ବୋଝ ଉତାରିବ କିଏ?

ଦେବେନ୍ଦ୍ର ପୃଷ୍ଟି

ବହୁ ବର୍ଷ ତଳେ ପିଲାମାନଙ୍କ ପାଠବହିରେ କବିତାଟିଏ ଥିଲା- ଶ୍ରମିକ ଭାଇରେ ଲାଗି ପଡ଼, କେଉଁ କାମ ଅବା ତତେ ବଡ଼! ଏବେ ସେମାନଙ୍କ ଜୀବନର ଭାର ବୋହିବା ହିଁ ସେମାନଙ୍କ ପାଇଁ ବହୁତ ବଡ଼ ହୋଇଯାଇଛି। ଏ ବୋଝ ବୋହି ସେମାନେ ଚାଲିଛନ୍ତି, ଫେରୁଛନ୍ତି ଘରମୁହାଁ- ଯେଉଁ ସହରକୁ କାମଧନ୍ଦା ସନ୍ଧାନରେ ଯାଇଥିଲେ ସେହି ସହରକୁ ପଛ କରି। ସେମାନେ ଏବେ ରାସ୍ତାରେ।

ସଡ଼କରେ ଏବେ ଶ୍ରମିକଙ୍କ ସୁଅ। କାନ୍ଧରେ ଜୀବନର ବୋଝ। ମୁଣ୍ଡରେ ଯନ୍ତ୍ରଣାର ବୁଜୁଳି। ଛୁଆପିଲାଙ୍କୁ ଧରି ଶହ ଶହ ହଜାର ହଜାର କିଲୋମିଟର ଚାଲିଛନ୍ତି ଶ୍ରମିକ। ଅନେକ ସ୍ଥାନରୁ ଦେଖିବାକୁ ମିଳୁଛି ଅତି କରୁଣ ଦୃଶ୍ୟ। ରାଜ୍ୟ ରାଜ୍ୟ ପାର ହୋଇଯିବାକୁ ପଡ଼ୁଛି। ନିର୍ଜନ ସଡ଼କ, ପାହାଡ଼ି ରାସ୍ତା, ଜଙ୍ଗଲ ଭିତର ଦେଇ ଯିବାକୁ ହେଉଛି। ତଥାପି ଚାଲିଛନ୍ତି ଲକ୍ଷଲକ୍ଷ ଶ୍ରମିକ। କେହି କେହି ବି ସାଇକେଲରେ ଦୁଇ ହଜାର କିଲୋମିଟର ଦୂର ଗାଁକୁ ଫେରିଯାଉଛନ୍ତି। ବାଟରେ ସେମାନଙ୍କ ପାଇଁ ଖାଇବାକୁ ନାହିଁ, ପିଇବାକୁ ପାଣି ମିଳୁନି। କାହା ପାଦ ତଳର ଚମଡ଼ା ଉତୁରି ଗଲାଣି ତ କାହା ଗୋଡ଼ହାତ ଅବଶ ହୋଇଗଲାଣି। କିଏ ଥକି ପଡ଼ିଛି, ଆଉ ଚାଲି ନପାରି ଶୋଇଯାଇଛି ଟ୍ରେନ ଲାଇନ ଉପରେ ଆଉ ଟ୍ରେନ ମାଡ଼ି ଚାଲିଯାଇଛି।

ଏସବୁ ଦୃଶ୍ୟ ପୁଣି ଦେଖିବାକୁ ମିଳିଛି ଏକବିଂଶ ଶତାବ୍ଦୀର ଭାରତରେ। ନୂଆ ଭାରତର ପ୍ରତିଶ୍ରୁତି ଦେଇଥିବା ସରକାରଙ୍କ ପରିଚାଳନାଗତ ତ୍ରୁଟି ଯୋଗୁଁ ହିଁ ସୃଷ୍ଟି ହୋଇଛି ଏପରି ଯନ୍ତ୍ରଣାଦାୟକ ପରିସ୍ଥିତି। ସରକାର ଯଦି ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କ ସହିତ ବିଚାର ବିମର୍ଶ କରି ତାଲାବନ୍ଦ କରିଥାନ୍ତେ ତେବେ ହୁଏତ ଆଜି ଯେଉଁ ଶ୍ରମିକମାନେ ସହର ଛାଡ଼ି ଘରମୁହାଁ ହୋଇଛନ୍ତି ସେପରି କରିନଥାନ୍ତେ। ତାଲାବନ୍ଦ ଘୋଷଣା କରିବା ସମୟରେ ସେମାନଙ୍କୁ ଯଦି ନିଜନିଜ ଗାଁକୁ ଫେରିବାକୁ ଚାରିପାଞ୍ଚ ଦିନ ସମୟ ଦିଆଯାଇଥାନ୍ତା ତେବେ ହୁଏତ ସମସ୍ୟା ଏତେ ଉତ୍କଟ ହୋଇନଥାନ୍ତା। ତାଲାବନ୍ଦ ସମୟରେ ସେମାନଙ୍କର ତଥା ସେମାନଙ୍କ ପରିବାରର ଭରଣପୋଷଣ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏପରି ସଂକଟ ସୃଷ୍ଟି ହୋଇନଥାନ୍ତା। ସେତେବେଳେ ପ୍ରଧାନମନ୍ତ୍ରୀ ଏ ବିଷୟରେ ଚିନ୍ତା କଲେ ନାହିଁ। ତାଙ୍କ ପରି ରାଜ୍ୟ ମୁଖ୍ୟମନ୍ତ୍ରୀ କି ସ୍ଥାନୀୟ ପ୍ରଶାସନ ମଧ୍ୟ ଏ ବିଷୟରେ ଭାବିଲେ ନାହିଁ। ଏବେ ଆନ୍ତଃରାଜ୍ୟ ସଡ଼କଗୁଡ଼ିକରେ ଯାହା ଦେଖାଯାଉଛି ତାହା ଅତ୍ୟନ୍ତ କରୁଣ ଓ ହୃଦୟ ବିଦାରକ।

ସୁପ୍ରିମ କୋର୍ଟରେ କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଶ୍ରମିକମାନଙ୍କ ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। ସେମାନେ ଅପେକ୍ଷା ନକରି ହଇରାଣ ହେଉଛନ୍ତି। ଏହା ସତ। ସରକାର ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛନ୍ତି। କିନ୍ତୁ କେତେବେଳେ? ଶ୍ରମିକମାନେ ଦୁଇ ମାସ ଧରି ଅନିଶ୍ଚିତ ଭବିଷ୍ୟତ ଓ ନିଶ୍ଚିତ ଦୁର୍ଦ୍ଦଶା ଭିତରେ ଦୁଇ ମାସ ଦୁଶ୍ଚିନ୍ତାରେ ରହିବା ପରେ, ସେମାନଙ୍କର ସଂଚୟ ଶେଷ ହେବା ପରେ। ବିଚାରପତି ଏଲ. ନାଗେଶ୍ୱର ରାଓ, ବିଚାରପତି ଏସକେ କାଉଲ ଏବଂ ବିଆର ଗୋଭାଇଙ୍କୁ ନେଇ ଗଠିତ ସୁପ୍ରିମ କୋର୍ଟଙ୍କ ଖଣ୍ଡପୀଠ ଶ୍ରମିକଙ୍କ ସ୍ୱାର୍ଥ ଓ ସୁରକ୍ଷା ସଂପର୍କୀତ ଏକ ଜନସ୍ୱାର୍ଥ ମାମଲା ଖାରଜ କରି କହିଛନ୍ତି, କୋର୍ଟ କ’ଣ କିଏ କେଉଁ ରାସ୍ତାରେ ଗଲା ବା ନଗଲା ତଦାରଖ କରିବ? ଏହା ଠିକ। କିନ୍ତୁ ଭାରତର ସବୁ ରାସ୍ତା ତ ସରକାରଙ୍କର! କେଉଁ ରାସ୍ତା କେନ୍ଦ୍ର ଅଧୀନରେ କେଉଁ ରାସ୍ତା ରାଜ୍ୟ ଅଧୀନରେ। କେଉଁ ରାସ୍ତା ରାଜ୍ୟର ପୂର୍ତ୍ତ ବିଭାଗ ଅଧୀନରେ, କେଉଁ ରାସ୍ତା ପୌର ସଂସ୍ଥା ଅଧୀନରେ। କେଉଁ ରାସ୍ତା ଗ୍ରାମ ଉନ୍ନୟନ ବିଭାଗ ଅଧୀନରେ ତ ପୁଣି କେଉଁ ରାସ୍ତା ପଞ୍ଚାୟତ ଅଧୀନରେ। ଏସମସ୍ତ କର୍ତ୍ତୃପକ୍ଷ ତ ସେମାନଙ୍କ ସଡ଼କରେ ଅଖିଆ ଅପିଆ ଚାଲିଚାଲି ଫେରୁଥିବା ଶ୍ରମିକମାନଙ୍କ ସହାୟତା କରିପାରନ୍ତେ! ଶ୍ରମିକମାନେ କ’ଣ ଭାରତର ନାଗରିକ ନୁହନ୍ତି?

କରୋନା ଭୂତାଣୁର ମୁକାବିଲା କରିବାକୁ ପ୍ରଧାନମନ୍ତ୍ରୀ କାହା ସହିତ ବିଚାର ବିମର୍ଶ କରି ତାଲାବନ୍ଦ ଘୋଷଣା କରିଥିବେ ନିଶ୍ଚୟ। କିନ୍ତୁ ୨୦୨୦ ମାର୍ଚ୍ଚ ୨୪ ତାରିଖ ସନ୍ଧ୍ୟା ୮ଟା ସମୟରେ ସେ ତାଲାବନ୍ଦ ଘୋଷଣା କରିବା ସମୟରେ ଏହିପରି ଦେଶାନ୍ତରୀ ଶ୍ରମିକମାନଙ୍କ କଥା କହି ନଥିଲେ। ସମସ୍ତଙ୍କୁ ମାତ୍ର ୪ ଘଣ୍ଟା ସମୟ ମିଳିଥିଲା, ନିଜନିଜ ବ୍ୟବସ୍ଥା କରିବା ପାଇଁ। ଶ୍ରମିକମାନେ କଷ୍ଟେମଷ୍ଟେ ଏପ୍ରିଲ ୧୪ ତାରିଖ ଯାଏଁ ଅପେକ୍ଷା କଲେ। ଭାବିଥିଲେ ତାଲାବନ୍ଦ ଖୋଲିବ, ପୁଣି ଥରେ କାମଧନ୍ଦ ମିଳିବ। ତା’ ଭିତରେ ଅନେକ ଶ୍ରମିକଙ୍କ ପାଖରେ ଥିବା ଟଙ୍କା ସରି ଯାଇଥିବ। ଏପ୍ରିଲ ୧୪ରେ ପୁଣି ତାଲାବନ୍ଦ ଅବଧି ବଢ଼ିଲା ମେ ୩ ଯାଏଁ। ମେ ୩ରୁ ମେ ୧୭ ଯାଏ। ମେ ୧୭ରୁ ପୁଣି ବଢ଼ିବା ଘୋଷଣା ହୋଇସାରିଛି। ସରକାରୀ କର୍ମଚାରୀ, ବଡ଼ ବ୍ୟବସାୟୀ, ବଡ଼ କମ୍ପାନୀର ବଡ଼ ଅଧିକାରୀମାନଙ୍କ ନିକଟରେ ହୁଏତ ୫-୬ ମାସ ଚଳିବା ପାଇଁ ସଂଚୟ ଥାଇପାରେ। କିନ୍ତୁ ଏହି ବର୍ଗର ଶ୍ରମିକମାନଙ୍କ ନିକଟରେ କେତେ ଟଙ୍କା ଜମା ଥାଏ?

ସେମାନେ ଦେଖିଲେ ସଂଚୟ ସରି ଆସୁଛି। କାମଧନ୍ଦା ଏତେ ଶୀଘ୍ର ମିଳିବାର ଆଶା ନାହିଁ। ମାଲିକ କିଛି ସୁବିଧା କଲାନି। ସହର ପ୍ରଶାସନ ମଧ୍ୟ ଦାୟିତ୍ୱ ନେଲା ନାହିଁ। ତେଣେ ଗାଁରେ ମଧ୍ୟ ସମାନ ସ୍ଥିତି। ସବୁଠି ଅନିଶ୍ଚିତା। ସେମାନେ କରନ୍ତେ କ’ଣ?

ଏବେ ସେମାନଙ୍କର ଦୁଃଖଦୁର୍ଦ୍ଦଶା ଓ ଯନ୍ତ୍ରଣାର କଥା ଗଣମାଧ୍ୟମରେ ପ୍ରଚାରିତ ହେବାରୁ ପ୍ରଧାନମନ୍ତ୍ରୀ ପ୍ୟାକେଜ ଘୋଷଣା କରିଛନ୍ତି। ସମସ୍ତଙ୍କ ପାଇଁ ପ୍ୟାକେଜ ଘୋଷଣା ହୋଇଛି। ତା’ ଭିତରେ ଶ୍ରମିକଙ୍କ ପାଇଁ ହୋଇଛି। ମାତ୍ର, ଏ ଘୋଷଣା ହେଲା ବେଳକୁ ଅନେକ ଡେରି ହୋଇଯାଇଛି।

ପ୍ରଧାନମନ୍ତ୍ରୀ ତାଲାବନ୍ଦ ଘୋଷଣା କରିବା ସମୟରେ ସେ କହି ନଥିଲେ ମଧ୍ୟ ଜାଣିବା ଶୁଣିବା ମହଲ ବୁଝିଥିଲେ ଯେ ତାଲାବନ୍ଦର ଉଦ୍ଦେଶ୍ୟ ହେଉଛି କରୋନା ଭୂତାଣୁ ସଂକ୍ରମଣକୁ କିଛି ଦିନ ବିଳମ୍ବିତ କରିବା, ସେହି ସମୟ ଭିତରେ ଏହାର ଚିକିତ୍ସା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଯିବା। କିନ୍ତୁ ତାଲାବନ୍ଦ ସମୟ ତିନି ଥର ବଢ଼ିଥିଲେ ମଧ୍ୟ ଏବେ ଜଣାପଡ଼ୁଛି ଯେ ସରକାର କରୋନା ବିରୋଧୀ ଯୁଦ୍ଧରେ ପୂର୍ଣ୍ଣ ବିଜୟ ଆଶା ଛାଡ଼ି ଦେଇଛନ୍ତି। ଏବେ ସମସ୍ତେ କହୁଛନ୍ତି କରୋନା ସହିତ ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରିବାକୁ ହେବ। ଅର୍ଥାତ କରୋନା ସହିତ ସନ୍ଧି କରିବାକୁ ମାନସିକ ଭାବେ ପ୍ରସ୍ତୁତ ହୋଇସାରିଲେଣି ରାଷ୍ଟ୍ର ଓ ରାଜ୍ୟର ସରକାରମାନେ। ଯଦି ଏହା ତେବେ ଏ ଶ୍ରମିକମାନଙ୍କ ସହିଥିବା ଯନ୍ତ୍ରଣାର ମୂଲ୍ୟ କ’ଣ? ସେମାନଙ୍କୁ କାହିଁକି ଦହଗଞ୍ଜ କରାଗଲା? କାହିଁକି ସେମାନଙ୍କ ଭବିଷ୍ୟତକୁ ଅନିଶ୍ଚିତତାର ଗାଢ଼ ଭିତରକୁ ଠେଲି ଦିଆଗଲା? ନୂଆ ଭାରତ ଗଢ଼ିବାକୁ? କାହାକୁ ନେଇ ସରକାର ଗଢ଼ିବେ ନୂଆ ଭାରତ? ଶ୍ରମିକମୁକ୍ତ ନୂଆ ଭାରତ କ’ଣ ସମ୍ଭବ?

ଏବେ ତାଲାବନ୍ଦ ଥିଲେ ବି ଅନେକ କଟକଣା ହୁଗୁଳା ହେଲାଣି। ସରକାର ବୁଝିଗଲେଣି, ତାଲାବନ୍ଦର କ୍ଷତି କେତେ ଲାଭ କେତେ? ତେଣୁ ପ୍ରାୟ ସବୁ କଳକାରଖାନା ଖୋଲିଲାଣି, ସହର ବଜାର ଖୋଲିଲାଣି, ସରକାରୀ ଅଫିସ ଚାଲିଲାଣି। ଏବେ ପୁଣି ଥରେ ଶ୍ରମିକମାନଙ୍କ ଆବଶ୍ୟକତା ପଡ଼ିଲାଣି। କିନ୍ତୁ ସେମାନେ ଏବେ ସଡ଼କରେ, ଘରମୁହାଁ। ଯେଉଁ ସହର ଓ ସଂସ୍ଥା ସବୁ ଶ୍ରମିକମାନଙ୍କର ସେବା ଉପରେ ପ୍ରତିଷ୍ଠିତ ସେହି ସହର ଓ ସଂସ୍ଥା ସଂକଟ ସମୟରେ ସେମାନଙ୍କ ସହାୟତା କଲେ ନାହିଁ, ସେମାନେ ଚାରି ଆଡ଼ୁ ନିରାଶ ହୋଇ ଫେରିଲେ। ଏବେ ସହର ଓ ସଂସ୍ଥା ସବୁ ଚାଲିବ କେମିତି? କଫନା ସିଲେଇବ କିଏ? ଲୁଗା କେମିତି ସଫା ହେବ? ବାସନ କିଏ ମାଜିବ? ଘର ତିଆରି କରିବ କିଏ? ପରିବା ଗାଡ଼ି ଚଳେଇବ କିଏ? ଠେଲା ଚାଲିବ କିପରି? ବୋଝ ଉଠିବ କିପରି? ବୋଝ ଉତାରିବ କିଏ?

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।