ସୂର୍ଯ୍ୟମଣି ମିଶ୍ର
ବଦଳୁଥିବା ସମୟରେ ଭାରତରେ ଡିଜିଟାଲ ଶିକ୍ଷାନୀତି କେତେ ଆବଶ୍ୟକ ଏବଂ ଏହାର ଦାବି ଅଛି କି ନାହିଁ ତାହା ଆଲୋଚନାର ବିଷୟ ନିଶ୍ଚୟ। କରୋନା ସଂକଟ ସମୟରେ ହଠାତ୍ ସ୍କୁଲସବୁକୁ ବନ୍ଦ କରାଗଲା। ମନେ ହେଲା ଦୀର୍ଘ ସମୟ ଯାଏ ଏହି କରୋନା ମହାମାରୀର ପ୍ରଭାବ କାରଣରୁ ଲୋକ ଗୃହବନ୍ଦୀ ଜୀବନ ବିତାଇବେ। ଏହା ଫଳରେ ବିଦ୍ୟାଳୟରେ ପଢୁଥିବା ଶିଶୁଙ୍କ ପାଠପଢା ଅନିଶ୍ଚିତ ଦିଗ ଆଡ଼କୁ ଗତି କରିବ।
ସ୍କୁଲ ବନ୍ଦ ସହ ପାଠ୍ୟକ୍ରମକୁ ସଂପୂର୍ଣ୍ଣ କରିବା ପାଇଁ ଯେଉଁ ଅଭ୍ୟାସ ପିଲାଙ୍କ ମଧ୍ୟରେ ଥିଲା ତାହା ପଛେଇ ଯିବ। ଶିକ୍ଷା ପ୍ରଶାସନ ଉପରେ ଏହାର ପ୍ରଭାବ ପଡ଼ିବ। ଏହି ସମୟରେ ଜାତୀୟ ଶିକ୍ଷାନୀତି-୨୦୨୦ର ଦସ୍ତାବିଜ୍ ସାମ୍ନାକୁ ଆସିଲା। ସ୍କୁଲ ଶିକ୍ଷାଠୁ ଆରମ୍ଭ କରି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଶିକ୍ଷାପାଠ୍ୟକ୍ରମରେ ପରିବର୍ତ୍ତନର କଥା ଏହି ନୂଆ ଶିକ୍ଷାନୀତିରେ ସ୍ଥାନ ପାଇଲା। ନୂଆ ଶିକ୍ଷାନୀତିର ଦସ୍ତାବିଜରେ ମୋବାଇଲ୍ ଆପ୍ ଡିଜିଟାଲ ଶିକ୍ଷା, ମୂଲ୍ୟାଙ୍କନରେ ଅଧିକରୁ ଅଧିକ ଇଲେକ୍ଟ୍ରୋନିକ୍ ମାଧ୍ୟମକୁ ବ୍ୟବହାର କରିବା ପାଇଁ ଗୁରୁତ୍ୱ ଦିଆଯାଇଛି। କିନ୍ତୁ କଟୁ ବାସ୍ତବିକତା ହେଉଛି ଆମ ପିଲାମାନଙ୍କ ପାଖରେ ଏହି ଡିଜିଟାଲ ପଢିବା ସାମଗ୍ରୀ ନାହିଁ। ଶିକ୍ଷକ ମଧ୍ୟ ଏ ସଂପର୍କରେ ପ୍ରଶିକ୍ଷଣ ପାଇନାହାନ୍ତି। ସମସ୍ତ ଶିଶୁଙ୍କ ପାଖରେ ଏ ସଂପର୍କିତ ଉପକରଣ ଉପଲବ୍ଧ ନାହିଁ। ଏହି ଅଭାବକୁ ନେଇ ଡିଜିଟାଲ ଶିକ୍ଷା ପାଇଁ ନୂଆ ନୀତି କେତେ ଆଗକୁ ବଢିବ ତାହା ପ୍ରଶ୍ନବାଚୀ ନିଶ୍ଚୟ। ଡିଜିଟାଲ ପ୍ଲାଟଫର୍ମରେ ଶିଶୁଙ୍କୁ ସମ୍ବୋଧନ କରାଯାଉଛି। ଏହା ପୂର୍ବରୁ ପ୍ରସ୍ତୁତ ଭିଡ଼ିଓର ପ୍ରଦର୍ଶନ କରାଯାଉଛି ଯାହା ଡିଜିଟାଲ ଶିକ୍ଷା ଅନ୍ତର୍ଗତ ନୁହେଁ। ଅସର ନାମକ ଏକ ସର୍ଭେ ସଂସ୍ଥା ନିଜ ରିପୋର୍ଟରେ ସ୍ପଷ୍ଟ ଭାବେ କହିଛି ଯେ, ସ୍କୁଲ ଯାଉଥିବା ୩୦ ପ୍ରତିଶତ ଶିଶୁଙ୍କ ପାଖରେ ସ୍ମାର୍ଟଫୋନର ସୁବିଧା ନାହିଁ। ଏହା ସହ ଦୁର୍ବଳ ନେଟୱାର୍କ ରହିଛି। ଅଧାରୁ ଅଧିକ ପିଲା ଗତ ୧୦ ମାସ ମଧ୍ୟରେ ପଢିବା ଠାରୁ ଦୂରରେ ରହିଛନ୍ତି। ଏହା କେବଳ ପାଠ୍ୟକ୍ରମ ପାଇଁ ସଂକଟର ବିଷୟ ନୁହେଁ। ଏହା ସହ ଅର୍ଥ ବ୍ୟବସ୍ଥା ମଧ୍ୟ କରୋନା ମହାମାରୀ ସମୟରେ ପ୍ରଭାବିତ ହୋଇଛି। ବହୁ ସଂଖ୍ୟକ ଶିଶୁ ଜୀବିକା ଉପାର୍ଜନ ବା ଅନ୍ୟ କାରଣକୁ ନେଇ ଶିକ୍ଷାଠାରୁ ଦୂରରେ ରହିଛନ୍ତି। ସରକାରୀ ରେକର୍ଡ଼ ମୁତାବକ ଆଜି ମଧ୍ୟ ଆମ ଦେଶରେ ଏପରି ୬୦ ଲକ୍ଷ ଶିଶୁ ଅଛନ୍ତି ଯେଉଁମାନେ ବିଦ୍ୟାଳୟ ବାରଣ୍ଡା ମାଡ଼ିନାହାନ୍ତି। ଏହା ସତ୍ୟ ଯେ, ପଢିବା-ପଢାଇବାର ଯେଉଁ ପ୍ରତିଯୋଗିତା ଚାଲିଛି ସେଥିରେ ସ୍ୱଚ୍ଛଳ ତଥା ଧନ ଥିବା ବ୍ୟକ୍ତିଙ୍କ ଶିଶୁମାନେ ଯେଉଁମାନେ ସହରରେ ରହୁଛନ୍ତି ସେଇମାନେ ପଢିବା ପାଇଁ ଆଗଧାଡ଼ିରେ ରହିଛନ୍ତି। ଏହି ଶିଶୁମାନେ ଘରୋଇ ବିଦ୍ୟାଳୟକୁ ବିଶେଷ ଭାବେ ଯାଇଥାନ୍ତି। ଏଥିରୁ ଯାହା ଜଣାଯାଉଛି ତାହା ହେଉଛି ଭବିଷ୍ୟତରେ ସରକାରୀ ବିଦ୍ୟାଳୟଗୁଡ଼ିକର ସ୍ଥିତିକୁ କିପରି ଦୁର୍ବଳ କରାଯାଉଛି। ଗୋଟିଏ ପରେ ଗୋଟିଏ ସରକାରୀ ବିଦ୍ୟାଳୟକୁ ଉପସ୍ଥାନ କମ୍ ଥିବା ଦର୍ଶାଇ ବନ୍ଦ କରିବା ଏବଂ ଘରୋଇ ବିଦ୍ୟାଳୟ ଶିକ୍ଷାଦାନ ଉତ୍କୃଷ୍ଟ ବୋଲି ପ୍ରଚାର କରିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଶିଶୁ ଏହି ଦୌଡ଼ଠାରୁ ପଛରେ ରହିଛନ୍ତି।
ସରକାର କହୁଛନ୍ତି ଶିକ୍ଷକଙ୍କ ଉପସ୍ଥିତି ନିୟମିତ ସୁନିଶ୍ଚିତ ହେବ। ସ୍କୁଲଘରର ଆବଶ୍ୟକ ସୁବିଧା ଦିଆଯାଉଛି। କିନ୍ତୁ ଆଜି ବି ସରକାରୀ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦୂର ହୋଇପାରୁନାହିଁ। ସରକାରଙ୍କ ପ୍ରଚାର ହେଲା ମୋବାଇଲ କନେକ୍ସନ୍ ସଂଖ୍ୟା ଜନସଂଖ୍ୟା ସହ ସମାନ ଅବସ୍ଥାରେ ପହଂଚିଛି। ୧୨ ବର୍ଷର ଶିଶୁଙ୍କ ପାଇଁ ମୋବାଇଲ ସ୍କୁଲ ବସ୍ତାନି ଭଳି ଅନିର୍ବାର୍ଯ୍ୟ ହୋଇଛି। ଯେଉଁଠି ଶିଶୁଙ୍କର ଡିଜିଟାଲ ସାକ୍ଷରତା, ଜିଜ୍ଞାସା, ସୃଜନଶୀଳତା ଏବଂ ସାମାଜିକ କୌଶଳ ସଶକ୍ତ ହେବ, ଦେଶର ୮୦ ଭାଗରୁ ଅଧିକ ଲୋକ ପ୍ରତିଦିନ ନିଜର ଆବଶ୍ୟକ ଖାଦ୍ୟ, ବସ୍ତ୍ର, ବାସଗୃହ, ଚିକିତ୍ସା ଓ ସେବାକୁ ସାମ୍ନା କରିପାରୁନାହାନ୍ତି, କାରଣ ଆର୍ଥିକ ଦୃଷ୍ଟିରେ ଦୁର୍ବଳ ଅବସ୍ଥାରେ ଅଛନ୍ତି, ସେଠି ସରକାରଙ୍କ ଡିଜିଟାଲ ଶିକ୍ଷା ପ୍ରଣାଳୀ ଆର୍ଥିକ ଦୁର୍ବଳ ଲୋକଙ୍କ ଘରର ଶିଶୁଙ୍କ ପାଇଁ କେତେ ସହଜ ହେବ ତାହା ମଧ୍ୟ ସମୀକ୍ଷାର ବିଷୟ। ସର୍ଭେରୁ ଜଣାଯାଇଛି ମୋବାଇଲ ବ୍ୟବହାର ଶିକ୍ଷାର ବାଧକ। କାରଣ ପୁସ୍ତକଠାରୁ ଶିଶୁଟିକୁ ଦୂରେଇ ଦେଲେ ତାହା ଶିଶୁର ମାନସିକ ସମୃଦ୍ଧିର ସହାୟକ ହୋଇପାରିବ ନାହିଁ। ଭାରତରେ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ କରାଯାଇଛି। କିନ୍ତୁ ଏହି ଅଧିକାର ସମସ୍ତ ଶିଶୁଙ୍କୁ ମିଳିପାରିନାହିଁ। ଯଦିଓ ସାକ୍ଷରତା ହାର ବୃଦ୍ଧି ଉତ୍ସାହ ବର୍ଦ୍ଧକ ନିଶ୍ଚୟ। କିନ୍ତୁ ଗୁଣବତ୍ତାପୂର୍ଣ୍ଣ ଶିକ୍ଷାଠାରୁ ୮୦ ଭାଗ ଶିଶୁ ଦୂରରେ। କାରଣ ଆଜି ବି ଦେଶରେ ୧୦ ଲକ୍ଷ ଶିକ୍ଷକଙ୍କର ଅଭାବ ରହିଛି। ଡିଜିଟାଲ ମାଧ୍ୟମରେ ଦେଣ ନେଣ ବ୍ୟାପାର, ପରିବହନ ଚାଲୁଛି। କିନ୍ତୁ ଶିଶୁଟିକୁ ଡିଜିଟାଲ ମାଧ୍ୟମରେ ଶିକ୍ଷା ଦେବା ତାଙ୍କ ପାଇଁ କୁପରିଣାମ ଆଣିଦେବ ନାହିଁ ତ? କାରଣ ପୋର୍ନ ଦେଖିବା ପାଇଁ ମଧ୍ୟ ପିଲାର ଆଗ୍ରହ ଏହି ଡିଜିଟାଲ ମାଧ୍ୟମରେ ସୃଷ୍ଟି ହେବାର ଆଶଙ୍କା ରହିଛି। ଅନେକ ୱେବସାଇଟରେ ଏଭଳି ଅଶ୍ଲୀଳ ତଥା ପୋର୍ନ ଭିଡ଼ିଓ ଛଡ଼ାଯାଉଛି ଯାହା ଶିଶୁର ମାନସିକତା ଉପରେ କୁପ୍ରଭାବ ପକାଇପାରେ। ଦେଖାଯାଉଛି ଏହି ମୋବାଇଲ୍ ଦ୍ୱାରା ଅନେକ ଶିଶୁ ହିଂସାର ଶିକାର ହେଉଛନ୍ତି। ମୂଲ୍ୟବୋଧ ଭିତ୍ତିକ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଏହି ଡ଼ିଜିଟାଲ ମାଧ୍ୟମ ଶିକ୍ଷା ଯେତେ ସହାୟକ ନହେବ ସେତେ ଶିଶୁଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇପାରେ। ସବୁଠୁ ଭଲ ଡିଜିଟାଲ ମାଧ୍ୟମ ଶିକ୍ଷା ସହ ବିଦ୍ୟାଳୟରେ ନିୟମିତ ଶିକ୍ଷା ପ୍ରଦାନ ଏବଂ ଶିଶୁର ମାନସିକତା ଆଧାରରେ ପାଠ୍ୟପୁସ୍ତକ ପ୍ରଣୟନ ଏବଂ ବିଜ୍ଞାନ ଭିତ୍ତିକ ଶିକ୍ଷା ପ୍ରଦାନକୁ ସୁନିଶ୍ଚିତ କରିବ।
ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର
ଫୋନ୍: ୯୪୩୮୦୦୬୨୧୫