ଦିବାକର ଦାସ
ଗତ ଜାନୁଆରୀ ମାସ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ଅଧିକାରିକ ଟ୍ୱିଟର ହ୍ୟାଣ୍ଡଲ @CMO_Odishaରୁ ଏକ ଟ୍ୱିଟ ଆସିଲା ଯେଉଁଥିରେ ଲେଖାଥିଲା, "ଓଡ଼ିଶା ସରକାରଙ୍କ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଓଡିଶା ମିଲେଟସ୍ ମିଶନ୍ ଏବଂ ମୋ ଉପକାରୀ ବଗିଚା ନୀତି ଆୟୋଗ ଦ୍ୱାରା ନିକଟରେ ପ୍ରକାଶିତ ‘ହେଲଥ ଆଣ୍ଡ୍ ନ୍ୟୁଟ୍ରିସନ ପ୍ରାକ୍ଟିସ ଇନସାଇଟ୍ସ’ ବା ସ୍ୱାସ୍ଥ୍ୟ ଓ ପୋଷଣ ଅଭ୍ୟାସ ଅନ୍ତର୍ଦୃଷ୍ଟି’ ଶୀର୍ଷକ ରିପୋର୍ଟରେ ସଫଳତାର କାହାଣୀ ଭାବରେ ସ୍ଥାନିତ ହୋଇଛି। ତୃଣମୂଳ ସ୍ତରରେ ସେମାନେ କିପରି ପ୍ରକୃତ ପରିବର୍ତ୍ତନ ଆଣିଛନ୍ତି ତାହା ଦର୍ଶାଇ ଏହି ଯୋଜନାଗୁଡିକର ପ୍ରଶଂସା କରାଯାଇଛି।" ଏହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟରେ ଆହୁରି ମଧ୍ୟ କୁହାଯାଇଥିଲା ଯେ ମିଲେଟ ମିଶନ ଦ୍ୱାରା ରାଜ୍ୟରେ ମାଣ୍ଡିଆ ଉତ୍ପାଦନ କରୁଥିବା କୃଷକଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟିଛି ତଥା ମୋ ଉପକାରୀ ବଗିଚା ଦ୍ୱାରା ମହିଳା ଓ ଶିଶୁଙ୍କ ମଧ୍ୟରେ ଖାଦ୍ୟ ବିବିଧତାରେ ଉନ୍ନତି ଆସିଛି ଏବଂ ଏହି ଦୁଇଟି ପ୍ରକଳ୍ପ ନୀତି ଆୟୋଗର ଦୃଷ୍ଟି ଆକର୍ଷଣ କରିଛି। ନିଶ୍ଚିତ ଭାବେ ଏହା ରାଜ୍ୟ ପାଇଁ ଗୌରବର ବିଷୟ ଏବଂ ରାଜ୍ୟ ସରକାର ଏଥିପାଇଁ ପ୍ରଶଂସାର ହକଦାର ଏଥିରେ କେହି ଦ୍ୱିମତ ହେବା ଉଚିତ ନୁହେଁ।
ଯଦି ଓ ଏହି ଟ୍ୱିଟଗୁଡିକ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡଲ @Naveen_Odisha ରେ ଉକ୍ତ ଦିନ ଦେଖିବାକୁ ମିଳିଲାନି ତଥାପି ଏହି ଖବରଟିକୁ ରାଜ୍ୟର ପ୍ରାୟତଃ ଗଣମାଧ୍ୟମ ନିଜ ନିଜ ଶୈଳୀରେ ପ୍ରକାଶ କଲେ। ଅଳ୍ପ କିଛି ପ୍ରକୃତ ତଥ୍ୟ ଦେଲେ କିନ୍ତୁ ବାକି କିଛି ଅତିରଂଜିତ କରି ସରକାରଙ୍କୁ ଅଯଥା ପ୍ରଶଂସାରେ ପୋତି ପକାଇଲେ। କିଏ ଲେଖିଲା ରାଜ୍ୟକୁ ଭୂୟସୀ ପ୍ରଶଂସା କରାଯାଇଛି ତ କିଏ ଲେଖିଲା ନୀତି ଆୟୋଗ ବୈଠକରେ ଓଡିଶାର ମିଲେଟ ମିଶନ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଏ ସବୁକୁ ପଛରେ ପକାଇ ଗୋଟିଏ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା ଲେଖିଲା "ରାଜ୍ୟ ସରକାରଙ୍କ ଯୋଜନାକୁ ନୀତି ଆୟୋଗଙ୍କ ସାର୍ଟିଫିକେଟ୍, ସଫଳତା ଆଣିଲା ‘ମିଲେଟ ମିଶନ ଓ ‘ମୋ ଉପକାରୀ ବଗିଚା, ପଛରେ ପଡ଼ିଲେ ଅନ୍ୟରାଜ୍ୟ।"
ଏହି ଖବରକୁ ପଢି ସାଧାରଣ ପାଠକଟିଏ ନିହାତି ଭାବିଥିବ ଯେ ଜାତୀୟ ସ୍ତରରେ କିଛି ଗୋଟେ ବଡ଼ ପ୍ରତିଯୋଗିତା ହୋଇଥିବ ବୋଧେ ଆଉ ସେହି ପ୍ରତିଯୋଗିତାରେ ଆମ ରାଜ୍ୟ ବିଜୟ ଲାଭ କରି ସାର୍ଟିଫିକେଟ୍ ଆଣିଛି ଏବଂ ବାକି ସବୁ ରାଜ୍ୟ ହାରି ଯାଇଛନ୍ତି।
ପ୍ରକୃତ କଥା ହେଉଛି ନୀତି ଆୟୋଗ ‘ହେଲଥ ଆଣ୍ଡ୍ ନ୍ୟୁଟ୍ରିସନ ପ୍ରାକ୍ଟିସ ଇନସାଇଟ୍ସ ବା 'ସ୍ୱାସ୍ଥ୍ୟ ଓ ପୋଷଣ ଅଭ୍ୟାସ ଅନ୍ତର୍ଦୃଷ୍ଟି' ଶୀର୍ଷକ ଏକ ରିପୋର୍ଟ ପ୍ରକାଶ କରିଥିଲା। ଏଥିରେ ସ୍ଥାନ ପାଇଥିଲା ସ୍ୱାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ବିଭିନ୍ନ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ୧୪ଟି ସାଧାରଣ ପ୍ରକଳ୍ପ ଏବଂ COVID-19 ସମ୍ବନ୍ଧିତ ୫ଟି ନିର୍ଦ୍ଦିଷ୍ଟ ପ୍ରକଳ୍ପ। ଏହି ରିପୋର୍ଟର ଉଦ୍ଦେଶ୍ୟ ଥିଲା ଏହି ପ୍ରକଳ୍ପଗୁଡିକ ମାଧ୍ୟମରେ ରାଜ୍ୟଗୁଡିକ ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ, ଅଭିନବ ଉପାୟ ପ୍ରଦର୍ଶନ ଏବଂ ପ୍ରଭାବଶାଳୀ ରଣନୀତି ଗଠନ କରାଇବା ଯାହା ଦ୍ୱାରା ଉକ୍ତ ରାଜ୍ୟ ତଥା ସାରା ଦେଶରେ ସ୍ୱାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଆକାଂକ୍ଷିତ ପରିବର୍ତ୍ତନ ଅଣାଯାଇପାରିବ। ଫଳପ୍ରଦତା, ଦକ୍ଷତା, ପ୍ରାସଙ୍ଗିକତା, ସ୍ଥିରତା, ଜନ ସମ୍ପ୍ରଦାୟଙ୍କ ଯୋଗଦାନ ତଥା ଅନ୍ୟ ସ୍ଥାନରେ ଫଳପ୍ରଦ ହେବାର ସମ୍ଭାବନା ଇତ୍ୟାଦିକୁ ବିଚାରକୁ ନେଇ ଏହି ପ୍ରକଳ୍ପଗୁଡିକ ଉକ୍ତ ରିପୋର୍ଟରେ ସ୍ଥାନ ପାଇଥିଲେ।
ସାଧାରଣ ପ୍ରକଳ୍ପ ଗୁଡିକ ହେଉଛି ୧. ଗୁଜୁରାଟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପୁଷ୍ଟି (PUSHTI ) ପ୍ରକଳ୍ପ, ୨. କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ ଏବଂ ଉତ୍ତରପ୍ରଦେଶର MDM ଅଧୀନରେ ପରିବେଷିତ ଖାଦ୍ୟର ଫୋର୍ଟିଫିକେସନ ପ୍ରକଳ୍ପ, ୩. ଉତ୍ତରପ୍ରଦେଶ, ବିହାର ଏବଂ ଝାଡ଼ଖଣ୍ଡର ସରକାରୀ ହସ୍ପିଟାଲରେ MIYCN ଇନଟିଗ୍ରେସନ ପ୍ରକଳ୍ପ, ୪. ଓଡିଶାର ଓଡିଶା ମିଲେଟ ମିଶନ ପ୍ରକଳ୍ପ, ୫. ରାଜସ୍ଥାନର ଦକ୍ଷତା ପ୍ରକଳ୍ପ, ୬. ଗୁଜୁରାଟ ଏବଂ ମଧ୍ୟ ପ୍ରଦେଶର ଡବଲ୍ ଫୋର୍ଟିଫାଇଡ଼ ଲୁଣ ବଣ୍ଟନ ପ୍ରକଳ୍ପ, ୭. ଝାଡ଼ଖଣ୍ଡରେ ମଡେଲ୍ ଅଙ୍ଗନୱାଡି କେନ୍ଦ୍ରର ବିକାଶ ପ୍ରକଳ୍ପ, ୮. ଓଡ଼ିଶାର ମୋ ଉପକାରୀ ବଗିଚା ପ୍ରକଳ୍ପ, ୯. ରାଜସ୍ଥାନର ହୁମ୍ୟାନ ମିଲକ ବ୍ୟାଙ୍କିଂ ପ୍ରକଳ୍ପ, ୧୦. ତେଲେଙ୍ଗାନାର ମିଲେଟ୍ ଭିତ୍ତିକ ଭୋଜନ ପ୍ରକଳ୍ପ, ୧୧. ଗୁଜୁରାଟର ଜର୍ଣ୍ଣି ଅଫ ଫାଷ୍ଟ ୧୦୦୦-ଡେସ ପ୍ରକଳ୍ପ, ୧୨. ଉତ୍ତର ପ୍ରଦେଶର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଫଳାଫଳକୁ ଉନ୍ନତ କରିବାକୁ ଧାର୍ମିକ ନେତା ଏବଂ ବିଶ୍ୱାସ ସମ୍ପ୍ରଦାୟକୁ ନିୟୋଜିତ କରିବା ପ୍ରକଳ୍ପ, ୧୩. ଗୁଜୁରାଟର ମହିଳା ଏବଂ ଶିଶୁଙ୍କ ବିକାଶ ଯୋଜନା ରାଜ୍ୟ ପରିଚାଳନା କେନ୍ଦ୍ର ପ୍ରକଳ୍ପ ଏବଂ ୧୪. ରାଜସ୍ଥାନର ବର୍ନ ହେଲଦି (ସୁସ୍ଥ ଜନ୍ମ) ପ୍ରକଳ୍ପ।
କୋଭିଡ଼-୧୯ ସମ୍ବନ୍ଧିତ ୫ଟି ନିର୍ଦ୍ଦିଷ୍ଟ ପ୍ରକଳ୍ପ ଗୁଡିକ ହେଉଛି ୧. ଗୁଜୁରାଟର ଉମବାରେ ଅଙ୍ଗନୱାଡି ପ୍ରକଳ୍ପ, ୨. ଛତିଶଗଡର ନିରବଚ୍ଛିନ୍ନ IFA, ଯୋଗାଣ ପ୍ରକଳ୍ପ, ୩. ଝାଡ଼ଖଣ୍ଡର CO-BOT ପ୍ରକଳ୍ପ, ୪. ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ଓଡିଶା, ମଧ୍ୟପ୍ରଦେଶ, ବିହାର, ତେଲେଙ୍ଗାନା ଏବଂ ଆସାମ ସମେତ ଅନ୍ୟନ୍ୟ ରାଜ୍ୟର କମ୍ୟୁନିଟି ୱାରିୟର୍ସ ଭାବରେ SHG ସଦସ୍ୟ ପ୍ରକଳ୍ପ ଏବଂ ୫. ଝାଡ଼ଖଣ୍ଡର ପୋଷଣ ଭ୍ୟାନ୍ ପ୍ରକଳ୍ପ। ଏହି ୫ଟି ପ୍ରକଳ୍ପରେ ରାଜ୍ୟଗୁଡିକର ଅଂଶଗ୍ରହଣକୁ ଯଦି ଦେଖିବା ତେବେ ଝାଡ଼ଖଣ୍ଡ ୨ଟି, ଛତିଶଗଡ଼ ୧ଟି, ଗୁଜୁରାଟ ୧ଟି ଏବଂ ଅନ୍ୟାନ୍ୟ ରାଜ୍ୟ ୧ଟି ପ୍ରକଳ୍ପରେ ଅଂଶଗ୍ରହଣ କରିଛନ୍ତି। ଏହି ହିସାବରେ ସାଧାରଣ ପ୍ରକଳ୍ପଗୁଡିକ ଯଦି ଦେଖିବା ତେବେ ୧୦ଟି ରାଜ୍ୟର ପ୍ରକଳ୍ପଗୁଡିକୁ ଏହି ରିପୋର୍ଟରେ ସ୍ଥାନ ଦିଆଯାଇଛି ଏବଂ ଗୁଜୁରାଟ ୪ଟି, ଉତ୍ତର ପ୍ରଦେଶ ୪ଟି, ରାଜସ୍ଥାନ ୩ଟି, ଝାଡ଼ଖଣ୍ଡ ୨ଟି, ଓଡ଼ିଶା ୨ଟି, ତେଲେଙ୍ଗାନା ୨ଟି, ଆନ୍ଧ୍ର ପ୍ରଦେଶ ୧ଟି, ବିହାର ୧ଟି, କର୍ଣ୍ଣାଟକ ୧ଟି ଏବଂ ମଧ୍ୟ ପ୍ରଦେଶ ୧ଟି ପ୍ରକଳ୍ପରେ ଅଂଶଗ୍ରହଣ କରିଛନ୍ତି।
ଏବେ ପ୍ରଶ୍ନ ଉଠୁଛି ଯେ ତଥାକଥିତ ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା କାହିଁକି ଲେଖିଲା ଯେ ଓଡିଶା ସଫଳତା ଏବଂ ସାର୍ଟିଫିକେଟ ପାଇଲା ଏବଂ ଅନ୍ୟ ରାଜ୍ୟ ପଛରେ ରହିଗଲେ? ଏହାର ଦୁଇଟି କାରଣ ହୋଇଥାଇ ପାରେ। ପ୍ରଥମଟି ସରକାରଙ୍କୁ ଖୁସି କରିବା ଏବଂ ଦ୍ୱିତୀୟଟି ହେଉଛି ଲୋକଙ୍କୁ ଭୁଆଁ ବୁଲାଇବା। ପ୍ରଥମ ଅପେକ୍ଷା ଦ୍ଵିତୀୟ କାରଣଟି ଏଠି ପ୍ରାସଙ୍ଗିକ ଲାଗୁଛି କାରଣ ସରକାର ଭଲ ଭାବେ ଜାଣିଛନ୍ତି ଯେ ପ୍ରକାଶିତ ରିପୋର୍ଟରେ ନୀତି ଆୟୋଗ କେବଳ ଓଡିଶାର ପ୍ରକଳ୍ପକୁ ସ୍ଥାନ ଦେଇନାହାନ୍ତି ଏଥିରେ ଅନ୍ୟାନ୍ୟ ରାଜ୍ୟର ପ୍ରକଳ୍ପ ମଧ୍ୟ ଅଛି। ଆଉ ଏହି ସଂସ୍ଥାର ତର୍କକୁ ଯଦି ଗ୍ରହଣ କରାଯାଏ ତେବେ ଆମ ରାଜ୍ୟ କଣ ଗୁଜୁରାଟ, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନଠୁ ପଛରେ ପଡିଗଲା? ତେଣୁ ନିଜ ରାଜ୍ୟର ପ୍ରଶଂସା କରିବା ଉଚିତ କିନ୍ତୁ ଅନ୍ୟ ରାଜ୍ୟକୁ ମିଛରେ ନିନ୍ଦା କରିବା ବା ନୀଚା ଦେଖେଇବା ଠିକ ନୁହେଁ।
ରସୁଲଗଡ଼, ଭୁବନେଶ୍ୱର