସେ ଖୋଲାଖୋଲି ଭାବେ ସେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ ଓ କେରଳ ପରି ବିରୋଧୀ ଦଳ ଶାସିତ ରାଜ୍ୟମାନଙ୍କ ନାମ ଉଲ୍ଲେଖ କରି ସେମାନେ କେନ୍ଦ୍ର ସରକାରଙ୍କ ଭାବନାକୁ ସମ୍ମାନ ଦେଇ ଭାଟ ହ୍ରାସ ନକରି ନିଜ ରାଜ୍ୟବାସୀଙ୍କୁ ଦରବୃଦ୍ଧିରୁ ରିହାତି ଦେଇନାହାନ୍ତି ବୋଲି ଆକ୍ଷେପ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଉପରୋକ୍ତ ବକ୍ତବ୍ୟଟି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍ର ଲଗାତାର ଦରବୃଦ୍ଧି ଫଳରେ ଦେଶବାସୀଙ୍କ ମଧ୍ୟରେ ତାଙ୍କ ସରକାର ପ୍ରତି ସୃଷ୍ଟି ହେଉଥିବା ଅସନ୍ତୋଷକୁ ଅତ୍ୟନ୍ତ ସୁଚିନ୍ତିତ ଭାବେ ବିରୋଧୀ ଦଳ ଶାସିତ ରାଜ୍ୟ ସରକାରମାନଙ୍କ ଉପରେ ଲଦିବାକୁ ଉଦ୍ଦିଷ୍ଟ ଥିଲା।
ତେବେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର ରାଜନୈତିକ ଉଦ୍ଦେଶ୍ୟ ଯାହା ହେଉନା କାହିଁକି ତାହା ଯେ ତଥ୍ୟ ଉପରେ ଆଧାରିତ ନହୋଇ ନିଚ୍ଛକ ଅର୍ଦ୍ଧସତ୍ୟ ଥିଲା, ସେଥିରେ ତିଳେ ମାତ୍ର ସନ୍ଦେହ ନାହିଁ। କାରଣ ଦେଶର କିଛି ବିରୋଧୀ ଦଳ ଶାସିତ ରାଜ୍ୟ ଭାଟ୍ ନକମାଇବା ଯୋଗୁଁ ହିଁ ପେଟ୍ରୋଲ ଓ ଡିଜେଲର ଦାମ୍ ବଢ଼ୁଛି ବୋଲି କହିବା ଏକଦମ୍ ଭିତ୍ତିହୀନ। ଯେଉଁ ରାଜ୍ୟମାନେ ଏଯାଏଁ ଭାଟ କମାଇନାହାନ୍ତି, ସେମାନେ ଆଜି ଯଦି ନିଜର ଭାଟ୍ କମାଇଦେବେ ତାହେଲେ କ’ଣ ଦେଶରେ ପେଟ୍ରୋଲ ଓ ଡିଜେଲର ଦର ହ୍ରାସ ପାଇବ? ଦ୍ୱିତୀୟତଃ ଗତ ନଭେମ୍ବରରେ କେନ୍ଦ୍ର ସରକାରଙ୍କ ଟିକସ ହ୍ରାସ ପରେ ୧୭ଟି ରାଜ୍ୟ ଓ ୭ଟି କେନ୍ଦ୍ର ଶାସିତ ଅଞ୍ଚଳ ନିଜର ଭାଟ୍ ହ୍ରାସ କରିଥିବା ବେଳେ ବଳକା ରାଜ୍ୟମାନେ ହ୍ରାସ କରି ନଥିଲେ। ଭାଟ ହ୍ରାସ କରିଥିବା ଉପରୋକ୍ତ ରାଜ୍ୟମାନଙ୍କ ମଧ୍ୟରେ ବିଜେପି ଶାସିତ କିଛି ରାଜ୍ୟଙ୍କୁ ଛାଡ଼ିଦେଲେ ଦିଲ୍ଲୀ, ଓଡ଼ିଶା ଓ ପଞ୍ଜାବ ପରି ବିରୋଧୀ ଦଳ ଶାସିତ ରାଜ୍ୟ ବି ରହିଥିଲେ। ସେହିପରି ଭାଟ ଛାଡ଼ କରି ନଥିବା ରାଜ୍ୟମାନଙ୍କ ମଧ୍ୟରେ ବିରୋଧୀ ଦଳ ଶାସିତ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ରାଜସ୍ଥାନ, କେରଳ, ତାମିଲନାଡ଼ୁ, ଆନ୍ଧ୍ର ଓ ତେଲେଙ୍ଗାନା ପରି ରାଜ୍ୟ ରହିଥିବା ବେଳେ ମଧ୍ୟପ୍ରଦେଶ, ବିହାର, ମଣିପୁର ପରି ବିଜେପି ଶାସିତ ରାଜ୍ୟ ବି ସାମିଲ ଅଛନ୍ତି। କିନ୍ତୁ ପରିତାପର ବିଷୟ ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ଭାଟ ଛାଡ଼ କରିନଥିବା ବିରୋଧୀ ଦଳ ଶାସିତ ରାଜ୍ୟମାନଙ୍କ ନାଁଗୁଡ଼ିକୁ କେବଳ ଉଲ୍ଲେଖ କରିଥିବା ବେଳେ ନିଜ ଦଳର ଶାସିତ ରାଜ୍ୟମାନଙ୍କ ନାମକୁ ଜାଣିଶୁଣି ଉଲ୍ଲେଖ କରିନାହାନ୍ତି। ସେପରି କରି ସେ ଦରବୃଦ୍ଧି ପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଶସ୍ତା ରାଜନୀତି କରିବା ସହିତ ଦେଶବାସୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି।
ଆଉ ଏକ କଥା ହେଲା, ପଶ୍ଚିମବଙ୍ଗ ନିର୍ବାଚନ ଫଳ ଆସିବା ପୂର୍ବରୁ ଗତ ନଭେମ୍ବର ମାସ ପର୍ଯ୍ୟନ୍ତ ଦେଶରେ ପେଟ୍ରୋଲ ଓ ଡିଜେଲର ଦର ଲଗାତାର ଭାବେ ବୃଦ୍ଧି ପାଇବା ଦେଖାଯାଇଥିଲା। ଏହାକୁ ନେଇ ଲୋକଙ୍କ ଅସନ୍ତୋଷ ବଢ଼ୁଥିବା ବେଳେ ଗତ ନଭେମ୍ବରରେ ଅନୁଷ୍ଠିତ ପାଞ୍ଚଟି ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ବିଜେପି ଦଳ ଶୋଚନୀୟ ଭାବେ ପରାଜିତ ହୋଇଥିଲା। ଏହି ପରାଜୟ ପରେ ତଥା ଉତ୍ତର ପ୍ରଦେଶ ସମେତ ଆଗକୁ ହେବାକୁ ଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଦେଖି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲର ଟିକସକୁ ଯଥାକ୍ରମେ ୫ ଓ ୧୦ ଟଙ୍କା ହ୍ରାସ କରିଥିଲେ। ତେବେ କେନ୍ଦ୍ର ସରକାର ନିର୍ବାଚନ ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଉପରେ କରହ୍ରାସ କରି ତାର ଦରକୁ ଯେତିକି କମାଇଥିଲେ, ଏବେ ନିର୍ବାଚନ ପରେ ଲଗାତାର ଦରବୃଦ୍ଧି କରି ତା’ର ଦରକୁ ପୂର୍ବାପେକ୍ଷା ଅଧିକ ବୃଦ୍ଧି କରାଯାଇଛି।
ତେଲ ଉପରେ ଟିକସ ନାଁରେ ଜନଗଣଙ୍କୁ ଲୁଟିବାରେ ଊଣା ଅଧିକେ ସମସ୍ତେ ସାମିଲ ଅଛନ୍ତି। କାମଧେନୁ ଗାଇ ପରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ନିଜର ରାଜସ୍ୱ ଭରଣା କରିବା ପାଇଁ ସାଧାରଣ ଖାଉଟୀଙ୍କୁ ଲୁଟି ଚାଲିଛନ୍ତି। ସେଇଥିପାଇଁ ଆଜି କିଛି ରାଜ୍ୟରେ ଭାଟ୍ କମିବା ସତ୍ତ୍ୱେ ତେଲ ଉପରେ ଆଦାୟ କରାଯାଉଥିବା ମୋଟ ଟିକସର ପରିମାଣଟି ଉଣା ଅଧିକେ ସମାନ ରହୁଛି। ସବୁଠାରୁ ଅଧିକ ଟିକସ ଆଦାୟ କରାଯାଉଥିବା ଦେଶର ରାଜ୍ୟମାନଙ୍କ ମଧ୍ୟରେ ବିଜେପି ଶାସିତ ମଧ୍ୟପ୍ରଦେଶ (ଟ.୫୦.୬୦), କର୍ଣ୍ଣାଟକ (ଟ.୪୮.୧୦) ଓ ବିହାର (ଟ. ୫୦) ରହିଥିବା ବେଳେ କଂଗ୍ରେସ ଶାସିତ ରାଜସ୍ଥାନ (ଟ.୫୦.୮୦), ଛତିଶଗଡ଼ (ଟ. ୪୮.୩୦), ମହାରାଷ୍ଟ୍ର (ଟ. ୫୨.୫୦) ଏବଂ ଅନ୍ୟ ବିରୋଧୀ ଦଳ ଶାସିତ କେରଳ (ଟ.୫୦.୨୦), ଓଡ଼ିଶା (ଟ.୪୮.୯୦), ପଶ୍ଚିମବଙ୍ଗ (ଟ.୪୮.୭୦), ତାମିଲନାଡୁ (ଟ.୪୮.୬୦), ଆନ୍ଧ୍ରପ୍ରଦେଶ (ଟ.୫୨.୪୦) ଓ ତେଲେଙ୍ଗାନା (ଟ.୫୨.୪୦) ରହିଛି।
ଦେଶରେ ତେଲର ଆକାଶଛୁଆଁ ଦରବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ଆଦାୟ କରାଯାଉଥିବା ବିପୁଳ ଟିକସ ଓ ସେସ୍। ୨୦୧୪ ପରଠାରୁ ଗତ ଆଠ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ତେଲ ଉପରେ ଟିକସ ଓ ସେସ୍ ବାବଦରେ ପ୍ରାୟ ୨୭ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ୨୦୧୪ରେ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଯଥାକ୍ରମେ ଟ. ୯.୫୦ ଓ ଟ. ୩.୫୬ ରହିଥିବା ବେଳେ ସେଥିରେ ଲଗାତାର ବୃଦ୍ଧି କରିବା ଫଳରେ ୨୦୨୧ ନଭେମ୍ବର ସୁଦ୍ଧା ତାହା ଯଥାକ୍ରମେ ଟ. ୩୨.୯୦ ଓ ଟ. ୩୧.୯୦ରେ ପହଂଚିଥିଲା। ଉତ୍ତର ପ୍ରଦେଶ ନିର୍ବାଚନକୁ ଲକ୍ଷ୍ୟ ରଖି ସରକାର ନଭେମ୍ବରରେ ପେଟ୍ରୋଲ ଓ ଡିଜେଲର ଲିଟର ପ୍ରତି ଉତ୍ପାଦ ଶୁଳ୍କରେ ଯଥାକ୍ରମେ ଟ.୫ ଓ ଟ.୧୦ ହ୍ରାସ କରିଥିଲେ। ତେବେ ଗତ ଆଠ ବର୍ଷ ଧରି ଉତ୍ପାଦ ଶୁଳ୍କ ଓ ଟିକସରେ ସରକାର କରିଥିବା ବୃଦ୍ଧି ତୁଳନାରେ ଏହା ଏକ ମାମୁଲି ହ୍ରାସ ଥିଲା। ସେହି କାରଣରୁ ଏହି ବହୁ ପ୍ରଚାରିତ ଶୁଳ୍କ ହ୍ରାସ ପରେ ବି ଆଜି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲରେ ଯଥାକ୍ରମେ ଟ.୨୭.୯୦ ଓ ଟ. ୨୧.୯୦ ଲେଖାଏଁ ରାଜସ୍ୱ ନେଉଛନ୍ତି। ଅନ୍ୟପଟେ ରାଜ୍ୟ ସରକାରମାନେ ଭାଟ୍ ନାଁରେ ପେଟ୍ରୋଲ ଓ ଡିଜେଲ ଉପରେ ଯେଉଁ ଟିକସ ନେଇଉନ୍ତି, ତାହା କେନ୍ଦ୍ର ସରକାର ନେଉଥିବା ଉତ୍ପାଦ ଶୁଳ୍କ ଓ ସେସ୍ ତୁଳନାରେ ବହୁତ କମ୍। ତେଲ ଉପରେ ଆଦାୟ କରାଯାଉଥିବା ମୋଟ ଟିକସର ୬୮% କେନ୍ଦ୍ର ସରକାର ନେଉଥିବା ବେଳେ ବଳକା ୩୨% ହିଁ ରାଜ୍ୟ ସରକାର ନେଉଥିବା ଜଣାପଡ଼ିଛି। ଯଦି ଆଜି ପେଟ୍ରୋଲ ଉପରେ ନିଆଯାଉଥିବା ଟିକସକୁ ହିସାବ କରିବା ତାହେଲେ ଏହାର ବିକ୍ରିମୂଲ୍ୟର ୫୩% ବେସ୍ ପ୍ରାଇସ୍ ହୋଇଥିବା ବେଳେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ଓ ସେସ୍ ବାବଦରେ ୨୭%, ରାଜ୍ୟ ସରକାର ଭାଟ୍ ବାବଦରେ ୧୬% ଏବଂ ଡିଲର କମିଶନ୍ ୪% ରହିଛି। ତେଣୁ ତେଲ ଉପରେ ଗତ ଆଠ ବର୍ଷ ମଧ୍ୟରେ ୧୪ ଥର ଟିକସ ବୃଦ୍ଧି କରି ବିପୁଳ ପରିମାଣରେ ରାଜସ୍ୱ ନେଉଥିବା କେନ୍ଦ୍ର ସରକାର ନିଜର ଟିକସକୁ ହ୍ରାସ ନକରି କମ୍ ଟିକସ ନେଉଥିବା ରାଜ୍ୟ ସରକାରମାନଙ୍କୁ ଟିକସ ହ୍ରାସ କରିବାକୁ ଉପଦେଶ ଦେବା ହାସ୍ୟାସ୍ପଦ ମନେହୁଏ।
ଆଉ ଗୋଟିଏ କଥା, ପେଟ୍ରୋଲ ଓ ଡିଜେଲ ଉପରେ ଗତ ଆଠ ବର୍ଷ ମଧ୍ୟରେ ଆଦାୟ ହୋଇଥିବା ମୋଟ ଟିକସରେ କେନ୍ଦ୍ର ସରକାରଙ୍କ ଟିକସର ହାରଟି ବଢ଼ି ଚାଲିଥିବା ବେଳେ ରାଜ୍ୟ ସରକାରମାନଙ୍କ ଟିକସର ହାରଟି ଲଗାତାର କମିବାରେ ଲାଗିଛି। ୨୦୧୪ରେ ତତ୍କାଳୀନ ଉପା ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ବାବଦରେ ଟ. ୧,୦୬ ଲକ୍ଷ କୋଟି ଆଦାୟ କରିଥିଲେ। ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୪-୧୫ରେ ତାହା ୧.୨୭ ଲକ୍ଷ କୋଟିକୁ ବୃଦ୍ଧି ପାଇଥିଲା। ସେତେବେଳେ କିନ୍ତୁ ରାଜ୍ୟମାନେ ତେଲ ବାବଦରେ ମୋଟ ୧.୬୦ ଲକ୍ଷ କୋଟି ଟଙ୍କାର ଟିକସ ପାଇଥିଲେ, ଯାହାକି କେନ୍ଦ୍ର ସରକାରଙ୍କ ମୋଟ ତେଲ ଟିକସର ପ୍ରାୟ ଦେଢ଼ ଗୁଣା ଥିଲା। ତେବେ ଆଠ ବର୍ଷ ପରେ ଆଜି କେନ୍ଦ୍ର ସରକାର ତେଲ ଉପରୁ ବାର୍ଷିକ ମୋଟ ପ୍ରାୟ ୪.୫୦ ଲକ୍ଷ କୋଟି ରାଜସ୍ୱ ପାଉଥିବା ବେଳେ ରାଜ୍ୟମାନେ ମାତ୍ର ୨.୨ ଲକ୍ଷ କୋଟି ଟଙ୍କା ହିଁ ସଂଗ୍ରହ କରୁଛନ୍ତି। ଅର୍ଥାତ୍ ରାଜ୍ୟମାନେ ତେଲ ଉପରୁ ପାଉଥିବା ଟିକସ ରାଜସ୍ୱ କେନ୍ଦ୍ର ସରକାର ପାଉଥିବା ଟିକସର ୫୦%କୁ ହ୍ରାସ ପାଇଛି। ଅନ୍ୟପଟେ ଜିଏସ୍ଟି ଲାଗୁ ହେବା ପରେ ରାଜ୍ୟମାନଙ୍କ ପାଖରେ ଟିକସ ଧାର୍ଯ୍ୟର ଆଉ କୌଣସି ବିକଳ୍ପ ରାସ୍ତା ନଥିବା ବେଳେ କେନ୍ଦ୍ର ସରକାରଙ୍କ ପାଖରେ ଆୟକର, କର୍ପୋରେଟ୍ ଟିକସ ଆଦି ଅନେକ ପ୍ରକାର ଟିକସ ଧାର୍ଯ୍ୟର କ୍ଷମତା ରହିଛି। କିନ୍ତୁ କେନ୍ଦ୍ର ସରକାର ଦେଶର କର୍ପୋରେଟ୍ ଓ ସୁପର ଧନୀଙ୍କ ଆୟ ବା ସମ୍ପତ୍ତି ଉପରେ ଟିକସର ମାତ୍ରାକୁ ବଢ଼ାଇ ନିଜର ରାଜସ୍ୱ ସଂଗ୍ରହର ପରିମାଣକୁ ବଢ଼ାଇବା ପରିବର୍ତ୍ତେ କେବଳ ତେଲ ଉପରେ ଟିକସକୁ ବଢ଼ାଇ ସାଧାରଣ ଲୋକଙ୍କଠାରୁ ରାଜସ୍ୱ ସଂଗ୍ରହକୁ ନିଜ ଆୟର ଏକ ବଡ଼ ସୂତ୍ର ଭାବେ ଧରି ନେଇଛନ୍ତି। ଗତ କିଛି ବର୍ଷ ଧରି ଏପରିକି କରୋନା କାଳରେ ମଧ୍ୟ ଦେଶର ଅମୀରମାନେ ଅଧିକ ସମ୍ପତ୍ତି ସଂଗ୍ରହ କରିବା ଜଣାପଡ଼ିବା ପରେ ବି ସରକାର ସେମାନଙ୍କ ଉପରେ ଟିକସକୁ ବଢ଼ାଇବାକୁ ଚାହୁଁ ନାହାନ୍ତି। ବରଂ ୨୦୧୯ରେ ବିଭିନ୍ନ ଆଳ ଦେଖାଇ ସେମାନଙ୍କଠାରୁ ଆଦାୟ କରାଯାଉଥିବା କର୍ପୋରେଟ୍ ଟିକସକୁ ହ୍ରାସ କରାଯାଇଛି। ଯାହା ଫଳରେ ଦେଶର ରାଜକୋଷକୁ ପ୍ରତିବର୍ଷ ଦେଢ଼ରୁ ଦୁଇ ଲକ୍ଷ କୋଟି ଟଙ୍କା କ୍ଷତି ହେଊଥିବା ଜଣାପଡ଼ିଛି।
କେନ୍ଦ୍ର ଜିଏସ୍ଟି ପରେ ନିଜର ପ୍ରତିଶୃତି ମୁତାବକ ରାଜ୍ୟମାନଙ୍କୁ ନିଜର ଟିକସ କ୍ଷତିର ଭରଣା ପାଇଁ ଯେଉଁ ଆର୍ଥିକ ଅନୁଦାନ ଦେବା କଥା ତାହା ନଦେବା ଫଳରେ ସେମାନଙ୍କ ଆର୍ଥିକ ସ୍ଥିତି ବହୁତ ଖରାପ ରହିଛି। ବିଶେଷ କରି ବିରୋଧୀ ଦଳ ଶାସିତ ରାଜ୍ୟମାନଙ୍କ ପ୍ରତି ଏ ଦିଗରେ ପକ୍ଷପାତ କରାଯିବାର ଅଭିଯୋଗ ବାରମ୍ବାର ଆସିଛି। ଏହିକ୍ଷଣି ଜିଏସ୍ଟି କ୍ଷତିର ଭରଣା ବାବଦରେ ମହାରାଷ୍ଟ୍ର ସରକାର ଟ.୨୬,୫୦୦ କୋଟି ଟଙ୍କା ଓ ପଶ୍ଚିମବଙ୍ଗ ସରକାର ଟ.୯୭,୦୦୦ କୋଟି ଟଙ୍କା କେନ୍ଦ୍ର ଠାରୁ ପାଇବାକୁ ଅଛନ୍ତି । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ନିଜ ଟିକସକୁ ନକମାଇ ରାଜ୍ୟମାନଙ୍କୁ ଭାଟ୍ ହ୍ରାସ କରିବାକୁ କହିବା ଅଯଥାର୍ଥ ମନେହୁଏ।
ଅତଏବ ଦେଶରେ ତେଲ ଦର ମହଙ୍ଗା ହେବା ପଛରେ କେନ୍ଦ୍ର ସରକାରଙ୍କ ଟିକସ, ସେସ୍ ଓ ସରଚାର୍ଜ ହିଁ ସବୁଠାରୁ ବଡ଼ କାରଣ। ସେହି କାରଣରୁ ଆଜି ଆମ ଦେଶରେ ରନ୍ଧନ ଗ୍ୟାସର ଦାମ ବିଶ୍ୱରେ ସବୁଠାରୁ ଅଧିକା ରହିଥିବା ବେଳେ ପେଟ୍ରୋଲର ଦାମରେ ଆମେ ତୃତୀୟ ସ୍ଥାନରେ ରହିଛେ। ଆମ ଉପରେ କେବଳ ସୁଦାନ ଓ ଲାଓସ ପରି ଦେଶ ରହିଛନ୍ତି। ସେହିପରି ଡିଜେଲର ମୂଲ୍ୟରେ ଆମେ ବିଶ୍ୱରେ ଅଷ୍ଟମ ସ୍ଥାନରେ ରହିଛେ। ଏଭଳି ପରିସ୍ଥିତିରେ ସାଧାରଣ ଜନତାଙ୍କୁ ମହଙ୍ଗା ତେଲରୁ ରିହାତି ଦେବାକୁ ହେଲେ ପ୍ରଥମେ କେନ୍ଦ୍ର ସରକାର ହିଁ ନିଜର ଟିକସ ହ୍ରାସ କରିବାକୁ ହେବ। କାରଣ କେରଳ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟ ଗତ ଛଅ ବର୍ଷ ମଧ୍ୟରେ ତେଲ ଉପରେ ଭାଟ୍ ବାବଦରେ ପଇସାଟିଏ ବି ବଢ଼ାଇ ନଥିବା ବେଳେ ସେମାନଙ୍କୁ ଟିକସ କମାଇବାକୁ କହିବା ଯୁକ୍ତିସଙ୍ଗତ ନୁହେଁ। ଅନ୍ୟପଟେ ତେଲ ଉପରେ କେନ୍ଦ୍ର ସରକାର ନେଉଥିବା ଟିକସର ପରିମାଣ ସ୍ଥିର ରହୁଥିବାରୁ ଏବଂ ରାଜ୍ୟ ସରକାର ନେଉଥିବା ଭାଟ୍କୁ ତେଲର ମୋଟ ଦର ଉପରେ ଶତକଡ଼ା ହାରରେ ଆଦାୟ କରାଯାଉଥିବାରୁ କେନ୍ଦ୍ର ନିଜର ଟିକସ ବଢ଼ାଇଲେ ରାଜ୍ୟମାନଙ୍କ ଭାଟ୍ ଆୟରେ ସ୍ୱତଃ ବୃଦ୍ଧି ପାଇଥାଏ। ସେହି କାରଣରୁ କେନ୍ଦ୍ର ସରକାର ନିଜର ଟିକସକୁ ଆଖିଦୃଶିଆ ଭାବେ କମାଇଲେ, ରାଜ୍ୟମାନେ ଆଦାୟ କରୁଥିବା ଭାଟ୍ ବି ଆପେ ଆପେ କମିଯିବ। ତେବେ ସବୁଠାରୁ ଭଲ ବିକଳ୍ପ ହେଉଛି, ସରକାର ପେଟ୍ରୋଲ ଓ ଡିଜେଲକୁ ତୁରନ୍ତ ଜିଏସ୍ଟି ପରିସରଭୁକ୍ତ କରନ୍ତୁ। ଯାହା ଫଳରେ ତା ଉପରେ ଏକ ଯୁକ୍ତିସଙ୍ଗତ ଟିକସ ଆଦାୟ ହେବା ସହିତ ସାଧାରଣ ଜନତା ଟିକସ ନାଁରେ ଚାଲିଥିବା ଲୁଟ୍ରୁ ମୁକ୍ତି ପାଇବେ।
ଫୋନ : ୯୪୩୭୧୬୬୩୯୧